ଟିଓ
ଟିଓ
ପ୍ରାୟ ସବୁଦିନେ ଏଠିକୁ କିଏ ନୂଆ ଆସୁଥାନ୍ତି ଆଉ କିଏ ବାହାରିଯାଉଥାନ୍ତି ।ପ୍ଯାକର ମୁଭର ବାଲେ ସବୁବେଳେ କାର୍ଟୁନ ଖୋଳ ,ଥାର୍ମୋକୋଲ୍ ଆଉ ବବଲ୍ ପେଟି ସବୁ ଖୋଲୁଥାନ୍ତି ଆଉ ସାଇତିକି ବାନ୍ଧୁଥାନ୍ତି । ଏଇ ତ ପାନ୍ଥଶାଳା ପୃଥିବୀ ଆଉ ।
ଲୋକେ ଆସିବେ,ରହିବେ, ଫେରିଯିବେ ଆଉ ନୂଆ ଆସିବେ ପୁଣି ଚାଲିଯିବେ ।
ଆମ ଆପାର୍ଟମେଣ୍ଟରେ ମ ,ନିତିକିଆ କଥା । ଶହେ କୋଡିଏ ସରିକି ପରିବାର ।କୋଡିଏଙ୍କୁ ଯଦି ଚିହ୍ନିଥିବ, ଥିବ ।ଘରବାଲା ସବୁ ବିଦେଶରେ ଆଉ ତାଙ୍କ ଘର ମାନଙ୍କରେ
ଅଧେ ତ ଟେନାଣ୍ଟ, ଆଉ ଅଧେ ବ୍ଯାଚଲର୍ ।ଏମାନେ ଅଦୃଶ୍ୟ କହିଲେ ଚଳେ ।
ତେଣୁ ଏ ଯା' ଆସ ଭିତରେ ଯାହା ଭାବ ପୀରତି ଯୋଉଠି ଗାଢ ହେଲା ଯେତେ ମାତ୍ରାରେ ହାଏ ,ବାଏ ଯାଏ ।ଚଳେଇ ଚାଲିବା କଥା ।ବାହାର ଜାଗା ।ପରିବାର କହିଲେ ଏଇ ମାନେ ହି ତ ।ନହେଲେ ପାଣି ଠୁ ପବନ କିଣା ଯାଗାରେ ଆପଣାର ମିଠା ଦି ପଦ ଶୁଣିବାକୁ ଶହେ କୋଶ ସେପାରି ଗାଁ କୁ ଯିବାକୁ ସବୁବେଳେ ସୁବିଧା କାଇଁ !
ପିଲେ ଫେଣ୍ଟା ଫେଣ୍ଟି ଭାଷାରେ କଥା ହୁଅନ୍ତି ନହେଲେ ଇଂରାଜୀ । ତଳେ ମିତ ବସନ୍ତି ନିତି ନୂଆ, ଉଡିଗଲେ ବସା ସହ ପକ୍ଷୀ ଦିନାକେତେ ଝୁରି ହୁଅନ୍ତି ଅଳ୍ପ ଦିନର ଗଳ୍ପ କୁ ..... ପୁଣି ନୂଆ ସାଙ୍ଗ ଭେଟନ୍ତି ଆଉ ହସନ୍ତି ଝୁରଝୁରୀ ବାଣ ପରି ।
ସେଦିନ ଏ ଦିହେଁ ବଡ ଖୁସି ରେ ସଞ୍ଜ କୁ ଘରକୁ ଫେରିଲେ ।ଚପଲ ରଖିଲା ବେଳୁ ଯେ ଘରପାଠ ସାରି ରାତି ଗପ ଶୁଣିବା ଯାଏଁ ପାଟିରେ ଆଉ ବାଟୁଳି ବାଜୁ ନଥାଏ । ଖାଲି ବୋଉ ଟିଓ ଏଇଆ କଲା, ସେଇଆ କଲା,ଏମିତି ଖେଳିଲା, ସେମିତି ଡେଇଁଲା ।
ଏବେ ଆଉ ଦିନ ଚାରି ନ ବାଜୁଣୁ ଜାଗତିଆର, " ବୋଉ ଆମେ ତଳକୁ ଯିବୁ? ଟିଓ ଆସିବଣି ।"
ଟିଓ ଗୋଟେ କି ନାଆଁ ମ , କୌତୁକିଆ ଶୁଭୁଛି ଯେ ହେଲେ " ଟିଓ " । ଏବେ ତ ସବୁ ସ୍ବତନ୍ତ୍ର ହେବାର,କରିବାର,ଦେଖେଇବାର ଯୁଗ । କେତେବେଳେ ଆଉ ନ ଥିଲା ଯେ !
ଏ ଟିଓ ପୁରାଣ ଏବେ ଭଜନମାଳା ପରି ନିତିଦିନିଆ ଚାଲିଲା ।
ସେଦିନ ଆସି କହିଲେ ," ବୋଉ ଆମେ ନା ଟିଓ ଘରକୁ ଯାଇଥିଲୁ ।ଆଣ୍ଟି ଡାକିଲେ । ତାର କେତେ ଖେଳନା !" ଏଇଟା ,ସେଇଟା ଖେଳନା ତାଲିକା ଲମ୍ବିଲା ।
ସେମିତି ରେ ନ କହି କୁଆଡେ ଯାନ୍ତିନି ଯେ ଅଳିକ ସମୟର ଚାଲ୍ ରେ କୋଉ କଥା କେତେବେଳେ ଆକର୍ଷି ନେଇପାରେ ।ସେଥିକୁ ଲଗାମ୍ କାହିଁ ।
ମୁଁ ଟିକେ ମିଛ ଆକଟ କଲି ଯେ " ନ ପଚାରି ନ ଜଣାଇ ଯିବନି କାହା ଘରକୁ କହିଥିଲି ନା ।" ଏବେର ସମୟ ଯାହା ମାଆ ବାପାଙ୍କ କଲିଜା ବା କେତେ ଟାଣ ହବ ! ଯେତେ ହେଲେ ମଣିଷ ତ । ମୁହଁ ଶୁଖେଇ ପିଲେ କହିଲେ ," ଆଣ୍ଟି ଅଙ୍କଲ ବହୁତ ଭଲ ବୋଉ ।" ଭଲ ତ ଉପରୁ ସମସ୍ତେ ଦିଶନ୍ତି ଧନ ! ନୀରିହ ହରିଣଶାବକ ବି ଅପରୂପ ଠାଣି ଦମ୍ଭିଲା ସିଂହ କୁ ଦୂରରୁ ଦେଖି "ଆହା କି ସୁନ୍ଦର ନା ମାଆ " କହୁଥାଇପାରେ ।ହରିଣୀ ର ଭୟ ହରିଣୀ ହି ଜାଣେ ।ଶିଶୁ ମାନେ ତ ଶିଶୁ । କାଚକେନ୍ଦୁ ପାଣି । ନାଲି ଆଖି ଦେଖେଇବା ଛଡା ଆଉ କଣ ବାଟ ।
" ମନା କଲି ଥରେ ।"
ଫଗୁଦଶମୀ ।
ରଙ୍ଗ ଉଡୁଥାଏ ସାରା ସହରର ମନ ସାରା।
ଏଥର ପାଣି ଖେଳ କୁ ମହାମାରୀ ରୋକିଛି ।
ଭାବିଲି ନୂଆ ଯିଏ ଆସିଛନ୍ତି, ପିଲେ ଏତେ ଆଗ୍ରହ କରୁଛନ୍ତି ଟିକେ ଦେଖିଆସେ କିଏ କେମିତି ମଣିଷ । ଯଦି ହୋଲି ଖେଳ ହୁଏ ନିମନ୍ତ୍ରଣ ପଠେଇବା ।
ମୁଁ ସେମିତିରେ କଥା କହି ଜାଣେନି ବୋଲି ମତେ ପୁରା ନ ଜାଣିଥିବା ମଣିଷ ଙ୍କ ଠାରୁ ଦୂରେଇ ରହେ । କାହିଁକି ଗୁଡପାଣି ଭଳିଆ ଗୋଳେଇ ହେବି ନା ଢୋକି ହବ ନା ଛାଣି ।ତଥାପି ବାହାରିଲି ।
ତଳେ ଯାଇ ଦେଖେ କେହି ପିଲା ନାହାନ୍ତି ।ଛନକା ଲାଗିଲା ।କିରେ ଗଲେ କୁଆଡେ ।ପାଦ ବୁଲେଇଲି ତରତର ଏ ବ୍ଲକରୁ ସେ ବ୍ଲକ ।ଆଉ ଦିଟି ପିଲା ତରବରରେ ସାଇକେଲ ରଖୁଥାନ୍ତି ।ମତେ ଦେଖି ଆଗୁଆ ଖବରି ପରି କହିଲେ, " ଆଣ୍ଟି ସମସ୍ତେ ଟିଓ ଘରେ ।ଆମେ ବି ଯାଉଛୁ ।"
କି କିମିଆଁ କଲା ଏ ଟିଓ କି !
ମୁଁ କହିଲି ," ରହ ରହ ମତେ ବି ସାଙ୍ଗରେ ନବ କିରେ ? "
ପିଲେ ରାଜି ହେଲେ । ଲିଫ୍ଟ ସାରା ଟିଓର ପ୍ରଶଂସା ।ଚାରିତାଲା ଉପରେ ରହିଲା ଲୁହା କବାଟ ଫିଟିଲା ।
ଦଉଡିଗଲେ ପିଲେ ।ତାଙ୍କ ପଛେ ପଛେ ମୁଁ ।ଗୋଟିଏ ଦୁଆର ପାଖରେ ନାଲି, ନେଳି, ହଳଦୀ କୁନି କୁନି ଚପଲ ମାନ ଓଲଟପାଲଟ ପ୍ରଜାପତି ଡେଣା ଆଉ ଫୁଲଚୁନା ପରି ଖେଳେଇ ହେଇଥାନ୍ତି ।ଘର ଭିତରୁ ଶୁଭୁଥାଏ ସୁନା ସୁନା ହସର ଫୁଆର । ମୋ ସହ ଆସିଥିବା ପିଲେ ଏକା ହନୁ ଡିଆଁ କେ ଭିତରେ ।ଆମେ ପରା ବଡ ହେଲୁଣୁ ।ଏମିତି କଣ ପଶିଯାଇହବ କାହା ଘରେ ! ତେଣୁ ମୁଁ ଏରୁଣ୍ଡି ବନ୍ଧ ଠି ଅଟକିଲି ।ଏ ଟିଆଁ ମାଙ୍କଡ ଦିଟା ବି ଭିତରେ ଯାଇ କହିବା ଶୁଭିଲାନି ଯେ ଆମ ସାଙ୍ଗରେ ଆଉ ଜଣେ ଆସିଥିଲେ ।ଆଗ ପଛ ହେଇ ଭାବୁଛି କଲିଂ ବେଲ୍ ଟିପିବି, ଦେଖିଲି ଛକି ଚିହ୍ନ ସହ ହସୁଥିବା କଣ୍ଢେଇ ମୁହଁ ଟିଏ ଧରିଛି ଏକ କାଗଜ ପଟା ଯୋଉଥିରେ ଲେଖାଅଛି, " ପ୍ଲିଜ ବଜାନ୍ତୁନି, ଟିଓର ଯତ୍ନ ସକାଶେ ।"
ହେଁ ! ଏ ଭିତରେ ," ଆସନ୍ତୁ ନା ଦିଦି ମୁଁ ଆପଣଙ୍କୁ ଦିଦି ଡାକିପାରିବି ତ । " ବୋଲି କିଏ ସୁନ୍ଦର ସ୍ବର ରେ ଡାକିଲେ ।ଦେଖେ ତ ଶୁଶ୍ରୀ, ତନ୍ବୀ, ପରିଛନ୍ନ ପରିପାଟିର ଝିଅଟିଏ ।ହସଟି ଖୁବ୍ ମାନୁଛି ।ଆଉ ହସ ତ ହୃଦୟ ଦେଇ ସଂଚରେ ହି ।
ଏବେ ମୁଁ ତାଙ୍କ ସୋଫାରେ ।ସିଏ ବହିଯାଉଛି ମୋ ଆଗରେ ଝରଣା ଟିଏ ପରି ଯେମିତି କେତେ ଜନ୍ମ ରୁ ଚିହ୍ନା ।ମୁଁ ଶୁଣୁଥାଏ ଏକଲୟେ ।
ତାଙ୍କ ଘର ସାରା ହରେକ ରକମ ଖେଳାନା ବୁଣି ହେଇ ପଡିଥାଏ ଡେଣା ଖେଳେଇ ।କାନ୍ଥରେ ବାହା ବେଳର ଫ୍ରେମ କରା ହସ ହସ ଫଟୋ ଆଉ କେତୋଟି ଆଧୁନିକ କାନଭାସ ଛବି ।କୋଣକୁ ଫୁଲଦାନୀ ଆଉ ଲ୍ଯାମ୍ପ ଲାଇଟ୍ ।
ଭିତର ଘରେ ପିଲେ ।ମୋ ଆଖି ତାଙ୍କୁ ଖୋଜୁଥାଏ ।ଶବ୍ଦ ବାରୁଥାଏ ।ହେଲେ ଭଦ୍ରାମୀ ଦୃଷ୍ଟି ରୁ ବସିଥାଏ ।ପ୍ରଥମ ଥର ଆସିଛି ଯେତେବେଳେ ।
ସିଏ ବଡ ପ୍ଲାଷ୍ଟିକ ଡାଲାଟିଏରେ ଖୁସି ଖୁସି ବିଛାଡି ପଡିଥିବା ଖେଳନା ସବୁ ଉଠଉ ଉଠଉ ଗପୁଥାଏ ତାର ଏଇ ଆରମ୍ଭ ହେଇଥିବା ଜୀବନ କାହାଣୀ ।
ଏବେ ମୋ ପାଖରେ ବସିଥାଏ ସିଏ ।ଗୋଟେ ହାତରେ ଭରା ଡାଲା ଝୁଲୁଥାଏ ।ଆର ହାତଟି ମୋ ହାତ ଉପରେ ଥୋଇ ଥମ୍ ହେଇଗଲା ଏଇ ଏଇ ଚଞ୍ଚଳ ଚଢେଇ ପରି ଏଇ ଟିକକ ଆଗରୁ ଚିଁ ଚିଁ କଥାକହୁଥିବା ଝିଅ ଟି ।
ଢଳ ଢଳ ଆଖି ତାର ଛଳ ଛଳ ,ଏଇ ସତେକି ଏବେ ଝରିପଡିବ । ମୁଁ ଆଶ୍ଚର୍ଯ୍ୟ ହେଲି ।
କୁନି ଝିଅ ଟିଏ ପରି କହିଲା, " ପିଲା ମାନଙ୍କୁ ଟିକେ ମୋ ଘରକୁ ଆସିବାକୁ ଦିଅନ୍ତୁ ଦିଦି ।ଏଇ ପିଲେ ସମସ୍ତେ ଆସୁଛନ୍ତି ବୋଲି କିଛି ସମୟ ପାଇଁ ପଛେ ହଉ ମୋ ଘର ପୁରି ଉଠୁଛି ।ଏଇ ହସ ଶବ୍ଦ ଟିକେ ପାଇଁ ମୁଁ ଖୁବ୍ ଝୁରିଛି ଦିଦି ।ଖୁବ୍ କଷ୍ଟ ସହିଛି ।ଆଇ ଭି ଏଫ୍ ଠୁ ଇନଫର୍ଟିଲିଟି ର କଷ୍ଟ ଦାୟକ ଇଞେକସନ ଯାଏଁ ସବୁ ଚେଷ୍ଟା ଚାଲିଛି । ଯେତେ ମନ୍ନତ, ଓଷା, ସବୁ ସବୁ ପ୍ଲିଜ୍ ଦିଦି ।"
ସିଏ ସେଯାଏ ମୋ ହାତ କୁ ଜାବୁଡି ଧରିଥାଏ ।
" ଆପଣ ତ ଦିଦି ପରି ମୋର ।ମୋ କଥା ବୁଝି ପାରିବେ ବୋଲି ମୋର ଆଶା ।"
ମୋ ଭିତରେ ମୁଁ ଫେରିଯାଉଥାଏ ଆଠ ନଅ ବର୍ଷ ତଳକୁ ।ଏଇ ସବୁକୁ ମୁଁ ବି ତ ପହଁରି ଆସିସାରିଛି ।ଜାଣିଛି ତ ଘାସ ବି କଣ୍ଟା ପାଲଟି କାଟି ଦେଇପାରେ ତଳିପା ।
ମତେ ଦିଶିଯାଉଥିଲା ସେଇ ସବୁ ବ୍ଯାକୁଳତାର ଦିନ ।ହଠାତ୍ ମୋ ଭାବନାରୁ ଓଟାରି ଆଣିଲା ପିଲାଙ୍କ ଦଉଡା ଦଉଡି ଆମ ଚାରିପଟେ ।ଘେରିଗଲେ ସମସ୍ତେ ଆଣ୍ଟି ଆଣ୍ଟି କରି ତାକୁ ।ସିଏ ମୋ ପାଖରୁ ଉଠିଯାଇ ପିଲାଙ୍କ ମଝିରେ ପରୀଟିଏ ପରି ଝୁମୁଥିଲା ।ସମସ୍ତଙ୍କ ହାତରେ ମିଠେଇ ଗୋଟେ ଗୋଟେ ଗୁଞୁଥିଲା ।ମିଠାପଣ ଭରୁଥିଲା ।
ଖୁସି ମାନେ ତେବେ ଏମିତି ଦିଶନ୍ତି ।ମୋ ଆଖି ସାରା ଉଷୁମ ଛଳଛଳ ପାଣି ।
ସବୁ ପିଲାଙ୍କୁ ଦେଖୁଥାଏ । ଚିହ୍ନା ଫୁଲର ମୁହଁ ତକ ।
ହେଲେ ୟାଙ୍କ ଭିତରେ ଟିଓ କିଏ ? ଏ ଝିଅଟିର ସନ୍ତାନ ଟି ,ଯିଏ ସବୁରି ଆକର୍ଷଣ ର କେନ୍ଦ୍ର ଯିଏ ଟାଣି ଆଣିପାରିଛି ଏଇ କଥାକୁହା କଣ୍ଢେଇ ତକଙ୍କୁ ଏଠିକି ।ଝିଅ ଟି ତ କିଛି ଅଲଗା କଥା କହୁଥିଲା ଏବେ ଏବେ ।ତେବେ ଟିଓ ?
" ହୋମ୍ ଟାଇମ୍, ହୋମ୍ ଟାଇମ୍ " ପାଟି କରି ଏକା ସାଙ୍ଗେ ବସା ବାହୁଡା ପକ୍ଷୀ ଶାବକ ତକ ଉଡିଗଲେ ।
ସିଏ କହିଲା, " ଟିଓ ହାଏ କହ ଆଣ୍ଟିକୁ ।ଚଲୋ ଗୁଡ୍ ବୟ ସେ ହାଲୋ ! ଆଣ୍ଟି ।"
ତାର ଏମିତି ମଧୁର ଶାସନ କରା ସ୍ବର ସହ କୋଳରେ ଜିନ୍ସ ହାଫ୍ ପ୍ଯାଣ୍ଟ, ସୁନ୍ଦରିଆ ଟି ସାର୍ଟ ,ଆଉ ପାଦ ସବୁରେ ସୁନେଲି ଜିପର୍ ଦିଆ ଭେଲଭେଟ୍ କଳାଜୋତା, ଆଖି ରେ ଗଗଲ୍ ପିନ୍ଧା ଟିଓ ।
ତାର ଚାରିଗୋଡରେ ମୋ ଉପରକୁ ଗେଲେଇ ହେଇ ଚଢି ଆସିଲା ଆଉ ପାପୁଲି କୁ ଆଦରରେ ଚାଟିବାକୁ ଲାଗିଲା ।ଆଉ ମୋ ପରଚକ୍ଷୁ ( ଚଷମା ) ଟିକୁ ଟାଣିବାକୁ ଲାଗିଲା ।
ସିଏ ପୁଣି କହିଲା," ଏବେ ଡାକ୍ତର କହିଛନ୍ତି କିଛି ଗଛ ଆଉ ପୋଷା ପ୍ରାଣୀ ଟିକୁ ନିଜ ଶିଶୁ ପରି ସମାନ ଯତ୍ନ କରି ବଢେଇବାକୁ ହେବ ।ଇଏ ତ ଏବେ ମୋ ଜୀବନ ଦିଦି ।ଦେଖୁନାହାନ୍ତି କେଡେ ନଟଖଟ ହେଇଛି ! "
ପୁଣି କହିଲା "ଦିଦି ସନ୍ତାନ ଟିଏ ପାଇଁ ନିଷ୍ଠା ଭରା ଆକାକ୍ଷାଂ ସହ ପ୍ରାର୍ଥନା ଟିଏ ସବୁରି ଭିତରେ ସନ୍ତାନ ଟିକୁ ତ ଦେଖେଇ ପାରେ । ନା ! "
ମୁଁ କହିଲି ," ହଁ ରେ ତା ସହ ତୁମକୁ ମାଆ କରିଦିଏ ଜଗତର। ଭଲରେ ଥାଅ । ମୁଁ ଆସୁଛି ଏବେ । ଆମ ଘରକୁ ଆସ କେବେ ।ଭଲ ଲାଗିବ । ଏଇ ତ ଦି ଦିନେ ହୋଲି ।ସେଦିନ ହି ଆସ ସମସ୍ତେ । " ଏବେ ତା ' କୋଳକୁ ତା ଟିଓକୁ ବଢେଇ ଦେଇ ମୁଁ ବାହାରୁଥିଲି ହସଟିକୁ ପିନ୍ଧି କି ମୋ ଶାଢୀ କାନି ଟି ଝିଙ୍କି ହେଲା ।ତଳକୁ ଚାହିଁ ଦେଖେ ଟିଓ କାନି କୋଣ ଟି ଦାନ୍ତରେ କାମୁଡି ଧରି ଝିଙ୍କୁଛି । ଧିରେ କି ତା ଦାନ୍ତରୁ ମୁକୁଳେଇ ଆଣୁ ଆଣୁ ତା' ଆଖିରେ ଶିଶୁର କୋମଳତାଟି ବାରି ହେଇପଡୁଥିଲା ।