ସଙ୍ଗରୋଧର ସମୟ-୩
ସଙ୍ଗରୋଧର ସମୟ-୩


ପ୍ରିୟ ଡାଏରୀ,
ସଙ୍ଗରୋଧର ଏଇ ସମୟ ସତରେ କେଡ଼େ ମହାର୍ଘ!
**
ତୁ ଫୋନ କରିଥିଲୁ ଆଜି,ଏତେ ବର୍ଷ ପରେ!ପଚାରିଲୁ,"କେମିତି ବିତୁଚି ସମୟ ଘରେ, ସଙ୍ଗରୋଧରେ?"
ତୋର ଏଇ ପ୍ରଶ୍ନ ମନେ ହେଲା ବେଶ ରୋମାଞ୍ଚକର।ତୋର ଅକସ୍ମାତ ଫୋନ ପରି।ତୋ ପରି।ଆଜୀବନ ତୁ ରୋମାଂଚ ହୋଇ ରହିଲୁ ମୋ ପାଇଁ।
ମୁଁ ତୋ ପ୍ରଶ୍ନର ଉତ୍ତର ନଦେଇ ପଚାରିଲି-"କେମିତି ମନେ ପଡ଼ିଲି ମୁଁ, ଏତେଦିନ ପରେ,ଏମିତି ଦୁର୍ଦ୍ଦିନରେ?"
ତୁ ହସିଲୁ-"ତୋ କଥା ସବୁଦିନ ମୋର ମନେ ପଡ଼େ।ଭାବେ ତୋତେ ଫୋନ କରିବି।ସଙ୍କୋଚ ଲାଗେ କାଳେ ତୁ ବ୍ୟସ୍ତ ଥିବୁ।ଏବେ ଲକଡାଉନ ସମୟରେ ତୁ ଫ୍ରି ଥିବୁ ଭାବି ଫୋନ କଲି।"
ଏତେ ବର୍ଷ ପରେ ତୁ କିଛି ବି ବଦଳିନୁ, ନନ୍ଦିତା।ସେଇ ଯେ ଶେଷ ଥର ପାଇଁ ତୋ ସହ କଥା ହୋଇଥିଲି ଫୋନରେ ଓ ତୁ ବାରଣ କରିଥିଲୁ ଆଉ କେବେ ଫୋନ କରିବା ଲାଗି।କେତେ ବର୍ଷ ତଳର କଥା ଇଏ?ପ୍ରାୟ ବାର ବର୍ଷ ତଳର।
ମୋର ନୀରବତାରେ ତୁ ପୁଣି ପ୍ରଶ୍ନ କଲୁ-"କହିଲୁନି ତ କେମିତି ବିତୁଚି ତୋର ସମୟ ଏବେ, ଏଇ ସଙ୍ଗରୋଧରେ?"
-"ଟିଭି ଦେଖୁଚି, ବହି ପଢୁଛି, ପୁଅ ସହ ଖେଳୁଚି।ବାସ, ବିତି ଯାଉଛି ସମୟ।ତୋ କଥା କହ।କେମିତି ବିତୁଚି ତୋର ସମୟ ଏବେ?"
-"ମୁଁ ତ ସଙ୍ଗରୋଧରେ ଅଛି ଗତ ଦଶ ବର୍ଷ ଧରି।ଆତ୍ମନିର୍ବାସନ କହିଲେ ଭଲ ହେବ।"ତୋ କଣ୍ଠସ୍ୱର ଅବିଚଳିତ।
-"ମାନେ.... ତୋ ଘର, ପରିବାର?"ମୁଁ ଯେମିତି ଛିଡ଼ି ପଡ଼ିଲି ଆକାଶରୁ।
-"ଥାଉ ଆଜି।ଭଲରେ ଥାଆ ସପରିବାର।"ଏତିକି କହି ତୁ ଫୋନ କାଟିଦେଲୁ।
ମୁଁ କଲ ବ୍ୟାକ କଲି।କିନ୍ତୁ ତୋ ଫୋନ ସୁଇଚ ଅଫ ହୋଇ ଯାଇଥିଲା।
ନନ୍ଦିତା, ଏତେ ବର୍ଷ ପରେ ଏଇ ସଙ୍ଗରୋଧର ସମୟରେ ତୋର ଫୋନ।ଅଥଚ ଏତେ ସଂକ୍ଷିପ୍ତ!ଗତ ଦଶ ବର୍ଷ ଧରି ତୁ ଅଛୁ ଆତ୍ମନିର୍ବାସନରେ।କିନ୍ତୁ କାହିଁକି?ଏ ରହସ୍ୟରେ ମୋତେ ଛାଡ଼ି ତୁ ଫୋନ କାଟିଦେଲୁ।ସବୁଦିନେ ତୁ ଏମିତି।
ସଙ୍ଗରୋଧର ଏଇ ସମୟ ଆସି ନ ଥିଲେ ହୁଏତ ତୁ ଫୋନ କରି ନ ଥାନ୍ତୁ।ହୁଏତ ମୁଁ ରୋମାଂଚିତ ହୋଇ ନ ଥାନ୍ତି ତୋ ସ୍ମୃତିରେ।ଭଲରେ ଥାଆ, ନନ୍ଦିତା।