ସର୍ତ୍ତ
ସର୍ତ୍ତ
ଆଜି ବି ସେହି ପୁରୁଣା କାହାଣୀ।ରାତିଯାକ କାନ୍ଥଘଣ୍ଟାର ଟିକ୍ ଟିକ୍ ଶବ୍ଦକୁ ଚାହିଁ ସ୍ବାମୀର ପ୍ରତୀକ୍ଷାରେ ସମୟ କାଟିବ ରୁମି।ଘଣ୍ଟା ତାର ଗୋଟିଏ ନମ୍ବର ପରେ ଆଉ ଗୋଟିଏ ନମ୍ବର ଉପରକୁ ଧୀରେ ଧୀରେ ଚାଲିଯାଏ।ହେଲେ ରୁମିର ସମୟ ରୋହିତକୁ ଅପେକ୍ଷା କରି କରି ବିତେନା।ଘରୁ ଯିବାର ସମୟ ଠିକ୍ ଥାଏ ହେଲେ ଆସିବାର ନୁହେଁ।
ବେଳେବେଳେ ଭାବେ ସେ ଜଣେ ଉପେକ୍ଷିତ ନାୟିକା।ତାର ମୂଲ୍ୟ ରୋହିତ ପାଖରେ ଖୁବ୍ ତୁଛ ମୂଲ୍ୟହୀନ।ପୁଣି ଏ ସ୍ତ୍ରୀର ନାଟକ କାହାପାଇଁ? ହୁଏତ ରୋହିତ ଛୁଆର ଜନନୀ ହେବାପାଇଁ ତାର ପରିଚୟ।ରୋହିତ କଥାରେ ହାଁ ଜୀ କରିବା ତାର ଗୋଟେ ରୁଟିନ୍ ଆଜି ତାକୁ ତା ପ୍ରତିମୂର୍ତ୍ତି ପାଖରେ ଠିଆ ହେବାକୁ ଘୃଣା ଲାଗୁଛି। ଘୃଣା ଆସୁଛି ତା ନାରୀତ୍ବ ଉପରେ।।
ଘୃଣା ଆସୁଛି କାଚଘରେ ସଜା ହୋଇଥିବା ପୁତ୍ତଳିକା ଉପରେ।ଯିଏ ଆଜି ପର୍ଯ୍ୟନ୍ତ ହାତ,ଗୋଡ ହଲାଇ ଅଭିନୟ କରିବାରେ ସେ ତା'ର ମନକୁ ଅଡୁଆ ସୂତାର ବଣ୍ଡିଲ କରି ଫୋପାଡି ଦେଇଛି। ଉଦାସୀ ଚେହେରା,ନିରସ ମନ,ଅକୁହା ଆଖି ନେଇ କରିଚାଲେ ଅପେକ୍ଷା। କାଳେ ତା ଭାଗ୍ୟର ପରିବର୍ତ୍ତନ ହେବ।ତା ସହନଶୀଳତାର ବାଲିବନ୍ଧ ଆଜି ଭାଙ୍ଗିଯିବା ଉପରେ। ସତରେ ଭଗବାନ ତାଙ୍କୁ ଏତେ ସହିବାର ଧୈର୍ଯ୍ୟ କିପରି ଦେଲେ।
କେତେ ଗେଲବସରରେ ବଢୁଥିଲା ଭାଇ,ବାପାଙ୍କର ଆଦରରେ,ଟିକେ କଥାରେ ଉଣା ହେଲେ ଗୋଡ ବାଡେଇ କାନ୍ଦିଉଠେ।ଅଭିମାନ କରେ ,ତକିଆ ଉପରେ ମୁହଁ ଲୁଚେଇ କଁ କଁ ହୋଇ କାନ୍ଦି ତା ଲୁହର ମୂଲ୍ୟରେ ସବୁ ଜିନିଷ କିଣିହୁଏ।
ଆଜି ସେହି ଲୁହ ତା ପାଖରେ ପାଣି ଠାରୁ ଆହୁରି ଶସ୍ତା।ତା ଲୁହ "ରୋହିତ" ପାଖରେ ମୂଲ୍ୟହୀନ । 'ତା' ସ୍ବାଭିମାନ ତାରି ପାଖରେ ଗଣ୍ଠି ପଡେ।ଯେଉଁ ଜୀବନକୁ ଜୀବନଠୁ ବେଶି ଭଲ ପାଉଥିଲା ସେହି ଜୀବନର ବୋଝ ବୋହିବାକୁ ଆଜ ସେ ଅସମର୍ଥ।ତଥାପି "ରୋହିତ" ଶରୀରକୁ କଷ୍ଟ ହେଲେ ତା ଶରୀରକୁ ବାଧେ।ଏତେ ଦୁଃଖ ଦେଇ ରୋହିତ ଚେହେରାରେ ଉଦାସୀ ଦେଖିପାରେନା।ଦେଖିପାରେନା ତା ମନର କଷ୍ଟ। କ'ଣ ପାଇଁ ଉତ୍ତର ପାଏନେ।
ଏ ସମ୍ପର୍କର ସ୍ଥାୟିତ୍ବ କେତେ ?ଯେଉଁଠି ସ୍ବାମୀ ,ସ୍ତ୍ରୀର ସମ୍ପର୍କର ମାନେ ମତଲବ୍ । ସେଠି ସମ୍ପର୍କର ପରିଭାଷା ଖୋଜିବା ମୁର୍ଖାମୀ।
× × ×
ମନେପଡେ ସେହି କଥା।ବାପାମାଆ ଚାଲିଗଲା ପରେ ,ଭାଇ ଭାଉଜଙ୍କ ଘରେ। ଜୀବନ ଦୁର୍ବିଶହ ହୋଇ ଉଠିଲା। ବାହାଘରର ବୟସ ହୋଇଯାଇଥିଲେ ମଧ୍ୟ ଟଙ୍କା ଖର୍ଚ୍ଚର ଭୟରେ ଭାଉଜ ଚାହୁଁ ନ ଥିଲା, ତା ବାହାଘର ବହୁ ଆଡମ୍ବରରେ ହେଉ।ସେ କାହାକୁ ନେଇ ପଳାନ୍ତା କି ! ସେ ଖୁସି ହୁଅନ୍ତା। ସେ ସେଭଳି ନଥିଲା ।
ବୋଉର ସିନ୍ଦୁକଟି ଦେଖି ହସ ଲାଗୁଥିଲା।ତା'ର ଜନ୍ମ ପରଠାରୁ କଂସା ବାସନ,ପିତ୍ତଳ ଗରା, ଏପରିକି ଫାଇଭର ଓ କାଚର ସେଟ୍ ନନଷ୍ଟିକ୍ କଡେଇ ,ପ୍ୟାନ୍ ମଧ୍ୟ ତା ଶାଶୁଘର ପାଇଁ ସାଉତୁଥିଲା।ଗେଲବସରର ଝିଅର ଉଣା ନ ହେବା ପାଇଁ ଆଲମାରୀରେ ତା ଗହଣା ଗାଣ୍ଠି ସହିତ ପାଟଶାଢୀ,ବେଡସିଟ୍ ମଧ୍ଯ।ହେଲେ ସିନ୍ଧୁକ ଭିତରେ "ବର"ଟିଏ ତା ପାଇଁ
ରଖି ନଥାନ୍ତା। ? ବରଟିଏ କିଏ ଆଣିଦେବ ?ବୟସ ବଢି ଆଖିତଳେ କଳାଦାଗ,ଚେହେରା ଶୁଷ୍କ,ମନ ମଳିନତା ବିରସ। ମ୍ୟାକ୍ରେଟ୍ ରେ ରହି ଯାଇଥିବା ବଳକା ସ୍ବାମୀ ହେବାପାଇଁ ପୁଅମାନେ ମିଳୁଥିଲେ ।ଆଉ ସେ ରୋକ୍ ଠେକ୍ ମନା କରି ଦେଇଥିଲା।ସେ ସିନ୍ଦୁର ଆଉ ଶାଢୀର ଶୋଭା ପାଇଁ ଅସୁରକ୍ଷିତ ଜୀବନ ଚାହେଁନା। ଭାଇର ରାଗ ସେ ନିଜେ ବୁଝୁ।ମୁଁ ଆଠ ଆଠଟା ପ୍ରସ୍ତାବ ଦେଲାପରେ ତାର ତିରଷ୍କାର ମୁଁ ଆଉ ବୁଝିବିନି।।ଆଉ କ'ଣ ତା'ର ଚକରେ ଗଢାଯାଇ ଗୋଟେ ପୁଅ ଆଣିବି ?
ବାହାରେ ହଜାରେ କଥା କୁହାକୁହି ହେଲେ ।ବାହାରକୁ ବାହାରିଲେ ନନ୍ଦନକାନନ ପଶୁପରି ଚାହିଁ ରହନ୍ତି। କେହି କେହି ପଚାରି ପଚାରି ବ୍ୟସ୍ତ କରି ପକାନ୍ତି। ଆଉ କେଉଁଠି କିଛି ଆଗେଇଲ ଝିଅ। ମିଠା କଥାର ଛୁରୀଟା ଦେହରେ ବାଜିଯାଏ।କିଏ କହେ ,ଭାଇ ଫୋନ ନମ୍ବର ଟିକେ ଦେବ। କଣ ସେ ଆଳୁ ,ସାରୁ ,ଭେଣ୍ଡି ପରିବା । ବାହାର ଦୁନିଆରେ ବିକ୍ରି ହେବ।ବୟସ ବଢିବା କ'ଣ ତା'ର ଭୁଲ୍।
ଏ ସଂସାରରେ ବାହାଘର ଶେଷ ନିଷ୍ପତ୍ତି। ନିଜ ପ୍ରଶ୍ନର ଉତ୍ତରରେ ନିଜେ ଅଣନିଶ୍ବାସୀ ହୋଇଯାଏ। ଘରେ ରହିବା କଷ୍ଟକର ହୋଇଗଲା । ତେଣୁ ବେସରକାରୀ ଚାକିରୀ ଖଣ୍ଡେ କରିବାପାଇଁ ଦ୍ବାରସ୍ଥ ହେଲା। । ସେଠାରେ ମଧ ମଧ ତାର ଅବିବାହିତର ମଜାକ୍ ଉଡାଇବାର ଲୋକ କମ୍ ନ ଥିଲେ। ଯେପରି ସେଠାରେ ମଧ୍ୟ ତାକୁ ଅନ୍ୟ ଜଗତରୁ ଆସିଛି ବୋଲି ଭାବନ୍ତି।କେହି ଦୟାରେ ତ କେହି ଶବ୍ଦ ବାଣର ପ୍ରୟୋଗ।....ହଁ ମ କାହା ସଙ୍ଗେ ସମ୍ପର୍କ ଥିବ। ଆଉ କିଏ ନାହିଁ ସେ ପ୍ରେମରେ ଧୋକା ଖାଇଥିବ। ପ୍ରକୃତ କଥାଟି କହିବା ସମ୍ଭବ ନ ଥାଏ।
ଭାଗ୍ୟର ଚମତ୍କାର କୁହ କି ବିଡମ୍ବନା ବା "ଭଗବାନ"ଙ୍କ ଇଛା ,ସେହି ଅଫିସର ହର୍ତ୍ତାକର୍ତ୍ତା "ରୋହିତ ରାୟ" ଙ୍କ ସର୍ତ୍ତରେ ସେ ଆଜି ବିବାହିତା। କୁମାରୀରୁ ଶ୍ରୀମତୀ ହେବାପାଇଁ ବଂଶ ,ମର୍ଯ୍ୟାଦା ,ଅଭିଜାତ,ଷ୍ଟାଟସ୍ ଆଉ ସମ୍ମାନ ପଦର ପ୍ରଲୋଭନରେ କେବଳ ସିନ୍ଦୂରର ଆବଶ୍ୟକତା ଥିଲା।
ରାୟ ବଂଶର ଉତ୍ତରାଧିକାରୀଙ୍କୁ ଜନ୍ମ ଦେଇ ରାୟ ଘରର ବୋହୂ ସନ୍ତାନର ମାଆର ସମ୍ମାନ ତ ମିଳିବ କିନ୍ତୁ ପତ୍ନୀର ନୁହେଁ। ତାଙ୍କର ବଂଶ ବଢାଇବା ପାଇଁ ସ୍ତ୍ରୀଟିଏ ଦରକାର ଥିଲା। ସେଇଟା ମୃତ୍ୟୁ ପୂର୍ବରୁ ତାଙ୍କ ମାର ଇଛା ପୁଅ ସନ୍ତାନକୁ ଦେଖିବେ। ସେ ଅନ୍ୟ ଏକ ଝିଅକୁ ପ୍ରେମ କରନ୍ତି ଯାହାକି ନିମ୍ନ ଜାତିର ,ମାଆର ସ୍ବୀକୃତି ସେ ଝିଅକୁ କେବେ ବି ମିଳିବନି।
ସେଦିନର ଆଲୋଚନା କେବଳ ବିବାହ ପାଇଁ ସର୍ତ୍ତଟିଏ ନଥିଲା ,ତାର ପକ୍ଷୀ ଦୁଇଟିକୁ କାଟି ଦିଆଯାଇ ଉଡିବାକୁ କୁହାଯାଇଥିଲା।ସବୁ ଜାଣି ରୁମି ବିବାହ କୁ ସନ୍ମତି ଦେଇଥିଲା । ନିଜର ଘରଲୋକ ,ବାହାର ନିର୍ଯାତନା ଠାରୁ ବଞ୍ଚିବା ପାଇଁ ତା ପାଇଁ ଉପଯୁକ୍ତ ପଦକ୍ଷେପ ଥିଲା।
ଆଜି କିନ୍ତୁ କାନିରେ ଗଣ୍ଠି ପକାଇଥିବା କଥାଗୁଡିକ ଫାଇଲ୍ ରେ ଆତ୍ମଗୋପନ କରିଛି ମନ ତ ସମ୍ପୂର୍ଣ୍ଣ ରୋହିତର ହୋଇଯାଇଛି।।ଅମାନିଆ ପ୍ରେମ ଏକତରଫା ହୋଇ ସ୍ତ୍ରୀର ମର୍ଯ୍ୟାଦା ପାଇଁ ଚାତକ ପରି ଚାହିଁ ରହିଛି।।