ସନ୍ଦେହ ପ୍ରେମ
ସନ୍ଦେହ ପ୍ରେମ
ବାହାରେ ପ୍ରବଳ ବର୍ଷା ସତେ ଯେମିତି ଆକାଶ ଛିଡି ପଡିବ
ସେମିତି ଲାଗୁଛି |ଝରକା ପାଖରେ ଠିଆ ହୋଇ ରାଜେଶ ମନେ ପକାଉଥାଏ ସେ ଅଭୁଲା ଅତୀତ ର ଅଭୁଲା ସ୍ମୃତି ଗୁଡିକୁ | ରାଜେଶ କୁ ଏମିତି ମନେ ହେଉଥାଏ ଯେମିତି ଆକାଶରୁ ବର୍ଷା ଝରୁନି ତାର ହୃଦୟ କାନ୍ଦୁଛି ବ୍ୟାକୁଳ ହୋଇ | ଆଖି ଆଗରେ ନାଚି ଯାଉଛି ସେ ଅଭୁଲା ଅତୀତର ପ୍ରେମ ମୁହୂର୍ତ୍ତ ଗୁଡିକ | ଅଜାଣତେ ଦୁଇ ଆଖିରୁ ଝରିଯାଉଛି ଟୋପା ଟୋପା ଲୁହ | ମନେ ମନେ ରାଜେଶ ଭାବୁଛି ମୋର ଭୁଲ ଯୋଗୁଁ ମୁଁ ଆଜି ବେସାହାରା | ଆଜି ମୁଁ କେଉଁଠି ଓ ମୋର ପ୍ରେମ କେଉଁଠି | ସନ୍ଦେହ ନାମକ ଏକ ଶବ୍ଦ ଭାଙ୍ଗିଦେଇଛି ମୋର ହୃଦୟକୁ | ଏମିତି ସବୁ ସ୍ମୃତିକୁ ମନେ ପକାଇ ତାର ପ୍ରେମିକାର ପ୍ରତିଛବିକୁ ଦେଖି ଭାବୁଛି ସେ ତାର ପ୍ରେମର ଅଭୁଲା ସ୍ମୃତି ଗୁଡିକୁ |
୨ବର୍ଷ ତଳର କଥା ରାଜେଶ ରାତ୍ରି ନାମକ ଜଣେ ଝିଅକୁ ନିଜଠୁ ବି ଅଧିକା ଭଲପାଉଥିଲା | ରାତ୍ରି ଓ ରାଜେଶ ଥିଲେ ଗୋଟେ ଗାଁର ପିଲା | ରାତ୍ରି ରାଜେଶକୁ ଭଲପାଇବା ପୂର୍ବରୁ ଆଉଜଣେ ପୁଅକୁ ଭଲ ପାଉଥିଲା | ରାଜେଶ ବି ମଧ୍ୟ ରାତ୍ରିକୁ ଭଲପାଇବା ପୂର୍ବରୁ ଆଉ ଜଣେ ଝିଅକୁ ଭଲପାଉଥିଲା | ସବୁକିଛି ଜାଣିବା ସତ୍ୱେ ଦୁହେଁ ଦୁହିଁଙ୍କୁ ବହୁତ ଭଲପାଉଥିଲେ | ଏମିତି କିଛି ମାସ ବିତିଗଲା ରାଜେଶ ଓ ରାତ୍ରିଙ୍କ ଭଲପାଇବା ସେମିତି ଅତୁଟ ହୋଇ ରହିଥାଏ | ରାତ୍ରିକୁ ଗୋଟେ ଦିନ ନଦେଖିଲେ ରାଜେଶ ପୁରା ପାଗଳ ହେଇଯାଉଥିଲା | ରାତ୍ରିବି ରାଜେଶକୁ ବହୁତ ଭଲ ପାଉଥିଲା | ରାତ୍ରି ଥିଲା ଉଚ୍ଚ ଜାତିର ଓ ରାଜେଶ ଥିଲା ନୀଚ ଜାତିର | ଘରଲୋକଙ୍କ ବାରଣ ସତ୍ୱେ ବି ରାତ୍ରି ରାଜେଶକୁ ନିଜଠୁ ବି ଅଧିକା ଭଲ ପାଉଥିଲା |
ଗୋଟେ ବର୍ଷ ବିତିଗଲା କିନ୍ତୁ ରାଜେଶ ଏଯାଏ ବି ରୋଜଗାର କିଛି କରୁନଥାଏ | ରାଜେଶ ଅଳ୍ପ ପାଠ ପଢ଼ିଛି ହେଲେ ବହୁତ ଚାଲାକ | ରାଜେଶ ନା ଘର କାମ କରୁଥିଲା ନା ସେ ବିଦେଶ ଯାଉଥିଲା ରୋଜଗାର କରିବାକୁ | ସବୁଦିନ କେବଳ ରାତ୍ରି ସହ ଫୋନରେ ଗପେ ସେ ଘରେ କାହା କଥା ବି ଶୁଣେନାହିଁ | ରାଜେଶର ଏମିତି ଭଲପାଇବା ଦେଖି ରାତ୍ରି ତାଙ୍କ ଘରୁ ପଇସା ଆଣି ରାଜେଶକୁ ଦିଏ ମାସକୁ ମାସ ଫୋନରେ ପଇସା ପକେଇବା ପାଇଁ | ଏ ସବୁକୁ ସହି ପାରୁନଥାନ୍ତି ରାଜେଶଙ୍କ ଘରଲୋକ | ସବୁକିଛି ଠିକଠାକ ଚାଲୁଥାଏ | ରାଜେଶର କିଛି ସାଙ୍ଗ ରାତ୍ରି ଓ ତାର ପୂର୍ବ ପ୍ରେମିକ ନାଁରେ ବହୁତ ଖରାପ କୁହନ୍ତି | ରାଜେଶ ପ୍ରଥମେ ପ୍ରଥମେ ସେମାନଙ୍କ କଥାକୁ ଧରେ ନାହିଁ କି କିଛି କୁହେ ନାହିଁ | ଧିରେ ଧିରେ ତା ସାଙ୍ଗ ମାନଙ୍କର କଥା ଶୁଣି ରାଜେଶ ମନରେ ସୃଷ୍ଟି ହୁଏ ରାତ୍ରି ପାଇଁ ସନ୍ଦେହ | ହେଲେ ତାର ଭଲପାଇବା କେବେ ବି ରାତ୍ରି ଠାରୁ ତାକୁ ଅଲଗା କରିବାକୁ ଦିଏନାହିଁ |
ଦିନକର କଥା ରାଜେଶ ରାତ୍ରିକୁ ଫୋନ କରିଥାଏ କିନ୍ତୁ ଫୋନ ଲାଗିଲାନି ଫୋନରୁ ଶୁଭିଲା ଆପଣ ଯେଉଁ ବ୍ୟକ୍ତିଙ୍କୁ କଲ କରିଛନ୍ତି ସେ ଏବେ ଅନ୍ୟ କଲରେ ବ୍ୟସ୍ତ ଅଛନ୍ତି ଦୟାକରି କିଛି ସମୟ ପରେ କଲ କରନ୍ତୁ | ଏ ସବୁ ଶୁଣି ରାଜେଶ ତାର ରାଗକୁ ନିଜ ଆୟତ୍ତରେ ରଖିପାରିଲାନି | କିଛି ସମୟ ପରେ ରାତ୍ରି କଲ କଲା ରାଜେଶ ପଚାରିଲା ତମେ କାହା ସହିତ କଥା ହଉଥିଲ ରାତ୍ରି କହିଲା ନାଇଁ ରାଜେଶ ଏମିତି ମୋର ଜଣେ ସାଙ୍ଗ ଫୋନ କରିଥିଲା ତା ସହିତ କଥା ହଉଥିଲି | ରାଜେଶ ନିଜ ଭିତରେ ନିଜର ରାଗକୁ ରଖି ସବୁ ସହିଯାଇ କହିଲା- " ହଁ ଶୁଣ ରାତ୍ରି ଆଜି ତମେ ସନ୍ଧ୍ୟାରେ ଗାଁ ଶେଷ ମୁଣ୍ଡରେ ଥିବା ପୋଖରୀ ପାଖକୁ ଆସିବ ତମ ସହ କିଛି କଥା ଅଛି ଯାହାକି ଫୋନରେ କହିବା ସମ୍ଭବ ନୁହେଁ" | ରାତ୍ରି କହିଲା - " ନାଇଁ ରାଜେଶ ଯଦି ଆମକୁ କେହି ଦେଖିବେ ତ କଥାଟା ବହୁତ ଖରାପ ହେବ | ଆମ ୨ଜଣକ ଘର ଗୋଟେ ଗାଁରେ ଯଦି ବି କେହି ଜାଣିଦେବେ ତ ମୋ ଚରିତ୍ରକୁ ନେଇ ମତେ ବହୁତ କଥା କହିବେ | ଯାହା କହିବାର ଅଛି ତମେ ଫୋନରେ କୁହ "| ରାଜେଶ କିଛି ନ ବୁଝି କୁହେ ଯଦି ତମେ ନ ଆସିବ ତ ମୁଁ ମୋ ହାତ କାଟି ତମ ନାଁ ଲେଖି ମରିଯିବି ଏବେ ତମେ କୁହ ତମେ ଆସିବ କି ନାହିଁ | ରାତ୍ରି ବାଧ୍ୟ ହେଇ କୁହେ ନାଇଁ ରାଜେଶ ତମେ ସେମିତି କିଛି ବି କରନି ମୁଁ ନିଶ୍ଚୟ ଯିବି | ସନ୍ଧ୍ୟା ହେଲା ରାତ୍ରି ତାର ସାନଭଉଣୀକୁ ନେଇ ରାଜେଶକୁ ଦେଖା କରିବା ପାଇଁ ଗଲା | ରାତ୍ରିର ସାନଭଉଣୀ ଅଳ୍ପ ଦୂରରେ ଠିଆ ହୋଇ ଅପେକ୍ଷା କରି ରହିଲା ରାତ୍ରି ପାଇଁ | ରାଜେଶ ରାତ୍ରିକୁ ପଚାରିଲା
"ରାତ୍ରି ଆଜି କାହା ସହିତ କଥା ହଉଥିଲ??ରାତ୍ରି କହିଲା ଆରେ ବାବା କହିଲିତ ମୁଁ ମୋ ସାଙ୍ଗ ସହିତ କଥା ହଉଥିଲି ତମେ ଅଯଥାରେ ମତେ ସନ୍ଦେହ କରୁଛ | ରାତ୍ରି ମୁହଁରୁ ବାରମ୍ବାର ଏ କଥା ଶୁଣି ରାଜେଶ ରାଗିଯାଇ ରାତ୍ରିକୁ ଗୋଟେ ଜୋରରେ ଚାପୁଡ଼ା ପକେଇଲା | ରାତ୍ରିର ମୁଣ୍ଡ ବୁଲେଇ ଦେଲା ତଥାପି ରାଜେଶ କିଛି ନ ବୁଝି ନିର୍ଦୟ ହୋଇ ତାର ମୁଣ୍ଡକୁ ମାରିଲା | ରାଜେଶ ମାରିଥିବା ଚାପୁଡ଼ାରେ ରାତ୍ରିର ସୁନା କାନଫୁଲ ଭାଙ୍ଗିଗଲା | ରାଜେଶ ରାତ୍ରିକୁ ମରୁଥାଏ ଓ କହୁଥାଏ ଶୁଣୁ ଯଦି ମୁଁ ସମସ୍ତଙ୍କ କଥା ମାନିଥାନ୍ତି ତାହେଲେ ଆଜି ମତେ ଏ ଦିନ ଦେଖିବାକୁ ପଡ଼ିନଥାନ୍ତା | ଏକଥା କହି ରାତ୍ରି ହାତରୁ ଫୋନେ ଛଡେଇ ନେଇ ସେ ଭାଙ୍ଗି ଦେଲା | ବିଚାରି ରାତ୍ରି ବହୁତ କାନ୍ଦିଲା ଓ ସେଠାରୁ ଫେରି ଆସି ତା ସାନଭଉଣୀକୁ ସବୁ କଥା କହିଲା | ୨ଜଣ ଘରକୁ ଫେରିଲେ | ତାପରଦିନ ରାତ୍ରି ମେଡିକାଲ ଗଲା ତାର ମୁଣ୍ଡରେ ଲାଗିଥିବା ଆଘାତ ଯୋଗୁଁ ସେ ବହୁତ କଷ୍ଟ ପାଉଥାଏ | କିନ୍ତୁ ରାଜେଶ କିଛି ନ ବୁଝି ପୁଣି ଆଉଥରେ ରାତ୍ରିକୁ ଫୋନ କରି ମିଛରେ କାନ୍ଦି ଭୁଲ ମାଗିଲା | ରାତ୍ରି ସବୁକିଛି ଭୁଲି ପୁଣି କଥା ହେଲା |
କିଛିଦିନ ପରେ ପୁଣି ରାଜେଶ ତାର ଅସଲ ରୂପ ଦେଖେଇ ଦେଲା | ରାତ୍ରିକୁ ଶାନ୍ତିରେ ରହିବାକୁ ଦେଲାନି |ଯଦି ରାତ୍ରି ଫୋନ ନ ଉଠାଏ କି ଦେଖାକରିବାକୁ ମନା କରେ ରାଜେଶ ଧମକ ଦେଇ କୁହେ ଶୁଣୁ ଯଦି ତୁ ମତେ ଦେଖା ନ କରୁ କି ମୋ ଫୋନ ନ ଉଠେଇବୁ ତାହେଲେ ମୁଁ ତୋ ଫଟୋ ସବୁ ସମସ୍ତଙ୍କୁ ଦେଖେଇବି ଓ ସମସ୍ତେ ଶୋଇଗଲା ପରେ ତମ ଘର କବାଟ ବାଡ଼େଇବି | ମୁଁ ତୋ ଠୁ ବୟସରେ ଛୋଟ ବୋଲି ତୁ ମତେ ତୋ ପ୍ରେମ ଜାଲରେ ଫସେଇ ଦେଇଛୁ ନା | ମୁଁ ତତେ କେବେ ବି କାହାର ହବାକୁ ଦେବିନି କି ତତେ କେବେ ବି ଶାନ୍ତିରେ ରଖେଇ ଦେବିନି | ରାତ୍ରି ବିଚାରି ନିରୁପାୟ ସେ ସବୁକିଛି ସହି ସବୁଦିନ ତା ସହ ଦେଖାକରେ ଓ ଜୀବନରେ ସେ ଛୋଟ ଭୁଲ ପାଇଁ ରାଜେଶ ସବୁଦିନ ଦେଖେଇ ଦିଏ ତାର ପୁରୁଷ ପଣିଆ | ରାକ୍ଷସ ସାଜି ସେ ରାତ୍ରିର ଦେହକୁ ନଖରେ ଆମ୍ପୁଡ଼ି କୁହେ ଏ ଦାଗ ଦେଖି ତୁ ବୁଝିପାରିବୁ ତୁ ମତେ ଭଲପାଇ କେତେବଡ଼ ଭୁଲ କରିଛୁ | ରାତ୍ରି ସବୁ ସହେ କିଛି ବି କୁହେନାହିଁ ସବୁଦିନ ଭାବେ ଦିନେ ନା ଦିନେ ରାଜେଶ ବୁଝିପାରିବେ ଓ ମତେ ନିଜର କରିବେ | ରାତ୍ରି ଗାଁର ଯୋଉ ପୁଅ ମାନଙ୍କ ସହ କଥା ହୁଏ | ସେ ପୁଅମାନଙ୍କ ନାଁ ନେଇ ରାତ୍ରିକୁ ବହୁତ କଥା କୁହେ | ଏମିତିକି ତାର ବାପା ଓ ଭାଇଙ୍କ ନାଁ ସହ ରାତ୍ରିର ନାଁ ଯୋଡି ବହୁତ ଅଶ୍ଳୀଳ କଥା କୁହେ | ରାତ୍ରି ସବୁକିଛି ସାହିଯାଏ କେବଳ ନିଜର ଭୁଲ ପାଇଁ ଓ ସମସ୍ତଙ୍କ ଠାରୁ ଦୂରେଇ ରୁହେ |
ଏମିତି ସବୁଦିନ ହୁଏ ରାଜେଶ ସାଙ୍ଗମାନଙ୍କର କଥା ଶୁଣି ରାତ୍ରିକୁ ଫୋନ କରି ଅଶ୍ଳୀଳ ଭାଷାରେ ଗାଳି କରେ ସାଙ୍ଗ ମାନଙ୍କୁ ସବୁ ଶୁଣାଏ | ସାଙ୍ଗମାନେ ଏ ସବୁ ଶୁଣି ହସନ୍ତି ଓ ରାଜେଶର ବହୁତ ପ୍ରଶଂସା କରନ୍ତି | ରାତ୍ରି ନା ସେ କୁଆଡେ ବୁଲିବାକୁ ଯାଏ ନା ସେ କାହା ସହ ସାଙ୍ଗ ହୁଏ | ସବୁଦିନ କାନ୍ଦି କାନ୍ଦି ତାର ଦିନ କାଟେ | ଏମିତି ଦେହ ଭଲନଥିଲେ ସେ କେବେ ବି ମେଡିକାଲ ଯାଏନି | କେବଳ ରାଜେଶର ଭୟରେ ରାଜେଶ ଯଦି ଦେଖେ ରାତ୍ରି କୁଆଡେ ଯାଉଛି ତ ସେଦିନ ରାତିରେ ସେ ରାତ୍ରିକୁ ଡାକି ବହୁତ ଯନ୍ତ୍ରଣା ଦେବ ବୋଲି | ରାତ୍ରି ବହୁତ ଥର ଭାବେ ମୁଁ ଭୁଲିଯିବି ହେଲେ ରାଜେଶକୁ ଡରି ସେ ବାଧ୍ୟ ହୋଇ କଥା ହୁଏ | ଧିରେ ଧିରେ ଏ ସବୁ କଥା ସମସ୍ତେ ଜାଣନ୍ତି ରାତ୍ରିକୁ ବହୁତ ଖରାପ କରି କୁହନ୍ତି | ରାତ୍ରି ନିଜର ପ୍ରେମକୁ ବଞ୍ଚେଇବାକୁ ଯାଇ ସେ ତାର ଭାଇ, ଭଉଣୀ ଓ ସାଙ୍ଗମାନଙ୍କ ସହ କଥା ହୁଏନି | ହେଲେ ରାଜେଶ କେବେ ବି ତାର ପ୍ରେମକୁ ନ ବୁଝି ସାଙ୍ଗମାନଙ୍କ କଥା ଶୁଣି ସେ ରାତ୍ରିକୁ ବହୁତ କଷ୍ଟ ଦିଏ |
କିଛିଦିନ ପରେ ରାଜେଶ ବିଦେଶ ଯାଏ ରୋଜଗାର କରିବା ପାଇଁ | ଟ୍ରେନରେ ବସି ଯାଉଥାଏ ରାତ୍ରି ଫୋନ କରି ରାଜେଶକୁ କହିଲା ଶୁଣ ରାଜେଶ ପହଞ୍ଚିକି ନିଶ୍ଚୟ ଫୋନ କରିବ ଓ ନିଜର ଯତ୍ନ ନେବ | ରାତ୍ରି କଥା ଶୁଣି ରାଜେଶ କୁହେ ଦୟାକରି ମତେ ତୋ ଠୁ ମୁକ୍ତି ଦେ | ତୋ ଯୋଗୁଁ ମୁଁ ବହୁତ କିଛି ହରେଇଛି | ତୋ ଭଳି ଗୋଟେ ଖରାପ ଝିଅର ସ୍ୱର ବି ମୁଁ ଶୁଣିବାକୁ ଚାଁହୁନି |ଏମିତି ଖରାପ ଭାଷାରେ ବହୁତ ଗାଳି କରି ଫୋନ କାଟିଦିଏ | ରାତ୍ରିର ଫଟୋକୁ ଅଶ୍ଳୀଳ ଫଟୋକୁ ଯୋଡି ସାଙ୍ଗ ମାନଙ୍କୁ ଦେଖାଏ | ରାତ୍ରିକୁ ଅନ୍ୟ ନମ୍ବରରୁ ଫୋନ କରି ବହୁତ କଥା କୁହେ | ଏ ସବୁ କିଛି ସହି ମଧ୍ୟ ରାତ୍ରି ରାଜେଶ ପାଖକୁ ଫୋନ କରେ ହେଲେ ରାଜେଶର ଅଶ୍ଳୀଳ କଥା ଶୁଣି ସେ ଧିରେ ଧିରେ ଫୋନ କରିଵା ବନ୍ଦ କରିଦିଏ | ରାତ୍ରି ସବୁଦିନ ଅପେକ୍ଷା କରି ରହିଥାଏ ରାଜେଶର କଲକୁ କିନ୍ତୁ କେବେ ବି କଲ ଆସେନି | କାନ୍ଦି କାନ୍ଦି ବିତିଯାଏ ରାତ୍ରିର ଏମିତି ସବୁ ରାତି | ସବୁଦିନ ସେ ଭାବେ ଯଦି ମୁଁ ଫୋନ ନ କରିବି ତ ସେ ମୋ ଫଟୋକୁ ସବୁଆଡେ ଛାଡ଼ିଦେବ ମୁଁ ଏ ଦୁନିଆଁରେ କାହାର ବି ହେଇପାରିବିନି | ଏମିତି ସବୁକଥା ଭାବି ରାତ୍ରି ବହୁତ କାନ୍ଦେ |
କିଛି ମାସ ପରେ ରାଜେଶ ଗାଁକୁ ଫେରି ଶୁଣେ ତ ରାତ୍ରି ଭୁବନେଶ୍ୱରରେ ବାହାହୋଇ ବହୁତ ଖୁସିରେ ଅଛି | ସ୍ୱାମୀ ତାର ଜଣେ ପୋଲିସ ଅଫିସର | ରାତ୍ରି ବି କିଛି ଦିନ ପରେ ଗାଁକୁ ଆସେ ତାର ସ୍ୱାମୀଙ୍କ ସହ ବୁଲିବା ପାଇଁ | ରାଜେଶ ରାତ୍ରି ଓ ତାର ସ୍ୱାମୀଙ୍କୁ ଦେଖି ନିଜକୁ ସମ୍ଭାଳି ପାରେନି | ବୁଝିପାରେ ସେ କରିଥିଵା ଭୁଲ | ଲୁଚି ଲୁଚି ବହୁତ କାନ୍ଦେ ତା ଆଖି ଆଗରେ ସବୁଦିନ ନାଚିଯାଏ ସେ ପ୍ରେମ ମୁହୂର୍ତ୍ତ ସବୁ | ରାଜେଶ ସେ ସବୁକୁ ଆଦୌ ସହି ପାରେନି ଭାବେ ଯଦି ମୁଁ ରାତ୍ରି କୁ ସନ୍ଦେହ ନ କରି ବିଶ୍ୱାସ କରିଥାନ୍ତି ହୁଏତ ରାତ୍ରି ଆଜି ମୋ ପାଖରେ ଥାନ୍ତା |
ରାଜେଶ ଯେତେବେଳେ ବି ଗାଁକୁ ଆସେ ସେ କେବେ ବି ଶାନ୍ତିରେ ରହିପାରେନି | ସବୁବେଳେ ତାର ମନେ ପଡିଯାଏ ସାଙ୍ଗମାନଙ୍କ ବୁଦ୍ଧିରେ ପଡି ସେ ରାତ୍ରି ଉପରେ କରିଥିବା ଅତ୍ୟାଚାର ଗୁଡିକ | ନାଁ ସେ ରାତ୍ରିକୁ ଭୁଲିପାରୁଛି ନାଁ ସେ ରାତ୍ରି ସହ କଥା ହେଇପାରୁଛି | ମନରେ ସନ୍ଦେହ ରଖି କରିଥିବା ଭୁଲ ପାଇଁ ସେ ଆଜି ବି କାନ୍ଦୁଛି ହେଲେ ତାର ଲୁହ ପୋଛିବାକୁ କେହି ବି ନାହଁନ୍ତି | କାହା ଆଗରେ କହିପାରୁନି ସେ ତା ଭିତରର ସେ ଅକୁହା କଥାକୁ | ପ୍ରତିଦିନ ଲୁଚି ଲୁଚି କାନ୍ଦିବା ଛଡା ତା ପାଖରେ ଆଉ କିଛି ବି ରାସ୍ତା ନାହିଁ |