Naresh Kumar Behera

Others

2.5  

Naresh Kumar Behera

Others

ନାୟିକାର ନାମ

ନାୟିକାର ନାମ

2 mins
14.9K


ମନେ ଅଛି ମୋର । ସେଦିନ ମୁଁ ଭୁବନେଶ୍ଵରରୁ ବ୍ରହ୍ମପୁରକୁ ଫେରୁଥାଏ। ଖଲିକୋଟ ଘାଟି ଚଢିବା ପୂର୍ବରୁ ଅନୁଧ୍ୟାନ କରୁଥାଏ ଚିଲିକାରାଣୀର ସେ ଅପରୂପ ସୌନ୍ଦର୍ଯ୍ୟ । ପୂର୍ବରୁ ଟିକେ ଟିକେ ବର୍ଷା ହୋଇ ଛାଡ଼ିଥାଏ । ଆକାଶଟି ସଂପୂର୍ଣ୍ଣ ନିର୍ମଳ ହୋଇଥିଲେ ବି କିଛି ଖଣ୍ଡ ଧଳାକଳା ବାଦଲ ଭାସୁଥାନ୍ତି କେଉଁ କୋଣେ ଏଣେ ତେଣେ ।

ଚିଲିକାର ସେ ମନୋରମ ଦୃଶ୍ୟ କାହାକୁ ବା’ ଅଜଣା। ମୋତେ କିନ୍ତୁ ଭଲ ଲାଗେ ଖଲିକୋଟ ଏବଂ ରମ୍ଭା ମଧ୍ୟର ସେ ଦୃଶ୍ୟ; ଯାହା କେବଳ ରେଳଯାତ୍ରାରେ ହିଁ ଉପଭୋଗ କରିହୁଏ । ରାଜରାସ୍ତାରେ ଯାତ୍ରାବେଳେ ବହୁତ କମ୍ ଦେଖିବାକୁ ମିଳେ ଚିଲିକାର ରୂପ ସୌନ୍ଦର୍ଯ୍ୟକୁ । ତଥାପି ଖଲିକୋଟର ସେ ଛୋଟିଆ ଅଙ୍କାବଙ୍କା ପାହାଡ଼ ଚଢାବେଳେ ତା’ର ଦୃଶ୍ୟ ଖୁବ ମନଲୋଭା ହୁଏ।

ଘାଟିଉପରେ କିଛି ସମୟ ପାର ହେଲାପରେ ହଠାତ୍ ଦେଖିଥିଲି ତୁମକୁ ସେ ରାସ୍ତା କଡରେ । ଆଉ ତୁମେ ବି ଦେଖିଥିଲ ମୋତେ ।

ମୁଁ କିନ୍ତୁ କିଛି ନଜାଣିଲା ପରି ଆଗେଇ ଆସିଥିଲି । ତୁମେ କିନ୍ତୁ ବାରମ୍ବାର ପଛକୁ ବୁଲି ଦେଖୁଥିଲ ।

ତୁମର ଏଭଳି ଦୁଷ୍ଟ ଇଙ୍ଗିତ ବା ବ୍ୟବହାର ମୋ ମନକୁ ଆଘାତ କରିଥିଲା ଏବଂ ମୁଁ ବାଧ୍ୟ ହେଲି ଗାଡ଼ିକୁ ଅଟକାଇବାକୁ ଘାଟି ଉପରେ ।

ରାସ୍ତା ସେତେ ଭିଡ଼ ନଥିଲେ ବି ଘାଟି ଉପରେ ଥିବା ହେତୁ ମୁଁ ଗାଡ଼ିଟିକୁ ଏକ କୋଣେ ରଖି, ପାଖେଇ ଆସିଥିଲି ତୁମରି ନିକଟକୁ । ତୁମେଥିଲ ସଂପୂର୍ଣ୍ଣ ନୀରବ… କିନ୍ତୁ ଟିକେ କାମୁକ ।

ତୁମର ସେ ଲାଜେଇ ଲାଜେଇ, ଢଳିଢଳିକା ଛୁଇଁବା ମନୋବୃତ୍ତି, ମୋତେ କିଛିଟା ସଙ୍କୁଚିତ କରିଥିଲା । କିନ୍ତୁ ସାହସ ହେଉନଥାଏ । ରାସ୍ତାର ଏପଟ ସେପଟ ଦେଖୁଥାଏ । କାଳେ କିଏ ଦେଖୁଥିବ! କିଏ ଆସିଯିବ! ତା’ପରେ ତୁମ ପାଖରେ ବସିବାକୁ ଚେଷ୍ଟା କରିଥିଲି । ଆଉ ତୁମେ ଯେ ନିଜକୁ ମୋ ଉପରେ ଢାଙ୍କିବାକୁ ଚେଷ୍ଟା କରୁଥିଲ, ସେ ବଦମାସ୍ ଖରା ଦାଉରୁ... ମୁଁ ବୁଝିପାରୁଥିଲି ।

ତୁମ ସହ ନେଇଥିବା ସେ ସେଲଫି ଫୋଟୋଟିକୁ ଆଜି ମୁଁ ଦେଖି ଭାବେ – ସତେକି, ତୁମକୁ ମୁଁ ସେଦିନ ନେଇ ଆଣି ପାରିଥାନ୍ତି ନିଜ ସହ ! ଆଉ ବାରମ୍ବାର ଖୋଜିବାକୁ ପଡନ୍ତାନି ଏଠି ସେଠି।

ଆଉ, ଯେବେବି ଯାଏ ମୁଁ ସେଇ ରାସ୍ତାରେ… ସେ ଖଲିକୋଟ ଘାଟିଦେଇ… ସତରେ ତୁମକୁ ବହୁତ ଖୋଜେ, କିନ୍ତୁ ପାଏନା କାହିଁ!


ହଁ ! ଏକଥା ମୁଁ ପରେ ଜାଣିଲି ଯେ ତୁମର ନା 'କାଶତଣ୍ଡି' ବୋଲି।


Rate this content
Log in