STORYMIRROR

Arabinda Rath

Comedy Drama

3  

Arabinda Rath

Comedy Drama

ଯୋଗ୍ଯପାତ୍ର

ଯୋଗ୍ଯପାତ୍ର

8 mins
356





ପାତ୍ରରେ ଥିବା ମଦିରା ଗୋଟିଏ ଢୋକରେ ଶେଷ କରିଦେଇ ଯୁବକ ଜଣକ ବୃଦ୍ଧଙ୍କୁ ଆହ୍ବାନ ଦେଇ କହିଲା- - ହେ ମୋର ପରମପୂଜ୍ଯ ଗୁରୁଦେବ,ଦେଖନ୍ତୁ ମୁଁ ଜିତିଗଲି। ଆପଣ ଭାବୁଥିଲେ ନା, ମୋ ଦ୍ବାରା ମଦିରାପାନ ହେବ ନାହିଁ। ହାଃ ହାଃ ହାଃ ଏବେ ସେହି ଶୂନ୍ଯପାତ୍ର ଆଡକୁ ଥରେ ଦୃଷ୍ଟି ନିକ୍ଷେପ କରି ନିଜର ପରାଜୟ ସ୍ବୀକାର କରନ୍ତୁ।

ନିଜର ଅଶ୍ବକେଶସମ ଧବଳ ଶ୍ମଶୃ ଉପରେ ହସ୍ତଚାଳନା କରି ବୃଦ୍ଧ କହିଲେ- - ତୁମେ ସତ୍ଯ କହିଲ ଯୁବକ, ତୁମର ଏତାଦୃଶ ବୀରତ୍ବରେ ମୁଁ ଗଭୀରରୂପେ ପ୍ରଭାବିତ। ଅବଶ୍ଯ ଏକଥା ଭିନ୍ନ ଯେ, ମୁଁ ଯୁବକ ଥିବା ସମୟରେ ଏତିକି ମଦିରାରେ କୁଳୁକୁଞ୍ଚା କରୁଥିଲି। ତଥାପି ତୁମ୍ଭର ବୀରତ୍ବ ଅନସ୍ବୀକାର୍ଯ୍ଯ। ଏବେ ଚାଲ, ଆମେ ଯିବା। ଅଳ୍ପ ସମୟ ମଧ୍ଯରେ ରାଜକୁମାରୀଙ୍କ ସ୍ବୟଂମ୍ବର ଆରମ୍ଭ ହୋଇଯିବ। ଅଧିକ ବିଳମ୍ବ କଲେ ମଦିରାର ପରାକ୍ରମ ସମାପ୍ତ ହୋଇଯିବାର ସମ୍ଭାବନା ଅଛି।

କିଶୋରପୁର ରାଜ୍ଯର ପରମ ପ୍ରତାପୀ ରାଜା ବୀରକିଶୋରଙ୍କର ଏକମାତ୍ର ଅଲିଅଳି କନ୍ଯା ତଥା ରାଜ୍ଯର ରାଜକୁମାରୀଙ୍କର ସ୍ବୟଂମ୍ବରର ଆୟୋଜନ ବଡ ଧୁମଧାମରେ କରାଯାଇଥିଲା। ଏକମାତ୍ର କନ୍ଯାର ନିଷ୍ପତ୍ତିକୁ ସମ୍ମାନ ଜଣାଇ ରାଜା ସ୍ବୟଂମ୍ବରର ଆୟୋଜନ ସନ୍ନିକଟ ଜଙ୍ଗଲରେ କରାଇଥିଲେ। ରାଜକୁମାରୀଙ୍କ ମନରେ ଅଭିଳାଷ ଥିଲା ସେ ଯେଉଁ ପୁରୁଷର ହାତ ଧରିବେ ସେ ସର୍ବଗୁଣ ସମ୍ପର୍ଣ୍ଣ ଓ ପରମ ଶକ୍ତିଶାଳୀ ହୋଇଥିବ। ତେଣୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପୁରୁଷଙ୍କ ପାଇଁ ସ୍ବୟଂମ୍ବର ସ୍ଥାନ ଉନ୍ମୁକ୍ତଥିଲା। ରାଜାଙ୍କ ମନରେ ଶଙ୍କା ଥିଲା ଯେପରି କୌଣସି ଅଯୋଗ୍ଯ ବ୍ଯକ୍ତି ରାଜକୁମାରୀଙ୍କୁ ବିବାହ ନ କରୁ। ତେଣୁ ଆଗନ୍ତୁକ ମାନଙ୍କ ଉପରେ ସେ କଡା ନଜର ରଖିଥିଲେ ଓ ସେମାନଙ୍କ ବିଷୟରେ ଟିକିନିଖି ଖବର ରଖୁଥିଲେ ନିଜର ଅତ୍ଯନ୍ତ ବିଶ୍ବସ୍ତ ଗୁପ୍ତଚରଙ୍କ ମାଧ୍ଯମରେ।

କିଶୋରପୁରର ଅନତିଦୂରରେ ଥିଲା ମଧୁପୁର ନାମକ କ୍ଷୁଦ୍ରଗ୍ରାମ। ଜନସଂଖ୍ଯା ଅତି ବେଶିରେ ପାଞ୍ଚଶହ ହେବ କି ନାହିଁ ସନ୍ଦେହ। ସେହି ଗ୍ରାମର ବିଶେଷତ୍ବ ଥିଲା ଗ୍ରାମବାସୀଙ୍କ ଆଳସ୍ଯପରାୟଣତା। ବର୍ଷର ଅର୍ଦ୍ଧାଧିକ ସମୟ ଗ୍ରାମବାସୀମାନେ ଆରାମ କରିବାରେ ବ୍ଯତୀତ କରୁଥିଲେ। ଗ୍ରାମ ନିକଟସ୍ଥ ଜଙ୍ଗଲଟି ଭରି ରହିଥିଲା ବିଭିନ୍ନ କିସମର ଫଳନ୍ତି ବୃକ୍ଷରେ ଓ ପଶୁପକ୍ଷୀ ମାନଙ୍କର ସଂଖ୍ଯାଥିଲା ସହସ୍ରାଧିକ। ଅନେକ ସମୟରେ ଜଙ୍ଗଲରୁ ପଶୁପକ୍ଷୀମାନେ ଖାଦ୍ଯ ଅନ୍ବେଷଣରେ ଗ୍ରାମ ଭିତରକୁ ପଶି ଆସୁଥିଲେ ଓ ଗ୍ରାମବାସୀଙ୍କ ଦ୍ବାରା ବିଛାଯାଇଥିବା ଜାଲରେ ପଡି ନିଜେ ଖାଦ୍ଯ ହୋଇ ଯାଉଥିଲେ। ଯେତେବେଳେ ପ୍ରକୃତ୍ତି ଦ୍ବାରା ଗ୍ରାମବାସୀଙ୍କ ଖାଦ୍ଯର ବ୍ଯବସ୍ଥା ହୋଇ ସାରିଥିଲା ,ସେମାନେ ବା ପରିଶ୍ରମ କରିବେ କାହିଁକି ! କାହିଁ କେତେ ପିଢିରୁ ଏପରି ଚାଲି ଆସୁଥିଲା ତାହା କହିବା କଷ୍ଟକର ବ୍ଯାପାର। ସେହି ଗ୍ରାମରେ ବୀରଭଦ୍ର ନାମକ ଏକ ଯୁବକ ବାସ କରୁଥିଲା। ପିଲାଟି ଦିନରୁ ତା ଆଚାର ବ୍ଯବହାର ଓ କାର୍ଯ୍ଯଶୈଳୀ ଦେଖି ଗ୍ରାମବାସୀ ମାନେ ଭବିଷ୍ଯବାଣୀ କରିଥିଲେ ଯେ ଏହି ଯୁବକ ଦିନେ ନା ଦିନେ ଆଳସ୍ଯ ପରାୟଣତା ପାଇଁ ବିଶ୍ବବିଖ୍ଯାତ ହେବ। ବୀରଭଦ୍ର ଦିନରାତି ବିଛଣାରେ ଆରାମରେ ଶୋଇ ରହୁଥିଲା। ଭୋକ ଲାଗିଲେ ହାତରେ ଧରିଥିବା ଏକ ଘଣ୍ଟି ଜୋରରେ ବଜାଉଥିଲା। କାରଣ ପାଟିକରି ଡାକିବା ଦ୍ବାରା ଶକ୍ତି ଅପଚୟ ହେବ ବୋଲି ସେ ନିଶ୍ଚିତ ଥିଲା। ପିତାମାତା କୌଣସି କାର୍ଯ୍ଯ ସକାଶେ ବୀରଭଦ୍ରକୁ କହିଲେ ସେହି କାମ କେବେ ସମାପ୍ତ ହେବ ତାହା କଳନା କରିବା କଷ୍ଟକର ଥିଲା। ଯେମିତି, ଥରେ ମାତାଙ୍କ ଆଜ୍ଞା ଅନୁସାରେ ବୀରଭଦ୍ର ପାଣି ଆଣିବାକୁ କୂଅକୁ ଗଲା କିନ୍ତୁ ସନ୍ଧ୍ୟା ପର୍ଯ୍ଯନ୍ତ ଫେରିଲା ନାହିଁ। ପିତାମାତା ବ୍ଯସ୍ତବିବ୍ରତ ହୋଇ କୂଅ ପାଖକୁ ଦୌଡିଲେ। ସେଠାରେ ପହଞ୍ଚି ଦେଖିଲେ ବୀରଭଦ୍ର କୂଅ ପାଖରେ ପତ୍ର ବିଛାଇ ଆନନ୍ଦରେ ଶୋଇଛି। ତାକୁ ଉଠାଇ ପଚାରିବାରୁ ସେ ଉତ୍ତର ଦେଲା- - ଏପରି ବିଚଳିତ ହେବାର କୌଣସି କାରଣ ନାହିଁ। ଯେଉଁ ଗ୍ରାମବାସୀ ପାଣି ପାଇଁ କୂଅକୁ ଆସୁଛନ୍ତି ସେମାନେ ନିଜ ପାଣି ରୁ କିଛି ମୋ ଗରାରେ ଢାଳି ଦେଉଛନ୍ତି। ଏପରି ବ୍ଯବସ୍ଥା କରିବା ଫଳରେ ମୋତେ ପରିଶ୍ରମ କରିବାକୁ ପଡୁନାହିଁ। ଆଜି ସନ୍ଧ୍ଯା ପର୍ଯ୍ଯନ୍ତ ଏତିକି ପାଣି ସଂଗ୍ରହ କରିପାରିଛି। କାଲି ପ୍ରଭାତରୁ ନିହାତି ଅଧିକ ଲୋକେ କୂଅ ପାଖକୁ ଆସିବେ ଓ ମୋ ଗରା ପୂର୍ଣ୍ଣ ହୋଇଯିବ। ତାପରେ ମୁଁ ପାଣିନେଇ ଘରକୁ ଯିବି। ସବୁ କାମ ପାଇଁ ଏତେ ବ୍ଯସ୍ତ ହେବା ଅନୁଚିତ। ତୁମେ ମାନେ ଘରକୁ ଯାଇପାର।

ସେତିକି ବେଳକୁ ବୀରଭଦ୍ରର ମାଆ କୂଅରୁ ପାଣି କାଢି ସାରିଥିଲେ ଓ ସେମାନେ ପରମ ଗୁଣବନ୍ତ ପୁତ୍ରକୁ ଧରି ଘରକୁ ବାହୁଡିଲେ। ଦିନ କୁ ଦିନ ପୁତ୍ରର ଆଳସ୍ଯର ମାତ୍ରା ଏତେ ବଢିଗଲା ଯେ ପିତାମାତା ବ୍ଯସ୍ତହୋଇ ଗ୍ରାମର ପୁରୁଖା ଲୋକଙ୍କ ସହ ବିଚାରବିମର୍ଶ କରିବା ଆରମ୍ଭ କରିଦେଲେ। ଗ୍ରାମର ସବୁଠାରୁ ବୟୌଜ୍ଯେଷ୍ଠ ବ୍ଯକ୍ତି ଉପଦେଶ ଦେଲେ- - ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ। ଅବିଳମ୍ବେ ପୁତ୍ରର ବିବାହକାର୍ଯ୍ଯ ସମାପନ କରିଦିଅ। ପରିସ୍ଥିତିରେ ନିହାତି ସୁଧାର ଆସିବ।

– – କିନ୍ତୁ ବୀରଭଦ୍ର ପରି ଯୁବକକୁ କିଏ ବିବାହ କରିବ? ପ୍ରଶ୍ନକଲେ ବୀରଭଦ୍ରର ପିତାମାତା।

ସେସବୁ ପ୍ରଶ୍ନର ଉତ୍ତର ଖୋଜିବା ଅପେକ୍ଷା ବରଂ ବୀରଭଦ୍ରକୁ ନେଇ ଘଞ୍ଚ ଜଙ୍ଗଲରେ ତପସ୍ଯା କରୁଥିବା ମତ୍ସ୍ଯବାବାଙ୍କ ପାଖକୁ ନେଇ ଚାଲିଯାଅ। ସେ ନିହାତି କିଛି ବ୍ଯବସ୍ଥା କରିବେ। ସେହି ବାବା ଅନେକ ବର୍ଷହେବ କେବଳ ମତ୍ସ୍ଯ ଭୋଜନ ପୂର୍ବକ ତପସ୍ଯା କରି ଚାଲିଛନ୍ତି ବୋଲି ମତ୍ସ୍ଯବାବା ଭାବରେ ଖ୍ଯାତ।

ବୀରଭଦ୍ରକୁ ମତ୍ସ୍ଯବାବାଙ୍କ ପାଖକୁ ନେଲେ ଓ ବାବା ଅଭୟ ପ୍ରଦାନ କରି କହିଲେ, ସେ ବୀରଭଦ୍ରର ଜୀବନକୁ ପରିବର୍ତ୍ତନ କରିଦେବେ, କିନ୍ତୁ ତାହା ସମୟ ସାପେକ୍ଷ। କିନ୍ତୁ ତାଙ୍କ ବଚନ ସମାପ୍ତ ହେବା ପୂର୍ବରୁ ବୀରଭଦ୍ରର ଘୁଙ୍ଗୁଡି ନାଦରେ ଅଞ୍ଚଳଟି ପ୍ରକମ୍ପିତ ହେବାପରି ଲାଗିଲା। ନିଦ୍ରାଭିଭୂତ ପୁତ୍ରକୁ ଅଶୃଳ ବିଦାୟ ଦେଇ ପିତାମାତା ସ୍ବଗୃହ ପ୍ରତ୍ଯାବର୍ତ୍ତନ କଲେ।

ମତ୍ସ୍ଯବାବାଙ୍କ ଅତୀତ ବେଶ୍ ରୋମାଞ୍ଚକର ଥିଲା। ଏକଦା ସେ ମାଧବସେନ ନାମରେ ପରିଚିତ ଥିଲେ ଓ କିଶୋରପୁର ରାଜାଙ୍କର ଘନିଷ୍ଠ ବନ୍ଧୁଥିଲେ। ଅସୀମ ବୀରତ୍ବ ଓ ପରାକ୍ରମର ପରାକାଷ୍ଠା ଦେଖାଇ ସେ ରାଜାଙ୍କୁ ଅନେକ ଯୁଦ୍ଧରେ ବିଜୟ ସ୍ବାଦ ଚଖାଇଥିଲେ। ପ୍ରଗାଢ ବନ୍ଧୁତ୍ବର ନିଦର୍ଶନ ସ୍ବରୂପ ରାଜା ତାଙ୍କୁ ପାଞ୍ଚଖଣ୍ଡ ଗ୍ରାମ ଦାନ କରିଥିଲେ। କିନ୍ତୁ ବିଧିର ନିୟମ ବିଚିତ୍ର। ବିବାହପରେ ରାଣୀଙ୍କ ପ୍ରରୋଚନାରେ ପଡି ରାଜା ମାଧବସେନଙ୍କ ପ୍ରତି ଶତୃତା ଆଚରଣ କଲେ। ଏକଦା ମାଧବସେନ କୌଣସି କାର୍ଯ୍ଯବଶତଃ ରାଜାଙ୍କ ପାଖକୁ ଯାଇଥିଲେ ଓ ତାଙ୍କର ଆତିଥ୍ଯତା ସ୍ବୀକାର କରି ରାଜଉଆସରେ ରାତ୍ରୀଯାପନ କରିଥିଲେ। ରାଜାଙ୍କର ଏକ ପ୍ରମୁଖ ବଦଭ୍ଯାସ ଥିଲା ମଦିରାପାନ କରିବା। ଅନେକ ସମୟରେ ସେ ଅତ୍ଯଧିକ ମଦିରାପାନ କରି ହିତାହତ ଜ୍ଞାନ ହରାଇ ବସୁଥିଲେ। ସେଦିନ ରାତ୍ରିଭୋଜନ ପରେ ଅତ୍ଯଧିକ ମଦ୍ଯପାନ କରି ରାଜା ଉତ୍ପାତ ହେବା ଆରମ୍ଭ କରି ଦେଇଥିଲେ। ମାଧବସେନ ରାଜାଙ୍କ ଅନୁରୋଧକ୍ରମେ ମଦିରାପାନ କରି ନିଜର ଶୟନକକ୍ଷକୁ ପ୍ରସ୍ଥାନ କରିବାପରେ ରାଣୀ ଏକ ଭୟଙ୍କର ଷଡଯନ୍ତ୍ର ରଚନା କରିଥିଲେ। ମଧ୍ଯରାତ୍ରରେ ମାଧବସେନଙ୍କୁ ସୈନ୍ଯମାନେ ବନ୍ଦୀ କରିନେଲେ ଓ ରାଜାଙ୍କ ସମ୍ମୁଖରେ ହାଜର କଲେ। ସେଠାରେ ମାଧବସେନ ଦେଖିଲେ କ୍ରନ୍ଦନରତା ରାଣୀ ଓ କ୍ରୋଧ ଜର୍ଜରିତ ରାଜାଙ୍କୁ। ନାନା କୁତ୍ସାରଟନା କରି ରାଜା ମାଧବସେନ ଙ୍କୁ ଧିକ୍କାର କରିଚାଲିଲେ ଓ ବାରମ୍ବାର ପ୍ରଶ୍ନ କରିଚାଲିଥିଲେ ଯେ ତାଙ୍କର ଏତେ ଘନିଷ୍ଠବନ୍ଧୁ ହୋଇ ମଧ୍ଯ ମାଧବସେନ କିପରି ରାଣୀଙ୍କ ପ୍ରତି ଅଶୋଭନୀୟ ଆଚରଣ କରିବାର ଦୁଃସାହାସ କଲେ। ଭାଗ୍ଯଟାଣ ଥିବାରୁ ମାଧବସେନ ମୃତ୍ଯୁଦଣ୍ଡରୁ ବର୍ତ୍ତିଗଲେ କିନ୍ତୁ ତାଙ୍କୁ ରାଜ୍ଯରୁ ବିତାଡିତ କରାଗଲା ଓ ଉପହାର ସ୍ବରୂପ ପାଇଥିବା ପାଞ୍ଚଖଣ୍ଡ ଗ୍ରାମ ଫେରାଇ ନିଆଯାଇ ରାଜାଙ୍କର ଶ୍ଯାଳକଙ୍କୁ ଦାନ କରାଗଲା।

ସେହିଦିନ ଠାରୁ ଘଞ୍ଚ ଜଙ୍ଗଲ ମଧ୍ଯରେ ଆତ୍ମଗୋପନ କରି ରହିଥିଲେ ମାଧବସେନ ମତ୍ସ୍ଯବାବା ରୂପରେ। ନଚେତ୍ ସେ ରାଜାଙ୍କ ଶ୍ଯାଳକ ହାତରେ ମୃତ୍ଯୁ ଲଭିବା ନିଶ୍ଚିତ ଥିଲା। ତପସ୍ଯା କରିବା ନାମରେ ମାଧବସେନ ମନ ଭିତରେ ଜଳୁଥିବା କ୍ରୋଧବହ୍ନିକୁ ଜଳାଇ ଚାଲିଥିଲେ ଓ ସଠିକ୍ ସମୟରେ ରାଜାଙ୍କ ଉପରେ ପ୍ରତିଶୋଧ ନେବାର ଉପାୟମାନ ପ୍ରସ୍ତୁତ କରିବାରେ ବ୍ଯାପୃତ ଥିଲେ। ବୀରଭଦ୍ରର ଆଗମନ ପରେ ତ

ାଙ୍କ ମନ ପ୍ରସନ୍ନ ହୋଇ ଉଠିଥିଲା। ରାଜକୁମାରୀଙ୍କ ସ୍ବୟଂମ୍ବର କଥା ସେ ଜାଣିଥିଲେ ଓ ସେହି ସମୟ ହିଁ ପ୍ରତିଶୋଧ ନେବାର ଉପଯୁକ୍ତ ସମୟ ବୋଲି ସେ ନିଶ୍ଚିତ ଥିଲେ।

ନିଦ ମଳମଳ ଆଖିରେ ବୀରଭଦ୍ର ମତ୍ସ୍ଯବାବାଙ୍କୁ ତା'ର ଆଗମନର କାରଣ ପଚାରିଲା।

- - ବତ୍ସ୍ଯ ତୁମେ କଣ ଜାଣିନାହଁ? ରାଜ୍ଯର ରାଜକୁମାରୀଙ୍କ ସହ ତୁମର ବିବାହ ପାଇଁ ତୁମକୁ ମୋ ପାଖକୁ ଅଣାଯାଇଛି।

- - ବିବାହ ? ପୁଣି ରାଜକୁମାରୀଙ୍କ ସହ ? ମୋର କିନ୍ତୁ ଗୋଟିଏ ସର୍ତ୍ତ ଅଛି। ମୋ ବିଶ୍ରାମ ସମୟରେ ଯେପରି କୌଣସି ପ୍ରତିବନ୍ଧକ ସୃଷ୍ଟି ନ ହେବ ସେଦିଗ ପ୍ରତି ରାଜକୁମାରୀଙ୍କୁ ସଚେତନ ରହିବାକୁ ହେବ।

- - ନିଃସନ୍ଦେହ ବତ୍ସ୍ଯ, ତୁମ ପରି ଜଣେ ସୁଯୋଗ୍ଯ ବର ପାଇବା ପରେ ରାଜକୁମାରୀ ସେପରି କୌଣସି ଧୃଷ୍ଟତା କରିବେ ନାହିଁ ମୋର ଦୃଢ ବିଶ୍ବାସ ଅଛି। ତଥାପି ମୁଁ ତାଙ୍କୁ ଏ ବିଷୟରେ ଅବଗତ କରାଇଦେବି। କିନ୍ତୁ ତୁମକୁ ମୋ ଆଦେଶ ଅନୁସାରେ ଚଳିବାକୁ ହେବ। ଆସନ୍ତାକାଲି କିଶୋରପୁର ସନ୍ନିକଟ ଜଙ୍ଗଲରେ ରାଜକୁମାରୀଙ୍କ ସ୍ବୟଂମ୍ବରର ଆୟୋଜନ କରାଯାଇଛି। ତୁମେ ସେହି ସ୍ବୟଂମ୍ବରରେ ନିଜର ଯୋଗ୍ଯତା ପ୍ରମାଣ କରି ରାଜକୁମାରୀଙ୍କ ବେକରେ ପୁଷ୍ପହାର ଦେଇ ବିବାହ କରିବ।

- - ସେକଥା ଠିକ୍ ଯେ, କିନ୍ତୁ ମୋତେ କିଛି କାମ କରିବାକୁ ପଡିବନି ତ? ଯେମିତି କି କୂଅରୁ ପାଣି କାଢିବା, ଗାଈଙ୍କୁ ଗୁହାଳରେ ବାନ୍ଧି ଖାଇବାକୁ ଦେବା, ଅଗଣାରେ ଧାନ ଶୁଖେଇବା ନହେଲେ ଘର ଛପର କରିବା ଆଦି।

ବୀରଭଦ୍ରର କଥା ଶୁଣି ମତ୍ସ୍ଯଦେବଙ୍କ ମୁଣ୍ଡ ଘୁରାଇଦେଲା ପରି ଲାଗିଲା, ସେ କୌଣସି ମତେ ହାସ୍ଯ ସମ୍ବରଣ କରି କହିଲେ- - ତୁମର ଭୟ କରିବାର କୌଣସି କାମ ନାହିଁ। ସେପରି କୌଣସି କାମ କରିବାକୁ ହେବନି। ଏବେ ତୁମେ ଖାଇପିଇ ବିଶ୍ରାମ କର।

ପ୍ରାତଃକାଳରୁ ବୀରଭଦ୍ରକୁ ଉଠାଇ ମତ୍ସ୍ଯଦେବ କହିଲେ-- ସ୍ବୟଂମ୍ବରକୁ ଯିବା ପୂର୍ବରୁ ତୁମକୁ ଏକ ପରୀକ୍ଷା ଦେବାକୁ ହେବ। ଏହି ପାତ୍ରରେ ଥିବା ମଦିରା ଗୋଟିଏ ଥରରେ ଶେଷ କରିବାକୁ ହେବ। ସେତିକି କରି ପାରିଲେ ତୁମେ ବିଜୟୀ ହେବ ଓ ଆମେ ସ୍ବୟଂମ୍ବର ପାଇଁ ଅଗ୍ରସର ହେବା, ନଚେତ୍ ତୁମକୁ ନିଜ ଗ୍ରାମକୁ ପ୍ରତ୍ଯାବର୍ତ୍ତନ କରିବାକୁ ହେବ। ମୁଁ ଜାଣିଛି ତୁମ ପାଇଁ ଏହି କାର୍ଯ୍ଯ କଷ୍ଟକର ହେବ ଓ ମୋର ବିଶ୍ବାସ ତୁମେ ଏଥିରେ ବିଫଳ ହେବ। ତଥାପି ଥରେ ଚେଷ୍ଟା କରିଦେଖ।

ବୀରଭଦ୍ର ଏତିକି କଥା ଶୁଣି ଅପମାନିତ ଅନୁଭବ କଲା ଓ ଗୋଟିଏ ଥରରେ ସମସ୍ତ ମଦିରା ସମାପ୍ତ କରିଦେଲା।

ସ୍ବୟଂମ୍ବର ସ୍ଥାନରେ ଭୀଷଣ ଜନସମାଗମ ହୋଇଥିଲା। ସୁବର୍ଣ୍ଣ ସିଂହାସନରେ ବସିଥିଲେ ରାଜା ବୀରକିଶୋର ଓ ରାଣୀ। ଅନ୍ଯ ଉଚ୍ଚ ଆସନରେ ରାଜାଙ୍କ ଶ୍ୟାଳକ ତଥା ପାରିଷଦ ବର୍ଗ ଆସନ ଗ୍ରହଣ କରିଥିଲେ। ସ୍ବର୍ଗର ଅପସରାସମ ଅତ୍ଯନ୍ତ ସୁନ୍ଦରୀ ରାଜକୁମାରୀ ହାତରେ ବରଣମାଳା ଧରି ସେମାନଙ୍କ ସମ୍ମୁଖରେ ଛିଡା ହୋଇଥିଲେ। ବିଭିନ୍ନ ରାଜ୍ଯର ରାଜକୁମାର ଓ ଆଶାୟୀ ଯୁବକ ମାନେ ବିଭିନ୍ନ ଖେଳ କସରତ ଦେଖାଇ ରାଜକୁମାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଥିଲେ।ଏସବୁ ଦେଖି ବୀରଭଦ୍ରର କପାଳରେ ସ୍ବେଦବିନ୍ଦୁ ମାନଙ୍କର ପ୍ରାବଲ୍ଯତା ଦୃଶ୍ଯ ହେଲା। ସେ ମତ୍ସ୍ଯଦେବଙ୍କ ହାତଧରି ଫେରିଯିବାକୁ ଅନୁରୋଧ କଲା। ସଠିକ ସମୟର ପ୍ରତୀକ୍ଷାରେ ଥିଲେ ମତ୍ସ୍ଯଦେବ, ସେ କହିଲେ- - ବୀରଭଦ୍ର, ଏ ମଦିରାର ଶକ୍ତି ଏତେ ଅଧିକା ଯେ କ୍ଷୁଦ୍ର ପିମ୍ପୁଡିକୁ ହାତୀ ସହ ଲଢେଇ କରିବାର ଶକ୍ତି ଦେଇପାରେ। ତୁମେ ତ ଆଜନ୍ମ ବଳବାନ ଓ ଶକ୍ତିଶାଳୀ। ନିଜ ବାହୁର ଶକ୍ତ ମାଂସପେଶୀ ଓ ବିଶାଳ ବପୁ କୁ ଭଲରେ ପରଖି ନିଅ। ତୁମକୁ ନିହାତି କ୍ଷୁଦ୍ର କାମଟିଏ କରିବାକୁ ହେବ। ତା ପରେ ରାଜକୁମାରୀ ଧରିଥିବା ବରଣମାଳା ତୁମ ବେକରେ ଶୋଭା ପାଇବ। ଶରୀରରୁ ଶକ୍ତିହ୍ରାସ ପରି ଅନୁଭବ କରୁଛ କି?ଏଇ ନିଅ, ଆଉଟିକେ ମଦିରାରେ ଗଳାସିକ୍ତ କରିଦିଅ।

ମଦିରାପାନ ପରେ ବୀରଭଦ୍ର ଦେହରେ ପୁଣି ଶତସିଂହର ବଳ ଜାଗ୍ରତ ହୋଇଗଲା। ସେ ନିଜ ବାହୁର ତୁଳା ପରି କୋମଳ ମାଂଶପେଶୀ କୁ ପରଖି ନେଇ କହିଲା- - ଏବେ କୁହନ୍ତୁ ଗୁରୁଦେବ ମୋତେ କଣ କରିବାକୁ ହେବ।

- - କାମ ବିଶେଷ କଷ୍ଟ ନୁହଁ। ରାଜା ଙ୍କ ପାଖକୁ ଯାଇ ତାଙ୍କ ପାଦତଳେ ଲମ୍ବା ହୋଇ ଶୋଇଯିବ ଓ ପ୍ରଣାମ କରିବ। ତତପଶ୍ଚାତ୍ ତାଙ୍କ ଉଭୟ ଗୋଡ ଟାଣିଟାଣି ସିଂହାସନ ଉପରୁ ଘୋଷାଡି ଆଣିବ। ମୁଁ ଜାଣେ ତୁମ ଦ୍ବାରା ଏହି ଅସମ୍ଭବ କାର୍ଯ୍ଯ ହୋଇ ପାରିବ ନାହିଁ। ତଥାପି ପ୍ରୟାସ କର।

- - ହୋଇପାରିବନି?କାହିଁକି ହୋଇ ପାରିବନି, ମୁଁ ବିଦ୍ଯାଳୟରେ ପଢୁଥିବା ସମୟରେ ଏକ ମୋଟା ବେଙ୍ଗର ଗୋଡଧରି ଟାଣି ଆଣିଥିଲି। ମୋ ବୀରତ୍ବ ଦେଖି ବିଦ୍ଯାଳୟର ଶିକ୍ଷକ ଓ ପିଲାମାନେ ଆନନ୍ଦରେ ହସି ପକାଇଥିଲେ। ଯଦି ମୁଁ ବାଳୁତଥିବା ସମୟରେ ଏକ ମୋଟାବେଙ୍ଗର ଗୋଡ ଟାଣି ପାରିଥିଲି ତେବେ ଆଜି ଶତସିଂହର ବଳ ନେଇ ରାଜାଙ୍କ ଗୋଡ କାହିଁକି ଟାଣି ପାରିବିନି। ମୁଁ ଚାଲିଲି ଗୁରୁଦେବ।

କିଛି ସମୟପରେ ରାଜା ସିଂହାସନ ତଳେ ପଡିଥିଲେ ଓ ବୀରଭଦ୍ର ତାଙ୍କ ଗୋଡ ଧରି ଘୋଷାଡିବା କାର୍ଯ୍ଯରେ ଲାଗିଥିଲା। ଉପସ୍ଥିତ ଜନତା, ରାଣୀ,ରାଜକୁମାରୀ ,ସୈନ୍ଯ ଓ ପାରିଷଦବର୍ଗ ମାନଙ୍କ ମୁଖ ଆଶ୍ଚର୍ଯ୍ଯ ରେ ଉନ୍ମୁକ୍ତ ହୋଇ ରହିଥିଲା। କୌଣସିମତେ ନିଜକୁ ବୀରଭଦ୍ର କବଳରୁ ରକ୍ଷାକରି ରାଜା ଛିଡାହେଲେ ଓ କ୍ରୋଧ ଜର୍ଜରିତ ହୋଇ ବୀରଭଦ୍ରକୁ ବନ୍ଦୀ କରିବାକୁ ଆଦେଶ ଦେଲେ।

- - ଆପଣଙ୍କ କନ୍ଯାପାଇଁ ଯୋଗ୍ଯତମ ବ୍ଯକ୍ତି କୁ ବନ୍ଦୀ କରିବା ପରମ ଅନ୍ଯାୟ ହେବ ମହାରାଜ୍। ବୀରଭଦ୍ର ପରି ବୀର ଯୁବକ ହିଁ ରାଜକୁମାରୀଙ୍କ ପୁଷ୍ପମାଳାର ସୁଯୋଗ୍ଯ ଅଧିକାରୀ। ଯେଉଁ ରାଜାଙ୍କ ସମ୍ମୁଖକୁ ଆସିବାକୁ ମୃତ୍ଯୁ ମଧ୍ଯ ଭୟ କରେ ତାଙ୍କୁ ଆଜି ଏହି ବୀର ଭୂପତିତ କରିଦେଲା, ଏହାଠାରୁ ବଳି ବୀରତ୍ବ ଆଉ କଣ ହୋଇପାରେ? ଏବେ ଧର୍ମରକ୍ଷା କରି ମୋ ଶିଷ୍ଯ ବେକରେ ରାଜକୁମାରୀ ବରଣମାଳା ଦେଇ ତାକୁ ସ୍ବାମୀ ରୂପରେ ଗ୍ରହଣ କରନ୍ତୁ।

- - ପାଗଳଙ୍କ ପରି ପ୍ରଳାପ କାହିଁକି କରୁଛ ହେ ବୃଦ୍ଧ ସନ୍ଯାସୀ। ଏ ଉଦଭ୍ରାନ୍ତ ଯୁବକ ମଦିରାନିଶାରେ ହିତାହତ ଜ୍ଞାନ ଭୁଲି ଏହି ଧୃଷ୍ଟତା କରିବାର ଦୁଃସାହାସ କରିପାରିଛି। ତା ଗଳା ପାଇଁ ରାଜକୁମାରୀଙ୍କ ପୁଷ୍ପମାଳା ନୁହଁ ବରଂ ଫାଶି ଦଉଡି ହିଁ ଉପଯୁକ୍ତ ହେବ। ଗର୍ଜନ କରିି କହିଲେ ରାଜା।

ଯଦି ଏହା ଆପଣଙ୍କର ନ୍ଯାୟ,ତେବେ କିଛି ବର୍ଷତଳେ ସେହି ମଦିରା ନିଶାରେ ହିତାହତ ଜ୍ଞାନ ଭୁଲି ଆପଣ ମାଧବସେନଙ୍କ ପ୍ରତି କରିଥିବା ଅନ୍ଯାୟର ଦଣ୍ଡ କଣ ହେବା ଉଚିତ୍ ମହାରାଜ?

ରାଜା ବୀରକିଶୋର ନିଶ୍ଚଳ ହୋଇ ଛିଡା ହୋଇଗଲେ। ଉପସ୍ଥିତ ଜନତା କିଛି ବୁଝି ନ ପାରି ବୋକାଙ୍କ ପରି ଚାହିଁ ରହିଥା'ନ୍ତି। କୌଶଳକ୍ରମେ ରାଣୀ ତାଙ୍କ ଭ୍ରାତାଙ୍କ ସହ ସେ ସ୍ଥାନ ପରିତ୍ଯାଗ କଲେ। ରାଜା ସେହି ଧବଳଶ୍ମଶୃଧାରୀ ବୃଦ୍ଧଙ୍କ ପାଖକୁ ଚାଲିଆସିଲେ ଓ କହିଲେ - - ମାଧବସେନ, ମୋ ପରମବନ୍ଧୁ ... ତୁମେ? ମୋତେ କ୍ଷମା କରିଦେବ। ସେଦିନର ଘଟଣା ପାଇଁ ମୁଁ ଭୀଷଣ ଅନୁତପ୍ତ। ମୋ ଉପରେ ପ୍ରତିଶୋଧ ନେବାକୁ ତୁମେ ଶେଷରେ ମୋର ଏକମାତ୍ର କନ୍ଯାକୁ ଏପରି ଯୁବକ ସାଥିରେ ବିବାହ କରାଇବାକୁ କହୁଛ?

ସେତିକିବେଳେ ବୀରଭଦ୍ର ମାଧବସେନଙ୍କ ପାଖକୁ ଆସି କହିଲା- - ଗୁରୁଦେବ, ଆପଣ କହିବା ଅନୁସାରେ ମୁଁ ସବୁ କାମ ସାରିଦେଲି। ରାଜକୁମାରୀ ଜଲଦି ବରଣମାଳାଟା ମୋ ଗଳାରେ ଲମ୍ବାଇଦେଲେ ବିବାହକାର୍ଯ୍ଯଟା ସମାପ୍ତ ହୋଇଯାଆନ୍ତା। କଥା କଣ କି ,ମୋତେ ଭୀଷଣ ନିଦ ଲାଗିଲାଣି, ଯଦି ଅଧିକା ବିଳମ୍ବ ହେବାର ଆଶଙ୍କା ଅଛି ମୁଁ ଟିକେ ବିଶ୍ରାମ ନେଇ ଯାଆନ୍ତି।

ବୀରଭଦ୍ରର କଥାଶୁଣି ରାଜା,ରାଜକୁମାରୀ, ମାଧବସେନ୍ ଓ ଅନ୍ଯ ସମସ୍ତେ ହୋଃ ହୋଃ ହୋଇ ହସି ଉଠିଲେ। କିନ୍ତୁ ସେତିକି ବେଳକୁ ବୀରଭଦ୍ର ଏକ ବୃକ୍ଷତଳେ ଅତ୍ଯନ୍ତ ଆନନ୍ଦରେ ନିଦ୍ରାଭିଭୂତ ହୋଇ ସାରିଥିଲା।

ମାଧବସେନ ହସିହସି କହିଲେ- - ମୋ ଶିଷ୍ଯ ବହୁତ ବଡ ବୀର କିନ୍ତୁ ସେ ବୀରତ୍ବ କେବଳ ଆଳସ୍ଯ ପରାୟଣତାରେ ଦେଖାଏ। ବିବ୍ରତ ହୁଅନ୍ତୁ ନାହିଁ ମହାରାଜ ରାଜକୁମାରୀଙ୍କ ପାଇଁ ଯୋଗ୍ଯ ପ୍ରାର୍ଥୀ ଆମେ ମାନେ ଚୟନ କରିବା।

--ସମାପ୍ତ--





Rate this content
Log in

Similar oriya story from Comedy