ଦୁର୍ଘଟଣା
ଦୁର୍ଘଟଣା


ସେଦିନ ଶାମୁକାର ଅଗଣାରେ ଏକ ଭିନ୍ନ ସୂର୍ଯ୍ୟର ସୁନେଲି ଆଭା।ମନ ଆଉ ହୃଦୟର କଥା ମାନୁନି।କାହିଁକି କେଜାଣି ଏକ ଅହେତୁକ ଆନନ୍ଦ।ଆତ୍ମତୃପ୍ତିର ଦିର୍ଘ୍ୟଶ୍ବାସ।ରାତି ସାରା ବିନିଦ୍ରରେ କଟିଲା । କେତେ ଲମ୍ବା ଥିଲା କାଲି ରାତି।ସକାଳ ଆସିବାକୁ ବହୁତ ସମୟ ଲାଗିଗଲା।ସିନ୍ଦୂରା ଫାଟିବା ଅପେକ୍ଷାରେ ଭୋର୍ ବେଳକୁ ନିଦଟା ଏତେ ଗାଢା ଥିଲା ଯେ ସକାଳ ଆଠଟା ବାଜିଗଲା ଉଠୁଉଠୁ। କାନ୍ଥଘଣ୍ଟା ଉପରେ ରାଗ ଲାଗୁଥିଲା । ଟିକେ ମୋ ଇଛା ମୁତାବକ ଚାଲି ନଥାନ୍ତା।ସାଗର ସହିତ ଦେଖା କରିବା ସମୟ ଦଶଟା ।ୟାରି ଭିତରେ ସବୁ କାମ ଛିଣ୍ଡେଇବାକୁ ପଡିବ।ରାତିରୁ କେତେ କ'ଣ ଭାବିଥିଲି ଆଉ କିଛି ମନେପଡୁନି।ଅତି ତରତରରେ ସାଗର ପସନ୍ଦର ଡ୍ରେସ୍ ଟା ବାହାରକଲା।ଟିକେଢିଲା ହେଉଛି ଚଳିବ ।ଆଗ ଅପେକ୍ଷା ବହୁତ ଝଡି ଗଲାଣି ,ସେତେବେଳେ ଏଇଟା ଟାଇଟ୍ ହେଇଥିଲା।ପାଞ୍ଚ ବର୍ଷ ତଳେ ଏ ଡ୍ରେସଟା ପିନ୍ଧିଥିଲା।ଆଉ ସେଦିନରୁ ଚଉତା ହୋଇ ଆଲମାରିରେ ପଡିଥିଲା। ଆଉ ସେହି ପରିଚିତ ପରଫିମ୍ୟୁ ଲଗାଇଲା।,ଖୋଲାଚୁଟି। ସବୁକିଛି ସାଗର ପସନ୍ଦର।
ମନେଅଛି ଦୁଇଜଣଙ୍କ ସମ୍ପର୍କ ଆରମ୍ଭ ହେଉ ହେଉ ରାହୁଗ୍ରହ ଗ୍ରାସ କରିଥିଲା ,ସାମାନ୍ୟ କଥା ନେଇ ବ୍ରେକ୍ ଅପ୍ ।ଜୀବନକୁ ସେହିଠି ତାଲା ଝୁଲାଇ ଦେଇଥିଲା ଶାମୁକା।ଭାବନାକୁ ବହୁତ ଥର ଲୁହରେ ଭିଜାଇଛି। ତା ସହିତ ସ୍ବପ୍ନକୁ କବର ଦେଇ ଦେଇଛି । ଆଜି କବର ଭିତରୁ ଭାବନା ଗୁଡିକ ପୁଣି ଅସ୍ତିତ୍ବ ଜାହିର କରୁଛନ୍ତି।ପାଞ୍ଚବର୍ଷ ପରେ ସାଗର ଆଉ ଶାମୁକାର ମିଳନ। ମାନଭଞ୍ଜନ କରିବା ପାଇଁ ବହୁତ ଦିନ ଲାଗିଗଲା। ଆଉ ରହି ପାରିଲାନି ସେ। ସେ ତ ସମ୍ପୂର୍ଣ୍ଣ ଆଶା ଛାଡି ଦେଇଥିଲା।ସରଳ ରେଖାରେ ଗତି କଲାପରି ଅନ୍ୟ ବିନ୍ଦୁଟେ ସୃଷ୍ଟି କରି ପାରି ନଥିଲା।ନିଜ ମନ ଆଉ କାହାକୁ ଦେଇ ପାରି ନଥିଲା।
ନୂଆ ସାଣ୍ଡଲ୍ ଟିକୁ ପାଦରେ ଗଳାଉ ଗଳାଉ ବଡ ପାଟିରେ ବୋଉକୁ କହିଗଲା ବୋଉ ମୋର ସାଙ୍ଗ ଘରେ କାମ ଅଛି ମୁଁ ଯାଉଛି। ଜଲ୍ଦି ଫେରି ଆସିବି।ବୋଉ ଆନନ୍ଦ ଅନୁଭବ କରୁଥିଲେ। ରୁମ୍ ଭିତରେ ପଡି ରହିଥିବା ଝିଅଟି ବହୁତ ଦିନ ପରେ ବାହାରକୁ ବାହାରିଛି।
ଅତି ପରିଚୟ ରାସ୍ତାଟି ଚାଲିଲେ ଲାଗୁଛି ନୂଆ ନୂଆ।। ପାଦରେ ପାଦ ଛନ୍ଦି ହୋଇ ଯାଉଛି, ସାଗର ସଙ୍ଗେ ମିଳନ ଆବେଶରେ।ସେହି ବସଷ୍ଟାଣ୍ଡର ପଛପଟ ଛୋଟିଆ ପାର୍କରେ। ଜୀବନ ଯାତ୍ରାର ପ୍ରକୃତ ଅୟମାରମ୍ଭ କରିବ। ବସଷ୍ଟାଣ୍ଡଟି କ୍ରସିଂ କଲାବେଳେ ଟ୍ରାଫିକ ପାଖେ ଗହଳ ଦେଖି ମନେ ମନେ ବିରକ୍ତ ହେଉଥିଲା। ନିଜର ଅପେକ୍ଷା ପଛେ ଲମ୍ବା ହେଉ ସାଗରକୁ ଅପେକ୍ଷା କରିବାକୁ ଦେବନି। ଗହଳ ଭିତରେ ରାସ୍ତା ଖୋଜୁଥିଲା , ଠେଲାପେଲା ହୋଇ ଚେଷ୍ଟା କରୁଥିଲା ଆଗକୁ ଯିବାକୁ।
ହେଲେ ଗହଳଟା ବୋଧହୁଏ ଆକ୍ସିଡେଣ୍ଣ୍ଟ ଥିଲା ବୋଲି ଲୋକମାନେ ବେଢି ଯାଇଥିଲେ। କିଏ କିଏ କହୁଥିଲେ ଗାଡି ସ୍ପିଡ୍ ଥିଲା। କିଏ କହୁଥିଲେ ମଦ ପିଇଥିବ ମ। ପୋଲିସ ଆସି ପହଞ୍ଚି ସମସ୍ତଙ୍କୁ ହଟାଉ ଥିଲା । ରକ୍ତ ଜୁଡୁବୁଡୁ ପିଲାଟିକୁ ଫେରି ଚାହିଁଲା ଶାମୁକା।ବିଶ୍ୱାସ କରି ପାରୁ ନଥିଲା। ଯେଉଁ ଯୁବକଙ୍କ ବିଷୟରେ କଥା ହେଉଥିଲେ ସେ ତାର ସାଗର ହିଁ ଥିଲା। ମୁଣ୍ଡ ଉପରେ ସତେଅବା ଆକାଶଟା ଛିଣ୍ଡି ପଡି ଯାଉଥାଏ ।ସାଗର ପାଖରେ ଦୁଲ୍ କିନା ବସି ପଡି କହୁଥିଲା ମୁଁ ଜାଣେ ପୁଣି ମତେ ଦୂରେଇ ଦେବ ବୋଲି ଅଭିନୟ କରୁଛ ନା। ପ୍ରକୃତରେ ଏ ଦୁର୍ଘଟଣା ରେ ଭାଗ୍ୟ ହିଁ ସେମାନେ ପାଖେ ଅଭିନୟ କରୁଥିଲା।।