Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

SIPRA NAMTA

Tragedy


3  

SIPRA NAMTA

Tragedy


ଆପେକ୍ଷିକ ଆର୍ଦ୍ରତା

ଆପେକ୍ଷିକ ଆର୍ଦ୍ରତା

10 mins 487 10 mins 487


-ସତରେ ସମ୍ବିତ ତୁମେ ପାଗଳ ହୋଇଯିବ ଦେଖୁଛି ।

-ହଁ ,ମୁଁ ପାଗଳ ହେଉଛି ,ତୁମ ପାଇଁ ...ଖାସ ତୁମ ପାଇଁ ।

ଫ୍ରି ଅଛ ? କିଛି କଥା ଥିଲା ।

-ଆରେ ....ଆରେ ... ନା.... ନା ଏବେ ନୁହେଁ । ବୁଢା ଆହୁରି ତିନି ଟା ଫାଇଲ ପଠାଇ ଦେଇଛି ।କାମ ସରିଲା ବେଳକୁ ନିହାତି ରାତି ସାତ ଟା କି ଆଠ ଟା ହେବ ।ଯଦି ପାରିବ ସେତେବେଳେ ହୋଟେଲ କୁ ଆସିବ ସାଙ୍ଗ ରେ ଡିନର ବି ହୋଇଯିବ ।

-ଆଉ ତା ପରେ ?

-ଆରେ ରଖ ଫୋନ ,ସେ ରସିକାମୀ ରଖ ।ଏବେ ତ ମଥା ଟାଇଁ ଟାଇଁ କଲାଣି ।

   କହି ଫୋନରେ ସମ୍ପର୍କ ଛିନ୍ନ କରି କାମରେ ମନ ଦେଲା ସୁଲଗ୍ନା ।

ଅଫିସର ହେଡ କିରାଣୀଙ୍କ ଦାନ୍ତ ନିକୁଟା କଥା

-"ଆରେ ଆଜି କଣ କାମ ସରିନି କି ସୁ ଉ ଉ ଉ ....।"

କେମିତି ଗୋଟେ ଳମ୍ବେଇ କି ଡାକନ୍ତି କମଳ ଲୋଚନ

ବରାଳ ।ବିରକ୍ତ ଲାଗେ ତାକୁ ।ତଥାପି ସବୁ ହଜମ କରିବାକୁ ପଡେ ।ଯୁଗ ଟା ସେମିତି ।ଲାଲଚିଆ ହୋଇପଡେ ତାଳୁରୁ ତଳିପା ଯାଏ ,ଝିଅଟିଏକୁ ଦେଖିଲେ ,ପାଖରେ ପାଇଲେ ବୟସର ତାରତମ୍ୟ ହଜିଯାଏ ।ଘର ହେଉ କି ବାହାର ହେଉ ,ଅଫିସ ହେଉ କି ବସ ହେଉ ସବୁଠି ଛଳନା ,ପ୍ରତାରଣାର ଶୀକାର ହେବାକୁ ପଡେ ନାରୀଟିକୁ ।ଭଗବାନଙ୍କର ସବୁଠୁ ସୁନ୍ଦର ସୃଷ୍ଟିକୁ ।ଉପର ହାକିମ ଠାରୁ ଆରମ୍ଭ କରି ଅଧସ୍ତନ କର୍ମଚାରୀ ତଥା ବୁଲା ବଜାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସୁଯୋଗ ମିଳିଲେ ନିଜରକୁ ପ୍ରବୃତ୍ତିକୁ ଚରିତାର୍ଥ କରିଵା ପାଇଁ ପଛାନ୍ତି ନାହିଁ । ସାମାଜିକ ,ଶିକ୍ଷା ,ସ୍ୱାସ୍ଥ୍ୟ ,ସାହିତ୍ୟ ,ରାଜନୀତି ସବୁ କ୍ଷେତ୍ରରେ ମହିଳାଙ୍କୁ ସଂରକ୍ଷଣ କିନ୍ତୁ ସେସବୁ କେବଳ କାଗଜ କଲମରେ ।ବାସ୍ତବତା ତ କେତେ ଭିନ୍ନ ।ମଜା କଥା ହେଉଛି ମହିଳା ସଶକ୍ତିକରଣ ନାଁ ରେ କିନ୍ତୁ ଅଧିକାଂଶ କ୍ଷେତ୍ରରେ ପୁରୁଷ ସଶକ୍ତିକରଣ ଚାଲେ ...।

ଆହୁରି କେତେ କଣ ଭାବି ଚାଲିଥାନ୍ତା ।ସାମ୍ନାରେ ସଦା ମଉସା ଫାଇଲ କାମ ସାରିଲାଣି କି ବୋଲି ପଚାରୁଛନ୍ତି ।

-ଓଃ ...ହୋ ...ମଉସା ଖାଲି ଆଉ ପନ୍ଦର ମିନିଟ ,ଉଁ ...

ଏଇ ସଙ୍ଗେ ସଙ୍ଗେ ସାରିଦେଉଛି ।

କାମ ସାରି ଫାଇଲ ସଦା ମଉସାଙ୍କ ହାତକୁ ବଢେଇ ଦେଇ

ସ୍ୱସ୍ତିର ଏକ ନିଃଶ୍ୱାସ ମାରିଲା ସୁଲଗ୍ନା ।କପାଳ ଉପରକୁ ଝୁଙ୍କି ପଡିଥିବା କେଇଟା କେଶକେରାକୁ ହାତରେ ସାଉଁଳେଇ ମୁଣ୍ଡ ଉପରକୁ ଟେକି ଦେଉ ଦେଉ କହିଲା

-ଓଃ ତ୍ରାହି ମିଳିଲା ଏଥର । ମଉସା ମୁଁ ଚାଲିଲି ।

-------

"ହୋଟେଲ ସାଇମନ " ଚମକୁଥିଲା ତା'ର ରଙ୍ଗ ବେରଙ୍ଗ ଆଲୁଅ ମିଶ୍ରଣରେ ଚେନ ଲାଇଟ ।ଭିତରେ ନିର୍ଦ୍ଧାରିତ ଟେବୁଲ ନେଇ ବସିଥିଲା ସମ୍ବିତ ।ଲାଗୁଥିଲା ସତେ ଯେପରି ପାହାଡ଼ ଟାଏ ଲଦା ହୋଇଛି ତା ମୁଣ୍ଡରେ ।

-ଆରେ ,ବାଃ ପଙ୍କଚୁଆଲିଟି ଟା ଶିଖିବ ଯଦି ଏଇ ଲୋକ ଟା ପାଖରୁ ।ହଁ ଏବେ କୁହ ତ ....।

ଖୁବ୍ ଗଭୀର ଭାବରେ ଚାହିଁଲା ସମ୍ବିତ ସୁଲଗ୍ନାକୁ ।ସେ ଚାହାଣୀରେ ଥିଲା ସାଗରର ଗଭୀରତା ।ଆକାଶର

ଅସୀମତା ।ଆଉ ପ୍ରକୃତିର ନିବିଡ଼ତା ।ସେ ଆଖିର ଆର୍ଦ୍ରତା ସଂଚରିଗଲା ସୁଲଗ୍ନା ଆଖିକୁ ।ସମ୍ବିତର ହାତଟିକୁ ଅତି ଘନିଷ୍ଠ ,ଅତି ନିବିଡ ଭାବେ ଚାପି ଧରିଲା ସୁଲଗ୍ନା ,ଆଖିରେ କାତର ଚାହାଁଣୀର ପ୍ରଶ୍ନ ଥିଲା ,"କଣ ହୋଇଛି ...." ଛାତି ରେ ଅବ୍ୟକ୍ତ ଯନ୍ତ୍ରଣା କୋରି ହୋଇଯାଉଥିଲା ସୁଲଗ୍ନାର ।

ସମ୍ବିତ କହିବାକୁ ଚାହୁଁଥିଲା "ମୁଁ ତୁମକୁ ହରାଇବାକୁ ଯାଉଛି ସୁ.. " ।କିନ୍ତୁ କାହିଁକି ଜେଜାଣି ତା ମୁହଁରୁ ସେଇତକ କଥା ସ୍ଫୁରୁ ନ ଥିଲା ।

ଚାଲୁଥିବା ଯୁଗର ଯନ୍ତ୍ରଣାରେ ଝରା ପତ୍ର ପରି ଗୋଟିଏ ଗୋଟିଏ ମୁହୂର୍ତ୍ତ ରେ ମଣିଷ କ୍ଳୀବ ହୋଇଯାଏ ।ଚତୁର୍ଦ୍ଦିଗର ସବୁଜ ସୁଷମା ରୁକ୍ଷ ,ଧୂସର ପାଉଁଶିଆ ଦେଖାଯାଏ ।ଅଲକ୍ତ ଗୋଧୂଳି ମଧ୍ୟ ବିବର୍ଣ୍ଣା ଦେଖାଯାଏ ।ପ୍ରଭାତ କାକଳୀ ନିସ୍ତବ୍ଧ ମନେହୁଏ ।ସପ୍ତ ସ୍ୱରର ଝଙ୍କାର ବି ବେସୁରା ଲାଗେ ।ତେବେ କାହିଁକି ଏମିତି ହୁଏ ? ଅଥଳ ସମୁଦ୍ର ମଧ୍ୟରେ ଦିଗ ହରା ନାବିକଟି ଯେପରି ଧ୍ରୁବ ତାରାକୁ ଖୋଜୁଥାଏ ।

-' ସୁ ' ,ମୁଁ ଯଦି କେବେ ହଜିଯାଏ ?

ଚମକି ପଡିଲା ସୁଲଗ୍ନା ...ଏ କଣ କହୁଛି ସମ୍ବିତ ?

କାହିଁକି ଏମିତି ବୀତସ୍ପୃହତା ? ଘରେ କିଛି ଘଟିଛି ନିଶ୍ଚିତ ଭାବରେ । ଅନେକ ଦିନ ପୂର୍ବରୁ ସମ୍ବିତ ଗପୁଥିଲା ଘର ବିଷୟ ରେ ।

ଗାଁ ରେ ବାପା ଚାଷ ବାସ କରନ୍ତି ।ମାଆ ଦିବଙ୍ଗତ । ସେ ଯେତେବେଳେ ମାଟ୍ରିକ ପରୀକ୍ଷାର ପ୍ରସ୍ତୁତି କରୁଥିଲା ସେତେବେଳରୁ ।ତେଣୁ ରେଜଲ୍ଟ ଭଲ ହେଲାନି ।ଯଦିଓ ଫର୍ଷ୍ଟକ୍ଲାସ ହେଲା କିନ୍ତୁ ପରସେଣ୍ଟଜ କମିଗଲା ।ବଡ ଭାଇ ସହରରେ ମ୍ୟୁନିସିପାଲଟିରେ ଚାକିରୀ କରନ୍ତି ।ତା ପଢା ଖର୍ଚ୍ଚ ଉଠାନ୍ତି ।କୋଉଠୁ ଚାକିରୀ ଟିଏ ମିଳିବ ବୋଲି ନିଉଜ ପେପରରେ ସବୁ ଗାର କାଟି ରଖନ୍ତି ।ତାଙ୍କ ବାହାଘର ପରେ ନୂଆ ନୂଆ ଭାଉଜ ତା'ର ବହୁତ ଯତ୍ନ ନେଉଥିଲେ ।ତା'ରୁମ ସଜାଡି ରଖୁଥିଲେ ।ସାର୍ଟ ପ୍ୟାଣ୍ଟ ସଫା କରୁଥିଲେ ।ବର୍ଷ ବର୍ଷ ଧରି ଚାକିରୀ ଟିଏ ପାଇଁ ଇଣ୍ଟରଭିଉ ଦେଉ ଥିବା ଅବସ୍ଥାରେ ହିଁ ଅନେକ କିଛି ପରିବର୍ତ୍ତନ ହୋଇଗଲା ।ଭାଇଙ୍କ ପୁଅ ଝିଅ ଧୀରେ ଧୀରେ ବଡ ହେଉଥିଲେ ,ଖର୍ଚ୍ଚ ବଢ଼ୁଥିଲା ।ବାପା ଚାଷ ରୁ ଅନେକ ସାହାଯ୍ୟ କରୁଥିଲେ ମଧ୍ୟ ନିଅଣ୍ଟିଆ ହେଉଥିଲା ।

ଭାଉଜ ଆଉ ନୂଆ ନ ଥିଲେ ।ରୁମରେ ପଶିଲେ ,ଶବ୍ଦ ହେଲେ କହନ୍ତି ,ରୋଷେଇ ଘରେ ବଢା ହୋଇ ଥୁଆ ହୋଇଛି ନେଇ କରି ଖାଇଦେଵ ? କେତେବେଳେ କେମିତି ପଚାରନ୍ତି ," ସେଦିନ ଯୋଉ ଇଣ୍ଟରଭିଉ ଥିଲା ,...କଣ ହେଲା ? ଚାକିରୀ ଲାଗିବ ଟି .....? " ମୁଣ୍ଡ ହଲାଇ ମନା କରେ ସେ -" ନାଇଁ କିଛି ଆସିନି ।" ସେତିକିରେ ସରିଯାଏ ସବୁ ।ରୁମ ପରିଷ୍କାର କରିବାକୁ ଇଛା ହୁଏନି ତା'ର ।ଗଦା ଗଦା ମାଗାଜ଼ିନ ,ଖବରକାଗଜ , ଇଣ୍ଟରଭିଉ କଲ ଲେଟର ଇତ୍ୟାଦି,ପଡିଛି....ପଡିଥାଉ ।ଦିନେ ସୁଲଗ୍ନା ଯାଇଥିଲା ତାଙ୍କ ଘରକୁ ।


ଭାଉଜ ଆଗ୍ରହୀ ହେଲେ ,ଭଲ ଝିଅଟା ତ ! ସାଙ୍ଗ ...?

ଗାର୍ଲ ଫ୍ରେଣ୍ଡ ? ଭବିଷ୍ୟତରେ କାମରେ ଆସିବ ତ ?

କିଛି ଉତ୍ତର ଦେଇ ନ ଥିଲା ସେ ।ଖାଲି କହିଥିଲା -"ନା ଜଷ୍ଟ ଏମିତି ...।"

ଭାଉଜ ଟିକେ ହସିଦେଇଥିଲେ ।ଓଠ ରେ ବ୍ୟଙ୍ଗ ଥିଲା ।," ନାଇଁ ମ ସେମିତି କହିଲେ ହେବନି ।ଫେବିକଲ ଦେଇ ଭଲ ସେ ଚିପିକେଇ ରଖ " ।

ଭାଇଙ୍କର ପ୍ରଶ୍ନିଳ ଆଖି , -କୋଉଥିରେ କିଛି ହେଲା ?

ତଳକୁ ମୁଣ୍ଡ ପୋତି ଛିଡା ହୁଏ ସମ୍ବିତ ।ଭାଇ ତାଙ୍କ ରୁମକୁ ପଶିଯାନ୍ତି ।

----------

ସୁଲଗ୍ନା ସମ୍ବିତକୁ ଭଲ ପାଏ ।ଆଉ ସମ୍ବିତ ?

ସମ୍ବିତ ପୁରୁଷ ।ପୁରୁଷର ଦାମ୍ଭିକତାରେ ବେରୋଜଗାରୀ ତାକୁ ଅପାରଗ କରିଦେଇଛି ।ହୃଦୟର କାରୁଣ୍ୟତା ଯାହା ଆଖିରେ ଦୃଶ୍ୟ ହୁଏ ।ସୁଲଗ୍ନା ଭିତରେ ଭିତରେ ମରିଯାଏ ।

ପ୍ରାଣ ହା ହା କାର କରିଉଠେ ।ସମ୍ବିତର ହାତକୁ ଜାବୁଡି ଧରି ଶାନ୍ତ୍ୱନା ଦିଏ ,"ଚାକିରୀ ହେବ ...ନିଶ୍ଚୟ ହେବ ଧୈର୍ଯ୍ୟ ଧର ।

ଧୈର୍ଯ୍ୟ ପାଇଁ ଅନେକ ସାହସ ଦରକାର ।ସେଇ ମନର ବଳ ଟିକକ ହାରିଗଲେ ଜୀବନ ହଜିଯାଏ । ମରିଯାଏ ଆତ୍ମ ସତ୍ତା ।ପ୍ରତ୍ୟୟ ହୀନ ହୋଇ ବଞ୍ଚିବା ମୃତ୍ୟୁ ସହ ସମାନ ।ଚାକିରୀ ଟାଏ ନ ଥିଲେ ଗୁରୁତ୍ୱ ନ ଥାଏ ପରିବାରରେ ।ସମସ୍ତେ ଅଜଣା ଭଳି ଲାଗନ୍ତି ।ସେଦିନ ଇଣ୍ଟରଭିଉର ବହୁତ ଆଶା ଥିଲା ତା'ର ।କିନ୍ତୁ ବେକିଙ୍ଗ ଆଉ ବେଙ୍କିଙ୍ଗ ପାଇଁ ସମ୍ବଳ ତ ନ ଥିଲା ଆଉ ଥିଲେ ମଧ୍ୟ ସେ ଯେ ତାହାର ସଦବ୍ୟଵହାର କରନ୍ତା ତାହା ସ୍ୱପ୍ନାତୀତ ସମ୍ବିତ ପାଇଁ ।କିନ୍ତୁ ଏ ନିୟମ ବର୍ତ୍ତମାନର ନିୟମ ନୁହେଁ ।ବର୍ତ୍ତମାନର ନିୟାମକ ମାନେ ନିୟମର ବିରୋଧୀ ।

କାଗଜ କଲମରେ ସିନା କାମ ହୁଏ ,ଟଙ୍କା ପଇସାରେ ସିନା କାମ ହୁଏ ,କାମ କରି କଣ କାମ କରାଯାଏ ?

ବଡ ବିଚିତ୍ର ଦୁନିଆ ,ସମାଜ ,ସ୍ବାଧୀନତା ,ଗଣତନ୍ତ୍ର ଆଉ ସରକାର ।ସବୁରି ଭିତରେ ସୁଲଗ୍ନାର ଆତ୍ମବଳ ବଞ୍ଚିବାର ଖୋରାକ ଯୋଗାଏ ।ସୁଲଗ୍ନା ନିଜର ସମସ୍ତ ସତ୍ତା ହରାଇବାକୁ ପ୍ରସ୍ତୁତ ସମ୍ବିତ ପାଇଁ ।

-ତୁମ ଚାକିରୀ ପାଇଁ ଗୋଟେ ଅପ୍ସନ ଆସିଛି ଜାଣ ?

-କଣ ? ପ୍ରଶ୍ନିଳ ଆଖିରେ ଚାହିଁଲା ସମ୍ବିତ ।

ଓଠ ରେ ସାମାନ୍ୟ ବ୍ୟଙ୍ଗଭାବ ଫୁଟାଇ ସୁଲଗ୍ନା କହିଲା

-ହା , ହା ସେଇ ଗୋଟିଏ କଥା ।ଜାଣିଛ କଣ କହିଲା ବୁଢା ,ଆଇ ଉଆଣ୍ଟ ଏ ନାଇଟ ଉଇଥ ୟୁ । କେନ ୟୁ ?

ଆଖିଯୋଡାକ ବଡ ବଡ ହୋଇଗଲା ସମ୍ବିତର ।"ତମେ କଣ ରିପ୍ଲାଇ ଦେଲ "?କହୁ କହୁ ହାତ ମୁଠା ଦିଟା ଶକ୍ତ ହୋଇଆସୁଥିଲା ସମ୍ବିତର ।

- "ହଁ ,"କହିଦେଲି ।କଣ ଭୁଲ କଲି ?କହିବାର ନ ଥିଲା ।

ସମ୍ବିତ ଉତ୍ତେଜିତ ହୋଇ ଉଠୁଥିଲା ।ଆଖିରୁ ଅଗ୍ନି କଣା ବାହାରିବାର ଲକ୍ଷ୍ୟ କରୁଥିଲା ସୁଲଗ୍ନା ।

ଅତି ବେପରୁଆ ଠାଣିରେ ପୁଣି କହିଲା ,"ଆରେ ଏଥିରେ ଏତେ ବ୍ୟସ୍ତ ହେବାର ନାହିଁ କାରଣ ମୁଁ ଶୁଣିଛି ,ବୁଢା ଏତେ କମ୍ପ୍ଲେକ୍ସ ନୁହଁ ।ଏସବୁ କହିବା ତାର ଗୋଟେ ହବି ।ଆପେଟାଇଟଲେସ ।

କହିବା କୁଆଡେ ତା'ର ଗୋଟେ ଆଟିଚ୍ୟୁଡ଼ ।ସମ୍ବିତ ଅପଲକ ନେତ୍ରରେ ଚାହିଁ ରହିଥାଏ ସୁଲଗ୍ନା ଆଡକୁ ।ଏମିତି କେମିତି କହିପାରୁଛି ସେ ? ତା ଭଲପାଇବାର କିଛି ମୂଲ୍ୟ ନାହିଁ ଯେମିତି ।ଚାକିରୀ ,କେବଳ ଚାକିରୀ ହିଁ ସବୁକିଛି ।

ସବୁ ସାମାଜିକ ମୂଲ୍ୟବୋଧ କେବଳ ରୋଜଗାରକୁ ନେଇ । ଗୋଟେ ପୁରୁଷର ଅସ୍ତିତ୍ତ୍ୱ ତା'ର ରୋଜଗାରକୁ ନେଇ ।ଏ ସମାଜରେ ଅର୍ଥନୀତି ହିଁ ମୂଳ ମାନଦଣ୍ଡ ।ମାନସିକତାକୁ ବା କିଏ ପଚାରୁଛି ? ମୁହଁରେ କୃତ୍ରିମ ହସ ଫୁଟାଇ କହିଲା ସମ୍ବିତ,ତା ହେଲେ କେବେ ଯିବାପାଇଁ ଚିନ୍ତା କରୁଛ ?

ଆଖି ତୋଳି ଚାହିଁଲା ସୁଲଗ୍ନା ମୁହଁରେ ତୀବ୍ରରୋଷ ,"-ତୁମେ କଣ ଭାବୁଛ ?

-ନାଇଁ ,ଏଥିରେ ମୋର ଭାବିବାର କଣ ଅଛି ?

-କିନ୍ତୁ କ୍ୟାଣ୍ଡିଡେଟ ତ ତୁମେ ନା ! ତୁମେ କହିବନି ତ କିଏ କହିବ ?

-ତୁମ ହିସାବରେ ହୁଏତ ମୁଁ ।କିନ୍ତୁ ମୋ ହିସାବରେ ମୁଁ ନ ହୋଇପାରେ ।ତୁମେ କଣ ଭାବିଛ ମୁଁ ଏତେ ଅକୃତଜ୍ଞ ଯେ କାହାର ଘୃଣିତ ପ୍ରସ୍ତାବକୁ ମୁଁ ସାଦରେ ଗ୍ରହଣ କରିନେବି ?

ଜୀବନର ଏକ ଚରମ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ୍ନ ହେବାକୁ ଯାଉଥିବା ମଣିଷ ଟିର ପରିସ୍ଥିତି କଥା କେବଳ ସେ ହିଁ ବୁଝିପାରିବ ,ଆଉ କେହି ନୁହଁ ।

ଏକ ଭାରୀ ହୃଦୟ ନେଇ ଫେରିଥିଲା ସେଦିନ ସମ୍ବିତ ,ସୁଲଗ୍ନା ପାଖରୁ ।

...........


   ଜୀବନର ସବୁତକ ସୁଖ ପଲକେ ମାତ୍ର ଦୁଃଖର ଛାୟାରେ ଶେଷ ହୋଇଯାଏ ଦୁଃଖର ତରାଜୁ ଟା ସତରେ ବହୁତ ଭାରୀ । କାହିଁ କେଉଁ ଆବହମାନ କାଳରୁ ଏସବୁ ଚାଲିଆସିଛି ।ଆଜି ତ ନୂଆ ନୁହେଁ ।ତେବେ କ୍ଷୋଭ କାହିଁକି ?ଅସହ୍ୟ ମାନସିକ ଚାପ ବୃଦ୍ଧି ହେଉଛି ।କିନ୍ତୁ ମନ ,ହୃଦୟ ସହିତ ମସ୍ତିଷ୍କର ଭାରସାମ୍ୟର ସନ୍ତୁଳନତା ରକ୍ଷା କରିବାର କିଛି ବିକଳ୍ପ ସାଧନ ମଧ୍ୟ ମିଳୁନାହିଁ ।ଜ୍ବଳନଟା ଧୀରେ ଧୀରେ ବଢ଼ି ଏକ ଜଜ୍ଞ କୁଣ୍ଡରେ ପରିବର୍ତ୍ତିତ ହେଉଛି ,ଆଉ ଆହୂତି ପଡିବାରେ ଲାଗିଛନ୍ତି ତା'ର ଶରୀରର ସମଗ୍ର ଅବୟବ ।

ଆଃ...ଆତ୍ମାଟା ଖୋଜୁଛି ଗୋଙ୍ଗତ୍ରୀର ଶୀତଳ ଜଳରାଶିରେ ପହଁରିଯିବାକୁ ।ସବୁ ଜ୍ୱାଳାଜ୍ବଳନ ,କ୍ଷୋଭ ଦୂର ହୋଇଯାଆନ୍ତା । ସୃଷ୍ଟିର ଏ ଜାଗତିକ ସ୍ତରରୁ ମହାଜାଗତିକ ସ୍ତରକୁ ଚାଲିଯାଆନ୍ତା ସେ । ନ ଥାଆନ୍ତା ଦୁଃଶ୍ଚିନ୍ତା ,ଆଉ ମାନସିକ ଯାତନାର ଏ ସଂଘର୍ଷ ।


      ଆଜି ତମେ ବହୁତ ମନେ ପଡୁଛ 'ସୁ ' ।ଲାଗୁଛି ତମେ ଏଇଠି କୋଉଠି ପାଖରେ ଅଛ କିନ୍ତୁ ମୁଁ ତମକୁ ଦେଖିପାରୁନି କି ତମକୁ ଖୋଜି ପାଉନି ।ତମଠାରୁ ଏ ବିଚ୍ଛେଦ ସହି ହେଉନି କି କାହାକୁ କିଛି ବି କହି ପାରୁନି ।ମୋ ଜୀବନରେ ଯେଉଁପରି ଭାବରେ ପଟ୍ଟ ପରିବର୍ତ୍ତନ ହେଲା ସେଥିପାଇଁ ତମକୁ ଦାୟୀ ବି କରିପାରୁନି ।କିନ୍ତୁ ନା ,ଆଉ ନୁହେଁ ...ବହୁତ ବିଳମ୍ବ ହୋଇଗଲା । ଏବେ ଆଉ ବିଳମ୍ବ ସହ୍ୟ ହେଉନାହିଁ ।କିନ୍ତୁ ,କିନ୍ତୁ କୋଉଠି ଖୋଜିବି ତମକୁ ? ସମସ୍ତ ପ୍ରୟାସ ଶେଷ ।ଏବେ କେବଳ ସମୟର ନ୍ୟାୟ ଅପେକ୍ଷାରେ ।


ଛାତ ରୁ ଝିଟିପିଟି ଟିଏ ଖସି ପଡ଼ିଲା ସମ୍ବିତ ର ବିଛଣାରେ ।ଧଡ଼ କରି ନିଦ ଭାଙ୍ଗିଗଲା ସମ୍ବିତର ।ଦୁଇ ଆଖିକୁ ମଳି ମଳି ସେ କହୁଥାଏ ,"ମୁଁ କଣ ସ୍ୱପ୍ନ ଦେଖୁଥିଲି ?ଓଃ ...ୟେ କି ପ୍ରକାର ସ୍ୱପ୍ନ । ଝର୍କା ମଧ୍ୟ ଦେଇ ଦେହ ଉଲୁସିଆ ପବନ ଆସି ବାଜିଲା ।ଆରେ ପାହାନ୍ତିଆ ତାରାଟା କଟକଟ ହୋଇ ତା ଆଡ଼କୁ ଚାହିଁଛି ଯେମିତି ।ହାତଟା ସ୍ୱୟଂକ୍ରିୟ ଭାବେ ଚାଲିଗଲା ମୋବାଇଲ ଆଡକୁ ।

...................

ତିନି ଚାରି ମାସର ନୀରବ ଝଡ ପରେ ପରେ ସମ୍ବିତ ସୁଲଗ୍ନା ପାଖକୁ ଗୋଟେ ସପ୍ତାହ ହେଲାଣି ଫୋନ ଲଗାଉଛି କିନ୍ତୁ ସୁଲଗ୍ନାର ଫୋନ ଲାଗୁନି । ଖୁବ୍ ବିଚଳିତ ଲାଗୁଥାଏ ସମ୍ବିତକୁ ।ସେଦିନ ଆଉ ନିଜକୁ ସମ୍ଭାଳି ନ ପାରି ତା ଅଫିସରେ ଯାଇ ପହଁଚି ଗଲା ସେ ।କିନ୍ତୁ ସେଠି ବି ସେ ଅନୁପସ୍ଥିତ ଥିଲା ।ସାହସ କରି ମ୍ୟାନେଜରଙ୍କ ସହିତ ସାକ୍ଷାତ କରିବାକୁ ଯାଉଛି ସଦା ମଉସାଙ୍କ ସହ ମୁହାଁମୁହିଁ ହୋଇଗଲା ତା'ର ।ଖୁବ୍ ଗୋଟାଏ ନୀରିକ୍ଷଣ କରିବା ଚାହାଁଣୀର ସାମ୍ନାସାମ୍ନି ହେବାରୁ ଗଭୀର ଅସ୍ୱସ୍ତି ଅନୁଭବ କରୁଥାଏ ସମ୍ବିତ ।କିନ୍ତୁ ତାଙ୍କ ଠାରୁ ସୁଲଗ୍ନାର ନାମ ଶୁଣି ନିଜର ପରିଚୟ ଦେଲା ସେ ।ତାକୁ ଅପେକ୍ଷା କରିବାକୁ କହି କିଛି ସମୟ ମଧ୍ୟରେ ଏକ ଖାମ ଆଣି ଧରାଇ ଦେଲେ ମଉସା ।


-"ମୁଁ ବିଶେଷ କିଛି ଜାଣେନା ।କିନ୍ତୁ ଝିଅଟା ବହୁତ ମନ ଦୁଃଖରେ ଏତକ ଧରାଇ ଦେଇ କହିଥିଲା ,ତୁମ ପାଖରେ ପହଞ୍ଚାଇ ଦେବାକୁ ।ଭାଗ୍ୟକୁ ତୁମେ ଆସିଗଲ ମୋ କାମଟି ସହଜ ହୋଇଗଲା ।ଏଥର ମୋର ଛୁଟି ।ଯୋଉ ଦୁଃଶ୍ଚିନ୍ତାରେ ମଣିଷ ଥିଲା ,ଓଃ ହୋ ଦାୟିତ୍ୱଟା ଯା ହେଉ ନିପଟିଗଲା ।"


     ରୁମକୁ ଫେରି ତରବର ହୋଇ ଖାମଟି ଖୋଲି ପକେଇଲା ସମ୍ବିତ ।କେତେ ଗୁଡିଏ ଜେରକ୍ସ ଡକୁମେଣ୍ଟ ସହ ଗୋଟେ ଛୋଟିଆ ହାତ ଲେଖା କାଗଜ ଖଣ୍ଡେ ।

     

  "ତୁମେ ଆଶ୍ଚର୍ଯ୍ୟ ହେବ ଯେ ତୁମ ସହ ସମସ୍ତ ସମ୍ପର୍କ ଛିନ୍ନ କରି ମୁଁ କେମିତି ଶାନ୍ତିରେ ରହିପାରିବି ।ମୋତେ ହୁଏତ ବହୁତ ବଡ ଲୋକଟିଏ ମିଳିଯାଇଥିବ ,ହୁଏତ ମୋର ମନ ତୁମ ପାଖରୁ ଉବି ଯାଇଥିବ ,ହୁଏତ ଆହୁରି ଅନେକ କିଛି ହୋଇଯାଇଥିବ ବୋଲି ତୁମେ ଭାବିପାର । ଗୋଟିଏ କାହିଁକି ନୁହେଁ ,ଏମିତି ଅନେକ କାହିଁକିର ପ୍ରଶ୍ନ ଆସିବ ତୁମ ମନରେ ...। କେବଳ ତୁମ ମନରେ ନୁହେଁ ମୋ ମନ ଟା ବି ଏମିତି ଅନେକ କାହିଁକିର ପ୍ରଶ୍ନ କରୁଥିଲା ।କିନ୍ତୁ ତାକୁ କେବଳ ଗୋଟିଏ ଉତ୍ତର ଦେଇପାରିଥିଲି ,ସେଇଟା ତୁମେ ବି ଜାଣ ।କିନ୍ତୁ ଅସଲ କଥା ତ ଏ ପର୍ଯ୍ୟନ୍ତ ଆସିନି ।ସେଇଟା କିନ୍ତୁ ମୁଁ ତୁମକୁ କହିନି ।ସେଇଟା ମୋର ଏକାନ୍ତ ନିଜସ୍ୱ । ମାତ୍ର ମୁଁ ଏତେ ଅଭାଗା ଯେ ଯାହା ବି ମୋର ବୋଲି ଭାବେ ସେଇଟା କେତେବେଳେ ଅନ୍ୟର ହୋଇଯାଏ ଜାଣିପାରେନି ।ମୁଁ ଏ ଚାକିରୀ ଛାଡି ଦେଉଛି ।ମୋ ଜାଗାଟି ଭେକେଣ୍ଟ ହେବା ପୂର୍ବରୁ ମୁଁ ତୁମ ରେଯ୍ୟୁମ ଦେଇ ଆପ୍ଲାଇ କରିଦେଇଥିଲି ।ତୁମ ଆପ୍ଲିକେସନ ଆପୃଭ ହୋଇଯାଇଛି ।ତୁମେ ଗୋଟେ ପ୍ରଶ୍ନ କରିପାର ,ମୁଁ କାହିଁକି ଚାକିରୀ ଛାଡିଲି ।କାରଣ ତୁମେ ସବୁବେଳେ ଦ୍ଵନ୍ଦରେ ରହିବ ଯେ ଯୋଉ କଥା ମୁଁ ତମକୁ ଜୋକ କହିଥିଲି ,ସେକଥା ଆଉ ସତ ନୁହେଁ ତ ?କେମିତି ନିଶ୍ଚିନ୍ତ ରେ ରହିପାରିବ ? ଅନାଗତ ଝଡ ଟିଏ ଆସି କେତେବେଳେ ମନକୁ ଖଣ୍ଡ ଖଣ୍ଡ କରି ଭାଙ୍ଗିରୁଜି ଦେବ ,ଆତ୍ମା ର କୋହ କେତେବେଳେ ଚକ୍ଷୁର ଆକାଶରୁ ଚିପୁଡି ହୋଇ ବନ୍ୟା ହୋଇ ବୋହିଯିବ ,ଆଉ ବାତ୍ୟା ପରବର୍ତ୍ତୀର ସ୍ଥିତିକୁ ସାମ୍ନା କରିବାର ସାହସ ହରାଇଦେଉଥିବ ।କେମିତି ସହ୍ୟ କରିହେବ ସେ କଥା ? ଚରିତ୍ରର ସଂଜ୍ଞା ମୋତେ ଜଣା ବୋଲି ତ ମୁଁ ଏଇ ନିଷ୍ପତ୍ତି ନେବାକୁ ଉଚିତ ମନେ କଲି ।ମୋର ଗୋଟେ ଅନୁରୋଧ ଯେ ତମେ ଏ ଚାକିରୀ ଟି କରିନିଅ ।ପରେ ଆଉ କୋଉ ଭଲ ଜବ ଦେଖି ଛାଡିଦେଵ ।ମୋ ପାଇଁ ଚିନ୍ତା କରିବନି ।ମୁଁ ତୁମ ଠାରୁ ଅନେକ ଦୂରରେ ଥିଲେ ବି ସବୁବେଳେ ତୁମର ଶୁଭ ମନାସୁଥିବି । ତୁମକୁ ଅନେକ ଉପରକୁ ଉଠିବାର ଅଛି ।ସେଇଥିରେ ମୋର ଖୁସି ଆଉ ସେଇତକ ମୋର ସ୍ୱପ୍ନ ।

                                                 ସୁଲଗ୍ନା ।

    ଲଥ କରି ବସିପଡିଲା ସମ୍ବିତ ବିଛଣାରେ । ଫୋନର ହ୍ଵାଟ୍ସଆପକୁ ଯାଇ ସର୍ଚ୍ଚ କଲା ।ସୁଲଗ୍ନାର ପ୍ରୋଫାଇଲ ମାସଟିଏ ହେଲାଣି ସୁପ୍ତ ।ଓଃ ....ଭୀଷଣ ଯନ୍ତ୍ରଣା ମଥା ରେ ।

ପେନ କିଲର ନେବାକୁ ମନା କରିଛି ସୁଲଗ୍ନା ।ଜଏନିଂ ଅଛି ଆସନ୍ତା ସପ୍ତାହରେ ।କିଛି ଜାଣିଥିବା ସୁଲଗ୍ନାର ବନ୍ଧୁଙ୍କୁ ଫୋନ କଲା ସେ କିନ୍ତୁ କାହା ପାଖରେ କିଛି ଖବର ନ ଥିଲା ।

   ଚାକିରୀରେ ଜଏନ କରିବାର କିଛିଦିନ ପରେ ଅଚାନକ ଧକ୍କା ହୋଇଗଲା ଜଣକ ସହିତ ।ହାତରୁ ଛିଟିକି ପଡିଲା ଫାଇଲଟି ତଳକୁ ।ତଳୁ ସାଉଁଟିନେବା ସମୟରେ ସମ୍ବିତର ନଜର ପଡିଗଲା ଟ୍ରାନ୍ସପାରେଣ୍ଟ ଫାଇଲ ଭିତରୁ ସୁଲଗ୍ନାର ମୁହଁ ।

-ରୁହ ,ତୁମେ କିଏ ? ଆଉ ଏ ଝିଅକୁ କେମିତି ଜାଣ ?

ସେ ଏବେ କୋଉଠି ?

-କିନ୍ତୁ ତୁମେ କିଏ ? କାହାର ବ୍ୟକ୍ତିଗତ ଖବର ଜାଣିବାରେ ତୁମେ ଏତେ ଆଗ୍ରହୀ କାହିଁକି ? ମୁଁ ବା ତମକୁ ସେ କଥା ଜଣାଇବି କାହିଁକି ? ମୁଁ ତ ତୁମକୁ ଜାଣେନା ।

-ପ୍ଲିଜ ,ପ୍ଲିଜ ,ମୋତେ କୁହ ମୋତେ କୁହ ...ସୁଲଗ୍ନା ଏବେ କୋଉଠି ? ଶେଷ ଆଡକୁ କଣ୍ଠସ୍ୱର ରୁଦ୍ଧ ହୋଇ ଆସୁଥାଏ ।

-ତୁମେ କିଏ ।ସୁଲଗ୍ନାକୁ ତୁମେ କେମିତି ଜାଣ ?

ଆଶ୍ଚର୍ଯ୍ୟର ସ୍ୱର ଥିଲା ।


ସେ ସମ୍ବିତ ବୋଲି ଜାଣିବା ପରେ ନିଜ ପରିଚୟରେ ସେ ଜଣେ ଏନ ଜି ଓ କର୍ମୀ ବୋଲି ପରିଚୟ ଦେଇ କହିଲେ ,ସୁଲଗ୍ନା ଜୀବନର ଶେଷସୋପାନରେ ଉପସ୍ଥିତ ।ବ୍ରେନ ଟ୍ୟୁମରରେ ପୀଡିତା ଥିଲା ।ଅଚାନକ ମଥାରେ ଯନ୍ତ୍ରଣା ହେବାରୁ ଅନେକ ପରୀକ୍ଷା ପରେ ବ୍ରେନରେ ଅନେକ ଗୁଡିଏ ଟ୍ୟୁମର ଥିବାର ଜଣାପଡିଥିଲା ।ଯାହାର କୌଣସି ଚିକିତ୍ସାନାହିଁ ।ଅପରେସନ ସଫଳ ହେବା କଷ୍ଟକର ।ତଥାପି ପୋଜିଟିଭ ସାଇନ ନେଇ ଅପରେସନ କରାଗଲା ।କିନ୍ତୁ ତାହା କ୍ଷଣସ୍ଥାୟୀ ।ଆଉ ଅଳ୍ପକେଇଟା ଦିନ ଭିତରେ ତା'ଜୀବନ ଦୀପ ଲିଭିବାକୁ ଯାଉଛି ।

ସମ୍ବିତ ଆଖିରେ ଲୁହର ବନ୍ୟା । ଅଫିସରୁ ଛୁଟି ନେଇ ସଙ୍ଗେ ସଙ୍ଗେ ସେ ବାହାରି ପଡିଲା ସୁଲଗ୍ନା ପାଖକୁ ।

..............


      ଜୀବନର ମୂଲ୍ୟକୁ ଏଇ ପ୍ରଥମ କରି ଯେ ବୁଝୁଥିଲା ସେକଥା ନୁହେଁ ।କିନ୍ତୁ ନିଜ କ୍ଷେତ୍ରରେ ,ନିଜ ଭବିଷ୍ୟତକୁ ନିଜ ସମ୍ମୁଖରେ ଏମିତି ଝାଉଁଳି ପଡୁଥିବାର ଦେଖି ଆଉ ସମ୍ଭାଳି ପାରିଲା ନାହିଁ ସମ୍ବିତ । ସୁଲଗ୍ନାକୁ ଦେଖି ପିଲାଙ୍କ ପରି ଭୋ ଭୋ କାନ୍ଦି ପକେଇଲା ୱାର୍ଡ ବାହାରେ ।ଦୁଇ ଜଣ ଡାକ୍ତରଖାନା ମହିଳା କର୍ମଚାରୀଙ୍କ ଫୁସୁରୁ ଫୁସୁରୁ କଥା କର୍ଣ୍ଣପାତ ହେଲା ସମ୍ବିତର ।ସେମାନେ ତାକୁ ସୁଲଗ୍ନାର ସ୍ୱାମୀ ବୋଲି ଭାବି ସହାନୁଭୁତିରେ ଭାଙ୍ଗିପଡୁଥିଲେ ।ହଠାତ ସେ ଆଖିରୁ ଲୁହ ପୋଛି ଡାକ୍ତରଙ୍କ ପାଖକୁ ଯାଇ ସବୁ କଥା ବୁଝିଲା ପରେ ଆଉ କେଇ ଘଣ୍ଟାର ଯାତ୍ରୀକୁ ସେ ଜୀବନର ସବୁଠାରୁ ମୂଲ୍ୟବାନ ଉପହାରଟିଏ ଦେବାପାଇଁ ନିଷ୍ପତ୍ତି ନେଇଛି ବୋଲି ଡାକ୍ତରଙ୍କୁ ଜଣାଇବାରୁ ସେ କେବଳ ସମବେଦନା ଜ୍ଞାପନ ବ୍ୟତୀତ ଆଉ କିଛି ଦେଇପାରିବେ ନାହିଁ ବୋଲି କହିଲେ ।କିଛି ସମୟପରେ ସୁଲଗ୍ନାର ଦୁର୍ବଳ ହାତରେ ଦୁଇପଟ ଚୁଡି ଏବଂ କେଶ ହୀନ ସୀମନ୍ତରେ ଟୋପିଏ ସିନ୍ଦୁର ଦେଇ ରୁଦ୍ଧକରୁଣ କଣ୍ଠରେ ସମ୍ବିତ କହିଲା ,


-"ଏହା ମୋର ବହୁ ପୂର୍ବରୁ କରିବାର ଥିଲା ସୁ , କିନ୍ତୁ ମୁଁ ଏତେ ହତଭାଗା ଯେ ଜୀବନର ଲକ୍ଷ୍ୟ ବୁଝୁ ବୁଝୁ ଜୀବନ ଶେଷ ହୋଇଗଲା ।ମୋ ପାଇଁ ତୁମେ ଯେତେ କରିଛ ତାହା ମୁଁ ତୁମକୁ ଶୁଝିପାରିଲି ନାହିଁ ।ଜନ୍ମ ଜନ୍ମ ଧରି ଋଣୀ କରିଦେଲ ।ପର ଜନ୍ମ ବୋଲି ଯଦି କିଛି ଥାଏ ମୁଁ ତୁମ ସାହଚାର୍ୟ ପ୍ରତ୍ୟେକ ଜନ୍ମ ପାଇଁ ମାଗୁଛି, କୁହ ମୋତେ ଦେବ .....।"

ବନ୍ଦ ଆଖି ପତାରୁ ସରୁ ଲୁହଧାର ବୋହି ଆସୁଥାଏ ସୁଲଗ୍ନାର ନେତ୍ର ପ୍ରାନ୍ତରୁ ।ସେଇ ଲୁହଟିକୁ ସାଉଁଟି ଆଣି ସମ୍ବିତ କହୁଥାଏ


 - "ଏଇତକ ମୋର ଶେଷ ସମ୍ବଳ ସୁ ଏଇ ଆର୍ଦ୍ରତାରେ ଭିଜି ଯାଉ ମୋର ଅବଶିଷ୍ଟ ସମଗ୍ର ଜୀବନ ......"।

       ××××××



Rate this content
Log in

More oriya story from SIPRA NAMTA

Similar oriya story from Tragedy