STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ଯୁଦ୍ଧ

ଯୁଦ୍ଧ

1 min
159

ଖୋଜୁଛ କି

" ଯୁଦ୍ଧ "କୋଉଠି ନାହିଁ, 

ମାଟିରେ, ପାଣିରେ, ପବନରେ, ଜୀବନରେ !


" ଯୁଦ୍ଧ " ବିଭିଷିକା 

ଜାଣି ବି ଯୁଦ୍ଧ କୋଉଠି ନାହିଁ ଯେ ?


ଯୁଦ୍ଧ ଖାଲି ଲୁହ ଦିଏନି ,ଲହୁ ବୁହାଏନି

ଯୁଦ୍ଧ ପାଉଁଶ କରିଦିଏ ସଭ୍ଯତାକୁ, 

ଯୁଦ୍ଧ ଧ୍ବଂସ ର ଖେଳ ଭଲପାଏ, 

ଯୁଦ୍ଧ ଖାଇଯାଏ ଆଲୋକେ, ଅନ୍ଧାରେ 

ତେବେ ବି ଯୁଦ୍ଧ ଚାଲିଥାଏ ।


କାହାର ଛାତି ନାହିଁ, କାହାର ପାଦ

ତ କିଏ ନିଜେ ନାହିଁ ।

କୋଉଠି କୁଢ କୁଢ ଶବ ତଳୁ 

ଉଠିଛି କୁନି କଅଁଳ ହାତ

ଓଲଟ ଧୂଆଁ ।


ଆମେ କଣ ଏତେ ବର୍ବର ?

ତେବେ ଜାତିର ନାଁ ବଦଳେଇଦିଆଯାଉ ହେ ! ଶ୍ରେଷ୍ଠ ପ୍ରାଣୀ ।

ଲଜ୍ଜା, ଶୋଚନା ପଛକୁ ରଖ, 

ଯଦି ଅଛି ଈଶ୍ବରତ୍ବରୁ କାଣିଚାଏ ତୋ ସୃଷ୍ଟି ରେ 

ଯଦି ଛୁଇଁଥାଏ କେବେ ଥରେ ସେ ଅଦୃଶ୍ୟ ସତ୍ତା

ଯିଏ ତତେ ଗଢିଛି ସବୁ ଭଲପାଇବା ଅଜାଡି,

ତେବେ ଆଖି ଖୋଲ 


ନ ହେଲେ ଯା' ଲିଭେଇ ଦେଇ କହ 

ଚିତ୍କାର କର

" ମୁଁ ମଣିଷ ନୁହଁ 

ମୁଁ ମଣିଷ ନୁହଁ । "


ଯଦି କିଏ ବଳିପଡିଥାଏ ତୋ ଲେଲିହାନ ଭୋକରୁ 

କ୍ଷମା ବୋଲି ଯଦି କିଛି ଥାଏ

ମାଗି ଦେଖ୍ 

ସେ କରୁଣାର ତୁ ଯୋଗ୍ଯ କି ନା ?


ଯୁଦ୍ଧ ନିଜ ସହ ହେଉ 

ହେଉ ନିଜ ଭିତରର ଦୁର୍ଦାନ୍ତ, ଦୁର୍ଦ୍ଦଷ, ଜିଦ୍ ଖୋର

ନଖ,ଦାନ୍ତ ଥିବା ସତ୍ତା ସହ

ଯୁଦ୍ଧାସ୍ତ୍ର ଭାବେ ନିଆଯାଉ 

ନିଜର ହି ଲୁକ୍କାୟିତ ସଦଗୁଣକୁ

ଘସି ଘସି ତୀକ୍ଷ୍ଣ କରାଯାଉ ପ୍ରତିଟି ବର୍ଛା 

ହଉ ଯୁଦ୍ଧ ସେଇ ଧୂସର କଳା ପଟଟି ସହ

ହରେଇଦିଆଯାଉ ତାକୁ 

ଉଦ୍ଭାସିତ ସୂର୍ଯ୍ୟ ଓ ପ୍ରାର୍ଥନା ସହ

ଭିତର ମୁହାଁ ଯୁଦ୍ଧ ଚାଲୁ 

ତେବେ ଉଭୁରିବ ଯଦି

" ବୁଦ୍ଧସତ୍ତା "

କେତେ ଯୁଗରେ

କୁହାଇବ " ଯୁଗଜନ୍ମା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action