ଦାୟିତ୍ୱ
ଦାୟିତ୍ୱ


ବିବେକ ବାବୁ ଓ ତାଙ୍କ ଧର୍ମପତ୍ନୀଙ୍କ ମନ ସେଦିନ ସକାଳୁ ଗଗନ ପବନରେ ଉଡୁଥିଲା ,ଯେତେବେଳେ ନର୍ସ ଆସି ଖବର ଦେଲା ...ଆଜ୍ଞା ପୁଅଟିଏ ହୋଇଛି।। ବାହାଘରର ଦୀର୍ଘ ପାଞ୍ଚବର୍ଷ ପରେ ପୁଅଟିଏ।କେତେ ଦାନ,ଧର୍ମ ,ଦିଅଁଦେବତା,ବୈଦ୍ୟ ,ଡାକ୍ତର ପାଖକୁ ନ ଧାଇଁଛନ୍ତି।ପୁଅ ହେଉ କି ଝିଅ ।ସନ୍ତାନଟିଏ ଚାହୁଁଥିଲେ।ଭଗବାନ ତାଙ୍କ ଭଣ୍ଡାର ପୂର୍ଣ୍ଣ କରିଦେଲେ।କମ୍ ଖୁସିର କଥା ନୁହେଁ। ବଡ ବଡ ବିକଳାକରନନ୍ଦ ରସଗୋଲା ଯେତେ ଚିହ୍ନା ପରିଚୟ ଘରେ ବଣ୍ଟାଚାଲିଲା।ପାଟିରୁ ହସ ଲିଭୁନି ।ଅପୂଆ ଘରେ ପୁଅ ..
ଆଭିଜାତ୍ୟ ବ୍ରାହ୍ମଣ ପରିବାରରେ ପୂର୍ବପୁରୁଷଙ୍କୁ ଜଳତର୍ପଣ, ତା ଛଡା କୂଳରକ୍ଷା,ବଂଶ ପରମ୍ପରାର ଆଗମନର ଦାୟାଦ ପାଇଁ ବଡବଡିଆଙ୍କୁ ଧନ୍ୟ ଦେଇ ଚାଲୁଥିଲେ ଦମ୍ପତି।
ପୁଅର ଖୁସି ପାଇଁ ଦୁଇଗୁଣ ପରିଶ୍ରମ କରୁଥିଲେ।କ୍ୟାପିଟାଲରେ ଛୋଟ ଘର। ତା ଭିତରେ ଦୁଇପ୍ରାଣୀ।ଗାଁ ଛାଡି ଚଳି ଯାଉଥିଲେ।ଗାଆଁରେ ଅନେକ ସମ୍ପତି ବାଡି ନିଜର ଅହଂ ଯୋଗୁଁ ବଡ ଭାଇର ଅଯୋଗ୍ୟ ପୁଅମାନଙ୍କ ପାଇଁ ଛାଡି ଆସିଥିଲେ। ସରକାରୀ ଚାକିରିଆ ନ ହେଲେ ମଧ୍ୟ ନିଜର ଅଧ୍ୟବସାୟ ରୁ ଖୁବ୍ ରୋଜଗାର ହୁଏ। ତା ପରେ ଶିକ୍ଷିତା ପତ୍ନୀକୁ ଟ୍ରେନିଂ ଦେଇ ସରକାରୀ ଚାକିରୀ ଖଣ୍ଡେ ଦେଇ ଦେଇଛନ୍ତି,। ତେଣୁ ପୁଅ ପାଇଁ ବଡଗାଡି,ବଡ ଘର ,ବ୍ୟାଙ୍କ ବାଲାନସ୍ ର ସ୍ବପ୍ନରେ ଦିନରାତି ପରିଶ୍ରମ କଲେ ।
ସେଦିନ ମହାଭାରତର ଧୃତରାଷ୍ଟ୍ର ପୁତ୍ରାନ୍ଧ ହୋଇ ଯେଉଁ ଭୁଲ୍ କରିଥିଲେ ବିବେକ ବାବୁ ଧୃତରାଷ୍ଟ୍ରଙ୍କଠାରୁ କିଛି କମ୍ ନଥିଲେ।ଆଉ ମାଆ ଗାନ୍ଧାରୀ ସ୍ବାମୀର ଭଲ ପାଇବାରେ ଅନ୍ଧ ହୋଇ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇଥିଲେ। ତେଣୁ ଯେଉଁ ପୁତ୍ର କଷଟି ପଥରରେ ଘସି ହୋଇ ସୁନାମୁଣ୍ଡା ହୋଇ ବାହାରିଥାନ୍ତା ସେ ପରିବେଶର ଚାପରେ କୁସଙ୍ଗରେ ମିଶି ଆସ୍ତେ ଆସ୍ତେ ମିଛ କହିବା, ପର୍ସରୁ ଟଙ୍କା ଚୋରି କରିବା,ପାଠ ପଢାରେ ଠକାମୀ,ପୋଗ୍ରେସ୍ ରିପୋର୍ଟରେ ଅଧିକ ନମ୍ବର ଚଢାଇ ନିଜେ ବାପାଙ୍କ ଦସ୍ତଖତକୁ ନକଲ କରି ସାର୍ ଙ୍କୁ ଦେବା ଓ ସାଇ ପିଲାଙ ସହିତ ମିଶି ଖରାପ କାମ ଭଳି ଛୋଟ ଛୋଟ ଭୁଲ୍ କରିବା ଆରମ୍ଭ କରିଦେଲା।"ମାଆ" ମଧ୍ୟ ବାପା ରାଗିବେ ବୋଲି ଲୁଚାଏ।ମାଆ ଘର ,ଅଫିସରେ ପେଷିହୋଇ ପୁଅର ଆବଶ୍ୟକତା କୁ କେବଳ ଭଲ ଖାଇବା, ଭଲ ପିନ୍ଧିବା,ଭଲ ଉପୋଭୋଗ କରିବା ଧାରଣାରେ ରହିଗଲେ। ଆଉ ବାପା ଟଙ୍କା ରୋଜଗାରରେ ,ଚାକର ପୂଜାରୀ ରଖିବାରେ।
ପିଲାଟି ଯୌବନବସ୍ଥାରେ ପହଞ୍ଚିଲା ବେଳକୁ ସେହି ଛୋଟ ଛୋଟ ଭୁଲ୍ ବଡ ବଡ଼ ଅପରାଧର ରୂପ ନେଇ ସାରିଥିଲା। କାରଣ କିଶୋରବସ୍ଥା ର ସମୟ ପାଗଳ ପ୍ରାୟ। ଯେଉଁ ସମୟରେ "ମାଆ"ଟି ସାଙ୍ଗ ଆଉ ବାପାଟି ପଥ ପଦର୍ଶକ ନେଇଥାନ୍ତେ ସେହି ସମୟରେ "ମାଆ" ସରକାରୀ କର୍ମଚାରୀ ହିସାବରେ ବଦଳି ହୋଇ ବାହାରେ ରହିବାକୁ ପଡିଲା।ବାପା ଚାକର ରଖି ପୁଅର "ଦାୟିତ୍ୱ" ନିର୍ବାହ କଲେ।ପୁଅ ପାଠରୁ ବିପଥଗାମୀ ହୋଇ ବାହାରର ଚାକଚକ୍ୟ ଦୁନିଆଁର ମଜା ନେଲା। ଏ ପରିସ୍ଥିତିରେ ଦୁହେଁ ସଜାଡିଲା ବେଳକୁ ଲେଡି ଗୁଡ କହୁଣୀ ପର୍ଯ୍ୟନ୍ତ ହୋଇ ସାରିଥିଲା।
ଦିନରାତି ପୁଅର କେସ୍ ଘରକୁ ଆସେ,ସମ୍ମାନ ହାନି ହୁଏ ବିବେକ ବାବୁଙ୍କର।ବାହାରକୁ ବାହାରିଲେ ସାହିର ଛୋଟ ଲୋକ ଗୁଡାକ ଦେଖେଇ କଥା ହୁଅନ୍ତି। ରାଗ ପୁଅ ଉପରେ। ଏହି ପ୍ରସଙ୍ଗରେ ପୁଅ ଦୁଇଥର ଘରଛାଡି ଚାଲି ଯାଇଛି। ବହୁ କାକୁଡି ମିନତୀ ହୋଇ ପୁଅକୁ ଆଣନ୍ତି ।ପୁଅ ଦୁର୍ବଳତାର ଖୁବ୍ ଫାଇଦା ଉଠାଏ।ପୁଅ ଅନେକଙ୍କ ଠାରୁ ଧାର୍ ଆଣିଥିବା ପଇସା ଶୁଝି ଶୁଝି ନୟାନ୍ତ।ଏହି ଚିନ୍ତାରେ "ମାଆ"କୁ ଅଳ୍ପ ବୟସରେ ରୋଗ ମାଡିବସିଲା।ଅସାଧ୍ୟ ରୋଗରେ "ମାଆ" ପୁଅର କିଶୋରବସ୍ଥାରେ ଚାଲିଗଲେ। । ପୁତ୍ରର ଅବସ୍ଥା ଓ ପତ୍ନୀ ବିୟୋଗ ଏତେ ମ୍ରିୟମାଣ କରିଦେଲା ଯେ କାମକୁ ନ ଯାଇ ବିଛଣାରେ ପଡିରହିଲେ। ପୁଅର ଟଙ୍କା ଦରକାର ,ବାପା ନ ଦେଇ ପାରିବାରୁ ବାପା ଖରାପ। ପୁଣି ବାପ ପୁଅଙ୍କ ବଚସାରେ ପୁଅ ସବୁଦିନ ପାଇଁ ଘର ଛାଡି ଚାଲିଗଲା । ପୁଅ ଯେଉଁ ସଙ୍ଗ, ରଙ୍ଗରେ ମାତି ରହିଥିଲା ସେଠୁ ଖସି ଆସିବା କାଠିକର ବାଟ ଥିଲା।
ରାଜନୀତିର ଚାମଚା ଗିରିରେ ପୁଅର ଖାଲି ଟଙ୍କା,ମଦ,ମାଂସ ,ନାରୀ ,ର ଆକର୍ଷଣ ବାପାକୁ ତିରଷ୍କାର କଲା। ଦିନଦିନ ଧରି ପୁଅକୁ ଝୁରିଝୁରି ,ପତ୍ନୀହରା ବିବେକବାବୁ ବାର୍ ରେ ସମୟ କାଟିଲେ। ବାହାରେ ରହିଲେ ।ସେ ଘର ଭିତରେ ଦୁଖୀ ହୋଇ ରହିବା ଅପେକ୍ଷା ସାଙ୍ଗ ମାନଙ୍କ ସହ ମିଶି ଗପସପରେ ସମୟ ବିତାଇଲେ।
ପୁଅ କିନ୍ତୁ ବାପାର ଭଲ ପାଇବାକୁ ଭିନ୍ନ ଅର୍ଥରେ ନେଲା। କେବଳ ଚିହ୍ନିଲା ଟଙ୍କାକୁ। ସାହି ଲୋକ କହିଲେ ଆହା ମା ଟି ମରିଗଲା। ସଂସାର ଉଜୁଡିଗଲା। ପୁଅ ଆସେ ବାପା ପୁଅ ପାଟି ଗଣ୍ଡଗୋଳ ରେ ପୁଣି ପଳାଏ। ଅସମାଜିକ ସ୍ରୋତେ ପୁଅ ଭାସିଗଲା,ମାର୍ ପିଟ୍ ଭଙ୍ଗାରୁଜା ,ଗୁଣ୍ଡାମୀରେ। ଆଉ ବାପା ହୋଇଗଲା ସାତପର।
ବାପାର ପାଣିଚିଆ ଆଖି ସବୁଦିନ ପୁଅର ଫେରିବା ବାଟକୁ ଚାହିଁଥାଏ। ଏହି ଚିନ୍ତାରେ ଶରୀର କ୍ଷୀଣ,ରୋଜଗାର ହୀନ,ମାତାଲ ,ରୋଗଗ୍ରସ୍ତ,ବିବେକ ବାବୁଙ୍କୁ ଭୁବନେଶ୍ୱର ମହଙ୍ଗା ପଡିଲା। ଚାକରକୁ ଦେବାକୁ ପଇସା ନ ଥିଲା। ବିଚରା ଦୁଇଖଣ୍ଡ ଲୁଗାପଟା ଧରି ଚାଲିଲେ ଗାଁ ଘରକୁ ଭାଇ ପାଖକୁ। ବିଶ୍ୱାସ ଥିଲା ଭାଇର ପିଲାମାନେ ଆଦରିବେ , ତାଙ୍କ ରୋଜଗାର ଥିଲା ବେଳେ ଅନେକ ଟଙ୍କା,ଡ୍ରେସ ଆସବାପତ୍ର,ସ୍ତ୍ରୀକୁ ଲୁଚାଇ ଦେଇଛନ୍ତି। ପିଲାମାନେ ଭାରି ଭଲପାଆନ୍ତି।
ହେଲେ ବିଧିର ବିଧାନ ବିଚିତ୍ର। ଯେଉଁଠି ରକ୍ତ ପର କରିଦେଲା ସେଠି ଆଶା ପବନରେ ଫୁତକାର ମାରି ତାଙ୍କ ଚିନ୍ତାଧାରାକୁ ଭୁଲ୍ ପ୍ରମାଣିତ କଲା । ଗାଁରେ ତିରଷ୍କାର ,ବଳଦ ବୁଢା ହୋଇଗଲେ କଂସେଇ ହାତରେ ଟେକି ଦିଏ ମାଲିକ।ଏ ସମାଜ। ନିନ୍ଦା ଆଉ ଅପମାନରେ ବରଗଛ ତଳ ଖୋଲା ଆକାଶ ତଳେ ପଡିରହିଲେ ।ସେହି ଚିନ୍ତାରେ ମସ୍ତିଷ୍କ ବିକୃତି ଘଟିଲା।ମାଗିଯାଚି ଖାଇଲେ,ତିରିଶ,ଚାଳିଶ କିଲୋମିଟର ଚାଲି ଚାଲି ବନ୍ଧୁଘର ଯାଆନ୍ତି, କିନ୍ତୁ ସମସ୍ତେ ମୁହଁ ସାମ୍ନାରେ ଦୁଆର କିଳି ଦିଅନ୍ତି ପାଗଳ କହି।କାରଣ ମାଛ ଜାଲରେ ପଡିଲେ ପାଣି ବି ସାଥି ଛାଡିଦିଏ।
ପାଗଳ ହୋଇ ବୁଲନ୍ତି । ପୁଅ ଦେଖେ ପରିଚୟ ଦିଏନା କି ଆହା ପଦେ କହେନା।ଆଶ୍ଚର୍ଯ୍ୟ ଲାଗେ ସମୟ କଣ ନ ଦେଖାଏ।
ଏହିପରି ପାଗଳ ଅବସ୍ଥାରେ ବୁଲୁ ବୁଲୁ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା , ଶେଷରେ ପୋଲିସ ଲାବାରିସ୍ ଶବ ଘୋଷଣା କରି ପୋଡିଦେଲେ । ସମ୍ବାଦପତ୍ରରୁ ତା ଦୁଇ ଦିନ ପରେ ଖବର ପାଇ ପୁଅ ବନ୍ଧୁ ବାନ୍ଧବଙ୍କୁ ଫୋନ୍ ରେ କୁହେ, ଅନେକ ଦିନରୁ ମୁଁ ମାଆ ଛେଉଣ୍ଡ ହୋଇଯାଇଥିଲି। ଆଉ ବାପାକୁ ପୋଡି ଦାହ କରିଦେଇଛି।।
ସବୁବେଳେ ସମାଜରେ ବାପା ଟିଏ ଚାହେଁ ପୁଅର ଯେତେବେଳେ ବାହୁ ବଳିଷ୍ଠ, ଛାତି ଚଉଡା,ହଟାକଟା, ନିଶଦାଢି , ଓ ତା ନିଜ ଉଚ୍ଚତାରୁ ଅଧିକ ଉଚ୍ଚତା ହୋଇଯାଏ, ସେତେବେଳେ ବାପା ଆଶ୍ବସ୍ତି ପାଏ ହଁ ପୁଅ ଏବେ ବାପା ଆଉ ସେ ସନ୍ତାନ।ସେ "ଦାୟିତ୍ୱ" ନେବାକୁ ଯୋଗ୍ୟ। ଏଠାରେ କିଏ କାହାର "ଦାୟିତ୍ୱ "ନେଲା କହି ହେଲାନି କେବଳ ସମୟ ସୁଅରେ ଗୋଟିଏ ପରିବାର ଭାସିଗଲା। ଘରଟି ଡିହ ହୋଇଗଲା।