Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lalita Mohan Mishra

Drama Romance Tragedy

4  

Lalita Mohan Mishra

Drama Romance Tragedy

ସ୍ରୋତସ୍ଵିନୀ

ସ୍ରୋତସ୍ଵିନୀ

9 mins
105



ଜୀବନଟା ଏକ ଅବିଶ୍ରାନ୍ତ ନଈ । ସୁଲୁ ସୁଲିଆ ପବନ ଭଳି ସେ ବହି ଯାଉଛି, ସମୟ ସାଥିରେ । ସଵୁ ଭୂଲ୍ ଠିକ୍ ର ବିଚାର କରି ସେ ବାହି ନେଉଛି । ଜୀବନ ସ୍ରୋତରେ ପହଁରି ପହଁରି କିଛି ଦରାଣ୍ଡି ଆଣୁଛି ଏ ଜୀବନଟି । ହେଲେ ତାକୁ ସମୟ କାହିଁ ? ଦେଖିବାକୁ..... ସୁନା କି ରୂପା..... ଭଲ କି ଭେଲ..... ଏଇତ ଜୀବନର ନଈ । ବୋହିଯିବା ସମୟ . ବିତିଯିବା ଜୀବନ... ଅଙ୍କ କଷି କିଛି ଲାଭ ନାହିଁ । ସୁଃଖ ଦୁଃଖରେ ବଞ୍ଚିଵା..... ଜୀବନଟି ଭଲମନ୍ଦ ତର୍ଜମାରେ କେବେ ଖୁସୀ ହୁଏ ନାହିଁ । କ୍ଷୋଭ - ପରାଭବ - ହିଂସା  ଜୟ - ପରାଜୟ ଵିଜୟ ଟିକାର ତୃପ୍ତୀ.... କେବେ ଶାନ୍ତି ଦିଏ ନାହିଁ । ତେଣୁ ସେ ଭଗବାନଙ୍କୁ ପ୍ରାର୍ଥନା କରେ - ହେ ପ୍ରଭୁ ! ସ୍ରୋତସ୍ଵିନୀ ଟିଏ କରିଦିଅ ମୋତେ । ମୁଁ ଲଘିଂଯିବି ଘନଘୋର । ମାନବ କଲ୍ୟାଣରେ ସଦା ରତ ରହୁଥିବି । ପ୍ରବାହିତ ହେଉଥିବି ସଦା କୁଳୁକୁଳୁ ସ୍ବରରେ । ସାଗର ସାଥିରେ ରଚିବା ପାଇଁ କି ମୁଁ କେବେ କରିନାହିଁ ଅଭିସାର । ତୃଷିତ ଜନର ମୁଁ ତୃଷ୍ଣା ମେଣ୍ଟାଇବି । ତୃପ୍ତ ହେବି ତୃପ୍ତେ ତାର , କିନ୍ତୁ ସଂସାରର ନିତି ନିୟମ ଭିନ୍ନ । ଆମେ ଖାଲି ସ୍ବପ୍ନରେ ନ ଭାବି ବାସ୍ତବିକତାକୁ ଭଲପାଉ । ସେଭଳି ଘଟିଛି ସରସୀ ଜୀବନରେ... ।


ନିଜ ଶୋଇବା ଘରର କାନ୍ଥ ଆଡ଼କୁ ଚାହିଁଲା ସରସୀ । ତାର ପୁଅ ସମ୍ଭବର  ଫଟୋଟି ଫ୍ରେମ୍ ରେ ବନ୍ଧା ହୋଇ ଝୁଲୁଥିଲା ଗୋଟିଏ କୋଣରେ। ସଦାନନ୍ଦ ସାଙ୍ଗରେ ବିଭାଘର ପରେ ଦୁହେଁ ପୁରୀ ଯାଇଥିଲେ ଜଗନ୍ନାଥଙ୍କ ଦର୍ଶନ ପାଇଁ । ସମୁଦ୍ର କୂଳରେ ବୁଲୁଥିବା ବେଳେ ଫଟୋଗ୍ରାଫର ପାଖରେ ଫଟୋଟିଏ ଉଠାଇଥିଲେ। ସେଇଟିକୁ କେତେ ସେନେହ ସରାଗରେ ବନ୍ଧେଇ କରି ସଦା ଟାଙ୍ଗି ଦେଇଥିଲା କାନ୍ଥରେ । କାନେ କାନେ କହିଥିଲା - ବୁଝିଲୁ ସରସୀ ! ମୁଁ ନ ଥିଲା ବେଳେ ଏଇ ଫଟୋ ଦେଖି ତୁ ମୋତେ ମନେ ପକାଉଥିବୁ । ସେ ଖୁବ୍ ଅଭିମାନ କରିଥିଲା ସେଦିନ। କହିଲା ମତେ ଛାଡ଼ି କୁଆଡେ ଯିବା କଥା କହିଲେ ତୁମର ମୋର କଟି।


ସଦାନନ୍ଦ ସେଦିନ ବହୁତ ମନେଇଲା... ତେଲେଇଲା ପରେ ଅଭିମାନ ଭାଙ୍ଗି ଥିଲା ସରସୀର। ହେଲେ ସମୟର ଖେଳ ଆଗରେ ମଣିଷ ଛାର। ସଦା ଏମିତି ଚାଲିଯିବ ଯେ ତା'ର ଫେରିବା ବାଟ ସଦାସର୍ବଦା ବନ୍ଦ ହୋଇଯିବ କିଏ ଜାଣିଥିଲା ? କାନ୍ଥ ରେ ଟଙ୍ଗା ହୋଇଥିବା ଫଟୋକୁ ଦେଖି ପୁଣି ପଛକୁ ଫେରିଗଲା ସେ। ଠିକ୍ ସେହି ଜାଗାରେ ଯେଉଁଠି ତା ପୁଅର ଫଟୋଟି ଝୁଲୁଥିଲା । ସେଇଠୁ ଅତି ସନ୍ତର୍ପଣରେ ସେ ସଦାନନ୍ଦଙ୍କର ଓ ତାର ଫଟୋକୁ କାଢ଼ି ଦେଇଥିଲା। ସେ ଦେଖୁଥିଲା ନିଜକୁ। ଏହି ଘରକୁ ବିବାହ କରି ଆସିବା ତା'ର ତିନି ବର୍ଷ ହୋଇଗଲା । ଦାଣ୍ଡକୁ ବାହାରିଲେ ମୁଣ୍ଡରେ ହାତେ ଓଢ଼ଣା ଦେଉଥାଏ । ଶ୍ବଶୂର, ଦେଢ଼ଶୁର ଗୁରୁଜନ ଏ ପର୍ଯ୍ୟନ୍ତ ତା ମୁହଁକୁ ଦେଖି ନାହାଁନ୍ତି । ହେଲେ ଆଜି ସାରା ଦୁନିଆ ତାକୁ ଦେଖୁଛି।


ପାଖରେ ଶୋଇଥିବା ପୁଅ ମୁଣ୍ଡରେ ହାତ ବୁଲେଇ ଦେଲା। ଜନ୍ମ ହେଲା ଦିନୁ ବାପ କ'ଣ ଜାଣିଲାନି। କେମିତି ତାକୁ ଏଡୁଟେରୁ ଏଡୁଟିଏ କରିବ ! ପୁଅକୁ ଏବେ ଦୁଇବର୍ଷ ପୂରିଲା। ପେଟରେ ପାଞ୍ଚ ମାସର ହୋଇଥିଲା ତା ବାପ ଯାଇଛି ଯେ ସେହି କାଳୁ ଆଉ ସେ ସ୍ବାମୀ କ'ଣ ଜାଣିଲାନି ! ! ଆଉ ଛୁଆଟି ବାପ ବୋଲି ଦେଢଶୂର ଦିଅରଙ୍କୁ ଆଦରି ଯାଇଛି । ପାଖରେ ଥିବା ସିନ୍ଦୂର ଫରୁଆକୁ ଦେଖୁଥିଲା ସେ। ଗତକାଲି ମନ ଭରି ସିନ୍ଦୂର ଢାଳିଥିଲା ସୂନ୍ଥାରେ। ଆଉ କାଲିକୁ......ଅଧୀର ହୋଇ ପଡ଼ୁଥିଲା ସରସୀ । ସ୍ବାମୀ ଶବ୍ଦର ଅର୍ଥ ଜାଣିବା ପୂର୍ବରୁ ସ୍ବାମୀ ଚାଲିଗଲା। 


ସରସୀର ଏବର ପରିଚୟ ଥିଲା ସେ ସଦାନନ୍ଦ ରାଉତର ସ୍ତ୍ରୀ ଆଉ ସମ୍ଭବର ମାଆ। ଆଉ ଆଜି ଠାରୁ ସେ ହୋଇଯିବ ସଦାର ବିଧବା ସ୍ତ୍ରୀ । ପରିଚୟ ଏମିତି ମୂହୁର୍ତ୍ତକ ମଧ୍ୟରେ ବଦଳିଯାଏ ନା ! ସଦାକୁ ବାହାହେବା ପରେ ଏମିତି ତା'ର ପରିଚୟ ବଦଳି ଯାଇଥିଲା। ଅଠର ଛୁଉଁଥିଲା ତାକୁ, ସଦାର ପ୍ରସ୍ତାବ ନେଇ ଆସିଥିଲେ ତା ମାମୁଁ। ସମାସ୍କନ୍ଦ ବନ୍ଧୁ। ସରସୀର ବାପ ଘର ଭଳି ଚଳନ୍ତି ପକ୍ଷ। ତା ବାପ ଭାଇ ଆସି ସଦାନନ୍ଦର ଘରଦ୍ୱାର ଦେଖି ଗଲା ପରେ ଆସନ୍ତା ତିଥିରେ ବାହାଘର ହେବ ବୋଲି କଥା ପକ୍କା କରି ଦେଇ ଯାଇଥିଲେ। ଶ୍ବଶୂର ଦେଢ଼ଶୁର ତାକୁ ଦେଖିବାକୁ ଆସିଥିଲେ। ତା ଶାଶୂଘରେ ମାଇପିମାନେ କିଛି ନିଷ୍ପତ୍ତି ନିଅନ୍ତି ନାହିଁ । ତା ବାପା ସଦା ଘରୁ ଫେରିବା ପରେ ସେ କାନ ପାରି ବାପା ମା'ଙ୍କ କଥା ଶୁଣିଥିଲା । ତା ଫଟୋ ଦେଖି କୁଆଡେ ସଦାର ଭାରି ପସନ୍ଦ ହୋଇଥିଲା। ଲାଜେଇ ଯାଇଥିଲା ସରସୀ , ଲୁଗାକୁ ମୁହଁ ରେ ମାଡ଼ି ଚାଲିଯାଇଥିଲା ବାଡି ଆଡ଼କୁ। କାନ୍ଥରେ ଝୁଲୁଥିବା ଆଇନାଟା ଆଣି ମୁହଁକୁ ଦେଖିନେଲା ବାରମ୍ବାର। ଆଉ ପେଡିରେ ସାଇତି ରଖିଥିବା ନିଜ ଫଟୋକୁ ଦେଖି ପକେଇଲା। ଏଇ ଫଟୋଟି ସେ ସେତେବେଳେ ବାଡି ପଟ ଗୋଲାପ ଗଛ ପାଖରେ ଉଠାଇ ଥିଲା।


ତାର ସଦା ମହାମାରୀ କରୋନାରେ ଚାଲିଯିବ କେବେ ସେ ବିଶ୍ବାସ କରି ନ ଥିଲା । ଘରେ ନହେଲା ନାହିଁ, ଦୂରରେ ହେଉ ପଛେ, ଲୋକଟା ତ ଏଇ ବସୁଧାରେ ଥିଲା। ହେଲେ ବିଧାତା, କି ଲେଖିଲା କପାଳରେ ! ଶୀରି ତୁଟିଗଲା ତା'ର । ସୁତା କଳରେ କାମ କରୁଥିଲା ସୁରାଟରେ । ଏ କି ରୋଗ ଆସିଲା ଯେ ଆଛା ଆଛା ଲୋକଙ୍କୁ ନେଇଗଲା । ଅହ୍ୟ ମାଇପିଟା ଶୂନ୍ୟ ସୀମନ୍ତ ହୋଇଗଲା । ହାତକୁ ଦେଖୁଥିଲା ସରସୀ । ଏବେ ଗତ ରଜକୁ ହାତେ ଲେଖା ପାଣିଚୁଡ଼ି ସାଙ୍ଗରେ ଆଗ ପଛ କରି ଶଙ୍ଖା ପିନ୍ଧିଥିଲା। ନିଜ ହାତକୁ ଚାହୁଁଥିଲା ସେ ବାରମ୍ବାର।


ବାହୁନି କାନ୍ଦି ଉଠିଲା ସରସୀ । ଭୟ ପାଇ ସମ୍ଭବ କବାଟ ଖୋଲିଦେଲା । ଭାରି ଯନ୍ତ୍ରଣାମୟ ଥିଲା ପରିବେଶ । ସମସ୍ତେ ଲୋଟି ଯାଉଥିଲେ ତଳେ । ଯୁଆନ ପୁଅଟା ଚାଲିଗଲା । କୋଉ ବାପା ମା' ଭଲା ଧୈର୍ଯ୍ୟ ଧରି ରହିବେ? ମୁଣ୍ଡ ପିଟି କାନ୍ଦୁଥାନ୍ତି ସଭିଏଁ । ଘରକୁ ଶବ ଆଣିବ ନାହିଁ ବୋଲି ସରକାର ନିୟମ କରିଛନ୍ତି । ସାଇଭାଇ ତ ଛି ଛାକର କରୁଥିଲେ । କହିଥିଲେ ଶବ ଯଦି ନେଇକି ଆସିବ ଗାଁରେ ପୂରେଇ ଦେବୁନୁ । କାହା ପାଇଁ ଲଢ଼ିଥାନ୍ତା ସେ ? ସରସୀ ବିଧବା ହେବ । ସାଇ ଭାଇ ଶୀତଳ ପଣା ପିଇବେ । ସବୁ ଗାଧୋଇକି ନ ଆସିଲେ ମନ୍ଦିରରେ ଶୁଭ କାର୍ଯ୍ୟ କିଛି ହେବନି । ନରି ଭାରିଜା, ଗୁଡିଆ ବୋଉ, ଗେଲି ବାରିକିଆଣି, ଚମ୍ପା ଖୁଡ଼ିଙ୍କ ପାଟି ଶୁଣା ଯାଉଥିଲା । ଧୀରେ ଧୀରେ ଲୋକ ଗହଳି ବି ଜମୁଥିଲା । ତା’ ପାଇଁ ସମସ୍ତଙ୍କର ଆହା ଚୁ ଚୁ । ଭୁଆଷୁଣୀଟା କି ସୁଖ ପାଇଲା ଜୀବନରେ ! ଏମିତି ଅଧା ବାଟରେ ଯିବ ବୋଲି ସଦା କ’ଣ ହାତ ଧରି ଆଣିଥିଲା ତାକୁ? ଆଉ କିଏ କହୁଥିଲେ, ସବୁ କଲା କର୍ମର ଫଳ । ସରସୀ ମୂକ ପାଲଟି ଗଲା ଧୀରେ ଧୀରେ । ତାକୁ ଆଉ କିଛି ଶୁଣା ଯାଉ ନଥିଲା । ସେ ପଥର ମୂର୍ତ୍ତିଟି ଭଳି ବସି ରହିଥିଲା ସେମିତି ।ଚମ୍ପା ଖୁଡ଼ି କହୁଥାନ୍ତି, ସେଇଠି ସେମିତି କିଆଁ ପଥର ହୋଇ ବସିଛୁ ଯେ ! ତୁ ଉଠିଲେ ସିନା ଆମେ ସମସ୍ତେ ଗାଧୋଇ ପାଧୋଇ ଆସିବା । ସିଏ ତା ବାଟରେ ଗଲାଣି, ତା ବୋଲି ଆଉ କ’ଣ କାମ ପଡ଼ି ରହିବ? ସରସୀର ଶାଶୂ ବାହାରି ଆସି କହିଲେ, ମୋ ପୁଅର ମଡ଼ା ଶବଟା ପୋଡ଼ା ହୋଇ ନଥିବ । 


 ସବୁ କାମ ସରିଲା । 


ପେଟର ଭୋକ ମରିଯାଏ କିଛି କ୍ଷଣ ପାଇଁ। କିନ୍ତୁ ନ ପୂରିଲେ ଜଠରର ଜ୍ବାଳା କ'ଣ ରଖେଇ ଥୋଇ ଦିଏ ! ପୁଅ ଶୋଇ ଯାଇଥିଲା ଅଗଣାରେ ପଡ଼ିଥିବା ଖଟିଆଟା ଉପରେ। ତା' ପାଖରେ ବସିଗଲା ସରସୀ । ରାତି ଛଅ ଘଡ଼ି ଗଲା କି କ'ଣ। ଦାଣ୍ଡ ଘରେ ଲାଗିଥିବା ବଡ଼ ପେଣ୍ଡୁଲମ୍ ଘଡ଼ିରେ ଠନ୍ ଠନ୍ ଶବ୍ଦ ହେଉଥିଲା। ଏଥର କାନ୍ଦିବା ତୋର ପାଳି। ଦୁଇ ଟୋପା ଲୁହ ଗଡ଼ି ଯାଇ ପୁଅ ସମ୍ଭବ ଉପରେ ପଡ଼ିଲା। ସେ କଡ଼ ଲେଉଟେଇଲା। ଆଖିରୁ ଲୁହ ପୋଛି ପୁଅ ଉପରେ ହାତ ପକେଇଲା। ସଦା କଥା ମନେ ପକେଇଲା । ଛୁଆଟାକୁ ଡର ଲାଗୁଥିଲା କି କ'ଣ ଚାରିଆଡ଼େ ଚାହିଁ ସୁସୁ କରୁଥାଏ। ସରସୀ ନିଘା ରଖିଥାଏ ସବୁ ଆଡ଼କୁ। ବାଡି ଘର ଆଡକୁ କିଏ ଠିଆ ହୋଇଛି । ଗୋଟେ ଛାୟା ମୂର୍ତ୍ତି ଆସି ତା ପାଖରେ ଠିଆ ହୋଇ ପଚାରିଲା, 'ଏଯାଏଁ ଶୋଇନ'। ଚମକି ପଡ଼ିଲା ସେ......


ଦିଅର ସାଗର ସରସୀ ପାଖରେ ଠିଆ ହୋଇଥିଲା। ତାକୁ ଦେଖି କାନ୍ଥ ଆଡ଼କୁ ଆଉଜି ଗଲା ସରସୀ । ଧୀରେ କହିଲା, ନାଇଁ ପୁଅ ପରିସ୍ରା ଯିବାକୁ ଉଠିଲା ତ ! ହଉ କହି ଚାଲିଗଲା ସାଗର । ଭାରି ଭଲ ପିଲା ସାଗରଟି । ଭାରି ସୁଧାରିଆ। କାମ ଦାମ କରିବାକୁ ଚଉରସିଆ ଭେଣ୍ଡିଆଟାଏ। ତାକୁ ବହୁତ ସମ୍ମାନ କରେ। ଆଗରୁ ଯାଉଣୁ ଆସୁଣୁ ଦୁଇ ଭାଉଜଙ୍କୁ ଡାକ ପାରୁଥିଲା ଘଡିକି ଘଡ଼ି। ହେଲେ ସଦା ଚାଲି ଯିବା ପରେ ସବୁ ବିଗିଡି ଯାଇଛି ଯେମିତି। ଶାଶୂ ଯେଉଁ ଦିନଠୁ ଦେଖେଇ ଦେଖେଇ ସାଗରକୁ ଦ୍ବିତୀୟ ହେଇ ଯିବାକୁ ସରସୀକୁ କହିଲେଣି କେମିତି ଗୋଟେ ଚୁପ୍ ହୋଇଯାଇଛି ସାଗର । ଆଉ ସେକାଳୁ ଭାଉଜ ଡାକ ଶୁଣିନି ସେ ତା'ଠାରୁ । ଛାତି କରତି ହେଇଗଲା ତା'ର। ସେ ବାରମ୍ବାର ଶାଶୂଙ୍କ କଥା ଟାଳି ଆସିଛି, ଶଙ୍ଖା ସିନ୍ଦୂରର ଦ୍ୱାହି ଦେଇ। ହେଲେ କାଲି ପରଠୁ କ'ଣ କହି ଅଟକେଇବ। ମନେ ପଡ଼ିଲା ସଦା କଥା, ସେ କହିଥିଲା ମୁଁ ତ ଯାଉଛି । ତୁ ଆଉ କାହା ହାତ ଧରି ଚାଲିଯିବୁ। ଏଇଟା କ'ଣ ସମ୍ଭବ ? ଅଳତା ସିନ୍ଦୂର ପିନ୍ଧି ଏଇ ଘରକୁ ଆସିଥିଲା ସଦାକୁ ବିଭା ପୁଆଣି ହୋଇ। ସ୍ବାମୀ ନ ରହିଲା ବୋଲି ଦିଅରକୁ......


ସଦା ଯିବା ପରେ ମନ କଥା ବୁଝିବାକୁ କେହି ନାହିଁ। ଦେହର ଭୋକକୁ ସେ କେବେଠୁ ମାରିଦେଲାଣି। ଆଉ କାହା ନାଁ ରେ ସିନ୍ଦୂର ପିନ୍ଧିବାକୁ ଇଚ୍ଛା ବି କେଉଁ ଅଛି ଯେ। ହେଲେ ପେଟର ଭୋକ ପାଇଁ...। କ'ଣ କରିବ ସେ। ଯଦି ଶାଶୂଙ୍କ କଥା ନମାନେ, ସାଗରକୁ ବାହା ନହୁଏ, ତେବେ ସେମାନେ ଏଇଠୁ ତାକୁ ବାହାର କରିଦେଲେ ସେ କୁଆଡେ ଯିବ, ତା ପୁଅକୁ ଯଦି ତାଠାରୁ ଅଲଗା କରି ଦିଅନ୍ତି ! ଖୁବ୍ ଡର ଲାଗୁଥିଲା ତାକୁ। କାଲି ସକାଳୁ ତା ଜୀବନ କୁଆଡ଼କୁ ଯିବ କେଜାଣି। ଠାକୁରଙ୍କୁ କ'ଣ ଡାକିବ ସେ ନିଜେ ଜାଣି ପାରୁନଥିଲା। ତା'ର ଏମିତି ଦୁଃଖ ଦେଖି କାଳିଆ ଠାକୁର କେମିତି ଧୈର୍ଯ୍ୟ ଧରି ରହିଛି କେଜାଣି!


କ'ଣ କରିବ.... କ'ଣ ନ କରିବ ଚିନ୍ତା କରି ପାରୁ ନ ଥାଏ ସରସୀ । ଶାଶୁଙ୍କର ଦେଖେଇ ଶିଖେଇ କୁହନ୍ତି ସାଗରକୁ ଦ୍ବିତୀୟ ହୋଇଯାଆ । ଯାଆ ଏହାକୁ ପସନ୍ଦ କରୁ ନାହାଁନ୍ତି । ସେ ଇଆଡୁ ସିଆଡୁ କହି କଥାଟିକୁ ବାରଣ କରୁଛନ୍ତି । ବିଭିନ୍ନ ଲୋକଙ୍କର ବିଭିନ୍ନ କଥା । ସଦା ଚାଲିଯିବା ଦୁଃଖରେ ଭାଙ୍ଗି ପଡି ଶ୍ବଶୁର ଆର ପାରିକୁ ଚାଲିଗଲେ । ଶ୍ବଶୁର ଯିବା ପରେ ଆହୁରି ଆରମ୍ଭ ହେଲା ସରସୀ ଜୀବନର ଦୁଃଖ । ଶ୍ବଶୁର ଘରେ ଶାଶୁ ସବୁବେଳେ କହିଲେ ଅଲକ୍ଷଣୀ ମୋ ପୁଅକୁ ଖାଇଲୁ ଏବେ ଆଉ କାହାକୁ ଖାଈବୁ ?


ଏମିତି କହି ସବୁବେଳେ ତାଡ଼ନା ଦେଲେ ଶାଶୁଘର । କେତେ ବା ସହିବ ସେ ? ଦିନେ ଚାଲି ଆସିଲା ପୁଅକୁ ନେଇ ବାପ ଘରକୁ । ଭାଈ ମାନଙ୍କ ପାଖକୁ ଦୁଇଚାରି ଦିନ ତ କେହି କିଛି କହିଲେନି ସମବେଦନା ଜଣାଇଲେ । କିନ୍ତୁ ଯେତେବେଳେ ଭାଉଜ ମାନେ ଜାଣିଲେ ଯେ ସେ ସବୁଦିନ ପାଇଁ ରହିବାକୁ ଆସିଛି ଭାଉଜ ବି ଦେଖେଇ ଶିଖେଇ କହିବା ଆରମ୍ଭ କରିଦେଲେ । ଦିନେ ଶୁଣିଲା ତାର ବଡ଼ ଭାଉଜ ତା ଭାଈଙ୍କୁ କହୁଥାନ୍ତି - କିଏ ଏତେ ସେବା କରିବ ? ତୁମେ ଛାଡ଼ି ଦିଅ ତା ଶ୍ବଶୁର ଘରେ । ଆମେ ତ ଆମର କର୍ତ୍ତବ୍ୟ କଲେ ତାଙ୍କ ଭାଗ୍ୟ ଖରାପ..... ତାପାଇଁ କଣ ଆମେ ଦାୟୀ ? ସେଇଠି ମଲେ ମରିବେ ବଞ୍ଚିଲେ ବଞ୍ଚିବେ । ଏକଥା ଶୁଣିବା ପରେ ସେ ଶାଶୁଘରକୁ ପୁଣି ପୁଅକୁ ନେଇ ଚାଲି ଆସିଥିଲା । 


ସାଗର.... ଭାଉଜର ଏବଂ ପୁଅର କଥା ବୁଝାବୁଝି କରେ । ଏସବୁ କଥା ଗୁଡ଼ିକ ବଡ ଯାଆ ହଜମ କରି ପାରୁ ନ ଥାଏ । ଦିନେ ରାତିରେ ଦେଢଶୁରଙ୍କୁ ସରସୀ ନାମରେ ବିଭିନ୍ନ ମିଥ୍ଯା ଆରୋପ କରୁଥାନ୍ତି । ଏକଥା ଶୁଣିବା ପରେ ରାତିସାରା ବହୁତ କାନ୍ଦିଥିଲା ସରସୀ । ଭୋର ହେବା ଆଗରୁ ଘରଛାଡି ଚାଲି ଆସିଥିଲା ଆତ୍ମହତ୍ୟା କରିବାକୁ । ଘରର କିଛି ଦୂରରେ ଗୋଟିଏ ବାମ୍ଫି ଥାଏ । ସେ ପାଣିକୁ ଡେଇଁ ନିଜକୁ ଆତ୍ମହତ୍ୟା କରିଦେଲା ସରସୀ । ସଙ୍ଗେ ସଙ୍ଗେ ପଛରୁ ଅନୁଧାବନ କରୁଥିଲେ ଦିଅର ସାଗର । ସେ ଭାଉଜଙ୍କୁ ଉଦ୍ଧାର କରିବାକୁ ଯାଇ ବାମ୍ଫିକୁ ଲମ୍ପମାନ କଲା । ବହୁତ କଷ୍ଟରେ ଟେକି ଆଣି ହୁଡା ଉପରେ ଶୁଆଇଦେଲା ସରସୀକୁ। 


ପେଟେ ପାଣି ପିଇ ଦେଇ ଅଚେତ ହୋଇ ଯାଇଥାଏ ସରସୀ । ଛାତି ଆଉ ପେଟରୁ ପାଣି ବାହାର ନକଲେ ଚାଲିଯିବ ତା ଭାଉଜ। କେମିତି ଛୁଇଁବ ଭାଉଜର ନିଷିଦ୍ଧ ଅଙ୍ଗକୁ ! ଘରକୁ ନେଇଗଲେ ବି ହବ। ମା କି ବଡ଼ ଭାଉଜ ପାଣି ବାହାର କରି ପାରିବେ ତା ଦେହରୁ। କିନ୍ତୁ ତା ଭିତରେ ଯଦି ସରସୀର କିଛି ହେଇଯିବ ? ଏମିତି କିଛି ଚିନ୍ତା କରୁ କରୁ  ସମୟ ପଳାଇ ଯାଉଅଛି । ନିଶ୍ଚେତ ହୋଇ ପଡ଼ିଥାଏ ସରସୀ । ପୁଅ ମୁହଁଟି ଓ ତା ଆଖି ଦୁଇଟି ଜଳ ଜଳ ହୋଇ ଦିଶୁଥାଏ ସାଗରକୁ । ସରସୀ ଚାଲିଗଲେ ମା' ଛେଉଣ୍ଡ ହେଇଯିବ ପିଲାଟି । ଆଉ କିଛି ନ ଭାବି ପେଟକୁ ଚିପି ପାଣି ବାହାର କଲା ସାଗର । ଛାତିକୁ ଜୋରରେ ଚାପ ଦେବାରୁ ଭକ୍ ଭକ୍ ହୋଇ ପାଣି ଗୁଡିକ ବାହାରି ଯାଉଥାଏ ।ଭାରି ଅସଜ ଲାଗୁଥାଏ ତାକୁ। ନାକ କାନରୁ ପାଣିସବୁ ବାହାରି ଗଲା। ହେଲେ ଚେତା ଫେରୁନଥାଏ ସରସୀର।


ହାତ ପାଦ ସବୁ ଘଷିଲା। ହେଲେ କିଛି ନାହିଁ। ଛାତି ଉପରେ ହାତ ଦେଇ ଦେଖିଲା ନିଃଶ୍ବାସ ଚାଲୁଛି‌। କିଛି ସମୟ କସରତ ପରେ ଯେତେବେଳେ ସରସୀର ଅବସ୍ଥାରେ କିଛି ପରିବର୍ତ୍ତନ ହେଲାନାହିଁ । ସେ ବ୍ୟସ୍ତ ହେଇଗଲା । ଦୁଇ ଦିନ ହେଲା ଚିନ୍ତା କରି କିଛି ଖାଇନାହିଁ ସରସୀ । ତା ସାଙ୍ଗକୁ ପାଣିରେ ଓଦା ହୋଇ ଶରୀରଟି କାଲୁଆ ହୋଇ ଯାଇଛି। ସେଥିପାଇଁ ଚେତା ଫେରୁ ନଥିଲା ତା'ର। ସେ ସରସୀକୁ କାନ୍ଧକୁ ଉଠେଇଲା। ସ୍ତ୍ରୀ ଲୋକର ଦେହକୁ ପ୍ରଥମ କରି ସେ ଏତେ ପାଖରେ ଛୁଉଁଥିଲା। ସରସୀର ଅସଜଡ଼ା ଲୁଗା, ତା ଦେହର ମୁକୁଳା ଅଙ୍ଗସବୁ ନିବିଡ଼ ଭାବରେ ଜଡ଼େଇ ହୋଇ ଯାଇଥିଲା ସାଗରର ଦେହରେ । ଲମ୍ବା ଲମ୍ବା ଓଦା ଚୁଟି ଝୁଲି ରହି ସାଗରକୁ ଓଦା କରୁଥିଲା ଆହୁରି ଆହୁରି।


ଛାତି ଭିତରେ କିଛି ଗୋଟେ ଅଲଗା ପ୍ରକାର ଅନୁଭବ କରୁଥିଲା ସାଗର। ଇଚ୍ଛା ହେଉଥିଲା ତା'ର, ସେ ଯେମିତି ସରସୀକୁ ଧରିଛି ଠିକ୍ ସେମିତି ସରସୀ ତାକୁ ଜାବୁଡ଼ି ଧରନ୍ତା କି ? ପିଠି ପାଖରେ ସରସୀର ନାକରୁ ବାହାରୁ ଥିବା ଗରମ ନିଃଶ୍ୱାସ । କାନ୍ଧ ଉପରେ ସରସୀର ନିଷିଦ୍ଧ ଅଙ୍ଗର ନରମ ସ୍ପର୍ଶ ବିଟପୀ ପୁରୁଷଟିଏ କରି ଦେଉଥିଲା ଧୀରେ ଧୀରେ ତାକୁ। ସେ ସରସୀକୁ ଆହୁରି ଜୋରରେ ଜାବୁଡ଼ି ଧରୁଥିଲା। ସରସୀର ଅଣ୍ଟାକୁ ଧରିଥିବା ହାତଟା ତା'ର ଅଧିକ ଶକ୍ତ ହେଉଥିଲା। ତାକୁ କେବଳ ସେ ହିଁ ଦିଶୁଥିଲା । କିଛି ସମୟ ପୂର୍ବରୁ ଭାଉଜ ବୋଲି ତାକୁ ସେ ଦେଉଥିବା ସମ୍ମାନ ଦେହର ଆକର୍ଷଣ ପାଖରେ ବନ୍ଧା ପଡ଼ି ଯାଇଥିଲା। କିଛି ବାଟ ଚାଲିବା ପରେ ହାଲିଆ ହୋଇଯାଇଥିଲା । ସେ ସରସୀକୁ ତଳେ ଶୁଆଇ ଦେଲା। ଜହ୍ନ ଆଲୁଅରେ ତାର ଅଧା ଖୋଲା ଦେହଟା ତା ଭିତରେ ଥିବା କାମନା ବାସନାକୁ ବାହାରକୁ ଟାଣି ଆଣୁଥିଲା। ଏବେ ସେ ସରସୀକୁ କୁଣ୍ଢେଇ ଧରିଥିଲା, ଆଉ ତା ଓଠ ନଇଁ ଆସୁଥିଲା ତା ମୁହଁ ପାଖକୁ। 


ସାଗର ଆହୁରି ଜୋର କରି ଜାବୁଡ଼ି ଧରୁଥିଲା ତାକୁ । ତା’ ମୁହଁ ଆଡ଼କୁ ସେ ଯେତିକି ଆଗେଇ ଯାଉଥିଲା, ତାକୁ ପଛରୁ ସେତିକି ଯେମିତି ସତେକି କିଏ ଗୋଟେ ଟାଣି ଧରୁଥିଲା । ତାକୁ ଲାଗୁଥିଲା କିଏ ଯେମିତି କହୁଛି, ଅଜାଣତରେ ଗୋଟେ ନାରୀକୁ ଉପଭୋଗ କରିବାକୁ ଯାଉଛୁ । ତାକୁ ରକ୍ଷା କରିବାକୁ ଯାଇ ତାର ସର୍ବସ୍ୱ ଲୁଟି ନେବାକୁ ବସିଛୁ ? ସେ ତୋ ଭାଇର ସ୍ତ୍ରୀ, ସେ ପରର ଧନ । ବିବେକର ଦଂଶନ ତା’ର କଣ୍ଠରୋଧ କରୁଥିଲା । ସେ ଅଟଳି ଗଲା । ଧୀରେ ଧୀରେ ତା’ ହାତର ଫାଶ ହୁଗୁଳା ହୋଇଗଲା । ସେ ଉଠି ଯାଇଥିଲା । ଆଉ ସରସୀକୁ ଭଲରେ ଘୋଡ଼େଇ ଦେଇଥିଲା ନିଜ ଅଣ୍ଟାରୁ ଗାମୁଛାଟା ଖୋଲି ଦେଇ । କିଛି ସମୟ ପୂର୍ବରୁ ତା’ ଭିତରେ ଥିବା ଉଦ୍ଦାମତା ସ୍ତିମିତ ହୋଇ ଯାଇଥିଲା ସରସୀ ଦେହର କାଲୁଆପଣରେ । ତା’ ପରେ ସେ ନେଇ ଆସିଥିଲା ଘରକୁ । କିଛି ସମୟର ଚିକିତ୍ସା ପରେ ସରସୀ ନୂଆ ଜୀବନ ପାଇଥିଲା ।


 ଦୁଇ ଦିନ ଲାଗିଥିଲା ସରସୀକୁ ପୂର୍ଣ୍ଣ ସୁସ୍ଥ ହେବାକୁ । ସାଗରକୁ ସମସ୍ତେ ବାହାବା ଦେଉଥିଲେ ଯେ ସେ ଭାଉଜର ଜୀବନ ରକ୍ଷା କରି ସମ୍ଭବକୁ ମା’ ଛେଉଣ୍ଡ ହେବାରୁ ବଞ୍ଚେଇ ଦେଇଛି । ହେଲେ ସେ କିନ୍ତୁ ସରସୀକୁ ଆଉ ସିଧା ହୋଇ ଚାହିଁ ପାରୁ ନଥିଲା । ତା’ ନିଜ ପାପ ନିଜକୁ ଖାଇ ଯାଉଥିଲା । କେହି ନ ଜାଣିଲେ ସେ ତ ଜାଣିଛି ! ସରସୀକୁ ସେ ଆଉ ତା’ ଭାଉଜର ସ୍ଥାନ କେବେ ବି ଦେଇ ପାରିବନି । ତା’ ନିଜ ଆଖିରେ ସେ ଛୋଟ ହୋଇ ଯାଉଥିଲା ।


ଦିନେ ଏକାନ୍ତରେ ସାଗର ସରସୀକୁ କହିଲା, ତୁମେ ତ କେବେ କିଛି କହିନ ଘରେ ?


ସବୁ କଥା କ'ଣ କହିହୁଏ? କେଉଁ ଟାଣପଣରେ କହିଥାନ୍ତି ? ଆଉ କାହାକୁ ବି କହିଥାନ୍ତି? - କହିଲା ସରସୀ ।


ସାଗର କହିଲା ଯାହା ଘଟି ଗଲାଣି ତାହା ତ କିଏ ଫେରାଇ ପାରିବେ ନାହିଁ । କାରଣ ତାହା ବିଧି ନିର୍ଦିଷ୍ଟ । ଯଦି ତୁମେ ଖରାପ ଭାବିବ ନାହିଁ ମୁଁ ତୁମକୁ ସିନ୍ଦୁର ଲଗାଇ ନିଜର କରିବା ପାଇଁ ଇଛା କରୁଅଛି । ସରସୀ ଲାଜକୁଳୀ ପତ୍ର ପରି ଲାଜେଇ ଯାଇଥିଲା ।


ପୁଷ୍କରିଣୀ ସିନା ନଦୀରେ ମିଶିପାରେ ନାହିଁ କିନ୍ତୁ ସରସୀ ସାଗରରେ ମିଶିଗଲା । ସତରେ ନାରୀ ଜୀବନଟି ଏକ ସ୍ରୋତସ୍ଵିନୀ ନଦୀ ।


Rate this content
Log in

More oriya story from Lalita Mohan Mishra

Similar oriya story from Drama