Naresh Kumar Behera

Inspirational Others

2.5  

Naresh Kumar Behera

Inspirational Others

ଜାତି ନିରୁପଣ

ଜାତି ନିରୁପଣ

4 mins
7.3K


ଯେତିକି ମୁଁ ଖୁସି ଥିଲି ସେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତା’ଠାରୁ ଅଧିକ ଦୁଃଖୀ ଓ ଚିନ୍ତିତ ଅଛି ମୋର ସ୍କୁଲରେ ନାମାଙ୍କନକୁ ନେଇ । ଆଜିକୁ ପନ୍ଦର ଦିନ ତଳେ ସେଇ ସ୍କୁଲ ପ୍ରବେଶିକା ପରୀକ୍ଷାର ଫଳାଫଳ ବାହାରିଥିଲା; ତା’ପରେ ନାମାଙ୍କନର ନିୟମାନୁସାରେ ମୋ ବାପା ଖୁବ୍ ଦୌଡା-ଦୌଡି କରି ଆବାସିକ ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ଆଣିଲେ । କିନ୍ତୁ କଥାଟା ଏବେ ଅଟକିଛି ମୋର ଜାତି ପ୍ରମାଣପତ୍ର ପାଇଁ । ଆର୍.ଆଇ. ଓ ତହସିଲଦାର୍ ସମସ୍ତେ କହୁଛନ୍ତି ମୋତେ ଜାତି ପ୍ରମାଣପତ୍ର ମିଳିବନି । କାହିଁକି ନା’ ମୁଁ ଏ ଗାଁର ଝିଅ ନୁହେଁ ବୋଲି । ମୁଁ ଜାଣେ ଏ ସବୁ ତାଙ୍କର ଚାଲ୍ ।

ବାପା ଦିନେ ବୌଉଙ୍କୁ କହୁଥିଲେ ମୁଁ ଯଦି ୯୫ରୁ ଅଧିକ ମାର୍କ ଆଣିବି, ତେବେ ଯାଇ ମୋତେ ସ୍କୁଲରେ ସିଟ୍ ମିଳିବ । ନଚେତ୍, ଜାତି କୋଟାରେ ମିଳିପାରେ ଯଦି ୯୦ ରୁ ୯୫ ଭିତରେ ଆସେ । କିନ୍ତୁ ଏଠି ଏହା ଅସମ୍ଭବ । କାହିଁକିନା, ଆଜି ପର୍ଯ୍ୟନ୍ତ ସବୁ କିଛି ଏଠି ପଇସା ଦେଇ କାରବାର । ଯାହାର ବାପା ମା’ ଅଧିକ ପଇସା ବା ଲାଂଚ ଦେବେ, ତାଙ୍କ ପିଲାଙ୍କୁ ସ୍କୁଲରେ ସିଟ୍ ମିଳିବ । ବାସ୍ । କାରଣ କେବଳ ଥରେ ପ୍ରବେଶ ବା ନାମାଙ୍କନ ହୋଇଗଲେ, ମୋର ଭବିଷ୍ୟତ ଉଜ୍ଜଳ ହୋଇଯିବ । ଏଇଟା ହେଲା ଭାରତ ସରକାରଙ୍କ ଏକମାତ୍ର ଆବାସିକ ବିଦ୍ୟାଳୟ ଆମ ଜିଲ୍ଲାରେ । ଏଠି ଶିକ୍ଷା, ବ୍ୟବସ୍ଥା, ରହଣୀ, ଖାଦ୍ୟପେୟ ସବୁକିଛି ଭଲ ଓ ମାଗଣା । ଜିଲ୍ଲାରେ ବଛା ବଛା କେବଳ ୮୦ଟି ପିଲାଙ୍କୁ ହିଁ ସ୍ଥାନ ମିଳିଥାଏ । ଯୋଉଥିପାଇଁ ଏକ ପ୍ରବେଶିକା ପରୀକ୍ଷା ବି ହୁଏ ।

ସେ ଦିନର ବାପାଙ୍କ କଥାଟା ଏବେ ସମ୍ପୁର୍ଣ୍ଣ ରୁପେ ସତ୍ୟ ଲାଗୁଛି । କାରଣ, ପ୍ରମାଣପତ୍ର ପାଇଁ ଯୋଉପ୍ରକାର ଅଯଥା ହଇରାଣ କଲେଣି, ଏହା ପଛରେ କିଛି ନା କିଛି ଷଡଯନ୍ତ୍ର ନିଶ୍ଚୟ ଥିବ । କାହିଁକି ନା, ୨୦ହଜାରରୁ ଅଧିକ ପିଲା ପ୍ରବେଶିକା-ପରୀକ୍ଷା ଦେଇଥିଲେ, ସେଥି ମଧ୍ୟରୁ ୧୧୫୦ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସିଟ୍ ସଂଖ୍ୟା ମାତ୍ର ୮୦ଟି । ରାଙ୍କ ବା ଗ୍ରେଡ୍ ଅନୁସାରେ ପ୍ରଥମ ୮୦ ଜଣଙ୍କୁ ହିଁ ପ୍ରବେଶ ମିଳିବ । ଯଦି କେହି ବଡଲୋକ ଭିତରେ ଭିତରେ ଧରାଧରି କରି ପଇସା ପତ୍ର ଦିଏ, ତେବେ ସେ ୮୦ ଜଣଙ୍କ ମଧ୍ୟରୁ କାହାକୁ ହେଲେ, କିଛି ନା କିଛି କାରଣ ଦର୍ଶାଇ ବାହାର କରିଦେବେ । ଏଠି ଯଦି ମୋର ନାମାଙ୍କନ ନହୁଏ, ତେବେ ସାଧାରଣ ଓଡ଼ିଆ ସ୍କୁଲରେ ମୋତେ ପଢିବାକୁ ହେବ । ଯୋଉଠିକୀ ପଠା ପଢା ଭଲ ହୁଏନା ବୋଲି ବାପା କହନ୍ତି । ଆଉ, ଟିକେ ଭଲ ସ୍କୁଲରେ ପଢ଼ିବା ପାଇଁ ହେଲେ, ବହୁତ ପଇସା ଦରକାର । ବାପାଙ୍କର ଦେହ ଖରାପ ଯୋଗୁଁ ସେ ଚାକିରୀ ଛାଡ଼ି ୫ ବର୍ଷ ହେଲାଣୀ । ବାପା ମା’ ଦୁହେଁ ଟିଉସନ୍ କରି ଘର ଚଳାଉଛନ୍ତି । ଦୁହେଁ ମୋ ପାଇଁ ଭାରୀ ବ୍ୟସ୍ତ ଅଛନ୍ତି । ମୋ ମାମୁଁ ବି ଭାରି ଚିନ୍ତାରେ ଅଛନ୍ତି । ଯେହେତୁ ସେ ଦୁର ଦେଶରେ ଅଛନ୍ତି, ଆସି ପାରିଲେନି । ନଚେତ୍ ସେ ସବୁ ଠିକ୍ କରି ଦେଇଥାନ୍ତେ । କାରଣ, ସେ ଏହି ସ୍କୁଲରେ ଜଣେ ପୁରୁଣା ଛାତ୍ର । ପ୍ରାୟ ୨୫ବର୍ଷ ତଳେ ଏ ସ୍କୁଲରେ ସେ ପଢୁଥିଲେ; ତା’ପରେ ଆମ ପରିବାରରେ ମୁଁ ଜଣେ ହିଁ ଏହାର ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛି ।

କାଲିତ, ସେ ଫୋନ୍ କରି ବାପାଙ୍କୁ ଖୁବ୍ ଗାଳି କରୁଥିଲେ, କାହିଁକି ମୋର ଜନ୍ମ ପ୍ରମାଣପତ୍ର କି ଜାତି ପ୍ରମାଣପତ୍ର ଆଦି କରି ନାହାନ୍ତି ବୋଲି । ସେ କହୁଥିଲେ, ଯଦି ତହସିଲଦାର୍ ଆବାସିକ ଓ ଆୟ ପ୍ରମାଣପତ୍ର ଦେଲେ ତେବେ ଜାତି ପ୍ରମାଣପତ୍ର କାହିଁକି ଦେଉନାହାନ୍ତି? ହଁ, ଏହା ସତ ଯେ ଆମେ ଅନ୍ୟ ଗାଁରୁ ଆସି, ଏଠି ଆଈଙ୍କ ଘରେ ରହୁଛୁ । ଆଉ ସରକାରଙ୍କ ନିୟମାନୁସାରେ ଯୋଉ ଘରେ କିମ୍ବା ଗାଁରେ ୧୫ ବର୍ଷରୁ ଅଧିକ ରହିଲେ ଆବାସିକ ପ୍ରମାଣପତ୍ର ମିଳେ । ଯାହାକି ମିଳିଛି । କିନ୍ତୁ ଜାତି ପ୍ରମାଣପତ୍ରରେ କି ତନଖି? ମୁଁ ତ ମୋ ବାପାର ଝିଅ ! ମୁଁ ମୋ ମା’ ପେଟରୁ ହିଁ ତ ଜନ୍ମ ହୋଇଛି; ମୋତେ କୋଉ ଅନାଥାଶ୍ରମରୁ ତ ଆଣି ନାହାନ୍ତି! ତେବେ ଜାତି କେମିତି ବଦଳିବ? ମୋର ବାପା ମା’ ଦୁହିଙ୍କ ଯଦି ଜାତି ପ୍ରମାଣପତ୍ର ଅଛି, ମୋର କାହିଁକି ବା’ ନ ହେବ? ଯଦି ପ୍ରମାଣ ଦରକାର ତେବେ ରକ୍ତ ପରୀକ୍ଷା କରି ଦେଖୁ ନାହାନ୍ତି! ମୋର ଜନ୍ମ ପରେ ବାପା ମୋ ଜନ୍ମ ପ୍ରମାଣପତ୍ର କରିନାହାନ୍ତି, ତା’ ଅର୍ଥ କ’ଣ ମୁଁ ବଂଚିନି? ସ୍କୁଲ୍ ହେଡ଼ସାର୍ ଯଦି ମୋ ଜନ୍ମ ତାରିଖ ଲେଖିନଥାନ୍ତେ, ତା ହେଲେ କ’ଣ ମୁଁ ମଲା ସଦୃଶ୍ୟ? ପ୍ରବେଶିକା ଫର୍ମରେ ପୁରୁଷ/ସ୍ତ୍ରୀ ଚିହ୍ନଟ କଲାବେଳେ ତ ଲଂଗଳା କରି କି ଦେଖୁ ନାହାନ୍ତି, ଇଏ ପୁରୁଷ ନା ସ୍ତ୍ରୀ ବୋଲି? ମୋ ମତରେ ସେଇୟା ବି କରିବା କଥା । ଯଦି କେହି ପୁଅ ନିଜକୁ ସ୍ତ୍ରୀ କହେ, ତାକୁ ତ ପୁଣି ଲିଙ୍ଗକୋଟାରେ ସିଟ୍ ମିଳିଯିବ! ସେଥିପାଇଁ ତ କେହି ପ୍ରତିରୋଧ କରୁନାହାନ୍ତି? ତେବେ ମୋ ଜାତି ପାଇଁ କାହିଁକି ଏତେ ତନଖି? ଘର, ଗାଁ, ଆଦି ବଦଳିପାରେ ନିଜ-ନିଜର ଚାକିରୀ ବା ବ୍ୟବସାୟ ଦ୍ଵାରା । କିନ୍ତୁ, ଜାତି ତ କେବେ ମୋର ବଦଳିନୀ ଆଜି ପର୍ଯ୍ୟନ୍ତ । ନା’ ତ ମୋର ବାବା ଅନ୍ୟ ଧର୍ମ ଗ୍ରହଣ କରିଛନ୍ତି, ନା’ ଅନ୍ୟ ଧର୍ମ / ଜାତିର ମୋ ମା’! ତାଙ୍କରି ରକ୍ତରେ ଯଦି ମୁଁ ଗଢା, ତେବେ ମୁଁ ବି ତ ସେଇ ଜାତିର ହିଁ ହେବି ନା ଅନ୍ୟ ଜାତିର?

ଏତେ ସବୁ କଥା ମାମୁଁ ମୋ ବାପାଙ୍କୁ କହି ବୁଝାଇଲା ପରେ, ସେ ପୁଣି ଯାଇଛନ୍ତି ଆର୍ . ଆଇ ଓ ତହସିଲଦାରଙ୍କ ପାଖକୁ । କାଲି ମୁଁ ସ୍କୁଲକୁ ଯାଇଥିଲି । ବହୁତ ବଡ ସ୍କୁଲ । ମୋର ଫର୍ମ୍ ପୂରଣ ସବୁ ସରିଲା, କିନ୍ତୁ ୭ଦିନ ଭିତରେ ଜାତି ପ୍ରମାଣପତ୍ର ଦେବା ପାଇଁ କହିଛନ୍ତି । ଯଦି ନହୁଏ, ତେବେ ଏଠି ପଢ଼ିବାର ସମ୍ଭାବନା ନୁହେଁ । ହେ ପ୍ରଭୁ! ମୋତେ କାହିଁକି ଏ ନିଚ୍ଚ ଜାତିରେ ଜନ୍ମ କଲ? ଯଦି ବା ଜନ୍ମ କଲ, ତେବେ କାହିଁକି ଏ ଦେଶରେ ଏ ସବୁ ଜାତି କୋଟା, ଓ ଧର୍ମ/ଜାତିର ଭେଦଭାବ! ଧିକ୍ ଏ ଜୀବନ...।


Rate this content
Log in

Similar oriya story from Inspirational