ସୂର୍ଯ୍ୟ ଭଗବାନ
ସୂର୍ଯ୍ୟ ଭଗବାନ
,
ଦିନଟା ଯେମିତି ଗୁମସୁମ ଥିଲା ମେଘୁଆ ମେଘୁଆ ପାଗରେ, ବୋଉ ମୁଁହ ଟା ଥିଲା ତା ଠାରୁ ଅଧିକା ମେଘୁଆ ମେଘୁଆ ଗୁମସୁମ. ଘରକୁ ସମେସ୍ତେ ଆସିଥିଲେ ତ ତା ଗୋଡ଼ ତଳେ ଲାଗେ ନାହିଁ, ହେଲେ ଆଜି ସମେସ୍ତେ ଥାଇ ବି ତା ମୁଁହ ର ହାବଭାବ ଦେଖି କିଏ କେତେ କଣ ଭାବୁଥିଲେ, ହେଲେ ଭରସି କରି କିଛି କହି ପାରୁନଥିଲେ. ବାପା ଯିବା ପରେ ପରେ ବୋଉର ଅବିଗୁଣ ବଢିଛି, କଥା ଧରୁଛି, ତ କୋଉଠି କଣ ଭୁଲ ରହିଗଲା କି ଭାବି ପ୍ରତ୍ୟେକ ସନ୍ତୁଳିତ ହେଉଥିଲେ ବି କେହି କିଛି ପଚାରୁ ନଥିବା ଭିତରେ, ବୋଉ ବହୁ କଷ୍ଟ ରେ ଛାତ ରୁ ଓଲ୍ହାଉଥିବାର ଦେଖି ହାତ ଧରିନେଲି ତାର, ବିରକ୍ତି ଭାବ ପ୍ରକଟିତ ହେଉଥିଲା ମୁଁହରେ ତାର, କହିଲା ଦର୍ଶନ ହେଲାନି ଆଜି !କାହାର ଦର୍ଶନ ହେଲାନି ବୋଉର??? ଛାତ ଉପରୁ ନୀଳଚକ୍ରବାନା ତ ପରିଷ୍କାର ଦେଖାଯାନ୍ତି ଆଉ ବୋଉ ଅନ୍ତତଃ ଥରେ ଦେଖି ପ୍ରଣାମ କରି ଆସେ ସଞ୍ଜ ଆସିବା ପୁର୍ବରୁ ହେଲେ ଆଜି ଅବେଳରେ ବୋଉ ଯାଇଥିଲା ଉପରକୁ, ଆଉ ଦର୍ଶନ ହେଲାନି କହୁଛି ଯେ, ଦୃଷ୍ଟି ଶକ୍ତି କମିଗଲାଣି କି ବୋଉର? ଚଷମା କଥା କହିବାକୁ ସାହସ ନାହିଁ, କହିଲେ କହିବ ବାପାଙ୍କ ଦୃଷ୍ଟିଶକ୍ତି କମି ଆସୁଥିବାରୁ ସେ ଆଗ ପରି ଗୀତ କବିତା, ଛାନ୍ଦ ଚମ୍ପୁ ଲେଖିପାରୁନଥିଲେ, କେହି କେବେ ପଚାରିଛ ବାପାଙ୍କୁ, ଚଷମା ବଦଳା ଯିବା ଦରକାର କି? ବୁଝିଛ ତାଙ୍କ ମନକଥା? ଆହୁରି କହିଛ ସେ ସଭାସମିତି ଯାଉଛନ୍ତି, କବିତା ଆସରରେ ଛାନ୍ଦ ଚମ୍ପୁ ଗାଉଛନ୍ତି, ଚଷମା ବଦଳାଇବାକୁ ଯାଇପାରୁନାହାନ୍ତି, ତ ତମେ ପୁଅ ଝିଅ ଥାଇ ଲାଭ କଣ ପାଇଲେ ବାପା, କାହାକୁ ମଣିଷ କରିବାରେ ହେଳା କରିଥିଲେ ସିଏ??? ଆଉ ମୁଁ କୋଉ ଗପ କବିତା ଲେଖିବି, ନା ଗୀତା, ରାମାୟଣ, ମହାଭାରତ, ଭାଗବତ ପଢ଼ିବି??? ଖାଲି ଥରେ ତାଙ୍କୁ ଦର୍ଶନ କରିବା କଥା, ସେତ ଜାଳୁଥାନ୍ତି ନିଜ ଆଲୋକରେ, ହେଲେ ଆଜି ଏ ମେଘ ଟା !
ଏତେବେଳକୁ ବୁଝିଲି ବୋଉ କାହା କଥା କହୁଛି, ମେଘ ଢାଙ୍କି ଦେଇଛି ଆଜି ସୂର୍ଯ୍ୟ ଙ୍କୁ, ସେଇଥିପାଇଁ ବୋଉର ଜୀବନ୍ତ ଠାକୁର ସୂର୍ଯ୍ୟ ଙ୍କୁ ଆଜି ନଦେଖି ଅସନ୍ତୋଷ ବଢିଛି ତାର. ଭଗବାନ ଅଦୃଶ୍ୟ ବୋଲି ବିଶ୍ଵାସ କରେନା ବୋଉ, ସେ କହେ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର, ତାଙ୍କ ତେଜ ଉଜ୍ଜ୍ୱଳତା, ପ୍ରକାଶ୍ୟ ରେ, ଏ ଜୀବଜଗତ ର ସୃଷ୍ଟି. ସେହିଁ ରକ୍ଷାକର୍ତ୍ତା ଏ ପୃଥିବୀର, କିଏ କହେ ଭଗବାନଙ୍କୁ ଦେଖିହୁଏନି, ପ୍ରତିଦିନ ସେ ପୂର୍ବଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ଯାଆନ୍ତି. ତାଙ୍କ ଆଦି ଅନ୍ତ କେହି ଜାଣିପାରିବେ, କହେ ବୋଉ, ପୁଣି କହେ ସୂର୍ଯ୍ୟ ହିଁ ସତ୍ୟ, ସୂର୍ଯ୍ୟ ହିଁ ଚିରନ୍ତନ ସତ୍ୟ, ନାତି ନାତୁଣୀ କହିଦିଅନ୍ତି, ମାଆ ଚନ୍ଦ୍ର କଣ ଠାକୁର ନୁହନ୍ତି? ତ ବୋଉ କୁହେ, ଚନ୍ଦ୍ର ଠାକୁର ଯେ, ହେଲେ ମଣିଷରୂପୀ ବୈଜ୍ଞାନିକ ସେଠାକୁ ପହଂଚିଗଲେଣି, ସେଠାରେ ଘର କରିବାକୁ ମନ କଲେଣି, କିନ୍ତୁ ସୂର୍ଯ୍ୟ??? ତାଙ୍କ ପାଖକୁ କିଏ ଯାଇପାରିବ? ତାଙ୍କ ଯୋଗୁଁ ରାତି ଦିନ, ତାଙ୍କ ଯୋଗୁଁ ଜୀବନ, ପିଲାଏ ତୁନି ପଡନ୍ତି, ଜେଜେମା ସଙ୍ଗେ ଯୁକ୍ତି କଲେ ବାପା ମାଆ ଙ୍କଠୁ ଗାଳି ଶୁଣିବାକୁ ପଡିବ ଭାବି ଚୁପ ହୋଇଯାଆନ୍ତି.
ବୋଉର କଷ୍ଟ ସହି ହୁଏନି, ବର୍ଷା ଦିନେ ବୋଉ ଏମିତି ଛଟପଟ ହୁଏ, ଥରକୁ ଥର ଛାତ ଉପରେ ଚଢି ଦେଖିଆସେ, ଆକାଶ ଫାଙ୍କା ଥିଲେ ବଉଦ ଫାଙ୍କ ରୁ ସୂର୍ଯ୍ୟ ଙ୍କୁ ଦେଖି ଖୁସି ହୋଇ ପ୍ରଣିପାତ କରି ଚାଲିଆସେ, ହେଲେ ସେ ବେଳ ଅଲଗା ଥିଲା, ଆଜିକାଲି ବୋଉ ଦୁର୍ବଳ, ଚାଲିବାର ବଳ ନାହିଁ, ନାହିଁ ବି ମନୋବଳ, ତ ଡର ମାଡ଼େ, ମନ ଆନ୍ଦୋଳିତ ହୁଏ ତା ପାଇଁ. ଆଜି ନିସ୍ତେଜ ହୋଇ ଶୋଇଯାଇଛି ସେ, କମଳ ଟିଏ ଘୋଡେଇ ଦେଇ ତା ଗୋଡ଼ ଆଉଁସି ଦେଉଥାଏ ମୁଁ, କେହି ଜଣେ ଦୌଡ଼ି ଦୌଡ଼ି ଆସି ଖବର ଦେଲା ସୂର୍ଯ୍ୟଦାଦା ଆସିଛନ୍ତି, ବୋଉର ଭଣଜା, ଆମ ପିଇସୀ ଅପା ପୁଅ, ପିଲାଙ୍କର ସୂର୍ଯ୍ୟଦାଦା ବା ସୂର୍ଯ୍ୟମାମୁଁ.
ଧଡପଡ ହୋଇ ଉଠିବସିଲା ବୋଉ, ସୂର୍ଯ୍ୟ ଭାଇ ବୋଉ ପାଖେ ବସିସାରିଥିଲେ, ଭଲମନ୍ଦ ପଚାରି ବୁଝୁଥିଲେ, ସୂର୍ଯ୍ୟ ଭାଇଙ୍କ ପାଇଁ ଚା ଜଳଖିଆ ଆସିସାରିଥିଲା ହେଲେ ବୋଉ ତାଙ୍କୁ କୁଣ୍ଢେଇ ଧରି ଭୋ ଭୋ କାନ୍ଦୁଥିଲା, କହୁଥିଲା ତୁମକୁ ଦେଖି ମୋ ଜୀବନ ଧନ୍ୟ ହୋଇଗଲା ପୁଅ, ମୁଁ ମଲାପରେ ତମେ ନିଶ୍ଚୟ ଆସି ମତେ ସ୍ୱର୍ଗଦ୍ୱାର ନେଇଯିବ. ତୁମେ ପରା ମୋ ଭଣଜା ସୂର୍ଯ୍ୟ ଭଗବାନ, ତୁମ ହାତରେ ସ୍ୱର୍ଗଦ୍ୱାର ନଗଲେ ମୋର ମୋକ୍ଷ ନାହିଁ, ତମେ କଥା ଦିଅ ସୂର୍ଯ୍ୟ, ତୁମ କାନ୍ଧରେ ମତେ ନିଶ୍ଚୟ ସ୍ୱର୍ଗଦ୍ୱାର ନେବ. ହଁ ହଁ ମାଇଁ ନିଶ୍ଚୟ ବୋଲି କହୁଥିଲେ ସୂର୍ଯ୍ୟ ଭାଇ ଆଉ ବୋଉ ତାଙ୍କ ପାଟିରେ ଜଳଖିଆ ରୁ କାକେରା ଖଣ୍ଡିଏ ଦେଇ ନିଜ ପାଟିକୁ ବି ନେବାର ଦୃଶ୍ୟ ରେ ସମେସ୍ତେ ବିଭୋର ହେଲାବେଳେ ବୋଉ କହୁଥିଲା ଯାହା ହେଉ ଧନ ତୁମେ ଆସିଲ ମୋର ଦିବ୍ୟଦର୍ଶନ ହେଲା, କହି ଛଳ ଛଳ ଆଖିରେ ପଣତ ବୁଲେଇ ନେଲାବେଳେ ସୂର୍ଯ୍ୟଭାଇ ବୋକାଙ୍କ ଭଳି ବୋଉ ଆଖିରୁ ନିଜେ ଲୁହ ପୋଛିଦେଉଥିଲେ, ସୂର୍ଯ୍ୟ ଯେମିତି ଚମକୁଥିଲେ ଆମ ଘର ଆକାଶ ରେ, ସେଥିରେ ଟିକେ ବି ଛଳନା ର ଆଭାସ ହିଁ ନଥିଲା l
