Er. Prakash Majhi

Drama Romance Tragedy

4.3  

Er. Prakash Majhi

Drama Romance Tragedy

ସତ୍ ପ୍ରେମ

ସତ୍ ପ୍ରେମ

7 mins
595


ହଠାତ୍ ବଜାରେ କାହାକୁ ଦେଖି ଆଶ୍ଚର୍ଯ୍ୟ ହେଲା ରାକେଶ । ଚିହ୍ନା ଚିହ୍ନା ଲାଗିଲା ମୁହଁଟି । କେଉଁଠି ତ ସେ ଦେଖିଛି । କେଉଁଠି ଥରେ! ଲଳିତା ତ ନୁହେଁ?

ହଁ - ହଁ ! ଲଳିତା ହିଁ ସେ । ପନ୍ଦର ବର୍ଷପରେ ଦେଖାଦେଇଛି ସେ । ବୋଧେ ସେ ଆଉ ଚିହ୍ନିପାରିବନି । ପଛରୁ ଡାକିଲା ସେ । କିନ୍ତୁ ଆଖି ଆଗରୁ ଅଦୃଶ୍ୟ ହେଲା ଲଳିତା । ଲଳିତା! ଓ ଲଳିତା! କୁଆଡ଼େ ହଜିଗଲ ତୁମେ?

ବଜାର ଭିଡ଼ଆଡ଼କୁ ନିଜ ସ୍କୁଟର୍‌କୁ ବୁଲେଇଲା ରାକେଶ । ପନ୍ଦର ବର୍ଷ ପୂର୍ବରୁ ମିଳିଥିିବା ମଉକା ପୁଣିଥରେ ଦୂରେଇବାକୁ ଚାହୁଁନଥିଲା ସେ । ଯେଉଁ ଗୁପ୍ତକଥା ତା ପାଖରେ ଲୁଚିଥିଲା, ତା’କୁ ଯେମିତି ହେଲେ ଜାଣିବ ସେ ।

ଲଳିତାକୁ ନପାଇ ଥକି ହାଲିଆ ହୋଇ ନିଜ ଭଡ଼ା ଘରେ ପହଁଚିଲା ରାକେଶ । ମନରେ ପୀଡ଼ା ଓ ଦୁଃଖ । ଲଳିତାକୁ ନଧରିପାରିବାର ଦୁଃଖ । ଖଟଟି ଉପରେ ନିଜ ଚାଳିଶି ବର୍ଷ ଦେହଟିକୁ ଲମ୍ବାଇଦେଲା । ମୁଣ୍ଡ ଉପରେ ପୁରୁଣା ପଙ୍ଖାର କର୍‌କର୍ ଶବ୍ଦ । ପନ୍ଦର ବର୍ଷ ପୂର୍ବ କାହାଣୀର ପ୍ରତ୍ୟେକ ଦୃଶ୍ୟ ଗୋଟିଏ ପରେ ଗୋଟିଏ ମନ ପଡ଼ିବାକୁ ଲାଗିଲା .... ।

...ବଜାରର ଦୁଇଗଳିରେ ରହୁଥିଲେ ହିନ୍ଦୁ ଓ ମୁସଲ୍‌ମାନ୍ । ଭାଇ ଓ ବନ୍ଧୁତ୍ୱର ଉଦାହରଣ ରାମରହିମ୍ ବଜାର । ଯେବେ ରାକେଶ ବିଜ୍ଞାନର ତୃତୀୟ ବର୍ଷର ଛାତ୍ର, ସେତେବେଳେ ତା ଭଉଣୀର ସାଙ୍ଗ ସମିନା ସହ ପରିଚୟ ହେଲା । ନାଁ ପଚାରିଲା । ତା ଭଉଣୀ ନିଜ ଆଡୁ କହିଦେଲା ଲଳିତା । ଯେହେତୁ ସେ ସୁମଲ୍‌ମାନ୍ କାଳେ କଣ ଭାବିବ ଭାଇ ତେଣୁ କହିଲା ଲାଳିତା । ସତକଥା ହେଲା ସମିନାର ପାଠପଢ଼ା ପାଇଁ ତା’ ଅବୁଅମ୍ମି ରାମରହିମ୍ ଗଳିରେ ରହିବାକୁ ଆସିଥିଲେ । ରାକେଶର ଠିକ୍ ବିଷୟ ସେମାନଙ୍କ ବିଷୟ ହୋଇଥିବାରୁ ବେଳେବେଳେ ତାଙ୍କୁ ପଢ଼େଇବାକୁ ପଡ଼ୁଥିଲା ରାକେଶକୁ । ସମିନାକୁ ଜଣାନଥିଲା ଯେ ରାକେଶର ହୃଦୟରେ ସେ ଥିଲା ବୋଲି । ପ୍ରଥମ ଦେଖାରୁ ହିଁ ରାକେଶ ଭଲପାଇ ବସିଥିଲା ତାକୁ । ସମିନା ଥିଲା ସେ ପ୍ରକାର ସୁକୁମାରୀ ଝିଅ । ଫୁଲର ପାଖୁଡା ପରି କୋମଳ ଓ ଆଖିରେ ଚମକ । ଓଠରେ ସବୁବେଳେ ହସ ଓ ଗାଲରେ ଲାଜ । ଏତିକି ହିଁ କୁମାରୀତ୍ୱ ଯଥେଷ୍ଟ ଥିଲା ରାକେଶ ପରି ଅଠରବର୍ଷର ଯୁବକର ହୃଦୟକୁ ଧଡ଼ ଧଡ଼ କରିବା ପାଇଁ ।

ରାକେଶ କିନ୍ତୁ ନିଜ ମର୍ଯ୍ୟାଦାର ସୀମା କେବେ ଭାଙ୍ଗିନାହିଁ । ଏମିତି ନୁହେଁ ଯେ ସେ ଭାଙ୍ଗିପାରିନଥାନ୍ତା । ଭଲପାଇବାର ରାସ୍ତାରେ ଧର୍ମ ନାମକ କାନ୍ଥ ତିଆରି କରାଯାଇଥିଲା । ମଣିଷ ଯାହାକୁ ପ୍ରେମକରେ, ତା’ ମାନସମ୍ମାନକୁ ରକ୍ଷା ନ କରି ପାରିବ, ତେବେ କି ପ୍ରେମ ? ଯେହେତୁ ସମିନା ମୁସଲମାନ୍‌, ହିନ୍ଦୁ ସହ ସଂପର୍କ ଅସମ୍ଭବ ଥିଲା । ତେଣୁ ରାକେଶ୍ ଚୁପ୍ ଥିଲା ଓ ନିଜ ମନର ଭାବନା ଗୁପ୍ତ ରଖିଥିଲା ଅତି ସନ୍ତର୍ପଣରେ ।

କିନ୍ତୁ ଭୁଲିପାରିନଥିଲା ସେ କାଳରାତ୍ରିର ଘଟଣା ଯାହା, ତା ଅନ୍ତରାତ୍ମାକୁ ହତାହତ କରିରଖିଥିଲା ଏ ଯାଏଁ ।

ସଂଧ୍ୟା ସାତଟା ହେଇଥିବ ବୋଧେ । ରାମରହିମ ବଜାରର ଛକରେ ଚାଲିଥିଲା ଗଜଲ୍ ସଂଧ୍ୟା । କ’ଣ ହିନ୍ଦୁ କଣ ମୁସଲମାନ୍‌, ସମସ୍ତେ ଏକାଠି ବସି ଗଜଲ୍‌ର ମଜା ଉପଭୋଗ କରୁଥିଲେ । ରାକେଶ କିନ୍ତୁ ନିଜ ଛାତ ଉପରେ ବସିଥିଲା ଏକୁଟିଆ । ହୃଦୟରେ ଥିଲା ସ୍ପନ୍ଦନ ଓ ଯନ୍ତ୍ରଣା । କେମିତି କହିବ ମନକଥା ସମିନାକୁ? କ’ଣ ସମିନା ବି ତାକୁ ତା’ ଭଳି ଭଲପାଏ କି? ମନ ମସ୍ତିଷ୍କ ହୃଦୟ ଦେହର କୋଣ କୋଣରେ ସମିନା ବହୁଥିଲା ରକ୍ତହୋଇ ।

କାହାର ଗରମ ନିଃଶ୍ୱାସ ଓ ଉଷୁମ ଆଲିଙ୍ଗନ ବାନ୍ଧି ପକେଇଲା ରାକେଶକୁ ହଠାତ୍ । ସେ ଆବଦ୍ଧରୁ ଫିଟିବାକୁ ଚଟପଟ ହେଲାବେଳକୁ ରାକେଶ କାନରେ କିଏ କହିଲା - “ମୁଁ ଜାଣେ ମୋତେ ତମେ ଭଲପାଅ ।” ରାକେଶ ନିଜକୁ ଆଉ ଆକଟିପାରିଲା ନାହିଁ । ସମିନାର ଉଷୁୁମ ଶ୍ୱାସକୁ ବାନ୍ଧିବାକୁ ଚାହିଁଲା ସେ । କିନ୍ତୁ ଏ କ’ଣ? କ୍ଷଣଟିଏ ହୋଇନି ସମିନା ଅଲଗା ହୋଇଗଲା ଆଲିଙ୍ଗନରୁ ।

“କ’ଣ ହେଲା ସମିନା? କିଛି ଅସୁବିଧା ହେଲା କି?” ସମିନା କାନ୍ଦୁଥିଲା । “କାନ୍ଦ ନାହିଁ ସମିନା । ମୋତେ କହିବନି ତ କାହାକୁ କହିବ? କୁହ କାହିଁକି କାନ୍ଦୁଛ?”

“ସମି ଓ ସମି! ଜଲ୍‌ଦି ବହି ଫେରେଇ ତଳକୁ ଆସ ।” ତଳୁ ରାକେଶର ସାନ ଭଉଣୀ ଡାକଦେଲା ।

“ମୁଁ ଆଉ କାହାକୁ ଭଲପାଏ । କାଲି ମୋତେ ଦେଖିବାକୁ ପୁଅଟିଏ ଆସୁଛି । କିନ୍ତୁ ମୁଁ ଚାହୁଁଛି ତମେ ମୋତେ ମୋ ପ୍ରେମିକ ସହ ଲୁଚି ପଳେଇବା ପାଇଁ ସାହାଯ୍ୟ କର ।”

ଆକାଶରୁ ଖସି ଖଜୁରୀ ଗଛରେ ଅଟକିବାର ସ୍ଥିତିଥିଲା ରାକେଶର । ଲାଗୁଥିଲା ପାଦତଳେ ମାଟି ନାହିଁ । ଆକାଶର ରାତି ଆହୁରି କଳା ଲାଗୁଥିଲା । ଯେମିତି କଳାରାତ୍ରି ନୁହଁ, କାଳରାତ୍ରି । ଏ କେମିତିକା ପରିସ୍ଥିତି? ନିଜେ ନିଜ ପ୍ରେମକୁ ଅନ୍ୟହାତରେ କେମିତି ସମର୍ପିଦେବ?

ରାକେଶ ତ ଭଲପାଇଥିଲା । କରିଥିଲା ପ୍ରେମ । ପ୍ରେମ ମାଗେ ସମର୍ପଣ । ବଳିଦାନର ଅନ୍ୟନାମ ପ୍ରେମ । ଏବେ ତ ସମିନା ପ୍ରତି ଥିବା ସମର୍ପଣ ଓ ବଳିଦାନ ଦେଖେଇବାର ସମୟ ।

“ଯଦି କାଲି ଭିତରେ ମୋ ପାଇଁ କିଛି କରିପାରିବ ନାହିଁ, ତେବେ ମୋ ଶବ ଓ ମୋ ସମାଧି ଉପରେ ଫୁଲ ଚଢ଼ାଇବାକୁ ଆସିଯିବ ।” ଏତିକି କହି ସମିତା କାନ୍ଦି କାନ୍ଦି ଚାଲିଗଲା ।

ଇଏ କେମିତିକା ରାତି? ସାରା ରାତି ଶୋଇ ପାରିଲା ନାହିଁ ରାକେଶ । ଅମାବାସ୍ୟାରୁ ଅଧିକ ଅନ୍ଧକାର ଲାଗୁଥିବା କାଳରାତ୍ରିରେ ତା’ ହୃଦୟ ଓ ମନ ଭିତରେ ଭୟଙ୍କର ଦ୍ୱନ୍ଦ୍ୱ ଚାଲିଥିଲା କ’ଣ କରିବ, ନ କରିବ? ଦୁନିଆର ରୀତିକୁ ଦେଖିବ ନା, ସମିନାର ଆଖିରୁ ତଳକୁ ଖସିବ ? ଶେଷରେ ସରିଗଲା ସେ କାଳରାତ୍ରୀ । ହୃଦୟ ଆଗରେ ହାରିଗଲା ରାକେଶ । ବାହାରି ପଡ଼ିଲା ନିଜ ପ୍ରେମ ସହ ତା’ ପ୍ରେମିକାରୁ ଭେଟେଇବାକୁ଼ୁ ।

ସେଦିନଠୁ ରାମରହିମ୍ ଗଳିରେ ହାଲ୍ଲା ହୋଇଗଲା ସମିନା ଚାଲିଗଲା ତା’ ପ୍ରେମିକ ସହ । କିଛି ଲୋକ ଏମିତି ତ କହିଲେ ରାକେଶ ନେଇଗଲା ସମିନାକୁ ସାଥିରେ । ଅନେକ ଲୋକ ବିଶ୍ୱାସ କରୁଥିଲେ । ରାକେଶ ଅନ୍ୟ ସହରକୁ ଚାଲିଯାଇଥିଲା ଚାକିରି କରିବାକୁ ।

ସେବଠୁ ପନ୍ଦର ବର୍ଷ ହେଲାଣି ଜଣାନାହିଁ ସମିନା କେଉଁଠି ଅଛି କେମିତି ଅଛି? ରାକେଶ ସେ କାଳରାତ୍ରି ପରେ ଏ ସହରରେ କରୁଛି କଣ? ସବୁଠୁ ବଡ଼ ପ୍ରଶ୍ନ ହେଲା ପନ୍ଦର ବର୍ଷ ପରେ ଏ ସହରରେ କରୁଛି କ’ଣ ସମିନା?

କିଏ ଦୁଆର ଉପରେ ଖଟ୍ ଖଟ୍ କରିବାରୁ ରାକେଶ ଅତୀତ ଫେରିଲା । “ରାକେଶ୍ ସାବ୍ ଓ ରାକେଶ୍ ସାବ୍ । ଆରେ ଦୁଆର ତ ଖୋଲ ।” ଦୁଆର ଖୋଲିଲା ପରେ ସାମନାରେ ଘର ମାଲିକ ପାଲ୍‌ଜୀ ।

“ଦେଖନ୍ତୁ ରାକେଶ୍ ସାବ୍ । ଛଅମାସ ହେଲା ଘରଭଡ଼ା ଦେଇନ । ମୋର ଛୁଆପିଲା ଅଛନ୍ତି । ଆପଣ ଘରଖାଲି କରିଦିଅନ୍ତୁ । ଅନ୍ୟ ଭଡ଼ାଟିଆ ଲାଇନ୍ ଲଗେଇ ଠିଆ ହୋଇଛନ୍ତି ।”

ରାକେଶ ଇଆଡ଼େ ସିଆଡ଼େ ଦେଖିଲା । କିଏ ସେ ଗ୍ରାହକ? କିଏ ସେ ଅନ୍ୟ ଭଡ଼ାଟିଆ? ପନ୍ଦର ବର୍ଷ ପୂର୍ବେ ଏଇ ସହରରେ ସମିନାକୁ ଛାଡ଼ିଥିଲା ତା ପ୍ରେମିକ ପାଖରେ । ସେବଠୁ ଛୋଟ ବହି ଦୋକାନରେ ରାକେଶ କାମ କରୁଛି। ଦରମା ଯାହା ମିଳୁଛି ଘର ଭଡ଼ାକୁ ପାଉନି । ଏ ସହରକୁ ସେ ଛାଡ଼ିପାରିଲା ନାହିଁ, ଯେଉଁଠି ତା’ ଜୀବନର ପ୍ରଥମ ପ୍ରେମ ସମିନା ରହୁଥିଲା । ପ୍ରେମିକା ନ ମିଳିଲା ନାହିଁ ଭାଗ୍ୟରେ । ଜୀବନରେ ପ୍ରେମିକାର ସହର ତ ମିଳିଲା ରହିବା ପାଇଁ! ଶେଷରେ ପ୍ର୍ରେମର ଜୀବନ ବଂଚିବା ପାଇଁ!

ରାକେଶ ଆଉଥରେ ଇଆଡ଼େ ସିଆଡ଼େ ଦେଖିଲା । “ଆଚ୍ଛା ଅଚ୍ଛା! ତାହାହେଲେ ଆପଣ ଗ୍ରାହକ ଦେଖିବାକୁ ଚାହୁଁଛନ୍ତି । କି ଯୁଗରେ ବାବା! ହୋ ମେଡ଼ମ୍‌! ଆସନ୍ତୁ ଘରକୁ ଭଲରେ ଦେଖିନିଅନ୍ତୁ । ତାତ୍ସଲ୍ୟ ଭରା ସ୍ୱରରେ ଡାକ ଦେଲା ଘର ମାଲିକ ପାଲ୍‌ଜୀ ।”

ଗ୍ରାହକକୁ ଦେଖି ସ୍ଥାଣୁହେଲା ରାକେଶ୍ । ସାମନାରେ ତା ହୃଦୟର ରାଣୀ ଯାହାକୁ ସେ ସକାଳୁ ବଜାରରୁ ଖୋଜୁଥିଲା । ସମିନା ବି ବଡ଼ ବଡ଼ ଆଖିରେ ଅନଉଥିଲା ରାକେଶକୁ଼ୁ । ଚାଳିଶି ବର୍ଷର ରାକେଶ ଆଜି ଭଙ୍ଗାରୁଜା ଘର ପରି ପଚାଶ ବର୍ଷର ଦେଖାଯାଉଥିଲେ ।

ଲାଗୁଛି ଆପଣ ଦୁହେଁ ପୂର୍ବ ପରିଚିତ । ହେ ଭଗବାନ୍‌! କି ଦୁର୍ଭାଗ୍ୟ ମୋର । ଇଏ କେମିତିକା ଗ୍ରାହକ ଜୁଟଉଛୁ ମୋତେ ପାଲ୍‌ଜୀ ନିଜ କପାଳ ଉପରେ ହାତ ରଖିଲେ ।

ଦୁଇହଜାର ଟଙ୍କା ପାଲ୍‌ଜୀ ହାତରେ ରଖିଲା ସମିନା । ପାଲ୍‌ଜୀ ଯଦି ଆପଣଙ୍କ ଅସୁବିଧା ନହୁଏ ତେବେ ମୁଁ ଆଙ୍କ ସହ କିଛି କଥାହେବାକୁ ଚାହୁଁଛି । ମୁଁ ଜାଣିଛି ଆଙ୍କୁ । ମୋ ପଇସା ଦୁଇମାସର ଭଡ଼ା ଭାବନ୍ତୁ ।

ଧନ୍ୟବାଦ ମେଡ଼ମ୍ । ମୋତେ ତ ମୋ ପଇସା ଦରକାର । ଆପଣ ଦୁଇଜଣ ପରସ୍ପରକୁ ଜାଣନ୍ତୁ । ମୋର ଆପତ୍ତି ନାହିଁ ।

ଭଡ଼ାଘର ମାଲିକ ପାଲ୍‌ଜୀ ଚାଲିଗଲେ । ରାକେଶ ଭିତରକୁ ଯାଇ ଝରକା ବାଟେ ଆକାଶକୁ ଅନାଇଲେ ଯେଉଁଠି କିଛି ପକ୍ଷୀ ଉଡ଼ିବା ଆରମ୍ଭ କରୁଥିଲେ ।

“କେମିତି ଅଛ ରାକେଶ? କିଛି ଉତ୍ତର ନାହିଁ ରାକେଶ ପାଖରୁ ! ପଚାରିବନି ମୁଁ ଏଠି କେମିତି? ତମ ଭଲପାଇବାକୁ ପ୍ରତ୍ୟାଖ୍ୟାନ କରିବାର ଦଣ୍ଡ ମିଳିଛି ମୋତେ ।” ଦୀର୍ଘଶ୍ୱାସ ଛାଡ଼ି କହିଲା ସମିନା ।

“ଏମିତି କହନା ସମିନା? ମୋ ପ୍ରେମର ସମର୍ପଣ ଓ ବଳିଦାନକୁ ଅଭିଶାପ କୁହନା ।”

“ନା ରାକେଶ ! ମୋତେ ଭୁଲ ବୁଝନା । ମୁଁ ତ ତମ ପ୍ରେମ ପାଇଁ ଯୋଗ୍ୟା ନୁହେଁ । ଯେଉଁ ପୁରୁଷ ପାଇଁ ମୋ ପରିବାର ଓ ତମ ଭଲପାଇବା ଛାଡ଼ିଥିଲି ସେ ଥଲା ଧୋକାବାଜ୍ । ତମ ଭଲପାଇବାକୁ ଛାଡ଼ି ମୋ ଭଲପାଇବା ପଛରେ ମୁଁ ଧାଇଁ ଦଣ୍ଡ ପାଇଛି।ଯେଉଁ ସହରରେ ମୁଁ ତମକୁ ଏକୁଟିଆ ଛାଡ଼ିଥିଲି, ଆଜି ସେଠିକୁ ଆସିଛି ପ୍ରାୟଶ୍ଚିତ କରିବା ପାଇଁ । ଯେଉଁ ବିଜ୍ଞାପନ କମ୍ପାନୀରେ ମୁଁ କାମ କରୁଛି ତାର ଏକ ନୂଆଶାଖା ଏ ସହରରେ ଖୋଲିବା ଜାଣି ମୁଁ ଏଠାକୁ ଚାଲିଆସିଲି । ମନରେ ଏକ କ୍ଷୀଣ ଆଶାଥିଲା କେବେ ନା କେବେ ତ ଦେଖାହେବ । କିନ୍ତୁ ଆଲ୍‌ହା ଏତେ ମେହର୍ୱାନ୍ ହେବ ମୁଁ ଭାବିନଥିଲି । ତମ ସହ ଭେଟହେଲା ।” କାନ୍ଦି ପକାଇଲା ସମିନା ।”

“କାନ୍ଦ ନାହିଁ ସମିନା । ଭାଗ୍ୟକୁ ବୋଧେ ଏହା ମଞ୍ଜୁର ଥିଲା । ଭଡ଼ାଘର ତମକୁ ମୁବାରକ୍ । ମୋତେ ଆଉ କେଉଁଠି ଆଶ୍ରୟ ଖୋଜିବାକୁ ହେବ । ଏତିକି ଏ ସହରରେ ମୋ ପାଇଁ ଆଉ କିଛି ନାହିଁ ।”

କିଛି ସମୟ ପାଇଁ ନୀରବତା । କିଏ ବି କିଛି କହିପାରୁ ନଥିଲେ ।

“ରାକେଶ ଗୋଟିଏ କଥା କହିବି?”

“ତମକୁ ଅନୁମତିର ଆବଶ୍ୟକ ନାହିଁ ।”

“ତମେ ଏବେ ବି ମୋତେ ଭଲପାଅ?”

“ଏମିତି କ’ଣ ପଚାରିଦେଲ ସମିନା । ତୃଷାତୁର ପଥିକକୁ ନଦୀ ପାଖରେ ଆଣି ଶୋଷ ଲାଗୁଛି କି, ପଚାରିବା ଅନ୍ୟାୟ । ତମ ପାଇଁ ଆଜିଯାଏଁ ମୁଁ ଘରକୁ ଯାଇପାରିଲିନି । ବାହା ହୋଇପାରିଲିନି । ପଡ଼ିରହିଛି ଏ ସହରରେ ଅସଜଡ଼ା, ଅନାବଶ୍ୟକ, ଅଜଣା ହୋଇ ।”

“କ’ଣ କରିବାକୁ ଚାହୁଁଛ ତମେ ।”

ମୁଁ କହିବାକୁ ଚାହୁଁଛି ଯେ “ଜୀବନ ଆମକୁ ଆଉଥରେ ସୁଯୋଗ ଦେଇଛି । ତମକୁ ପାଇ ଆଉଥରେ ବଂଚିବାର ମନ ହେଉଛି । ଯଦି ଆମର ରାସ୍ତା ଗୋଟେ, ଲକ୍ଷ୍ୟ ଗୋଟେ, ଏକାଠି କାହିଁକି ରହିପାରିବାନି?” ରାକେଶର ଗଳାରେ ନିଜ ଦୁଇବାହୁ ଝୁଲେଇଦେଲା ସମିନା ।

ପୁନଶ୍ଚ ପନ୍ଦର ବର୍ଷ ତଳର କମ୍ପନ ପରି ରାକେଶର ଦେହର କମ୍ପନ । ସମିନାର ଉଷ୍ମତା । ସେଦିନ ସମିନା ତାକୁ ଛାଡ଼ିଦେଇଥାନ୍ତା କିନ୍ତୁ ଆଜି ସେ କାଳରାତ୍ରୀ ପରି କେବେ କରିବନି । ଛାଡ଼ିବନି ସମିନାକୁ।ପୁଣିଥରେ ସମିନାକୁ ଆଉ କାହା ହାତରେ ସମର୍ପି ଦେଇ ପାରିବନି ।

ରାକେଶ ସମିନାକୁ ନିଜ ଦୁଇବାହୁରେ ତୋଳିନେଲା । ପାଗଳ ପରି ଚୁମି ଗଲା ସମିନାର ସାରା ଦେହକୁ । ନ ଧର୍ମର ପ୍ରାଚୀର, ନ ରାମରହିମର ଗଳି । ନା ତାଙ୍କୁ କିଏ ଜାଣିଛି ଏଠି, ନା ସେମାନେ ଜାଣିଛନ୍ତି କାହାକୁ ।

ରାକେଶର ଆଖିରେ ଲୁହ । ତା’ର ବିଶ୍ୱାସ ଥିଲା ଉପରେ! ନିଜ ପ୍ରେମ ଉପରେ ।

ସତ କହିଥିଲା କିଏ ଜଣେ । ସତ ପ୍ରେମ ଓ ସତ ପ୍ରେମୀଯୋଡ଼ିଙ୍କ କେବେ ନା କେବେ ମିଳନ ହୁଏ । କେଉଁ କଳାରାତି କିମ୍ବା କାଳରାତ୍ରୀ ତାଙ୍କୁ ଗ୍ରାସ କରିପାରିବ ନାହିଁ । ପ୍ରତ୍ୟେକ ସକାଳେ ଆଶାର ନୂଆ କିରଣ ତ ବାହାରେ ନିଶ୍ଚୟ ।

ରାକେଶ ଓ ସମିନା ସେ ଭଡ଼ାଘରକୁ ସଜାଡ଼ିବାରେ ଲାଗିଲେ ଆସନ୍ତା ସୁଖର ସଂସାର ପାଇଁ । ନା ନା ! ରାକେଶ ଓ

ସମିନା ନୁହଁ । ରାକେଶ ଓ ଲଳିତା ।


Rate this content
Log in

Similar oriya story from Drama