ଛେପ ( ଏକ ଛାପ )
ଛେପ ( ଏକ ଛାପ )
ଯଦି ଓ କିଏ କହିଥିଲେ ମୋର ମନେ ନାହିଁ, କିନ୍ତୁ କଥାଟା ମନେ ଅଛି ଯେ ମଣିଷ ଛେପ ପକାଇଲା ଭଳିଆ କାମ କରିବୁ ନାହିଁ । ହଉ ଯାହା ବି ହେଉ ଗଳ୍ପ ଆଡ଼କୁ ଯିବା ।
ଆମ ଗାଆଁ ଯଦି ଓ ସହରଠୁ କମ୍ ନୁହେଁ ମାତ୍ର କେଇ ବର୍ଷ ମାନେ ମୋ ଶୈଶବ ସମୟରେ ସବୁ ଗାଁ ଭଳି ଗାଆଁଟିଏ
ଯେଉଁଠି ସମସ୍ତ ବର୍ଗର ଲୋକ ରହନ୍ତି ।
- "ତୋ ମୁହଁରେ ଛେପ ପକେଇବାକୁ ମୋର ମନ ହେଉନି, କେଉଁ ସାହସରେ କହିଲୁ ମୋତେ ଭଲ ପାଉଛୁ..??"
-"ହଁ.. ହଁ.. ଏଇ ସୌନ୍ଦର୍ଯ୍ୟ କ୍ଷଣସ୍ଥାୟୀ.. ଦିନ ଆସିବ ନିଜର ଭୁଲ ବୁଝି ପାରିବୁ..." ଏତିକି କହି ଗଳ୍ପର ନାୟକ ପ୍ରସ୍ଥାନ କଲେ ।
ସମୟ କାହାକୁ ବା ଅପେକ୍ଷା କରେ । ଚାହୁଁ ଚାହୁଁ କେତେଟା ବର୍ଷ ଆଖି ପିଛୁଳାକେ କଟିଗଲା । ନାୟକ ଆମର "ସୂର୍ଯ୍ୟବଂଶମ" ସିନେମାର ନାୟକ ଅମିତାଭ ବଚ୍ଚନଙ୍କ ଭଳି ବହୁ କଷ୍ଟରେ ଧନୀ ହୋଇ ସହରରୁ ଫେରି ଥାଆନ୍ତି । ସମସ୍ତ ଦୂରଦର୍ଶନ ପ୍ରତିନିଧିମାନେ ବାରମ୍ବାର ଫୋନ କଲି ସାକ୍ଷାତକାର ପାଇଁ ଅନୁମତି ମାଗୁ ଥାଆନ୍ତି । ବହୁ କଷ୍ଟରେ ନାୟକ ସାକ୍ଷାତକାର ପାଇଁ ରାଜି ହୋଇ ଗଲେ ।
- "ଆପଣଙ୍କ ସଫଳତା ପଛରେ କାହାର ହାତ ?
- " ଛେପ.. ଜଣଙ୍କର ଛେପ...।"
ହଠାତ ଷ୍ଟୁଡ଼ିଓ ସାରା ଚାପା ହସର ମାହୋଲ..
ବୋଧ ହୁଏ ଗଳ୍ପଟି ଆପଣମାନଙ୍କୁ ସେତେ ପରିମାଣର ତୃପ୍ତି ଦେଇ ପାରି ନାହିଁ । ତା ହେଲେ ଅସଲ ଗଳ୍ପ ଆଡ଼କୁ ଯିବା ।
ନବେ ଦଶକରେ ଅଠା କହିଲେ ପାଟିର ଛେପ । କାଗଜର ଗୁଡ଼ି ପାଇଁ ଅଠା ଆସିବ କେଉଁଠୁ । ଯେତେ ଛେପ ଦେଲେ ବି କାଗଜରେ ଲାଗୁ ନାହିଁ । ଶେଷରେ ସଜନା ଗଛରୁ ନିର୍ଗତ ଅଠା ହିଁ କାମରେ ଆସୁଥିଲା ।
- "ହଇଓ ସାହୁ ବାବୁ ଆପଣଙ୍କର ଗୋଟିଏ ବୋଲି ପିଲା ଆପଣ ତାକୁ କାଗଜ ଦିସ୍ତେ ଦେଇ ପାରୁନ..??"
- "ଗତ ହାଟରୁ ପାଞ୍ଚ ଦିସ୍ତା କାଗଜ ଆଣିଦେଇଥିଲି । ଆପଣ କହୁଛନ୍ତି କାଗଜ ଦେଇ ପାରୁ ନାହିଁ ।"
- "ହଇରେ ବାଳୁଙ୍ଗା କାଗଜ ସବୁ କୁଆଡ଼େ ଦେଲୁ ? ମୋ ମାନ ମହତ ପକେଇଲୁ..?"
- "ମଉସା ସେ ଗୁଡ଼ି ତିଆରି କରି ନଷ୍ଟ କରି ଦେଇଛି ।"
ମୋ କାନ ଟାଣି ଟାଣି ନେଇ ବାପା କହିଲେ - " ଛେପ ପକାଇ ଚାଟ... କହ ଏହି ଭଳି କାମ ଆଉ କରିବୁ ନାହିଁ।"
ଆଜି ଛେପ ଅଛି ବାକି ଛେପ ପକେଇ ଚଟେଇବା ଲୋକ ନାହିଁ ।