ତୁମ ବିନା
ତୁମ ବିନା


ଯା'ର ଆବର୍ତ୍ତନରେ ହୃଦୟ ଆକାଶରେ ମିଠା ମିଠା ଶୂନ୍ୟତା ଚରିଯାଏ,ଯା'ର ଆଖି ନୀଳିମାରେ ସ୍ବପ୍ନର ଅଞ୍ଜନ ଭରିଯାଏ, ଯା'ର ଟିକିଏ ଇସାରାରେ ପ୍ରଣୟର ମଧୁଗୁଞ୍ଜରଣ ଶୁଣାଯାଏ, ଯା'ର ଲାବନ୍ୟ ଜର୍ଜରିତ କଣ୍ଠେ ଆଦିମ ଵନ୍ୟତାର ଛାପ ରହିଯାଏ,ଯା'ର ନୂପୁରର ରୁଣୁଝୁଣୁ ଶବଦରେ ତାରୁଣ୍ୟ ଉବୁଟୁଁବୁ ହୁଏ । ଆଉ ଯା'ର ତନୁ ମନ ଝରା ଶେଫାଳିର ମହମହ ବାସ୍ନାରେ ପୁଲକିତ ହୁଏ ସେ କିଏ ଜାଣନ୍ତି? ସେ ଆଉ କେହି ନୁହେଁ ସେ ମୋ ଅତି ପରିଚିତ କବିତା ସ୍ଵନ , ମୋ ଦରଦୀ ହୃଦୟର ପ୍ରାଣପ୍ରିୟା ଜୀବନ ସ୍ପନ୍ଦନ ଆଉ ସୁନେଲି ଖରା ।
ଆପଣ ଈର୍ଷା କରୁଛନ୍ତି ନା ! କରିବା ବି ସ୍ୱାଭାବିକ କାରଣ ଲେଖନୀ ମୁନରେ ଆଉ କାମନାର ଭିଜା ଭିଜା ତୁଳିରେ ସେ ଥିଲା ମୋର ଶ୍ରୀମତୀ ଶ୍ରୀରାଧା ରାଇବିନୋଦିନୀ । ଝରଣାର ଛନ୍ଦ ନେଇ ସେ ଆସୁଥିଲା ପାଖେ ବସୁଥିଲା ଆଉ ଅନୁନୟଭରା ଦରଦୀ କଣ୍ଠରେ ଅଳି କରୁଥିଲା କବିତା ଲେଖିବାକୁ । ତା' ମନଲାଖି କବିତା ଲେଖିବାରେ ମୁଁ କେବେ କାର୍ପଣ୍ୟ କରିନାହିଁ । ବରଂ ତା' ଇଚ୍ଛାକୁ ପୂରଣ କରିବାକୁ ଯାଇ ମୁଁ ରଚନା କରିଛି ଅନେକ ମନଛୁଆଁ କବିତା । କାରଣଟା କଣ ଜାଣିଛନ୍ତି ? ତାର ଛମଛମା ଛମ ଚାଲି ଆଉ ମୃଗନୟନୀ ଆଖି ଇସାରାରେ ମୁଁ ପୁରାପୁରି ଦିୱାନା ହୋଇଯାଇଥିଲି । ସେ ବି ଅନେକ ଥର ମୋ ଆଖିରେ ଆଖି ମିଶେଇ ସ୍ବପ୍ନର ତାଜମହଲ ଗଢିଥିଲା । ଆଉ ମୃଦୁମଳୟ ଶୀତଳ ସ୍ପର୍ଶରେ ମୋ ଗଣ୍ଡଦେଶରେ ଆଙ୍କି ଦେଉଥିଲା ମିଠା ମିଠା ଚୁମ୍ବନର ବୃତ୍ତାକାର ପରିପଥ । ହେଲେ ଅକସ୍ମାତ ସବୁ ବଦଳିଗଲା । କେଉଁଠି ଥିଲା କେଜାଣି ଅଦିନିଆ ଝଡଟା ଅପ୍ରତ୍ୟାଶିତ ଭାବେ ମାଡି ଆସି ଆମ କଳ୍ପନାର ପ୍ରେମମୟ ସଜଡା ସୁତାଖିଅଟିକୁ ଅଡୁଆ କରିଦେଲା । ନାହିଁ ବର୍ଷା, ନାହିଁ ଶୀତ, ନାହିଁ ବିଜୁଳି ଆଉ ନାହିଁ ଘଡ଼ଘଡ଼ିର ଚମକ । ତଥାପି ଆଣିଲା ନୂଆ ତରଙ୍ଗ... ସେ ବଦଳିଗଲା ବହୁରୂପୀ ଏଣ୍ଡୁଅଟିଏ ଭଳି ;ତା'ର ମନ, ମୁନ, ଚଇତନ କୁଆଡେ ଉଭେଇଗଲା ଶୀତ ସକାଳର କାକର ଭିଜା ପାଣି କୁହୁଡି ପରି । ନବ ଉଚ୍ଛ୍ଵାସରେ ସେ ମାଗିଲା ଦୁଷ୍ମନ୍ତର ଗାଥା ;ଶୁଣିବାକୁ ସେ ଚାହିଁଲା ଶକୁନ୍ତଳାର ବ୍ୟଥା, ଚିର ବିଦଗଧା ରାଧା ମୋ ହୃଦୟର ସଫେଦ ସାଦା କାଗଜକୁ ବିରହ ଛୁରୀରେ କାଟି ଟୁକୁରା ଟୁକୁରା କରିଦେଲା... ।
ହଠାତ ଜୀବନ ଆକାଶେ ଘୋଟିଗଲା ଦୁଃସମୟର କଳା ବାଦଲ । ସେ ଖସି ଗଲା ମୋ ଆଖି ଇସାରାରୁ, ସ୍ବପ୍ନର ଜହ୍ନରାଇଜରୁ ଆଉ ପ୍ରେମମୟ ହୃଦୟ ଇଲାକାରୁ । ତା 'ଠୁ ପାଇଲିନି ଆଉ ଆଗଭଳି ଉତେଜନା କବିତ୍ଵ ପ୍ରେରଣା । ଲିଭିଗଲା ସ୍ବୀକୃତିର ଟୋପାଏ ସିନ୍ଦୁର ଆଉ ସଂମାନର ଦୁଇ ପଟ ସଂଖା । ସେ କହିଲାନି କଥା ଲଜ୍ୟାର ଅବଗୁଣ୍ଠନ ତଳେ । କପାଳରେ ଚନ୍ଦନ ଟିପା ଆଉ ମଥାରେ ହାତେ ଲମ୍ବର ଓଢଣୀ ଟାଣି ସେ ନୂଆ ବୋହୁପରି ଚାରିକାନ୍ଥ ଭିତରେ ଅଣନିଶ୍ଵାସି ହୋଇପଡେ । ସେ କବିତା ପଢେ ଆଉ ମୁଁ ବସି ଶୁଣେ.. ଖାଲି ସେତିକି ନୁହେଁ ସେ ନିଜର ଯୌବନୟୀତ ରୂପଲାବନ୍ୟକୁ ଖୋଜି ବୁଲେ ମୋ କବିତାର ପ୍ରତିଟି ପଂକ୍ତିରେ... ।
ଗଞ୍ଜାମ କବିତା ସମାରୋହରୁ ଫେରିବା କ୍ଲାନ୍ତ ମୁହୂର୍ତ୍ତର ଧୂଳି ଧୂସର ସଞ୍ଜ ମନ୍ଦମଳୟ ପରିବର୍ତ୍ତେ ମୋ ଜୀବନ ବେଳାଭୂମିରେ ଆଣିଦେଲା ଅଦିନିଆ ମରୁଝଡ । ହଜିଲା ଅତୀତ ମୋତେ ଦୁଃଖଦେଲା । ବର୍ତ୍ତମାନ ମୋତେ ତାଛଲ୍ୟ କଲା ଆଉ ଅଜଣା ଭବିଷ୍ୟତ ମୋ ଆଖି ଠାରି ଦାନ୍ତରଗାଡୀଲା । ତା 'ଗାଁ ଦାଣ୍ଡେ ପାଦ ଥାପୁ ଥାପୁ ତା ଖୋଜିଲା ଆଖିର ବାଙ୍କ ଚାହାଣି ମୋତେ ଅମୋଦିତ କରିବ ଆଉ ତା ସ୍ବପ୍ନର ରଙ୍ଗୀନ ପରିବେଶ ମୋତେ ବଧେଇ ଜଣାଇବ । ହେଲେ ହାୟ... ସମୟର କଷଟି ପଥରରେ ଅଙ୍କ କଷୁ କଷୁ କେମିତି କେଜାଣି ସବୁ ଅଙ୍କ ମୋର ଭୁଲ ହୋଇଗଲା । କୁଳ କିନାରା ନ ଖୋଜି ପରିସ୍ଥିତିର ଦାସ ସାଜି ନିରବ ଭାବୁକ ପରି ଅତୀତକୁ ଆଲିଙ୍ଗନ କରି ଖୁସିହେଲି । ଯାହା ମୋ ପାଇଁ ଥିଲା କୁହେଳିକା ଆଉ ପ୍ରହାସନର ପସରା । ଆଉ ଯାହା ଅଦିନିଆ କାଳ ବୈଶାଖୀ ଝଡ଼ପରି ମୋ ମନ ବଗିଚାର ଛାନ ଛନିଆ କାକର ଭିଜା ଘାସ ଗାଲିଚାରେ ଆସି କୁଠାରଘାତ କଲା । ଅତୀତର ଅନ୍ଧାରରେ, ବୁଲା କୁକୁର ମାନଙ୍କ ଭୟାତୁର ରାବରେ ଆଉ ଝିଙ୍କାରି ମାନଙ୍କ ଚିଂ ଚିଂ ଶବ୍ଦରେ ସେ ପୁରୁଣା ସମ୍ପର୍କର ସମସ୍ତ ସତା ଆତ୍ମହତ୍ୟା କଲା । ମୋ ହୃଦୟର ନଈ ପଠାରେ ଗଢି ଉଠି ଥିବା ମିଛି ମିଛିକା ବାଲିଘର, ପିଲାଦିନର ସେଇ ଧୋବା ଚୁଲି ଆଉ କଉଡିଆ ମାଳ ଆମ୍ବ ତୋଟାର ଘୋ. ଘୋ..ରାଣୀ ଖେଳ ସବୁ ଦିବା ସ୍ବପ୍ନ ପରି ମୋ ମନ ଆକାଶୁ କୁଆଡେ ଉଭେଇ ଗଲା ।
ସେଦିନର ସେଇ ନିଶୁନ ରାତିର ପ୍ରଲେପିତ କଳଙ୍କର ଗାଥା ମୁଁ ମୋ ପର୍ଣ୍ଣ କୁଟୀରରେ ଶୁଣିଥିଲି । ତୁମେ ମୋ ଜାଗତିକ ଜୀବନର ମଧ୍ୟାହ୍ନରେ ଅଚାନକ ପଗୁଣର ଫୁଲ ଆଣି ମୋ ପଞ୍ଚବଟୀରେ ଭରିଦେଲ ରୂପ, ରସ ଓ ସଂଗୀତ । କଳ୍ପନାର ରାଣୀ ଥିଲ ଦିନେ । ଭାବନା ରାଇଜରୁ ଅପସରି ଗଲ I ମୋତେ କନ୍ଦାଇଲା । ମୋ ମୃତ ବାସନାର ସବାର ଉପରେ ଅର୍ଥଙ୍କରୀ ଇଚ୍ଛାର ବରଯାତ୍ରୀ ସହ ତୁମେ ଚାଲିଗଲ ଅଜଣା ଅଙ୍ଗନେ । ତୁଛା ଖାଲି ବଂଚିବାର ଗୋତି ନେଇ ଦଦରା ଲଣ୍ଠନ ସମ ପ୍ରାଣ ଫିତା ଜାଳି ଜାଳି ବଞ୍ଚି ରହି ଅଛି... ତଥାପି ମନର ସେ ଲଣ୍ଠନ କାଚକୁ ତୁମ ସ୍ମୃତିର କଳା ପରସ୍ତ ପୋଛିବାକୁ ହାତ ଯାଉନି କି ଇଚ୍ଛା ହେଉନି । କାହିଁକି ଜାଣ !! କାରଣ ମୁଁ ତୁମ ବିନା ଗୋଟେ ମୁହୂର୍ତ୍ତ ବି ବଞ୍ଚିପାରିଵିନି । ଆଜି ବି ମୁଁ ତୁମକୁ ଭଲ ପାଉଛି, ଆଉ ଆଗାମୀ ଦିନରେ ମଧ୍ୟ ଭଲ ପାଉଥିବି । ଆଜି ତୁମେ ମୋ ହଜିଲା କବିତ୍ୱ ନିଜକୁ ସଜାଡି ନେବାର ଦାୟୀତ୍ବ । ଏବେ ମୋ ପ୍ରତୀକ୍ଷାରେ ହତାଶର ଚୋରାବାଲି, ସଦାବସନ୍ତ, ମୋ ମନ ପ୍ରାଣେ ବିରହର ବର୍ଷା ଋତୁ ତଥାପି.. ତଥାପି ମୁଁ ପାରୁନି ତୁମକୁ ଭୂଲି । ସତେ ପ୍ରିୟା ଚିର ଅଭିମାନୀ ପ୍ରାଣର ପ୍ରତିମା କେମିତି କହିବି କୁହ ମୁଁ ବଞ୍ଚିବି ତୁମ ବିନା ଆରେ କୁହ.. ପ୍ଲିଜ କୁହନା... କେମିତି ବଞ୍ଚିବି ମୁଁ ତୁ..ମ.. ବି.. ନା.. ।