ଯାତ୍ରା ପଥେ
ଯାତ୍ରା ପଥେ
ମୁଁ ଚାରିପଟକୁ ଚାହିଁଲି ତ ଦେଖେ ଚାରିପଟେ ଅନୁଭୂତିର ଢେଉ ।ଜୀବନର ପ୍ରତିଟି ମୂହୁର୍ତ୍ତ ତ ଗୋଟିଏ ଗୋଟିଏ ଅନୁଭୂତି ହି !ପାଞ୍ଚ ଟି ଇନ୍ଦ୍ରିୟ ସିନା ଖାଲି ବାହ୍ଯ ପାର୍ଥୀବ ଅନୁଭୂତି ଦିଏ। ହେଲେ ଅବଚେତନ, ଆତ୍ମା ତ ଇଡୁଥାଏ ଅହରହ ଅନୁଭୂତି ।ସାଉଁଟି ସଜାଡି ରଖୁଥାଏ କେତେ କେତେ ଜନ୍ମ ରୁ ଅନୁଭୂତି ।ସେଇଥିରୁ ସୃଷ୍ଟି ହେଇ ପୁନଃ ପ୍ରାଣଟେ ଜୀଁ ଯାଏ ଚେତନା ଆଉ ଥରେ ସୃଷ୍ଟି ହେବା ଯାଏ ଭିନ୍ନ ଏକ କଳେବରେ ।ତେବେ ଆଜି କହିବି, ଏବେ ଏବେ ଭୋଗୁଥିବା ବୈରାଗ୍ୟ ଓ ମାୟାର ମିଶାମିଶି ଅନୁଭୂତି କୁ ।ମୁଁ ସଦାକାଳେ ପ୍ରାର୍ଥନା କରିଆସିଛି ମନକୁ କଷ୍ଟ ହେଲା ପରି ଅନୁଭୂତି ଟେ ନ ହେଉ ।ଦେହର କଷ୍ଟ ସହିନେଇପାରେ ମଣିଷ ହେଲେ ମନ ..... ପାରେ ଯେ ହେଲେ ଚୁନା ହେଇ ହେଇ ,ନିଜେ ହଜିଯାଇ ନହେଲେ ନିଜକୁ ନିବୁଜ କରି ।ପାରେ ଯେ ହେଲେ ଲୁହ ଢାଳି ହେଇ ,ଯୋଉ ଲୁହ ଦିଶେନି ସିନା ଖାଲି ଆଖି କୁ ଚିହ୍ନ ଗାରେଇ ଚାଲୁଥାଏ ହୃଦୟ ସାରା ।ଛାଡ ।ଏ ଅନୁଭୂତି ତ ଅଳ୍ପ ବହୁତେ ସବୁ ଏକା ପରି ହୃଦୟ ର ଥିବ ହି ।ତେବେ ଜୀବନ ହାତ ଧରେଇ ନେଉଥାଏ ।ହସଉଥାଏ, ଝୁଣ୍ଟଉଥାଏ ।ଏଇ ତ ହୃଦୟ ର ହାଲୁକାପଣ ଅବା କୋହରେ କୁହୁଳା ମନ ଟା ତ ଅନୁଭୂତି ଫୁଲ ଆଉ କଣ !
ଫେରୁଛି ବାଙ୍ଗାଲୋର ।ଏୟାରପୋର୍ଟ ରେ ବସିଛି ।ଫ୍ଲାଇଟ ଦି ଘଣ୍ଟା ବିଳମ୍ବିତ ଅଛି । ସେଦିନ ଭିଡିଓ କଲ୍ ରେ ବାପା ଙ୍କ ମୁହଁ ଦେଖି ବୁଝିଗଲି ଖୋଜୁଛନ୍ତି ବୋଲି ।ଆସିଥିଲି ତୁରନ୍ତ ।ଆଜି ଯେତେବେଳେ ଫେରି ଯାଉଛି ଲାଖୁଛି ଖାଲି ଦେହଟା ଫେରୁଛି ।ଅଣନିଶ୍ବାସୀ ଲାଗୁଛି ।କିଏ ସବୁ ମତେ ଚାହୁଁଛନ୍ତି ଚାରିପଟୁ ।ମୁଁ ବୁଝୁଛି ଯେ ମୋ ଆଖି ର ଲୁହ ବନ୍ଦ ହେଉନି ।ଆପେ ବୋହୁଛି ।ମୁଁ ରୋକି ହି ପାରୁନି।ମାସ୍କ ଟି ଅଛି ଲୁଚେଇଦବାକୁ ସିନା ବାହ୍ଯ ଲୁହ ଧାର ,ଭିତର ଅବସ୍ଥା କଥା ନ କହିଲେ ଭଲ ।ତେବେ ବି ଆଖି ତ ଆଉ ମିଛ କହି ପାରେନା ।
ବ୍ଯସ୍ତତା, ଅସୁସ୍ଥତା, ଏକୁଟିଆପଣ, ସବୁ ଆଖି ଦେଇ ବହିଯାଉଥିଲେ ମାଛମଞି ପରି ତାଙ୍କ ଛୋଟ ଆଖି ଦିଟିରୁ ଫେରିବା ବେଳେ ।ହାତକୁ ଜାବୁଡି ଧରିଥିଲେ ।ମୁଁ କେମିତି ଛଡେଇ ଆସିପାରିଲି ମୁଁ ଜାଣିନି ।କାଳେ ମୁଁ ଏଠି ମୋର ସଂସାର ଛାଡି ତାଙ୍କୁ ନେଇ ହଇରାଣ ହେବି ।ସେଥିପାଇଁ ସିଏ ନୀଳକଣ୍ଠ ସାଜିବେ ଆଉ ସବୁ ତାଙ୍କ ଭାଗର କଷ୍ଟ ତକ ପିଇ ଦେଇ ପାରିବେ ।କିନ୍ତୁ ତମେ ଝୁଣ୍ଟି ପଡିବା ଆଗରୁ ହାତ ଧରିସାରିଥିବେ ।ପାଦେ ପାଦେ ଜଗିଥିବେ ।ବୟସ ଆମର ଯେତେ ବଢୁ ଆମେ ଏବେ ବି ତାଙ୍କର ଅଲିଅଳ ସେଇ ସାନ ସାନ ରାଜକୁମାର, ଆଉ ରାଜକୁମାରୀ ।ଆମ ପାଇଁ ତାଙ୍କର ଦାୟିତ୍ୱ ର ଅନ୍ତ ନାହିଁ ହେଲେ ଆମର ଦାୟିତ୍ବ ତାଙ୍କ ପ୍ରତି ଆମେ ସତରେ କରିପାରୁଛେ କଣ ? ଯୋଉ ଓଠର ନାନାବାୟା ଗୀତ ଆମକୁ ଜହ୍ନ ରାଇଜ ବୁଲେଇଆଣୁଥିଲା, ସ୍ବପ୍ନ ଦେଉଥିଲା ସେଇ ଓଠ ଆଉ ଆମ ପାଇଁ ସ୍ବପ୍ନ ଗଢା ଆଖି ସବୁ ଏବେ ଭୋଗୁଛନ୍ତି ଅନିଦ୍ରା ନୀରବରେ । ଯୋଉ ହାତ ଆମ କୋମଳତାକୁ ଆଦରି ଚାଲିବା ଶିଖଉଥିଲା ସେଇ ହାତ ଆଜି ଥରୁଥିବାର ଦେଖିଲେ କାହାର ବା ଦମ୍ଭ ରହେ ! କେତେ ହଜାର ଥର ଯୋଉ କାନ୍ଧ ଉପରେ ବସି ବଡଦେଉଳେ ଜଗନ୍ନାଥ ଦର୍ଶନ କରିଥିବି ସେଇ କାନ୍ଧ ନଇଁ ପଡିଥିବା ଦେଖି ସହିବା ହୁଏ କଣ !
ମୁଁ ବୁଝିବାକୁ ଚାହେଁନି ଯେତେ ସବୁ ଗୁଢତତ୍ବ, ଗୀତାସାର, ଜୀବନ ଚକ୍ର ।ମୁଁ ମାନିବାକୁ ବିଲକୁଲ ଚାହେଁନି ଯେ ମୋ ବାପା ବୟସର ସଂଧ୍ୟାରେ ।
ଏଇ ଥର ଥର ସ୍ବର କଥା କହି ନ ପାରୁଥିବା ବାପା ମୋର କେତେ କଥା କହୁଥିଲେ ପ୍ରତିଦିନ ।ସକାଳେ ମତେ ଉଠେଇବା ଠୁ ରାତିରେ ଶୋଇବା ଯାଏ ।ମୁଁ ନ କହିଲେ ବି ମୋ ମନର ଅବସ୍ଥା, ମୋ ଅସୁସ୍ଥତା ,ଅଭିମାନ, ଜଞାଳ ବୁଝିପାରୁଥିବା ବାପା ମୋର ଏବେ ନିଜେ କେମିତି ସାନ ପିଲାଟି ପରି ଅଳି କରୁଛନ୍ତି ।କହୁଛନ୍ତି, " ନା ନା ଆଉ ଖାଇବିନି ।ମତେ କଷ୍ଟ ହେଉଛି ।" ଚଉଠେ ରୁଟି ନ ସରୁଣୁ ।ପୁରା ବାଳୁତ ଶିଶୁ ପରି ଡାକୁଛନ୍ତି "ମାଆ, ମାଆ ମୋ ପାଖରେ ବସ ।ମତେ ଏକା ଛାଡି ଯାନା ।ମତେ ଡର ଲାଗୁଛି ।" ପୁଣି ନିଜେ ହି ମତେ ବୁଝଉଛନ୍ତି, " ତୁ ଡରୁଛୁ କି ।ମୋର କିଛି ହବନି ରେ ।ମୋ ମାଆ ପରା ।ଜଗନ୍ନାଥେ ଅଛନ୍ତି ।ସବୁ ଠିକ୍ ହବ ।" କିଏ ସହିପାରେ ଏ ସବୁ ।ମୁହଁ ଖୋଲି କେବେ କହିବେନି ମୋର ଏଇଟା ଦରକାର କରିଦିଅ ବୋଲି ।ସେଥିପାଇଁ କମ ବିରକ୍ତ ହୁଏନି ମୁଁ ।ଅନୁରୋଧ କରେ ,ବୁଝାଏ ।" ଦେଖ ବାପା ଆମର କଣ ଏତେ ବୁଦ୍ଧି ହେଲାଣି ଯେ ଆମେ ନ କହିବା କଥା ବୁଝିପାରିବୁ ।ଟିକେ କହିଦେଲେ କରିଦିଅନ୍ତୁନି ।" ହସିଦିଅନ୍ତି ।କୁହନ୍ତି ," ଆରେ ତମେ ମାନେ ଖୁବ୍ ଖୁସି ରେ ରହିବା ହି ମୋର ଇଛ୍ଛା ।ଆଉ ମୋର କଣ ଦରକାର ।ମୋ ପାଇଁ ଜଗନ୍ନାଥେ ଅଛନ୍ତି ।"
ଲେଖୁ ଲେଖୁ ଲୁହ ସବୁ ଅମାନିଆ ହେଇ ପଡୁଛନ୍ତି ।ମୋର ବୋଉ ନ ଥିଲା ।ବାପା ହି ମୋର ବାପା ବୋଉ ଉଭୟ ହେଇଥିଲେ ସେବେଠୁ ।ଏବେ ମତେ ଖୁବ୍ ଡର ଲାଗୁଛି ।ମୁଁ କଣ ଏତେ ବଡ ହେଇ ସାରିଛି ଯେ ଏତେ ବଡ ପୃଥିବୀ ରେ ଏକା ରହିଯାଇପାରିବି ? ଏତିକି କଣ ବୁଝିପାରନ୍ତିନି ଈଶ୍ବର ତେବେ ସିଏ କେମିତିକା ଈଶ୍ବର ।ମୋର ଶକ୍ତି ସରିଯାଉଛି ବାପାଙ୍କୁ ଏମିତି ଅବସ୍ଥା ରେ ଦେଖିଲେ ।ଏତେ ମନୋବଳ, ଦମ୍ଭ, ବିଶ୍ବାସ ର ମାଇଲଖୁଣ୍ଟ ପରି ମଣିଷ ଏମିତି କେମିତି ହୋଇପାରିବେ ।ମୁଁ ଭାଙ୍ଗିପଡୁଛି ଭିତରୁ ।ପାରୁନି ।ଭୁଷୁଡିପଡୁଛି ମୋର ଚେତନା ।ଲାଗୁଛି ଯେମିତି ମିଳେଇଯିବି ।ଅସ୍ତିତ୍ଵ ବୋଲି ମୋର ଆଉ କିଛି ରହିବନି ।
ପ୍ରାର୍ଥନା କରିପାରିବି ଖାଲି, ବାପା ମୋର ଭଲ ହେଇଯାନ୍ତୁ ।ମୋର ପାଦ ତଳୁ ମାଟି ଅତଡା ଖସି ନ ଯାଉ । ମଥା ଉପରୁ ଆକାଶ ଟି ନ ଛିଣ୍ଡିଯାଉ ।
ଆଉ ଲେଖି ପାରୁନି ।ପରେ କେବେ
