ଅଚିହ୍ନା ମଣିଷ
ଅଚିହ୍ନା ମଣିଷ


ସେଦିନ ଅଚେତ ଅବସ୍ଥା ଫେରି ପାଇବା ପରେ ଭାବୁଥାନ୍ତି ଆଦିତ୍ୟ ତାଙ୍କ ଜୀବନ ବଞ୍ଚାଇଥିବା ବ୍ୟକ୍ତି ଜଣକ କିଏ ? କିଏ ତାଙ୍କୁ ରାସ୍ତାରୁ ଗୋଟାଇଆଣି ଡାକ୍ତରଖାନାରେ ଭର୍ତ୍ତି କଲେ। ନର୍ସ ମାନଙ୍କୁ ସେହି ସହୃଦୟ ବ୍ୟକ୍ତି କିଏ ବୋଲି ଅନୁରୋଧ କଲେ ମଧ୍ୟ କିଛି ଜାଣି ପାରିଲେ ନାହିଁ।ମନେ ମନେ ଧନ୍ୟବାଦ ଦେଉଥାନ୍ତି ସେହି ସହୃଦୟ ବ୍ୟକ୍ତିଙ୍କୁ ଯେ କି ତାଙ୍କ ପୂର୍ନଃ ଜନ୍ମ ପାଇଁ । କିଏସେ ସେ ବଦାନ୍ୟ ବ୍ୟକ୍ତି ଯିଏ ଭଗବାନ ହୋଇ ଆସିଥିଲେ।
ଆଦିତ୍ୟଙ୍କର ଅଳ୍ପ ଅଳ୍ପ ମନେଅଛି ଅଫିସରୁ ଫେରିବା ଟିକିଏ ବିଳମ୍ବ ହୋଇ ଯାଇଥିଲା।ଅନ୍ଧାର ଆଉ ବର୍ଷା ରାତି,ହେଲେମେଟ ଆଉ ରେନକୋଟ୍ କୁ ପାଣି ,ପବନ ମାନୁ ନଥିଲେ ,କେଉଁଠି ଟିକିଏ ଘର ଦେଖି ଆଶ୍ରୟ ନେବେ ବୋଲି ଚିନ୍ତା କରୁ କରୁ ପଛରୁ ଗୋଟିଏ ଟ୍ରକ ଆସି ଧକ୍କା ଦେଲା। ସେ ପଡିବା ଅବସ୍ଥାରେ ଟ୍ରକ ଡ୍ରାଇଭର ଖସି ଚାଲି ଯାଇଥିଲା। ରାସ୍ତାରେ ପଡି ବିକଳ ହୋଇ ଡାକୁଥିଲେ, ଦେହ ରକ୍ତାକ୍ତ। କହୁଣୀ ଆଣ୍ଠୁରୁ ମାଂସ ଖିନଭିନ୍ ହୋଇ ଯାଇଥିଲା। ଦୁଇ ଦୁଇଟା କାର୍ ତାଙ୍କ ସାମ୍ନାରେ ଟିକିଏ ଅଟକି ସେହି ଅବସ୍ଥାରେ ତାଙ୍କୁ ଛାଡି ଚାଲି ଯାଇଥିଲେ। ରାସ୍ତା ପୁରା ନିକାଞ୍ଚନ। । ତାଙ୍କ ତଣ୍ଟି ଶୁଖି ଶୁଖି ଯାଉଥାଏ ।ବର୍ଷାପାଣି କ୍ଷତ ସବୁ ଅତ୍ୟଧିକ ଯନ୍ତ୍ରଣା ଦେଉଥାଏ। ସେ ଗାଡିଟି ଛିଟକି ଖଣ୍ଡେ ଦୂରେ ପଡିଥାଏ। ସେ ମୃତ୍ୟୁକୁ ପାଖରୁ ଦେଖୁଥିଲେ। ମୋବାଇଲ୍ ଟି ତାଙ୍କର ଗୋଟିଏ ଗଛ ଉପରେ ଛାଟି ହୋଇ ପଡିଥାଏ। ଉଠିବାକୁ ତାକତ୍ ନ ଥାଏ। ତେଣୁ ଘରକୁ ଫୋନ୍ କରିବା ଅସମ୍ଭବ ଥିଲା।ସେ କ୍ଷୀଣ ସ୍ବରରେ ଚିତ୍କାର କରୁଥିଲେ....ଭାଇ ମୋତେ ବଞ୍ଚାଅ। ମୋତେ ଡାକ୍ତର ପାଖକୁ ନେଇଯାଅ।ତାପରେ........ସେ କିଛି ଜାଣନ୍ତିନି ।ଡାକ୍ତର କହୁଥିଲେ ମୁଁ ଅଚେତ ଅବସ୍ଥାରେ ଆସିଥିଲି। ।ମୋର ସର୍ଜରୀ ପରେ ଏବେ ସାମାନ୍ୟ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିଛି।ମୋ ପରିବାର ଏ ବିଷୟରେ କିଛି ଜାଣି ନଥିଲେ। କାରଣ ମୋ ଜୀବନ ବଞ୍ଚାଇବା ମୁଖ୍ୟ କାମ ଥିଲା।
ଆଜି ନର୍ସ କହୁଥିଲେ ମୋ ଘରକୁ ଏବେ ଖବର ପଠାଇଛନ୍ତି। ଆସି ପହଞ୍ଚିବେ। କାଲି ରାତିରୁ ବ୍ୟସ୍ତ ହୋଇ ଖୋଜୁଥିବେ। ଖାଲି ସେ ସାହାଯ୍ୟକର୍ତ୍ତାଙ୍କ ଫୋନ୍ ନମ୍ବର ମିଳିଯାଇଥାନ୍ତା । ବଧାଇଟିଏ ଜଣାଇଥାନ୍ତି।
କିଏସେ ସେ ଦାତବ୍ୟ ବ୍ୟକ୍ତି ଯେ ମୋ ଜୀବନ ସହିତ କିଛି ଟଙ୍କା ମଧ୍ୟ ହସପିଟାଲରେ ଖର୍ଚ୍ଚ କରିଛନ୍ତି।ମେଡିସିନ୍ ଆଉ ଅନ୍ୟାନ୍ୟ ଜିନିଷ ଦେଇ କୁଆଡେ ପଳାଇଲେ।ଅତ୍ୟନ୍ତ ମୋ ଅବସ୍ଥା ଭଲ ହେବା ଯାଏଁ ଅପେକ୍ଷା କରିଥାନ୍ତେ। ଗୋଟିଏ ପଟେ ସେ ଟ୍ରକ ଡ୍ରାଇଭର ଯେ କି ମୋତେ ମରଣ ଅବସ୍ଥାରେ ଛାଡି ଚାଲିଗଲା ଅନ୍ୟପଟେ ଯିଏ ମୋ ଜୀବନ ରକ୍ଷା କଲେ ତା ଛଡା ଅର୍ଥ,ଶ୍ରମ, ମାନବିକତାକୁ ବୀକ୍ରି କରି ନଥିଲେ।
ହଠାତ୍ ନର୍ସଙ୍କ ପ୍ରବେଶରେ ଚିନ୍ତାରୁ ଅବସର ନେଲେ ଆଦିତ୍ୟ।...ଉଠ ସୁପ୍ ପିଅ ! ଆଉ ବ୍ଲଡପ୍ରେସର ଚେକ୍ କରାଯିବ।
ଆଚ୍ଛା ନର୍ସ କହିପାରିବ;-ମୋତେ କିଏ ଏଠାକୁ ଆଣି ଆସିଥିଲେ ? ....ନା...ଗତକାଲି ମୋର ଡିୟୁଟି ନଥିଲା। ....ଦେଖ ସିଏ ଯିଏ ବି ହୁଅନ୍ତୁ ତୁମେ ଆଗ ସୁସ୍ଥ ହୁଅ ,। ତୁମ ପରିବାର ଲୋକ ଆସିଲେ ବୁଝିବେ।।ସେ ବିଷୟରେ କିଛି ଭାବ ନାହିଁ।
ସେ ତ ବିନା ପରିଚୟ ଦେଇ ଚାଲି ଯାଇଛନ୍ତି। ଆମେ କିପରି ଖୋଜିବୁ?....ଓହୋଃ ଆପଣ କାହିଁକି ମୁଣ୍ଡ ଖର୍ଚ୍ଚ କରୁଛନ୍ତି କହିଲେ ? ଏତେ ବଡ଼ ଅପରେସନ ପରେ ଆପଣ ବିପଦରୁ ମୁକ୍ତି ହୋଇଛନ୍ତି ,ସେଇଟା ବଡ କଥା। ....ଭାବିନିଅନ୍ତୁ ଠାକୁର ଆପଣଙ୍କୁ କାହା ଦ୍ବାରା ସାହାଯ୍ୟ କରିଛନ୍ତି।
ଚୁପ୍ ହୋଇଗଲେ ଆଦିତ୍ୟ ବାବୁ। ସତରେ ଶରୀରଟା ଦୁର୍ବଳ ଲାଗୁଛି, ଆଉ ନିଦ ବି। ମନକୁ ବିଶ୍ରାମ ଦରକାର ।
କିଛି ସଯୟ ପରେ ଆଦିଦ୍ୟ ବାବୁଙ୍କ ନିଦ ଭାଙ୍ଗିଲା ପରେ ଦେଖିଲେ ତାଙ୍କ ଚାରିପଟେ ଘରଲୋକ ଘେରି କରି ଅଛନ୍ତି। ଖୁସି ହୋଇଗଲେ ନିଜର ଲୋକଙ୍କୁ ଦେଖି୍ ...ଆରେ ତମେମାନେ କେତେବେଳେ ଆସିଲ ? ମୋର ଟିକେ ଆଖି ଲାଗି ଯାଇଥିଲା୍। ତାଙ୍କୁ ଦେଖି ଧର୍ମପତ୍ନୀ କାନ୍ଦିବାକୁ ଆରମ୍ଭ କଲାବେଳେ ନର୍ସ ଆସି ପାଟିକଲେ। ଓ୍ବାଡରେ ଏତେ ଗହଳ କରନି। ଜଣ ଜଣ କରି ଦେଖା କର। ସେହି ସମୟରେ ବଡପୁଅ ଏକା ରହି ଅନ୍ୟ ସମସ୍ତଙ୍କୁ ବାହାରକୁ ବିଦା କରିଦେଲେ।ପୁଣି ଥରେ ସେହି କଥା ଆଦିତ୍ୟ ବାବୁଙ୍କ ମୁହଁରୁ..,ପୁଅ ! ରେ ଟିକେ ସେହି ଦୟାଳୁ ଲୋକକୁ ଖୋଜନ୍ତୁନି? ସେ ମୋର ଜୀବନ ବଞ୍ଚାଇଛି।ହଁ ବାପା ଖୋଜିବା ।ତୁମେ ମୃତ୍ୟୁ ମୁଖରୁ ଫେରିଛ ସେଇ ବ୍ୟକ୍ତିଙ୍କୁ ମୋର ମଧ୍ୟ ଦେଖିବାକୁ ଇଛା ।
ଏହି ସମୟରେ ନର୍ସ ଇନଞ୍ଜେକ୍ସନ ଦେଉ ଦେଉ କହିଲେ --ହସପିଟାଲର ସି,ସି,ଟିଭି ପୋଟେଜରୁ ପାଇଯିବେ। ଏହାକହି ଦିଦି ବାହାରକୁ ଚାଲିଗଲେ। ଆଦିତ୍ୟ ବାବୁ.. ପୁଅ ହାତ ଧରି କହିଲେ ;ଯାଆ ତୁ ଆଗ ସେ କଥା ବୁଝୁ। ଆଉ ହଁ ସେ ମୋ ପାଇଁ ମେଡିସିନ୍ ଅନ୍ୟାନ୍ୟ କଣ ଖର୍ଚ୍ଚ କରିଛନ୍ତି ଦେଇଦେବୁ।
ପୁଅ କିଛି ସଯୟ ପରେ ଫେରିଆସି କହିଲା ,ବାପା ! ସେ ଜଣେ ଅଟୋ ଚାଳକ। ରାଜଧାନୀର ବସ୍ତିରେ ଘର। ସେଦିନ ବର୍ଷା ରାତିରେ ଅଟୋ ଧରି ଫେରିବା ବାଟରେ ତୁମକୁ ଦେଖି ନେଇ ଆସିଛନ୍ତି ଅଟୋରେ ପକାଇ।
ହେଲେ ପୁଅ ...ବଡ ଅଫିସରମାନେ ଲମ୍ବା ଗାଡିରେ ଗଲାବେଳେ ବହୁତ ବିକଳେ ଡାକିଲି ,କେହି ରହିଲେନି ।କିନ୍ତୁ ସେ ଅଟୋ ଡ୍ରାଇଭର ର ହୃଦୟ କେଡେ ବିଶାଳ।ବାପା ଆମେ ତାକୁ ପଇସା ଯାଚି ତା ଆତ୍ମସମ୍ନାନକୁ ଉପହାସ କରିବାନି ,ପଇସା ଦରକାର ଥିଲେ ସେ ଆମ ପାଇଁ ଅପେକ୍ଷା କରିଥାନ୍ତା । ତା ରାସ୍ତାରେ ପ୍ରତିଦିନ ଏପରି ଘଟଣା ଘଟୁଥିବ। କିନ୍ତୁ ସେ ଭଗବାନ ହୋଇ ତମକୁ ଜୀବନ୍ୟାସ ଦେଇଛି।
ସେହି ଦିନଠାରୁ ଆଦିତ୍ୟ ବାବୁ ମଣିଷର ଭିଡ ଭିତରେ ଅଚିହ୍ନା ମଣିଷର ,ଚିହ୍ନା ମୁହଁଟିକୁ ଖୋଜୁଛନ୍ତି ଯଦି କେଉଁଠି ମିଳିଯିବ,କୃତଜ୍ଞତା ପୂର୍ବକ ଧନ୍ୟବାଦ ଟିଏ ଜଣାଇବେ ବୋଲି।