SIPRA NAMTA

Tragedy Romance Inspirational

2.5  

SIPRA NAMTA

Tragedy Romance Inspirational

ମଝିଧାର

ମଝିଧାର

7 mins
720



      ଝର୍କା ଖୋଲିଲା ସୁମା । ବାହାର ପଟ ମେଲା ରୁ ଭୀଷଣ ପାଟି ଶୁଭୁଥାଏ । ମନେ ମନେ ଭାବୁଥାଏ ସେ ଆଜି ପୁଣି ମାଲ ପିଇ ଆସିଛି ବୋଧହୁଏ ଇଲିୟାସ । ଆଉ ପରବିନ ଭାବୀ ବିରୋଧ କରିଥିବ । ସତକୁ ସତ ଘଟଣା ଟା ସେଇୟା । ଇଲିୟାସ ତାକୁ କେତେଥର ଧମକାଇଲାଣି ତଲାକ ଦେଇଦେବ ବୋଲି । ସବୁଥର ଗୋଡ଼ତଳେ ହାତତଳେ ପଡି କାକୁତି ମିନତି କରେ ,କିନ୍ତୁ ବହେ ମାଡ ଖାଇସାରିବା ପରେ ଯାଇ ଇଲିୟାସ ଛାଡିଦିଏ । ଏଇ ସାତ ଦିନ ତଳେ ଡାକ୍ତର ପାଖକୁ ନେଇଯାଇଥିଲା ସେ । ଆଖିରେ ମାଡ ବାଜି ଫୁଲିଯାଇଥିଲା ଯେ ଆଜିପର୍ଯନ୍ତ ଠିକ୍ ସେ ଆଖି ଖୋଲି ପାରୁନି ପରବିନ ଭାବୀ । 

ଊଫ....... । କି ଭାଗ୍ୟ ! ହେ ଭଗବାନ କଣ ପାଇଁ ଯେ ତମେ ସୃଷ୍ଟି କରିଥିବା ମଣିଷ ମାନେ ଏମିତି ହେଲେ ? ସୋଫାରେ ବସି ଆଖି ବୁଜିଦେଲା ସୁମା । ଆଜି ରବିବାର ସପ୍ତାହରେ ଗୋଟିଏ ଦିନ ଛୁଟି ମିଳେ । ଟିକେ ଅବସର ପାଇବାକୁ ଛଅ ଦିନ ଅପେକ୍ଷା କରିବାକୁ ପଡେ । ନିଉଜରେ ଦେଖିଥିଲା ତିନି ଚାରି ଦିନ ତଳେ ତିନି ତଲାକ ବିରୁଦ୍ଧରେ ଆଇନ ପାସ ହୋଇଗଲା । ଆଜି ପରବିନ ଭାବୀ ଆସୁ ତାକୁ ବୁଝାଇବାକୁ ହେବ । 

ଏବେ ଆଉ ପୂର୍ବର ସମୟ ଆଉ ନାହିଁ । ଏ ଯୁଗ ନାରୀ ସଶକ୍ତିକରଣ ନିମନ୍ତେ ଆଗେଇଚାଲିଛି । ଆହୁରି କିଛି ଭାବିଥାନ୍ତା କି କଣ ମୋବାଇଲ ରିଂ ହେବାରୁ ଭାବନା ବିଛିନ୍ନ ହେଲା । ପାପୀୟାକୁ ଆଣିବାକୁ ହେବ । 

----ମାମା ,ମାମା କହି ଦୌଡି ଆସିଲା ପାପୀୟା । ତାକୁ କୋଳେଇ ନେଉ ନେଉ ସୁମା କହିଲା ,"ଆପଣ ବେଶୀ ହଇରାଣ ହୋଇ ନାହାନ୍ତି ତ ମିସେସ ହର୍ଡ୍ସ । 

---ନୋ ,ନୋ ମାଇ ଡିଆର ,ନଟ ଏଟ ଅଲ । ସି ଇଜ ଠୁ ସୁଇଟ ଆଣ୍ଡ କ୍ୟୁଟ । ଅନେକ ବିଶେଷଣ ଲଗାଇ ମିସେସ ହର୍ଡ୍ସ ପାପୀୟାର ଗୁଣ ବଖାଣି ତାକୁ ବିଦାୟ ଦେଲେ । 

ପାପୀୟା ଖୁବ୍ ଖୁସି । ଏଇ ଛୁଟି ଦିନକୁ ସେ ବି ଅପେକ୍ଷା କରିଥାଏ ଭିନ୍ନ ଭିନ୍ନ ପରିବେଶରେ ବୁଲିବା ପାଇଁ । ନୋହେଲେ ସେଇ ସୁମାର ଅଫିସ ଆଉ ଆବଦ୍ଧ ପରିବେଶ । 

  

 ^^^^^^^^  


ପାପୀୟା ପାଇଁ ସୁମାକୁ ଅନେକ ପ୍ରଶ୍ନର ସମ୍ମୁଖିନ ହେବାକୁ ପଡେ । ଯେଉଁ ପ୍ରଶ୍ନର ଉତ୍ତର ଦେବା ଭୀଷଣ କଷ୍ଟକର । ଏଇତ ବଦଳି ହୋଇ ଆସିଛି କିଛିଦିନ ପୂର୍ବରୁ । ଘର ନେଇ ସେଟ ହେବାରେ ଭାରି କଷ୍ଟ । କିନ୍ତୁ ପରବିନ ଭାବୀ ଯୋଗୁଁ ସେ ଜାଣିପାରିଲାନି । ଘର ସଜଡାଟା ଖୁବ୍ ବୋରିଂ । 

ଛୋଟ ପିଲାକୁ ନେଇ ଅଫିସ ଯିବାର ପାର୍ମିସନ ମିଳିଛି । କିନ୍ତୁ ଖୁବ୍ ଅଳ୍ପ ଦିନ ମଧ୍ୟରେ ପାପୀୟା ପାଇଁ ସମ୍ପୂର୍ଣ୍ଣ ରୂପେ ବନ୍ଦୋବସ୍ତ କରିବାକୁ ହେବ । ସେମିତି ଗୋଟିଏ ସଂସ୍ଥା ଖୋଜିବାକୁ ପଡିବ ତାକୁ । ସେ ପର୍ଯ୍ୟନ୍ତ ଅଫିସରେ ଏଡ଼ଜଷ୍ଟ କରିବା ବାଧ୍ୟତାମୂଳକ । ଆଉ କଣ କରିଥାନ୍ତା ସେ ? କଣ କରି ପାରିଥାନ୍ତା ? ପାପୀୟାକୁ ଛାଡ଼ିଦେଇଥାନ୍ତା କେଉଁ ଡ଼ଷ୍ଟବିନରେ ଫୋପାଡି ଦେବାକୁ ? ତା ନରମ କଅଁଳ ମାଂସକୁ କୁକୁର ଝୁଣି ଖାଇଦେବା ପାଇଁ ? ନା ଛାଡ଼ିଦେଇପାରିଥାନ୍ତା କେଉଁ ନର ମାଂସ ଲୋଭୀ ବୁଭୁକ୍ଷୁ ପାଇଁ ଯାହା ପାଖରେ ଦୁଇଦିନ କି ଦୁଇ ମାସ କି ଦୁଇ ବର୍ଷ ଭିତରେ କିଛି ପ୍ରଭେଦ ନ ଥାଏ । 

  ନା ...ସେ ପାରିଲାନି । ସେସବୁ କିଛି କରିପାରିଲାନି । ଘରେ ମାଆର ବିକଳ ଆତୁର ଭାବକୁ ଉପେକ୍ଷା କରି ପାପୀୟାକୁ କୋଳେଇ ନେଲା, ନିଜ ଭବିଷ୍ୟତର ସୁନେଲି ସ୍ୱପ୍ନକୁ ହତ୍ୟା କରି । ନିଜ ହୋମ ଟାଉନରୁ ଚାକିରୀରେ ସ୍ଥାନାନ୍ତର ପାଇଁ ଆପ୍ରାଣ ଉଦ୍ୟମ ଫଳବତୀ ହୋଇଛି ଦୁଇ ବର୍ଷ ପରେ । ତା ପରେ ବି ଛଆ ମାସକୁ ଥରେ ଲେଖାଏଁ ସ୍ଥାନାନ୍ତର ପାପୀୟାକୁ ନେଇ । ଏଠି କେତେ ଦିନ ଲେଖା ଅଛି କେଜାଣି । କୁଚବିହାରର ଜଳବାୟୁ ସଦାସର୍ବଦା ଅସ୍ଥିର । ବର୍ଷା ବିନ୍ଦୁ ପଡୁଥିବାର ଜଣାଯାଉଥିଲା ତାକୁ । ଏ ସହରକୁ ଅନିଚ୍ଛାକୃତ ଭାବେ ଆଗତ ସେ । ତଥାପି ସଂଘର୍ଷକୁ ଆଗେଇ ନେଵା ପାଇଁ ସେ ପ୍ରସ୍ତୁତ । ପାପୀୟା ଖେଳୁଛି ପୁରୁଣା ମୋବାଇଲକୁ ଧରି । 

ଧୂଆଁଳିଆ ପାଗ ସାଙ୍ଗକୁ ବର୍ଷାର ଟିପ ଟିପ ଶବ୍ଦ ଆଦୌ ଭଲ ଲାଗୁ ନ ଥାଏ ସୁମାକୁ । କବାଟ ବାଡେଇ ପରବିନ ଡାକୁଛି । ସୁମା ଦରଜା ଖୋଲିଲା । ପରବିନ ଆସି ବସିପଡିଲା ଠିକ୍ ଫ୍ୟାନ ତଳେ । 

---କଣ ହେଲା ଭାବୀ ,ଆଜି ବି ତୁମେ ମାଡ ଖାଉଥିଲ ?କେତେ ଥର କହିଲିଣି ,ତୁମ ବରକୁ ଛାଡିଦିଅ ,ଶାନ୍ତିରେ ରହିବ । 

----ସୁମା ,ତୁମ ନହିଁ ଜାନତି ,ଏକ ମର୍ଦ୍ କି ବିନା ଔରତ କି କୋଇ ହୈସିୟତ ନହିଁ ହୈ .....

----ଭାବୀ ,ତୁମେ ଜାଣିନ ଏବେ ଆଇନ ବଦଳି ଗଲାଣି । ନାରୀ ସଶକ୍ତିକରଣ ହେଉଛି । ତୁମ ଜାତିରେ ଆଉ ତିନି ତଲାକ ପ୍ରଥା ନାହିଁ । ତୁମେ ତୁମ ସ୍ୱାମୀ ଠାରୁ ଛାଡପତ୍ର ନେଇପାରିବ । ନିଜ ହାତରେ ନିଜ ପିଲା ଙ୍କୁ ଭଲ କରି ଗଢି ପାରିବ ଏକ ଭଲ ପରିବେଶ ଦେଇପାରିବ । 

 ସଁ ସଁ କରି କାନ୍ଦୁଥିବା ପରବିନ ହତାଶ ହୋଇ କହୁଥାଏ , ( ହିନ୍ଦୀରେ )ପୁରୁଷ ବିନା ନାରୀର ସ୍ଥିତି ନାହିଁ ସୁମା । ତା ପିଲାଙ୍କ ପାଇଁ, ଭବିଷ୍ୟତର ଯେମିତି କିଛି ନିନ୍ଦା ନ ହେବ ,କୌଣସି ଅଘଟଣକୁ ଏଡାଇଯିବା ପାଇଁ ଏକ ସାହାରାଟିଏ ଦରକାର । ଛାଡପତ୍ର ଦେବାକୁ କଣ ସମୟ ଲାଗେ । କିନ୍ତୁ ଜବାନ ଝିଅର ମାଆ କେବେ ସେ କାମ କରି ପାରିବ ନାହିଁ । ଲୋଗ କହେଙ୍ଗେ ଛୋଡି ହୁଇ ଔରତ କି ବେଟି । 

ପାଟି ବନ୍ଦ ହୋଇଗଲା ସୁମାର । କଣ କହି ସେ ଶାନ୍ତ୍ୱନା ଦେବ ବୁଝି ପାରୁ ନ ଥାଏ । ଏ ଧରଣର ସ୍ତ୍ରୀ ଲୋକମାନେ କିଛି ବୁଝିବାକୁ ପ୍ରସ୍ତୁତ ନ ଥାନ୍ତି । ତେବେ ତା ଭଳି ନାରୀ ମାନେ ....? ତା ମାଆ ଭଳି ନାରୀ ମାନେ ....?


^^^^^^^^


 -----ମାଆ ତୁମେ ବୁଝୁନ କାହିଁକି ? ତୁମର କିଛି ଦୋଷ ନ ଥାଇ ସବୁବେଳେ ନିର୍ଯାତନା ସହୁଛ । ଆମେ ଏବେ ବଡ ହୋଇ ଗଲୁଣି । ଆମ ସାମ୍ନାରେ ତୁମର ଅପମାନ ଦେଖି ଭଲ ଲାଗୁନି ମାଆ । 

---ତୁ ଆଉ ଟିକେ ବଡ ହୋଇଗଲେ ସବୁ ଆପେ ଆପେ ବୁଝିଯିବୁ ସୁମା ,ଅନେକ କଥା ଜାଣିଯିବୁ ତୁ ଯେତେବେଳେ ବାହା ହୋଇ ଘର ସଂସାର କରିବୁ ,ସେତେବେଳେ । 

---ତୁମର ଏଇ କଥା ମୋତେ ଆଦୌ ଭଲ ଲାଗେନି ମାଆ । ତୁମେମାନେ ସବୁ ଏମିତି । ସବୁକିଛି ସହିଗଲେ ଭାଵ ଯେ ସମୟ ବଦଳିଯିବ । କିନ୍ତୁ କିଛି ହେବନି । ନିଜକୁ ଆଗେ ବଦଳାଇବାକୁ ପଡେ ତେବେ ଯାଇ ସମୟ ବଦଳେ । 

---ବର୍ଷ ବର୍ଷର ଅଭ୍ୟାସ କଣ ଏତେ ଶୀଘ୍ର ବଦଳିଯିବ, ସେଥିପାଇଁ କହୁଛି ଟିକେ ଧୈର୍ଯ୍ୟ ଧର । 

    ରାତି ରାତି ଉଜାଗର ରହି କାନ୍ଦି କାନ୍ଦି ଆଖି ମୁହଁ ଫୁଲିଥିବା ମାଆଙ୍କ ଚେହେରାକୁ ସକାଳେ ଦେଖିବା ପରେ କିଛି ବୁଝିପାରେନା ସେ । କଣ ଯେ ହୁଏ ମାଆଙ୍କର ଦିନେ ଦିନେ ବୁଝିବା କଷ୍ଟ । ବଡ ଭଉଣୀ ଅଳ୍ପ ବୟସରୁ ବିବାହ କରି ତା ସଂସାରରେ ବ୍ୟସ୍ତ ରହୁଥାଏ । ଫୋନରେ ଯାହା କହିଲେ ବି ସେ କିଛି ବୁଝିପାରୁ ନ ଥାଏ ଖାଲି ଦୁଃଖରେ କହେ ଏଇଟା ଦୁନିଆ ଆଉ ଏଇ ହେଉଛି ଜୀବନ । କିନ୍ତୁ ମାଆଙ୍କର  ଦୁଃଖ ଟା କଣ ସେ ଜାଣିପାରେନି । ସେଇଦିନ ସବୁ ଉନ୍ମୁକ୍ତ ହୋଇଗଲା ତା ଆଖିରେ ,ଯେବେ ପାପୀୟାକୁ କେହିଜଣେ ଆଣି ମାଆ ହାତରେ ସମର୍ପଣ କଲା । ବାପା କାହିଁକି ରାତି ରାତି ବାହାରେ ଫାର୍ମ ହାଉସରେ କଟାନ୍ତି ଆଉ ସେଇଦିନ ଗୁଡିକରେ ମାଆ କାନ୍ଦି କାନ୍ଦି ଆଖି ଫୁଲାନ୍ତି । ବାପା ସାମ୍ନାକୁ ପାପୀୟାକୁ ନେଇ ସେଇ ଲୋକଟି ଆଣିଥିବା ହାତଲେଖା କାଗଜ ଖଣ୍ଡେ ବଢେଇ ଦେଇଥିଲେ ମାଆ । କିଛି ନ କହି ହାତରେ ଆଡେଇଦେଇ ବାହାରି ଗଲେ ଯେ ଗଲେ ମାସଟିଏ ପରେ ଆସିଲେ ଘରକୁ । 

ତଥାପି ମାଆ ଯେମିତି ଖୁବ୍ ଗୋଟାଏ ପାପ କରିଥିବାର ଗୁରୁ ଗମ୍ଭୀର ଚେହେରା ନେଇ ଘୁରିବୁଲେ ,ବାପାଙ୍କ ସହ କିଛି କଥା ବାର୍ତ୍ତା ନ କରି । ସୁମା ଭାବିପାରେନି କଣ କରିବ ସେ ଯୋଉଥିରେ ମାଆଙ୍କର  କଷ୍ଟ ଟିକିଏ କମିବ । 

   ସେଦିନ ରାତିରେ କିଛି ଶବ୍ଦରେ ଆଖି ଖୋଲିଗଲା ତା'ର । 

----କାହିଁକି ରଖିଲୁ ସେ ପିଲାକୁ । ମୋତେ ବଦନାମ କରିବା ପାଇଁ ସୁଯୋଗ ଖୋଜୁଛୁ ନାଇଁ ... । 

---ରଖିଲି ବେଶ କଲି । ଲାଜ ଲାଗୁନି ଏଇ ବୟସରେ ସୁଆଗ ଦେଖାଉଛ । ଛିଃ..... । ଚାପା ଉତ୍ତେଜିତ ଶାଣିତ କଣ୍ଠ ମାଆଙ୍କର । କଣ ନା ଫାର୍ମ ହାଉସ ...ନା ରଙ୍ଗ ହାଉସ!! ଯାହା ତ କରୁଥିଲ କରୁଥିଲ ,ଶେଷରେ ସେଇ ଗରୀବ ନିରୀହ ଝିଅଟା ରୋଷେଇ କରିଦେଉଥିଲା ତାକୁ ବି ଛାଡିଲନି !!! ମୁଁ ପଚାରୁଛି କାହିଁକି ......???

ଠୋ କିନା ଚାପୁଡା ଟାଏ ମାଆ ଗାଲରେ ବସିଲା ବୋଧହୁଏ । 

---କହିଲି ତ ସେଇଟା ଗୋଟେ ଭୁଲରେ ହୋଇଯାଇଥିଲା । ଉଦ୍ଦେଶ୍ୟମୂଳକ ଭାବେ କିଛି କରିନି । 

ବାପାଙ୍କର କର୍କଶ ତୀକ୍ଷ୍ଣ ସ୍ୱର । 

----ପିଲାଟାକୁ ବହୁ କଷ୍ଟରେ ଜନ୍ମ ଦେଇ ଝିଅଟା ମରିଗଲା । 

ଅନାଥ ଝିଅଟା । କିଏ ଅଛି ସେ ପିଲାକୁ ପାଳିବ ? ତମରି ସେଇ ରଙ୍ଗ ଉଆସର ବୁଢା ଚୌକିଦାର ଆଣି ଦେଇଯାଇଛି । 

ମାଆ ଗୁମୁରି ଗୁମୁରି କାନ୍ଦୁଥିଲେ । 

ଓଃ କି ଲଜ୍ଜା!!କି ଲଜ୍ଜା!!ବାପାଙ୍କର ଏମିତି ଗୋଟିଏ ଚରିତ୍ର ଥାଇପାରେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବିପାରୁ ନ ଥାଏ । କ୍ଲାସ୍ ଟେନ୍ ପର ଠାରୁ ହଷ୍ଟେଲରେ ରହିବାକୁ ଏକରକମ ସେ ବାଧ୍ୟ ହୋଇଥିଲା । କାରଣ ବେଶ ସୁନ୍ଦର ଭାବେ ମାଆ ବୁଝାଇଦେଇଥିଲେ ଯେ, ବାପା ସବୁବେଳେ ଟୁରରେ ବ୍ୟସ୍ତ ଓ ହଷ୍ଟେଲରେ ଭଲ ସାଙ୍ଗ ଓ ପଢାପଢିରେ ବହୁ ସୁବିଧା ଅଛି । ତେଣୁ ସେ ହଷ୍ଟେଲରେ ରହିଲେ ଭଲ କରି ପଢି କରିପାରିବ । କିନ୍ତୁ ବାପାଙ୍କ ଚରିତ୍ର ଉପରେ ଯେ ଏମିତି ଏକ ପରଦା ମାଆ ପକେଇ ରଖିଥିଲେ ଓ ବର୍ଷ ବର୍ଷ ଯେ ଏମିତି ଅଶାନ୍ତିରେ ଛଟପଟ ହୋଇ ମରୁଛନ୍ତି ସେକଥା କିଏ ଜାଣିଥିଲା ? ହେଲେ ସୁମା ବୁଝିପାରେନି ,ତା ମାଆ କଣ ପାଇଁ ସବୁକିଛି ସହିଯାଆନ୍ତି ନିର୍ବିକାର ଚିତ୍ତରେ । ଅନେକ ଦିନ ପରେ ଥରେ ପଡୋଶୀ ଆଂଟି ଙ୍କ ଠାରେ ତାଙ୍କର କହିବାର ଶୁଣିଥିଲା ସେ "ଡାଇଭର୍ସି ମାନଙ୍କୁ ଲୋକେ ଭଲ ଦୃଷ୍ଟିରେ ଆଦୌ ଦେଖିପାରନ୍ତିନି । ଯେତେ ଯାହା କାରଣ ଦର୍ଶେଇଲେ ବି ସେମାନେ କୁହନ୍ତି ସ୍ତ୍ରୀର ହିଁ ଦୋଷ । ପୁରୁଷ ମାନେ ହେଲେ ଷଣ୍ଢ କେତେବେଳେ କେମିତି କାହା ବାଡି ଦୁଆରେ ମୁହଁ ମାରିଦେଲେ କିଛି ଅଶୁଦ୍ଧ ହୁଏନା । ଷଣ୍ଢକୁ କଣ କେହି ବାନ୍ଧି ରଖେ ? 

ତୁଚ୍ଛା ଅଲଣା କଥାକୁ ନେଇ କି ଲାଭ । ସେଥିପାଇଁ ସବୁ ଭୁଲିଯିବା ଉଚିତ । କାହିଁକିନା ସେ ତଥାପି ବି ଗୋଟେ ବାଡୁଅ ଝିଅର ମାଆ । ସ୍ୱାମୀ ଠାରୁ ଅଲଗା ରହିଲେ ଝିଅର ବିବାହ ଭଲ ଜାଗାରେ ହେବ କେମିତି ?"

ସେଦିନ ସେ ଜାଣିଥିଲା ମାଆ ଛାତି ତଳର ବେଦନା ଓ କୋହ । ଆଜିର ନାରୀବାଦ ଉପରେ କେତେ କଣ ମୋହର ଲାଗିଲାଣି । କିନ୍ତୁ ସବୁ ଯେମିତି ଖାପଛଡ଼ା । ନାରୀ ସ୍ବାଧୀନତା ଓ ନାରୀ ସ୍ବେଚ୍ଛାଚାରିତା ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ନୁହେଁ ,ଭିନ୍ନ.... ସମ୍ପୂର୍ଣ୍ଣ ଭିନ୍ନ । ମୁକ୍ତି କାମୀନାରୀ ଓ ସ୍ବେରିଣୀ ନାରୀ ଯେମିତି ଏକାକଥା ନୁହେଁ । ସବୁ ଗୋଠ ଖଣ୍ଡିଆ ପଶୁ ପରି । ପୁରୁଷର ଅହମିକା ଗୋଟେ ସ୍ବେଚ୍ଛାଚାରୀ ନାରୀକୁ ଜନ୍ମ ଦିଏ । କିନ୍ତୁ ସେଇ ପୁରୁଷର ସନ୍ତୁଷ୍ଟି ପାଇଁ ହିଁ ନାରୀ ଉଦ୍ଦିଷ୍ଟ । ପୁରୁଷକୁ ସାହଚାର୍ୟ ଦେବାରେ ,ତାର କାମନାର ଅଗ୍ନିରେ ନିଜକୁ ଝାସ ଦେବା, ତା’ର ସନ୍ତାନକୁ ପ୍ରସବ କରିବା, ପାଳନ କରି ତା’ର ନାମ ଦେବା ଆଦି ସବୁପ୍ରକାର ସନୁଷ୍ଟିର ନାମ ହିଁ ନାରୀ । 

 ----ସୁମା ସମୋସା ଥଣ୍ଡା ହୋଇଯିବ ନିଅ ଗରମ ଗରମ ଖାଇ ନିଅ ଭଲ ଲାଗିବ । 

ଚାଉଁଙ୍କିନା ଚମକି ଉଠିଲା ସୁମା । ଓଃ କହି ମୁଣ୍ଡ ସାଉଁଳି ନେଲା ସେ । 

----ଆରେ ଭାବୀ ତମେ ଏସବୁ କେତେବେଳେ ଆଉ କେତେ ଜଲ୍ଦି କରି ପକେଇଲ । ଯାହା ହେଉ ତମକୁ ଏଠି ପାଇ ମୋର ଖୁସି ଯେତିକି ତମ ପାଇଁ ଦୁଃଖ ବି ସେତିକି । 

---ନାଇଁ ସୁମା ହର ଲଡକୀ କି ଜିନ୍ଦଗୀ ମଝଧାର ମେ ଚଲତି ହୈ ।  

ଗରମ କଫିର ଧୂଆଁ ବାଜୁଛି ନାକରେ । ଆଃ ,କଫି ପ୍ରତି ପ୍ରବଳ ଦୁର୍ବଳତା ତାର । 


^^^^^^^

ମଣିପୁରୀ ଯୁବକ ଜୁବିନ ସିଂହ ତା ଅଫିସରେ ସହଯୋଗୀ, ପାପୀୟାକୁ ଦେଖିଲେ ଖଣ୍ଡି ହିନ୍ଦୀରେ ଭାସି ଆସେ ଶ୍ରୁତିମଧୁର ସ୍ୱର --ଆପଣଙ୍କ ଝିଅ ସତରେ ବହୁତ ସୁନ୍ଦର । 

ଆଖିରୁ ବୋହିଆସୁଥିବା ଲୁହ ବୁନ୍ଦାକୁ ସତର୍କତାର ସହ ପୋଛି ନିଏ ସେ । କେମିତି ବୁଝେଇବ ସେ ?ସତରେ ଆଜି ବୁଝିପାରୁଛି ମାଆକୁ କହୁଥିବା କଥା ସବୁ କରିବାକୁ କେତେ କଷ୍ଟ ଲାଗେ । ଆହା ବିଚାରୀ ମାଆ କେମିତି ପରିବର୍ତ୍ତନ ଆଣିଥାନ୍ତେ ଏକା ଏକା । କିନ୍ତୁ ତାକୁ କରିବାକୁ ପଡିବ । ପରିବର୍ତ୍ତନ ଆଣିବାକୁ ପଡିବ । ସେଇଥିପାଇଁ ତ ମାଆର ଆକୁଳ ବିକଳ ଅନୁରୋଧରେ ମାଟ୍ରିମୋନିଆଲରେ ବିବାହ ପାଇଁ ପ୍ରୋଫାଇଲ ଦେଇଛି "ସୁଶ୍ରୀ ଗୌରବର୍ଣ୍ଣ ,ପାଞ୍ଚଫୁଟ ପାଞ୍ଚ ଇଞ୍ଚ ,ଏମକମ ( ଏକାଉଣ୍ଟନସି )ଏମବିଏ ,ବୟସ ପଚିଶ ,ସିଙ୍ଗଲ ମଦର ( ଗାର୍ଲ ଚାଇଲଡ଼ ) । 

 ମାଆ ଶୁଣି ଯେତିକି ଖୁସି ହେଲେ ସେତିକି ବିରକ୍ତ ମଧ୍ୟ । କିନ୍ତୁ ସୁମାର ସେଇ ଗୋଟିଏ କଥା ଯିଏ ବାହାହେବେ ପାପୀୟା ସହିତ ହେବେ । ତାକୁ ଅସହାୟ ଅବସ୍ଥାରେ ଛାଡିଦେଇ ସେ ସ୍ୱର୍ଗକୁ ବି ଯିବାକୁ ଚାହେଁନା । ୟା ଭିତରେ ଜୁବିନଙ୍କ ସହ ଆଳାପ ଆଲୋଚନା ବଢିଯାଇଛି । ଇତି ମଧ୍ୟରେ ମାଟ୍ରିମୋନିଆଲ ୱେବ ସାଇଟରେ ତାକୁ ପାଇ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେତିକି ଆବେଗ ବିଭୋର ହୋଇଛନ୍ତି ସେତିକି ବୋଲି କଥାରେ କଥାରେ ପ୍ରକାଶ କରିଛନ୍ତି । 

----ମି. ଜୁବିନ ଏସବୁ କେବଳ ଭାବନାରେ ହିଁ ଭଲ ଲାଗେ । ବାସ୍ତବତା ଏସବୁ ଠାରୁ ବହୁ ଦୂରରେ । ଅଫିସରେ ସମସ୍ତେ କିଛି ନା କିଛି ଟୁପ ଟାପ କରିବାର ଦେଖିଛି ଆଉ ଶୁଣିଛି । ଅସ୍ପୃଶ୍ୟା ଅବିବାହିତା ମାତାର ଆଦର କିଏ କରିବ , ..ଆଉ କାହିଁକି ବା କରିବ ? 

----ମୁଁ ତ କରୁଛି ନା ! ଆଉ କିଏ କଲା ନ କଲା ସେଥିରେ ଯାଏ ଆସେ କେତେ ? ମୁଁ ତମକୁ ପ୍ରୋପଜ କରୁଛି ,ତୁମେ କଣ ଚାହଁ କୁହ । ଆଉ ଯଦି ଟାଇମ ନେବାକୁ ଚାହଁ ତ ନେଇପାର । କିନ୍ତୁ ତମେ ରାଜି ହେଲେ ମୁଁ ନିଜକୁ ସୌଭାଗ୍ୟବାନ ମନେ କରିବି । 

----କିନ୍ତୁ ପାପୀୟାର ପ୍ରକୃତ ପରିଚୟ ପାଇଲେ ତମେ ଘୃଣା କରିବ ଜୁବିନ । ତଥାପି ବି ଗ୍ରହଣ କଲାପରେ କେବେ ଯଦି ବଦଳି ଯାଅ, ଏ ପରିବର୍ତ୍ତନଶୀଳ ଦୁନିଆରେ ,ଜୀବନଟା ଏକ ଉଜାଣି ନଈର ମଝିଧାରରେ ବୋହିଯିବ ସିନା କିନାରା ପାଇବ ନାହିଁ । 

---ସମସ୍ତଙ୍କୁ ଗୋଟିଏ ନିକିତିରେ ତଉଲିବା କଣ ନିହାତି ଜରୁରୀ । ଆଉ ତା ଛଡା ଯେଉଁ ଘଟଣା ଦୁଃଖ ଦାୟୀ ତାକୁ ମନେ ପକାଇବା କାହିଁକି ? ଉଁ ..ଭୁଲିଯିବାକୁ ଶିଖ ସେ କଷ୍ଟଦାୟୀ ମୁହୂର୍ତ୍ତକୁ । 

ହାତ ବଢେଇ ସ୍ୟାକ କରୁଛନ୍ତି ଜୁବିନ । ଧୀରେ ଧୀରେ ଉଷୁମ ହୋଇଆସୁଥିଲା ସୁମାର ହାତ, ଆଉ ଦୁଇଟି ହାତର ଉଷ୍ମତାରେ । କେତେବେଳେ ପାପୀୟା ଆସି ମଝିରେ ଜୁବିନର ହାତକୁ ଟାଣି ନେଇ ଖୁସିରେ ଖଣ୍ଡି ଖଣ୍ଡି ଶିଖୁଥିବା କଥାରେ କହୁଥାଏ ହ୍ୟାନ୍ଦ ସ୍ୟାକ ....ହ୍ୟାନ୍ଦ ସ୍ୟାକ । 

ସୁମା ଚାହିଁଲା ଜୁବିନ ଆଡକୁ । ଜୁବିନ ଝୁଙ୍କି ପଡୁଛନ୍ତି ପାପୀୟା ଆଡକୁ ତା କୁନି କୁନି ହାତ ଧରି । କେଇଟା ଅଲରା କେଶ ସେଇତାଳରେ ହଲିଯାଉଛନ୍ତି ଜୁବିନ ଙ୍କ କପୋଳଦେଶରେ । 

ଆଃ..... ଅପୂର୍ବ ଦିଶୁଛନ୍ତି ଜୁବିନ । ସତେ ଯେମିତି ନଈର ମଝିଧାର ରୁ ବାହାରି ଆସି କୂଳରେ ଲାଗିଯାଇଛି କେତେବେଳେ ନିଜ ଅଜାଣତରେ !!!





Rate this content
Log in

Similar oriya story from Tragedy