STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ଉତ୍ତରଣ

ଉତ୍ତରଣ

3 mins
198

ମୁଁ ଶ୍ବେତା । ଶ୍ବେତା ହି ।ଚାଲୁଥିଲି ଯେ ଚାଲୁଥିଲି ।ଅସରା ବାଟ । ଦିନ କି ରାତି ଜାଣୁନଥିଲି ।ସାରା ଆକାଶର ତାରାଙ୍କ ସହ ଗପୁଥିଲି ଗୋଟି ଗୋଟିକି ।ସମସ୍ତେ ମତେ ତାଙ୍କ ଗପ କହୁଥିଲେ ।ଶୁଣୁଥିଲି ମନ ଦେଇ ।ଆଖି ମିଟ୍ ମିଟ୍ ଧିରେ ଧିରେ ଚିକ୍ ଚିକ୍ ରେ ରୂପାନ୍ତରିତ ହେଉଥିଲା ।ଯେତେ ଘାସଫୁଲ ଭେଟୁଥିଲେ କହୁଥିଲେ କେତେ ପାଦ ତାଙ୍କୁ ଅଣଦେଖା କରିଛି ।ମୁଁ କହୁଥିଲି, ହଁ ମ ।ଅଣଦେଖା କଣ ଯେ ? ତୁମେ ସବୁ ତ ସୁନ୍ଦରୀ ।ସେମାନେ ଏକାସାଙ୍ଗେ ଖିଲ ଖିଲ ହସୁଥିଲେ ।କହୁଥିଲେ, କାଇଁ ମ ଥରେ ତ କେହି ନେଇନି ଆମକୁ ଗଭାରେ ଖୋସିବାକୁ ? ମୁଁ ଆଞୁଳାଏ ତୋଳି ଆଣି କବରୀ ସଜେଇ ନେଲି, ଆଉ କହିଲି କାଇଁ ଦେଖିନକି କେବେ ତାର ବନମାଳୀ ବେଶ ? ଖଞ୍ଜା ଖଞ୍ଜି କରି ତ ଖୋସିଥାଏ ସାରା ବଣୁଆ ଫୁଲ ସବୁକୁ ।ତୁମେମାନେ ବି ତ ଥାଅ ସେଥିରେ ।ମୁଁ ଇର୍ଷା କରେ, ମୁଁ କାହିଁକି ଘାସଫୁଲ ନୁହେଁ ବୋଲି ।ଇସ୍.... ଇର୍ଷା କଣ ପ୍ରେମର ଏକ ରଙ୍ଗ ନୁହେଁ କି ! ସେମାନେ ପୁଣି ହସନ୍ତି ଏକାଠି ଚୁହାଁ ଚୁହିଁ ହେଇ ଖିଲ ଖିଲ ।

ଆଉ ଟିକେ ଆଗକୁ ଯାଉ ଯାଉ ଭେଟେ ସୁନାଚଢେଇକି ।ସେ କହେ, ଶ୍ବେତା ଲୋ ଆ' ଜଡେଇ ଦେବି କି ଡେଣା ହଳେ ତୋ କାନ୍ଧରେ ମୋ ପରରୁ ହଳେ ଦେଇ ? ମୁଁ କହେ ନା ନା ,ଥାଉ ।ଦବିଯିବି ଯେ ତୋ ଉପକାର ତଳେ ।ମୋର ଉଡିବାକୁ ଇଛ୍ଛା ନାହିଁ ।ମୁଁ ଏଇଠୁ ଦେଖିବି ଆକାଶ ର ଯେତେ ରଙ୍ଗ ।ଆକାଶରୁ ଥରେ ଦେଖିଥିଲି ଯେ ସମୁଦ୍ରଟା ନେଳୀ କାଗଜ ଆଉ ପୃଥିବୀଟା ମାଟିଆ ସବୁଜ ଛାପଛାପିଆ କାଗଜ ପରି ଦିଶୁଥିଲା ।

ମୋ କଥା ଶୁଣି ଉର୍ମିମାଳା ମାନେ ଗୁନ୍ଥି ହେଇ ପଛକୁ ପଛ ଛୁଇଁ ଗଲେ ମତେ ।କହିଲେ, ଏଇ ଆସୁନୁ ଆମ ସାଙ୍ଗେ ଖେଳିବୁ ଲହରୀ ହେଇ ।ଆ ।ମତେ ତାଙ୍କ କଥା ସବୁ ଭାରି ଭଲ ଲାଗିଲା ।ହେଲେ ...... ନଦୀଟେ କେମିତି ଲୁଣି ହବ ଯେ ।ସେଥିପାଇଁ ମୁଁ କହିଲି ମୋ ସ୍ଥିର ପାଣିରେ ଜହ୍ନ ତା ' ମୁହଁ ଦେଖେ ତ ।ଆଜି ପୁନେଇଁ ।ସେ ଆସିବ ।ମୁଁ ତା ' ବାଟ ଚାହିଁଛି ପରା ।ଆଉ ଦିନେ ଖେଳିବି ।ମନଉଣା କରୁ କରୁ ସେମାନେ ଆହୁରି ଫୁଲିଲେ ଆଉ ମତେ ଫୁଲେଇ ବୋଲି କହି ଫେରିଗଲେ ଆଉ ଥରେ କୁଳ ସହ ବିଷ ଅମୃତ ଖେଳିବାକୁ ।

ସେଇଠୁ ମୁଁ ପୁଣି ଆଗକୁ, ଆହୁରି ଆଗକୁ ପାଦ ବଢେଇଲି ।ମତେ ଏମିତି ଚାଲିବାକୁ ଭଲ ଲାଗେ କହୁଥିଲି ନା ।ନିସର୍ତ୍ତ ଭାବେ ।ଏ ଭିତରେ ମୁଁ ଯାହାକୁ ଯାହାକୁ ଭେଟୁଥିଲି ସମସ୍ତେ ମୋ ଛାତିରେ ଘର କରିସାରିଥିଲେ ।ତାଙ୍କ ସ୍ମୃତି ସବୁ ମୋ ପାଦକୁ ଭାରି କରୁ କରୁ ମନକୁ ବି ଭାରି କରୁଥିଲେ ।କିନ୍ତୁ ମୁଁ ଯେ ମୁକ୍ତ ଥିଲି, କୋହଳ ଥିଲି ।ଏତେ ଦ୍ବନ୍ଦ କୋଉଠୁ ଆଣିଲି? ମୁଁ ନିଜକୁ ଚାହିଁଲି ।ମୋ ଦେହ ସାରା ସବୁର ଛିଟା ଠୋପେ ଠୋପେ ଦିଶୁଥିଲା ।ଏବେ ମୁଁ ଖାଲି ଶ୍ବେତା ପରି ଅବିକଳ ଦିଶୁନଥିଲି ।ମୋର ଗୁଡେ ଛାଇ ଛଟପଟ ହେଉଥିବା ମୁଁ ଲକ୍ଷ୍ୟ କଲି ।

ମତେ ଛଟପଟ ଲାଗିଲା ।ମୁଁ ମୁକୁଳିବାକୁ ହାତ ପାଦ ଛାଟିଲି, ଯେମିତି ମୋ ଛାଇ ସବୁ ଛିଟକି ଯାଇ ଲୁଚିଯିବେ କୁଆଡେ ମନ କୁଆଡେ ।ଆଉ ପୁଣି ଶ୍ବେତା ହେଇଯିବି ।ଖାଲି ଶ୍ବେତା ।

ଏମିତି ସନ୍ଧି ବେଳାଟାରେ କିଏ ମତେ ଗୋଟେ ଡାକିଲା ।ହାତ ଠାରିଲା ।ତା ' ସ୍ବରର କୋମଳତା ବିଭୋର କଲା ପରି ଥିଲା ।ସେ ଛନ୍ଦମୟତାରେ ମୁଁ ଉବୁଟୁବୁ ହେଇ ସେଇ ସ୍ନିଗ୍ଧତାକୁ ଖୋଜିହେଲି ।ଭୁଲିଗଲି ମୋ ପାଦର ବେଢୀ ସବୁକୁ ।

ସେ ହାତ ପ୍ରସାରି ମେଲି ଯାଉଥିଲା ସବୁଜିମାରୁ ନୀଳିମା ଦିଗକୁ ।ମୁଁ ପଚାରିବସିବି ଭାବୁଥିଲି ତାକୁ ଅଜସ୍ର ପ୍ରଶ୍ନ ଭଉଁରୀ ।ସେ ମତେ ଓଲଟା ଚାହିଁ ହସିଦେଲା ଆଉ ପଚାରିଲା " ସେ ନୂଆ ଚାରା ଗଛଟି ତୁମକୁ କଣ କହିଲା ? "

ମୁଁ ଫେରିଗଲି ଆରମ୍ଭକୁ ।ଯୋଉଠି ମୁଁ ଖାଲି ଶ୍ବେତା ଥିଲି ।ସେ ମୋ ଦେହରେ ଆଙ୍କି ହେଉଥିଲା ।ସ୍ପର୍ଶରେ ଦିଶୁଥିଲା ତାର ପାଦଚିହ୍ନ ।

ମୁଁ କିଛି କହିପାରିଲିନି ।ମୋ ଅନ୍ତର ତଳୁ କିଏ ଗୋଟେ କହିଲା, " ସେ ବଞ୍ଚିବାକୁ ଚାହେଁ, ବାସ୍ " ।



Rate this content
Log in

Similar oriya story from Action