Naresh Kumar Behera

Romance

5.0  

Naresh Kumar Behera

Romance

ସରୀତା

ସରୀତା

8 mins
699


ମଣିଷ ଜୀବନ ପ୍ରକୃତିର ଏକ ସୁନ୍ଦର ଏବଂ ଅମୁଲ୍ୟ ଉପହାର । ଜୀବନର ଅର୍ଥ ବଂଚିବା ଏବଂ ମଣିଷର ଧର୍ମ ହେଲା ଜୀବନକୁ ଏକ ସୁଖ, ସୁବିଧାରେ, ଅଳଂକାର ପରି ସଜାଇ ରଖିବା । ଏହାର ରକ୍ଷା କରିବା, ଏହାକୁ ହୃଷ୍ଟ-ପୁଷ୍ଟ ରଖିବା, ସଦା ପ୍ରୟତ୍ନ ରଖିବା ମଣିଷର ଏକାନ୍ତ ଆବଶ୍ୟକ । ଏହାର ସୁରକ୍ଷାରେ କୌଣସି ବଡ଼ ବଳିଦାନ ବି ତୁଚ୍ଛ । ଏହି ସବୁ ପାଇଁ ତାକୁ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ । ତେଣୁ କହନ୍ତି – ଜୀବନ ଏକ ସଂଘର୍ଷ ।

           କିନ୍ତୁ ଏଥିପାଇଁ ଆବଶ୍ୟକ ସମ୍ପୂର୍ଣ୍ଣ ସ୍ଵାଧିନତା । ସ୍ଵାଧିନତା ଯେତେବେଳେ ନଥାଏ, ଜୀବନର ସ୍ପନ୍ଦନ ବି ସେତେବେଳେ ଗତିହରା। କିନ୍ତୁ ଆଜି ଏହି ସ୍ଵାଧିନତାରେ ବି ମଣିଷର ମନ ଅତୃପ୍ତ। ବିଶେଷ କରି ଏହି ଦିନମଜୁରୀଆଙ୍କର । ଦିନ ସାରା ଖଟି ଦି’ ପଇସା ରୋଜଗାର କରିବେ, ପୁଣି ଯାଇ ସଂସାର ଚଳିବ । ସେମାନଙ୍କ ମନରେ ବି କେତେ କ’ଣ ଆଶା ଥାଇପାରେ, କିନ୍ତୁ ସମୟ ଏବଂ ଟଙ୍କା ଆଜି ସବୁଠାରୁ ମୁଲ୍ୟବାନ ।

           କ’ଣ ନ’ ଅଛି ଏହି ଷ୍ଟିଲ୍ ଇଣ୍ଡଷ୍ତ୍ରୀର? ସବୁ କିଛି ଅଛି । ପୁଣି ସବୁ କିଛି ଥାଇ ବି ସବୁ ନିଅଂଟ । ମଣିଷ କେବେ ବି ପଛଘୁଞ୍ଚା ହୋଇନାହିଁ । ସର୍ବଦା ସେ ଆଗେଇଛି । ବହୁତ କିଛି କରି ଦେଖେଇଛି; କିନ୍ତୁ କାହାପାଇଁ? ସବୁତ ନିଜ ପାଇଁ । ନିଜର ସ୍ଵାର୍ଥ ପାଇଁ; ନିଜର ମାନ ମର୍ଯ୍ୟାଦା ପାଇଁ । ‘ମେଟ୍ରୋ ଷ୍ଟିଲ୍ କରପୋରେସନ୍ ଲି:’ ଆଜି ଏହି ସତର ଖଣ୍ଡ ଗ୍ରାମକୁ କିଣି ନେଇଛି। କାହାକୁ ବେଘର ତ କରିନି? ଟଙ୍କା ଦେଇ କିଣିଛି, ସେ ପରର ମାତୃଭୁମିକୁ । ସେମାନେ ବି ବହୁତ ଲଢିଥିଲେ; ନିଜ ଜନ୍ମମାଟି ପାଇଁ । କିନ୍ତୁ ସବୁ ନିଷ୍ଫଳ ହୋଇଥିଲା । 

           ଦେଶକୁ ତ ପ୍ରଥମରୁହିଁ ବ୍ରିଟିଶମାନେ ଖାଇ ବସିଥିଲେ । ଏବେ ଏହି କମ୍ପାନୀଗୁଡିକ । ଘର ଦେବୁ, ଚାକିରୀ ଦେବୁ । କାହାକୁ? ଏହି ମୁର୍ଖ ଲୋକଙ୍କୁ? କିଛି ନାହିଁ, ସବୁ ଭଣ୍ଡାମୀ । କମ୍ପାନୀ ବସିଲା ପର୍ଯ୍ୟନ୍ତ କୁଲି ଭଳି ଖଟିବେ । ତା’ପରେ? ତା’ପରେ ତ ସବୁ ଏହି ଆଧୁନିକ ଯୁଗର ଅଟୋମେସିନ୍, ଇଂଜିନିୟର, କମ୍ପୁଟର ଇତ୍ୟାଦି କରିବ । ଆଉ ଏହି କମ୍ପୁଟର ଯୁଗର ଭାରତୀୟ ନାଗରିକ ରାସ୍ତା କଡ଼ରେ ଯାଇ ଭିକମାଗିବ । ଆଉ କ’ଣ ବା କରିପାରିବ? ସପକ୍ଷରେ ନୁହେଁ କି ବିପକ୍ଷରେ ନୁହଁ; କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ ବି ନୁହେଁ । ଭାବୁଥାନ୍ତି ‘ସାଗର’ ଗାଡିର ପଛସିଟରେ ବସି । ଏକ ନିଶ୍ଵାସରେ ଚାଲିଥାଏ ଗାଡିଟିଏ । ଗାଡ଼ିଟାରେ ବସିଥାନ୍ତି କେବଳ ପନ୍ଦର-ଶୋହଳଜଣ ମଜୁରୀ । ଚୁପଚାପ୍ । ଯାଇ ଲଗାତାର୍ ଦଶଘଣ୍ଟା ଖଟିଲେ ତୋରାଣୀ ମୁନ୍ଦିଏ ପିଇ ଚାଲିଆସିବେ । କି ଭାଗ୍ୟ ତାଙ୍କର! ବହୁତ ଦୁଖ ଲାଗେ ଏହି ଦେଶର ଗରିବଙ୍କୁ ଦେଖିଲେ ।  ଆଉ ନିନ୍ଦା ବି ଲାଗେ ବେଳେବେଳେ।

‘ବାବୁ କଣ ଚନ୍ଦନପୁର ଯିବେ?’ ହଠାତ ଜଣେ କୁଲି ପ୍ରଶ୍ନକଲେ ।

‘ହଁ...’

‘ଏହି ଚନ୍ଦନପୁର ତ’ ଚନ୍ଦନ ପରି ଲିପି ହୋଇଯାଇଛି । ତୁମେ କଣ ପାଇଁ, କାହା ପାଇଁ ଯାଉଛ?’

‘ଭଲ ପ୍ରଶ୍ନଟିଏ କଲ, ... ଚନ୍ଦନ ପରି ଲିପି ହୋଇଯାଇଛି। ଆଉ ମୁଁ ସେହି ଚନ୍ଦନଟିକିଏ ମଥାରେ ଲଗାଇବାକୁ ଯାଉଛି ।’

 ‘ମୁଁ କିଛି ବୁଝି ପାରୁନାହିଁ ତୁମ ଭାଷା!’

‘ହୁଁ ... ନିଜ କଥା ନିଜେ ନ’ ବୁଝିପାରିଲେ... ଆଉ କ’ଣ ବା କହିବି?’

ସେ ଚୁପ୍ ରହିଗଲେ । ସାଗର ଏହି ମଜୁରୀମାନଙ୍କ ବିଷୟରେ ଭାବୁଥିଲେ, କିନ୍ତୁ ନିଜ ଆସିବାର ଉଦ୍ଦେଶ୍ୟ ସେ ଭୁଲିନଥିଲେ । ସେ ପ୍ରକୃତରେ ଆସିଥାନ୍ତି, ନିଜ ପୁରୁଣା ସାଥୀର ଗାଁଟିକୁ ଦେଖିବା ପାଇଁ । ଦେଖିବାକୁ ନିଜ ‘ସରୀତା’ର ପାଦ ଚିହ୍ନକୁ, ଛୁଇଁବାକୁ ତା’ ଶରୀରର ଧୁଳିଗୁଡିକୁ, ଯିଏ ଏଠି ଛାଡ଼ି ଚାଲିଯାଇଛି, ବହୁବର୍ଷ ପୂର୍ବେ । କେଉଁଠିକୁ? ତାହା ସେ ଜାଣନ୍ତିନି । ସରୀତାକୁ ଦେଖିଥିଲେ ବାରବର୍ଷ ପୂର୍ବେ, କେବଳ ଛ’ ମାସ ପାଇଁ ।

ତାହାର ଅସାଧାରଣ ଚରିତ୍ର, ଅପୂର୍ବ ସ୍ନିଗ୍ଧ ରୁପ ମାଧୁର୍ଯ୍ୟ ଓ ସଂଗୀତ-କଣ୍ଠର ଚିତ୍ତଦାରୀ ବିହ୍ବଳତା ଧିରେ ଧିରେ ଅଜାଣତରେ କେବେ ଯେ ସାଗରର ମନକୁ ସମୁଦାୟ ଜୟ କରିନେଇଥିଲା, ଯାହାର କୌଣସି ନିର୍ଦ୍ଦିଷ୍ଟ ଠିକଣାନାହିଁ । ସାଗର ମନର କୃଷ୍ଣ କନ୍ଦରରେ କେବଳ ତାହାର ସ୍ମୃତିଟି ରହିଛି । ସବୁବେଳେ ତାହାରି ସ୍ବପ୍ନ । ଆଜି ଏହି ରୂପରେ ତ’ କାଲି ସେଇ ରୂପରେ । କିନ୍ତୁ, ତା’ ପ୍ରକୃତ ରୂପ, ସେଇ ଦଶବର୍ଷର ସରୀତା, ସାଗର ଆଖିରେ ଏବେ ମଧ୍ୟ ନାଚୁଛି, ହସୁଛି, ଗାଉଛି, ଖେଳୁଛି ।


ଚନ୍ଦନପୁର ଗ୍ରାମ, ଛୋଟ ହେଲେ ମଧ୍ୟ ଅତି ସୁନ୍ଦର, ସ୍ବଚ୍ଛ, ନିର୍ମଳ ଓ ଶାନ୍ତ ବାତାବରଣ । ଗ୍ରାମର ପ୍ରଥମ ଦୂଆରେ ଥାଏ ଜଗନ୍ନାଥ ମନ୍ଦିରଟିଏ । ତା’ପରେ ତିନିଧାଡିରେ ଲମ୍ବିଯାଇଛି ତିନୋଟି ସାହି । ଗାଁ ମଝିରେ ପ୍ରାଥମିକ ବିଦ୍ୟାଳୟଟିଏ । ବିଦ୍ୟାଳୟ ସାମ୍ନାରେ ସାଗରର ଘର। ଏବଂ ଦୁଇଟି ଘର ଛାଡି ସରୀତାର ଘର। କିନ୍ତୁ, ଆଜି ସବୁ ଅସ୍ତିତ୍ଵବିହୀନ। ପ୍ରତି ଘରର ଅସ୍ତି ଭାଙ୍ଗି ପଡିଛି ନିଜ ନିଜ ସ୍ଥାନରେ ପୋଡ଼ା ଶବପରି । ସେହି ସ୍କୁଲ୍, ସାଗରର ଘର, କାହାର ଘରର ଖୁଣ୍ଟଟିଏ ବି ନାହିଁ । ଏହି ରୋରୁଦ୍ୟମାନ ଅବସ୍ଥାରେ ଏକୁଟିଆ ମରଣ ଯନ୍ତ୍ରଣାରେ ବସି ରହିଛି କାଳିଆ ମନ୍ଦିର ଭିତରେ । ପାଖରେ ଭାଇ ନାହିଁକି ଭଉଣୀ ନାହିଁ । ମଥାରେ ଚନ୍ଦନ ନାହିଁକି, ଗଳାରେ ପୁଷ୍ପହାର ନାହିଁ। ଯେପରି କି ତା’ର କାଳ ବି ପାଖେଇ ଆସିଲାଣି । ସାଗର ମନ୍ଦିରର ଏହି ଅବସ୍ଥାରେ ଶୋକ ଅନୁଭବ କରି ଆଗେଇଗଲେ ଗାଁ ଭିତରକୁ । ତାକୁ ଯେପରି ଲାଗୁଥାଏ ସେ ଏହି କବର ଗୁଡିକ ମଧ୍ୟରୁ ନିଜ ପ୍ରିୟାର ଶରୀରକୁ ବାହର କରିବାକୁ ଆସିଛନ୍ତି । ସେ ନିଜର ମନ ହାଲକା କରି ସମଭାବାପନ୍ନ ହୋଇ ଚାଲିଲେ ବିଦ୍ୟାଳୟର ଅବସ୍ଥା ଦେଖିବାକୁ । ଯେଉଁଠି ସେ ନିଜ ଜୀବନର କିଛିଟା ଅଂଶ ବିତାଇଥିଲେ । ବହୁତ ଉନ୍ନତି କରି, ଭଲ ମଣିଷଇଏ ହେବା ପାଇଁ ଏବଂ ଭାବୁଥିଲେ ବି ବହୁତ ଖୁସିରେ ଦେଖି, ଭଲ ରଖିବେ, ପ୍ରେମରେ କହିବେ ସରୀତା, ସରୀତା, ସରୀତା... କେବଳ ଏହି ନାମଟି ପାଇଁ । ତାହା ପାଇଁ ବହୁତ୍ କିଛି ଆଶା କରିଥିଲେ, ଚିନ୍ତା କରିଥିଲେ, ମନେ ମନେ, ହୃଦୟରେ... ।


ବାରବର୍ଷ ପୁର୍ବର କଥା । ସାଗର ପଞ୍ଚମ ଶ୍ରେଣୀର ଛାତ୍ରଟିଏ । ସେହି ଶ୍ରେଣୀର ପ୍ରଥମ ସ୍ଥାନ ତା’ର । ଗଣିତ, ସାହିତ୍ୟ, ଇଂରାଜୀରେ ଖୁବ୍ ନମ୍ବର ଆଣେ । ଚିତ୍ର ବି ସୁନ୍ଦର, ଅପୁର୍ବ । ଅକ୍ଷର ବି ସେହିପରି ସୁନ୍ଦର, ଆଉ ଗୀତରେ ବି, ମଧୁର କଣ୍ଠତା’ର । ସେହି ବର୍ଷର ପ୍ରାୟ ଚାରିମାସ ପରେ ସରୀତା ଆସିଥିଲା ସେହି ଗାଁକୁ । ବାପା ତା’ର ଶିକ୍ଷକ ଥିଲେ । ପ୍ରଥମ ଦିନ ହିଁ ସାଗର ସରୀତାକୁ ଦେଖିଥିଲା, ସରୀତା ବି ସାଗରକୁ ଦେଖିଥିଲା, ବହୁତ ଭଲ ଭାବରେ, ସତେ ଯେପରି ତା’ ପୁରୁଣା ସାଙ୍ଗପରି । ଖୁବ୍ ମିଶିଗଲେ ଦୁହେଁ । ସାଗର ହଜିଯାଏ ତା’ରି ସ୍ବପ୍ନରେ, ପ୍ରେମରେ ଏବଂ ବକ୍ଷରେ । ଭଲପାଉଥାଏ ମନେ ମନେ । ସରୀତାବି ବହୁତ୍ ଭଲପାଏ ସାଗରକୁ । ଛୋଟିଆ, ଗୋରୀ, ପ୍ୟାରୀ, ସୁନ୍ଦର ଝିଅଟିଏ, ହାତ ଗୋଡ଼ରେ ଧୁଳି, ଆଖିରେ ମଇଳାରଖି, ବହୁଥିବା ନାକରୁ ଗୋଟେ ହାତରେ ପୋଛୁଥିବା ସମୟରେ ତା’ ପାଖରେ ଆସି ଛିଡ଼ାହେଲେ, ସାଗରକୁ ବହୁତ ଭଲଲାଗେ । ତା’ର ସଫା ମୁହଁକୁ କାନ ତଳେ ଥିବା କଳାଚିହ୍ନଟିଏ, ଯେପରି ଆଉ କାହାର ନଜର ନ ଲାଗେ!


‘ତୁ ସଫା କପଡ଼ା କାହିଁକି ପିନ୍ଧୁନୁ, ଯେ?’ ଦିନେ ସରୀତାକୁ ବହୁତ ମଇଳା ଦେଖି ସେ କହିଥିଲା ।

‘ତୁ ବଡ ସଫା ରହୁଛୁନା?’ ସରୀତା ତା କଥା ଶୁଣି ଛିଢିଗଲା ।

‘ଯେତେ ହେଲେବି ମୋ ହାତରେ ଗୋବର ତ ଲାଗି ରହୁନି, ତୋ ଭଳି ନାକ ତ ବହୁନି’

‘ବାସ୍ ବାସ୍, ଆଉ ବେଶୀ କହନା, କୁଆଡୁ ଆସିଲା । ଝିଅ ହୋଇଥିଲେ ନା, ଜଣା ପଡିଥାନ୍ତା ।‘ ସରୀତା ନାକ ପୋଛି ପୋଛି କହିଲା।

‘କଣ ବା’ ଜଣା ପଡିଥାନ୍ତା?’

‘ସକାଳୁ ଉଠି ଘର ଝାଡୁ ମାରିବା, ଗୋବର କାଢିବା … ଆଉ ସବୁ କରିବାକୁ ପଡ଼ନ୍ତା ... ଆଉ ପାଠ ବି ପଢିବାକୁ ପଡନ୍ତା’

‘ପାଠ ତ ମୁଁ ବି ପଢୁଛି’

‘ହେଲେ କୋଊ ବଡ କାମଟା କରିଦେଉଛୁ ତୁ?’

ଆଉ ବେଶୀ କିଛି ଯୁକ୍ତି କରେନି ସରୀତା ସହ । ଏମିତିରେ ସେ କାହା ସହ ବି ବେଶି କଥା ହୁଏ ନାହିଁ। ଆରମ୍ଭରୁ ତାକୁ ଚୁପ୍ ରହିବାର ଅଭ୍ୟାସ । ସରୀତା ତା’ର ଏହି ଗୁଣ ସହ ଖୁବ ଭଲ ଭାବେ ପରିଚିତ । ତା’ ସହ ଝଗଡାକରି, ତାକୁ ଚୁପ୍ କରିଦେଇ ଧୀରେ ମୁରୁକି ହସିଦିଏ ।


ସାଗର ଛୋଟପିଲାଟିଏ ହେଲେ ମଧ୍ୟ ତା’ ମନରେ ବହୁତ ଚିନ୍ତା ଉତ୍ପନ୍ନ ହେଉଥାଏ। ମୁଖ୍ୟତଃ ସରୀତା ସହ ମିଶିଗଲାପରେ । ଖୁବ୍ ଭଲ ପାଉଥାଏ ସେ ସରୀତାକୁ ।

ପିଲାଦିନର ଏହି ଅବୁଝା ପ୍ରେମରେ ବହୁତ ସତ୍ୟତା ଏବଂ ପବିତ୍ରତା ଥାଏ । ଠିକ୍ କୃଷ୍ଣ ରାଧାଙ୍କ ବାଲ୍ୟପ୍ରେମ ପରି । କିନ୍ତୁ ସାଗରର ପ୍ରେମ ଥିଲା କ୍ଷଣିକ ପାଇଁ । ଆଉ ତା’ ପରେ ପରେ, ସରୀତାର ବାପାଙ୍କର ବି ବଦଳି ହୋଇଗଲା ଅନ୍ୟ କୌଣସି ଏକ ଗ୍ରାମକୁ।

ଶେଷଦିନ । ସୂର୍ଯ୍ୟ ଲୁଚି ଯାଇଥିଲେ କିନ୍ତୁ ଆଲୋକ ଏବେ ବି ଥିଲା । ସେତେବେଳେ ସାଗର ବହୁତ ଗୁଡିଏ କୋଳି ଧରି ସରୀତା ପାଖକୁ ଆସିଥିଲା । ସରୀତା ସଙ୍ଗେ ସଙ୍ଗେ ଅନୁମାନ କରି ପଚାରିଲା – ‘ଏହି ଗାମୁଛରେ କଣ ରଖିଛୁ ଯେ?’

‘ତୋ ପସନ୍ଦର, କୋଳି’।

‘କ’ଣ?’ ଆଶ୍ଚର୍ଯ୍ୟରେ ପଚାରିଲା, ‘ବରକୋଳି? ଏତେ ଗୁଡାଏ!’

‘ହଁ’ ଦୁଃଖ ମନରେ ପ୍ରକାଶ କଲା ସାଗର, ‘ଆଉ ତ କେବେ ତୋତେ ଦେଇପାରିବିନି’ ।

‘କାହିଁକି?’

‘ମୁଁ ବାପାଙ୍କ ସହ କାଲି ଭୁବନେଶ୍ଵର ଯାଉଛି’।

‘କଣ ପାଇଁ?’

‘ସେଠି ମୋ ଅଜାଘର, ଏଥର ମୁଁ ସେଠି ରହି ପଢିବି... ଆଉ ବୋଧେ କେବେ ତୋତେ ମିଶିପାରିବିନି’।

ସୂର୍ଯ୍ୟାସ୍ତ ହେବାକୁ ଯାଉଥିଲା କିନ୍ତୁ ଆଲୁଅ ଏବେ ବି ଥିଲା, ସେଥିପାଇଁ ସାଗର, ସରୀତାର ହାତ ଧରି ଗ୍ରାମର କିଛି ଆଗକୁ, ସମୁଦ୍ର କୁଳର ଏକ ବିରାଟ ଝାଉଁଗଛ ପାଖକୁ ନେଇଗଲା। ଗଛରେ ଆଉଜି ଯାଇ, କିଛି କହିବା ପୂର୍ବରୁ ପାଖରେ ଏକ କୋଇଲିର କୁ କୁ ଶୁଭିଲା । ସାଗର ସହ ସରୀତା ମଧ୍ୟ ଚାରିଆଡେ ଦେଖି କହିଲା, ‘କେଡ଼େ ମଧୁର ଏ ସ୍ଵର’।

‘ହଁ’ ସାଗର ପ୍ରେମରେ ସରୀତାକୁ ଦେଖି କହିଲା, ‘ବିଲକୁଲ ତୋ ଭଳି’ ।

‘ମୋ ଭଳି?’ ସରୀତା ହସି କହିଲା।

‘ଆଉ କ’ଣ?’ ସାଗର କହିଲା – ‘ତୋ’ ସ୍ଵର ତ କୋଇଲିର ସ୍ଵରଠୁ ବି ମଧୁର । ତୋର ପ୍ରଶ୍ଵାସରେ ତ ମିଠା ଆମ୍ବର ବାସ୍ନା ଅଛି; ତୁ ହସିଲେ ମୋତେ ମିଠା ଆମ୍ବର ରସ ଖାଇଲା ପରି ଲାଗେ’।

‘ତୁ ଏପରି କଥା କହୁଛୁ, ଯେମିତି କି ଆମେ କେବେ ବାଇସ୍କୋପରେ ଦେଖିଥାଉ’। ସରୀତା ପୁଣି ହସି କହିଲା – ‘ମନେ ଅଛି ନା’?’

‘ମନେ ଅଛି, ସବୁ କଥା ମନେ ଅଛି ମୋର’, ‘ଆଉ ସେଇଥିପାଇଁ ସେହି ହିରୋଭଳି ମୁଁ ବି ଦିନେ ଜଣେ ଲେଖକ ହେବି। ତା’ପରେ ତୁ ଦେଖିବୁ, ମୁଁ ତା’ଠୁ ବି ଅଧିକ ସୁନ୍ଦରତାର ସହ ତୋ ରୂପର ବର୍ଣ୍ଣନା କରିବି । ଏହି କୋଇଲିର ସ୍ଵର, ଏହି ସମୁଦ୍ର, ଏହି ଝାଉଁ ଗଛ, ସେହି ବାଲିର ପାହାଡ଼; ପୁଣି ତୋର ହସ, ଚାହାଣୀ, କଥା... ସବୁ କିଛିର ମୁଁ ମହତ୍ଵ ଦେବି’ ।

ସୂର୍ଯ୍ୟ ଅସ୍ତ ହୋଇଯାଉଥିଲା, ମେଘ ଗୁଡିକରେ ଧୂଆଁଳିଆ ବଢିଯାଉଥିଲେ ମଧ୍ୟ ବାଲିଚଢାର ଶୀର୍ଷରେ ଟିକେ ଟିକେ ସୂର୍ଯ୍ୟର କିରଣ ଛିଟିକି ଦିଶୁଥିଲା । ସମୁଦ୍ରର ଲହଡି ଆଗକୁ ମାଡି ଆସୁଥିଲା, ଠିକ୍ ସରୀତାର ଓଠ ହଲି ହଲି ସାଗର ପାଖକୁ ଆସିଗଲାପରି। ସହସା, ମେଘଟି ଜୋରରେ ଗରଜିବାରେ ଲାଗିଲା, ପବନରେ ଏକ ତୀବ୍ରତା ସୃଷ୍ଟିହେଲା । ସରୀତା ଉପରକୁ ଚାହିଁ କହିଲା, ‘ଯାହା ଲାଗୁଛି, ଆଜି ବହୁତ ବର୍ଷା ହେବ’।

‘ହଁ’ ସାଗର ବି ଉପରକୁ ଦେଖି ସରୀତାର ହାତ ଧରିନେଲା, ‘ତୋଫାନ୍ ବି ହେଇପାରେ, ନେ, କୋଳି ନେ, ଗାମୁଛା ମୁଁ ପରେ ନେବି ଆ, ଚାଲ ଯିବା, ଘରେ ବାପା ଅପେକ୍ଷା କରିଥିବେ।


ହଠାତ, ମେଘଟି ପୁଣି ଅଧିକ ଜୋରରେ ବିଜୁଳି ସହ ଗର୍ଜି ଉଠିଲା । ସରୀତା ଚମକି ପଡି ସାଗରର ଛାତିରେ ଲାଗିଗଲା। ସାଗର ମଧ୍ୟ ଭୟରେ ସରୀତାକୁ ଜାବୁଡି ଧରିଲା । ପୁଣି ଯେତେବେଳେ ବର୍ଷାର ବଡ ବଡ ଟୋପା ପଡିବାରେ ଲାଗିଲା, ସଙ୍ଗେ ସଙ୍ଗେ ଦୁହେଁ ଘର ଆଡେ ଧାଇଁଲେ । ଖାଲ, ଢେପ, ବାଲିଆ ରାସ୍ତାରେ ସରୀତାକୁ ସମ୍ଭାଳି ସାଗର ଗାଁରେ ପହଞ୍ଚିଲା।

‘ଏବେ ଘରକୁ ଯା’, ସରୀତା କହିଲା, ‘ତୁ ସହରରୁ ଫେରିଲା ପରେ ମିଶିବା’

‘ହଊ’ ସାଗର ତା’ ହାତକୁ ଚାପି ଧରିଲା, ‘କିନ୍ତୁ ମୋତେ କାହିଁକି ଭାରି ଭୟ ଲାଗୁଛି’।

‘ତୁ ପ୍ରତି କଥାକୁ ବେଶି ଭାବୁଛୁ ନା’, ସେଥିପାଇଁ ଏପରି ଲାଗୁଛି’ ସରୀତା ତା’କୁ ସାନ୍ତ୍ଵନା ଦେଇ ହାତଟି ଅଲଗାକରି ଯିବା ପାଇଁ ବ୍ୟସ୍ତ ହେଲା । ପଛକୁ ବୁଲି ପାଦଟି ଆଗକୁ ବଢାଇଲା ବେଳେ ଦୂରରୁ ଅଚାନକ କେତେକ କୁକୁରମାନଙ୍କ ଭୋକିବାର ଶୁଣି ସରୀତା ବୁଲିପଡ଼ି ସାଗର ଦେହକୁ ଜାବୁଡ଼ି ଧରିନେଲା । ଅନ୍ଧାର ଓ ତୋଫାନର ଏହି ବାତାବରଣଟି ଆହୁରି ଅଧିକ ଭୟଙ୍କର ହୋଇଯାଉଥିଲା ।

ସରୀତା ସାହସ ବାନ୍ଧି କହିଲା, ‘ତୁ ଯା, ଆଉ ହଁ, ଘରେ ପହଞ୍ଚିଲା ପରେ ମୁଣ୍ଡଟିକୁ ଭଲଭାବେ ପୋଛି ନେବୁ, ନହେଲେ ଜଲ୍ଦି ଜ୍ଵରରେ ପଡ଼ିଯିବୁ।‘


ସରୀତା ବିଜୁଳି ପରି ଅନ୍ଧାରରେ ହଜିଗଲା; ତା’ପରେ ସାଗର ବି ନିଜ ଘରକୁ ଚାଲିଗଲା।

ନିଜର ଆତ୍ମବଳ, ପ୍ରାଣଶକ୍ତି ଏକତ୍ର କରି ଗୋଟାଏ ଗୋଟାଏ ପାଦ ବଢାଇ ସମୁଦ୍ର ଆଡ଼େ ଚାଲିଲେ ସାଗର । ଅପରାହ୍ନ ୪ଟା ହେବ, ଖରା ବି ହେଊଥାଏ । ପାଲଟଣା କେତୋଟି ଡଙ୍ଗା ଦୂରରେ ଦୃଶ୍ୟ ହେଉଥାନ୍ତି । ବିଦେଶରୁ କୌଣସି ଏକ ଛୋଟିଆ ଜାହାଜଟି ଆସି ଲାଗିଥାଏ ନିକଟସ୍ଥ ବନ୍ଦରରେ । ସମୁଦ୍ରକୁଳର ସୁନସାନ ବାଟବରଣରେ, ସରୀତାର ସ୍ମୃତିରେ ଆକୃଷ୍ଟ ହୋଇ ସାଗର ବସି ଗଢିବାରେ ଲାଗିଲେ ଏକ ବାଲୁକା ମୂର୍ତ୍ତିଟିଏ । ବିଶେଷତଃ ସରୀତାକୁ ଯୌବନର ଏକ ଜୀବନ୍ତ ରୂପ ଦେଇ ଆଙ୍କୁଥିଲେ ସେ ।

ତାହାର ସୁଦୀର୍ଘ ତନୁ; ରୂପ-ଅପରୂପ-ମାଧୁର୍ଯ୍ୟ । ସୁ-ଉଚ୍ଚ ପାଣ୍ଡୁର କପାଳ । ତା’ର ଅଙ୍ଗ-ଭଙ୍ଗୀରେ ଥିଲା ଏକ ସାବଲୀଳ ଛନ୍ଦ । ତା’ର ଅଙ୍ଗପ୍ରତ୍ୟଙ୍ଗ ଚିରନ୍ତନ ରୂପସଜ୍ଞାଠାରୁ କୌଣସି ଅଂଶରେ ବିଚ୍ୟୁତ ଥିଲା ବୋଲି ସେ ଅନିବିଚନୀୟ ରହସ୍ୟମୟୀ ହୋଇଥିଲା, କିନ୍ତୁ କେଉଁଠି ସେଇ ବିଚ୍ୟୁତ ଆଉ କାହିଁକି ବା’ ତାହାକୁ ଏପରି ଏହି ରହସ୍ୟ, ତାହା ସେ କୌଣସି ମତେ ଆବିଷ୍କାର କରିପାରୁନଥିଲେ। 


ତାହାର ନାସିକାର ସୁଶୋଭନ ଗଠନ – ଯେମିତି ପରିଛନ୍ନ ରେଖା, ସେମିତି ତୀକ୍ଷଣତାର ଆଭାସ, ସେମିତି ନିଖୁଣ ଭାବରେ ଗଠିତ ଦୁଇଟି ନାସାରନ୍ଧ୍ର-ଅତୁଳନୀୟ ଗଠନରେ ସ୍ଵାଧିନତାର ପରିଚୟ । ତାହାର ଅଧର – ଯେମିତି ବିଶ୍ଵର ସମସ୍ତ ମାଧୁର୍ଯ୍ୟର ଭଣ୍ଡାର। ତାହାର ଲଜ୍ଜାବନତ ନୟନ ଯୁଗଳ, ପୁଣି ତା’ ଉପରେ ଦୀର୍ଘ ପଲ୍ଲବ ଛାୟା । ଜଣେ ଚିତ୍ରକର ପରି ଆଙ୍କୁଥାନ୍ତି, ଲେଖକ ଭଳି ଲେଖୁଥାନ୍ତି, ପାଗଳ ପ୍ରେମିକ ଭଳି ଦେଖୁଥାନ୍ତି – ସରୀତାକୁ, ତା’ର ସୁଗଠିତ ଯୌବନ ପ୍ରତିମାକୁ ।


‘ସରୀତା’ – ଏହି ନାମଟି ଯେପରି ତାଙ୍କ ସହ ବନ୍ଧା ହୋଇଯାଇଛି । ସାଗରଙ୍କ ବିଶ୍ଵାସ ଦୃଢ । ଏହି ନାମରେ ସେ ତାଙ୍କର ସବୁ ସ୍ଵପ୍ନ ବାନ୍ଧି ଦେଇଛନ୍ତି । କିନ୍ତୁ ସ୍ଵପ୍ନ କେବଳ ସ୍ଵପ୍ନ ଥିଲା, ଯାହାକି ଅସମ୍ପୂର୍ଣ୍ଣ ରହିଗଲା । ସରୀତାର ପ୍ରେମ ତାଙ୍କୁ ପ୍ରେମୀ କରାଇଲା । ସେ ଗଲାପରେ ତାଙ୍କୁ ପାଗଳ କରିଦେଲା । ତା’ର ସ୍ମୃତିରେ ସେ ଅନ୍ୟ କୌଣସି ନାରୀର ସମୀପତା ଗ୍ରହଣ କରିନାହାନ୍ତି । ସେ ସରୀତାକୁ ଭଲପାଇଛନ୍ତି । ତା’ଋ ଅପେକ୍ଷାରେ ସେ ଆଗେଇ ଚାଲିଛନ୍ତି, ଏକ ବିଶ୍ଵାସନେଇ, ଦୃଢତାର ସହ । ସେ ହିଁ ତାଙ୍କର ଆତ୍ମା, ଜୀବନ ଓ ସବୁକିଛି ।




Rate this content
Log in

Similar oriya story from Romance