ଏ ଯୁଗର ହରି ସିଂ
ଏ ଯୁଗର ହରି ସିଂ
କଥା ପଦକ ନ ଶୁଣୁନୁ ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ ଶାନ୍ତି ମାଉସୀ । ମାଆ ମନ କେମିତି ବିଶ୍ୱାସ କରିବ । facebookରେ ଚିତ୍ର ଦେଖେଇଲା ପରେ ନିଜ ଆଖିକୁ ଆଉ ବିଶ୍ୱାସ କରି ପାରୁ ନ ଥିଲେ । କାଳେ ପୁଅର ଅମଙ୍ଗଳ ହେବ ଚିନ୍ତା କରି ନ କାନ୍ଦି ଘରକୁ ପଳେଇଲେ ଗୋଟେ ନିଃଶ୍ଵାସରେ ।
ତିନି ଦିନ ହେଲା ଚୁଲି ଜଳିନି ଘରେ । ସନ୍ଧ୍ୟା ବେଳେ ଶାନ୍ତି ମାଉସୀଙ୍କ ଧରମ ଭାଇ ମାନେ ରାମ କକା ବୁଲି ଆସିଥିଲେ ତାଙ୍କ ଘର ଆଡ଼େ । ସବୁ କଥା ଶୁଣି ବୁଝେଇ ସୁଝେଇ ଖୋଇବା କଣ୍ଟ କଲେ । ତା'ପରେ ନିଜ ଘର ଆଡ଼କୁ ପାଦେ ପାଦେ ପକେଇ ଆସୁ ଥାଆନ୍ତି ଏବଂ ମନେ ମନେ ଭାବୁ ଥାଆନ୍ତି-
"ଶାନ୍ତି
ମାଉସୀଙ୍କ ସ୍ୱାମୀ ରଘୁ ମଉସା ଜଣେ ବେସରକାରୀ କର୍ମଚାରୀ ଥିଲେ । ଦରମା କହିଲେ ପାଞ୍ଚ ଛଅ ହଜାର । ସେଇଥିରେ ଘର ଚଳଣୀ, ଭେଟି ଭାର, ପିଲାଙ୍କ ପାଠ ପଢା ସବୁ କିଛି । କଷ୍ଟେ ମଷ୍ଟେ ଗୋଟିଏ ବୋଲି ପୁଅକୁ +୨ ବିଜ୍ଞାନ ଯାଏଁ ପଢ଼େଇଲେ । ପୁଅ medical seat ପାଇବା ପରେ ଅର୍ଥାଭାବରୁ ପାଠରେ ଡୋରୀ ଲାଗିବ ଭାବି ଜୀବନ ବୀମାକୁ ଆଖିରେ ରଖି ସ୍ୱରଚିତ ଏକ ଦୁର୍ଘଟଣା ଭିଆଇ ନିଜ ଜୀବନ ଦେଇ ଦେଇଥିଲେ ।
ଅଥଚ ଯୋଉ ମାଆ ପୁଅର ଭବିଷ୍ୟତ ପାଇଁ ନିଜ ସିନ୍ଦୂରକୁ କେଇଟା ଟଙ୍କାରେ ବିକି ଦେଇଥିଲା, ସେଇ ପୁଅ ନିଜ ମାଆକୁ ନ ଜଣାଇ ବିବାହ କରିଛି । ନିଜର ସମ୍ଭ୍ରାନ୍ତପଣିଆକୁ ଜାବୁଡ଼ି ଧରି ବିଧବା ବୃଦ୍ଧ ମାଆକୁ ଗାଁରେ ଛାଡ଼ି ଆସିଥିଲା ।"