Sasmita Mohapatra

Abstract Tragedy

3  

Sasmita Mohapatra

Abstract Tragedy

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

5 mins
273



ବଡ଼ଭାଇଙ୍କ ଉପରେ ଭାରି ରାଗ ଆହୁରି ଦ୍ବିଗୁଣିତ ହେଉଥିଲା।ତାଙ୍କୁ ବାରମ୍ବାର ଖବର ଦେବାସତ୍ତ୍ବେ ମଧ୍ୟ କିଛି ବାହାନାରେ କଥାଟିକୁ ଆଡେଇ ଦେଉଛନ୍ତି।ସବୁବେଳେ ମୋର ମିଟଙ୍ଗ୍ କନଫରେନସ୍ ଦେହ ଖରାପର ଆଳ ଦେଖାଇ ରହୁଛନ୍ତି।

 ହେଲେ"ମାଆ"ଟା କଣ ଖାଲି ମୋର। ମୁଁ ମଧ୍ୟ ଭଡାଘରେ ଛୁଆ ଦି ଟା ଧରି ଚଳୁଛି। ଛୋଟ ସହର ସବୁ କିଣା।ପିଲାମାନେ ବଡ ହେଲେଣି।ଖର୍ଚ୍ଚ ବଢୁଛି। ସାଙ୍ଗସାଥୀ,ବନ୍ଧୁବାନ୍ଧବ,ସବୁ ଜଣକିଆ ମଣିଷ ଉପରେ ପୁଣି ମା ର ଖର୍ଚ୍ଚ ଅଲଗା।ମାତ୍ର ଦୁଇହଜାର ଟଙ୍କା ଭାଇ ମାଆର ଔଷଧ ପାଇଁ ପଠାଉଛନ୍ତି। ଆଉ ସବୁ ମୋ ଉପରେ ।ମାଆର ଖାଇବା,ପିନ୍ଧିବା,ଆଉ ଅନ୍ୟ କୌଣସି ଦେହ ଖରାପ ହେଲେ ଅଲଗା ଅଧିକା ଟଙ୍କା ଦରକାର। ମାଆ ପାଇଁ ଜଣେ ପୁରା ବନ୍ଧା।ମୋ ପରିଶ୍ରମର କ'ଣ କିଛି ମୂଲ୍ୟ ନାହିଁ। ନିଜ ଉପରୁ ଦାୟିତ୍ୱ ଛିଡେଇ ଦେଇ ମୋ ଉପରେ ସବୁ ପକାଇ ଦେଉଛନ୍ତି।ବାରମ୍ବାର କିଛି କଥା ନ ଛିଣ୍ଡେଇ ଦିଲ୍ଲୀ ସହରରେ ମହା ଆନନ୍ଦରେ ଅଛନ୍ତି ଆଉ ମୁଁ ମାଆକୁ ରଖି ହନ୍ତସନ୍ତ ହୋଇ ମରୁଛି।ଘର ଛାଡି ବାହାରକୁ ସମସ୍ତେ ଏକାଠି ବୁଲି ଯାଇ ପାରୁନୁ ।କେହି ନା କେହି ମାଆ ପାଖେ ଜଗି ରହିବାକୁ ପଡୁଛି।


ସୁନିତା" ମୋ ଧର୍ମପତ୍ନୀ ସେହି ବିଷୟରେ ମୋ ସଙ୍ଗେ ଝଗଡା।

ତା ବାପଘରକୁ ଦୁଇଦିନ ଯାଇ ଶାନ୍ତିରେ ରହିପାରୁନି । ଆଉ ବଡଭାଇ ମାଆକୁ ମୋ ମୁଣ୍ଡରେ ଲଦି ସପରିବାର ୟୁରୋପର ଅଧା ବୁଲି ସାରିଲେଣି।ସୁନିତା ମୋତେ ରୋକଠୋକ୍ କହି ଦେଇଛି ଏଇ ଦଶହରାରେ କିଛି ଗୋଟିଏ ସମାଧାନ ନ କରିଲେ ସେ ଘରଦ୍ୱାର ଛାଡି କୁଆଡେ ପଳାଇବ।


ଏହି ସମୟରେ ବଡଭାଇ ଅନିଲ୍ ଙ୍କ ଫୋନ୍ ଆସିଲା।ଝିଅ ଆଣି ମୋବାଇଲ୍ ଟା ଦେଲା।ସୁନିଲ ର ମନରେ ଅନେକ କଥା ଉଠୁଥିଲା। କହିବି ବୋଲି ଭାବୁଥିଲା ବେଳେ ଫୋନ୍ ପୁର୍ବରୁ ବଡଭାଇ କଲ୍ କରି କହିଲେ ଏ ବର୍ଷ ଦଶହରାକୁ ଆମେ ସମସ୍ତେ ଓଡିଶା ଯାଉଛୁ। ଅନେକ ଦିନରୁ ପିଲାମାନେ "କଟକ"ର ଦଶହରା ମେଢ ଦେଖି ନାହାଁନ୍ତି। ଏ ବର୍ଷ ବୁଲାବୁଲି କରି ଫେରିବୁ। ...ହଁ ତୁ କ'ଣ କହୁଥିଲୁ ପରା।

...ନାଇଁ ଭାଇ ,ଏମିତି ବିଶେଷ କିଛି କଥା ନୁହେଁ। ମୁଁ ସେହି 'ମାଆ"କଥା କହୁଥିଲି।ସୁନୀତା ଆଉ ପାରୁନି।ନିଶ୍ଚୟ କିଛି ବ୍ୟବସ୍ଥା କର। ତୁମେ ତାକୁ ତୁମ ପାଖକୁ ନେଇଯାଅ।


ଆରେ ସୁନିଲ୍ ତୁ ତ ଜାଣୁ ମାଆ କଥା ,,ସେ କଣ ତା ଜନ୍ମସ୍ଥାନ ଛାଡି ଯିବ। ସେ ଚଳି ପାରିବନି। ମୋ ଘରକୁ ବଡ ବଡ ଅଫିସର ,ପିଲାମାନଙ୍କର ସାଙ୍ଗସାଥୀ, ଆସୁଛନ୍ତି। ଆଉ ତୋ ଭାଉଜର ପ୍ରାୟ ବେଳେ କିଟ୍ ପାଟ୍ଟି ...ଏ ପରିସ୍ଥିତି, "ବୋଉ" ମୋ ପାଖରେ ଚଳିବ କିପରି ?ତାକୁ ଭଲ ଲାଗିବନି ପରିଶ୍ରା ଝାଡା ବେଳେବେଳେ ହୋଇ ଯାଉଛି ଜାଣି ପାରୁନି।ତେଣୁ ଗୋଟିଏ ରୁମ୍ର ରେ ପଡି ବିରକ୍ତ ହୋଇଯିବ। ହଉ ତୁ ବ୍ୟସ୍ତ ହୁଅନା ,ଆମେ ଦୁହେଁ ମିଶି କିଛି ଚିନ୍ତା କରିବା।


"ସରଳା" ଦେବୀ ଦୁଇ ଭାଇଙ୍କ ଫୋନରୁ ସବୁ କଥା ଜାଣିପାରିଲେ।ମନେ ମନେ ଭାବୁଥାନ୍ତି । ଅନିଲ ବାପାଙ୍କ ସହିତ ମୁଁ ବି ଗୋଟିଏ ମଶାଣିରେ ପେଡା ହୋଇଥାନ୍ତୁ ,ମୋତେ ଏଠି ଦହଗଞ୍ଜ ହେବା ପାଇଁ ଛାଡି ଚାଲିଗଲେ।ମୋର ଗୋଟିଏ ପଦ କଥା ପାଟିରୁ ବାହାରିଲେ ତିରଷ୍କାର କରାଯାଉଛି।ହେୟ ଭାବନାରେ ମୋର ବୁଦ୍ଧି ନାହିଁ ।ମୁଁ ବୁଢୀ ହେଲିଣି ବୋଲି ମତେ କୁହାଯାଉଛି କୋଉ କଥାରେ ମୁଣ୍ଡ ଖର୍ଚ୍ଚ କରନି। ଅନେକ କଥା ମତେ କହିବାକୁ ଉଚିତ ମନେ କରନ୍ତିନି।କେବେ କେବେ ପରିଶ୍ରା ହୋଇଗଲେ ବହୁତ କଦର୍ଯ୍ୟ ବ୍ୟବହାର ଯେପରି ମୁଁ ମଣିଷ ମାରିଛି।ଏପରି ଜୀବନ ଠାରୁ ମୃତ୍ୟୁ ଭଲ ।ତଥାପି ମୋର କେଉଁଥିରେ ଆପତ୍ତି ନାହିଁ। ସବୁବେଳେ ମୁଁ ଏମାନଙ୍କ ପାଇଁ ଅଡୁଆ ହୋଇପଡିଛି୍ ।

ଅନିଲ୍ ବାପା ଗର୍ବରେ ଛାତି ଫୁଲେଇ କହୁଥିଲେ ମୁଁ ଦୁଇଟି ପୁଅ ଜନ୍ମ କରିଛି ।ଗୋଟିଏ ରାମ ଅନ୍ୟଟି ଲକ୍ଷ୍ମଣ। ସେ ଆମକୁ ପୋଷିବେ ଆଉ ଝିଅ ହୋଇଥିଲେ ଶାଶୁଘରକୁ ଯାଇଥାନ୍ତେ।ଦେଖିଯାନ୍ତେ ପୁଅ ମାନେ କିପରି ପୋଷୁଛନ୍ତି ।ଗୁହାଳରେ ବନ୍ଧା ବୁଢୀ ହଡା ବଳଦ ପରି ।ଏହା ଭାବି ଭାବି ଦାଣ୍ଡଘର ଆରାମ୍ ଚେୟାର ଉପରେ ନିଦ ଲାଗି ଯାଇଥିଲା।


 ହଠାତ୍ ବୋହୂ ସୁନିତାର ପାଟିରେ ନିଦ ଭାଙ୍ଗିଲା।ଡ୍ରଇଁରୁମ୍ରୁ ଉଠି ତୁମ ରୁମ୍ କୁ ଯାଅ। ପୁଅର ସାଙ୍ଗ ପ୍ରୋଜେକ୍ଟ କାମ କରିବାକୁ ଆସିବ।ତୁମେ ପାଞ୍ଚ ବଖରା ଘର ରଖିନ ଯେ ସେମାନେ ଆଉ ଗୋଟେ ରୁମରେ ପାଠ ପଢିବେ।ଏଇ ଘରେ ଖାଅ ,ବସ, ପଢ। ଏତେ ଗୁଡିଏ ଟଙ୍କା ଖର୍ଚ୍ଚ କରି ଗାଁରେ କୋଠା ତୋଳୁଥିଲ।ଯାଇ ରହୁନ।ଏଠି କରିଥିଲେ ଆରାମରେ ରହି ନଥାନ୍ତେ? 


   " ସରଳା" ଦେବୀ ବଡ ଧରଣର ଦୋଷ କରିଛନ୍ତି ଭାବି ଧୀରେ ଧୀରେ ବାଡି ଠୁକୁଠୁକୁ କରି ତାଙ୍କ ଗମ୍ଭୀରା ଘର ଯେଉଁଠି ଘରର ଅନାବଶ୍ୟକ ଜିନିଷ ଗଦା ହୋଇଥାଏ ଏବଂ କଡକୁ ଚାରି ଫୁଟିଆ ଖଟିଆକୁ ଉଠି ଚାଲିଲେ।ସେଠାରେ ପ୍ରତୁତ୍ତର ଦେବାକୁ ବୟସ କିମ୍ବା ଆଗ୍ରହ ନଥିଲା। ଥିଲା କେବଳ ଭାଗ୍ୟ ଉପରେ ଦୟା ,ଆଉ ସୁନିତାର ଘଡଘଡି ପାଟି ପାଖରେ ଭୟ। 


ଦଶହରା ଖୁବ୍ ଜଲ୍ଦି ଚାଲି ଆସିଲା।ଦିଲ୍ଲୀରୁ ପୁଅଝିଅଙ୍କ ସଙ୍ଗେ ଅନିଲ୍ ଆଉ ତାଙ୍କ ସ୍ତ୍ରୀ ଆସି ପହଞ୍ଚିଲେ। ସମସ୍ତଙ୍କ ପାଇଁ ଡ୍ରେସ୍ ,ମିଠା, ମା ପାଇଁ ଶାଢୀ ,ଫଳ ଧରି ଆସିଥିଲେ। ଦୁଇ ତିନି ଦିନ ଆରାମରେ ବିତିଲା । ସେଦିନ ଡେରି ରାତିରେ ବସି ଦୁହେଁ କଥା ହେଲେ। ବଡ ଭାଇ ପଚାରିଲେ କହିଲେ କହ କଣ କହୁଥିଲୁ ପରା।.........

ସାନଭାଇ ସୁନିଲ କହିଲା --;ମା କଥା କ'ଣ କରିବା ଭାଇ।ବୁଝି ଶୁଝି କିଛି ଗୋଟିଏ କାମ ନକଲେ ଦୁନିଆ ଆମକୁ କଣ କହିବ। ତୁ ମାଆ ପାଇଁ ଗୋଟିଏ ଲୋକ ଠିକ୍ କର।ସେ ଆସି ସବୁ କାମ କରିଦେବ,

କିନ୍ତୁ ସୁନିଲ ମନାକଲା ----ନା ଭାଇ ମୋର ଛୋଟିଆ ଘର ସେଥିରେ ପୁଣି ବାହାର ଲୋକ। ସେ ଘରେ ରହିବା, ଖାଇବା ପିଇବା ---ତା ଛଡା ,ସୁନିତା ରାନ୍ଧି ଖାଇବାକୁ ଦେଇ ପାରିବନି।ପାଖରେ ବୟସ୍କ ଲୋକଙ୍କ ପାଇଁ NGO ଖୋଲା ଯାଇଛି। କିନ୍ତୁ ସେଥିରେ ରଖି ହେବନି।ଲୋକମାନଙ୍କ ଆମମାନଙ୍କୁ "ମା"କୁ ଛାଡି ଦେବାର ଦୋଷ ଦେବେ।

ବଡଭାଇ କହିଲେ ମୁଁ ତ ଜମା ନେଇ ପାରିବିନି। ।ତା ବୟସ ଯେତିକି ହେଲାଣି ଯଦି କିଛି ହୋଇଯାଏ। ଶବ ସଂସ୍କାର ପାଇଁ ଆଣିବାକୁ ପଡିବ। ନହେଲେ ଗାଁ ଲୋକ ଛାଡିବେନି।


ଶେଷ ନିଷ୍ପତ୍ତିରେ ଦୁହେଁ ପହଞ୍ଚିଲେ,--ମା 'କୁ ଗାଁ ଘରେ ନେଇ ରଖିବା।ମାଆର ଦେଖାଶୁଣା ପାଇଁ ଗୋଟିଏ ସେବିକା ରଖିବା। ତାର ପାରିଶ୍ରମିକ ଗାଁ ଆଦାୟ ଆଉ ନିଆଣ୍ଟିଆ ପଡିଲେ ସମାନ ଅର୍ଥରାଶି ଦୁହେଁ ଆଦାୟ କରି ଦେବା।


ସେଦିନ କଥାବାର୍ତ୍ତା ପରେ ଦୁହେଁ ବିଳମ୍ବ ରାତିଯାଏଁ ଚେଇଁ ରହିଲେ। ଚିନ୍ତା କଲେ କାଲି ଦିନଟା କଟକରେ ବୁଲାବୁଲି ମେଢଦେଖା ଅଛି। ତେଣୁ ପହରଦିନ ଆମେ ମାକୁ ନେଇ ଗାଁରେ ଛାଡି ଦେଇ ଆସିବା ।


"ସରଳା" ଦେବୀ ଆଖିକୁ ନିଦ ନାହିଁ। ପୁଅମାନେ ବୋଝ ମୁକ୍ତ ହୋଇ ଆରାମରେ ଶୋଇଗଲେ।କିନ୍ତୁ ମା ଛୁଆମାନଙ୍କ ଲାଗି କାଲି ବି ଆରାମରେ ଶୋଇ ନ ଥିଲା ଚେଇଁ ଥିଲା। ଛୁଆ ମାପଙ୍କୁ ଆରାମ୍ ରେ ଶୁଆଇଥିଲା ।ଆଜି ବି ପୁଅମାନଙ୍କ କଥା ଶୁଣି ଚେଇଁ ବସିଛନ୍ତି। ସେମାନଙ୍କ କଥା ରେ ଅପମାନ ,ଲଜ୍ଜା ଓ ଅଭିମାନ ବୋଧ ହେଉଥିଲା ।ଦେହ ଥରୁଛି। ମନରେ ଅଶାନ୍ତ ଝଡ।ଶରୀର ଆହୁରି ଅବଶ ଓ ଦୁର୍ବଳ।ଧୀରେ ଧୀରେ ଉଠି ରୁମରେ ଥୁଆ ହୋଇଥିବା ମାଠିଆରୁ ପାଣି ଗ୍ଲାସେ ପିଇଲେ। ସକାଳୁ ଉଠି ସେ ନୀରବ।

 

ନାତିନାତୁଣୀ ମାନଙ୍କ ଆର ଘରେ କୋଳାହଳ।ଏପଟେ ଦୁଇ ବୋହୃ ରୋଷେଇ ଘରେ ବ୍ୟଞ୍ଜନ ପ୍ରସ୍ତୁତ ରେ ବ୍ୟସ୍ତ।ପୁଅ ଦୁଇଜଣ ଗାଧେଇ ପାଧେଇ ବୁଲିଯିବା ପାଇଁ ଅନ୍ୟ ମାନଙ୍କୁ ବାହାରିବାକୁ କହି ନିଜେ ବାହାରିଲେଣି।ତରତର ହୋଇ ମାଧିଆ କୁ ଡକାଗଲା। ମାଧିଆ ଘରଳ ବିଶ୍ବାସ୍ତ ରୟତ। ବାପା ଥିଲା ବେଳୁ ବୋଲହାକ କରେ।ମାଧିଆ ହାତରେ ଦୁଇଶହ ଟଙ୍କା ବଢେଇ ଦେଇ "ମା"କୁ ଜଗିବା ପାଇଁ କୁହାଗଲା। ଖାଇବା ଦୁଇ ଜଣଙ୍କ ପାଇଁ ରଖି ସାନ ବୋହୁ ପିଠି ଥାପୁଡେଇ ଜଗାଇ ଦେଇ ଗଲେ।


ସରଳା ଦେବୀ ଖଟିଆ ଉପରେ ପଡି କାନ୍ଥରେ ଟଙ୍ଗା ଅଳନ୍ଧୁ ଘେରାର ଅନିଲ୍ ବାପାଙ୍କ ଫଟୋଟିକୁ ଚାହିଁ କହୁଥିଲେ ମୁଁ ଆଜି ଅଦରକାରୀ ଅଳିଆ ପାତ୍ରଟେ।ସମସ୍ତେ ବୁଢୀକୁ ବାଏ ବାଏ କହି ବଡଗାଡି ଧରି ବୁଲି ପଳେଇଲେ।


ସରଳା ଦେବୀ ପୁରୁଣାଲୁଗା କାନିରୁ ମଇଳା ଜାକିଜୁକି ହୋଇଥିବା କିଛି ଟଙ୍କା ଫିଟେଇ ମାଧିଆ କୁ ଦେଇ କହିଲେ ! ଯାଆ ଅଟୋ ଟେ ଡାକି ଦେ ଆଉ ଯାହା ବଳିଲା ରଖିଦେବୁ।ମାଧିଆ ମାଆ କଥା ଟାଳି ପାରେନା । ବାଧ୍ୟ ହୋଇ ଡାକିଲା।"ସରଳା" ଦେବୀ ଅଟୋରେ ବସି ବୃଦ୍ଧାଶ୍ରମ ପାଖାପାଖି ଯାଇ ରହିଲେ।ମାଧିଆକକୁ ବିଦାୟ ଦେଲେ। ଘରଲୋକ ସମସ୍ତେ ଫେରିବା ପରେ ମାଧିଆ ଗୋଟା ଗୋଟା କରି ସଵୁ କଥା କହିଲା। ସେମାନେ ଘରେ ପାଦ ନଦେଉ ନଦେଉ ଧାଇଁଲେ ଆଶ୍ରମ ଆଭିମୁଖେ।


 ଆଶ୍ରମ ର ସୁପରିଟେଣ୍ଟ ଯେକି ବାପାଙ୍କର ପ୍ରିୟ ସାଙ୍ଗର ପୁଅ ଥିଲା , ପିଲାବେଳୁ ସବୁଵେଳେ ଘରକୁ ଯିବା ଆସିବା କରୁଥାଏ ସେ ଦୁଇ ଭାଇଙ୍କୁ ପ୍ରଣାମ କଲା।ମା 'ହାତ ଧରି ପୁଅ ମାନଙ୍କ ପାଖକୁ ନେଇ ଆସିଲା।ପୁଅମାନେ ଆଜ୍ଞାଧିନ ପୁତ୍ରର ଅଭିନୟରେ କୁମ୍ଭୀର କାନ୍ଦଣା ଆରମ୍ଭ କରି ଦେଲେ। ସରଳା ଦେବୀ ମୁହଁ ଖୋଲିଲେ,--: କାହିଁକି ଆସିଲ ତୁମେମାନେ ? ତୁମ ମାଆ ବୁଢ଼ୀ ହୋଇଯାଇଛି ମସ୍ତିଷ୍କ ବିକୃତି ନୁହେଁ।ଆଜି ଶରୀରର ଅଙ୍ଗ କ୍ଷୀଣ ହେଲେ ବି ଚଳପ୍ରଚଳ।ସେଦିନ ତୁମମାନଙ୍କୁ ଜଣକୁ ଇଂଜିନିୟର ଆଉ ଜଣକୁ ସରକାରୀ ଚାକିରୀଆ କରିବାର ନିଷ୍ପତ୍ତି ମୋର ଥିଲା। ଆଜି ବି ତୁମମାନଙ୍କ ଜୀବନରେ ବାଧା ନ ଆସିବା ପାଇଁ ନିଷ୍ପତ୍ତି ମୋର।ତୁମ ମାଆ ବୃଦ୍ଧାଶ୍ରମେ ରହୁ କି ଗାଁରେ, ମୋ ଜୀବିତ ଅବସ୍ଥାରେ ଅଛି। ନିଷ୍ପତ୍ତି ନେବାକୁ ତୁମେ କିଏ ?ହଁ ତୁମେ ନେଇଥାନ୍ତ ଯଦି ମୁଁ ସଂପୂର୍ଣ୍ଣ ଅକାମୀ ହୋଇ ଯାଇଥାନ୍ତି।ମୋ ଖୁସି ପାଇଁ ଆଜି ତୁମମାନଙ୍କ ପାଇଁ ମୁଁ ଟିକିଏ ସ୍ବାର୍ଥପର ହୋଇଗଲି ।ତୁମ ଇଛାର ବିରୋଧ କରି ।ବୃଦ୍ଧାଶ୍ରମ ,ଏଇଟା ମୋର ଅନ୍ତିମ ଜୀବନ ଯାଏଁ ଶେଷ ନିଷ୍ପତ୍ତି।ଏହାକହି ଚାଲି ଚାଲି ଫେରି ଯାଇଥିଲେ ସରଳା ଦେବୀ। ଦଲକାଏ ପବନ ତାଙ୍କ କୋଠରୀର ଦୁଆରକୁ ପୁଅମାନଙ୍କ ସାମ୍ନାରେ ବନ୍ଦ କରି ଦେଉଥିଲା।।



Rate this content
Log in

Similar oriya story from Abstract