Sasmita Mohapatra

Abstract Others

3  

Sasmita Mohapatra

Abstract Others

ବୋଉର ଗୋମାତା

ବୋଉର ଗୋମାତା

3 mins
309



ସେଦିନ ଅଜା,ଆଈକୁ କହୁଥିବାର ମୁଁ ଶୁଣିଲି,ଆଲୋ ଗୋପୀ ନିତିଆନି ଅଛି କି ?ଭଲକରି ଟିକେ "ଚା"କରନ୍ତୁନି?ମୋ ମନରେ କୌତୁହଳ ପ୍ରଶ୍ନଟିଏ ବୋଉକୁ--ବୋଉଲୋ ନିତିଆନି ମାନେ କ'ଣ ? ବୋଉ ହସି କି କହିଲା ...କ୍ଷୀର। ମାନେ ତାକୁ ନିତି ଆଣିବାକୁ ହୁଏ ବୋଲି ନିତିଆନି କୁହନ୍ତି।

  

  ସତରେ ବୋଉ ଗାଈ ସେବା କରିବାକୁ ବହୁତ ଭଲ ପାଏ। ବେଶି ଲୋଭ ଥାଏ ,କ୍ଷୀର ଟୋପେ ମିଳିଲେ ପିଲା ଖାଇବେ। ତେଣୁ ଗାଈ ଛଡା ହୋଇ ୩/୪ଟା ଗୁହାଳରେ ବାନ୍ଧିଥାଏ। ଯେଉଁବାରେ ଯିଏ ଜନ୍ମ ତା ନାଁ ଦେଇଥାଏ।ରବି,ଶନିଆ,ବଉଳା ,ଗୁରୁବାରି। ସେମାନଙ୍କ ନାମ ଧରି ଡାକିଦେଲେ ଯିଏ ଯେଉଁଠି ଥାନ୍ତି ଧାଇଁ ଆସନ୍ତି।ଗୋଟିଏ ଗାଈ ଠିକ ସମୟରେ ଫେରି ନ ଥିଲେ ,ବୋଉ ଘରକୁ ବାହାର ହେଉଥାଏ।ବାରମ୍ବାର ସେହି କଥା କହି ହେଉଥାଏ।ମୋର ମନେଅଛି ବୋଉ ଟର୍ଚ୍ଚଟିଏ ନେଇ ଲାଇବ୍ରେରୀରୁ କେନାଲ ବନ୍ଧ ଯାଏଁ ହଜିଲା ଗାଈ ଖୋଜି ବୁଲୁଥାଏ। ଯଦି ମିଳିଯାଏ ଆଉ ତା'ର ଗାଳି ଖାଇବାଟା ଥୟ।ଗୁଣୁଗୁଣୁ କରି ଗାଳି କରି କରି ଗୁହାଳ ପର୍ଯ୍ୟନ୍ତ ଆଣେ।.....ସତେ ଯେମିତି ସେ ତା'ର ଅବୁଝା ପିଲା ,ଜୀବନରେ ଆଉ ଭୁଲ୍ ଜମା କରିବନି। ଭାଗ୍ୟ ଭଲ ସମସ୍ତେ ଗୁହାଳରେ ନିରାପଦ ରହିଗଲେ। ବୋଉ ଶାନ୍ତିରେ ଶୁଏ ।ଆମ ଛଡା ବୋଉର ସେମାନେଙ୍କ ଖାଇବା ପିଇବା ଭାରି ଚିନ୍ତା। ଘର ଅଗଣାରେ ପାଣି ତୋରାଣି ପାଇଁ ଗୋଟେ ଗୁଡହାଣ୍ଡି ଥୋଇଥାଏ। ଭାତ ଗାଳି ପେଜ, ପରିବା ଚୋପା ସବୁ ପକାଯାଏ। ।ବର୍ଷକ ପାଇଁ ଦାନା, ,କୁଟା,ଛଣ, କୁଣ୍ଡା ସାଇତି ରଖିଥାଏ।ବୋଉ ଶୀତଦିନ ଯାକ ତା ବାଡିପଟ ଚୂଲିରେ ଗରମ ପାଣି ଗାଧେଇବା ପାଇଁ କରିସାରିବା ପରେ ସେହି ଦହକ ଚୂଲିରେ କୋଳଥ , ଖୁଦ ପକାଇ ବସାଇଦିଏ ଗାଈମାନଙ୍କ ପାଇଁ।ଆଉ କେଉଁ କେଉଁ ଗାଈଗୋରୁଙ୍କୁ କୁଣିବିରି ବାଟି ପାଣି କରି ପିଇବାକୁ ଦିଏ।ଏତେ ଟିକିଏ ଜିନିଷ ଗୋମାତା ଖାଇବେ ବୋଲି ଫିଙ୍ଗି ଦିଏ ନାହିଁ।


ଗୋଟେ ଗୋଟେ ଗାଈ ୫/୬ମାସ କ୍ଷୀର ଦେଇ ଆଉ ଦିଅନ୍ତିନି। କିନ୍ତୁ ତାକୁ ବି ଗେଲେଇ କରି ବାନ୍ଧେ।ମୁଁ କହେ ହଇଲୋ ବୋଉ ପଡିଶା ଘର ଗାଈ ଅଧ ବାଲଟି କ୍ଷୀର ଦୁହୁଁଛନ୍ତି କିନ୍ତୁ ଆମର ତୁ ଏତିକି ଟିକିଏ ଆଣୁଛୁ। ବୋଉ କହେ! ଏ ପରା ସଞ୍ଜାଫଳି,ପ୍ରତିବର୍ଷ ଛୁଆଟିଏ ଦେଉଛି । ଅଳ୍ପ ଦେଉ ,ତା ବାଛୁରୀ ଖାଉ।ତା ମାଆ ତା ଛୁଆ ପାଇଁ ଆଣିଛି। ଆମେ ମଣିଷ ଜାତି ନୃଶଂସ ହୋଇ ତା ମାଆର ସବୁ କ୍ଷୀର ଆଣିଦେବା। ତା ପିଲା କ'ଣ ଖାଇବ।ବେଳେବେଳେ ରଘୁଆ ଗଉଡ଼ ଆସେ କ୍ଷୀର ଦୁହିଁବାକୁ।ବୋଉ କିନ୍ତୁ ତାଗିଦା କରେ ।ହେଇଛି....ରଘୁଆ ତା ଛୁଆ ପାଇଁ କ୍ଷୀର ଛାଡ ।ମୋ ପିଲା ସବୁ ଖାଇଦେଲେ ତା "ମାଆ" ର ନିଃଶ୍ବାସ ମୋ ପିଲାଙ୍କ ଉପରେ ପଡିବ।


ବୋଉର ଉଦାର ନୀତି ପାଖେ ମୁଁ ଆଶ୍ଚର୍ଯ୍ୟ ହୋଇଯାଏ।ବୁଝି ହୁଏନା ତା ମରମର କଥା।ମଣିଷ ଛଡା ବି ଜୀବଜନ୍ତୁ ପ୍ରତି ଦୟା,ସ୍ନେହ, ସହାନୁଭୂତି, ତଥା ଗଛପତ୍ର , ସମସ୍ତଙ୍କୁ ଭଲ ପାଏ।


  ଏବେ ଭାବେ କୌଣସି ବଡ ବିଦ୍ୟାଳୟର ଡିଗ୍ରି ନ ପାଇ ବୋଉ ପାଖେ କେତେ ଅଭିଜ୍ଞତା ଆସିଲା କେଉଁଠୁ।


ଯେମିତି "ଗାଈସେବା କରିବା ତା"ର ଧର୍ମ ଆଉ କର୍ମ ।ଗାଈଗୋରୁଙ୍କ ଖୁରାରେ ଫାଟୁଆ ରୋଗ ହୁଏ। ଗୋଡ ଫୁଲିଯାଏ।ସେମାନେ ଚାଲି ପାରନ୍ତି ନାହିଁ।କିନ୍ତୁ ବୋଉ ଦେଶୀ ଚିକିତ୍ସା ଆରମ୍ଭ କରିଦିଏ। ପୋଲାଙ୍ଗ ତେଲ ,ରଶୁଣ ଫୁଟେଇ ବୋଉ ଗୋଟିଏ କାଠିରେ କନା ଗୁଡେ଼ଇ ଉଷୁମ ଉଷୁମ ବୋଳି,ସେମାନଙ୍କ ପଛେ ଲାଗି ରହିଥାଏ ସେମାନଙ୍କ ସଙ୍ଗେ ଲାଗି ରହି ରହି ଭଲ କରୀଦିଏ।କେଉଁ ଡାକ୍ତରୀ ବିଦ୍ୟାରେ ଏତେ ଶୀଘ୍ର ଆରୋଗ୍ୟର ଔଷଧ ନ ଥିବ ବୋଉ ପାଖେ ଯାହା ଅଛି।


  ବାଛୁରୀ ଛୁଆଟିଏ ଜନ୍ମ ହେଲେ ତା ବେକରେ କଳାସୂତା ଟିଏ ଘୁଂଘୁର ସହିତ ବାନ୍ଧିଦିଏ। ସକାଳ ସୂରୁଜ କିରଣରେ ସେ ତା "ମାଆ" ପାଖେ ଡିଆଁ ମାରିବାର ଦୃଶ୍ୟ ଖୁବ୍ ମନୋଲୋଭା।ବୋଉ ବି ମଝିରେ ମଝିରେ ଯାଇ ଗେଲ କରି ଆସେ । ବୋଉ ଛୁଆକୁ ବିରିବଟା ପାଣି ପିଆଇବାକୁ ଗଲାବେଳେ ସେମାନେ ବେକ ଲମ୍ବାଇ ମୁହଁଟି ଆଣି ଉପରେ ଥୋଇଥାନ୍ତି। ପଶୁ ହେଲେ ମଧ ସ୍ନେହର ଭାଷା ସମସ୍ତେ ବୁଝୁଥାନ୍ତି। 


 ସନ୍ଧ୍ୟା ହେଲେ ବୋଉର ଚିନ୍ତା ଗୁହାଳରେ ମଶା ଲାଗିବା ପାଇଁ, ତେଣୁ ଗୁହାଳର ଗୋଟିଏ କଣରେ ଘସି ଆଉ କତା ର ଧୁଆଁ ଦେଇ ଜଗିଥାଏ। ଗୋରୁ ମାତା ବୁଢୀ ହୋଇଗଲେ ବୋଉ ବିକିବାକୁ କେବେ ବି ଚାହେଁନା ତାରି ପାଖରେ ରହି ମରେ ଲୋକଙ୍କୁ ଡକାଇ ଗାତ କରି ଲୁଣଦେଇ ପୋତି ଦିଆଯାଏ ,ବୋଉ କିନ୍ତୁ ଦୁଃଖରେ ଗୁମସୁମ୍ ହୋଇ ରହିଥାଏ।


 ମୁଁ" କହେ ବିରକ୍ତ ହୋଇ ଏତେ ଯଦି ଦୁଃଖ କରୁଛୁ କାହାକୁ ଦେଇ ଦେଲୁନି। ବୋଉ କିନ୍ତୁ କହେ ବୁଢୀ ଗାଈଟିକୁ କିଏ କ'ଣ କ୍ଷୀର ଆଶାରେ ନେବ ,ଯିଏ ନେବ କଂସେଇଖାନା ପାଇଁ । ମୁଁ ସେ କୁକର୍ମ କରି ପାରିବିନି। ବୟସ ଥିବାଯାକ କ୍ଷୀର ଦେଲା ଏବେ କାମରେ ଆସୁନି ବୋଲି ବିକିଦେବି ?ମୁଁ ମଣିଷ ନା ରାକ୍ଷାସୀ ? 


 ବୋଉର ଗାଈକୁ ଭଲପାଇବା କିଛି ନୂଆ ଜିନିଷ ନଥିଲା ସମସ୍ତ ଜୀବଜଗତ ପାଇଁ ଦରଦ ହୃଦୟଟେ ଥିଲା।


ଆଜି ଗାଈ ,ଗୋବର। ଗୁହାଳର ଉତ୍କଟ ଗନ୍ଧ ନାରୀ ମାନଙ୍କୁ ଅସହ୍ୟ କରୁଛି ,କିଛି ଟଙ୍କା ଦେଇ ମାର୍କେଟରୁ ପ୍ୟାକେଟ କ୍ଷୀରରେ ଆବଶ୍ୟକତାକୁ ମେଣ୍ଟଉଛନ୍ତି। ଆଜି ଗାଁ ଆଉ ଗାଁ ନାହିଁ ,ଗୁହାଳ ଆଜି ଜୀର୍ଣ୍ଣଶୀର୍ଣ୍ଣ , ସେହି ସ୍ଥାନରେ ଘରଟିଏ କାମରେ ଆସୁଛି ,ଆଉ ସହରର ଗୋମାତା କଂକ୍ରିଟ ପଡିଆରୁ ପଲଥିନ୍ ଘାସରେ ଭୋକ ମେଣ୍ଟାଉଛନ୍ତି। ଯେଉଁ ଦେଶରେ ଗାଈକୁ ମାତା ଆଖ୍ୟା ଦିଆ ଯାଇଛି , ସେମାନଙ୍କୁ କ'ଣ ମା'ର ସ୍ଥାନ ମିଳୁଛି,ଭାବିଲେ ଦୁଃଖ ଲାଗେ ।




Rate this content
Log in

Similar oriya story from Abstract