Sasmita Mohapatra

Others Children

3  

Sasmita Mohapatra

Others Children

ଅନଲାଇନ୍ ଶିକ୍ଷା

ଅନଲାଇନ୍ ଶିକ୍ଷା

4 mins
223



ବାପାମଲା ପିଲାଟିକୁ ଦୁଇ ଗୋଡରେ ଠିଆ କରି ମଣିଷ କରିବ ବୋଲି ସାବିର ବଡ ଚିନ୍ତା।।ସେହି ଦିନରୁ ଭାଇ ଭଗାରି ଘର ଛାଡି ଦେଇ ଦୁଇବର୍ଷର ପିଲାଟିକୁ ଧରି ବାପଘରକୁ ଚାଲି ଆସିଥିଲା।ଶନିଆ ବଞ୍ଚିଥିଲାବେଳେ ଘର ସଂସାର ହସି ଉଠୁଥିଲା।।ପୁଅ ପାଇଁ କେତେ ମାନସିକ କରିଥିଲା।କେତେ ଭଲମନ ଆଣୁଥିଲା ।ହେଲେ କେଉଁଠି ଏ ଅଜଣା ବ୍ୟାଧି ଥିଲା କେଜାଣି "ଜଣ୍ଡିସ୍ "ରୋଗରେ ଆରପାରିକୁ ଚାଲିଗଲା।ସାବିର ଆଉ ସେଠାରେ ରହିବା ହେଲାଣି ।ରୋଜଗାରିଆ ଭେଣ୍ଡା ପୁଅ ଚାଲିଗଲା ,ଶାଶୁର ଗଂଜଣା ଭିତରେ ରହିବାଟା କଷ୍ଟକର ହେଲା।ପୁଅକୁ ମଣିଷ କରିବା ଆଶାରେ ବାପଘରକୁ ଚାଲିଆସିଲା। ବାପଘର କେଉଁ ଏକର ଏକର ଜମିର ରାଜବାଟୀ କି,ମୂଲ ଲାଗିଲେ ପେଟ ପୋଷିବ। ଭାଇ, ତା ସ୍ତ୍ରୀ, , ଓ ତାର ଛୋଟିଆ ପୁଅ ସହିତ ମୋ ପରିବାରର ଦାୟିତ୍ୱ କିଛି କହି ପାରୁ ନଥିଲେ ମଧ୍ୟ ବାପାର ସହମତିରେ ରହିଲି।


ପୁଅକୁ ପ୍ରାଇଭେଟ୍ ସ୍କୁଲରେ ପାଠ ପଢାଇ ମଣିଷ କରାଇ ଶାଶୁଘର ଲୋକଙ୍କୁ ଦେଖେଇ ପାରିବ। ସେହିଁ ବଞ୍ଚିବାର ରାହା ।ବିଧବା ଦଶାର କଷ୍ଟ ଉଭେଇଯାଏ ସାବିର।।


 ପୁଅ ଏବେ ହାଇସ୍କୁଲ ପାଠ ପଢିଲାଣି। ସାବି ଜାଣେନା ସେ କି ପାଠ ପଢେ। ନିଜେ ତ ମୁରୁଖ ।ପୁଅ ଇଂରାଜୀ ବହି ପଢିଲା ବେଳେ ମନଖୁସି ହୋଇଯାଏ।ଯା ହେଉ ପେଟ କାଟି ପୁଅକୁ ପଢାଉଛି ପୁଅ ତା ମୂଲ୍ୟ ନିଶ୍ଚୟ ରଖିବ।

  

ସେଦିନ 'ସାବିର ମୁଣ୍ଡ ଭିତରଟା ଝିମଝିମ ହୋଇଗଲା। ଯେଉଁଦିନ ହେଡମାଷ୍ଟର ସାବିକୁ ଡାକି ପୁଅର ପାଠପଢା କଥା କହିଲେ।ପ୍ରଶ୍ନଉତ୍ତର କରୁନି,କି ପାଠ ପଢାରେ ଧ୍ୟାନ ଦେଉନି।ଖେଳକୁଦ ବେଶି,ଘରକୁ ଦିଆ ଯାଉଥିବା ପାଠ ନକରି ବାହାନା କାଢୁଛି। ସାବିର ଭାରି ମନଦୁଃଖ । ପଇସା ଯୋଗାଡ କରି ପୁଅକୁ ଗାଆଁରେ ଟିଉସନ୍ ଦେଉଛି ।ପୁଅ ସ୍କୁଲରୁ ଟିଉସନ୍,ପୁଣି ତା ଭିତରେ କ'ଣ ପଢେ,ସେ କାହୁଁ ଜାଣିବ।


ମନଦୁଃଖରେ ଘରକୁ ଯାଇ ଗାଆଁ ଟିଉସନ୍ ସାର୍ ଙ୍କ ପାଖକୁ ସିଧା ଗଲା।ସାର ତ ସେହି କଥା , ପଦିଆ ବ୍ୟାଗ୍ ଭିତରେ କ୍ରିକେଟ ବଲ୍ ଆଣୁଛି ,ପାଠ କରୁଛି କିନ୍ତୁ ସାଙ୍ଗ ପିଲଙ୍କ ଠାରୁ ଟିପି ଦେଉଛି ନଚେତ୍ ସାଥୀ ବହିରୁ ।ଅନେକ ଥର କହିଲିଣି ମାଆଙ୍କୁ କହିବ ଦେଖା କରିବେ ।ହେଲେ କୌଣସି ନା କୌଣସି ବାହାନାରେ କଥାଟିକୁ ଟାଳି ଦେଉଛି । ମୋର ମାଡ ସତ୍ତ୍ୱେ ପାଠ ମୁଣ୍ଡରେ ରଖୁନି।


ବିଚରା "ସାବି", ଆକାଶଟା ମୁଣ୍ଡରେ ଖସିଗଲା ପରି ଅନୁଭବ କଲା ।ଚିନ୍ତା ସହିତ ରାଗ ଏକାଠି କରି ଘରକୁ ଗଲା।ସଳଖ କରି ବାଡିଟେ ଭାଙ୍ଗି ମନଭରି ପଦିଆକୁ ଦୁଇ/ଚାରି ପାହାର।......ମୁଁ ହାଡଭଙ୍ଗା ପରିଶ୍ରମ କରି ଦି ପଇସା ରୋଜଗାର କରି ତତେ ପଢାଉଛି।ଆଉ ତୁ ବାଳୁଙ୍ଗା ଟୋକାଦଳଙ୍କ ସହିତ ମିଶି ବନିଶ ପକାଉଛୁ,କ୍ରିକେଟ ଖେଳୁଛୁ ,ଗାଆଁର ଡି.ଜେ ବଜାଇ ପୂଜା କରୁଛ। ଭୋଜି ଭାତ କରୁଛ, ତୁ କ'ଣ ରାଣ୍ଡି ପୁଅ ଅନତା।।ଚାଲ୍ ଆଜି ତୋର ଦିନେ କୁ ମୋର ଦିନେ।ଆଜି ସେ ବହିପତ୍ର ଗୁଡିକ ଚୂଲିରେ ଜାଳି ତତେ ନେଇ ତୋ ବାପାଘର ଗାଆଁରେ ଛାଡି ଆସିବି।ତୁ ପାଠ ନପଢ ,ମୃଲ ଲାଗି ମୋତେ ପୋଷିବୁ ଚାଲ୍ ।


 ମାଡ଼ ଖାଇ ସେଦିନ ପଦିଆ ,ମାଆକୁ ଜବାବ୍ ଦେଲା...."ତୁ" ମୋ ପାଇଁ କ'ଣ କରିଛୁ କି,? ମୋ ସାଙ୍ଗମାନେ ନୂଆ ସାଇକେଲରେ ସ୍କୁଲ ଯାଉଛନ୍ତି ,ଆଉ ମୁଁ ଚାଲି ଚାଲି ।ସେମାନେ ନୂଆ ବ୍ୟାଗ୍ ,ୱଟର ବଟଲ, ଟିଫିନ ପାଇଁ ଟଙ୍କା ,।ଆଉ ମୁଁ କହିଲେ! ବାପା ନାହିଁ। ମାମୁଁଙ୍କୁ କହନା, ଚଳେଇ ନେ,ସବୁ କଥାରେ ମତେ ମନା କରି ଦେଉଛୁ।...ଖାଲି ମଣିଷ ହୁଅ,ମଣିଷ ହୁଅ।ମୁଁ କ'ଣ ମଣିଷ ହେଇନି ଆଉ ପଶୁ ହୋଇ ଅଛି।ଆଉ କେମିତି ମଣିଷ ହେବି। ଯା ମୁଁ ପଢିବିନି ।।


 "ସାବି" ଦେହ ଭିତରଟା କଣ ହୋଇଗଲା ,ଥକ୍କା ମାରି ବସି ପଡିଲା ନ ଖାଇ ରାତିଯାକ ଶେଜରେ ଶୋଇ କାନ୍ଦୁଥାଏ। ସକାଳୁ ଉଠି ସ୍କୁଲ ଦିଦି ଯେ କି, ଶ୍ରେଣୀ ଶିକ୍ଷୟିତ୍ରୀ ତାଙ୍କ ପାଖକୁ ଧାଇଁଲା।ଦିଦିଙ୍କ ଠାରୁ ଦି ପଦ ସାନ୍ତ୍ବନା କଥାରେ ସାବି ଟିକିଏ ଆସ୍ବସ୍ତି ପାଇଲା।ତୁମେ ବ୍ୟସ୍ତ ହୁଅନି ।ପୁଅର ଦାୟିତ୍ୱ ମୁଁ ନେବି ,ସେ ସବୁ ପାଠ କରିବ। ଭଲ ପିଲାଟେ, ଟିକିଏ ସାଙ୍ଗସାଥୀ ମାନଙ୍କ ସହିତ ମିଶି ଚଗଲା ହୋଇଯାଇଛି।।


 ଜଳନ୍ତା ନିଆଁରେ ପାଣି ପଡିଲା ପରି ଶାନ୍ତ ମନରେ ଝାଳକୁ କାନିରେ ପୋଛି ଘରକୁ ଫେରିଲା।ପୁଅର ନବମ ଏଥର ,ଦୁଇବର୍ଷ କଠିନ ପରିଶ୍ରମ ନ କଲେ ଦଶମ ଡେଇଁ ପାରିବନି। ହେଉ ଠାକୁର ସାହା ହୁଅ।


ଟିକିଏ ଶାନ୍ତି ପାଇଛି କି ନାହିଁ ସରକାରଙ୍କ କରୋନା ରୋଗ ପାଇଁ ଦୀର୍ଘଦିନ ଛୁଟି ଘୋଷଣା କରାଗଲା।ସବୁ ଲକ୍ ଡାଉନ୍ ।କେହି କାହା ସହିତ ଦେଖାଶୁଣା ନାହିଁ, ମିଳାମିଶା,ଖେଳକୁଦ ବନ୍ଦ। ଘରେ ରହିବାକୁ ପଡିବ। ସ୍କୁଲ ,କଲେଜ୍ ଟିଉସନ୍ ବନ୍ଦ।


ପୁଅ ତ ଦିନକୁ ଦିନ ଆହୁରି ମୂର୍ଖ ହୋଇଯିବ।କିନ୍ତୁ ସାର୍ ଙ୍କ ଫୋନ୍ ଆସିଲା, ସମସ୍ତେ ଅନ୍ ଲାଇନ୍ ପଢିବେ, ଫୋନ୍ ପାଠପଢାର ବ୍ୟବସ୍ଥା ହେଲା।


ପୁଅର ଜିଦ୍ ମୋ ପାଇଁ ଗୋଟିଏ ଫୋନ୍ କିଣି ,ତୋର ସେ ପୁରୁଣା ଫୋନ୍ ରେ କିଛି ସୁବିଧା ନାହିଁ।ସ୍କିନ୍ ଫାଟିଗଲାଣି ,ଅକ୍ଷର ଦେଖାଯାବନି।ତୁ ଫୋନ୍ ଆଣିଲେ ମୁଁ ସୁନାପିଲା ହୋଇ ସବୁ ପାଠ ପଢିଦେବି।


 "ସାବି"ର ଉପାୟ ନଥିଲା। ତରତର ହୋଇ ଅଫିସରଙ୍କ ପାଖକୁ ଗଲା । କାମ ବାବଦକୁ କିଛି ଅଗ୍ରିମ ଟଙ୍କା ମାଗିଲା।ବାର ହଜାର ଟଙ୍କାରେ ଭଲ ଫୋନ୍ ଟିଏ ହୋଇଯିବ ।ଆପଣ ଦିଅନ୍ତୁ। ମୁଁ ଶୁଝିଦେବି।ଅଫିସର ପାଖ ଦୋକାନରୁ ଇନଷ୍ଟାଲମେଣ୍ଟରେ ଫୋନ୍ ଟିଏ କରାଇ ଦେଲେ।ପୁଅ ଘରେ ବସି ବସି ବୋର୍ ହେଉଥିଲା, ଏବେ ଫୋନ୍ ରେ ସମୟ ଜଣାପଡୁନି।


 ପଦିଆ ଏବେ ପାଠପଢା ନାଁ ରେ ଫେସବୁକ୍, ହ୍ବାଟସଅପ୍ ,ଇନଷ୍ଟାଗ୍ରାମ ମଜା ଉଠାଉଛି।ବିଭିନ୍ନ ପୋଜ୍ ର ଫଟୋ ପୋଷ୍ଟ କରୁଛି।ଶିକ୍ଷକ ପି ଡି ଏଫ୍ ରେ ପାଠ ପଠାଇ ଦିଅନ୍ତି, ଅନ୍ ଲାଇନ୍ ପଢାନ୍ତି । ପାଠ କରିବାକୁ ଦିଅନ୍ତି। ପୁଅ ପାଠ ନାମରେ ଘଣ୍ଟା ଘଣ୍ଟା ମୋବାଇଲ୍ ଧରି ବସୁଛି।


ସାବି ଆସି ଦେଖେ ପୁଅ ମୋର ସାଙ୍ଗ ମାନଙ୍କ ସଙ୍ଗେ ବାହାରକୁ ନଯାଇ ଫୋନ୍ ଧରି ପଢୁଛି ।"ସାବି "ଖୁସି ହୋଇଯାଏ। ସାବିର ନୀରିହ ମନ ଏ ଜାଣିବାକୁ ସକ୍ଷମ ନଥାଏ କି ପାଠ ପଢିବା ଛଡା ଚାଖେଣ୍ଡ ଠାରୁ କମ ଛୋଟ ମୋବାଇଲ୍ ରେ ସାରା ବ୍ରହ୍ମାଣ୍ଡ ବନ୍ଦ ହୋଇ ଅଛି ।ଆଉ ବିଚରଣ କରିବା ପାଇଁ କେବଳ ଆଙ୍ଗୁଠିରେ ଛୁଇଁ ଦେବା ଦରକାର। ଘଣ୍ଟା ଘଣ୍ଟା ଧରି ପାଠ ବାହାନାରେ ପିଲାମାନେ କିଶୋରବସ୍ଥା ପୂର୍ବରୁ ଯେଉଁ ଜ୍ଞାନ ହାସଲ କରୁଛନ୍ତି ତାହା ତାଙ୍କୁ କେଉଁ ବାଟରେ ନେଉଛି ତାହା ସାବି ଭଳି ଅନେକ ମାଆଙ୍କର ଦୃଷ୍ଟିଗୋଚର ହେଉନାହିଁ। ଅନଲାଇନ ଶିକ୍ଷାଟି ବର୍ତ୍ତମାନର ସଂସାର ର ବିକଳ୍ପ ନା ଦେଶର ବ୍ୟାଧିଗ୍ରସ୍ତ ଶିକ୍ଷା ବ୍ୟବସ୍ଥା । ଅନେକ ଶିକ୍ଷିତ ମାତାପିତା ଜାଣି ମଧ୍ୟ ନିରୁପାୟ ।।


Rate this content
Log in