Sasmita Mohapatra

Others

3  

Sasmita Mohapatra

Others

ଭିଟାମାଟି

ଭିଟାମାଟି

4 mins
272



ବହୁତ ଦିନ ପରେ ସତ୍ୟ ଆଜି ଗାଆଁ ଘରକୁ ଫେରିଛି, କବାଟ ଖୋଲିଲା, ଯେଉଁ ଘର ଚଳଚଞ୍ଚଳ, ହସର କାକଳୀ, କୋଳାହଳରେ ପରିପୂର୍ଣ୍ଣ ଥିଲା, ସେହିଠି ଆଜି ଖାଁ ଖାଁ, ଫଟାକାନ୍ଥ, ଅଳନ୍ଧୁଘେରା, ବୁଢିଆଣୀ ଆଉ କଙ୍କଡାବିଛାର ରାଜତ୍ୱ । ଯେଉଁଠି ଜୀବନର ଅର୍ଦ୍ଧଶତାବ୍ଦୀ ବିତିଯାଇଛି, କେତେଦିନେ ଆଉ ତା ଜନ୍ମସ୍ଥାନରୁ ଦୂରେଇ ରହିବ । ଦିନେ ନା ଦିନେ ତାକୁ ତା' ଭିଟାମାଟିକୁ ଫେରିବାକୁ ହେବ । ସେ ଘର କାଇଁ କାମୁଡିବାକୁ ଗୋଡାଉଛି ? । ବୁଝିବାକୁ ଡେରି ନଥିଲା । ପ୍ରକୃତରେ ଘର ବାଲି, ସିମେଣ୍ଟ ମୂଲ୍ୟବାନ ମାର୍ବଲରେ ତିଆରି ହୁଏନା, ବରଂ ପରିବାର ଲୋକମାନଙ୍କର ସ୍ନେହ ଓ ଆନ୍ତରିକତାରେ । 

   ବୋଉ ମରିବାର ଦୀର୍ଘ୍ୟ ଏକ ବର୍ଷ ପରେ ଏ ଘରକୁ ସେ ଆସିଛି । ଗାଆଁ ଘରଠାରୁ ସହରଟା ପଇଁଚାଳିଶ କିଲୋମିଟର ହେଲେ ମଧ୍ୟ ଧାଁ ଧପଡ଼ କରିବାକୁ ପଡିବ ବୋଲି "ବାବାବୋଉ"ଙ୍କୁ ନିଜପାଖକୁ ନେଇଯାଇଥିଲା । ଆଉ ଛୁଟିରେ ବେଳେ ବେଳେ ବୋଉ ଜିଦ୍ କଲେ ନୂଆ ବନ୍ଧୁଟେ ପରି ସକାଳୁ ଯାଇ ସଞ୍ଜରେ ଗାଆଁରୁ ବୁଲିଆସନ୍ତି । 

 ଏବେ ତ ଜିଦ୍ କରିବାକୁ "ବୋଉ" ନାହିଁ । ମଲାବେଳକୁ ପୁଅ ମୁହଁକୁ ଚାହିଁ କଣ କହିବ ବୋଲି ଭାବି ମରିଗଲା । ଷୋଳପଣ ଇଚ୍ଛା ଥିଲା ଗାଁକୁ ଯାଇ ରହିବ ହେଲେ ଦେହ ଚଳୁନଥିଲା । କିପରି ବା ସେ ଜିଦ୍ କରିବ, ପୁଅ ସହରରେ ଚାକିରୀ । ସକାଳ ଆଠଟାରୁ ରାତି ଆଠଟା ପର୍ଯ୍ୟନ୍ତ ଡ୍ୟୁଟି । ତା ସାଙ୍ଗକୁ ଘରକାମ, ବନ୍ଧୁବାନ୍ଧବ, ବୋଉବାବାଙ୍କୁ ଡାକ୍ତର ଦେଖାଇବା, ଗାଆଁର ଜମିବାଡ଼ି ବୁଝିବା ବହୁତ କିଛି । ଚୁପଚାପ୍ ରହେ "ବୋଉ" । ପୁଅ ବୋହୁ ଚାକିରୀକୁ ଗଲାପରେ ସବୁ ସୁବିଧା ଥାଇ ମଧ୍ୟ ଗେଟରେ ତାଲା ଦେଇ ଝରକା ପଟେ ବାହାରକୁ ଚାହିଁ ରହେ । ସୂରୁଜ ଯାଇ ଜହ୍ନ ଆସେ । ମଣିଷ ମୁହଁଟେ ଦେଖିବା ସାତ ସପନ । କାହା ସଙ୍ଗେ କଥା ହେବା ତ ଦୂରର କଥା । ଚାକିରାଣୀଟିକୁ ଯାହା ବରାଦ କରାଯାଏ, ଖାଇବାକୁ ଦେଇ ନିଜ କାମରେ ବ୍ୟସ୍ତ । ସ୍କୁଲରୁ ଫେରିଲେ ନାତୁଣୀର ସାଙ୍ଗସାଥୀ, ଟିଉସନ୍, ପାଠପଢା । 

   କି ବା କରିପାରିବ ସତ୍ୟ । ସବୁ ବୁଝେ, ଉପାୟ ନଥାଏ । ସ୍ୱାମୀ ସ୍ତ୍ରୀ ଦୁହେଁ ରୋଜଗାରିଆ, ନହେଲେ ଏ ମହରଗ ଦୁନିଆଁରେ ଚଳିବା କେତେ କଷ୍ଟ । ଘରଭଡା ସାଙ୍ଗକୁ ସବୁ କିଣା । ତା ଛଡା ଇଂରାଜୀ ମାଧ୍ୟମରେ ପିଲାଟି ପଢୁଅଛି । 

  ବୋଉର ଚାହାଣୀରେ ସେ ଅନୁଭବ କରେ ଅବଶୋଶ । ହେଲେ ଦିନେ ଦିନେ ପଚାରେ ତୋର କିଛି ଅସୁବିଧା ହେଉଛି କି ବୋଉ ?ବୋଉ"ର ଗୋଟିଏ ଉତ୍ତର ...ନା..ମ ଅସୁବିଧା କଣ?ତୁ କଣ ମୋର କିଛି ଅପୂରଣ ରଖିଛୁ, , , ?

 କିନ୍ତୁ ଗାଆଁର କଥା ପଡିଲେ ବୋଉ ଖୁସି ହୋଇଯାଏ । ସତ୍ୟ କହେ....ବୋଉ କହିଲୁ, ବାବା କେମିତି ରଙ୍କତିଆଡି ପୋଖରୀ ଗୋଳି ହେଲା ବେଳେ ମାଛ ଆଣି ଅଗଣାରେ ଅଜାଡି ଦେଉଥିଲେ । ଆଉ ତୁ ଚୂଲିମୁଣ୍ଡେ ଘଣ୍ଟା ଘଣ୍ଟା ଧରି ଭାଜି ବସୁ । କଅଁଳିଆ କଦଳୀ ପତ୍ରରେ ଗରମ ଗରମ ମାଛଭଜା ଖାଇବାକୁ ଦେଉ । ଶୀତଦିନେ ମୁଢିଭଜା ସଙ୍ଗେ ବାଦାମଭଜା, ଚା "ର ଆସର । ରାତି ଅଧରେ ପୋଡପିଠା ଚୂଲିରେ ରଡ଼ନିଆଁ, କତା, ଘସି ରଖି ଫୁଙ୍କି ଫୁଙ୍କି ବସାଉଥିଲୁ । ସକାଳୁ କୁଲା ଉପରେ ପନିକି ରଖି ଖଣ୍ଡ ଖଣ୍ଡ କରି କାଟି ଖୁଆଉଥିଲୁ । ଗରମ ଦିନେ ସରୁ ଚକୁଳି ସାଥେ ପାଚିଲା ପଣସର ଦୋରୁଅ ଖାଇବାକୁ ଦେଉଥିଲୁ । ଆମେ ସ୍କୁଲରୁ ଫେରିଲା ବେଳକୁ ବୋଉ ଆଳୁପୋଡା, ବାଡିଶାଗ ଭଜା, ବଡିଫୁଲା, ପଖାଳ ସଙ୍ଗେ ବାଢି ଦେଉଥିଲୁ । ସତରେ ତୁ ପାଞ୍ଚଟି ଛୁଆକୁ ଯେଉଁ ସଂସ୍କାର ଦେଇ ବଢାଉଥିଲୁ, ଗୋଟିଏ ପିଲା ସମ୍ଭାଳିବାକୁ ଆମକୁ କେତେ କଷ୍ଟ । ....."ବୋଉ"ର ମୁହଁରେ ହସ ଦିଶୁଥିଲା, କିନ୍ତୁ ସେଦିନର ଗପ ସେତିକିରେ ରହୁଥିଲା । ପୁଅ ପାଖେ ବେଶି ସମୟ ନଥିଲା । ମାର୍କେଟରୁ ସଉଦା, ପରିବା ନଆଣିଲେ କଣ ଚଳିବ, ଗୋଟିକିଆ ପୁଅ । ଚାରିଆଡକୁ ଚାହିଁବାକୁ ପଡିଥାଏ ।  ଏମିତି ନିତିଦିନିଆ ଟଣା ଓଟରା ଜୀବନ ସମୟ ପାଖେ ହାର ମାନିଯାଇଥାଏ । ମନ ଯାହା ଚାହେଁ ସମୟ ନିଅଣ୍ଟ ପଡେ । "ବୋଉ" ପାଖେ ଅସରନ୍ତି ଭଲପାଇବା କିନ୍ତୁ ଉପଭୋଗ କରିହୁଏନା । 

ବଣର ପକ୍ଷୀକୁ ପିଞ୍ଜରାରେ ରଖିଲେ ସେ କଣ ମୁକ୍ତ । "ବୋଉ"ର ଏ ପ୍ରକାର ଜୀବନ ଜୀଇଁବାର ଅଭ୍ୟାସ କଣ ଥିଲା? 

 ଆସ୍ତେ ଆସ୍ତେ ବୋଉ ରୋଗୀଣା ଶଯ୍ୟାଶାୟୀ ହୋଇଗଲା । ଅନେକ ଡାକ୍ତର ଦେଖିଲେ । "ବୋଉ"ର କିଛି ରୋଗ ନାହିଁ । ସମସ୍ତିଙ୍କର ଗୋଟିଏ କଥା "ବୋଉ"ର ହାଡସବୁ ଦୂର୍ବଳ ଆଉ ଫମ୍ପା । ଯାହାକୁ "ଅଷ୍ଟିଓପାଇରସ୍"ବୋଲି ଡାକ୍ତର ନାମ ଦେଇଛନ୍ତି । 

 ବୋଉର ହାଡ କିପରି ଦୂର୍ବଳ ହେଲା, ? ସେ ତ ଭରଣେ ଭରଣେ ଧାନ ଉଷାଇଁ ଗାଆଁ ଛାତ ଉପରେ ଶୁଖାଉଥିଲା । ବସ୍ତା ବସ୍ତା ଧାନ ମିଲରୁ ଆସିବା ପରେ ପାଛୁଡିଥିଲା । ତା ସାଙ୍ଗକୁ ବିରି, ମୁଗ, କୋଳଥ ଇତ୍ୟାଦି । ଡବାଡବା ବିରିବଡି ପାରି ବର୍ଷକ ପାଇଁ ଡ଼ବାରେ ସାଉତୁଥିଲା । କୋଉ ପରବ ପୁନିଅଁରେ ଛଅ ତିଅଣ ନଅଭଜା କରିବାକୁ ଭୂଲୁନଥିଲା । ଘଣ୍ଟା ଘଣ୍ଟା ଧରି ଚୂଲିମୁଣ୍ଡେ ମୁଢି ଭାଜୁଥିଲା । ପିଠାପଣା, କ୍ଷୀରି, ପୁଳି, ଚିତା ଝୋଟି କେଉଁଥିରେ ବୋଉ ନିପୂଣା ଥିଲା ଯେ ?ବାଡ଼ି ବଗିଚାରେ ପରିବା, ଶାଗ ଲଗାଇବାଠାରୁ ଏତେ ବଡ଼ ଖଳାକୁ ଗୋବରରେ ଲିପି ଦେଉଥିଲା । ପୁଣି ଗାଈଗୋରୁ ଚାରିଟି ପିଲାମାନେ ପାଣିମିଶା କ୍ଷୀର ନ ପିଇବେ ବୋଲି । ବୋଉର କାମ, ଚଞ୍ଚଳତା, ଆଉ ବିଚକ୍ଷଣତା ଆଗେ କିଏ ସରି ହେବ?ପୁଣି ଏ ଇଂରାଜୀ ରୋଗ....?ଖରା ଅଭାବରେଏ ରୋଗ ହୁଏ । "ବୋଉ"ର ଦେହ ଖରା, ବର୍ଷା, ଶୀତ ସହିବାର ଅଭ୍ୟସ୍ତ ଥିଲା । ଯଦି ବୋଉକୁ ପଚରାଯାଏ "ବୋଉ"ତତେ ଶୀତ ହେଉନି?ବୋଉର ଗୋଟିଏ ଉତ୍ତର.... ବୋଉମାନଙ୍କୁ ଶୀତ ହୁଏନା ।  

 ବୋଉ ଶଯ୍ୟାଶାୟୀ ହୋଇ ମଧ୍ୟ ନିଜର କଷ୍ଟ କାହାକୁ କହୁନଥିଲା । ସ୍ଥିତପ୍ରଜ୍ଞ ସନ୍ୟାସୀଟେ ପରି ଚାହିଁ ରହେ । କଣ ତା"ର ଅଭିଯୋଗ?ହଁ ବୋଉ ଭାରି ସ୍ୱାଭିମାନୀ । ଟିକିଏ କଥାରେ ଉଣା ହେଲେ ଭିତରେ ଭିତରେ କୁହୁଳି କୁହୁଳି କାନ୍ଦିଉଠେ । ଲୁହଗଡାଏ ସିନା କାହାକୁ କିଛି କହେନା । ତା"ର ଏହିଗୁଣ ଶେଷକୁ ତାକୁ ଚୁପ୍ କରିଦେଲା । 


ଝିଅମାନେ ଆସନ୍ତି, "ବୋଉ" ଶେଜରେ ପଡି କିଛି କହେନି । ନିରୀହ ଆଖିରେ ଚାହେଁ । ଜିଦ୍ କଲାରୁ କହିଲା କିଛି କହିବାକୁ ଇଚ୍ଛା ହେଉନି । ଶେଷକୁ ଖାଇବା ଛାଡିଦେଲା । ଦେହ କ୍ଷୀଣ ବିଛଣାରେ ଲାଗିଗଲା । ପୁଅର ଜିଦ୍ "ବୋଉ'ଖାଇବ ଘରକୁ ଡାକ୍ତର ଆସିଲେ । ବୋଉର ନାକରେ ପାଇପ୍ ଲଗାଇ ଖାଦ୍ୟ ଦିଆଗଲା । ତଥାପି "ବୋଉ" ଜୁଳୁଜୁଳୁ ହୋଇ ଚାହୁଁଥାଏ । କଷ୍ଟରେ କଡ ଲେଉଟାଇ ମୁହଁର ଭଙ୍ଗୀରେ କଷ୍ଟକୁ ବ୍ୟକ୍ତ କରୁଥାଏ । ସେତିକିରେ ବୋଉର କଷ୍ଟ ସରିଲାନି । ଡାକ୍ତରଖାନା ନିଆଗଲା ହେଲେ ଡାକ୍ତର ଫେରାଇଦେଲେ । କହିଲେ ମାଉସୀଙ୍କ କିଛି ରୋଗ ନାହିଁ । ସେ ଇଚ୍ଛା କରି ଖାଇଲେ ସବୁ ଠିକ୍ ହୋଇଯିବ । କିନ୍ତୁ ବୋଉ କିଛି ଶୁଣେନା । ନାକରୁ ଖାଦ୍ୟ ପାଇପ୍ ବାହାର କରିଦିଏ । ଖାଇବାକୁ ଦେଲେ ଦୁଇପଟେ ଗାଳିଦିଏ । ପୁଣି ଥରେ ପାଇପ୍ ଲାଗିଲା । ରାତିରେ ଆଉ ଦିନରେ ଜଣେ ଅନବରତ ତା ପାଖରେ ବସି ରହନ୍ତି । 

 କେତେ ଦିନ ବା ଏପରି ଚାଲିବ । ଶେଷରେ "ବୋଉ"ର ପାଇପରେ ଖାଦ୍ୟ ଗଲାନି । ଦେହ ଥଣ୍ଡା ହୋଇ ଆସିଲା । ଫୁଲିଗଲା । ଆଉ ଚାହିଁଲାନି । ନିଃଶ୍ୱାସ ଜୋରରେ ଯିବାଆସିବା କଲା । ତିନିଦିନ କୋମାରେ ରହିଲା । 

ପୁଅର ସେଦିନ ଅଫିସ ଯିବାକୁ ଇଚ୍ଛା ହେଲାନି ପାଖ ଅଫିସ ଯାଇ ଦିନ ଦୁଇଟା ବେଳକୁ ଫେରି ଆସି ଦେଖେ ବୋଉ ପାଖରେ ସମସ୍ତେ ବେଢି ହୋଇଛନ୍ତି । ଜୋତା ତରତର ହୋଇ ଖୋଲି ବୋଉକୁ ନିର୍ମାଲ୍ୟ ପାଣି ଦେଲା । ସତେକି "ବୋଉ" ତା ପୁଅ ପାଇଁ ଅପେକ୍ଷା କରିଥିଲା । ବୋଉ ନିରୀହ ଆଖିରେ ପୁଅକୁ ଚାହିଁ ଆଖି ବୁଜିଦେଲା । 

  ଆଜି ସେହି ଗାଆଁ ଘରେ ସତ୍ୟର ପିଲାବେଳୁ ବିତାଇଥିବା ପ୍ରତ୍ୟେକ ସ୍ମୃତି ମନେ ପଡି ଯାଉଥିଲା । ଭାବୁଥିଲା ଗାଆଁରୁ "ବୋଉ"କୁ ସହରକୁ ନନେଇ ଥିଲେ କଣ ମୋ ବୋଉ ଏଇ ଘରେ ଥାଇ ମୋ ପାଇଁ କବାଟ ଖୋଲିନଥାନ୍ତା ? ସତ୍ୟ ଭାବୁଥିଲା । ବୋଉ ଏଇ ଘରକୁ ବାହା ହୋଇ ଆସିଥିଲା । ଏଇ ମଶାଣିକୁ ଶଙ୍ଖା, ସିନ୍ଦୂରରେ ଯିବ ବୋଲି ଚାହୁଁଥିଲା । ସହରର ସୁଖ ଜୀବନ, ସ୍ୱର୍ଗଦ୍ୱାରର ଶ୍ମଶାନ ଅପେକ୍ଷା ଭିଟାମାଟି ତା ପାଇଁ ମର୍ତ୍ତ୍ୟ ବୈକୁଣ୍ଠ ଥିଲା । । 



Rate this content
Log in