ଉପହାର ( ବିକ୍ରମ ବେତାଳ)
ଉପହାର ( ବିକ୍ରମ ବେତାଳ)
ନିଶା ଗରଜୁ ଥାଏ । ତୁହାକୁ ତୁହା ପବନ ସାଙ୍ଗକୁ ବିଜୁଳିର ଚମକ ମନରେ ଶିହରଣ ଆଣୁଥାଏ । ତଥାପି ମୌନ ହୋଇ ବିକ୍ରମାଦିତ୍ୟ ଆଗେଇ ଚାଲୁଥାନ୍ତି । କାନ୍ଧରେ ଥାଇ ବେତାଳ କହି ଚାଲିଲା-
" ରାଜନ, ବହୁତ ବର୍ଷ ପୂର୍ବେ ଜମ୍ବୁଦ୍ୱୀପର ପୁଷ୍ପନଗର ନାମକ ରାଜ୍ୟରେ ପ୍ରମୋଦ ଚନ୍ଦ୍ର ନାମରେ ଜଣେ ରାଜା ଥିଲେ । ତାଙ୍କର ବିଶ୍ଵନାଥ ଏବଂ ବିଜ୍ଞନାଥ ନାମରେ ଦୁଇ ରାଜକୁମାର ଥିଲେ ।
ରାଜାଙ୍କ ଅନ୍ତିମ ସମୟ ଆଗତ ହେବାରୁ ଦୁଇ ରାଜକୁମାରଙ୍କୁ ପାଖକୁ ଡାକି ମୋ ମୃତ୍ୟୁ ଉତ୍ତାରେ ତୁମେ ଦୁଇ ଭାଇ ପୃଥକ ପୃଥକ ନିଜର ଉପହାର ମନ୍ତ୍ରୀଙ୍କ ଠାରୁ ନେବ ବୋଲି କହି ଆଖି ବୁଜିଲେ ।
ରାଜାଙ୍କ ମୃତ୍ୟୁ ପରେ ଉଭୟ ଭାଇ ମନ୍ତ୍ରୀଙ୍କ ଠାରୁ ରାଜା ଛାଡ଼ି ଯାଇଥିବା ଉପହାର ଖୋଲି ଦେଖିଲେ ।
ଏ କଣ! ଗୋଟିଏ ଗୋଟିଏ ନକ୍ସା ।
ବିଶ୍ଵନାଥ ନକ୍ସାକୁ ଦେଖି ଗୁପ୍ତ ଧନ ଆଶାରେ ନିର୍ଦ୍ଧାରିତ କିଛି ସ୍ଥାନରୁ ମାଟି ଖୋଳି ପକେଇଲା । ଗୁପ୍ତଧନ ତ ଦୂରର କଥା ଗୋଟେ ଜିଆ ବି ମିଳିଲେନି ।
ବିଜ୍ଞନାଥ ନକ୍ସା ଅନୁଯାୟୀ ରାଜ୍ୟର ଉତ୍ତର ଦିଗରେ ଥିବା ନଦୀ ପାଖରୁ କେନାଲ ଖୋଳି ଆଣିଲା । ଫଳ ସ୍ୱରୂପ ରାଜ୍ୟ ଶସ୍ୟଶ୍ୟାମଳା ହୋଇ ଉଠିଲା ।
କହ.. ରାଜନ ମହାରାଜା କାହିଁକି ଉପହାର ନାଁରେ ଠକି ଦେଲେ ଦୁଇ ରାଜକୁମାରଙ୍କୁ ?"
ମୌନ ଭାଙ୍ଗି ବିକ୍ରମ ଉତ୍ତର ଦେଲେ - " ମହାରାଜା କେବେ ବି ଠକି ନାହାନ୍ତି । ଉପହାର ମାଧ୍ୟମରେ ସେ ରାଜ୍ୟକୁ ଜଳସେଚନର ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ସନ୍ଦେଶ ଦେଇଥିଲେ । ଯେଉଁଥିରେ ତାଙ୍କ କନିଷ୍ଠ ପୁତ୍ର ବିଜ୍ଞନାଥ ସଫଳ ହୋଇଥିଲା । ତେଣୁ ପ୍ରଜାଙ୍କ ମଙ୍ଗଳ କାମନା କରୁଥିବା ବିଜ୍ଞାନଥକୁ ନୂତନ ରାଜା ଘୋଷଣା କରି ଉପଯୁକ୍ତ ଉପହାର ପ୍ରଦାନ କରାଯିବା ଉଚିତ ।"
- " ବାଃ ବିକ୍ରମ ମୋ ହୃଦୟକୁ ଛୁଇଁଗଲା ତୁମ ନ୍ୟାୟ ସମାଧାନ । ତେଣୁ ମାନବ ଜୀବନ କ୍ଷଣସ୍ଥାୟୀ ଜାଣି ଉତ୍ତମ କାର୍ଯ୍ୟ ମାଧ୍ୟମରେ ଜୀବନକୁ ସାର୍ଥକ କରିବା ଉଚିତ ।" ଏତିକି କହି ବେତାଳ ପୁଣି ଗଛ ଡାଳରେ ଝୁଲି ପଡ଼ିଲା ।
