ଟାଉଟର
ଟାଉଟର
ମାତା କଟକଚଣ୍ଡୀଙ୍କ ସମ୍ମୁଖରେ ଭକ୍ତି ଅର୍ଘ୍ଯ ଅର୍ପଣ କରି ଗଦଗଦ ହୋଇ ଭକ୍ତଗଣଙ୍କୁ ଠେଲାପେଲା କରି ଗାଡି ପାଖକୁ ଲମ୍ବା ପାହୁଣ୍ଡ ପକାଇ ମୁଁ ମାଡି ଚାଲିଥିଲି। ମୋ ପାଖରୁ ଧକ୍କା ଖାଇଥିବା ଭକ୍ତମାନେ ମାତାଙ୍କ ବନ୍ଦନା କରିବା ସହିତ ମୋ ପାଇଁ କିଛି ବିଶେଷ ବନ୍ଦନା କରୁଥିବାର କାନରେ ପଡୁଥିଲେ ମଧ୍ଯ ଗାଲୁଆମି କରି ଚାଲି ଆସିବାକୁ ହେଲା; ନୋହିଲେ ଧକ୍କା ମୁକ୍କା ରୂପକ ପ୍ରସାଦ ଦେବାରେ କେହି ଅବହେଳା କରି ନଥାନ୍ତେ। ମୋଟର ସାଇକେଲରେ ଚଢିବାକୁ ଉଦ୍ଯତ ହେବା ବେଳକୁ କାହାର ଧିର ମଧୂର ସ୍ବର ଶୁଣି ଦଣ୍ଡେ ରହିଗଲି। ଦେଖିଲାବେଳକୁ ଜଣେ ମଧ୍ଯବୟସ୍କ ଭଦ୍ରବ୍ଯକ୍ତି ଅଣ୍ଟାର ଉପର ଅଂଶକୁ ମୋ ଆଡକୁ ଝୁକାଇ ଅତ୍ଯନ୍ତ ଭକ୍ତି ସହକାରେ କହିଲେ-- ଆଜ୍ଞା ନମସ୍କାର। ଯାହାହେଉ, ଏତେ ଦିନ ପରେ ଆପଣଙ୍କ ସହ ଦେଖା ହୋଇଗଲା। - - କେମିତି ଅଛନ୍ତି ଆପଣ?
ତାଙ୍କ ମୁହଁର ଉତ୍ସୁକତା ଓ ଭକ୍ତିରେ ଭଟ୍ଟା ପକାଇ "ତୁମେ କିଏ? ମୁଁ ଜାଣିନି" ବୋଲି କହିବାକୁ ଜିଭ ଲେଉଟିଲାନି। ତେଣୁ ମୁଁ ମଧ୍ଯ ଅନୁରୁପ ଆଗ୍ରହର ସହକାରେ କହିଲି-- ଆରେ ଆପଣ ! ସତରେ ତ ବହୁତ ଦିନ ହେଲାଣି ଦେଖା ସାକ୍ଷାତ ହୋଇନି। କାମ ଚାପରେ ସତରେ ମଣିଷ ଏମିତି ବୁଡି ରହୁଛି ଯେ ନିଜ ଲୋକଙ୍କୁ ସମୟ ଦେଇ ହେଉନି।
ଲୋକଟି ଟିକେ ଅପ୍ରସ୍ତୁତ ହୋଇ ମୁଣ୍ଡ କୁଣ୍ଡାଇ ମୋ ମୁହଁକୁ ବଲବଲ କରି ଚାହିଁଲା। ତାକୁ କିଛି କହିବାର ସୁଯୋଗ ନ ଦେଇ ମୁଁ ପଚାରିଲି- - ଆଉ ଘରେ ସବୁ କେମିତି ଅଛନ୍ତି। କୁଆଡେ ବୁଲାବୁଲି କରିବାକୁ ଆସିଥିଲେ ନାଁ କଣ? ମାଆଙ୍କ ଦର୍ଶନ ସାରିଲେଣି?
- - ହଁ ଆଜ୍ଞା ଟିକେ ବଜାର ଆସିଥିଲି। ପୁଅ ପାଇଁ ସେରେଲାକ୍ ନେଇ ଯାଉଛି। ଯାହାହେଉ ମାଆଙ୍କ କୃପା, ଏତେ ଦିନ ପରେ ଆପଣଙ୍କ ସହ ଦେଖା ହୋଇଗଲା। ମୋତେ କେତେ ଖୁସି ଲାଗୁଛି କେମିତି କହିବି ଭାଷା ପାଉନି। ଏମିତି କିଛି ଏପଟ ସେପଟ କଥାବାର୍ତ୍ତା କରିବା ପରେ ଲୋକଟି କହିଲା - - ଆଜ୍ଞା ଖରାପ ଭାବିବେନି। ମୋ ପାଖରେ ପାଞ୍ଚଶହ ଟଙ୍କିଆ ନୋଟ ଖଣ୍ଡେ ଅଛି। ଯେତେ ଚେଷ୍ଟା କଲେ ବି କେହି ଖୁଚୁରା ଦେବାକୁ ନାରାଜ୍। ଯଦି ଆପଣ ମୋତେ ପଚାଶ ଟଙ୍କିଆ ଖଣ୍ଡେ ଦିଅନ୍ତେ.....ଏତିକି କହି ସେ ପାଞ୍ଚଶହ ଟଙ୍କିଆ ନୋଟ୍ ଟି ମୋ ଆଗରେ ନହନହ କରି ହଲାଇଲା।
ମୁଁ ଅବିଳମ୍ବେ କହିଲି ଆରେ ଚାଲନ୍ତୁ ଏତେ ଦିନ ପରେ ଦେଖା ହୋଇଛି। ଆଗ ଟିକେ ଥଣ୍ଡାପାନୀୟ ପିଇନେବା। ଚିହ୍ନା ପରିଚୟ ଲୋକଙ୍କ ସହ ଏତେ ଦିନ ପରେ ଦେଖା ହେଲେ ମନ ମୋର କୁତୁକୁତୁ ହୋଇଯାଏ,ଭଲରେ ଗପସପ ନ କଲେ ପେଟ ଭିତର ଟା ଘାଣ୍ଟିଚକଟି ହେଲା ପରି ଲାଗେ ।
ଲୋକଟି ମୋ ଆଚରଣ କୁ ହଜମ କରି ନ ପାରି ଭିଡିମୋଡି ହେବାରେ ଲାଗିଲା କିନ୍ତୁ ମୁଁ ତାକୁ ପାଖ ଦୋକାନକୁ ଏକ ପ୍ରକାର ଭିଡିନେଲି। କୋମଳ ଆଦେଶ ଦେବା ଭଙ୍ଗୀରେ ଥଣ୍ଡାପାନୀୟ ଆଣିବାକୁ ବରାଦ ମଧ୍ଯ କଲି। ସେ ପ୍ରଥମେ ପିଇବାକୁ ଅମଙ୍ଗ ହେଉଥିଲା,ମାତ୍ର ଅନୁରୋଧ ଏଡାଇ ନ ପାରି ଦୁଇ ତିନି ଢୋକରେ ବୋତଲ ଖାଲି କରି ମୋ ମୁହଁ କୁ ଜୁଳୁଜୁଳୁ କରି ଚାହିଁଲା। ମୋ ପାଇଁ ପାନ କିଣି ଦୋକାନୀ ହାତକୁ ଦୁଇ ହଜାର ଟଙ୍କିଆ ନୋଟ୍ ଟି ବଢେଇ ଦେଲି ।
କାର୍ତ୍ତିକ ମାସରେ ହବିଷ ଖାଦ୍ଯରେ ମଲା ଝିଟିପିଟି ଦେଖିଲେ ହବିଷ୍ଯାଳୀଙ୍କ ମୁହଁ ଯେମିତି ହୁଏ ସେମିତି ମୁହଁ କରି ଦୋକାନୀ କହିଲା- - ହୋଃ ବାବୁ,ଗାଁଆରୁ ଆସିଛ ନା କଣ ଯେ? ଥଣ୍ଡା ପିଇ ଯଦି ଦୁଇ ହଜାରଟଙ୍କା ବଢେଇବ ତେବେ ତ ମୋ ଭେଳା ବୁଡିଯିବ। ଗ୍ରାହକ ସମ୍ଭଳିବି ନା ତୁମ ପାଇଁ ଏ ଦୋକାନ ସେ ଦୋକାନ ଖୁଚିରା ଖୋଜିବି। ଏ ଟଙ୍କା ପକେଟରେ ସାଇତି ରଖ - - ସାଙ୍ଗେ ସାଙ୍ଗେ ଖୁଚୁରା ଦିଅ।
ମୋ କପାଳରେ ଯତକିଞ୍ଚିତ୍ ଚିନ୍ତାର ରେଖା ଉକୁଟାଇ ମୁଁ ଲୋକଟି ଆଡକୁ ଚାହିଁଲି। ଟଙ୍କା ଦେବାକୁ ପ୍ରସ୍ତୁତ ଥିବା ସତ୍ତ୍ବେ ନ ଦେଇ ପାରିବାର ଅର୍ନ୍ତବେଦନା ତାକୁ ଜଣାଇ ଦେବାରେ ଅବହେଳା କଲିନି। ଲୋକଟି ସେସବୁ ବ୍ଯାପାର ବୁଝି ନ ପାରି କି ପ୍ରତିକ୍ରିୟା ଦେବ ଭାବି କାନମୁଣ୍ଡ ଆଉଁସିଲା।ଦୋକାନୀଟି ଧମକାଇଲା ପରି ଆଉଥରେ କହିଲା- - ହୋ ସାଇବ, ପଇସା ଦେଇ ଗହଳି ଖାଲି କର। ଦୁଇଟା ଥଣ୍ଡା ପିଇ ମୋ ଦୋକାନ ଆଗରେ ଘଣ୍ଟାଏ ଅଧିଆ ପଡିବ ନା କଣ?
ସେ ଲୋକଟି ମୁଣ୍ଡରେ ଝାଳର ବିନ୍ଦୁ ଜମାଟ ବାନ୍ଧି ବୋହିବା ଆରମ୍ଭ କରି ସାରିଥିଲା। ମୁଁ ତାକୁ ଅତି ସ୍ନେହରେ କହିଲି
- - ଆରେ ଆପଣଙ୍କ ପାଖରେ ଥିବା ପାଞ୍ଚଶହ ଟଙ୍କା ନୋଟ୍ ଟା ଦୋକାନୀ ମୁହଁ କୁ ଫିଙ୍ଗି ଦିଅନ୍ତୁ, ଦେଖିବା କେମିତି ଖୁଚୁରା ଦେବନି।
ସେ କଣ କରିବ ଭାବିଲା ବେଳକୁ ଦୋକାନୀ ପୁଣି ରାଉରାଉ ହେବା ଆରମ୍ଭ କଲା। ବିକଳରେ ସେ ପାଞ୍ଚଶହ ଟଙ୍କିଆ ନୋଟ୍ କୁ ଦୋକାନୀ କୁ ବଢାଇ ଦେଲା ଓ ଫେରି ପାଇଥିବା ଖୁଚୁରା ଗଣି ପକେଟରେ ପୁରେଇ ନେହୁରା ହେବା ପରି ମୋ ଆଡକୁ ଦେଖିବାରେ ଲାଗିଲା। ସେତେବେଳକୁ ମୁଁ ଅତି ଆନନ୍ଦରେ ପାନ ଟି ପାଟିରେ ପକେଇ ପାକୁଳି କରି କହିଲି- - ଥଣ୍ଡା ପାନୀୟ ପାଇଁ ଅନେକ ଧନ୍ଯବାଦ୍। ଯାହାହେଉ ଆପଣ ଖୁଚୁରା ପାଇଗଲେ। ଘରେ ସମସ୍ତଙ୍କୁ ମୋ ଶୁଭେଚ୍ଛା ଜଣେଇଦେବେ। ପୁଣି କାଲି ଦେଖା ହେବ । ଏଥର ମୁଁ ଆସୁଛି ।
ଲୋକଟା ମୁହଁ ସିନା ଚୁପ୍ ଥିଲା;କିନ୍ତୁ ତା ଅନ୍ତର ଭିତରୁ ଅନବରତ ବର୍ଷି ଚାଲିଥିବା ଗାଳି ସବୁ କୁ ମୁଁ ଅନୁଭବ କରି ପାରୁଥିଲି। ସେ ଆଡକୁ ଧ୍ଯାନ ନ ଦେଇ ଗାଡି ଷ୍ଟାର୍ଟ କରି ସେ ଯାଗାରୁ ଚାଲି ଆସିଲି। ଗାଡି ମିରର୍ ରେ ଦେଖୁଥିଲି ଲୋକଟା ମୋ ଆଡକୁ ଚାହିଁ କଣ ସବୁ ବକି ଚାଲିଥିଲା। କିନ୍ତୁ ମନରେ ମୋର ଥିଲା ପ୍ରବଳ ଆତ୍ମସନ୍ତୋଷ, ସେ ଲୋକଟାକୁ ଏମିତି ବୁଦ୍ଧି ଶିଖାଇ ଥିବାରୁ। କାରଣ ଏହି ଟାଉଟର ଲୋକଟା କିଛି ଦିନ ତଳେ ମୋତେ ଦିନରେ ଡିବିରି ଦେଖେଇ ଶହେଟଙ୍କା ଚଳୁ କରି ଦେଇଥିଲା।