ଯୁଗେ ଯୁଗେ ନାରୀ ଅବଶୋଷ
ଯୁଗେ ଯୁଗେ ନାରୀ ଅବଶୋଷ
ନାରୀ.. ନାରୀ..ନାରୀ, ପରିବାର , ସମାଜ ଯେମିତି ଏଇ ଦୁଇ ଅକ୍ଷର ଚାରି ପଟେ ଘିରି ଘିରି ହେଇ ବୁଲୁଛି କେଉଁ ଏକ ଆବାହମାନ କାଳରୁ । ଯୁଗେ ଯୁଗେ ନାରୀ କଣ ସତରେ ଆରାଧ୍ୟା ।
ଏମିତି କିଛି ଭାବିବାର ଭୁଲ୍ ହୁଏତ ମୁଁ କରିବିନି । ମାେ ପାଇଁ ତ ହାସ୍ୟାସ୍ପଦ କଥା । ସବୁ ସହିଛି ,ଲୋକଙ୍କୁ ଠିକ୍ ଚିହ୍ନି ଛି , ଆଉ ନୁହେଁ ।
ନାରୀ ତାର ପ୍ରତ୍ୟେକ ଟି ଦାୟିତ୍ଵ କୁ ସୂଚାରୁ ରୂପେ ନିର୍ବାହ କଲେ ମଧ୍ୟ , ତା ଆଡକୁ ଆଙ୍ଗୁଠି ଉଠିବ ହିଁ ଉଠିବ ।
ମୁଁ ଠିକ୍ ଜାଣିଛି , ତୁମେ ମୋତେ କହିବ ନାଇ ମୀରା ସମୟ ବଦଳି ଗଲାଣି । ମୁଁ କାହିଁକି ତୁମ କଥା ସ୍ବୀକାର କରିବି ସ୍ବାମୀ । ମୁଁ ପରା ଭୁକ୍ତଭୋଗୀ , ଧର୍ଯ୍ୟ ଧରିବା ନାରୀର ସୌନ୍ଦର୍ଯ୍ୟ କହି ଏଠି ପ୍ରତିକ୍ଷଣ
ଯନ୍ତ୍ରଣା ର ଜୁଇ ରେ ଜଳିବାକୁ ବିବଶ କରି ଦିଆ ଯାଏ ।
ଗୋଟେ ନାରୀ କୁ ଆଉ ଗୋଟେ ନାରୀ ର ଯନ୍ତ୍ରଣା ଜର୍ଜରିତ ଚେହେରା ଦେଖେଇ ବାଧ୍ୟ କରାହୁଏ ଚୁପ୍ ରହିବାକୁ । ବିଚାରି ପଣ କୁ ତାର ଗୌରବ ପ୍ରାପ୍ତି ର ପଦକ କହି , ଝୁଲେ଼ଇ ଦିଆ ହୁଏ ତା ମଲା ଦେହ ଟାରେ ।
ଆଉ ଯଦି କେହି ଯନ୍ତ୍ରଣା ସହିବାକୁ ନିଜର ଅକ୍ଷମତା ବୋଲି ସ୍ୱର ଉତ୍ତୋଳନ କରି ଇଶ୍ୱର୍ଦତ୍ତ ଜୀବନ କୁ ଏକାକୀ ବଞ୍ଚିବାକୁ ଚାହିଁଲା
, ତେବେ ଏ ସମାଜ ତାକୁ ଚରିତ୍ର ହିନା , ବ୍ୟଭିଚାରିଣୀ ର ଆଖ୍ୟା ଦେବା ପାଇଁ ତିଳେ ମାତ୍ର ଭୂକ୍ଷେପ କରିବ ନାହିଁ ।
ତୁମେ ତୁମ ଛାତିରେ ହାତ ରଖି କୁହ ସାଗର ,ତୁମେ କଣ ଏହି ଚିରାଚରିତ ଧାରାରେ ପୁରୁଷ ର ମିଥ୍ୟା ଅହଂ ଭାବକୁ ବଜାୟ ରଖିନ ?
ବେଳେ ବେଳେ ତୁମ ପ୍ରଶ୍ନବାଣରେ ମୁଁ ଲହୁ ଲୁହାଣ ହେଇ ଯାଏ । ହେଲେ ତୁମଠୁ ଦୂରେଇବା ଭୟ ମୋତେ ଡ଼ରେଇ ଡରେଇ ମାରେ ।
ମୁଁ ଠିକ୍ ଜାଣିଛି ମାେ ନାରୀ ପରିଚୟ ,ମୋର ଲକ୍ଷଣ ରେଖା । ବାର ବାର ହୃଦୟ ଭାଙ୍ଗିବାରେ ତୁମେ ସିଦ୍ଧ ହସ୍ତ ସାଗର । ବିଶ୍ୱାସ କଥା କାହିଁକି କହିବି , ନ କହିବା ହିଁ ଭଲ ।
ଯୁଗେ ଯୁଗେ ନାରୀ ପୁରୁଷ ତିଆରି ଚଟାଣ ରେ ମୁଣ୍ଡ ପିଟି ପିଟି ପରୀକ୍ଷା ଦେବାକୁ ନିଜର ସୌଭାଗ୍ୟ ବୋଲି ମାନି ନେଇଥାଏ ,ମୁଁ ବି ସେଇଆ ହିଁ ଭାବି ନେଇ ବଞ୍ଚୁ ଛି ।
ସତୀ ର ମୁକୁଟ ପିନ୍ଧିବାକୁ ଯାଇ ,ଇଚ୍ଛା ବିରୁଦ୍ଧରେ ଦୌପଦୀ ବି ପାଞ୍ଚ ପତି ବରଣ କରିଥିଲେ , ସେ ପଞ୍ଚ ଆର୍ଯ୍ୟ ଙ୍କ ର ପତ୍ନୀ ହୋଇବି ପତି ମାନେ କିନ୍ତୁ ନିଜ ଇଚ୍ଛାରେ ଅନ୍ୟ ନାରୀ ଙ୍କୁ ମଧ୍ୟ ନିଜର କରିବାକୁ ପଶ୍ଚାତପଦ ହେଇ ନାହାନ୍ତି । ନିଜ ବଂଶ ର ମହାନ୍ ବ୍ୟକ୍ତିତ୍ଵ ମାନଙ୍କ ସମ୍ମୁଖରେ ବିବସ୍ତ୍ରା ହେବାକୁ ମଧ୍ୟ ବାଧ୍ୟ କରା ଯାଇଛି ,ନାରୀ ଆଖିରୁ ସ୍ନେହ ,ଲୁହ ବଦଳରେ ଅଗ୍ନି ସ୍ପୁଲିଙ୍ଗ ରେ ସବୁ କିଛି ଛାରଖାର ହେଇ ଯିବାର ନଜିର ମହାଭାରତ ରେ ମଧ୍ୟ ଅଛି ।
କିଏ ବୁଝିଥିଲେ କୁହ ଦୃପଦ ନନ୍ଦିନୀ ହୃଦୟ କଥା । କୃଷ୍ଣା ର କୃଷ୍ଣ , ଜୀବନ ଯାତ୍ରା ର ପରମ ପ୍ରେମ ମୟ ,ଅମୃତମୟ କୃଷ୍ଣ । ସଖା ପାଇଁ ହିଁ ସଖୀ ଆଜି ଧନ୍ୟା । ଯନ୍ତ୍ରଣା ଜର୍ଜରିତ ତନୁ କୁ ସୁବର୍ଣ୍ଣ ହେବାର ମାୟା ରେ ବାନ୍ଧି ତାର ଜୀବନ ନିଃଶେଷ କରିବାର ପାପ କାହା ମୁଣ୍ଡରେ ??
" ମହାଭାରତ " ସବୁ ପାପ ,ଅପମାନ ର ଚରମ ପରିଣତି । କିଏ କଣ ପାଇଲା କୁହ ମୋତେ ??? ନାରୀ, ପୁତ୍ର ସନ୍ତାନ ମୋହରେ ଶ୍ରେଷ୍ଠ ଜ୍ଞାନ ଦେବାକୁ ଯେମିତି ପଛେଇ ଯାଇଥିଲେ । କେତେ ରକ୍ତ ପାତ , ମୃତ୍ୟୁ ର କରାଳ ବିଭୀଷିକା ,ଦେଖୁ ଦେଖୁ ବଂଶ ନିପାତ ହେବାର ଦୃଶ୍ୟ ,ଓହୋ କି କଷ୍ଟ ।
ତୁମେ ମୋର ଅଗ୍ନିପରୀକ୍ଷା ନେଇ,ମାେ ନାରୀ ଜନ୍ମର ପରାକାଷ୍ଠା ଆ ଉ ଦେଖନା । ମୁଁ ନିଜଠୁ ତୁମକୁ ବେଶୀ ଭଲ ପାଏ ,ତୁମ ପାଇଁ ବିନା ପ୍ରଶ୍ନରେ ମୁଁ ଲକ୍ଷେ ଥର ମରିବାକୁ ପ୍ରସ୍ତୁତ ।ତୁମ ଘରକୁ ବାହା ହେଇ ଆସିଥିଲା ବେଳେ ,ମାଆ ବି କାନେ କାନେ କହିଥିଲା ,ତୁମ ପାଦ ତଳେ ମୋର ଜୀବନ ।
କି ହସ !!!! ଏମିତି ସବୁ କଥା ଶୁଣି ତୁମେ ହସି ପାରୁଛ ସାଗର । ନାରୀ ମନ ତଳ ଝଡ ର ବେଗ ମାପିବାକୁ ତୁମ ପୁରୁଷ ଜାତିଟା ଅକ୍ଷମ ।
ଜନ୍ମରୁ ମୃତ୍ୟୁ ର ଏହି ମଧ୍ୟ କାଳୀନ ଜୀବନ ଯାତ୍ରାରେ କେତେ ସୁଖ ଦୁଃଖ ଏମିତି ଆସୁଥିବ ସାଗର ,ହେଲେ ଭାବି ଦେଖ ସତରେ କଣ ନାରୀ ଯେମିତି ପରିସ୍ଥିତି କୁ ସାମ୍ନା କରେ ,ପୁରୁଷ କରେ ସେମିତି ??? ପୁରୁଷ ଜାତିର କେଉଁ ବିଶେଷତ୍ଵ ପାଇଁ ତୁମେ ମାନେ ସ୍ଵାମୀ ଭାବେ ଅଭିହିତ ମୁଁ ଏଯାଏ ବୁଝି ପାରିଲିନି ।
ନିର୍ବୋଧ ଭାବେ ସହିଯିବା ବୋଧେ ଆମ ମାନଙ୍କର ଭଵିତବ୍ୟ । ନାରୀ କୌଣସି ପ୍ରାରବ୍ଧ କିମ୍ବା ବର୍ତମାନ ର ଫଳ ପ୍ରାପ୍ତି ଆଶାରେ ବଞ୍ଚେ ନାହିଁ । ଯେ କେହି ବି ହେଉ ,ନିଜ ହାତ ଗଢା ପରିବାର ର ଅଂଶ ବିଶେଷ ହେଇ ,ସେମିତି ସବୁ ସହି ବଞ୍ଚି ଯିବାକୁ ତାର ଜୀବନ ବୋଲି ମାନି ନିଏ ।
ନାରୀ କୁ କାଣିଚାଏ ସ୍ନେହ ,ବିଶ୍ୱାସ ,ଆତ୍ମ ସମ୍ମାନ ଦେଇ କି ଦେଖ ,ସେ ତାର ବୁନ୍ଦ ବୁନ୍ଦ ରକ୍ତ କଣିକା କୁ ବି ଉତ୍ସର୍ଗ କରିଦେବ । ସହାବସ୍ଥାନ ତ ନାରୀର ପରମ ସୌଭାଗ୍ୟ । ଏକା ଏକା ସେ ବି ବଞ୍ଚିବାକୁ ଚାହେଁନି ।
ପ୍ରତ୍ୟେକ ନାରୀ ନିଜ ଚତୁର୍ପାଶ୍ଵରେ ହିଁ ନିଜର ଭାଗ୍ୟ ନିର୍ଦ୍ଧାରଣ କରିଥାଏ ।ପ୍ରତ୍ୟେକ ସୌଭାଗ୍ୟ, ସମୃଦ୍ଧି ର ସଂରଚନା ସେ ନିଜ ହାତରେ ରୂପ ଦେବାକୁ ଚାହେଁ । ସେ କେମିତି ବିରୋଧାଭାସ , ଅଶାନ୍ତି ର କାରଣ ହେଇ ପାରିବ ?
ମୁଁ ମୋ ଭୂମିକା ପାଇଁ ଯଥେଷ୍ଟ ସଚେତନ ସାଗର । ସମୟ କୁ ଅପେକ୍ଷା ଏକ ପ୍ରକାର ବ୍ରତ କହିଲେ ଅତ୍ୟୁକ୍ତି ହେବ ନାହିଁ । ତୁମେ ପରିବର୍ତ୍ତନ କୁ ସ୍ବୀକାର କର ,ସେତିକି ହିଁ ମାେ ପାଇଁ ସୌଭାଗ୍ୟ ହେବ ।
