Naresh Kumar Behera

Others

3  

Naresh Kumar Behera

Others

କର୍ମ ହିଁ ଭଗବାନ

କର୍ମ ହିଁ ଭଗବାନ

2 mins
7.4K


ବହୁତ ଦିନ ପରେ ମୁଁ ମୋ ନିଜ ଗାଁକୁ ଫେରିଛି । ଗାଁ ଆଜି ସହର ପାଲଟିଯାଇଛି । ଏଠିକାର ଦୋକାନ ବଜାର, ଘରଦ୍ଵାର, ରାସ୍ତାଘାଟ, ନାଳନର୍ଦ୍ଦମା ସବୁ ଓସାରିଆ ହୋଇଯାଇଛି ସତ; କିନ୍ତୁ ଲୋକଙ୍କର କିଛି ବି ପରିବର୍ତ୍ତନ ମୁଁ ଦେଖିବାକୁ ପାଉନାହିଁ । ସେମିତି ରାସ୍ତା କଡରେ ଝାଡ଼ା ପରିସ୍ରା କରିବା, ଦିନ ଦିପହରେ ଖଟି କରିବା, ଆଉ ରାତି ୮ଟାରେ ପୁରା ଗାଁ ଶୁନଶାନ । ଆଜି ସକାଳୁ ସକାଳୁ ମନ ହେଲା ଟିକେ ସେଇ ମୋର ପୁରୁଣା ସେଲୁନ ଆଡ଼େ ବୁଲି ଆସିବା ପାଇଁ । ଯାଇ ପହଞ୍ଚେ, ଟୁନା (ଟୁକୁନା) କହିଲା, ‘ସାର କେତେ ଦିନ ପରେ ଆସିଲେ? ଆପଣ ତ’ ଗାଁକୁ ପୁରା ଭୁଲି ଗଲେଣି’!

ହଠାତ୍ ତା’ କଥା ଶୁଣି, ମୁଁ ଚିହ୍ନି ପାରିଲିନି। ପରେ ଜାଣିଲି, ସେ ଟୁକୁନା ବୋଲି । ଯାହାକୁ ମୁଁ ସେଇ ସେଲୁନରେ ରହି କାମ ଶିଖିବା ପାଇଁ କହି ରଖେଇଥିଲି । ପିଲାବେଳୁ ସେ ବାପମା’ ଛେଉଣ୍ଡ । ମାମୁଁ ଘରେ ରହୁଥାଏ, କୌଣସି କାରଣ ବଶତଃ ସେ ଗାଁ ଛାଡ଼ି ଆମ ଗାଁରେ ଆସି ରହିଥିଲା । ସେ କେଉଁ ଜାତିର ମୁଁ ଜାଣେନା । କି, ତାକୁ ବି କେବେ ପଚାରି ନାହିଁ । ହେଲେ, ଭୋକିଲା ପେଟକୁ ରୋଟି ଖଣ୍ଡେ ଦରକାର । ଆଉ, ସେ ପିଲାବେଳୁ ହିଁ ଭିନ୍ନ । ମୋତେ କହିଥିଲା, କିଛି ଗୋଟାଏ କାମ ଦେଖିବାକୁ । ମୋ ମୁଣ୍ଡରେ ସେତେବେଳେ, ମୋ ସାଙ୍ଗ ଶିନୁର କଥା ମନେପଡିଗଲା । ତାକୁ ଦୋକାନ ପାଇଁ ଗୋଟେ ପିଲା ଦରକାର ଥିଲା । ଆଉ, ଟୁନା ସେଥିରେ ରାଜି ହୋଇଗଲା ଆଜି ସେ ବହୁତ ବଡ ହୋଇଯାଇଛି । ଆଉ ତା’ର କଥାବାର୍ତ୍ତା, ଚାଲିଚଳନ ସଂପୂର୍ଣ୍ଣ ଭିନ୍ନ । ମୁଁ ସତରେ ବିଶ୍ଵାସ କରିପାରୁନଥାଏ, ସେ ଏତେ ମିଷ୍ଟଭାଷୀ କିପରି ହେଲା? ସେଲୁନ ଭିଡ଼ ଥିବାରୁ ସେ ଯେପରି ଗ୍ରାହକଙ୍କୁ ସରଳ ଏବଂ ଭଦ୍ରାମିର ସହ କଥାବାର୍ତ୍ତା କରୁଛି, ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ମୋତେ ଖବରକାଗଜଟିକୁ ଉପର ଦେଖା କରୁଥାଏ ମୁଁ । ଏହି ସମୟରେ ଜଣେ ଭଦ୍ରବ୍ୟକ୍ତି ନିଜର ଚୁଟି କାଟିବା ପରେ ୫୦ ଟଙ୍କିଆ ନୋଟଟି ବଢାଇଲା। ଟୁନା ୧୦ଟଙ୍କା ଫେରାଇବାରୁ, ସେ ଲୋକଟି ପଚାରିଲା, ‘କେତେ ଟଙ୍କା କି’? ଟୁନା କହିଲା, ‘ଆଜ୍ଞା, ଚୁଟି କାଟିବା ପାଇଁ ୫୦ ଟଙ୍କା, ସେଭିଙ୍ଗ ପାଇଁ ୨୫’ । ଲୋକଟି କହିଲା, ‘ଏତେ ରେଟ କି ହେ? ମୋର ତ’ ଚୁଟି ବି ସେତେ ନଥିଲା’ । ଉତ୍ତରରେ ଟୁନା କହିଲା, ‘ଆଜ୍ଞା ସେଥିପାଇଁ ତ’ ୧୦ ଟଙ୍କା ଫେରେଇଲି’ । ଲୋକଟି ମୁଣ୍ଡକାନ ଆଉଁସି ଚାଲିଗଲା । ସେ ଲୋକଟିକୁ ମୁଁ ପୂର୍ବରୁ ଜାଣେ, ସେ ବି ମୋତେ ଜାଣେ; କିନ୍ତୁ ଆଜି ବୋଧେ ବହୁତ ଦିନପରେ ମୋତେ ଦେଖି ଚିହ୍ନିପାରିଲାନାହିଁ । ସେ ଜଣେ କୋଟିପତି; ଅଜସ୍ର ସମ୍ପତ୍ତିର ମାଲିକ । କିନ୍ତୁ ସାମାନ୍ୟ ଦଶଟି ଟଙ୍କା ପାଇଁ, ଛାର ଛୁଆଟି ଆଗରେ ନିଜର ଇଜ୍ଜତ ରଖିପାରିଲାନାହିଁ |

ଟୁକୁନାର ଯଦି ବାପାମା’ ଥାନ୍ତେ, ତେବେ ସେ ଏହି ଭଣ୍ଡାରି କାମ କରିବାକୁ ପଡନ୍ତା ନାହିଁ। ହୁଏତ ତା’ ଭାଗ୍ୟରେ ଆଉ କ’ଣ ଲିଖିତ ହୋଇଥାନ୍ତା। କିନ୍ତୁ, ଆଜି ସେ ଯେପରି ଗର୍ବର ସହ, ନିଃସଙ୍କୋଚରେ ଏହି କାମ କରୁଛି, ଆଉ ନିଜକୁ ସମାଜରେ ପରିଗଣିତ କରିଛି; ସେଥିପାଇଁ ତାକୁ ମୋର ସଲାମ । ସତରେ, ଧର୍ମ, ଜାତି ଏବଂ ଅର୍ଥରୁ ନୁହେଁ, ମଣିଷକୁ ନିଜ କର୍ମରୁ ହିଁ ପରିଚୟ ମିଳିଥାଏ; ତେଣୁ କୁହାଯାଏ ‘କର୍ମ ହିଁ ଭଗବାନ’ ବୋଲି ।


Rate this content
Log in