STORYMIRROR

Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ସୂର୍ଯ୍ୟମୁଖୀର ଇତିକଥା

ସୂର୍ଯ୍ୟମୁଖୀର ଇତିକଥା

2 mins
149

   ପ୍ରଥମ କରି ଫୁଟିଥିବା ସୂର୍ଯ୍ୟମୁଖୀ ଫୁଲଟିର ନିଶ୍ଚୟ ଅନେକ ସ୍ଵପ୍ନ ଥିଲା ବୋଲି ହୃଦୟଙ୍ଗମ କରି ବିବେକବାବୁ କେବେବି ଫୁଲଟିକୁ ତୋଳି ନେଇ ଠାକୁରଙ୍କୁ ଦେଉ ନଥିଲେ। ହୁଏତ ତାର ପ୍ରଥମ କାରଣ ବଗିଚାରେ ପ୍ରଥମ ଫୁଟିଥିବା ସୂର୍ଯ୍ୟମୁଖି ଫୁଲଟି ପ୍ରତି ରହିଥିଲା ଘୋର ଆକର୍ଷଣ। ଦ୍ୱିତୀୟରେ ହୁଏତ ସୂର୍ଯ୍ୟଙ୍କ ପ୍ରତି ଗଭୀର ଅନୁରାଗ ଥିବା ସୂର୍ଯ୍ୟମୁଖୀ ଫୁଲଟିର ସ୍ଵପ୍ନ ପୁରଣ କରିବାକୁ ଯାଇ ଛାଡିଦେଇଥିଲେ ବିବେକବାବୁ ଫୁଲଟି ଅନ୍ତତ ଦେଖୁ ସୂର୍ଯ୍ୟଙ୍କୁ ।

ଦିନେ ଦିନେ ଶ୍ରୀମତୀ ଯୁକ୍ତି କରନ୍ତି ଫୁଲଟି ଭଗବାନଙ୍କୁ ସମର୍ପିତ ହେବା ହିଁ ତାର ପ୍ରଥମ ସ୍ଵପ୍ନ ନିଶ୍ଚୟ, ତେଣୁ ଫୁଲଟିକୁ ତୋଳିନେଇ ଠାକୁରଙ୍କ ମସ୍ତକରେ ରଖି ଫୁଲଜନ୍ମର ସାର୍ଥକତା ଲଭିବାକୁ ଦେବା ଉଚିତ ଅନୁଚିତ ଆନ୍ଦୋଳନ ଭିତରେ ବିବେକଙ୍କୁ ଲାଗେ ଫୁଲଟିର ସ୍ଵପ୍ନ ହୁଏତ ଅନ୍ୟ କିଛି। ଫୁଲଗଛ ସବୁକୁ ଠିକଠାକ ସଜାଡି, ମାଟି ଓ ପାଣି ଯୋଗାଇ, ଅନାବଶ୍ୟକ ଡାଳ ସବୁ କାଟି ଖୁବ୍ ଆଦର କରନ୍ତି ଫୁଲ ଗୁଡିକୁ ବିବେକ ଵାବୁ, ଆଉ ସବୁଠୁ ବେଶୀ ଭଲପାଆନ୍ତି ଏଇ ଏକମାତ୍ର ସୂର୍ଯ୍ୟମୁଖୀ ଫୁଲଟିକୁ ଆଉ ତାକୁ ତୋଳି ନନେଇ ସୂର୍ଯ୍ୟଙ୍କ ଆଡ଼କୁ ଢଳି ରହିଥିବା ସୂର୍ଯ୍ୟମୁଖୀ ଫୁଲଟିର ସ୍ଵପ୍ନକୁ ପୁରଣ କରିଛନ୍ତି ବୋଲି ଭାବି ଶାନ୍ତି ପାଆନ୍ତି ମନେ ମନେ।

ସେଦିନ ହଠାତ ଅସୁସ୍ଥ ହୋଇପଡିଲେ ପତ୍ନୀ। ନିଜେ ଡାକ୍ତର ବିବେକ ଦାସ ହାର ମାନିଲେ , ଶେଷକୁ ହସ୍ପିଟାଲ ରେ ଶ୍ରୀମତୀଙ୍କୁ ହାର୍ଟ ଆଟାକରେ ମୃତ ଘୋଷଣା କଲେ ଡାକ୍ତର। ଭାଙ୍ଗି ପଡ଼ିଲେ ବିବେକ। ସବୁ କାମ ଭିତରେ ଭୁଲି ଯାଇଥିଲେ ଛାତକୁ ଆସି ଫୁଲ ଗଛର ଯତ୍ନ ନେବାର ଆଗ୍ରହ ନଥିଲା। ସମସ୍ତେ ଯେଝା ବାଟରେ ଚାଲିଗଲା ପରେ ସେଦିନ ଛାତ ଉପରକୁ ଯାଇ ଦେଖିଥିଲେ , ସେଇ ଏକମାତ୍ର ସୂର୍ଯ୍ୟମୁଖୀ ଫୁଲଟି ହସୁଥିଲା ସୂର୍ଯ୍ୟଙ୍କୁ ଚାହିଁ। ହଠାତ୍ ଫୁଲ ଟିକୁ ଛିଣ୍ଡାଇ ଆଣି ପତ୍ନୀଙ୍କ ଦଶାହ ଫଟୋ ଉପରେ ଖଞ୍ଜି ଦେଇ ଭୋ ଭୋ କାନ୍ଦୁଥିଲେ ବିବେକ। ନିଜ କାନ୍ଦ ଶବ୍ଦରେ ନିଜେ ଚମକି ପଡ଼ି , ବିରାଟ ଶୂନ୍ୟ ଘରଟା ତାଙ୍କୁ ଶୂନ୍ୟ ମନେହେଉଥିଲା ବେଳେ ସୂର୍ଯ୍ୟମୁଖୀର ସ୍ଵପ୍ନ କଣ ଏହାହିଁ ଥିଲା ଭାବି ସେ ଦୌଡ଼ିଯାଇ ଫୁଲ ଟିକୁ ପତ୍ନୀଙ୍କ ଫଟୋ ରୁ କାଢ଼ିବାକୁ ଯାଇ କାଢ଼ି ପାରୁନଥିଲେ କାହିଁକିର ଉତ୍ତର ପାଉନଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract