ଟିଭିମାତା
ଟିଭିମାତା
ଟିଭିମାତା
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
ଶୁଣ ଏବେ ନୂଆମାତାର କହୁଛି କାହାଣୀ
ନାମ ଟିଭିମାତା ସମସ୍ତଙ୍କ ହୃଦୟର ରାଣୀ ।
ଅହରହ ଶୁଣାଏ ଆମକୁ ବହୁତ ବାଣୀ
ତା’ରି ସେବା ଦର୍ଶନରେ ଏ ଯୁଗର ପ୍ରାଣୀ ।
ମଡର୍ଣ୍ଣ ବାବାଙ୍କ ମାର୍କେଟିଙ୍ଗ୍ ର ନାହିଁ ଠାଣି
ସକାଳୁ ସକାଳୁ ପ୍ରବଚନର ହୁଏ ବାଣୀ ।
ଦିଅଁଙ୍କୁ ଯାଇ କାଳିଆ ଦର୍ଶନ ବେକାର
ରିମୋଟ୍ ଦାବିଲେ କାଳିଆ ହାଜର ।
କିଆଁ ଦରକାର ମହାଭାରତର ଦିବ୍ୟଦୃଷ୍ଟି
ଏବେ ମାଳମାଳ ସଞ୍ଜୟ ଖୋଲିଦେଲେ ଦୃଷ୍ଟି ।
କେତେ ନାୟିକାଙ୍କ ଓଠ ଆଉ ଫଟୋ ଦୋହଲୁଛି
ଇନ୍ଦ୍ରପୁରୀରେ ମେନକା ଦେଖି ସବୁ ଲାଜେଇଛି ।
ଏହା ଦେଖି ଇନ୍ଦ୍ରଙ୍କର ମର୍ତ୍ତ୍ୟପୁରୀକୁ ଇଚ୍ଛା
କେଉଁଦିନ ଟିଭିମାତାର ହେବ ସଦିଚ୍ଛା ।
ସାରା ବିଶ୍ୱକୁ ଦେଇଛି ସୂତ୍ରରେ ଯୋଡ଼ି
ଦରକାର ନାହିଁ ଯିବା ଉଡ଼ି ଉଡ଼ି ।
ସବୁ ଶକ୍ତି, ଖେଳ ହେଉ ବା ରାଜନୀତି
ସମସ୍ତଙ୍କର ଜଳେ ୟା ଭିତରେ ବତି ।
ଶୁଣ ଏବେ ନୂଆମାତାର କହୁଛି କାହାଣୀ
ନାମ ଟିଭିମାତା, ସମସ୍ତଙ୍କ ହୃଦୟର ରାଣୀ ।
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****