STORYMIRROR

Suchismita Sahoo

Abstract Drama

4  

Suchismita Sahoo

Abstract Drama

ଉଚ୍ଚଜାତି

ଉଚ୍ଚଜାତି

4 mins
178


ବାଲେଶ୍ୱର ଜିଲ୍ଲାର ଏକ ଗ୍ରାମରେ ଦୀନବନ୍ଧୁ ଦାସ ନାମକ ଜଣେ ସାହୁକାର ରହୁଥିଲେ। ନାମ ସିନା ଦୀନବନ୍ଧୁ ହେଲେ ସେ ଦୀନ ଓ ଦୁଃଖିଙ୍କର ଶୋଷକ ଥିଲେ। ଜାତିରେ ସେ ବ୍ରାହ୍ମଣ ଆଉ ତା ସାଙ୍ଗକୁ ପାଖରେ ପ୍ରଚୁର ଧନ। ତେଣୁ ନୀଚ୍ଚ ଜାତିର ଲୋକ ଆଉ ଗରିବ ମାନଙ୍କୁ ସେ ପୋକମାଛି ନଜରରେ ଦେଖୁଥିଲେ। ନୀଚ୍ଚ ଜାତିର କେହି ତାଙ୍କ ଘର ସାମ୍ନା ରାସ୍ତା ଦେଇ ଯିବାର ଦେଖିବା କ୍ଷଣି ସେଇଠି ତାଙ୍କୁ ଆଣ୍ଠେଇ ଦେଉଥିଲେ ଆଉ କିଛି ସମୟ ପରେ ସେ ଜାଗାକୁ ଗୋବର ପାଣିରେ ଶୌଚ କରୁଥିଲେ। ଗାଁର ମୂର୍ଖ ଗରିବ ଲୋକଙ୍କୁ ଠକି ତାଙ୍କଠୁ ଟିପ ଚିହ୍ନ ନେଇ ସେମାନଙ୍କ ଜମି ନିଜ ନାମରେ କରିବା କୌଶଳ ଦିନବନ୍ଧୁଙ୍କୁ ବେଶ ଜଣାଥିଲା। ତାଙ୍କର ଗୋଟିଏ ବୋଲି ଝିଅ, ସୁଶୀଳା। ନାମ ଯେମିତି ରୂପ ଓ ଗୁଣ ବି ସେମିତି; ନମ୍ର ଓ ଭଦ୍ର। ପାଠପଢ଼ାରେ ବହୁତ ଆଗୁଆ ଥିଲା ସୁଶୀଳା। ହେଲେ ବ୍ରାହ୍ମଣ ଘରର ଝିଅ ଗାଁଆର ଗରିବ ଓ ନୀଚ୍ଚ ଜାତିର ପିଲାଙ୍କ ସହ ମିଶି ଗୋଟିଏ ସ୍କୁଲରେ ପଢିବା ସାହୁକାରଙ୍କୁ ହଜମ ହେଲାନି। ସେ ସୁଶୀଳାକୁ ଆଉ ଗାଁ ସ୍କୁଲକୁ ଛାଡିଲେନି ବରଂ ସ୍କୁଲ ଆସିଲା ସାହୁକାରଙ୍କ ଘରକୁ। ପ୍ରତିଦିନ ଜଣେ ଦୁଇଜଣ ଶିକ୍ଷକ ଆସି ସୁଶୀଳାକୁ ଘରେ ପଢେଇ ଦେଇ ଯାଉଥିଲେ। ଏମିତି ପଢ଼ାରେ ଶେଷରେ ସୁଶୀଳା ଭଲ ନମ୍ବର ରଖି ଦଶମ ପାଶ୍ କଲା। ଦଶମ ପରୀକ୍ଷା ଫଳ ନ ବାହାରୁଣୁରୁ ଦୀନବନ୍ଧୁ ମୁଣ୍ଡରେ ଝିଅର ବାହାଘର ଭୂତ ପଶିଲା। ଯୋଗକୁ ତା ମନଲାଖି ଗୋଟିଏ ପ୍ରସ୍ତାବ ଆପଣା ଛାଏଁ ତା ପାଖକୁ ଆସିଲା। ପୁଅ ଥିଲା ଜାତିରେ ବ୍ରାହ୍ମଣ ଆଉ ମାସିକ ମୋଟା ବେତନରେ ସୂଦୁର ଆମେରିକାରେ ଚାକିରୀ କରୁଛି। ଏଇଠି ବିବାହ ହେଲେ, ବିବାହ ପରେ ସୁଶୀଳା ଯାଇ ଆମେରିକାରେ ରହିବ ଭାବି ଦିନବନ୍ଧୁର ଛାତି କୁନ୍ଧେମୋଟ ହେଇଯାଉଥିଲା। ତେଣୁ ଆଉ ଆଗ ପଛ କିଛି ନ ବିଚାରି ସୁଶୀଳାର ବିବାହ ସାରିଦେଲା। ଦୀନବନ୍ଧୁ ଦେଖିଥିବା ସ୍ବପ୍ନଭଳି ମାତ୍ର ଦୁଇମାସ ଭିତରେ ସୁଶୀଳା ତା ସ୍ବାମୀ ହରିଙ୍କ ସହ ଆମେରିକା ପଳେଇଲା। ଗୋଟିଏ ବର୍ଷ ଭିତରେ ସୁଶୀଳାର ପୁଅଟିଏ ହେଲା। ଛୋଟ ପିଲାଟିକୁ ଧରି ସୁଶୀଳା ଉଡାଜାହାଜରେ ଆସିବାଟା ଠିକ ହେବନି, ତେଣୁ ଦୀନବନ୍ଧୁ ନାତିକୁ ଦେଖିବାକୁ ନିଜେ ଆମେରିକା ଯିବାର ନିଷ୍ପତ୍ତି ନେଲେ। ଏମିତିରେ ବି ଗାଁଆରେ ପୁଅ ବୋହୂଙ୍କ ବ୍ୟବହାରରେ ବହୁତ ଭାଙ୍ଗିପଡିଥିଲା ଦୀନବନ୍ଧୁ। ଝିଅ ଆଉ ନାତିଙ୍କୁ ଦେଖି ଟିକେ ମନ ହାଲକା କରିବା ଆଶାରେ ସେ ଆମେରିକା ବାହାରିଗଲା। ସେତେବେଳକୁ ଚିନରୁ ଆରମ୍ଭ ହେଇ କିଛି ଦେଶରେ କରୋନାର ପ୍ରଭାବ ଭାରି ମାତ୍ରାରେ ମାଡି ସାରିଥିଲା। ଆମେରିକା ବି ୪-୫ ଜଣ କରୋନା ରୋଗୀ ଚିହ୍ନଟ ହେଇସାରିଥିଲେ। ଏଇ ସମୟରେ ଦିନବନ୍ଧୁଙ୍କର ଆସିବା ତା ସୁଶୀଳାଙ୍କ ସ୍ୱାମୀ କି ଶାଶୁ କାହାରିକୁ ପସନ୍ଦ ନ ଥିଲା। ପ୍ରଥମ ଥର ପାଇଁ ଏତେ ବାଟ ଯାତ୍ରା ଯୋଗୁ ଦିନବନ୍ଧୁଙ୍କୁ ହାଲକା ଜ୍ୱର ହେଇଗଲା। ବୟସର ଅପରାହ୍ନରେ କାଶ ରୋଗ ତା ଦିନବନ୍ଧୁଙ୍କୁ କାହିଁ କେବେଠୁ ମାଡି ବସିଥିଲା। ଏମିତିରେ ତ ସ୍ୱାମୀ ଆଉ ଶାଶୁ ଅନିଛୁକ ଥିଲେ, ତା ସାଙ୍ଗକୁ ଦିନବନ୍ଧୁଙ୍କ ଜ୍ୱର ଆଉ କାଶ ଦେଖି ପୁରା ଖପା ହେଇଗଲେ। କାଳେ କରୋନା ହେଇଛି ଡରରେ, ଦିନ ୨ଟା ନ ଯାଉଣୁ, ଯଥାଶୀଘ୍ର ନିଜ ଗାଁଆକୁ ଫେରିଯିବାକୁ ସିଧାସିଧା କହିଦେଲେ। କହିଲେ ତୁମକୁ ନିଶ୍ଚୟ କରୋନା ହେଇଛି, ତୁମ ପାଇଁ ମୋ ନାତି ଆଉ ମୋ ପରିବାର କରୋନା ରେ ମରିବେ। ତୁମେ ଯେତେ ଜଳ୍ଦି ପାରୁଛ ମୋ ଘରୁ ବାହାର। ଆମେ ତୁମକୁ ଏଠି କଦାପି ରଖିବୁନି। ସ୍ୱାମୀ ଓ ଶାଶୁ ଯାହା କହୁଥିଲେ, ଶେଷରେ ଝିଅ ସୁଶୀଳା ବି ତା ଘରୁ ବାହାରି ଯିବାକୁ ରୋକଠୋକ କହିଦେଲା। ଏମିତି ଅନେକ ଅପମାନକୁ ସହି ନ ପାରି ଶେଷରେ ଦୀନବନ୍ଧୁ ଭାରତ ମୁହାଁ ହେଲା। ସେତେବେଳକୁ ଭାରତ ବି ଥିଲା କରୋନାର ଗର୍ଭରେ। ରୋଗୀ ସିନା ହାତ ଗଣତି କେତେଜଣ ଥିଲେ ହେଲେ ଲୋକଙ୍କ ଭିତରେ ଅମାପ ଭୟର ଛାୟା ବସା ବାନ୍ଧି ସାରିଥିଲା। ଆମେରିକାରୁ ଫେରିଛି ବୋଲି, ପୁଅ ବୋହୂ ବି ଘରଭିତରେ ହୋମ କ୍ବାରେନଟାଇନ ରେ ରହିବାକୁ ଦେଲେନି। ଯୋଉ ସ୍କୁଲରେ ନୀଚ୍ଚ ଜାତିର ପିଲା ପଢୁଥିଲେ ବୋଲି ତାକୁ ଅପବିତ୍ର କହି ସୁଶୀଳାକୁ ଉଠେଇ ନେଇଥିଲା, ଶେଷରେ ଏଇ ସମୟରେ ସେଇ ସ୍କୁଲଘର ହିଁ ତାକୁ ବାସସ୍ଥାନ ଯୋଗେଇଦେଲା। ନୀଚ୍ଚ ଜାତିର ପ୍ରବାସୀ ଓଡ଼ିଆଙ୍କ ସହ ମିଶି ସ୍କୁଲ ଘରେ ୧୪ ଦିନ କ୍ବାରେନଟାଇନ ରେ ରହିବାକୁ ପଡିଲା ଦିନବନ୍ଧୁଙ୍କୁ। କରୋନା ଭୟରେ ପୁଅ ବୋହୂ ଦେଖିବାକୁ ଆସିବା ତ ଦୂରେ ଥାଉ, ଘରୁ ଖାଇବା କରି ବି ପଠେଇଲେ ନାହିଁ। ଜଣେ କେଉଟ, କ୍ବାରେନଟାଇନ ରେ ଥିବା ସଭିଙ୍କ ପାଇଁ ରୋଷେଇ କରି ଦେଉଥାଏ। ପ୍ରଥମେ ଦୀନବନ୍ଧୁ ଖାଉନଥିଲେ। କହନ୍ତି ପେଟ ଚାଖଣ୍ଡ ପାଇଁ ସବୁ ନାଟ। ଭୋକରେ ମାଆ ନିଜ ଛୁଆକୁ ବିକି ଦେବାର କଟା ଶୁଣିବାକୁ ମିଳିଛି। ଆଉ ଏ ଦୀନବନ୍ଧୁ ଭୋକରେ ରହି କେତେଦିନ ନିଜ ଜାତି ଆଉ ଅହଂକାର କୁ ଜାବୁଡି ଧରି ପାରିଥାନ୍ତା। ଶେଷରେ କେଉଟକୁ ତା ଖାଇବା କିଛି ପାଇଁ ଅନୁରୋଧ କଲା। କେଉଟ ଜଣଙ୍କ ଖାଇବା ଆଣି ଦୂରରୁ ଥାଇ ଦିନବନ୍ଧୁଙ୍କ ପାଖକୁ ଠେଲିଦେଲେ ଯେମିତି ଦିନବନ୍ଧୁଙ୍କୁ ଛୁଇଁଲେ କେଉଟର ଜାତି ନଷ୍ଟ ହେଇଯିବ। ଏ ହେଉଛି ସେଇ କେଉଟ, ଯିଏ ଦିନବନ୍ଧୁଙ୍କ ଘର ରାସ୍ତା ଦେଇ ଚାଲି ଯାଇଥିଲେ ବୋଲି ତାକୁ ଖରାରେ ଆଣ୍ଠେଇ ଦିଅ ହେଇଥିଲା ଆଉ ସେ ସ୍ଥାନକୁ ଗୋବର ପାଣିରେ ଧୁଆ ହେଇଥିଲା। ବିଧାତାର ଖେଳ ସବୁ ଇଏ, ଯେଶା କୁ ତେଶା। ଦିନବନ୍ଧୁଙ୍କୁ ଭାରି ଅପମାନ ବୋଧ ଲାଗୁଥିଲା, ସ୍କୁଲ ଘରର କାନ୍ଥ, ଝରକା, କବାଟ ଯେମିତି ଦିନବନ୍ଧୁଙ୍କ ଅବସ୍ଥା ଦେଖି ତାଙ୍କୁ କଟାକ୍ଷ କରି ହସୁଥିଲେ। ବାର୍ଦ୍ଧକ୍ୟ ସାଙ୍ଗକୁ ଏତେ ସମୟର ଧରି ଯାତ୍ରା, ଅହଂ ଭାବ ଯୋଗୁ ୫-୬ ଦିନ ଧରି କିଛି ନ ଖାଇବା ଆଉ ସବୁ ଅପମାନକୁ ସହି ନ ପାରି, ନିଜ ଅପକର୍ମ ପାଇଁ ମନେ ମନେ ଲଜ୍ଜିତ ହେଇ, ଶେଷରେ ସେଇ ସ୍କୁଲ ଘର ଭିତରେ ଦେହତ୍ୟାଗ କଲେ ଦୀନବନ୍ଧୁ। ଉଚ୍ଚ ଜାତି ବୋଲି ବୁଲାଉ ଥିବା ଦିନବନ୍ଧୁଙ୍କର ମର ଶରୀରକୁ ବି କେହି ଛୁଇଁଲେନି, କ୍ରେନ ସାହାଯ୍ୟରେ ତାଙ୍କ ମର ଶରୀର ଉଠା ହେଇ ପୋଡା ହେଲା। ପଇସା ବିଡ଼ାରେ ଅନ୍ଧ ହେଇଥିବା ଦିନବନ୍ଧୁଙ୍କ ମରଣ କାଳରେ ତାଙ୍କ ପାଖରେ ବନ୍ଧୁ ପରିଜନ କେହି ନଥିଲେ। କାହାରି ଆଖିରୁ ଟୋପାଏ ଲୁହ ବି ବାହାରିଲାନି। ପୁଅ ବୋହୂ ମର ଶରୀରକୁ ଦୂରରୁ ଶେଷ ଥର ପାଇଁ ବି ଦେଖିବାକୁ ଆସିଲେନି। ଦିନବନ୍ଧୁଙ୍କ ଏମିତି ଅବସ୍ଥା ଦେଖି, କେହି କେହି ତ କଟାକ୍ଷ କରି କହୁଥିଲେ, ଆରେ ତାର କି ଜାତି ଥିଲା ତ? 


Rate this content
Log in

Similar oriya story from Abstract