STORYMIRROR

Lopamudra Parida

Classics Inspirational

3  

Lopamudra Parida

Classics Inspirational

ସଂକ୍ଷେପରେ ରଥଯାତ୍ରା

ସଂକ୍ଷେପରେ ରଥଯାତ୍ରା

8 mins
262

ଯାହାଙ୍କର ଚକ୍ଷୁ ଉନ୍ମେଷ ମାତ୍ରକେ ଅଜସ୍ର ବିଶ୍ବ ବ୍ରହ୍ମାଣ୍ଡ ସୃଷ୍ଟି ହୁଏ,

ଯାହାଙ୍କର ପଲକ ମାତ୍ରକେ ସବୁ କିଛି ବିଲୟ ହୁଏ ,

ସେଇ ପରମବ୍ରହ୍ମଙ୍କର ଦିବ୍ୟ ଶ୍ରୀଚରଣାରବିନ୍ଦରେ ସମର୍ପିତ ସର୍ବସ୍ଵ ।।


ରଥ କହେ ମୁଁ ଦେବତା ।।ପଥ କହେ ମୁଁ ଦେବତା ।।


ରଥସ୍ଥଂ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ଯତେ ।।

ସାମ୍ବତ୍ସରିକ ଦ୍ବାଦଶ ଯାତ୍ରା ମଧ୍ୟ ରେ ସର୍ବଶ୍ରେଷ୍ଠ ରଥଯାତ ।


ରଥ କୁ ନେଇ ମୋର ଅନୁଭବ ଲେଖି ବସିଲେ ଆୟୁଷ କମ ପଡିବ ସିନା କଲମ ରୋକିବନି ।ରଥ ମୋ ଜୀବନ ର ଏକ ଅଭିନ୍ନ ଅଂଗ ।


ଶ୍ରୀ ପଞ୍ଚମୀ ଠୁ ଆମ ବଡଦାଣ୍ଡ ରଥ ରଥ ବାସେ ।ରଥଦାଣ୍ଡ କୁହା ହୁଏ ବଡଦାଣ୍ଡ କୁ । ଶ୍ରୀରଜାନହର ସାମନା ରଥଖଳାରେ ଦଶପଲ୍ଲା ରୁ ଏମାର ମଠ, ରାଘବଦାସ ମଡେଲ,ବଡ ଓଡିଆ ମଠର ଶଗଡିଆ ମାନେ କୋଡିଏ ହାତ ଲମ୍ବ ର ରଥ ଦଉଡି ଖେଇ ପାଇ ରଥକାଠ ଶଗଡି ଧାଡି ଲଗେଇଥାନ୍ତି । ଯୋଗାଣ, ସଂଗ୍ରହ, ଓ ଆନୟନ ,ଗଢଣ ନିମନ୍ତେ ବିଶ୍ବକର୍ମା, କଟାଳି, ନାୟକ, ବେଠିଆ, ଚର୍ଚେଇତ କରଣେ, ଅବିରଚଳା ନୟକ, କଟୁଆଳ, ପଟାଳି ଲେଙ୍କା, ଭେଳା ଦଳାଇ, ଘଣ୍ଟୁଆ ପଟାଳି, ଜଗିଆ ପଟାଳି ଆଦି ସେବାୟତ ନିଯୁକ୍ତି ଥାନ୍ତି ।ନିଦା ଫାସି, ଅଶନ,ଶାଳ,ଧଉରା,କଂସା, ଶିମିଳି,ପାଳଧୁଆ,ମହାନିମ୍ବ, ଗମ୍ଭାରି, ମଇ,କଦମ୍ବ, କଳଚୁଆ ବଲା ,ଦେବଦାରୁ ,ନଡିଆ,ତାଳ ଆଦି କାଠର ଜଙ୍ଗଲ ଗଡଜାତ ଅଞ୍ଚଳରେ ସୃଷ୍ଟି କରାଯାଏ ।ସେ କାଠକୁ ଦିଅଁ ଙ୍କ ଆଜ୍ଞା ମାଳ ଦେଇ ବିଧିମତେ ପୂଜା ଅନୁକୁଳ କର୍ମ ପରେ ପଇଠ କାଠ ରେ ରଥ ଗଢାର ମୂଳଦୂଆ ପଡନ୍ତି ଅକ୍ଷିତୃତୀୟାକୁ ।


ଭଉଁରୀ ସମୟ କୁ ନଡିଆ ଛାମୁଣ୍ଡିଆ ସବୁ ତଳେ ତଳେ ବଡ ଦାଣ୍ଡ ର ବଡ ଟାଣ ଖରାରେ ସୁଲୁସୁଲିଆ ବାଆ ସହ ଡହଡହ ତତଲା ପିଚୁରେ ଖାଲି ପାଦରେ ଚାଲୁ ଚାଲୁ ନହର ପାଖ ଲସି ଦୋକାନରୁ ସ୍ପେଶାଲ ବହୁତ କି ଖୁଆ ପକା ଲସିର ମଜା ନେଉ ନେଉ ରଥ କାମ ର ମଗ୍ନ ବିଶ୍ବକର୍ମା ବଢେଇ ମାନଙ୍କର ନିଷ୍ଠା ଓ ସମର୍ପିତ ମନର ଶବ୍ଦ ଠୁକ୍ ଠୁକ୍ କରି ଆକର୍ଷୁ ଥାଏ ପ୍ରତିଟି ବଡଦାଣ୍ଡ ର ପଥଚାରିକୁ ।ଦିନକୁ ଦିନ ଗଢି ଉଠୁଥାନ୍ତି ରଥ ରଥୀଙ୍କର ସ୍ବାଗତ ପ୍ରତି ସଚେତନ ଥାଇ ।ଗଢିଉଠୁଥାନ୍ତି କୁଶଳୀ ହାତର କାରୁକାର୍ଯ୍ୟରେ ପହି, ତୁମ୍ବ, ଅର,ଅଖ, ଚାଚଳ, ଅରମୁଣ୍ଡି, ପୋଟଳ, ପାରାଭାଡି ମାନେ ।ଆକାଶେ ଉଚ୍ଚ ଅଭିମାନ ନେଇ .... ଈଶ୍ବର ଙ୍କୁ, ପରମବ୍ରହ୍ମ ଙ୍କୁ କୋଳରେ ଧାରଣ କରିବାର ମମତାରେ ଜଶୋଦା ପାଲଟୁଥାଏ ରଥ ଯେମିତି ।ଦେଉଳ ଭିତରେ ରଥରେ ଯୋଚି ହେବା ନିମନ୍ତେ ଶ୍ରଦ୍ଧା ଓ ଅନନ୍ଯ ଭାବରେ ଅପେକ୍ଷାମାଣ ଥାନ୍ତି ଅଶ୍ବ ମାନେ, ସାରଥୀ ତିନିହେଁ, କଳସ,ପାର୍ଶ୍ବ ଦେବତା, ଶୁଆ, ଦ୍ବାରପାଳ, ରଥହଡି ।


ରଥ ଗଢା, କନା ବନ୍ଧା, ସାଜସଜ୍ଜା ସବୁ କୁ ନିରେଖୁଥାଉ ଆମେ ବଡଦାଣ୍ଡ ରେ ଆମର ନିତିଦିନିଆ ଯା ଆସ ଦେଇ ।ତା' ଭିତରେ ରୁକ୍ମଣୀ ବିଭା ସାରି ଗଇଁଠାଳ ଫିଟିନଥିବ, ଜ୍ଯୋଷ୍ଠ ପୂର୍ଣ୍ଣିମା ରେ ମହାପ୍ରଭୁଙ୍କ ସ୍ନାହାନ ଯାତ୍ରା ,ଗଜାଜନ ବା ହାତୀ ବେଶ ମହାସମାରୋହରେ ସମାପିତ ହୁଅନ୍ତେ ମହାପ୍ରଭୁ ଅଣସରରେ ପନ୍ଦର ଦିନ କାଳ ଜ୍ବର ପୀଡାରେ ପଡି ମୋଦକ, ପଣା,ଚେରମୂଳୀ ଔଷଧ ସେବନ ସହ ଫୁଲୁରୀ ତୈଳ ଘସାଘସି ହେଇ ଦଇତାପତି ନିଯୋଗ ସେବକ ମାନଙ୍କ ଦ୍ଵାରା ଆରୋଗ୍ଯ ଲାଭ କରି ନବ ଯୌବନ ପ୍ରାପ୍ତ ପୂର୍ବକ ବନକଲାଗି ହୋଇ ଶ୍ରୀମୁଖ ଲାବଣ୍ଯ ନୂତନ ଶୋଭା ଧାରି ସଜ ହୁଅନ୍ତି ଟିକେ ବୁଲି ଆସି ଜଗତ ଜନଙ୍କ ଉପରେ କୃପା ବୃଷ୍ଟି କରିବାକୁ ।ତା 'ଭିତରେ ବି ଦୟାମୟ ବ୍ରହ୍ମଗିରି ରେ ଦର୍ଶନ ଦେଉଥିବେ ଆଶାୟୀ ଭକ୍ତ ମାନଙ୍କୁ ଶ୍ରୀ ଅଲାରନାଥ ରୂପରେ ।ଜଗାର ସବୁ ଲୀଳା ପଛରେ କିମ୍ବଦନ୍ତୀ ।ସବୁ ଖେଳା ପଛରେ ଗଳ୍ପ ।ତାକୁଇ ନେଇ ନିର୍ମାଣ ହେଇଛି ଆମ ସଂସ୍କୃତି ,ଆମ ସଭ୍ଯତା ,ଆମ ଚଳଣି ।କାଳିଆ କୁ ନେଇ ଓଡିଆ । ଆମରି ପରି ଜରରେ ପଡି ଔଷଧ ଖାଇ ବୁଲି ଯାଏ ଆମ ଠାକୁର ।


ନେତ୍ରଉତ୍ସବ ଦିନ ରଥଖଳାରୁ ଆଜ୍ଞାମାଳ ପ୍ରାପ୍ତ ରଥ ତ୍ରୟ ସିଂହଦରଜା ରେ ସଜ ହେଇ ଠିଆହୁଅନ୍ତି ।


ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ।ଅମରମଣ୍ଡଳୁ ଭୁମଣ୍ଡଳ ଯାଏ ପ୍ରକମ୍ପିତ ହୁଏ ଘନ ଘନ ଘଣ୍ଟ ଘଣ୍ଟା ନାଦ ।ଶଙ୍ଖ କ୍ଷେତ୍ର ରେ ମୋକ୍ଷଦା ପର୍ବର ଆରମ୍ଭ ।ବିଶ୍ବ ବନ୍ଦିତ ବିଶ୍ବ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା, ନବ ଦିନାତ୍ମକ ଯାତ୍ରା, ଦଶାବତାର ଯାତ୍ରା, ଘୋଷଯାତ୍ରା, ଆଡପମଣ୍ଡପ/ ଯଜ୍ଞବେଦୀ/ ମହାବେଦୀ /ଜନ୍ମ ବେଦୀ ଯାତ୍ରା, ପତିତପାବନ ଯାତ୍ରା ମହାପ୍ରଭୁ ଜଗନ୍ନାଥ ଙ୍କ ଜୟ ଜୟକାର ସହ ଗଗନ ପବନ ଥରାଇ ମହିମଣ୍ଡଳେ ଘର୍ଘରିତ ଧ୍ବନୀରେ ଧର୍ମ ସଂଥ୍ଥାପନେ ଗଡିଯାଏ ନନ୍ଦିଘୋଷର ଚକ ବଡଦାଣ୍ଡ ରେ ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ଯାଏ ।ବାଟରେ ମାଉସୀ ମାଆର ସ୍ନେହ ପରଶବୋଳା ସୁଆଦିଆ ପୋଡ ପିଠା ର ମହକିଆ ସୁଆଦ ଚାଖି ଗେଲ୍ହୀ ଭଉଣୀ ଆଉ ବଡ ଭାଇ ଙ୍କ ସହ କାଳିଆର ବୁଲା ଆରମ୍ଭ ହୁଏ ।


ପହଣ୍ଡି ବିଜେ ର ଦୃଶ୍ୟ ଯିଏ ଜୀବନେ ଥରେ ଦର୍ଶନ କରିଛି ଏ ଚର୍ମ ଚକ୍ଷୁ ରେ ସେ ବୁଝିଛି ଏ ସମଗ୍ର ବ୍ରହ୍ମାଣ୍ଡ ରେ ତାଠୁ ଦିବ୍ଯ ମନ୍ତ୍ର ମୁଗ୍ଧ  ସୁନ୍ଦର ଆଉ କିଛି ବି ନାହିଁ ।ଗୁଣ୍ଡିଚା ଦିନ ପ୍ରତ୍ଯୁଷରୁ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ରୋଷହୋମ ,ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ବେଶ ଆଦି ପାଳିଆ ସେବକ ମାନଙ୍କ ମହାଭାଗ୍ଯ ହସ୍ତରେ ସମାପିତ ହୁଅନ୍ତେ ଗୋପାଳ ବଲ୍ଲଭ ଓ ସକାଳଧୂପ ନୀତି ବଢନ୍ତି ।ବିଜେ କାହାଳୀ ବାଜି ମଙ୍ଗଳାର୍ପଣ ନୀତି ପରେ ସର୍ବ ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କର ମଙ୍ଗଳ ପହଣ୍ଡି ନୀତିର ଶୁଭାରମ୍ଭ ଧାଡି ପହଣ୍ଡି ଅନୁସାରେ ହୁଏ ।

ଆମେ ଯେମିତି କୁଆଡେ ବୁଲି ବାହାରିଲେ ଖୁସି ମନରେ ତତ୍ପରତା ସହ ଯାଉ ସିଏ ବି ସେମିତି ତା ପ୍ରାଣପ୍ରିୟ ଭକ୍ତ ମାନଙ୍କୁ ଭେଟିବାକୁ ବାହାରେ ।ଆମେ ସବୁ ସିଂହ ଦ୍ବାର ଗୁମୁଟ ଠି ନହେଲେ ଆନନ୍ଦ ବଜାରରେ ନହେଲେ ବାଇଶିପାହାଚରେ ଅପେକ୍ଷା ରେ ଥାଉ ।ସେତେବେଳେ ଏତେ ଗହଳି, ଏତେ କଡାକଡି ନିୟମ, ଏତେ ଶୃଙ୍ଖଳା ବେଡି ନଥିଲେ ।ଭକ୍ତ ସିଧାସଳଖ ତା ଭଗବାନ ର ସାନିଧ୍ଯ ପାଇପାରୁଥିଲା ବିନା ରୋକଟୋକ ବିନା ସଂକୋଚରେ ।ପହଣ୍ଡି ବେଳେ ଆମେ ଯାଇ ଶ୍ରୀଜୀଉ ମାନଙ୍କୁ ସ୍ପର୍ଶ ପୂର୍ବକ ଆଲିଙ୍ଗନ କରୁଥିଲୁ, ଧନ୍ଯ ହେଉ ଥିଲୁ ଅଚିରେ ବିଭୁ କୃପା ରେ ।ନାଟମଣ୍ଡପଠୁ ଘଣ୍ଟ, ପଖଉଜ, ବାଦ୍ଯ, କାହାଳୀ ବାଜି ଉଠୁଥାଏ ବଡ ଦାଣ୍ଡ ଯାଏ ।ବିଭିନ୍ନ ମଠର,ଅଧିକାରୀ, ସେବାୟତ, ମଠାଧିଶ, ଭକ୍ତ ଏହି ମହାର୍ଘ୍ଯ ମୂହୁର୍ତ୍ତ ରେ ନିଜ ନିଜର ସେବା ନେଇ ଆଲଟ, ଚାମର ,କଳା ଓ ଧଳା ଛତି ଧରି ମହାପ୍ରଭୁଙ୍କୁ ବିଞ୍ଚି ଦେଉଥାନ୍ତି ।ଶ୍ରମଭାର ଲାଘବ କରେଇବା ନିମନ୍ତେ ଛାୟା ପ୍ରଦାନ ବ୍ଯବସ୍ଥା କରୁଥାନ୍ତି ।ମୋର ବାପା ଓ ମାମୁଁ ମାନେ ସମସ୍ତେ ଘଣ୍ଟ ଓ ଚାମର ସେବାରେ ଉପସ୍ଥିତ ରହି ନିଜ ନିଜର ପ୍ରଭୁଙ୍କ ପ୍ରତି କର୍ତ୍ତବ୍ୟ ସଂପାଦନା କରୁଥାନ୍ତି ।

ସବୁଆଡେ ହରିବୋଲ, ହୁଳହୁଳି ଧ୍ବନୀ ଶୁଭୁଥାଏ ।ସମସ୍ତେ ବିଭିନ୍ନ ସୁଗନ୍ଧିତ ସୁନ୍ଦର ପୁଷ୍ପ ମହାପ୍ରଭୁଙ୍କ ଉପରକୁ ପୁଷ୍ପାଞ୍ଜଳୀ ଦେଉଥାନ୍ତି ।ଫୁଲର ବର୍ଷା ପରି ଲାଗେ ।କାଳିଆ ଉପରେ ପଡୁଥାଏ ,ଭକ୍ତ ମଥାରେ ଝରୁଥାଏ ।ଉପରେ ନୀଳ ଆକାଶର ଚାନ୍ଦୁଆ ତଳେ ଦେବଗଣ, ଇନ୍ଦ୍ର,ଚନ୍ଦ୍ର,ବ୍ରହ୍ମା, ଈଶ୍ବର, ବରୁଣ, ଗନ୍ଧର୍ବ, ନାଗ, ଇତ୍ୟାଦି ସମସ୍ତ ଲୋକର ଅଦୃଶ୍ୟ ସତ୍ତା ମାନେ କରପତ୍ର ଯୋଡି ଦଣ୍ଡାୟମାନ ରହି ସ୍ତୁତି କରୁଥାନ୍ତି ।ରାଘବଦାସ ମଠର ସେବା ଟାହିଆ ମାନ ନାଚୁଥାନ୍ତି ଶ୍ରୀବିଗ୍ରହ ମାନଙ୍କ ମସ୍ତକରେ ଦୋଳାୟମାନ ପବନ ସ୍ବରୂପ ରେ ଉଭା ହେଲା ପରି ।ସେଥିରେ ଖଞ୍ଜା ଚୂଳମାଳ ଦଳ, କିଆ, କେତକୀ, ଚମ୍ପା, ପୁନାଗ, ଟଗର, ଦୁର୍ବାଦଳ, ଜରି,ସୋଲ, ଖଡିକା ପିନ୍ଛ ସମସ୍ତେ ପ୍ରଭୁ ସେବାରେ ମହମହ ବାସୁଥାନ୍ତି ।ବେହେରା ଖୁଣ୍ଟିଆ ସେବକ "ମଣିମା ,ଆହେ ମଣିମା ..... ଗୁହାରି ଶୁଣିମା ହେଉ ମଣିମା " ଡାକୁଥାନ୍ତି । ବଳିଆ ତାଳଧ୍ବଜରେ, ସୁଭଦ୍ରିକେ ଓ ସୁଦର୍ଶନେ ଦର୍ପଦଳନରେ ଆଉ ଆମ ଗେଲ୍ହା ଜଗା ନନ୍ଦିଘୋଷରେ ବିଜେ କଲା ଉତ୍ତାରେ ଦଇତାପତି ପୁଅ ଙ୍କ ଦ୍ବାରା ରୁନ୍ଧା କାର୍ଯ୍ୟ ବଢେ ।ପରେ ପଟୁଆର ଶୋଭାଯାତ୍ରା ରେ ଦକ୍ଷିଣିଘରୁ ମଦନମୋହନ ଏବଂ , ରାମକୃଷ୍ଣ ଯଥାକ୍ରମେ ନନ୍ଦିଘୋଷ ଓ ତାଳଧ୍ବଜରେ ବିଜେ କରିବା ହୁଅନ୍ତି ।ବଣିଆ ସେବାୟତ ଙ୍କ ଦ୍ବାରା ପ୍ରସ୍ତୁତ ସୋଲ ସୁନାଜରିଦିଆ ଚିତା ତିନୋଟି ଛାଉଣୀ ମଠ ଦାୟିତ୍ୱ ରେ ଆସି ଫୁଲଲାଗି ବେଶ ବେଳେ ଲାଗି ହୁଅନ୍ତି ।ଜଗତଗୁରୁ ଶଙ୍କରାଚାର୍ଯ୍ଯ ଙ୍କ ଦର୍ଶନ ଓ ରୂପା ତାମଯାନ ରେ ବିଜେ ବ୍ରତଚାରଣଧାରି ମହାରାଜ ଗଜପତିଙ୍କର ରୂପା ପିଙ୍ଗଳରେ ଚନ୍ଦନ ଛେରା କରି ସୁନାବେଣ୍ଟ ଖଡିକା ରେ ପହଁରା ନୀତି ବଢାନ୍ତି ।ସେବେ ତାଙ୍କ ସହ ଦୁଇଟି ହାତୀ ଆସିବା ମୁଁ ଦେଖିଛି ।ସେ ହାତୀ ଦିଟି ଗୋଟିଏ ଆକର୍ଷଣ ଥାଏ ପିଲା ମନର ।କାହାଳିଆ ଏବେ ବି ବିଜେ କାହାଳୀ , ପଟୁଆର ଘେନି ଆସନ୍ତି ।ଏବେ ଲେଖୁ ଲେଖୁ ଶୁଭି ଯାଉଛି ସେ କାହାଳୀ, ଦିଶିଯାଉଛି ହାତୀ ସ୍ମୃତି ପଟଳରେ ।ତା ପରେ ରଥ ଟଣା ।

ଟହଟହ ଜଗା ହସୁଥାଏ ।ଚକା ଚକା ଆଖି ବୁଲେଇ ଚାରିପଟକୁ ଦେଖୁଥାଏ ।ରୁଣ୍ଡ ରୁଣ୍ଡ ଭକ୍ତ ଗଣ ଦୁଇଭୁଜ ତୋଳି ନିଉଛାଳି ହେଉଥାନ୍ତି ।ଏତେ ଜନସମୁଦ୍ର ଭିତରେ ତାରି ସେ ଦୁଇ ଆଖି ଛାଡି ଆଉ ଦୃଶ୍ୟମାନ କିଛି ନଥାଏ ।ବୋଉ କହେ ବାପା ଙ୍କୁ , କାନ୍ଧରେ ବସେଇଦିଅ ।ଗହଳିରେ ତାକୁ ଦିଶୁନି ।ଆମେ ପିଲେ ଜଣ ଜଣ କରି ଟେକାହେଉ ଶୂନ୍ୟ କୁ ।ଓହ୍ଲେଇବାକୁ ମନ ବା କାହାର ଥାଏ! ଜଗା ତ ନିତ୍ଯ ସୁନ୍ଦର, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।ବାପା କୁହନ୍ତି, ଦି ହାତ ଟେକି ଦେ ।ସମର୍ପି ହେଇଯା ।ଲକ୍ଷେ ଗହଳିରେ ତା ଚକା ଆଖି ଥରେ ତୋ ଠି ପଡୁ ।ହାତ ଟେକି ରଖିଥା ।" ଆମର ସଭ୍ଯତା ସ୍ନେହ ର,ଶ୍ରଦ୍ଧା ର,କୁଣ୍ଢିଆ ର,ଲମ୍ବ ଦଣ୍ଡବତ ର ,ପ୍ରାଣର, ପ୍ରିୟର ।କିଏ ପ୍ରଭୁ, କିଏ ଭାଇ,କିଏ ବାପା,କିଏ ଧନ କହି ଜଗାକୁ ଡାକୁଥାନ୍ତି, କେତେ କେତେ ଘରର, ବାରିର ପ୍ରଥମ ଫଳ,ଫୁଲ ମୁଠାଏ,ନଡିଆ ଟେ,ଚୁଡାଘଷା ଦିଟା, ପ୍ରଥମ ଶସ୍ଯ, ସବୁ ମୁରବୀ ରଜାକୁ ଯାଚୁଥାନ୍ତି ଲୋକେ । ଜଗା ମହାଖୁସିରେ ହାତ ବଢେଇ ସବୁ ଅର୍ଘ୍ଯ ଘେନୁଥାଏ। ବଡ ଦାଣ୍ଡ ଯାକ ଦୀପ ପସରା, ନଡିଆ ବାଡା, ତୁଳସୀ ଗଦା ।ସବୁଆଡେ ଦିବ୍ଯତା ।ସବୁରି ଆଖି ରେ ପ୍ଲାବନୀ ଗଙ୍ଗା ଲୁହ ହେଇ ବହୁଥାଏ, କେଉଁଠି ଭକ୍ତି, କେଉଁଠି ଅଭିମାନ, ସ୍ନେହ, ରୁଷା, ମାଗୁଣି, ଦୁଃଖ, ସୁଖ ସବୁର ତରଳ ଅଭିବ୍ଯକ୍ତି ଏଇ ଲୁହ ।ଜୀବ ପରମ ଶୁକ ଦୁଇ ରଥ କଳସୀ ଉପରୁ କହୁଥାନ୍ତି ..... ବ୍ରହ୍ମ ସତ୍ଯ ଜଗତ ମିତ୍ଯା ।ମାୟା ଶିଙ୍କୁଳି ଛିଡାଇ ଆସ ହେ ପ୍ରାଣୀ ।ଜଗତ ତାରଣେ ବାହାର ସ୍ବୟଂ ନାରାୟଣ ।


ସ୍କନ୍ଧ ପୁରାଣ କହେ ,


ମହାବେଦୀଂ ବ୍ରଜନ୍ତଂ ତଂ ରଥସ୍ଥଂ ପୁରୁଷୋତ୍ତମମ୍ 

ବଳଭଦ୍ରଂ ସୁଭଦ୍ରାଂଚ ଜନ୍ମ କୋଟି ସମୁଦ୍ଭବମ୍ 

ଦୁଷ୍କପାପଂ ନାଶୟତି ନାତ୍ର କାର୍ଯ୍ୟା ବିଚରଣଂ ।


ସେ ସବୁଦିନ ସତରେ କେତେ ଭଲ ଥିଲେ ।ଏବେ ଖାଲି ସ୍ମୃତି ରେ ହସୁଛନ୍ତି ।ଅଛନ୍ତି ବୋଲି ଜୀଏଁଇ ରଖିଛନ୍ତି ।ଗହଳି ତ ସେବେ ବି ଥିଲା ।ଜଗା ଦାଣ୍ଡ କୁ ଆସିବ ଆଉ ଗହଳି ନହବ ,କି କଥା ! ଗହଳି ଲହଡି ଭିତରେ କିନ୍ତୁ ବିଶୃଙ୍ଖଳା ନଥିଲା ।ସମସ୍ତେ ଜଗାମନସ୍କ ଥିଲେ ।ଭଲପାଇବା ବୁଣିହେଇ ଝରୁଥିଲା ସବୁଠି ।ରଥ ଦିନ ବେଶୀ ଦାଣ୍ଡ ମଣିଷ ଥାନ୍ତି ସାଧାରଣତଃ, ଅର୍ଥାତ୍ ଆଖପାଖ ଗାଁ ଗଣ୍ଡା, ସହର ବଜାର, ଦେଶ ବିଦେଶର ଲୋକେ ।ପୁରୀଆ ମାନେ ଅନେଇ ଥାନ୍ତି ବଡଦାଣ୍ଡ ରେ ରଥ ଠିଆ ହବ .... ଜଗା ବସିଥିବ, ଗହଳି ପତଳା ଥିବ ସେତିକି ବେଳେ ଭେଟା ଭେଟି ।ନିଜ ନିଜ ଦାଣ୍ଡ ପିଣ୍ଢା ରୁ ଉହୁଙ୍କି ଦାଣ୍ଡ ରେ ଯାଉଥିବା ଲୋକଙ୍କୁ ପଚାରିବୁଝୁଥାନ୍ତି, " ଆଏ ରଥ କୋଉଠି ହେଲାଣି କିଅ? କେତେ ବାଟ ଗଡିଲାଣି? " ଉତ୍ତର ଫେରୁଥାଏ ମରିଚିକୋଟ, ବଳଗଣ୍ଡି, ଡାକ୍ତରଖାନା ଛକ, ଗୁଣ୍ଡୁଚା ଘର ।ସେଇଠୁ ହରିବୋଲ ପଡୁଥାଏ ସାହି ଗଳି ଭିତରେ ।ଘରେ ଘରେ ରଥ କୁଣିଆ, ତାଙ୍କ ଚର୍ଚ୍ଚା ରେ ଗୃହିଣୀ ମାନେ ।


ନ 'ଦିନ ସିନା ଗଣିବାରେ କିନ୍ତୁ ପ୍ରକୃତରେ ନିଳାଦ୍ରୀ ବିଜେ ସାରି ନିଳାଦ୍ରୀ ଅବଢା ପାଇବା ଯାଏ ରଥ ।ରଥ ଦାଣ୍ଡ ଘୋ ଘୋ ।କେତେ ବିପଣୀର ମାଳ ଥାକ ।ରଥ ଉପରକୁ ଆମେ ଚଢିଯାଉ ଚକ ଆଉ ପାରାଭାଡି ଦେଇ ।ଖାଲି ପହଣ୍ଡି ପାଇଁ ଚାରମାଳ ଖଞ୍ଜା ହୁଏ ସିନା ।ଭାରି ଭଲ ଲାଗେ ରଥ ଉପରେ ।ଦି ତିନୋଟି ସେବକ ବସିଥାନ୍ତି ।କାଳିଆ, ବଳିଆ, ମାଆ ର ପୁରା ପାଖକୁ ଯାଇ କୁଣ୍ଢେଇ ଗେଲେଇ ଆସୁ ।ରଥରେ ବସୁ ।ଚାରିପଟେ ବୁଲୁ ।ରଥକୁ ରଥ ଡେଇଁ ଆରରଥକୁ ଯାଉ ।ନଡିଆ ବାଡେଇ ଆଟିକା କରୁଥାନ୍ତି ବିଦେଶୀ ଭକ୍ତ ଙ୍କ ଠୁ କୁନି କୁନି ସେବାୟତ ପିଲେ ।ମାଳତୁଳସୀ ଆଳତୀ କର୍ପୂର ବଢେଇଦଉଥାନ୍ତି ଲମ୍ବି ଥିବା ହାତଟି ମାନଙ୍କରେ ।ଭାରି ଖୁସି ଦିଶେ କାଳିଆ, ବନମାଳିଆ ।ରଥ ସବୁ ଆଲୌକିକ ଦିଶୁଥାନ୍ତି ପରିପାଟି ସାଜରେ ।ରଥ ତ୍ରୟର ଗଢଣ କୁ ସ୍ବତନ୍ତ୍ର ।


ବଳିଆର ରଥ ର ନାମ ତାଳଧ୍ବଜ ।ଏହାର ଚକର ସଂଖ୍ୟା ଚଉଦ, ଉଚ୍ଚତା ବତିଶି ହାତ ଦଶ ଆଙ୍ଗୁଳି, ୭୬୩ଟି କାଠ ରେ ଗଢା, ରଥାବରଣ ରକ୍ତ ନୀଳ, ରଥର ରକ୍ଷକ ବାସୁଦେବ, ରଥ ସାରଥି ମାତଳୀ, ଦ୍ବାରପାଳ ନନ୍ଦ ଓ ସୁନନ୍ଦ, ରଥ ରଜ୍ଛୁ ବାସୁକୀ,ରଥ ଦେବତା ବ୍ରହ୍ମା ଓ ଶିବ,ରଥର ନେତ ଉନ୍ନନୀ ।


ମହାଦେବୀ ସୁଭଦ୍ରା ଙ୍କର ରଥର ନାମ ଦର୍ପଦଳନ ବା ଦେବୀଦଳନ ।ରଥରେ ସୁଦର୍ଶନ ଚକ୍ରାଧିରାଜ ବିଜେ, ରଥାୟୁଧ ପଦ୍ମକଲ୍ହାର, ରଥର ଉଚ୍ଚତା ଏକ ତିରିଶ ହାତ, ରଥ କାଠ ସଂଖ୍ୟା ୫୯୩ ଖଣ୍ଡ, ରଥ ଚକ ବାର, ରଥାବରଣ କୃଷ୍ଣ ଲୋହିତ,ରଥ ରକ୍ଷକ ଜୟ ଦୁର୍ଗା,ଉଗ୍ରଚଣ୍ଡୀ ସାରଥି ଅର୍ଜୁନ, ଦ୍ବାରପାଳିକା ଭୁବନେଶ୍ବରୀ, ଚକ୍ର, ଗଙ୍ଗା ଓ ଯମୁନା ।ରଥାଶ୍ବ ନାମେ ରୋଚିକା, ମୋଚିକା, ଜିତା, ଅପରାଜିତା ।ରଥ ରଜ୍ଜୁ ସ୍ବର୍ଣ୍ଣ ଚୂଡା ନାମ୍ନୀ ନାଗ,ରଥ ନେତ ନାଦାମ୍ବିକା ।


ଜଗତନାଥ ଆମ ଜୀବଜୀବନ କାଳିଆର ରଥର ନାମ ନନ୍ଦିଘୋଷ,ଆୟୁଧ ଶଂଖ, ଚକ୍ର, ଉଚ୍ଚତା ତେତିଶ ହାତ ପାଞ୍ଚ ଆଙ୍ଗୁଳି, ରଥ କାଠ ସଂଖ୍ୟା ୮୩୨ ଖଣ୍ଡ, ଚକ ସଂଖ୍ୟା ଷୋହଳ, ରଥାବରଣ ପୀତ ଲୋହିତ ,ରଥ ରକ୍ଷକ ଗରୁଡ, ସାରଥି ନାମ ଦାରୁକ, ଦ୍ବାରପାଳ ଜୟ ଓ ବିଜୟ, ରଥ ଅଶ୍ବ ମାନେ ହେଲେ ଶଙ୍ଖ, ବାହକ,ଶ୍ବେତ,ଓ ହରିଦ୍ବାଶ୍ବ ,ରଥ ରଜ୍ଛୁ ଶଙ୍ଖଚୂଡା ପାଣି ନାଗୁଣୀ, ରଥଦେବୀ ଯୋଗମାୟା,ପାର୍ଶ୍ବଦେବତା ହନୁମାନ, ଶ୍ରୀରାମ,ଲକ୍ଷ୍ମଣ,ନାରାୟଣ, ଶ୍ରୀକୃଷ୍ଣ, ଗୋବରର୍ଦ୍ଧନଧାରୀ,ଚିନ୍ତା ମଝି,ରାଘବ,ଶ୍ରୀ ନୃସିଂହ, ରଥ ଶକ୍ତି ଶ୍ରୀ ବିରଜାଦେବୀ,ଓ ଶ୍ରୀ ବିମଳାଦେବୀ ,ଧ୍ବଜାଧିପତି ଶଙ୍କଟମୋଚନ ମହାବୀର, ରଥନେତର ନାମ ତୈଲୋକ୍ଯମୋହିନୀ ଏବଂ ରଥାଧିଶ୍ବର ସ୍ବୟଂ ଜଗନ୍ନାଥେ ।ଉତ୍କଳିୟ କଳାର ପରିଚୟ ପଟ୍ଟଚିତ୍ର ହିଁ ରଥ ଚିତ୍ର ର ପଟ୍ଟଭୁମି ।ଆହାଃ କି ସୁନ୍ଦର ଠାଣୀ ରେ ଗଢା ।ହେଙ୍ଗୁଳ,ପଚା,ହରିଦ୍ରା, ପିଙ୍ଗଳ,ଲୋହିତ, ଶ୍ବେତ, ନେଳିଆ ଆଦି ଆଦି ବିଭିନ୍ନ ରଙ୍ଗ ରେ ଲଟା,ହଂସ,ଓ ଦେବଦେବୀ ମାନେ କାରିଗର ହାତ ଦେଇ ଜୀବନ୍ଯାସ ପାଇଥାନ୍ତି ।


ଏବେ ତ କେତେ କଟକଣା ।ଯୋଉ ଜଗାକୁ ଆପଣାର ହୃଦରେ ଲଗେଇ ଘସି ବସି ତା ସହ ମେ ଆସୁଥିଲୁ, ତାକୁ ଏବେ କୋଶେ ଦୂରରୁ ଦେଖି ଦି ହାତ ଟେକୁଛୁ । 

ନ ଦିନ ଯାଏ ବୟସ୍କ ଗୃହୀ ମାନେ ହବିଷ୍ଯ ପାଳନ ପୂର୍ବକ ଗୁଣ୍ଡୁଚା ଘରଠି ରହଣୀ କରନ୍ତି ।ସେପଟେ ଅବଢା ଏପଟ ଅବଢା ଠୁ ଭିନ୍ନ ସୁଆଦ ଦିଏ ।ଗୁଣ୍ଡୁଚା ରାଣିଙ୍କ ର ପ୍ରତିକ୍ଷାର ଅନ୍ତ ହୁଏ ।ପୁଣି ବରଷେକୁ ତପସ୍ୟା ପରି ଚାହଁ ବସନ୍ତି ।ସେପଟ କୂଅ ସବୁ ଉଝଳା ହୁଏ ।ବାବନା ଭୁତ ଜଗିଥିବା ଦେଉଳ ଚଳ ଚଞ୍ଚଳ ଜୀବନ୍ତ ହୋଇଉଠେ ଏଇ ନ 'ଦିନ ।ନବବଧୂ ପରି ସଜେଇ ହଉଥାଏ ପ୍ରତିଦିନ ।ଏଇ ନବ ଦିନଯାତ୍ରା ଭିତରେ ଉଲ୍ଲେଖ ଯୋଗ୍ୟ ନିତି କାନ୍ତି ଭିତରେ ହେରା। ପଞ୍ଚମୀ, ସଂଧ୍ୟା/ ନବମୀ ଦର୍ଶନ ,ଲକ୍ଷ୍ମୀ ନାରାୟଣ ଭେଟ, ବାହୁଡା ଯାତ, ଏକାଦଶୀରେ ତିନି ଦିଅଁ ଙ୍କ ରଥ ଉପରେ ସୁନାବେଶ, ଦ୍ବାଦଶୀ ରେ ଅଧରପଣା ନୀତି, ତ୍ରୟୋଦଶୀରେ ନିଳାଦ୍ରୀ ବିଜେ, ମହାଲକ୍ଷ୍ମୀ ଙ୍କର ଚାହାଣୀ ମଣ୍ଡପରେ ଜଗନ୍ନାଥେଙ୍କୁ ବାଙ୍କଚାହାଣୀ ନୀତି, ପନ୍ତି ବଢା,ନାଟ ମଣ୍ଡପ ରେ ବିଭୀଷଣ ବନ୍ଦାପନା, ଜୟ ବିଜୟ ଦ୍ବାର ଠି ଲକ୍ଷ୍ମୀ ନାରାୟଣ ରୁଷା ପର୍ବ, ରସଗୋଲା ଭୋଗ ଆଦି ଅନ୍ଯତମ ।ଏ ପ୍ରତ୍ୟେକ ଟି ଗୋଟିଏ ଗୋଟିଏ କିମ୍ବଦନ୍ତୀ ।କହୁଥିଲେ କହୁଥିବି, ନ ସରିବ ।ପ୍ରତ୍ଯକ ଟି ସହ ହଜାରେ ଅନୁଭୂତି । 


 ଶ୍ରୀଜଗନ୍ନାଥ ସଂସ୍କୃତି ରେ ରୁଦ୍ଧିମନ୍ତ ଆମ ଓଡିଆ ସଂସ୍କୃତି ।ଶ୍ରୀଜଗନ୍ନାଥ ଚେତନା କଳିଙ୍ଗର ଧର୍ମ, ଭାବଧାରା ଓ ଜୀବନ ସହ ଓତଃପ୍ରୋତ ଭାବରେ ଜଡ଼ିତ ।


ଜୟ ଜୟ ଜଗନ୍ନାଥ ।


Rate this content
Log in

Similar oriya story from Classics