Rabinarayan Senapati

Abstract Classics Inspirational

4.5  

Rabinarayan Senapati

Abstract Classics Inspirational

ଯନ୍ତ୍ର ମାନବ

ଯନ୍ତ୍ର ମାନବ

8 mins
365



ଡା ସୁଧାକର କର ଛୁଟିରୁ ଫେରି କାମରେ ଯୋଗଦେଲେ ପ୍ରାୟ ଏକ ମାସ ପରେ। ସେ ଖଟଣି ମଣିଷ। ଅକାତ କାତ କାମ କରନ୍ତି। ତାଙ୍କ ଅନୁପସ୍ଥିତ ଜିଲ୍ଲା ଡାକ୍ତରଖାନାରେ ବେଶ୍ ବାରିହେଉଥିଲା ମାସସାରା। କର ସାର୍ କେବେ ଫେରିବେ ପ୍ରଶ୍ନର ଉତ୍ତର ଦେଇ ଦେଇ ସୁରକ୍ଷା କର୍ମୀ ଓ ସହାୟିକା ମାନେ ବିରକ୍ତିଆ ହୋଇ ସାରିଥିଲେ। ଅନୁ ମାଉସୀ ଧାଈବୁଢୀ, ସତ ବୟସ ସତୁରି ହେବ, ମିଛ ବୟସରେ ଆଉ ପାଞ୍ଚ ବର୍ଷ ଚାକିରି ଅଛି। କିଏ କହେ ସୁଧାକର ସାର୍ ଆଉ କିଏ କହେ କର ସାର୍ କିନ୍ତୁ ଅନୁମାଉସୀ କହେ କରକର ସାର୍। ଏ ଦୁନିଆରେ ତାର ଏକ ମାତ୍ର ନିଜର ବୋଲି କେବଳ ତା ନାତୁଣୀ। ନାତୁଣୀ ଖତେଇ ହୁଏ କରକର ସାର୍ ନା କୁରୁକୁରେ ସାର୍। ସେ କହୁଥିଲେ- ମଲା ମଲା କରକର ସାର୍ କଣ ବିଦେଶ ଭ୍ରମଣରେ ଯାଇଛନ୍ତି ନା କଣ? ଏତେ ଲୋକଙ୍କର କାମ କରି କରି ହାଲିଆ ହୋଇଗଲେ। ଖାଇବା ପିଇବାରେ ଠିକଣା ରହିଲା ନାହିଁ। ଭୋଗିଲେ। ସେ ଏଥର ଫେରନ୍ତୁ, ସିଧା ସିଧା କହିଦେବି ତାଙ୍କୁ, ଜଗିରଖି ଚଳ, ଆପେ ବଞ୍ଚିଲେ ବାପାର ନାଆଁ। ଏତେ ଖଟିବା ଦରକାର ନାହିଁ। ସେ କେଉଁ ଆଉ ପାରିବେ କି? ହାର୍ଟ ବିଗିଡିଛି, ଯନ୍ତ୍ର ଲାଗିଛି। ଖବରଦାର ଏଣିକି ସାରଙ୍କୁ ଯିଏ ବେଶି ହଇରାଣ କରିବ ତାର ଦିନେକୁ ମୋର ଦିନେ।

ବୁଢ଼ୀ, କର ସାରଙ୍କୁ ଭାରି ଶ୍ରଦ୍ଧା କରେ। ତା ପୁଅ ବୟସର। ହଜିଲା ପୁଅ। ସାର୍ ସୁସ୍ଥ ହୋଇ ଫେରିଲା ପରେ ଅନୁ ମାଉସୀ ଭୋ ଭୋ କାନ୍ଦି ପକାଇଲା। କେତେ ଖୁସି ତା ମନରେ। ସେ ମାନସିକ ରଖିଛି ଶିବ ମନ୍ଦିରରେ ବାଳଭୋଗ ଦେବ। 

କିନ୍ତୁ କର ସାର୍ ଆସିଲେ ତ କାମରେ ଲାଗିଲେ। ଗତ ଏକବର୍ଷ ଧରି ନିଜର ଅସୁସ୍ଥତା ହେତୁ କଷ୍ଟରେ କାମ କରୁଥିଲେ ସେ। ଏବେ ସେ ବଡ ସୁସ୍ଥ ଅନୁଭବ କରୁଛନ୍ତି। ମାଉସୀଙ୍କ ତାଗିଦର ଉତ୍ତରରେ ସେ କହିଲେ। ଏଣିକି ସେ ବେଶ୍ ସୁସ୍ଥ। ଅଧିକ କାମ କରିବେ। ସେ ଏବେ ଯନ୍ତ୍ର ମଣିଷ। ତାଙ୍କ ହୃଦୟର ସ୍ପନ୍ଦନ ଏବେ ସ୍ପନ୍ଦନକାରୀ ମେସିନ ପରିଚାଳିତ। ରାଗ ରୁଷା, ମାନ ଅଭିମାନ, ଥକ୍କାପଣ, ଜ୍ବର ଓ ପୀଡା ଏସବୁକୁ ଖାତିରି କରିବନି ଯନ୍ତ୍ର। ସ୍ଥିତପ୍ରଜ୍ଞ ଭଳି କାମ କରିଚାଲିବ ହୃଦୟ ଗୋଟିଏ ତାଳରେ।

ଏସବୁ କେତେ ବୁଝିଲା କେଜାଣି ଅନୁମାଉସୀ, କହିଲା ତାହେଲେ ତ ଅଧିକ ସଜାଗ ହେବାକୁ ପଡିବ ଆଜ୍ଞା। ନହେଲେ ମନେ ମନେ ଖୁସି ହେଉଥିବ, ଜାଣିପାରିବ ନାହିଁ କେଉଁଠି ଅଟକିବା କଥା। ପୁଣି ଆଉ କଣ ଭିନେ ଅସୁବିଧା ବାହାରି ପଡିବ।

କର ସାରଙ୍କ ପେଟ ପୁରିଗଲା କର୍ମଚାରୀମାନଙ୍କ ଶ୍ରଦ୍ଧା ସମ୍ମାନ ଦେଖି। ଆଛା ହେଉ ଜଗିରଖି କାମ କରିବା।

ଦେଖିଲା ବେଳକୁ ଯେଉଁ କଥାକୁ ସେଇ କଥା। ସେମିତି ରୋଗୀ ପୁଳାପୁଳା କାମ ଦିନ ରାତି। କିନ୍ତୁ ସେ ଆଜିକାଲି ବହୁତ ସୁଖରେ କାମ କରୁଛନ୍ତି। ଖୁସି କେବେ ମିଳିବା ଆଶାରେ କାମ କରୁନାହାନ୍ତି ବରଂ ଖୁସିରେ କାମ କରୁଛନ୍ତି। ସେଦିନ ସିଜରିଆନ ପରେ ନବଜାତ ଟିକେ ଡେରିରେ କାନ୍ଦିଲା। ସାର୍ କହୁଥିଲେ, ମାଡୁଆଟା କିରେ, ପିଠିରେ ଥାପଡ ପଡିବାପରେ ଯାଇ କାନ୍ଦୁଛୁ।

କରସାରଙ୍କ ପିଲାଦିନ କଥା ମନେପଡିଲା। କଥାଟି ଅନେକଥର ମନେପଡେ। ଗାଁ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମହାପୁରୁଷମାନଙ୍କ ଫଟୋ ଲାଗିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋତଳେ ଲେଖାଯାଇଥିଲା ତୁମ ଜନ୍ମବେଳେ ତୁମେ କାନ୍ଦୁଥିଲ ସଭିଏଁ ଖୁସିରେ ହସିଉଠୁଥିଲେ, ତୁମେ ଏମିତି କିଛି କାମକରି ହସି ହସି ଚାଲିଯାଅ ଯେମିତି ସାରା ଦୁନିଆ ତୁମପାଇଁ ଆଖିରୁ ଲୁହ ଗଡାଇବେ। ପ୍ରତି ଛୁଆର କାନ୍ଦ ଶୁଣିଲେ ସାରଙ୍କ ମନେପଡେ ଏହି କଥାଟି। ସମସ୍ତଙ୍କୁ ସେ ମନେ ମନେ କଲ୍ୟାଣ କରନ୍ତି, ଯଶସ୍ବୀ ଓ ସଦାଚାରୀ ହୁଅ।

ଆଜି କିନ୍ତୁ କରସାର୍ ଭିନ୍ନକିଛି ଭାବୁଥିଲେ। ନବଜାତର କାନ୍ଦରେ ସେ ଭାବୁକ ହୋଇଯାଇଥିଲେ। ଏ କାନ୍ଦ ତାଙ୍କ ନିଜ ପେଟପାଟଣା। ସେ କାନ୍ଦିଲେ ତୁମେ ଦେବତା, ସେ ନକାନ୍ଦିଲେ କଥା ସରିଲା। କେମିତି କଥା! ମାତୃଗର୍ଭରେ ମାଛ ଭଳି ଖେଳୁଥିଲା, ପବନର ପ୍ରାଚୁର୍ଯ୍ୟ ମଧ୍ୟକୁ ସେ ଚାଲିଆସିଲା ଅନ୍ଧକାର ପ୍ରକୋଷ୍ଠରୁ। ସେ କାହାକୁ ପ୍ରଶ୍ନ କଲାନାହିଁ, ତାର ଜନ୍ମଗତ ଅଧିକାର ମାଗଣା ପବନକୁ ଦୁଷିତ କଲା କିଏ? ପ୍ରକୃତି ପ୍ରଦତ୍ତ ସ୍ବତସ୍ପୁର୍ତ୍ତ ପ୍ରତିକ୍ରିୟାରୁ ସେ କାନ୍ଦିଲା, ଶ୍ବାସକ୍ରୀୟା ଆରମ୍ଭ କଲା। ସଂଗୁପ୍ତ ଜୀବନ ପ୍ରକଟିତ ହେଲା। ପ୍ରଥମେ ମାଆ ଓ ତାପରେ ଦ୍ୱିତୀୟ ଜୀବନ୍ୟାସ ଦେଲା ପବନ। ମାଗଣା ପବନ, ଯାହାକୁ ଯେତେ। ଏ ପବନରେ ସେ ଗୋଟିଏ ବାଜା ବଜାଇଲା ତା କ୍ରନ୍ଦନ। ଚାଣ୍ଟି ଚାବିଲେ ବି କ୍ରନ୍ଦନ, ଟୀକା ନେଲେ ମଧ୍ୟ କ୍ରନ୍ଦନ, ଭୋକ ହେଲେ କ୍ରନ୍ଦନ। ବାଃ, ବାଜା ଗୋଟିଏ ନାଟ ଅନେକ!

ଡା କର ଭାବୁଥିଲେ, ଜଳର ଆବଶ୍ୟକତା ଜଣାଏ ତୃଷ୍ଣା, କ୍ଷୁଧା ଜଣାଏ ଖାଦ୍ୟର ଆବଶ୍ୟକତା। ଏସବୁ ଆବଶ୍ୟକତା ପୁରଣ ପାଇଁ ଯଥେଷ୍ଟ ସମୟ ମିଳେ। ମା ବୁକୁରୁ ଝରିଆସେ। କିନ୍ତୁ ବାୟୁର ଆବଶ୍ୟକତା ବାବଦରେ ସେମିତି କିଛି ତୃଷ୍ଣା ବା କ୍ଷୁଧା ଭଳି ଅନୁଭବ ତ ନଥାଏ। କୌଣସି ଆବଶ୍ୟକତା ମେଣ୍ଟାଇବା ପାଇଁ ଶ୍ବାସକ୍ରୀୟା ହୁଏ କି? କଣ ଅଣନିଶ୍ବାସୀ ଅନୁଭବ କରେ ବୋଲି ଶ୍ବାସ ଗ୍ରହଣ କରେ? କେମିତି? ସଚେତନ ନା ଶୈଶବର ସଜ୍ଞାହୀନ ସଚେତନତା? ଆବଶ୍ୟକତା ଓ ତାହାର ପୁରଣ ପର୍ଯ୍ୟନ୍ତ କଥା ଯାଏ ନାହିଁ। ନଚେତ ନିମିଷେ ପ୍ରାଣ ଚାଲିଯାଏ। ସେ ପାଇଁ ବୋଧହୁଏ ପ୍ରକୃତି ତା ଜନ୍ମ ମାତ୍ରେ ତା ଚତୁର୍ଦ୍ଦିଗରେ ଭରି ରଖିଛି ବାୟୁ, ବାୟୁରେ ରହିଛି ଅମ୍ଳଜାନ। ମା ସହ ନିର୍ଭରଶୀଳତାରୁ ପ୍ରଥମ ମୁକ୍ତି ଘୋଷଣା ତା କ୍ରନ୍ଦନ। ସେଇଟି ପାଇଁ କେହି ଯେମିତି ଆବଶ୍ୟକ ନୁହନ୍ତି। ସେ ସ୍ବୟଂ ସମ୍ପୂର୍ଣ୍ଣ। 

ଡା କର ପ୍ରକୃତିର ଏ ସର୍ବଶ୍ରେଷ୍ଠ ଆବଶ୍ୟକ ବସ୍ତୁ ଵାୟୁକୁ ଦେଉଥିଲେ ଧନ୍ୟବାଦ।

ଡା କର ପୁଣି ଭାବୁଥିଲେ। ଛୁଆଟି କାନ୍ଦିବ। ମାଆ ତାକୁ ଖୋଇବ ଉଭୟ ଖାଦ୍ୟ ଓ ପାନୀୟ। ସେ ବଡ ହେବ। ବୁଝିବ ଭୋକର ନିର୍ଯାତନା। ଶୋଷର ବ୍ୟାକୁଳତା। ଶୋଷ ଲାଗିବ ତ ସେ ପିଇବ। ଶୋଷ ନଲାଗିଲେ ସେ ପିଅନ୍ତା ନାହିଁ। ଜଳର ଆବଶ୍ୟକତା ପ୍ରତି ସଚେତନ ହୋଇ ପିଇବା ଏକ ପରବର୍ତ୍ତୀ ପଦକ୍ଷେପ। ପ୍ରାଣୀ ପିଉଛି ସେ ତୃଷାର୍ତ୍ତ ବୋଲି। କେବଳ ତୃଷାର୍ତ୍ତ ବୋଲି ସେ କଣ ପିଉଛି। ଯଦି ପାଣି ନଥାନ୍ତା। ଯଦି ପିଇବା ଉପଯୋଗୀ ପାଣି ନଥାନ୍ତା? ପାଣି ପାଇଁ ବ୍ୟବସ୍ଥା କଥା କହିଲେ, ଦୟାଳୁ ରାଜାଙ୍କ ପୁଷ୍କରିଣୀ, କୂପ, ନଳକୂପ ଖନନ ଠାରୁ ଆରମ୍ଭକରି ବୋତଲରେ କିଣିବାକୁ ମିଳୁଥିବା ପାଣି ପର୍ଯ୍ୟନ୍ତ ବଡ ବ୍ୟାପକ ଏ ଆଲୋଚନା। ପବନ ଭଳି ଶୋଷ ସହ ଲାଗିକି ନାହିଁ ପାଣି। ଶୋଷର ପାଣି ପାଖକୁ ଯିବାର ଅଛି ବା ଯୋଗାଣକାରୀ ବ୍ୟକ୍ତି ଓ ବ୍ୟବସ୍ଥା ପାଣିକୁ ଶୋଷ ପାଖରେ ପହଞ୍ଚାଇବାର ଅଛି। 

ଡା କରଙ୍କ ମସ୍ତିଷ୍କର ଚିତ୍ରପଟରେ ଆଙ୍କି ହୋଇଗଲା ବିଶାଳ ବ୍ୟବସ୍ଥା ପାଣି ପାଇଁ। ହାଲକୁ ଯାଇଛି ପଣା ସଂକ୍ରାନ୍ତି। ମାସଟି ସାରା ସେ ତାଙ୍କ ପିଲାବେଳେ ଜଳଛତ୍ରରେ କରସେବା କରୁଥିଲେ। କିନ୍ତୁ ପାଣି କେବେ ମାଗଣା ଥିବାର ସେ ଭାବନ୍ତି ନାହିଁ। ଶୋଷ ମେଣ୍ଟାଏ ଗିଲାସେ ଶୀତଳ ଜଳ, କେଡେ ତୃପ୍ତିକର। ସେ ବୁଝିଛନ୍ତି ପାଣି କେବେ ବିଶୁଦ୍ଧ ମଧ୍ୟ ନଥିଲା। ପ୍ରଥମ ପାଣି ତ ମା ଛାତିରୁ ପିଇଛନ୍ତି ଖାଦ୍ୟ ମିଶା। ପୁଣି କେତେ କେତେ ପ୍ରକାର ପାଣି ଓ ଖାଦ୍ୟର ମିଶ୍ର ସମାହାର। ମାମୁଁଘର ଆଖୁବାଡି, ଆମ୍ବ, ପଇଡ, ପଣା ସର୍ବତ ଓ କେତେ କଣ। ଏସବୁ କଣ ଶୋଷ ନା କ୍ଷୁଧା ମେଣ୍ଟେଇବା ପାଇଁ କିମ୍ବା ଉଭୟ। ପୁଣି ସେ ଭାବନ୍ତି, ବୋଧହୁଏ ତୃଷାକୁ ଅବମାନନା କରି ପିଇଚାଲିବାର ଫନ୍ଦିଫିକର ଅନେକ। ଏ ଫନ୍ଦିଫିକର ଶେଷରେ ପହଞ୍ଚି ଯାଇଛି ନିଶାପାଣିରେ।

କର ସାର୍ ଟିକେ ହସିଲେ, ଏବେ ସେ ଭାବୁଥିଲେ କ୍ଷୁଧା ବାବଦରେ। ପବନର ସୁଗନ୍ଧରେ କ୍ଷଣିକ ପାଇଁ ଆନନ୍ଦ ଲାଗିଲେ ମଧ୍ୟ କିଏ ଅବା ଦୀର୍ଘ ସମୟ ଖୋଜିବ ସୁଗନ୍ଧ। ଅନେକ ପ୍ରକାର ପାନୀୟ କି ଦୂର କରିପାରେ ମନ୍ଦେ ଶୀତଳ ଜଳର ଆବଶ୍ୟକତା। କିନ୍ତୁ ଖାଦ୍ୟ? କେତେ ନା କେତେ ଖାଦ୍ୟ ଅଛି ଦୁନିଆରେ। ନିତି ନୂଆ ନୂଆ ଖାଦ୍ୟ ସହ ପରିଚିତି ହେଉଛି। କ୍ଷୁଧା, ଖାଇବାର ପ୍ରେରଣା କିନ୍ତୁ ଏକମାତ୍ର ପ୍ରେରଣା ତ ନୁହେଁ। ଜିହ୍ଵା ଲାଳସା, ସ୍ବାଦ ଏ ଦୁନିଆର ଖାଦ୍ୟ ହାଟକୁ ଯେତେ ଶକ୍ତି ଦେଇଛି ସେ ତୁଳନାରେ କ୍ଷୁଧା କିଛି ନୁହେଁ। ବେଲାଏ ପଖାଳରେ କ୍ଷୁଧା ଦୂର ହୁଏ କିନ୍ତୁ ଷାଠିଏ ପଉଟି ଛପନଭୋଗରେ ଲାଳସା। ଖାଇ ଖାଇଲେ ଯମର ଭେଟ, ଏକଥା ସେ ଜାଣେ। ତଥାପି ସେ ଖାଏ। ଖାଦ୍ୟ ସବୁ ପେଟରେ ପିଠିରେ ଓ ସବୁଆଡେ ଓହଳିପଡେ। ଆଉ ପୁଣି କିଏ ଓପାସରେ ଶୋଇପଡେ ପେଟରେ ଓଦାକନା ପକାଇ। କାହାପାଇଁ ଖାଇବା ଡାକିଆଣେ ମୃତ୍ୟୁ ଆଉ କାହାକୁ ଅନାହାର। କିଏ ଭୋକ ବିକଳରେ ଆପଣାକୁ ପର କରୁଛି, ଦୁନିଆର ସବୁ ଅକାମ କରାଇ ପାରେ କ୍ଷୁଧା। ଆଉ କିଏ ସାରା ଜୀବନ ମଧ୍ୟରେ ଭୋକ କାହାକୁ କହନ୍ତି ଜାଣି ପାରୁନି। ଡା କର ପଚାରିଲେ ଅନୁ ମାଉସୀକୁ, - ଆଜି କଣ ଖାଇଛୁ? 

- ନାଇଁ ଆଜ୍ଞା, ଆଜି ମୋର ଏକାଦଶୀ ବ୍ରତ, ଡିଉଟିରୁ ଫେରିଲେ ରାଧାକୃଷ୍ଣଙ୍କୁ ଖୋଇବି,ତାଙ୍କରି ପ୍ରସାଦ ସେଵନ କରିବି।

- ମୁଁ ଯଦି ତୁମଭଳି ଉପବାସ କରୁଥାନ୍ତି, ଆଜି ଏ ଦଶା ଭୋଗିନଥାନ୍ତି। ସଂକେତ ମିଳିଥିଲା କିନ୍ତୁ ମାନିଲି ନାହିଁ। କେତେ କେତେ ସୁଆଦିଆ ଖାଦ୍ୟ ଖାଇଲି, ଚର୍ବି ଲାଗିଲା। ବେମାରି ଆସିଲା। ରକ୍ତଚାପ ବଢିଲା। 

ଡା କର ବୁଝିଲେ, ମାଉସୀଙ୍କୁ ଆଉ ଅଧିକ କହି ଲାଭ ନାହିଁ। ସେ କେବଳ ଭାବିଲେ। ଯେଉଁଦିନ ପ୍ରଥମ କରି ରକ୍ତଚାପ ବଢିଲା, ସେ ଏହାକୁ ଅଣଦେଖା କଲେ। ଭାବିଲେ ବାହୁରେ ପଙ୍ଖା ଲଗାଇ ଉଡିଲେ, ପରିଶ୍ରମ କଲେ ସବୁକିଛି ଆୟତ୍ତ ହୋଇଯିବ। ହେଲାନି। ମୁଣ୍ଡ ବୁଲେଇଲା, ରାତିରେ ନିଦ ହେଲାନାହିଁ, ସକାଳୁ ମୁଣ୍ଡ ଧାଉଁ ଧାଉଁ ବିନ୍ଧିଲା। ଚଷମା ଅନେକ ଦିନରୁ ଲାଗିସାରିଥିଲା, ମୁଣ୍ଡର ବାଳ ପାଚିଗଲା। ବୟସ ବଦଳିଗଲା। ସେ ମାନିଲେ ସେ ଆଉ ସେ ନୁହନ୍ତି। ବୟସ କେବଳ ଏକ ସଂଖ୍ୟା ବୋଲି ବହପ ଦେଖାଉଥିବା ଡା ଦିବାକର କର ବୁଝିଗଲେ ଏହା କେବଳ ଗାଲୁ ଗପ। କେଡେ ନୀରବରେ ସମୟ ତାଙ୍କ ମାନଙ୍କୁ ଆଉଟି ଚାଲିଥାଏ, ଚୁଲିକୁ ଅନବରତ ଜାଳି। ଆଜି ଏକୋଇଶିଆ କାଲି ଜନ୍ମ ଦିନ, ପହରିଦିନ ରଜପର୍ବ ଆଉ ତା ପରଦିନ ବାହା ବ୍ରତ, ଚୁଲି ଜଳିବ ଲିଭିବାର ନାହିଁ। କେବେ କେବେ ଇଛାକୃତ ଭାବେ ଚୁଲିକୁ ଶୀତଳାଇଲେ ପୁଣି ଥରେ ହୁତୁହୁତୁ ହୋଇ ଜଳିବ, ଖିରିପୁରି, ଥାଇ, ଇଟାଲୀୟ, ଚୀନା ଓ ସାରା ବିଶ୍ବର ସବୁତକ ଜାଳେଣି ପଶିବ ଚୁଲିକୁ। ଜାଳେଣି ସବୁ ଏ ଧରାପୃଷ୍ଠରେ ଉପୁଯାଇଛନ୍ତି ଚାଷୀକୁଳ ଦେହରୁ ଝାଳନାଳ ବୁହାଇ, ଆପଣା ଚୁଲିକୁ କାଣ୍ଟ ଛାଣ୍ଟ କରି। ସେ ଅଭାବ ପୀଡିତ, ଡା କର ଭାବ ପୀଡିତ। ସମୟ ନିରପେକ୍ଷ ଉଭୟଙ୍କ ପାଇଁ ଉଭୟଙ୍କୁ ଏକକାଳୀନ ସେ ଟାଣିଟାଣି ନେଉଛି ବିଚାର ଦିନକୁ। 

ଅନୁ ମାଉସୀକୁ ଡା କର ପଚାରୁଥିଲେ କେତେ କେତେ ବିବିଧ ଘଟଣାରେ ପରିପୂର୍ଣ୍ଣ ଆମ ଜୀବନ। କେଉଁଠି ଘଟୁଛି ଏସବୁ ଘଟଣା? ସେ ମନେ ମନେ ଭାବୁଥିଲେ ତାଙ୍କ ଓ ଅନ୍ୟ ପ୍ରାଣୀଙ୍କ ଜୀବଦ୍ଦଶାରେ ଏସବୁ ଘଟିଯାଉଛି। ସମୟର ଚକ୍ର। ସମୟକୁ ସେ ସୂତ୍ରଧର ବିଚାରିଲା ବେଳେ ଅନୁମାଉସୀ ଉତ୍ତର ଦେଲା।

-ଆଜ୍ଞା ସାରେ, ମହୀରେ ଥିବ ଯେତେଦିନ, ଆନନ୍ଦ କରୁଥିବ ମନ। ଏ ପୃଥିବୀ ସମସ୍ତଙ୍କୁ ଦେଇଛି ଏକ ଆଖଡାଶାଳ। ମାଟି ମାଆ ଆଉ କିଏ?

-ତାହେଲେ ଆମ ଏ ଧରିତ୍ରୀ ମାତାକୁ କିଏ ଯାଗା ଦେଇଛି?

-ଏଗୁଡା ଏତେ କଥା ମୁଁ କହିପାରିବି କି ଆଜ୍ଞା। ପାଲାରେ ପରମାନନ୍ଦ ଶରଣ ଗାହାଣ ଗାଉଥିଲେ, ଯେତେ ଯାହା ଦେଖୁଛ ବଖ ନଦେଖୁଛ, ସୂର୍ଯ୍ୟ ଚାନ୍ଦ, ତାରା, ନବଗ୍ରହ, ଯମଲୋକ, ଦେବଲୋକ, ବୈକୁଣ୍ଠପୁର, ପୃଥିବୀ ଓ ପାତାଳ ତଥା ଆଉ ଯେତେ ଯାହା; ଏସବୁକୁ ସ୍ଥାନ ଦେଇଛି ଯେଉଁ ବମ(ବ୍ୟୋମ) ଆକାଶ ସେ କୁଆଡେ ଯାଗା ଦେଇଛି ସମେତଙ୍କୁ(ସମସ୍ତଙ୍କୁ)। 

ବାୟୁ, ପାଣି, ଅଗ୍ନି ଓ ପୃଥିବୀ ମଧ୍ୟରେ ଏପର୍ଯ୍ୟନ୍ତ ଘାଣ୍ଟି ହେଉଥିବା ଡା କର ଆଜି ପର୍ଯ୍ୟନ୍ତ ଏତିକି କଥା ଭାବି ପାରିନଥିଲେ ତ। - ଆରେ ବାଃ।

ପୁଣି ସମୟକୁ ଫେରିଆସିଲେ କର ସାର୍। ଜୀବନଟା ବେଶି ମାଟି ପାଣି ପବନର ଖେଳ ନା ରାଗ, ରୁଷା, ସ୍ନହ ମମତା, ଈର୍ଷା ଆକାଂକ୍ଷା, ମୋର ତୋର ତଥା ନାନାଦି ଭଲ ଓ ମନ୍ଦ ଆବେଗର ସମାହାର! ତାଙ୍କର ମନେହେଲା, କ୍ଷୁଧା ତୃଷ୍ଣା ଅପେକ୍ଷା ଏ ଆବେଗ ମାନଙ୍କ ନିୟନ୍ତ୍ରଣ ଅଧିକ। ମଣିଷ ତ ମଣିଷ ଗଛଲତା, ଗାଈ ବଳଦ, ବିଲେଇ କୁକୁର ମଧ୍ୟ ଝାଉଁଳି ପଡିଥିଲେ ତାଙ୍କ ଜେଜେ ଚାଲିଗଲେ ଯେବେ।

ଡା କର ହସିଲେ। ସାର୍ ଥିଲା ଭିନ୍ନ ସମୟ। ସେ ଓ ତାଙ୍କ ଜେଜେଙ୍କ ମଧ୍ୟରେ ଫରକ କଣ? ସେ ବି ସମୟର ଖେଳ। ଯେଉଁ ଦିନ ଡା କର ବୁଝି ସାରିଥିଲେ ଏଣିକି ଔଷଧ ତାଙ୍କ ଜୀବନ, ସେ ପ୍ରଥମେ ଆତଙ୍କିତ ହୋଇଥିଲେ। ଭାବିନେଲେ ସେ ଓ ତାଙ୍କ ଜେଜେଙ୍କ ଭିନ୍ନ ସମୟ କଥା। ହୁଏତ ଜେଜେ ଔଷଧ ନଥିବା ବେଳର ଓ ସେ ନିଜେ ହେଉଛନ୍ତି ଔଷଧ ଥିବା ବେଳର। ବିନା ଔଷଧରେ ସେ ଗୁଡାଏ କଷ୍ଟ ପାଇ ପାଇ ଜେଜେଙ୍କ ଭଳି କଳିଷଠା ଚାଲି ଯାଆନ୍ତେ, ହୁଏତ ଆହୁରି ଆଗରୁ। ସେ ବିଷର୍ଣ୍ଣ ହେବେ କାହିଁକି, କେଡେ ଭାଗ୍ୟବାନ ସେ ନିତିଦିନ ଔଷଧଟିଏ ଖାଇଦେଲେ ସେ ତ ବେଶ୍ ଖୁସିରେ ରହୁଛନ୍ତି। ଠିକ୍ ସମୟରେ ତାଙ୍କ ଭୁଲା ମନ ମଧ୍ୟ ମନେ ପକାଇ ଦେଉଛି ଔଷଧର କଥା। ଯେଉଁଆଡେ ଗସ୍ତ କଲେ ମଧ୍ୟ ସେ ଭୁଲୁନାହାନ୍ତି ଔଷଧ ନେବାକୁ। ଭୋକ ଓ ଶୋଷ ଭଳି ସେମିତି କିଛି ସଜ୍ଞାଧିନ ଆବେଗ ତ ନାହିଁ ଔଷଧ ସେବନ ପାଇଁ, ତଥାପି ସେ ଓ ତାଙ୍କ ଭଳି ଅନେକ ମଣିଷ ନିତି ପ୍ରତିଦିନ ବଡ ଆଗଭରେ ଖାଇଚାଲିଛନ୍ତି ଔଷଧ। ମଧୁମେହ ରୋଗୀ ଆପଣା ହାତରେ ଛୁଞ୍ଚି ଫୋଡି ନେଉଛି ଇନସୁଲିନ। ଡା କର ଏପ୍ରକାର କ୍ଷୁଧା ବା ତୃଷ୍ଣାକୁ ଏକ ସଜ୍ଞା ଦେବାକୁ ଚାହିଁଲେ। ମନେହେଲା ଔଷଧ ପ୍ରତି ତାଙ୍କ ପ୍ରାରମ୍ଭିକ ଆତଙ୍କ ରହିଲା କେବଳ ସ୍ବଳ୍ପ ସମୟ। ସେ ଭୟରୁ ବା ଯନ୍ତ୍ରଣା ମୁକ୍ତି ପାଇଁ ସଚେତନ ଔଷଧ ଖାଉନାହାନ୍ତି। ଖାଉଛନ୍ତି ଆନନ୍ଦରେ, ଖାଉଛନ୍ତି ଆଶାରେ, ଖାଉଛନ୍ତି ତାଙ୍କର ଅନ୍ୟ ସମସ୍ତ ମୋହ ଯାହାର ସାରାଂଶ ଦୁଃଖ ଅପେକ୍ଷା ଆନନ୍ଦ ଅଧିକ ସେଇ ଆନନ୍ଦର ପ୍ରାପ୍ତି ପାଇଁ ଆହୁରି ଅନେକ କାଳ। ପ୍ରତିଦିନର ଚଳଚଞ୍ଚଳ ଶ୍ରମକୁ ନେଇ ନାନାଦି ଅଭିଯୋଗ ସତ୍ତ୍ୱେ କର୍ତ୍ତବ୍ୟ ପାଳନରେ ମିଳୁଥିବା ଆନନ୍ଦକୁ ସମୟର ମାନଚିତ୍ରରେ ଆହୁରି ଅନେକ କାଳ ସ୍ଥାନ ଦେବାପାଇଁ ସେ ଅତ୍ୟନ୍ତ ଶ୍ରଦ୍ଧାରେ ଔଷଧ ଖାଉଛନ୍ତି। କୀଟଦଂଷ୍ଟ ଶରୀରରେ ମଧ୍ୟ ଜୀବନଟା କି ସୁନ୍ଦର, ଅମୃତମୟ। କି ନାମ ଦେବେ ଏହାକୁ, କେଉଁ କ୍ଷୁଧା ଅବା ତୃଷାର ବାରଣ ପାଇଁ ସେ ଖାଆନ୍ତି ଔଷଧ? ସେ କିଛି ପାଇଲେ ନାହିଁ ସଜ୍ଞା। ପାଠକଙ୍କ ପାଇଁ ରଖିଦେଲେ ପ୍ରଶ୍ନ। ସେ ସେହି ପୁରୁଣା ପାଣ୍ଡୋରା ବାକ୍ସରୁ ବହାରିଥିବା "ଆଶା"ରେ ସୀମିତ ରଖିଲେ ଏହାକୁ।

କେବେ ଆଉ ସ୍ବାଧୀନ ଥିଲେ ସେ? ସେ ଆଉ ମୃତ୍ୟୁ ମଧ୍ୟରେ ବଡ ବଡ ପ୍ରାଚୀର ଥିଲେ ବାୟୁ, ଜଳ, ଖାଦ୍ୟ, ସ୍ନେହ ମମତା, କର୍ମ, ଲୋଭ ଓ ମୋହ। ସେ ତ ଦୁଃଖ କରୁନଥିଲେ? ଏସବୁର ବ୍ୟବସ୍ଥା ଖାସ୍ ତାଙ୍କ ମାନଙ୍କ ପାଇଁ କିଏ ଗଢି ରଖିଥିଲା। ଆଜି ସେମିତି ଆଉ ଗୋଟିଏ ଜିନିଷ ମିଶିଲା ଔଷଧ। ଖାସ୍ ତାଙ୍କ ମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି। 

ତେବେ, ପୁଣି ଯନ୍ତ୍ର ଗଲା ବିଗିଡି। ସେ କାମ କରୁ କରୁ ଟଳିପଡିଲେ ଅନେକବାର। ପ୍ରତିବେଶୀ ମାନେ ଆହାଃ ବୋଲି କହି ତୋଳିନେଲେ। ଏମିତି ଛକାପଞ୍ଝା ମଧ୍ୟରେ ଜଣାପଡିଲା ତାଙ୍କ ହୃଦୟ ଏବେ ସ୍ପନ୍ଦନ ବିମୁଖ। ସେ ବି ଖୋଜିଲାଣି ସହାୟତା। ସ୍ପନ୍ଦନ ବିମୁଖତା ବାକି ସମସ୍ତ ପ୍ରାଚୀରକୁ ଭାଙ୍ଗି ଦେଇ ଟିଣିନେବ ତାଙ୍କୁ ମୃତ୍ୟୁ ପାଖକୁ। କିନ୍ତୁ ସେ ତ ସେମିତି ଚାହୁଁ ନାହାନ୍ତି। ଜୀବନର ଆବେଗ ଯେତିକ ସମସ୍ତେ ନିଜ ନିଜ ସ୍ଥାନରେ ରହି ତାଙ୍କୁ ସୁଖର ପ୍ରତିଶ୍ରୁତି ଦେଉଛନ୍ତି। ହୃଦ୍ ବିଶାରଦ ମାନେ କହିଲେ ଠିକ୍ ଅଛି, ଯନ୍ତ୍ର ବ୍ୟବସ୍ଥା କରିବା। ମା ପେଟରୁ ଦେଢମାସରୁ ଧପ୍ ଧପ୍ ଏକ ତାଳରେ ଓ ନାନା ସମ୍ବେଦନ ପ୍ରଭାବରେ ତ୍ବରିତ ଓ ମନ୍ଦିତ ନାଚ କରୁଥିବା ହୃଦୟ ଯଦି ଆଉ ମଙ୍ଗୁନାହିଁ ତାହେଲେ ଆମେ ତାକୁ କିଛି ସାହାଯ୍ୟ ଦେବା।

କେଜାଣି କେଉଁ ଅଦୃଶ୍ୟ ନିୟନ୍ତାଙ୍କ ନିର୍ଦ୍ଦେଶରେ ସେମାନଙ୍କ ସକ୍ଷମ ହସ୍ତନିପୁଣତାରେ ଡା କରଙ୍କ ଛାତିରେ ଯନ୍ତ୍ର ଲାଗିଲା। ଯନ୍ତ୍ରର ଏକ ଅବଧି ଯିବାପୂର୍ବରୁ ପୁଣି ଲାଗିବ। ପୁଣି ଲାଗିବ। ହୁଏତ ମଣିଷ ଦିନେ ଅମରତ୍ବର ପାଖାପାଖି ପହଞ୍ଚିଯିବ। ସେ ଯନ୍ତ୍ର ମାନବ ହୋଇଯିବା ସତ୍ତ୍ୱେ ଆଉ କାହିଁକି ଆତଙ୍କ ଛୁଉଁ ନଥିଲା ତାଙ୍କୁ। ତାଙ୍କ କାନରେ ଗୁଣୁଗୁଣୁ ହେଉଥିଲା ବିଶ୍ ଦେଖ ମଧୁମୟ ସେ କହୁଥିଲେ ଅନୁ ମାଉସୀକୁ। ଆରଥର ମୋତେ ଟିକେ ମନେପକାଇ ଦେବୁ ତ ମୁଁ ମଧ୍ୟ ତୋପରି ଏକାଦଶୀ ବ୍ରତ ପାଳନ କରିବି।

-ମଲା ମଲା ଆପଣ ତମେ ଉପାସ କରିବ କାହିଁକି ଆଜ୍ଞା। ମୋ ଓପାସର ଫଳସବୁ ଆଉ କାହାପାଇଁ କି। କିଏ ବା ଅଛି? 

ଏ ଆତ୍ମୀୟତା ପୁଣି ବହେ ସନ୍ତୋଷରେ ଭିଜାଇ ଦେଲା ଡା କରଙ୍କୁ।


Rate this content
Log in

Similar oriya story from Abstract