ପ୍ରଶାନ୍ତ କୁମାର ବେହେରା

Classics Inspirational Others

4  

ପ୍ରଶାନ୍ତ କୁମାର ବେହେରା

Classics Inspirational Others

ସଂପର୍କ ......

ସଂପର୍କ ......

4 mins
212


ଏ ସଂପର୍କ ଏତେ ଅଧିକ ଦିନର ନୁହେଁ ! ଏଇ ମାତ୍ର ଅଢେଇ ବର୍ଷ ତଳେ ହିଁ ଏଇ ସଂପର୍କର ମୂଳଦୁଆ ପଡ଼ିଥିଲା, ଯାହାର ଭିତ୍ତିଭୂମି ଥିଲା କଲେଜରେ ବୃତ୍ତିଗତ ଜୀବନକୁ ନେଇ l ଏମିତିରେ ସେ ମୋ ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ନଥିଲେ, ଥିଲେ ଇଂରାଜୀ ବିଭାଗର l କିନ୍ତୁ କେମିତି ଏକ ଅଦ୍ଭୁତ ଆକର୍ଷଣରେ ମୁଁ ଟାଣିହୋଇ ତାଙ୍କ ନିକଟତର ହୋଇଗଲି l ତାଙ୍କ ମୋ ଭିତରେ ବୟସର ଗ୍ୟାପ୍ ୧୦ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଆମ ମିଳ‍ମିଶା, କଥାବାର୍ତ୍ତା ସବୁ ଯେମିତି ଦୁଇଜଣ ସମବୟସ୍କ ବଂଧୁପରି ସେୟାର୍ କରିଚାଲିଛୁ l ଓଡ଼ିଆ ସହିତ୍ୟକୁ ଜଡ଼ିତକରି ତାଙ୍କ ନିକଟରୁ ହିଁ ନୂତନ ଦିଗ୍ଦର୍ଶନ ପାଇବା ମୋ ପାଇଁ ନିଶ୍ଚିତ ଖୁବ୍ ଭାଗ୍ୟରକଥା l ଏମିତିରେ ଯାହା ପାଏ ମୁଁ ଲେଖିପକାଏ, କିନ୍ତୁ ତାକୁ ସାଇଜ୍ କରି ସାହିତ୍ୟ ମୁହାଁ କରିବାରେ ତାଙ୍କର ଅବଦାନକୁ ମାନିବାକୁ ହେବ l ଏସବୁ ଭିତରେ ତାଙ୍କର କଥାବାର୍ତ୍ତା, ଚାଲିଚଳନ, ହାବଭାବ ସବୁଥିରେ କେମିତି ଏକ ସମ୍ଭ୍ରାନ୍ତ ସମ୍ଭ୍ରାନ୍ତ ଭାବ ଫୁଟିଉଠେ l ପାଦର ଯୋତା ଠାରୁ ନେଇ ପିନ୍ଧୁଥିବା ଡ୍ରେସ୍ ପର୍ଯ୍ୟନ୍ତ ସବୁ ଫିଟ୍ଫାଟ୍ ସବୁସମୟରେ l ଜଣେ ଶିକ୍ଷକ ହିସାବରେ ସବୁପିଲାଙ୍କର ସେ ଖୁବ୍ ପ୍ରିୟ , କାରଣ କ୍ଲାସ୍ ନେବାରେ ତାଙ୍କର ଦାୟିତ୍ୱବୋଧ ଯେମିତି ଶିକ୍ଷାଦାନର ପଦ୍ଧତି ଓ ପିଲାଙ୍କ ମନଜିଣା ପାଠପଢାରେ ଦକ୍ଷ ସେମିତି l ସେ ହେଉଛନ୍ତି ଇଂରାଜି ବିଭାଗର ମୁଖ୍ୟ ପ୍ରଫେସର ଦୁର୍ଗାପ୍ରସାଦ ଆଚାର୍ଯ୍ୟ - ଯିଏ ଆଜି ଅର୍ଥାତ୍ ତା ୩୧/୦୧/୨୦୨୧ ରିଖରେ ସରକାରୀ ଚାକିରିରୁ ଅବସର ନେଉଛନ୍ତି l କିନ୍ତୁ ତାଙ୍କୁ ଯେକେହି ଦେଖିଲେ ଏମିତି ନିଶ୍ଚିେ ଫିଲ୍ କରିବେ ଯେ ତାଙ୍କର ଅବସର ନେବାର ବୟସ ଆଦୌ ଆସିନାହିଁ ବୋଲି l


ଏଇ ଅଢେଇବର୍ଷ ଭିତରେ ଦୁର୍ଗା ସାର୍ ରୁ ପରିବର୍ତ୍ତନ ହୋଇ କେତେବେଳେ ଦୁର୍ଗା ଭାଇ ରେ ସେ ପରିଣତ ହୋଇଗଲେ ଜଣି ବି ପାରିଲିନି ! ବହୁତ ମିଳାମିଶା ସହିତ ବୋଧହୁଏ ପରସ୍ପରର ମନକୁ ଜାଣିପାରିବାର କ୍ଷମତା ଏମିତି ସଂପର୍କ କରେଇଦେଇଛି ନିଶ୍ଚେ l ସେ ଯେତେବେଳେ ଭୁବନେଶ୍ବରରୁ ଜଗତସିଂହପୁର ପ୍ରଥମେ ବଦଳି ହୋଇ ଆସିଲେ ତାଙ୍କୁ ମୁଁ ଆଦୌ ଚିହ୍ନି ନଥିଲି l ମୋ ଅଗୋଚରରେ ଗୋପାଳସାଗରସ୍ଥିତ ଠିକ୍ ମୋ ଘରଠାରୁ ମାତ୍ର ଦୁଇ ତିନୋଟି ଘର ଛାଡି ଭଡ଼ାଘର ନେଇ ରହିଲେ l କରୋନା ପାଇଁ ଲକ୍ ଡାଉନ୍ ସମୟରେ ସେ ଗୋପାଳସାଗରରେ ଅବସ୍ଥାନ କରୁଥିବା ବେଳେ ମୁଁ କଟକରେ ରହୁଥିଲି l ସେ ସମୟରେ ଏମିତି କୌଣସି ଦିନ ଚାଲିଯାଇ ନଥିବ , ଯେଉଁଦିନ ଆମେ ଦୁହେଁ ଫୋନ୍ ରେ କଥା ହୋଇନଥିବୁ l


ସେଇସବୁ ଦିନ ମାନଙ୍କରେ ଦୁର୍ଗାଭାଇଙ୍କ ଛାତ୍ର ଜୀବନରୁ ଆରମ୍ଭକରି ସାହିତ୍ୟିକ ଦିଗ ପର୍ଯ୍ୟନ୍ତ ବିଭିନ୍ନ ଘଟଣାବଳିକୁ ନେଇ କିଛି ଲେଖି ଦେଉଥିଲି l ଆଜି ସେ ତାଙ୍କ ବୃତ୍ତିଗତ ଜୀବନରୁ ଅବସର ନେଉଛନ୍ତି l କେଇଦିନ ପରେ ଗୋପାଳସାଗରରେ ନେଇଥିବା ଘରଭଡ଼ାକୁ ଛାଡି ଭୁବନେଶ୍ବର ଚାଲିଯିବେ l ଆଜି କଲେଜରେ ତାଙ୍କର ଶେଷ କାର୍ଯ୍ୟଦିବସ l କଲେଜ ଜଣେ କର୍ମଯୋଗୀଙ୍କୁ ହରାଉଥିବା ବେଳେ ଇଂରାଜୀ ଅନର୍ସର ଛାତ୍ରଛାତ୍ରୀମାନେ ଜଣେ ପ୍ରବୀଣ ଶିକ୍ଷକଙ୍କ ଶିକ୍ଷାଦିନ ପାଇବାରୁ ଚିରଦିନ ପାଇଁ ବଞ୍ଚିତ ହେଲେ l ଏଇ ମାତ୍ର ତିନିଦିନ ତଳରକଥା । ଦୁର୍ଗାଭାଇ ୩୭ ନମ୍ୱର ରୁମ୍ ରେ କ୍ଲାସ ନେଉଥାନ୍ତି l ଝରକା ସେପଟେ ମୁଁ ଯାଉଥାଏ l ତାଙ୍କ ପାଟିଶୁଣି ମୋ ଆଖି ଆପେଆପେ ସେଇ କ୍ଲାସ ରୁମ୍ ଭିତରକୁ ଚାଲିଗଲା l ଯାହା ଦେଖିଲି ଆଶ୍ଚର୍ଯ୍ୟ ନହୋଇ ରହି ପାରିଲିନି l ଆଦୌ ବିଶ୍ୱାସ ହେଉନଥିଲା ଯେ, ସେଠି ଜଣେ ୬୦ ବର୍ଷର ଲୋକ କ୍ଲାସ୍ ନେଉଛନ୍ତି ବୋଲି l କ୍ଲାସ୍ ମଝିରେ ଥିବା ଖାଲି ଯାଗାରେ ଜଣେ ୩୦ ବର୍ଷର ଯୁବ ଅଧ୍ୟାପକର ଠାଣି ମାଣି ସହିତ ସମ୍ପୂର୍ଣ୍ଣ ଜୋସ୍ ରେ ପାଠ ପଢାଇବାରେ ହଜି ଯାଇଥାନ୍ତି ଦୁର୍ଗାଭାଇ l ଏଇ ଲୋକଟି ସତରେ ତିନିଦିନ ପରେ ରିଟାୟଡ୍ କରିବାକୁ ଯାଉଛନ୍ତି ସେମିତି କାଣିଚାଏ ଭାବନା ବି ମନ ଭିତରକୁ ଆସୁନଥିଲା l


ଏସବୁ ବାଦ୍ ଦୁର୍ଗାଭାଇଙ୍କ ଅବସର ମୋ ପାଇଁ ନିଶ୍ଚିନ୍ତ ଭାବରେ ଖୁବ୍ ଦୁଃଖ ଦାୟକ l ଏମିତିରେ ଗତକାଲି କଥାବାର୍ତ୍ତା ଛଳରେ ଇତିହାସ ବିଭାଗର ଅଧ୍ୟାପିକା ଶ୍ରୀମତୀ ପରିଚିତା ମହାନ୍ତି ମୋତେ କହିଲେ, " ପ୍ରଶାନ୍ତ , ତମେ ସବୁବେଳେ ତୁମଠାରୁ ବୟସରେ ଢେର୍ ବଡମାନଙ୍କ ସହିତ ସାଙ୍ଗ ହୁଅ l ପୂର୍ବରୁ ବଟ ସାର୍ ( ଓଡିଆ ବିଭାଗର ରିଟାୟଡ୍ ରିଡର୍ ଡଃ. ବଟକ୍ରିଷ୍ଣ ସ୍ୱାଇଁ ) ବିହାରୀ ସାର୍ ( ରାଜନୀତି ବିଜ୍ଞାନ ବିଭାଗର ରିଟାୟଡ୍ ରିଡର୍ ଅଭୟ କୁମାର ବିହାରୀ ) ଙ୍କ ସହିତ ସାଙ୍ଗ ହୋଇ ବୁଲୁଥିଲ l ସେମାନେ ସବୁ ରିଟାୟଡ୍ ନେଇଯିବା ପରେ ଦୁର୍ଗା ସାର୍ ଙ୍କ ସହିତ ସେମିତି ସାଙ୍ଗ ହୋଇ ବୁଲୁଥିଲ ଏ କଲେଜରେ l ସାର୍ କାଲି ରିଟାୟଡ୍ ନେବାପରେ ତମକୁ ନିଶ୍ଚେ ବହୁତ ଦୁଃଖ ଲାଗିବ l "


ପରିଚିତା ଅପା ମୋ ମନର କଥା ହିଁ କହିଥିଲେ l ବଟ ଭାଇ ବା ବିହାରୀ ଭାଇ ଉଭୟ ରିଟାୟଡ୍ କଲାପରେ ଏଇ ଜଗତସିଂହପୁରରେ ରହିବେ ବୋଲି ଜାଣିଥିଲି ଆଉ ନିଶ୍ଚେ ଯେତେବେଳେ ଚାହିଁବି ତାଙ୍କ ପାଖକୁ ମୁଁ ଅଥବା ସେମାନେ ମୋ ପାଖକୁ ଖୁବ୍ ସହଜରେ ଆସିପାରିବେ l ତାଣୁ ସେମାନଙ୍କର ଅବସର ମୋ ମନରେ ଏତିକି ଦୁଃଖ ଆଦୌ ଆଣି ଦେଇନଥିଲା ଯାହା ଆଜି ଦୁର୍ଗା ଭାଇଙ୍କ ଅବସର ଆଣି ଦେଇଛି l ଆସନ୍ତା କାଲିଠାରୁ କଲେଜ ବାରଣ୍ତା ବା କମନରୁମ୍ ରେ ସେଇ ସ୍ନେହବୋଳା ଡ଼ାକ , " ପ୍ରଶାନ୍ତ " ବୋଲି ଶୁଣିବାକୁ ପାଇବିନାହିଁ l ଇଂରାଜି ସେମିନାର୍ ରୁମ୍ ଭିତରକୁ ପଶିଯାଇ " ଭାଇ ନମସ୍ମାର " ବୋଲି କହୁ କହୁ ସେ ତାଙ୍କ ପାଖରେ ଖାଲି ପଡିଥିବା ଚେୟାରକୁ ଦେଖାଇଦେଇ କହନ୍ତି , " ପ୍ରଶାନ୍ତ ବସ , ବସ !" ଏକଥା ମୋ ପାଇଁ ଆଉ ଘଟିବାର ନାହିଁ ଆଗକୁ ! ସେ ଅବସର ନେଇ ଭୁବନେଶ୍ବରରେ ରହିବେ l ତେଣୁ କେତେବେଳେ କେମିତି ଦେଖାହେବ ତାହା ଏଣିକି କହିବା ମଧ୍ୟ ମୁସ୍କିଲ୍ l ସତରେ ଆଜିଠାରୁ ମୁଁ ମୋର ଜଣେ ଗାଇଡ୍, ଜ୍ୟେଷ୍ଠଭ୍ରତା, ବଂଧୁଙ୍କର ଉପଦେଶ ପାଇବାରୁ ବଞ୍ଚିତହେଲି l


ଦୁର୍ଗାଭାଇଙ୍କୁ ନେଇ ମୋର ମନଭିତରର ଭାବସବୁ ଗତକାଲି ଲେଖିଥିବା କବିତାରେ ପ୍ରକାଶ କରିଛି l ତାକୁ ପୁଣି ନିମ୍ନରେ ରଖୁଛି :---


ତୁମ ପାଇଁ କେଉଁ ଶବ୍ଦଫୁଲ ତୋଳିବି

ହେ ମୋ'ର ଚିରପୂଜ୍ୟ, ଅଗ୍ରଜପ୍ରତିମ

ଉଜ୍ଜଳ ଜ୍ୟୋତିଷ୍କ ?


ତୁମେ ଚିର ଚଂଚଳ ----

ପୁଣି ମଧ୍ୟ ଚିର ଅଚଞ୍ଚଳ 

ତୁମେ ଭାବଭୋଳା ବିହ୍ବଳ ମଣିଷ l


କେବେ କେବେ ମନେ ହୁଏ

ତୁମେ ଏକ କକ୍ଷଚ୍ୟୁତ ହୀରକ ସ୍ପୁଲିଂଗ -----

ଯା'ର ଔଜଲ୍ୟରେ ସବୁକିଛି ଉଦ୍ଭାସିତ 

ସବୁକିଛି ପ୍ରକାଶମୟ, ପବିତ୍ର ଭାସ୍ୱର l


ସୂର୍ଯ୍ୟର କି ଥାଏ ଅସ୍ତ

ଥାଏ ବା ଉଦୟ ?

ଚିରକାଳ ସ୍ଥିର ସିଏ ଚଳନ ତା'ର

ଖାଲି ଯେ ପ୍ରତ୍ୟୟ l


ଚନ୍ଦ୍ର ସଦା ପୂର୍ଣ୍ଣଚନ୍ଦ୍ର 

କ୍ଷୟ ନାହିଁ ତା'ର

ସବୁ ପକ୍ଷ ତା'ର ଶୁକ୍ଳପକ୍ଷ l


ହେ ଜ୍ୟେଷ୍ଠଭ୍ରାତା ମୋର, ହେ ବଂଧୁ

ପରମ ସୁହଦ ------

ତୁମ ସାନ୍ନିଧ୍ଯରେ ସେଇ ସ୍ୱଳ୍ପକାଳ

ମୋ ଜୀବନର ଶାଶ୍ୱତ ସକାଳ l


ହେ ଜ୍ଞାନ ତପସ୍ୱୀ, ପ୍ରଜ୍ଞାଦୀପ୍ତ ବାଗ୍ମୀ 

ଉଦାସ ମାନ୍ତ୍ରିକ ------ 

ହେ ବସନ୍ତ ହିଲ୍ଲୋଳ ଓ ଶରତର ଶୁଭ୍ରାକାଶ

ତୁମର ଏ ଅବସର ଅବସର ନୁହେଁ ------

ଏହା ନିଶ୍ଚେ ତମପାଇଁ ଅନ୍ୟ କେତେ କେତେ ଦିଗନ୍ତକୁ

ଯାତ୍ରା ପାଇଁ ନୀଳ ନିମନ୍ତ୍ରଣ ।


ଶେଷକୁ ଭୁବନେଶ୍ବରରେ ଏଇ ନିକଟରେ ନିର୍ମିତ ତାଙ୍କର ନୂତନ ବାସଗୃହ ତାଙ୍କୁ ନବ ସର୍ଜନ କର୍ମରେ ବ୍ରତୀ କରାଉଥାଉ l ତାଙ୍କ ଅବସର ଅନବସର ହେଉ, ଦୀର୍ଘତର ହେଉ ଦୀପ୍ତ ତାରୁଣ୍ୟ, ବ୍ୟକ୍ତିତ୍ୱର ବାଜିରେ ବୟସ ବିଭାସିତ ହେଉ l ନିରାକାର ନିରାମୟ ରଖନ୍ତୁ ଜୀବନର ଅବଶିଷ୍ଟାଂଶ l 



Rate this content
Log in

Similar oriya story from Classics