Soumya Shubhadarshinee

Thriller

3  

Soumya Shubhadarshinee

Thriller

ଉନ୍ମୋଚନ

ଉନ୍ମୋଚନ

8 mins
422


  


କିଛି ସତ୍ୟ ଉନ୍ମୋଚିତ ହେବାର ନୁହେଁ । ସେଗୁଡିକ ଅନ୍ଧକାର ମଧ୍ୟରେ ରହିବା ସର୍ବାଦୌ ଶୁଭଙ୍କର ।.......


★★★★★★★★★


ରାତି ୧୨:୩୦ 


  

 ସେଇ ବିରକ୍ତିକର ଶବ୍ଦରେ ନିଦ ଭାଙ୍ଗିଗଲା ଶ୍ବଶୁରଙ୍କ ଆଉ ଆରମ୍ଭ ହେଇଗଲା ପୁଣି ପ୍ରବଳ କାଶ । ପୁରୁଣା ଶ୍ଵାସ ରୋଗ ଏମିତି ଯନ୍ତ୍ରଣାଦାୟକ । ରୋହିତ ଉଠିଲେ , ଗରମ ପାଣି ପିଏଇଲେ , ପିଠି ଆଉଁସିଲେ । ନିତ୍ୟା ଆଉ ଅଧିକ ସମୟ ଅପେକ୍ଷା କରିବା ସମ୍ଭବ ନଥିଲା । ପୁଣି କଟିଲା ଗୋଟେ ଅସମାପ୍ତ ଆବେଗର ରାତି ।


ରାତି ୧୧:୪୫


 ପୁଣି ଥିଲା ସେଇ ନିର୍ଦ୍ଦିଷ୍ଟ ବିରକ୍ତିକର ଶବ୍ଦ , ଆଜି ପୁଅ ଉଠିଗଲା । ଭିଷଣ କାନ୍ଦିଲା । ଆଠ ମାସର ଛୁଆକୁ ଶୁଏଇବା ସହଜ ନୁହେଁ ଆଦୌ । ନିତ୍ୟା ଆଖିଭର୍ତ୍ତି ନିଦରେ କାନ୍ଦୁଣୁ ମାନ୍ଦୁଣୁ ହେଇ ପୁଅକୁ ବସି ଖେଳେଇଲା । ଆଉ ଶୋଇଲା ନାହିଁ ରିକୁ ।


ରାତି ୧୨:୧୦


 ସେଇ ନିର୍ଦ୍ଦିଷ୍ଟ ଶବ୍ଦ ଆଉ ନିଦ ଭଙ୍ଗା ଆଜି ଶ୍ୱଶୁର ଆଉ ରିକୁ ଉଭୟ । ରୋହିତଙ୍କର ଧର୍ଯ୍ୟ ନଥିଲା ଆଜି ବିଲକୁଲ । ପୂରା ଦିନ ଅଫିସର ଯାବତୀୟ କାମ ଭିତରେ ଏକଦମ ଥକି ପଡ଼ିଥିଲେ ସେ । ନିତ୍ୟା ଏକୁଟିଆ ଉଠିଲା ପାଣି ଦେଲା ବାପାଙ୍କୁ , ପୁଅକୁ ଦୋଳିରେ ପକେଇ ଝୁଲେଇଲା ଆଉ ଖୁବ୍ କାନ୍ଦିଲା ।


ରାତି ୧୨ :୦୦


 ପୁଣି ସେଇ ବିରକ୍ତିକର ଶବ୍ଦ , ନା ଆଜି ଆଉ ସହିବାର ନୁହେଁ । ରୋହିତ ମେନ୍ ଡୋର୍ ଖୋଲି ତଡିତ ବେଗରେ ରାସ୍ତାକୁ ଆସିଗଲେ । ଦ୍ରୁତ ଗତିରେ ଅତିକାୟ ବାଇକ୍ ଟା ଚାଲିଗଲା ସେମିତି ବିକଟାଳ ହର୍ଣ୍ଣ ବଜେଇ । ଦେଖିଲେ ରୋହିତ ବେଶ ଲମ୍ବା ପିଲାଟେ ପୂରା ଶୀତ ବସ୍ତ୍ର ଭିତରେ ନିବୁଜ , ବିଜୁଳି ଭଳି ଝଟକି ପଳେଇଲା । 


 ପିଲାଟା ୟଙ୍ଗ , ଏନେର୍ଜେଟିକ୍ ଆଉ ଡ୍ୟାମ୍ ହ୍ୟାଣ୍ଡସମ୍ ୱାଉ , କହିଲେ ଆସି ରୋହିତ ନିତ୍ୟାକୁ । କାହା ପାଇଁ ଆସୁଛି କେଜାଣି କିନ୍ତୁ ଯାହା ବି କୁହ ପିଲାଟା ଗୋଟେ ମସ୍ତ ହିରୋ । ନିତ୍ୟା ଏମିତି କଥା ଶୁଣି ରାଗିକି ପଞ୍ଚମ ହେଇଗଲା ଆଉ କହିଲା , 

'' ଆକ୍ସିଡେଣ୍ଟ ହେଇଯାଉ ମାଙ୍କଡ଼ ଟୋକାର ମଣିଷକୁ ଶୋଇ ଦେଉନିରେ । ଇଡିଅଟ୍ କଉଠିକାର । ''


ରୋଜ ଏମିତି ଅଧ ରାତିରେ ବାଇକ୍ ରେ ଆସି ବିକଟାଳ ହର୍ଣ୍ଣ ବଜେଇ ଚକ୍କର କାଟି ପିଲାଟା ଅଞ୍ଚଳରେ ଥିବା ସବୁ ଲୋକଙ୍କ ନିଦର ଏକ ନମ୍ବର ଦୁଶମନ ସାଜିଛି । ବେଶୀ ବାଧୁଛି ନିତ୍ୟାକୁ । ଶାଶୁ ଶ୍ବଶୁର ଆଉ କୁନି ପୁଅ ଙ୍କ ଭିତରୁ କେହି ନା କେହି ଉଠି ପଡି ବଡ଼ ଯନ୍ତ୍ରଣା ଦେଉଛନ୍ତି ତାକୁ ଆଉ ରୋହିତଙ୍କୁ । ସେମାନଙ୍କ ରାତିର ଶାନ୍ତି ହଜେଇ ଦେଲାଣି ଏଇ ପିଲା । 


 କିନ୍ତୁ ସେ କିଏ ? କାହିଁକି ଏମିତି ଅଧ ରାତିଆ ପାରିଧି କରି ବାହାରୁଛି ? କାହା ପାଇଁ ଆସୁଛି ଏମିତି ? କାହା ଉଦ୍ଦେଶ୍ୟରେ ଦେଉଛି ଏମିତି ହର୍ଣ୍ଣ ?


 ନିତ୍ୟାର ଘର ତ ବଡ଼ ନିରୋଳା ସ୍ଥାନରେ । ଦିନରେ ମଧ୍ୟ କୋଳାହଳଠୁ ଢେର ଦୂରରେ ଏଇ ସ୍ଥାନ । ମୁଖ୍ୟ ବଜାର ଠୁ ବେଶ ଦୂରରେ ଏଇ ଅଞ୍ଚଳ । ଏଠି ପୁଣି ସାଧାରଣ ଗାଉଁଲି ଲୋକ । କାଭାଁ ମୋଟର ବାଇକ । ଚାଷୀ ମୂଲିଆ ଭଳି ଲୋକ ପଞ୍ଝାକ ଏଠି । ରୋହିତ କାହିଁକି ଏଇ ବନ ବିଭାଗର ଚାକିରୀ କଲେ କେଜାଣି ?


ଏଠି ଏମିତି ଆଧୁନିକ ବାଇକ ଚାଳକଟି କିଏ ?


 ପ୍ରଶ୍ନଟି ବେଶ ସଙ୍ଗୀନ । କାରଣ ଏଇ ପିଲାଟି ପ୍ରକୃତରେ ବଡ଼ ଅଭଦ୍ର ଆଉ ଅମାନବିକ । ଟିକିଏ ମଧ୍ୟ କାଣ୍ଡଜ୍ଞାନ ନାହିଁ । ଆରେ ବାବୁ ସିଗ୍ନାଲ ଦିଅ , ଲାଇନ୍ ମାର , ହିରୋ ହୁଅ କିନ୍ତୁ ଏମିତି ଅନ୍ୟ ଲୋକଙ୍କୁ ହଇରାଣ କରନା । 

 ନିତ୍ୟା ଆଉ ଶୋଇ ପାରିଲା ନାହିଁ !


ଏଇଠି କେତେ ଘର ?

 ଦାସ ମଉସା , ନିଲୁ ନନା , ସେବ ନାନୀ ଆଉ ତାଙ୍କର ଏମିତି ଚାରି ଘର । ଏଠି ହର୍ଣ୍ଣ ବଜେଇ କାହାକୁ ଆଉ ଶୁଣେଇବା ହେଉଛି ତେବେ ?


  ସୁନ୍ଦରୀ ଝିଅଟେ କେହି ଅଛି କି ??

 ପଚାରିଲେ ରୋହିତ । ନିତ୍ୟା ଢେଗା ଢେଗା ଆଖିରେ ଅନେଇଲା ରାଗିକି ଆଉ ଶୋଇବାକୁ ଚେଷ୍ଟା କଲା କମ୍ବଳ 

ଘୋଡେଇ । କାରଣ ସେ ଜାଣେ ରୋହିତଙ୍କ ଇସାରା ତା' ଆଡ଼କୁ । ଏମିତି ବେହିଆମି କରିବାରେ ସେ ଓସ୍ତାଦ । ସୁନ୍ଦରୀ କହିଲେ କେବଳ ଆଉ କେବଳ ନିତ୍ୟାକୁ ହିଁ 

ବୁଝାଏ ।


  ଆଜି ଶାଶୁ ଶ୍ବଶୁର ନାହାଁନ୍ତି ତେଣୁ ଟିକେ ଟେନ୍ସନ୍ କମ୍ । ପୁଅ ବି ଉଠିନି । ଏଭଳି ସୁନ୍ଦର ସୁଯୋଗର ସଦ ବ୍ୟବହାର ନକରି ରୋହିତ ଚଲେଇଛନ୍ତି ପାଲା । ହୁଁ !


...........


 ନିତ୍ୟା କିନ୍ତୁ ଶୋଇ ପାରିଲା ନାହିଁ । ସୁନ୍ଦରୀ ଝିଅ , ହ୍ୟାଣ୍ଡସମ ପୁଅ , ରାତିରେ ବାଇକ୍ , ହର୍ଣ୍ଣରେ ଈସାରା , ଏସବୁ ମିଶି ଗୋଟେ ପ୍ରେମ କାହାଣୀ ଗଢୁ ଥିଲା ନିତ୍ୟା ମନେ ମନେ !


 ଟିକେ ବିଗତ ଦିନକୁ ଫେରିଗଲା ସେ , ଅଂଶୁର ଦିନ । ସେ ଅବଶ୍ୟ ବାଇକ୍ ଚଲଉ ନଥିଲା , ଚଲଉ ଥିଲା ସାଇକେଲ । ପୁରୋହିତପୂର ସ୍କୁଲର ଦୂରତା ତାଙ୍କ ଘରଠୁ ସାତ କିଲୋମିଟର । ସେ ଅନିମା ଆଉ ଅଂଶୁ ସାଥିରେ ବାହାରୁଥିଲେ ରୋଜ ।

ଖରା , ବର୍ଷା , ଶୀତ କୌଣସି ସମୟରେ ବି ଅନୁପସ୍ଥିତ ରହିବାର ନଜିର ନଥିଲା । ଅଂଶୁ ଆସୁଥିଲା ତାଙ୍କ ଘରକୁ ଆଉ ବେଲ୍ ବଜେଇ ଈସାରା ଦେଉଥିଲା ନିତ୍ୟାକୁ । ନିତ୍ୟା ଚଳଚଞ୍ଚଳ ହେଇ ବାହାରି ଆସୁଥିଲା ଆଉ ସ୍କୁଲ ପାଇଁ ସାଇକେଲ ଧରି ଚାଲିଯାଉଥିଲା।

 

 ସବୁଦିନ ଥାଏ ସେଇ ସାଇକେଲ ବେଲ୍ ର ଅପେକ୍ଷା ନିତ୍ୟା ଭିତରେ । ଆଦ୍ୟ ଯୌବନ ର ସେଇ କୋମଳ ଦିନ ଗୁଡିକରେ ସେଇ ଭାବନା ସବୁ ଘୁରିବୁଲେ ଅଂଶୁ ଚାରିପଟେ । ଭିନ୍ନ ଗୋଟେ ସ୍ପନ୍ଦନ ଥିଲା ସେଇ ବେଲ୍ ଶବ୍ଦର । ଯାହା ଆନ୍ଦୋଳିତ କରୁଥିଲା ନିତ୍ୟାକୁ ବେଶ ପ୍ରଛନ୍ନ ଭାବେ । 


 କିନ୍ତୁ ସେଇତକ କେବଳ ନିର୍ଦ୍ଦିଷ୍ଟ ବୟସର ଆବେଗିକତା ଥିଲା ବୋଧେ । ସମୟ ଅତିକ୍ରାନ୍ତେ ଦୁରେଇ ଗଲେ ଉଭୟ ନିଜନିଜ ପଥରେ । କାହିଁ କେତେକାଳୁ ଆଉ ମନେ ପଡିନଥିଲା ଅଂଶୁ । ହେଲେ ଆଜି ରୋହିତଙ୍କ କଥାରେ କାହିଁକି ଉଦ୍ଜିବିତ ହେଇଗଲା ସୁପ୍ତ ଅତୀତ କେଜାଣି ? .............


 ହୁଏତ ଆଦ୍ୟ ଯୌବନର ସେଇ ଅନୁଭବ ଫସିଲ ହେଇ ସାଇତା ହେଇଛି ହୃଦୟରେ ବେଶ ଯତ୍ନରେ ।

 ତେବେ ସେଇ ପିଲାଟି ମଧ୍ୟ ଏମିତି ଈସାରା କରୁଛି କେହି ଗୋଟେ ନିତ୍ୟା ପାଇଁ !...

ଏଇ ଭାବନା ଭରିଲା ଗୋଟେ ରୋମଞ୍ଚ ।କାହିଁକି କେଜାଣି ନିତ୍ୟାର ଇଚ୍ଛା ହେଲା ଦେଖନ୍ତା ଥରେ ସେଇ ପିଲାକୁ । କିନ୍ତୁ ଏତକ କେବଳ ଗୋଟେ ନିଭୃତ ହୃଦୟର ଭାବ ଯାହା ପ୍ରକାଶ୍ୟରେ ଉନ୍ମୋଚିତ ହେବାର ନୁହେଁ !


*****


  ରୋହିତ ସେଇ ରାତିରେ ବାହାରି ପିଲାଟାକୁ ଦେଖିବାର ଚେଷ୍ଟା କରି ବିଫଳ ହେଲା ପରେ କିନ୍ତୁ ତାଙ୍କ ଜିଦ ବଢିଗଲା । ତା' ପର ଦିନ ନିଜ ବାଇକ୍ ସହ ରେଡି ରହିଲେ ସେ । ଆଜି ଧରିବେ ସେଇ ରସିକ ଟୋକାକୁ । ବେକାର କରିସାରିଲେଣି ଜୀବନ ତାଙ୍କର ।


 ନିତ୍ୟା ବି ବେଶ ଉସୁକେଇଲା ରୋହିତଙ୍କୁ । '' ଦେବାକୁ ପଡିବ ପାନେ ସେ ବଦମାସ ଟାକୁ , ବୁଝିଲ । ତୁମ ହାତରୁ ଖସିଗଲା ଏଡ଼େ ଚାଲୁ । ଆଜି ଧରିବ ପକ୍କା ।'' 

 ରୋହିତ ମଧ୍ୟ ବେଶ ଆବେଶରେ କହିଲେ , " କ'ଣ ଏଇଟା ମନ କଥା ନା ' ଏମିତି , ଧରା ପଡିବାର ଡର ହାଁ !"

 ନିତ୍ୟା ରାଗିକି ଫଁ ଫଁ ହେଲା ଆଉ ଗୋଡ଼ କଚାଡି ପଳେଇଲା ସେଠୁ । 

ହେଲେ ଆଜି ଘଟଣାଟା ଭିନ୍ନ ରୂପ ନେଲା । ସେ ପିଲା ଆସିଲା ହିଁ ନାହିଁ । ତାରି ପ୍ରତୀକ୍ଷାରେ ବିତିଗଲା ଢେର ସମୟ କିନ୍ତୁ ସେ ଆସିଲା ନାହିଁ । 


 ଶେଷକୁ ରୋହିତ ବାଇକ୍ ଭର୍ତ୍ତି କରି ଶୋଇଲେ । ଆଉ ନିତ୍ୟା ତାଙ୍କ ଉପରେ ଗୁମାନ କରି ଶୋଇଲା । କିନ୍ତୁ ବିଚିତ୍ର ଭାବେ ଠିକ ସେତେବେଳେ ଶୁଭିଲା ହର୍ଣ୍ଣ , ଓଃ !


 ପିଲାଟା କ'ଣ ତେବେ ଜାଣିଗଲା ରୋହିତଙ୍କ ପ୍ରତୀକ୍ଷା କଥା ?

 ଯଦି ଜାଣିଲା ତେବେ କେମିତି ? କିଏ ଜଣେଇଲା ? 

 ଏକାନ୍ତ ବ୍ୟକ୍ତିଗତ ଭାବେ କେବଳ ନିତ୍ୟା ଛଡା ଆଉ କେହି ଜାଣନ୍ତି ନାହିଁ ରୋହିତଙ୍କର ଏଇ ଅଭିଯାନ । ତେବେ କ'ଣ ?


  ଅବିଶ୍ୱାସର ପତଳା ଆସ୍ତରଣଟେ ଛାଇ ଗଲା ରୋହିତ ମନରେ । ନିତ୍ୟା ତେବେ .....ମାନେ ତା' ଥଟା ମଜା ତେବେ .....


 ଓଃ ! ମୁଣ୍ଡ ଗୋଳମାଳ ହେଇଗଲା ରୋହିତର । ନିତ୍ୟା ବିଚାରୀ କିନ୍ତୁ ଏସବୁଠୁ ଢେର ଦୁରରେ ଶୋଇଥିଲା ନିଘୋଡ ନିଦରେ । ଆଜି ବାଇକ୍ ଶବ୍ଦରେ କେହି ଉଠି ନଥିଲେ । କେବଳ ରୋହିତଙ୍କ ବ୍ୟତୀତ । ସେ କେବଳ ଉଠିଲା ନାହିଁ , ସାରା ରାତି ଶୋଇ ମଧ୍ୟ ପାରିଲା ନାହିଁ । 


 ନିତ୍ୟା କିନ୍ତୁ ଏଭଳି ଚିନ୍ତାଧାରାର ଆଦୌ ନୁହେଁ । ସେ ବେଶ ସମ୍ବେଦନଶୀଳ , ଦାୟିତ୍ୱ ସମ୍ପନ୍ନ , ବୁଝିବାର ପିଲା । ତା' ପାଖରେ କୌଣସି ଅଭାବ ମଧ୍ୟ ନାହିଁ । ବେଶ ସମ୍ପନ୍ନ ପରିବାରରୁ ଆସି ଆହୁରି ପ୍ରାଚୁର୍ଯ୍ୟ ଭିତରେ ବିତୁଛି ତା' ଜୀବନ । ସୁଯୋଗ୍ୟ ସ୍ୱାମୀ , ସ୍ନେହୀ ଶାଶୁ ଶ୍ବଶୁର , ଗୁଲୁଗୁଲିଆ ପୁଅ , ଏସବୁ ଅଛି ତା' ପାଖରେ । ତେବେ କି ଅଭାବ ରହିଗଲା ଯେ ସେ ଏମିତି ଭୟଙ୍କର ପଦକ୍ଷେପ ନେଲା ? 


 ଗୁଡେଇ ତୁଡେଇ ଏମିତି ହଜାରେ ଅପଚିନ୍ତା ଘାରିଲା ରୋହିତକୁ । କିନ୍ତୁ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିଲା ନାହିଁ ସେ । ପରିସ୍ଥିତିର ନିର୍ଯାସ ଏଇଆ ଭାବିବାକୁ ବାଧ୍ୟ କରୁଥିଲା କିନ୍ତୁ ବିବେକ ବିଶ୍ୱାସ କରିବାକୁ ରାଜି ନଥିଲା । ବୁଦ୍ଧି ଆଉ ବିବେକର ଏଇ ଟଣା ଓଟରା ଭିତରେ କେତେବେଳେ ନିଦ ଲାଗିଗଲା ବୁଝା ପଡିଲା ନାହିଁ ରୋହିତକୁ ।


*****

 ନିତ୍ୟା ସକାଳୁ ଏଇ କଥା ଶୁଣି ସତରେ ବଡ ଆଶ୍ଚର୍ଯ୍ୟ ହେଲା । କେମିତି ଜାଣିଲା ପିଲାଟା ?


 ରୋହିତ କିନ୍ତୁ ଏବେ ଗୋଟେ ଭିନ୍ନ ବୁଦ୍ଧି ଲଗେଇଲା । ଆଉ ଚୁପ ଚାପ ପ୍ଲାନଟେ ତିଆରିଲା । କେହି ଟେର ପାଇଲେ ନାହିଁ ତା' ପ୍ଲାନର । ସେଦିନ ରୋହିତ ରାତିରେ ଘରେ ରହିଲେ ନାହିଁ । ଅଫିସ କାମ ଅଛି କହି ବାହାରିଗଲେ ।


 ନିତ୍ୟାକୁ ଆଜି ସୁଯୋଗ ମିଳିଲା ଦେଖିବାକୁ ହିରୋ ପିଲାକୁ । ସେ ବାଲକୋନିରେ ଅପେକ୍ଷା କଲା । 


 ଢେର ରାତିକୁ ଶୁଭିଲା ହର୍ଣ୍ଣ ଆଉ ତା' ସହ ଗୋଟିଏ ଦୁର୍ଘଟଣାର ଶବ୍ଦ । ଗାଡିଟା ସ୍ଲିପ କଲା ହୁଏତ ଖୁବ୍ ଜୋରରେ । 


ରୋହିତ ପ୍ରକୃତରେ କୁଆଡେ ଯାଇ ନଥିଲେ ଥିଲେ ଖୁବ୍ ପାଖରେ ପ୍ରତୀକ୍ଷାରେ । 


ରୋହିତ ଏଥର ଦୌଡ଼ି ଆସିଲେ ରାସ୍ତା ଉପରକୁ ତଡିତ ବେଗରେ । ନିତ୍ୟା ମଧ୍ୟ ବାଲକୋନିରୁ ଧାଁଇଆସିଲା ବ୍ୟସ୍ତତାଭିତରେ । 


 ଆଉ ଠିକ ରାସ୍ତା ଉପରେ ରୋହିତ ଓ ନିତ୍ୟା ମୁହାଁ ମୁହିଁ ହେଲେ ଆଶ୍ଚର୍ଯ୍ୟ ଚକିତ ହେଇ !


 ଦୁହେଁ ଆବିଷ୍କାର କଲେ ଗଡ଼ିଟା ରୋଡ଼ ସାଇଡ଼ ଗୋଟେ ପାଚେରୀରେ ଧକ୍କା ହେଇଛି ଆଉ ଗାଡି ଚାଳକଟା ବେଶ ଦୂରରେ ବେହୋସ ପଡିଛି । ଏମିତି ଭୟଙ୍କର ଦୃଶ୍ୟ ଦେଖି ଦୁହେଁ ଭୟ ପାଇଗଲେ । କେମିତି ହେଲା ଦୁର୍ଘଟଣା ବୁଝି ହେଉନଥିଲା । ନିତ୍ୟା ମଧ୍ୟ ଆଶ୍ଚର୍ଯ୍ୟ ହେଉଥିଲା । କେମିତି ହେଲା ଦୁର୍ଘଟଣା । 


 କିନ୍ତୁ ଦୁର୍ଘଟଣା ଠୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା ରୋହିତ ଓ ନିତ୍ୟାର ଉପସ୍ଥିତି !


 ରିତେଶ ଏଠିକାର ପୋଲିସ ବିଭାଗରେ ଥିବା ତା' ପାପାଙ୍କ ପରିଚିତ ନଗେନ ଅଙ୍କଲଙ୍କୁ ଏଇ ସମସ୍ୟା ସଂକ୍ରାନ୍ତି ରେ କହିଥିଲେ। ସେ ପିସିଆର ଭ୍ୟାନ ସହାୟତାରେ ସେଇ ପିଲାକୁ ଅଟକେଇ ତା' ଖୋଜ ଖବର ନେବାକୁ ରାଜି ହେଇଥିଲେ । ତେଣୁ ଆଜି ପିଲା ଫସିଲା ବୋଲି ପକ୍କା ହେଇଯାଇଥିଲା । କିନ୍ତୁ ଏଇ ଦୁର୍ଘଟଣା କେମିତି ଘଟିଲା କେଜାଣି ?......


 ରୋହିତ ଓ ନିତ୍ୟାଙ୍କ ସାମ୍ନାରେ ଏବେ ଥିଲା ଗୋଟେ ଦୁର୍ଘଟଣାଗ୍ରସ୍ତ ପିଲା । ଯାହାର ସ୍ଥିତି ଏବେ ସଂକଟାପନ୍ନ ଥିଲା । ଯେ ହୁଏତ ଗଭୀର ଭାବେ ଆଘାତପ୍ରାପ୍ତ ହେଇଥିଲା । ଜୀବନ ଥିଲା କି ନାହିଁ ତା' ମଧ୍ୟ ଜଣା ନଥିଲା ? ଏଭଳି ସ୍ଥିତିରେ ସେ ଦୁହେଁ କି ପଦକ୍ଷେପ ନେବେ ବୁଝି ପାରୁନଥିଲେ । ନିତ୍ୟା କିନ୍ତୁ ଦେଖିବାକୁ ଇଛୁକ ଥିଲା ପିଲାଟିକୁ ଅନ୍ତତ ଜଣା ପଡିବ କିଏ ସେ ?


 ହେଲେ ଏବେ ଏଇଟା ଗୋଟାଏ ଆକ୍ସିଡେଣ୍ଟ କେସ୍ । ସେଥିରେ ଫସିବା ବୁଦ୍ଧିମାନି ହେବ ନାହିଁ କେବେ । ହୁଏତ ଗୁଡ଼େ ପୋଲିସ ତଦନ୍ତ ଭିତରକୁ ଟଣା ହେବାର ଭୟ ରହିବ । ବା' ନିତ୍ୟା ଆଉ ରୋହିତ କାହିଁକି ଅଧ ରାତିରେ ବାହାରେ ଚକ୍କର କାଟୁଥିଲେ ପ୍ରଶ୍ନ ଆସିବ ? ରୋହିତ ଏଇ ପିଲା କଥା ନଗେନ ଅଙ୍କଲଙ୍କୁ କହିଥିଲା ତେଣୁ ଏବେ ଏଇ ଦୁର୍ଘଟଣାଟା ତାକୁ ମଧ୍ୟ ସନ୍ଦେହ ଘେରକୁ ଟାଣିବ ।


 ଓଃ ! ମୁଣ୍ଡ ଆହୁରି ଭାରି ହେଇଗଲା ରୋହିତର । ନିତ୍ୟା କିନ୍ତୁ କାନ୍ଦୁଣୁ ମାନ୍ଦୁଣୁ ହେଇ କହିଲା , '' ଏଇ , ଶୁଣ ବା ଚାଲ ଦେଖିବା ପିଲାଟା କେମିତି ଅଛି । ଫୋନ୍ କରିବା ଟିକେ ହସ୍ପିଟାଲକୁ । ବଂଚି ଯାଉ ପିଲାଟା ।''


 ରୋହିତ ବୁଝି ପାରୁନଥିଲା , ନିତ୍ୟା କ'ଣ କେବଳ ମାନବିକତା ଦୃଷ୍ଟିରୁ ଏଭଳି କହୁଛି ନା ' ଭିନ୍ନ କିଛି !


 ରୋହିତ ଭାବୁଥିଲା କାହିଁକି ଦେଖିବେ ସେମାନେ ପୁଣି ହସ୍ପିଟାଲ ଫୋନ୍ କରିବେ , ପୋଲିସ ଡାକିବେ ହୁଁ .... ..


 କି ବିସ୍ ପଡିଛି ଟିକେ ଶୁଣେ । ପଡ଼ିଥାଉ ମାଙ୍କଡ଼ ମୁହାଁ ବେକ ମୋଡି । ବରଂ ଖୁସି ହେବା କଥା ଗଲା ଗୋଟେ ଗ୍ରହ । ଭଲ ହେଲା ମଣିଷ ଏଇନେ ଟିକେ ଶାନ୍ତିରେ ଶୋଇବ ।


 ଏମିତି ଭାବିଲା ସିନା କିନ୍ତୁ ରୋହିତ ବି କୋଉ ନିରୂପଦ୍ରବ ରହିପାରିଲା । ତା' ଭିତରେ ମଧ୍ୟ ଥିଲା ଗୋଟେ ମହାମୁର୍ଖ 

ମଣିଷ । ସମ୍ବେଦନଶୀଳ , ପରୋପକାରୀ , ସାଧାରଣ ମଣିଷ । ଯେ ଅନ୍ୟର ଅସହାୟତା ଭିତରେ ନିଜକୁ ଦେଖିପାରେ ବଡ଼ ବିଚିତ୍ର ଭାବେ । 


 ସେ ଦୁହେଁ ପିଲାଟି ନିକଟକୁ ଯାଇ ଦେଖିଲେ । ହେଲମେଟ ପିନ୍ଧା ମୁଣ୍ଡ ସକାଶେ ଜୀବନ ରକ୍ଷା ହେଇଯାଇଥିଲା ପିଲାଟିର । କେବଳ ବେହୋସ ଥିଲା ସେ । ନାଡି ଦେଖି ରୋହିତ ଏତକ କନଫର୍ମ କଲା ।

 କିନ୍ତୁ ପିଲାଟିକୁ ଦେଖିବାକୁ ଇଚ୍ଛା କଲା ନାହିଁ । ନିତ୍ୟା ମଧ୍ୟ ସେଥିପାଇଁ ଆଗ୍ରହ ଦେଖେଇଲା ନାହିଁ । କେବଳ ପୋଲିସ ଅଙ୍କଲଙ୍କୁ ଫୋନ୍ କରିଦିଅଗଲା ।


 


 *****


 ଏବେ ରାତିରେ ସେଇ ନିର୍ଦ୍ଦିଷ୍ଟ ଶବ୍ଦ ( ବିରକ୍ତିକର ଶବ୍ଦ ) ଆଉ ନଥିଲା । କିନ୍ତୁ କାହିଁକି କେଜାଣି ନିତ୍ୟା କି ରୋହିତ କେହି ହେଲେ ଭୁଲି ପାରୁନଥିଲେ ସେଇ ଶବ୍ଦକୁ ।

ଅଜାଣତରେ ସେଇ ପିଲା ପ୍ରସଙ୍ଗ ଧସେଇ ପଶି ଆସୁଥିଲା । କେବେ ନିତ୍ୟା ତ କେବେ ରୋହିତ ସେଇ ଶବ୍ଦକୁ ଝୁରି ହେଉଥିଲେ । ପୁଣି କେବେ ଶାଶୁ ପଚାରୁ ଥିଲେ , '' କିରେ ସେଇ ପିଲାର ଦିହ କେମିତି ?''


 ରୋହିତ ଏବେବି ଚାହୁଁ ଥିଲେ ପଚାରି ବୁଝିବେ ତାକୁ , '' ତୁମେ କାହିଁକି ଆସୁଥିଲ ?''

କିନ୍ତୁ କାହିଁକି କେଜାଣି ଇଚ୍ଛା ହେଉନଥିଲା ।

 

 ନିତ୍ୟାର ମନରେ ସେଇ ପିଲାର ଶବ୍ଦ ପ୍ରତି ରହିଯାଇଥିଲା ଭିନ୍ନ ଆକର୍ଷଣ । ହୁଏତ ସେଇ ଶବ୍ଦ ବ୍ୟତୀତ ନିଦ ହେଉନଥିଲା ଠିକ ଭାବେ !


  


Rate this content
Log in

Similar oriya story from Thriller