SIPRA NAMTA

Fantasy Others

2.5  

SIPRA NAMTA

Fantasy Others

ସପନର ପଛେ ପଛେ

ସପନର ପଛେ ପଛେ

9 mins
7.6K


ନିଜ ଅସ୍ତିତ୍ବକୁ କୁରେଦୁ ଥିଲା ସ୍ମିତା ପୋଡା ପାଉଁଶ ତଳର ଝୁଲରୁ ।କାଠ ଗୁଡିକ ପୋଡିଯାଇ ଅଙ୍ଗାର ଓ ପାଉଁଶରେ ପରିଣତ ହୋଇ ସାରିଛନ୍ତି ।ଅଙ୍ଗାର ଗୁଡିକୁ ଜାଳି ଚଟୂରେ କାଢି ଆଣି ଲିଭେଇ ଦେଇଥିଲା ପାଣି ସିଞ୍ଚି ।ଚୁଲ୍ଲୀ ଭିତରେ ସେମିତି ପାଉଁଶ ସବୁ ରହିଛି ।ସତେ କଣ ଆଉ ନିଆଁ ଅଛି ତା ଭିତରେ ....? ଦିନ୧୨ଟା ପାଖରୁ ରୋଷେଇ ସରି ଦିନ ଦ୍ବି ପ୍ରହର ହେବାକୁ ଧାଇଁଲାଣି ।ପଡିଶା ଘର ମାଉସୀ ତାଟିଆଏ ଚୁନାମାଛ ଓ ବିଡେ ପତର ଦେଇ ପଠେଇଛନ୍ତି ପତୁଆ କରିବା ପାଇଁ ।

      ଭାବୁଥାଏ ସେ ,ଆଜିକାଲି ତ ଆଉ କାଠ ଚୁଲ୍ଲୀ ରହୁନାହିଁ ,ପତୁଆ କି ପୋଡ଼ ପିଠାଟିଏ କରିବା ପାଇଁ କି ସେ ଶାଳ ପତର ବି ମିଳୁନାହିଁ ଚୁଲ୍ଲୀ ଭିତରେ ଲିଭିଲା ନିଆଁରେ ମାଛ ପତୁଆଟେ ,କଞ୍ଚା ବିଲାତିରେ ସୋରିଷ ବାଟଣ ଦେଇ ତ କେତେବେଳେ ଆଳୁରେ ପୋସ୍ତ ,ଗୋଟା ରସୁଣ ଦି' ଫଡା,ପିଆଜ ଟିକିଏ ଆଉ କଞ୍ଚା ଲଙ୍କାର ମିଶ୍ରିତ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନରେ ଭାତ ,ପଖାଳ ,ମୁଢି ସବୁ ଉଠିଯାଏ ଜଣାପଡେନି ।ସେଇଥିପାଇଁ ସ୍ମିତା ଗୋଟେ କାଠ ଚୁଲ୍ଲୀ ରଖିଛି ଅବେଳ ,ସବେଳରେ କାମରେ ଲାଗିବା ପାଇଁ ।

        ଘର ଦକ୍ଷିଣକୁ ଠିଆ ହୋଇଛି ବଡ ବଡ ଶଗୁଆନ ଗଛ କେତୋଟି ।ସିଧା ରଖିବା ପାଇଁ ଗଛ ଡାଳ କେତୋଟିକୁ କାଟିଦେଇଛନ୍ତି ଶ୍ୱଶୁର ।ଆହୁରି ମଧ୍ୟ ଘରର କବାଟ ଝରକା କାମ ତିଆରି ହୋଇଥିଲା ବେଳେ ବହୁତ ବଳକା ଅଂଶ ଜାଳେଣୀ ରୂପେ ସାଇତି ରଖା ହୋଇଛି ଭାଡିରେ ଭାଡିଏ ଖଣ୍ଡେ , ଅଦିନିଆ ଗ୍ୟାସ ସରିଗଲେ ସେଗୁଡିକ ବହୁତ ସାହାଯ୍ୟ କରନ୍ତି ସ୍ମିତା ପାଇଁ । ଏ ମହରଗ ଯୁଗକୁ ଚାରି ଚାରିଟା ଛୁଆ ପିଲା ,ଗଲା ଅଇଲା ସବୁବେଳେ ଲାଗିଥିବ । ତରକାରୀ ବ୍ୟତିରେକେ କମ ଖରଚ ଆଉ ଦେହ ସମ୍ପଦକୁ ଉପଯୁକ୍ତ ତତ୍ତ୍ୱାବଧାନ ବି ମିଳିଯାଏ ।ପୁଅ ଗୋଟାଏକୁ ଚାହିଁ ଚାହିଁ ତିନି ଝିଅ ......ତା'ପଛକୁ ଜଗତ ଯାକର ଦିଅଁ ମାଜଣା ପରେ ଚତୁର୍ଥଟି ପୁତ୍ର ଲାଭ ହୋଇନି ଯେ ଅଳ୍ପକେ ଜୀବନଟା ସମ୍ଭଳିଯାଇଛି ।

         କାଠ ଖଣ୍ଡେ ଧରି ଖେଞ୍ଚି ଦେଲା ସ୍ମିତା , ପାଉଁଶ ଝୁଲ କେତେ ଉଡି ଚାଲିଗଲା ଉପରକୁ ।ଫୁଙ୍କ ନଳୀରେ ହାଲକା ଫୁଙ୍କି ଦେଲା ସେ ।ଲାଲ ଲାଲ ନିଆଁ ଟିକେ ଚମକି ଉଠିଲା କାଠ ଚେନା ଦି'ଟା ହାଲକା କରି ପକାଇଦେଲା ସେଇ ନିଆଁ ଉପରେ ଏବଂ ହାଲକା ପବନ ଦେବାରୁ ଧୀରେ ଧୀରେ ଚେନାରେ ନିଆଁ ଲାଗିବା ଉତ୍ତାରୁ ଅଙ୍ଗାର ଗୁଡିକୁ ଚୁଲ୍ଲୀ ଭିତରକୁ ଦେଇଦେଇ ମସଲା ସଜାଡିବାରେ ଲାଗିପଡ଼ିଲା ସେ । ଇତି ମଧ୍ୟରେ ଚଳିବା ମାପର ନିଆଁ ହୋଇଯାଇଥିଲା ।ଏଥର ପତର ସଜାଡିଲା ସେ ।ଶାଶୁ ଭାଜୁଥିବା ମୁଢି ଭଜା କୁଞ୍ଚି କାଠିରୁ ଦି'ଟା ନେଇ ପତର ଟିପିଲା ।ଶାଶୁଙ୍କ ପରି ହେବ ନାହିଁ , କିନ୍ତୁ କାମ ହୋଇଯିବ ।ଶାଶୁ ଶ୍ୱଶୁର ନାହାନ୍ତି ,ଯାଇଛନ୍ତି ଦେଢଶୁରଙ୍କ ଘରକୁ ଛଅ, ସାତ ଦିନ ହେଲାଣି ,ହୁଏତ ଏଇ ଦିନେ ଦି'ଦିନ ଭିତରେ ଆସି ପହଁଚିଯିବେ ।ଯାହା ହେଉ କାମ ସାରିଦେଇ ସାନ ପୁଅ ଝିଅଙ୍କ ପାଖରେ ଟିକିଏ ଗଡି ପଡିଲା ସେ ।ବଡ ଝିଅ ଦୁଇ ଜଣ ସ୍କୁଲ ଯାଇଛନ୍ତି ।ଭୋର ପାଞ୍ଚଟାରୁ ଖଟଣୀ.....ଅଣ୍ଟା ପିଠି ଲାଗି ଯାଉଛି ,ଓଃ .....ଆଖି ମୁଦି ଯାଉଛି ସ୍ମିତାର ।

**********

ଆଃ....... କି ସୁନ୍ଦର ମନ ମହକିଆ ବାସ୍ନା ।ଚତୁର୍ଦ୍ଦିଗକୁ ଆଖି ବୁଲାଇ ଆଣିଲା ବେକକୁ ସାମ୍ନାରେ ସୁନ୍ଦର ଫୁଲ ବଗିଚା। କେତେ ରଙ୍ଗ ବେରଙ୍ଗୀ ଫୁଲରେ ପୂର୍ଣ୍ଣ ।ଆଉ ଟିକିଏ ଆଗେଇଲା ବେଳକୁ ଛୋଟ ଏକ ସୁନ୍ଦର ଘର ।ଘରର ଛାତ ଉପର ଟା ଠିକ୍ ପିରାମିଡ ଭଳି ଦେଖାଯାଉଛି ।ଘରର ଉପରୁ ତଳ ପର୍ଯ୍ୟନ୍ତ ଚାରିପାଖରେ ଘେରା ହୋଇଛି ସୁନ୍ଦର ଡିଜାଇନର ରଙ୍ଗ ବେରଙ୍ଗୀ ଚେନ ଲାଇଟ । ଆଃ ...କି ଲୋଭନୀୟ ନ ଦିଶୁଛି ସତେ ?ବଗିଚାର ଗୋଟେ କଡକୁ ଗୋଲାପ ଗଛର ବଡ଼ ବୁଦାଟିଏ ଏବଂ ତା'ପାଖକୁ ଦୋଳାଟିଏ ।ସେ ଦୋଳାରେ ନାରୀଟିଏ ଦୋଳାୟ ମାନ । ଧୀରେ ଧୀରେ ସେ ପାଖେଇଲା ସେଇ ଦିଗକୁ ....ଟିକେ ...ଆଉ ଟିକେ ....ଆରେ ଏ କ'ଣ

ଦୋଳାରେ ତା'ରି ପରି ଆଖି, ନାକ, କାନ, ମୁହଁ ଅବିକଳ ତାଆରି ପରି ଦେଖା ଯାଉଛି ନାରୀ ମୂର୍ତ୍ତିଟି ।ଛବିରେ ଦେଖିଥିବା ଅପ୍ସରୀ ପରି ଦେଖାଯାଉଛି ।ଚମକି ପଡି ପଛକୁ ଦି'ପାଦ ଫେରିଆସିଲା ସେ ।..ଆଗେଇଲା ବିପରୀତ ପାର୍ଶ୍ଵରେ ଥିବା ଘର ଆଡକୁ ,ଘର ତ ନୁହେଁ ଛୋଟ ଏକ ମହଲ ।ଉନ୍ମୁକ୍ତ ଦରଜା ଦେଇ ଭିତରକୁ ପଶିଲା ସେ ।କେଇଜଣ ଭୃତ୍ୟ ଭିନ୍ନ ଭିନ୍ନ କାର୍ଯ୍ୟ ରେ ବ୍ୟସ୍ତ ଅଛନ୍ତି ।ବିଳାସିତାର ସମସ୍ତ ସୌଖୀନ ଜିନିଷ ମହଜୁଦ ସେଠି ।ଆଉ ଟିକିଏ ସନ୍ତର୍ପଣରେ ଆଗେଇଲା ..ବୋଧହୁଏ ଶୟନ କକ୍ଷ ସୁସଜ୍ଜିତ ବିସ୍ତୃତ ପଲଙ୍କଟିଏରେ ଅର୍ଦ୍ଧଶାୟିତ ମୁଦ୍ରାରେ ସୁନ୍ଦରୀ ରମଣୀଟିଏ ,ବେଶ ପରିପାଟୀରୁ କେଉଁ ମହାରାଣୀ ଠାରୁ କମ ଲାଗୁ ନ ଥାଏ ....ମୁଦ୍ରିତ ନୟନରେ ହୁଏ ତ ପ୍ରାଣପ୍ରିୟଙ୍କ ସ୍ବପ୍ନ ଦେଖୁଥିବ ଅବା ....ଆଏଁ ....ୟେ ...କିଏ ...? .. ଇଏ ...ଇଏ

ଚମକି ପଡୁଥିଲା ସେ ,...ଆରେ ଇଏ ତ ଠିକ୍ ତାଆରି ମୁହଁର ନକ୍ସା ପରି ଲାଗୁଛି ।ଇସ ..କି ଅପୂର୍ବ ତେଜ ଏ ମୁଖମଣ୍ଡଳରେ !!! ପାଦ ଚିପିଚିପି ପଛେଇ ଚାଲିଆସିଲା ସେଠୁ ସେ ।

ଅପର ପାର୍ଶ୍ଵକୁ ଅତିକ୍ରମ କରୁ କରୁ ସଂଲଗ୍ନ କୋଠରୀ ଭିତରକୁ ଦୃଷ୍ଟି ଚାଲିଗଲା ....ଆଖି ଦୁଇଟି ବିସ୍ଫାରିତ ହୋଇଗଲା ଆପେ ଆପେ ।ଜଣେ ଭୃତ୍ୟା ଛୋଟ ଏକ ଶିଶୁ ପୁତ୍ରକୁ ଶୁଆଇଦେଉଛି ...ଭଲ କରି ନୀରୀକ୍ଷଣ କଲା ପରେ ତାକୁ ଲାଗିଲା ଏ ତ ତାଆରି ରକ୍ତର ଜୀବନ୍ତ ପିତୁଳା ଗୁଡୁ ।ଏକ ଅଜଣା ଉତ୍ସାହ ଓ ଆଶଙ୍କାରେ ଆଉ ଟିକେ ଆଗେଇ ଯାଉ ଯାଉ ଲକ୍ଷ୍ୟ କଲା ଏକ ବିସ୍ତୃତ କକ୍ଷ, ବିରାଟ ଡାଇନିଂ ଟେବୁଲରେ ବିଭିନ୍ନ ଖାଦ୍ୟପେୟ ସଜ୍ଜିତକରି ରଖାଯାଇଛି ଓ ରାଜକନ୍ୟା ପରି ଦେଖାଯାଉଥିବା ତିନି ଜଣ ଝିଅ ବସିଛନ୍ତି ଏବଂ ପରିଚାରିକା ସେମାନଙ୍କୁ ଖାଦ୍ୟ ପରଷି ଦେଉଛି ।ସେମାନେ ଯାହା ଚାହୁଁଛନ୍ତି ପରିଚାରିକା ସେଇୟା ଦେଉଛି ।କିନ୍ତୁ ଏ କ'ଣ

.....ଏମାନେ ଯେ ତାଆରି ସନ୍ତାନ ପରି ଦେଖାଯାଉଛନ୍ତି ।ଲିପି ,ଶିପି, ଆଉ ତପୀ ।ସେମାନେ ଏଠି ??ଖାଇସାରି ପରମ ତୃପ୍ତିରେ ସେମାନେ ଉଠି ଚାଲି ଗଲେ ।ଅନେକ ତୃଷା ଅନୁଭବ କରୁଥିବାରୁ ହାତଟି ସ୍ୱୟଂ ଚାଲିଗଲା ଜଳ ପାତ୍ର ଆଡକୁ । ଏତେ ସୁନ୍ଦର ତାରକସି କାମ ହୋଇଥିବା ପାତ୍ରଟିରେ ମୁହଁ ନ ଲଗାଇ ଢକ ଢକ କରି ପାଣି ମୁନ୍ଦେ ଢାଳିନେଲା ପାଟି ଭିତରକୁ ।କିଛି ପାଣି ଦେହରେ ଢାଳି ହୋଇଗଲା ।ହାତଟି ସକ୍ରିୟ ହୋଇଗଲା ଓଦା ଲୁଗାଟିକୁ ଝାଡି ଦେବାପାଇଁ ,,

ସେପଟୁ ସତେ ଅବା ଶିଶୁପୁତ୍ରଟିର କ୍ରନ୍ଦନର ଧ୍ୱନୀ ଭାସିଆସୁଥିଲା ।ଚାଉଁକିନା ଚମକି ଉଠିଲା ସ୍ମିତା ।ପାଖରେ ଶୋଇଥିବା ଗୁଡୁ ପରିସ୍ରା କରିଦେଇ ଉଠି ବସି କାନ୍ଦିବାକୁ ଆରମ୍ଭ କରିଦେଇଛି ।ଆଉ ପୁଅର ମୂତ୍ର ଧାରରେ ପେଟ ପାଖରୁ ଫାଳେ ଓଦା ହୋଇ ଯାଇଛି ।ଏକ ସୁନ୍ଦର ସ୍ୱପ୍ନ ଦେଖିବାରୁ ବଞ୍ଚିତ ହେବାରୁ ଵିରକ୍ତ ଲାଗୁଥିଲା ତାକୁ ।ନିଜକୁ ଓ ଗୁଡୁକୁ ପରିଷ୍କାର କରିସାରିବା ପରେ ଘଣ୍ଟା ଆଡକୁ ନଜର ପକାଇଲା ସେ ,ପିଲାଙ୍କର ସ୍କୁଲରୁ ଫେରିବା ବେଳ ହେଲାଣି ଅଥଚ ଶୁଭେନ୍ଦୁ ଏତେ ପର୍ଯ୍ୟନ୍ତ ଖାଇବାକୁ ଆସିନାହାନ୍ତି ଯେ ???

********

     ରାତି ନଅଟା ହେଲାଣି ।ପିଲାମାନଙ୍କୁ ପାଠ ପଢାଇ ସାରି ସଜ ପଖାଳ ଓ ମାଛ ପତୁଆ ଖୁଆଇ ଦେଇ ସାରି ସେମାନେ ଶୋଇ ଗଲା ପରେ ଶୁଭେନ୍ଦୁକୁ ଅପେକ୍ଷା କରି ପିଣ୍ଡାରୁ ଦୁଇ ଚାରି ଥର ଟହଲ ମାରିସାରିଲାଣି । ଶାଶୁ ଶ୍ୱଶୁରଙ୍କ ଯିବା ଦିନ ଠାରୁ ଶୁଭେନ୍ଦୁଙ୍କ ଘରକୁ ଫେରିବା ସମୟ ଠିକ୍ ରହୁ ନାହିଁ ।

ପଚାରିଲେ କିଛି କହୁନାହାନ୍ତି ।ଆଜି ଆସନ୍ତୁ ......!! ମନେ ମନେ ସେଇ କଥା ବିଚାର କରୁଥିବା ସମୟରେ ଶୁଭେନ୍ଦୁ ଘରେ ପ୍ରବେଶ କଲେ ।ସ୍ମିତା ଭୀଷଣ ରାଗି ଯାଇଥିଲା 

--"ଘର ବୋଲି କିଛି ଅଛି ନା ?ଖାଲି ଅନ୍ୟ ମାନଙ୍କ ପାଇଁ କାମ କରିବାକୁ ତୁମେ ଅଛ ??ଦେଖୁଛି ବାପା ବୋଉ ନ ରହିବା ବେଳକୁ ତୁମେ ଖୁବ୍ ମନମର୍ଜି ଚଳେଇଛ ?" ଶୁଭେନ୍ଦୁଙ୍କ କାନରେ କିଛି ପଶୁ ନ ଥିଲା । ସେ ଗୋଡ଼ ହାତ ଧୁଆଧୋଇ କରି ଶ୍ବାନ ପରି ଶୁଙ୍ଘି ଶୁଙ୍ଘି କହୁଥିଲେ "ଉଁ କ'ଣ ଗୋଟେ ଆଇଁଷ ଆଇଁଷ ବାସୁଛି , ଦିଅ ....ଦିଅ ଶୀଘ୍ର ଶୀଘ୍ର ଖାଇବାକୁ ଦେଲ ।" କିନ୍ତୁ ସେଠାରେ ସ୍ମିତା ନ ଥିଲା ।ଭୋକକୁ ସମ୍ଭାଳି ପାରୁ ନଥିଲା ବେଳେ ସ୍ମିତାର ଅନୁପସ୍ଥିତିରେ ବାଧ୍ୟ ହୋଇ ଯାଇ ନିଜେ ବାଢି ଆଣି ଖାଇବସିଲେ ଶୁଭେନ୍ଦୁ ।

           ସେତିକିବେଳେ ସ୍ମିତା ଆସି ଏସବୁ ଦେଖି ହତବାକ ।ଏ କ'ଣ ?ତା' ସଂସାରଟା ତାକୁ ଅନ୍ଧାର ଦେଖା ଯାଉଥିଲା । ଆପେ ଖାଇଲେଣି ? ଏଥର ନିଜ କାମ ପାଇଁ ଆଉ ସ୍ମିତାକୁ ଲୋଡା ହେବନି ।କଣ ଶୁଭେନ୍ଦୁ ତାକୁ ଆଉ ଦରକାରୀ ମନେ କଲେନି ?ମନେପଡିଗଲା' ମଧୁ ' ର କାହାଣୀ ।ଦୀର୍ଘ ବର୍ଷ ପରେ ଦିନେ ଦେଖା ହୋଇଥିଲା ବଜାରରେ ।ଫୋନ ନଂ ନେଇ ଘଣ୍ଟା ଘଣ୍ଟା ଧରି ତା'ଜୀବନରେ ଘଟିଯାଇଥିବା ପରକୀୟା ପ୍ରୀତିକୁ ଖୁବ୍ ରୋମାଞ୍ଚ ଦେଇ ଗପିଥିଲା ।ଆଶ୍ଚର୍ଯ୍ୟରେ ମୁଣ୍ଡ ଘୁରିଯାଏ ତା'ର କେବଳ ସ୍ୱାମୀର ଅବହେଳା ପାଇଁ ଏମିତି କ'ଣ ସମ୍ଭବ ?ଏକ ବିରାଟ ପ୍ରଶ୍ନବାଚୀ ଠିଆ ହୁଏ ତା'ଆଗରେ । ମଧୁ ପରି ଦୃଢ଼ମନା ଝିଅ ଏମିତି ପୁଣି ନିଜ ଠାରୁ କମ ବୟସର ଯୁବକ ସହ ......ଓଃ ହେ ଭଗବାନ ଏମିତି କାହାକୁ ବିପଥଗାମୀ ନ କରାଅ ।ଚମକି ପଡିଲା ମନେ ମନେ ସ୍ମିତା । ଶୁଭେନ୍ଦୁର ଏଇ ସାମାନ୍ୟ କାର୍ଯ୍ୟରେ ଏତେଟା ଅସହିଷ୍ଣୁ ହେବା ଠିକ୍ ନୁହେଁ ।

         କିଛି ସମସ୍ୟା ଥାଇପାରେ । ଅବଶ୍ୟ ତା'ଯୁଗ୍ମ ଜୀବନର ସଫଳତା କହିଲେ ଏଇ ଚାରୋଟି ସନ୍ତାନ ବ୍ୟତୀତ ଆଉ କିଛି ଅନୁଭବ କରିନାହିଁ ସେ । ନିପଟ ଗାଉଁଲୀ ସ୍ତ୍ରୀଟିଏ ପରି ଜୀବନ ବିତେଇବା ଛଡା ଅନ୍ୟ କିଛି ସେ ଭାବିନାହିଁ କିମ୍ବା ଭାବିବାକୁ ଆଗେଇ ପାରେ ନାହିଁ । ନିଜ ଜ୍ଞାତି କୁଟୁମ୍ବ ଓ ସାଇପଡ଼ିଶାଙ୍କ ସହିତ ଉତ୍ତମ ସମ୍ପର୍କ ,ପଡୋଶୀ ସ୍ତ୍ରୀଲୋକଙ୍କ ସହିତ ବନ୍ଧୁତା ,ପରିବାରର ସେବା ଯତ୍ନ ,ନିଜ ପିଲାଙ୍କୁ ଗଢିବା ଭିତରେ ହିଁ ଜୀବନ ତା'ର ସୀମୀତ ।ଅଳ୍ପକେ ସନ୍ତୁଷ୍ଟ ରହିବାର କଳାଟିକୁ ଶିଖିବାର ପ୍ରଚେଷ୍ଟାରେ ହିଁ ଅର୍ଦ୍ଧ ପକ୍ଷ କଟିଗଲାଣି ଆଉ କେଇଟା ବର୍ଷ କଟେଇଦେବାକୁ ଚେଷ୍ଟା କରୁଛି ସେ ।

ବେଶୀ ଚିନ୍ତା ଝିଅମାନଙ୍କୁ ନେଇ ।ଶିକ୍ଷା ,ସଂସ୍କାର ,ଓ ଜୀବନର ସଫଳତାର ଚାବିକାଠିକୁ ଖୋଜିବାର ମନ୍ତ୍ରକୁ ସେମାନଙ୍କ କାନରେ ଫୁଙ୍କିବାକୁ ପଡେ । ଏତେ ସବୁ ପରେ ଶୁଭେନ୍ଦୁର ଅବହେଳା ମନକୁ ଭୀଷଣ କଷ୍ଟ ଦିଏ ।ଖଟକୁ ଆଉଜି କେତେବେଳେ ଢୁଳାଇ ପଡିଛି ସ୍ମିତା ଏସବୁ ଭାବି ଭାବି । କାହାର ସ୍ପର୍ଶରେ ନିଦ ଭାଙ୍ଗିଗଲା ସ୍ମିତାର ।

--କାହିଁକି ବେକାରଟାରେ ରାଗୁଛ କହିଲ ?

ସ୍ମିତାର ଅଭିମାନ ତରଳିବାକୁ ଲାଗିଲା ପଦେ କଥାରେ ।ଆଖିରେ ଲୁହ ଜକେଇ ଆସିଲା ତା'ର ।ଶୁଭେନ୍ଦୁକୁ ଏମିତି ଅଧରାତିଆ ନିଜ ପାଖରେ ସେ ଯେମିତି ଆଶା କରୁ ନଥିଲା ।

--ଆରେ ଖାଇଛ ନା ନାହିଁ ?

--ତମେ ତ ନିଜେ ବାଢି ଆଣି ଖାଇଦେଲ ।ତମକୁ ତ ଅପେକ୍ଷା କରିଥିଲି ।ତୁମ ଆଗରୁ ମୁଁ କେବେ ଖାଇଛି ?

---ଭୋକ ଲାଗୁଥିଲା । ତା ଉପରେ ମାଛ ପତୁଆର ବାସ୍ନା ଆଉ ସମ୍ଭାଳି ହେଲାନି ।ତମକୁ ଡାକିଲି ଶୁଣିଲନି ।ଦିନ ସାରା ଭାତ ମୁଠେ ମିଳି ନଥିଲା ।ସେଥିପାଇଁ ଖାଇଦେଲି ।........

ବେସରକାରୀ ଚାକିରୀରେ କେତେବେଳେ କୁଆଡେ ଯିବାକୁ ପଡୁଛି ,ଠିକଣା ନାହିଁ ।ନୋହେଲେ ଚାକିରୀ ଚାଲିଯିବ ।

----ସେଇ କଥାଟା ତ ପ୍ରଥମରୁ କହିଥିଲେ ସରିଥାନ୍ତା ।ବାପା ବୋଉ ଯିବା ଦିନଠାରୁ ତମେ ବହୁତ ଡେରିରେ ଫେରୁଛ । ତୁମ ସମସ୍ୟା ନକହିଲେ ଜାଣିବି କେମିତି ।

          ଶୁଭେନ୍ଦୁ ନଖାଇବା କଥା ଜାଣି ସ୍ମିତାର ହୃଦୟଟା ମନ୍ଥି ହୋଇଗଲା । ସତରେ ସେ କଣ ନାଇଁ କଣ ଭାବି ଯାଉଥିଲା ।

---ଚାଲ ,ଆଉଥରେ କ'ଣ ଦି'ଟା ଖାଇନେବ ।ନିଜ ହାତରେ ଖାଇଛ ...ପେଟ କ'ଣ ପୂରିଥିବ ?

 କହି ସ୍ମିତା ଆଗେଇ ଗଲା ରୋଷେଇ ଘରକୁ ।ହେଲେ ଗ୍ୟାସ ତ ନାହିଁ ...କରିବ କ'ଣ ? ଏତେ ରାତିରେ ବାହାର ମେଲାକୁ ଯାଇ କାଠ ସଜାଡି ଗେରସ୍ତ ସୁଆଗ ଦେଖେଇବ ?? କିରୋସିନି ଷ୍ଟୋଭଟି କାଢ଼ିଲା କବାଟ କୋଣରୁ ।ହଁ ...କିରୋସିନି ଅଛି ହଲାଇ ଦେଖିଲା ।ଯା'ହୋଉ କାମ ଚଳିଯିବ ।ପୁଅର ପିଠା ଖାଇବା ସଉକ ପାଇଁ ଦୁଇ ଦିନ ହେବ ଆଣ କରିରଖିଛି ।ସେଇଥିରୁ ଦି' ଡଙ୍କି ବିରିଚାଉଳର ଆଣକୁ ତାବାରେ ଢାଳିଦେଲା ସ୍ମିତା ।ଗରମ ଗରମ ଚକୁଳି ପରଷି ଦେଇ ସ୍ୱାମୀ ମୁହଁକୁ ସତୃଷ୍ଣ ନୟନରେ ଚାହିଁଲା ସ୍ମିତା । "ସତରେ କ'ଣ ଯୁଗ୍ମ ଜୀବନ ବିଫଳ ତା'ର ???ପଦେ କଥାରେ ,ସାମାନ୍ୟ ଛୋଟିଆ କଥାରେ କେତେ ଯେ ସାହାଚର୍ଯ୍ୟ,କେତେ ତ୍ୟାଗ ,କେତେ ଭଲପାଇବା ଛପି ରହିଥାଏ ତାହା କେହି ବୁଝେନା । ସ୍ୱାମୀ ହିସାବରେ ଶୁଭେନ୍ଦୁ ଯେ କେବେ ତା'ର ଦେହ ପା 'ର ଉପଯୁକ୍ତ ଯତ୍ନ ନେଇପାରିଛନ୍ତି ସେ କଥା ମନେ ପକେଇ ପାରେନି ସ୍ମିତା ।କିନ୍ତୁ ଯେତେବେଳେ ଅସହ୍ୟ ମନୋବେଦନାରେ ଭାଙ୍ଗି ପଡୁଥିଲା ବେଳେ ,ଘାଣ୍ଟି ଗୋଳାଇ ହେଉଥିଲା ବେଳେ ଅସରାଏ ବର୍ଷା ଛିଟାରୁ ମୁନ୍ଦେ ଛିଟିକେଇ ଦିଅନ୍ତି ।ବାସ .....ସେତିକିରେ ସବୁ ଅସହିଷ୍ଣୁତା ପାଣିର ବୁଦ ବୁଦ ପରି ମିଳେଇଯାଏ ସେଇ ଅନନ୍ତ ଜଳ ରାଶି ମଧ୍ୟରେ....

ଯେମିତି ଅସୀମ ତରଙ୍ଗର ସମଷ୍ଟି ଏଇ ଜୀବନ ।

         ଜୀବନର ଦର୍ଶନ ବୁଝି ବି ବୁଝେନା ସ୍ମିତା ।ହିନ୍ଦୁ ଶାସ୍ତ୍ର ପୁରାଣ, ଦର୍ଶନ ମନରେ ଦ୍ଵନ୍ଦ ସୃଷ୍ଟି କରେ ।ଶେଷରେ କେବଳ ଗୋଟିଏ କଥା ହିଁ ବୁଝେ ,ବିଶେଷ ବାର ବ୍ରତ ଓପାସ କିଛି କରି ନ ପାରିଲେ ଖାଲି ' ମୁଣ୍ଡିଆ' ଟିଏ ହିଁ ଯଥେଷ୍ଟ ସମର୍ପଣରେ ମାରିଦେଲେ ସରିଲା ।ବେଶୀ ଗଭୀର ଚାଷକୁ ଗଲେ ବହୁତ ଅଡୁଆ ।ନିଜ ସଂସାରକୁ କାହା ନଜର ନ ଲାଗିବା ପାଇଁ ସେ ସର୍ବଦା ଚେଷ୍ଟିତ ।ସେଥିପାଇଁ ମନକୁ ଶାସନ କରିବାକୁ ବିବେକର ଛାଟ ଦିଏ ସେ ।ଅଯଥା ସନ୍ଦେହକୁ ପ୍ରଶ୍ରୟ ଦେଇ ଜୀବନ ନଷ୍ଟ କରିବାକୁ ଉଚିତ ବୋଲି ଭାବେନି ସେ ।ତଥାପି ସ୍ତ୍ରୀ ଚରିତ୍ରରୁ ବେଳେ ବେଳେ ବାଦ ପଡେନି ।

     ଖାଇବା ଭିତରେ ଶୁଭେନ୍ଦୁ ଖଣ୍ଡିଆ ଚକୁଳିଟିଏ ସ୍ମିତା ପାଟିକୁ ବଢାଇ ଦେଉ ଦେଉ କହୁଛନ୍ତି --ଆଜି ପର୍ଯ୍ୟନ୍ତ ମୁଁ ତମକୁ ବୁଝିପାରିଲିନାହିଁ । କେତେବେଳେ ରାଗରେ ଅଗ୍ନିଶର୍ମା , କେତେବେଳେ ପାହାଡ ପରି ଗୁରୁ ଗମ୍ଭୀର ତ ପୁଣି କ୍ଷଣକରେ ଚଳ ଚଞ୍ଚଳ ନଈ .....ସତରେ ତମ ନାରୀ ଚରିତ୍ରକୁ ବୁଝିବା ଭାରି କଷ୍ଟ । କିନ୍ତୁ ମୁଁ ପ୍ରକୃତରେ ଭାଗ୍ୟବାନ ତମ ପରି ସ୍ତ୍ରୀଟିଏ ପାଇ ।....କହି ହାତ ଧୋଇ ହେଲେ ଶୁଭେନ୍ଦୁ ।

----ତୁମେ କାମରେ ବ୍ୟସ୍ତ ରହୁଛ ।ତମ ସମସ୍ୟାରେ କାହାକୁ ଜଡିତ କରୁନ । କିନ୍ତୁ ସବୁରି ମୂଳରେ ଏ ଶରୀର ।ତା'ର ଉପଯୁକ୍ତ ତତ୍ତ୍ୱାବଧାନ ନ କଲେ ଆମ ସଂସାରଟା କଣ ହେବ କହିଲ ?? ତମେ ମୋର ସବୁ କିଛି , ତମ ବିନା ମୁଁ କିଛି ଭାବିପାରେନା ।ତମର ମୋ ପ୍ରତି ଅବହେଳା ସହିପାରିବି ସିନା କିନ୍ତୁ ତମ ନିଜ ପ୍ରତି ବହେଳା କେମିତି ସହିବି କୁହ ?? କହି ସ୍ମିତା ଶୁଭେନ୍ଦୁକୁ ଜଡାଇ ଧରିଲା ।ଆଖିରୁ ଅମାନିଆ ଲୁହର ଶ୍ରାବଣୀ ଧାରକୁ ବନ୍ଦ କରି ପାରୁ ନଥିଲା ସେ ।ଶୁଭେନ୍ଦୁ ତା' ଆଖିରୁ ଲୁହ ପୋଛି ଦେଇ କହୁଥାନ୍ତି -–ହଉ ହେଲା ବାବା

ହେଲା ,ଚେଷ୍ଟା କରିବି ସବୁ କଥା ତୁମର ମାନିବା ପାଇଁ ।ଏବେ ଚାଲ ଟିକେ ଶୋଇପଡିବା ।ରାତି ଅନେକ ହେଲାଣି ।"

     ଶୁଭେନ୍ଦୁର କୋଳରେ ଆଖି ବନ୍ଦ କଲା ସ୍ମିତା ।କିଛି କ୍ଷଣ ମଧ୍ୟରେ ତନ୍ଦ୍ରାଚ୍ଛନ୍ନ ହୋଇ ଦେଖୁଥିଲା,, ଏକ ସୁନ୍ଦର ମହଲ ,ତା'ଚାରିପାଖରେରେ ଏକ ସୁନ୍ଦର ବଗିଚା ।ବଗିଚା ମଧ୍ୟରେ ଏକ ଦୋଳା ଆଉ ସେଠି ଖେଳୁଛନ୍ତି ତିନୋଟି ଝିଅ ଏବଂ ଦୋଳାରେ ଝୁଲୁଛି ଏକ ଶିଶୁପୁତ୍ର ।ବାହୁରେ ବାହୁ ଛନ୍ଦି ଦୁଇଟି ପୁରୁଷ ଓ ନାରୀଙ୍କର ଯୁଗଳ ମୂର୍ତ୍ତି ସେମାନଙ୍କୁ ଦେଖି ଆନନ୍ଦରେ ଉତ୍ଫୁଲ ହେଉ ହେଉ ପ୍ରେମାଲିଙ୍ଗନକୁ ଦୃଢ଼ରୁ ଦୃଢ଼ୀଭୂତ କରୁଥିଲେ .........।।।।

ସିପ୍ରା ନାମତା (ନମ୍ରତା )

ବାରିପଦା 


Rate this content
Log in

Similar oriya story from Fantasy