Sudeshna Misra

Classics Inspirational Others

3.8  

Sudeshna Misra

Classics Inspirational Others

ସ୍ନେହର ବନ୍ଧନ

ସ୍ନେହର ବନ୍ଧନ

3 mins
279


ପୋଷ୍ଟମ୍ଯାନ୍ ଆଣି ଗୋଟିଏ ବଡ଼ ଲଫାପା ଦେଇଗଲା ଆମ ଅଫିସରେ। ଟିକେ ମୋଟା ଲଫାପା ଟିଏ, ମଝିଟା ଫୁଲୁକା ଥାଏ। ରାକ୍ଷୀ ପୂର୍ଣ୍ଣିମା ଆଉ ଦୁଇଦିନ ପରେ, ତେଣୁ ଲାଗୁଥାଏ ରାକ୍ଷୀ ପରି।ଲଫାପା ଉପରେ ଲେଖାଥିଲା ବାସବ ମହାପାତ୍ର। ଅଫିସ୍ ର ଫାଇନାନ୍ସ ଓ ଆଡମିନ୍ ଦାୟିତ୍ବ ରେ କାର୍ଯ୍ୟରତ ଥିଲେ ବାସବ। ତାଙ୍କ ଭଉଣୀମାନେ ପଠେଇ ଥିବେ। ବାସବ ପୋଷ୍ଟମ୍ଯାନ୍ ପାଖରୁ ଲଫାପାଟି ନେଇ ନିଜ ପାଖରେ ରଖିଲେ । 


ସେହି ଅଫିସ୍ ରେ ମତେ ମିଶେଇ ଚାରିଜଣ କର୍ମଚାରୀ। ଜଣେ ପ୍ରୋଗ୍ରାମ ମ୍ୟାନେଜର, ଯିଏକି ଟିମ୍ ଲିଡ୍‌କରୁଥିଲେ । ଜଣେ ଆଡମିନ୍ ଓ ଫାଇନାନ୍ସ ଦେଖୁଥିଲ ଓ ଦୁଇଜଣ ପ୍ରୋଗ୍ରାମ ଅଫିସର୍ ଥିଲେ। ମୋ ସହିତ ଆଉଜଣେ ପ୍ରୋଗ୍ରାମ ଅଫିସର୍ ଥିଲେ।ଯଦିଓ ପ୍ରୋଗ୍ରାମ ମ୍ୟାନେଜର ଓ ଅନ୍ୟ ପ୍ରୋଗ୍ରାମ ଅଫିସର୍ ଜଣଙ୍କ ଚାକିରୀରେ ମୋଠୁ ସିନିୟର୍ ଥିଲେ କିନ୍ତୁ ସେଠି ଯେତେ ଜଣ କର୍ମରତ ଥିଲେ ସମସ୍ତଙ୍କ ଠାରୁ ମୁଁ ବୟସରେ ବଡ଼ ଥିଲି। ତେଣୁ ସମସ୍ତେ ମତେ ଯଥା ମାନ୍ଯ କରୁଥିଲେ। ସମସ୍ତେ ସେତେବେଳେ ଅଫିସ୍ ପରିସର ଭିତରେ ରହୁଥିଲେ। ମୁଁ କିଛିଦିନ ପରେ ଅଫିସ୍ ପାଖରେ ଅଲଗା ଗୋଟିଏ ଭଡାଘର ନେଇ ରହିଲି। ଆମ ଅଫିସ୍ ଥିଲା ମାଲକାନଗିରିରେ।


ମାଲକାନଗିରି ହେଉଛି ଓଡିଶାର ଉପାନ୍ତ ଜିଲ୍ଲା ଏହାର ସୀମା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ରାଜ୍ଯକୁ ଲାଗିଛି। ପାହାଡ଼ ଜଙ୍ଗଲ ଭରା ଜିଲ୍ଲାଟି ଆଦିବାସୀ ବହୁଳ ଅଞ୍ଚଳ। ଆଦିବାସୀମାନେ ବେଶ୍ ସରଳ ଭାବରେ ଜୀବନ ଯାପନ କରନ୍ତି, ତେଣୁ ସେଠିକାର ମୂଳ ବାସିନ୍ଦା ମାନଙ୍କୁ ଭଲ ଲାଗେ। ଏହା ଆମ ରାଜଧାନୀ ଭୂବନେଶ୍ବର ଠାରୁ ପ୍ରାୟ ସାତଶହ କିଲୋମିଟର ଦୂର। ତାଠୁ ଆହୁରି ଦୂର ମୋ ନିଜଘର କଟକ ଠାରୁ। ଜିଲ୍ଲାର ସଦର ମହକୁମା, ମାଲକାନଗିରି ଛୋଟ ସହରଟି ଏ। ବହୁତ ବେଶୀ ଦୋକାନ ବଜାର ନାହିଁ କି ସିନେମା ଥିଏଟର ହଲ୍ ନାହିଁ। ତେଣୁ ମନୋରଞ୍ଜନ ର ମାଧ୍ୟମ ଟିଭି‌ ଛଡ଼ା ଅନ୍ୟ କିଛି‌ନଥିଲା। ଯେହେତୁ ଆମେ ସମସ୍ତେ ନିଜ ନିଜର‌ ମୂଳ‌ ପରିବାରଠୁ ସେଠି ଦୂରରେ ରହୁଥିଲୁ, ଅଫିସ୍ କାମ ଛଡା ସମୟ ବିତେଇ ବା ପାଇଁ ଗପସପ କରୁ ଓ ଦୁଃଖ ସୁଖ ହେଉ। ମୁଁ ଟିଭି‌ ଦେଖିବାକୁ ମଧ୍ୟ ବେଶୀ ଭଲ ପାଏନି। ତେଣୁ ସେଇ ଦୁଃଖ ସୁଖ ଭିତରେ, ସମସ୍ତଙ୍କ ସହ କେମିତି ଏକ ସାମାଜିକ ସମ୍ପର୍କ ଗଢିଉଠୁଥିଲା। 


ପରିବାର ଅବା ସମ୍ପର୍କୀୟ, କେହିବି ନଥିଲେ ସେଠି। ବନ୍ଧୁ ବାନ୍ଧବ, ସାଙ୍ଗସାଥୀ ଙ୍କ ଠାରୁ ଦୂରରେ ରହୁଥିବା ଜନିତ ନିଜର ଏକାକୀପଣକୁ ଦୂର କରୁଥିଲା ସେଇ ସମ୍ପର୍କ। ଆତ୍ମୀୟତା ବଢ଼ି ଉଠୁଥିଲା କ୍ରମେ କ୍ରମେ। ବହୁତ ସମୟରେ ଗୋଟେ ପରିବାର ପରି ଲାଗେ। ଏକାଠି ମେସ୍ ରେ ରୋଷେଇ ହୁଏ। ଏକାଠି ଖାଉ। ଅଫିସ୍ କାମ ପରେ ସନ୍ଧ୍ୟା ବେଳେ ମୁଢ଼ି ବାରମଜା ସହ ଚାହା। ମାଲକାନଗିରିର ଦୁର୍ଗାଗୁଡି ସାହିରେ ଥିଲା ଆମ ଅଫିସ୍। ଚାରି ବଖରା ଘର ଓ ଗୋଟେ ରୋଷେଇ ଘର। ଦିପଟେ ଦୁଇଟି ପିଣ୍ଡା। ଦୁଇ ବଖରା ଘରେ ଅଫିସ୍ ହୁଏ । ଅନ୍ଯ ଦୁଇଟି ବଖରା ମଧ୍ୟରୁ ଗୋଟିକରେ ପ୍ରୋଗ୍ରାମ ମ୍ୟାନେଜର ସପରିବାର ରହୁଥିଲେ। ଅନ୍ୟଟି ଅତିଥି ତଥା ଦାଣ୍ଡଘର। ସେଇ ଦାଣ୍ଡଘରେ ମୁଁ ବି କିଛିଦିନ ରହିଥିଲି। ଅନ୍ୟପଟେ ଅଫିସ ଚାଲୁଥିଲା । 


ସେଦିନ ସକାଳୁ ମୁଁ ପ୍ରସ୍ତୁତ ହେଇ ଅଫିସ୍ ଆସିଲି। ଅଫିସ୍ ରେ ଦେଖିଲି ବାସବ ଗୋଟେ ପ୍ଯାକେଟ୍ ଖୋଲି ନିଜ ହାତରେ ରାକ୍ଷୀ ବାନ୍ଧିବାକୁ ଚେଷ୍ଟା କରୁଛି। ମନେ ପଡ଼ିଗଲା, ସେଦିନ ରାକ୍ଷୀ ପୂର୍ଣ୍ଣିମା। ଆମ ଅଫିସ ଛୁଟି ନଥିଲା। ଅଫିସ୍ ରେ ଆଉ କେହି ନଥିଲେ। ମୁଁ ଲକ୍ଷ୍ୟ କରୁଥିଲି ସେ ଗୋଟେ ହାତରେ ରାକ୍ଷୀ ବାନ୍ଧିବାକୁ ଚେଷ୍ଟା କରି ସଫଳ ହେଉନଥିଲା। ହଠାତ୍ ବାସବ ମତେ କହିଲା, " ସୁଦେଷ୍ଣା ମ୍ଯାଡାମ୍ ଏ ରାକ୍ଷୀ ଟା ବାନ୍ଧିଦେଇ ପାରିବେ। ଆପଣତ ମୋ ମଞ୍ଜୁନାନୀର ସାଙ୍ଗ, ମତେ ମଞ୍ଜୁନାନୀ ବାନ୍ଧିଲା ପରି ଲାଗିବ।" ବାସବର ଭାବପ୍ରବଣତା ବି ମତେ ଛୁଇଁ ଗଲା, ପ୍ରଭାବିତ ହୋଇ ଗଲି। ମତେ ବି ଲାଗିଲା ମୁଁ ମୋ ସାନଭାଇ କୁ ରାକ୍ଷୀ ପିନ୍ଧୋଉଛି। ଆଉ ଘରଠୁ ସୁଦୂର ରେ ରହି ମଧ୍ୟ ପାଖରେ ଭାଇଟିଏ ଥିଲାପରି ଲାଗିଲା। 


ୟାଭିତରେ ଦୁଇବର୍ଷ ବିତିଗଲା , ଆମ ଅଫିସ୍ ମାଲକାନଗିରି ରୁ କୋରାପୁଟ ଉଠି ଆସିଲା। ଦିନେ ମତେ ଜର ଜର ଲାଗିଲା। କୋରାପୁଟ, ମାଲକାନଗିରି ମ୍ଯାଲେରିଆ ପ୍ରବଣ ହେତୁ ମୁଁ ଡେରି ନକରି ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରେଇ ଦେଲି। ଆଉ ରିପୋର୍ଟ ଆସିଲା ପଲସିଫେରମ୍ । ଯାହାକୁ ଆମେ ସାଧାରଣ ଲୋକେ ବ୍ରେନ୍ ମ୍ୟାଲେରିଆ କହିଥାଉ। କଟକରେ ଘରେ ସମସ୍ତେ ଶୁଣି ବହୁତ ଚିନ୍ତିତ ଓ ବ୍ଯସ୍ତ ହେଇଗଲେ। ମୋର ଜର ଓ ଦେହ ମୁଣ୍ଡ ବିନ୍ଧା ବଢିବାରେ ଲାଗିଥାଏ। ଅବସ୍ଥାର ଗୁରୁତ୍ବ ଦୃଷ୍ଟିରୁ ତୁରନ୍ତ ହସ୍ପିଟାଲ ରେ ଆଡମିଟ୍ ହେବାକୁ ବାବା ପରାମର୍ଶ ଦେଲେ। କାରଣ ମୁଁ ସେଠି ଏକୁଟିଆ ରହୁଥିଲି ଆଉ ଏଇ ଜରଟା ଆହୁରି ଗୁରୁତର ହେବାର ଆଶଙ୍କା ଥିଲା। ସେଠି ଆଉ ନିଜ ଲୋକ କେହିବି ନଥିଲେ। ବହୁତ ନିରାଶ୍ରୟ ବୋଧ କରୁଥାଏ। ବାସବ ଛଡ଼ା ଆଉ କିଏ ଅଛି ଏଠି। ମୁଁ ସାଙ୍ଗେ ସାଙ୍ଗେ ବାସବଙ୍କୁ ଫୋନକରି ଏକଥା ଜଣେଇଲି। ସେ ଅଫିସ୍ ରେ ଥିଲା।


"ମଟର ସାଇକେଲ ରେ ଯାଇପାରିବେ" ପଚାରିଲା ବାସବ


ମୁଁ କହିଲି"ହଁ। କିନ୍ତୁ ମୁଁ ଡାକ୍ତରଖାନା ଯିବିନି"

"ହଉ ବ୍ଯସ୍ତ ହୁଅନ୍ତୁନି, ସବୁ ଠିକ୍ ହେଇଯିବ" 

 

ମାନସିକ ସ୍ତରରେ ଟିକେ ନିଶ୍ଚିନ୍ତ ଲାଗିଲା।


କିନ୍ତୁ ଜରର ପ୍ରକୋପରେ ମୁଣ୍ଡବିନ୍ଧା ଆଉ ଶରୀରରେ ଭୀଷଣ କଷ୍ଟ ହେଉଥାଏ। ଆଖି ଖୋଲୁନଥାଏ ମୁଁ। ଗୋଟେ ସମୟରେ ଲାଗୁଥିଲା, ମୁଁ ଆଉ ବଞ୍ଚିବି କି ନାଁହିଁ। । ଡାକ୍ତର ଆସି ମତେ ଦେଖି ପରୀକ୍ଷା କରୁ ଥାଆନ୍ତି। ବାହାରୁ ଔଷଧ ଆଣିଦେବା, ପଥି ଇତ୍ୟାଦି ମୋର ଯାହା ଦରକାର, ତାହା ମୋତେ ଯୋଗେଇ ଦେଉଥାଆଏ ବାସବ। ଯା ହେଉ ହସ୍ପିଟାଲ କୁ ନଯାଇ ମୁଁ ସୁସ୍ଥ ହେବାକୁ ଆରମ୍ଭ କଲି। ସେତେବେଳେ ଭାବୁଥିଲି, ଖାଲି ସେବା ନୁହେଁ, ସାହାସ କରି ଗୋଟିଏ ରୋଗୀର ଦାୟିତ୍ବ ନେବା ଆଉ ଭରସା ଦେବା ଏତେ ସହଜ କଥା ନୁହେଁ। ସତରେ ଭାଇ ପରି କାମ କରିଥିଲା ବାସବ। ସ୍ନେହ ମିଶା ମାନବିକତାର ସ୍ପର୍ଶ। ବୁଝିପାରିଥିଲି ସ୍ନେହର ସମ୍ପର୍କ କେବଳ ରକ୍ତସମ୍ପର୍କୀୟ ଭିତରେ ସୀମିତ ନୁହେଁ। ଆଉ ବାଇଶି ବର୍ଷ ହେଲାଣି ଆଜି ପର୍ଯ୍ୟନ୍ତ ସେ ମମତାର ଡୋରୀ ଛିନ୍ନ ହୋଇନାହିଁ।

 


 


Rate this content
Log in

Similar oriya story from Classics