Lalita Mohan Mishra

Drama Romance Classics

4.1  

Lalita Mohan Mishra

Drama Romance Classics

ସ୍ମୃତିର ସ୍ବାକ୍ଷର

ସ୍ମୃତିର ସ୍ବାକ୍ଷର

7 mins
383



ଯେମିତି ସମୟ ସୁଅରେ ଯେତେ ଝଡ ଆସିଲେ ମଧ୍ୟ ଲିଭେଇ ପାରେନି ସ୍ମୃତିର ଦୀପ । ସେମିତି ଜୀବନ ସାଗରରେ ଯେତେ ଢେଉ ଆସିଲେ ମଧ୍ୟ ଧୋଇ ଦେଇ ପାରେ ନାହିଁ ସ୍ମୃତିର ସ୍ତୁପ । ସମୟର ଋତୁ ଚକ୍ରରେ ସବୁ ପରିବର୍ତ୍ତନ । ସ୍ମୃତି କେବେ ଭଙ୍ଗା ସିଲଟରେ ଲେଖା ଯାଇଥିବା ଖଡିର ଗୋଟିଏ ଗାର ନୁହେଁ । ସ୍ମୃତି ସଦାସର୍ବଦା ଜୀବନ୍ତ ଏବଂ ମଧୁର, ସ୍ମୃତି ହୃଦୟରେ ସାଇତି ରଖିଥିବା ଗୀତଟିଏ ମୀତଟିଏ । ମନେ ପଡେ ସେଦିନର କଥା । ରଜ ପର୍ବ ପାଇଁ ଯାଇଥାଏ ମାମୁଁ ଘରକୁ । ରଜ ଦୋଳି ଖେଳୁ ଥିବା ସମୟରେ ହଠାତ୍ ତୁମ ଉପରେ ନଜର ପଡିଲା । ତୁମର ସେ ପୁରିଲା ଢଳ ଢଳ ରୁପ ଯୌବନ । ସରଳ ନୀରିହ ଚାହାଣୀ । ଆଖିରେ ଏକ ପ୍ରକାର ଯାଦୁ । ପ୍ରଥମ ଦେଖାରେ ତୁମେ ମନ କିଣିନେଲ । କଳାନାଗ ଫଣା ପରି ତୁମର ସେ ଲହ ଲହ ଲମ୍ବା ବେଣୀ । ମନକୁ ମୋର ମନ୍ତ୍ରମୁଗ୍ଧ କରି ନେଇଥିଲା । ତୁମର ସେହି ନୀରିହ ଆଖିରେ ମୁଁ ଦେଖି ପାରିଥିଲି ଏ ଦୁନିଆ । ଯେଉଁ ଦୁନିଆରେ ଭରି ରହିଥିଲା ପ୍ରେମର ଗୋଲାପ, ସ୍ନେହର ଶତାଧିକ ତରଙ୍ଗାୟିତ ଢେଉ ଓ ବିଶ୍ବାସର ନୀଳ ସବୁଜିମା ଭରା ଉଦ୍ୟାନ । ସେତେବେଳେ ହିଁ ମୁଁ ନିଜକୁ ସମର୍ପି ଦେଲି ତୁମରି ପାଖରେ । ହୃଦୟର ଗଭୀରତମ ପ୍ରଦେଶରେ ତୁମେ ସଦାସର୍ବଦା ପାଇଁ ରହିଗଲ । ପ୍ରଥମ ଦେଖାରେ ଗଢି ସାରିଥିଲି ଜନ୍ମ ଜନ୍ମାନ୍ତରର ସମ୍ପର୍କ । ପ୍ରଥମ ଦେଖା ପ୍ରଥମ କଥାରେ ଲାଗିଥିଲ ଅତି ଆପଣାର । ଲାଗୁଥିଲା ଯେମିତି ଆମେ ଦୁହେଁ ପୂର୍ବରୁ ଅତି ପରିଚିତ । ସନ୍ଧ୍ୟାରେ ସେଦିନ ନୁଆଁଣିଆ ଚାଳଘର ଭିତରକୁ ପସିଗଲା ବେଳକୁ ଭାରି ଅନ୍ଧାର । ଘର ଭିତରର ଅନ୍ଧାରରେ ହଠାତ୍ ତୁମ ସହ ଧକ୍କା ହେବାରୁ ତୁମେ କହିଥିଲ - ଏ କେତେ ଦୁଷ୍ଟ ତୁମେ ମ... । ମୁଁ ଲାଜେଇ ଯାଇଥିଲି । ତୁମେ ମୋର ମନୋଭାବକୁ ବୁଝିପାରି କହିଲ - ହଁ ସେମିତି ବେଳେ ବେଳେ ହୋଇଯାଏ' । ତୁମେ ମୁରୁକି ହସି ଦେଇ ଗଲାବେଳେ, ମୁଁ ପଚାରିଲି ତୁମ ନାଁ ଟା କ' ଣ ? ମୋ ନାଁ ସ୍ମୃତି.. କହି ଚାଲି ଯାଇଥିଲ ଓ ମୁଁ ଅପଲକ ନୟନରେ ତୁମର ସେ ଅପରୂପ ସୌନ୍ଦର୍ଯ୍ୟକୁ ଚାହିଁ ରହିଥିଲି । ଖିଆ ପିଆ ସରିବା ପରେ ରାତିରେ ଭିଡିଓ ଦେଖିବା ପାଇଁ ଭିଡ ଜମିଥିଲା ଗାଁ ଦାଣ୍ଡରେ । ତୁମେ କେଉଁଠି ହେଲେ ବସିବାକୁ ଯାଗା ନ ପାଇ ମୋ ପାଖରେ ଅଳପ ଯାଗାରେ ଯାକ ଯୁକି ହୋଇ ବସି ଯାଇଥିଲ । ବିଳମ୍ବିତ ରାତି ଓ ଦିନରେ ଦୋଳି ଖେଳର ଥକ୍କାପଣ ଯୋଗୁଁ ତୁମେ, ତୁମର ମୁଣ୍ଡ ଅଜାଣତରେ ମୋର କାନ୍ଧ ଉପରେ ରଖି ଶୋଇ ଯାଇଥିଲ । ତୁମେ ସିନା ଶୋଇ ଯାଇଥିଲ, ମୋର କିନ୍ତୁ ଆଖିର ପଲକ ପଡି ନ ଥିଲା । ମୁଁ ତୁମର ସେ ରୂପ ଲାବଣ୍ୟ ଭରା ମୁଖ ମଣ୍ଡଳକୁ ଦେଖୁଥିଲି । ମୋ କାନ୍ଧକୁ ଯେତେ କଷ୍ଟ ହେଉଥିଲେ ମଧ୍ୟ, ମୁଁ ତୁମକୁ ଉଠାଇ ନ ଥିଲି । ତୁମ ସୁନ୍ଦର ମୁଖମଣ୍ଡଳ ଦେଖି ଦେଖି କେତେ ବେଳେ ରାତି ପାହିଗଲା, ତାହା ନିଜେ ଜାଣି ପାରିଲି ନାହିଁ । ନିଦ ଭାଙ୍ଗିବା ପରେ ଅଳସ ଆଖିରେ ଲାଜ ଲାଜ ଚାହାଣୀରେ ତୁମେ ଚାହିଁଥିଲ ମୋତେ । ଆଉ ମୁଁ ବି ତୁମକୁ । ଦୁହିଁଙ୍କ ଆଖି ଏକାକାର ହୋଇ ଯାଇଥିଲା ଆମର ପ୍ରେମ । କିଛି ସମୟ ପରେ ଆଖି ପତା ତଳକୁ କରି ମୁହଁ ଲୁଚାଇ କଣେଇ କଣେଇ ଲାଜରେ ଲାଜେଇ ଉଠି ଚାଲିଗଲ । ହେଲେ ତୁମର ସେ ଅଭୁଲା ସ୍ମୃତି, ସେ ସୁନ୍ଦର ମୁଖମଣ୍ଡଳ ମୋ ହୃଦୟ ବଗିଚାରେ ଆଙ୍କି ଦେଲ ଏକ ନିଆରା ଗାର । ତୁମର ସେହି ଲାଜୁଆ ଚାହାଣୀ, ମୋ ଖୋଲା ହୃଦୟରେ ଲେଖି ହୋଇ ଯାଇଥିଲା ଏକ ଅଭିନ୍ନ କାହାଣୀ । ତୁମର ସେ ଚିତ୍ରପଟଟି ମୋ ମନ ହୃଦୟରେ ସବୁଦିନ ପାଇଁ ଆଙ୍କି ହୋଇ ରହି ଯାଇଥିଲା । ରଜ ସରିଲା, ମାମୁଁ ହର ଗାଁ ରୁ ପଳାଇ ଆସିଥିଲି । ପରେ ଶୁଣିଲି ତୁମେ ଘନ ସାର୍ ଙ୍କ ଝିଅ । ତୁମକୁ ପୁନର୍ବାର ଦେଖିବା ପାଇଁ ଯେତିକି ବ୍ୟାକୁଳତା ଥିଲା, ପରେ ସେତିକି ସମୟ ପାଇ ପାରି ନାହିଁ । ନିଜର ପାଠପଢା କ୍ୟାରିୟର ଗଠନ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲି । କିନ୍ତୁ ମନର କେଉଁ କୋଣରେ ହେଉ ନା କାହିଁକି ତୁମେ ସଦାସର୍ବଦା ବସା ବାନ୍ଧି ରହି ଯାଇଥିଲ । ହେଲେ ବିଡମ୍ବନାର ବିଷୟ ସେହି ପ୍ରଥମ ଦେଖା ଆମର ଶେଷ ଦେଖା ହୋଇ ଯାଇଥିଲା । ମୁଁ ଆଉ କେବେ ସେତେ ସମୟ ମାମୁଁ ଘରେ ରହିବାର ସୁଯୋଗ ପାଇ ନାହିଁ । ବୟସ ବଢିବା ସାଙ୍ଗକୁ ଆଉ ସମୟ ସାଥି ଦେଇ ନାହିଁ। ନିରୋଳା ବେଳାରେ ବେଳେ ବେଳେ ଖୋଜେ । ଭାବେ ପୁନେଇ ଚାନ୍ଦା ବୋଧହୁଏ ଥରୁଟିଏ ଦେଖା ଦେଇ, ଏତେବଡ ଆକାଶରେ କୁଆଡେ ଉଭାନ ହୋଇଗଲା ଯେ, ଆଉ ଦେଖାଦେଲା ନାହିଁ । ସ୍ମୃତିର ଝରକା ଖୋଲି ସ୍ମୃତିକୁ ପ୍ରତୀକ୍ଷା କରେ । ହେଲେ ତୁମେ ଆଉ ଦ୍ବିତୀୟ ଥର ଦେଖା ହେବାର ସୁଯୋଗ ଦେଲ ନାହିଁ କି ପୁର୍ନବାର ମୋ ଜୀବନରେ ଆସିଲା ନାହିଁ । ତୁମ ଗାଁ ଠାରୁ ମୋ ଗାଁ'ର ଦୂରତା ଯଦିଓ ଅଧିକ ନ ଥାଏ, ତଥାପି କାହିଁକି କେଜାଣି ମନର ହୃଦୟରେ ଏକ ଲକ୍ଷ୍ମଣ ରେଖା ଟାଣି ଦେଲା ପରି ଲାଗେ । ମନେମନେ ତୁମକୁ ଅନେକ ଥର ଖୋଜିଛି । ମୌସୁମୀର ବର୍ଷାର ଛିଟାରେ ଦେହଟା ଓଦା ହେବା ସମୟରେ ତୁମ ମୁହଁ ଜଳଜଳ ଦିଶେ । ଶୀତ ସକାଳର କୁହୁଡିରେ ବି ତୁମ ପ୍ରତିଛବିକୁ ପାଇଛି । ସେ କୁହୁଡି ଭିତରୁ ତୁମେ ସାଧବ ବୋହୁ ବେଶରେ ଆସିବାର ଦେଖିଛି । କେବଳ ମୁଁ ଠକି ଯାଇଛି ନିଜେ ଓ ମନ ମାୟା ମରୀଚିକା ପଛରେ ଦୌଡିଛି । ଦିନେ ଦୁଇଦିନ ନୁହେଁ, ଏମିତି ଅନେକ ଥର ସ୍ବପ୍ନରେ ଦେଖିଛି । ସ୍ବପ୍ନରେ ତୁମ ସହ କଥା ହୋଇଛି । ହାତରେ ହାତ ଛନ୍ଦି ନଈ ପଠାରେ ବୁଲିଛି । ପୋଖରୀ କୂଳରେ ବସିଛି । ତୁମ ପାଇଁ ଗୋଲାପ ତୋଳିଛି । ମାତ୍ର ଆଖି ଖୋଲିବା ପରେ ସବୁ ସ୍ବପ୍ନ ସ୍ବପ୍ନରେ ରହିଯାଇଛି । ଯେମିତି ମୋ ସ୍ବପ୍ନରେ କାହାର ନଜର ଲାଗି ଯାଇଛି । ଏମିତି ସ୍ବପ୍ନ ଦେଖିବା ଓ ଭାଙ୍ଗିବା ଭିତରେ କଲେଜ୍ ପାଠ ପଢା ସାରି ଅନ୍ୟ ରାଜ୍ୟରେ ଚାକିରୀ କରିଛି । ତୁମେ ଚାହିଁଥିଲେ ସ୍ବପ୍ନ ଉଜ୍ଜୀବିତ ଥାଆନ୍ତା । ତୁମେ ଚାହିଁ ଥିଲେ ମୋବାଇଲ୍ ମାଧ୍ୟମରେ ଥରେ କାନରେ ପ୍ରେମ ମନ୍ତ୍ର ଫୁଙ୍କିଥାନ୍ତ ? ମୋର ପ୍ରେମର ସ୍ବପ୍ନ କିପରି କେଉଁ ପରିସ୍ଥିତିରେ ଭାଙ୍ଗିଗଲା, ତାହା କହିବା ମୋ ପକ୍ଷେ ସମ୍ଭବ ନୁହେଁ । ଯାହା ହେଉନା କାହିଁକି ମୋ ମନ ରାଇଜର ପ୍ରେମ ପକ୍ଷୀଟା କେଉଁଠି ନା କେଉଁଠି ଆଘାତ ପାଇ ମୁର୍ଚ୍ଛିତ ହୋଇ ଯାଇଥିଲା । ମୁଁ ବହୁତ ଖୋଜି ଖୋଜି ନିରାଶ ହୋଇ ତୁମର ଚିତ୍ରପଟକୁ ମନରେ ଆଣିନାହିଁ । ବେଳେ ବେଳେ ଭାବିନିଏ ତୁମେ ବୋଧେ ଆଉ କାହା ହାତର ସିନ୍ଦୁର ପିନ୍ଧି ସାରିଥିବ ଓ ଆଉ କାହାର ଚଉଁରା ମୂଳେ ସଞ୍ଜବତୀ ଦେଉଥିବ । ମୋତେ ଅବା ମନେ ରଖିଥିବ କାହିଁକି ? ତୁମର ସେ ଖିଲିଖିଲି ହସ, ଫୁଲେଇ କଥା ଅନ୍ୟ କାହା ହୃଦୟ ବଗିଚାର ପୂଜାରିଣୀ ସାଜି ସାରିଥିବ । ତୁମେ ଏବେ କାହା ପାଇଁ ସାବିତ୍ରୀ ବ୍ରତ ରଖୁଥିବ । ମୁଁ କିନ୍ତୁ ତୁମକୁ ମୋ ମନର ବଗିଚାରେ ସଦାବେଳ ପାଇଁ ଗୋଲାପଟିଏ ଭାବି ସଜାଇଦେଲି । ଏମିତି ଅନେକ ଭାବିବା ପରେ ମୋ ହୃଦୟରେ ପୁରଣ କରିବାକୁ ଯାଉଥିବା ଶୂନ୍ୟସ୍ଥାନକୁ ପୁର୍ନବାର ମୁଁ ଶୂନ୍ୟ କରିଦେଲି । ଫଗୁଣର ପ୍ରଥମ ପ୍ରେମ ସିଡି ଚଢୁ ଚଢୁ ଆଘାତ ଲାଗିଥିଲା । ସେଦିନ ଠାରୁ ତୁମକୁ ମୁଁ ଆଉ କେବେ ମନେ ରଖି ପାରିଲି ନାହିଁ । ସମୟର କାଳ ଗର୍ଭରେ ତୁମେ ମନର ହୃଦୟରୁ ଧିରେ ଧିରେ ଲୀନ ହୋଇ ଯାଉଥିଲ । ବୋଉର ହଠାତ୍ ମୃତ୍ୟୁ ପରେ ମୋତେ ବାପା ବିବାହ କରିବା ପାଇଁ ବାଧ୍ୟ କରିଥିଲେ । ବାପା ଇଛା କରିଥିଲେ ଘର'ର ଯତ୍ନ ପାଇଁ ବୋହୁଟିଏ ନିହାତି ଦରକାର । ସେଥିପାଇଁ ସେ ଝିଅ ଦେଖି ସବୁକିଛି ଠିକ୍ କରି ସାରିଥିଲେ । ମୋତେ ଦେଖିବାକୁ ବାରମ୍ବାର କହିଥିଲେ । ମୁଁ କଥାକୁ ଏଡେଇ ଦେଉ ଥିଲି, ଯେହେତୁ ମୁଁ ବାହାରେ ରହୁଥିଲି। ତୁମର ପସନ୍ଦ ମୋର ପସନ୍ଦ ବୋଲି ବାପାଙ୍କୁ ମନର କଥା କହିଥିଲି। କିନ୍ତୁ ଝିଅଘର ଲୋକ ବାଧ୍ୟ କରିଥିଲେ ମୋତେ ଦେଖିବାକୁ, ଏବଂ ମୋର ଚାକିରୀ ବିଷୟରେ ବୁଝିବା ପାଇଁ । ବାପା ସେମାନଙ୍କୁ ଟ୍ରେନ୍ ରେ ନେଇ ଆସିଥିଲେ । ଦୁଇ ତିନି ଦିନ ରହି ବୁଝାବୁଝି କରି, ଦେଖାଦେଖି କରି ଫେରି ଯାଇଥିଲେ । ମୋର ଛୁଟି ନ ଥିବାରୁ ଆସି ନ ଥିଲି, କିନ୍ତୁ ବାପାଙ୍କ ଉପରେ ମୋର ପୂର୍ଣ୍ଣ ଭରସା ଥାଏ । ତେଣୁ ଝିଅର ଫଟୋ ଦେଖିବା ପାଇଁ ମଧ୍ୟ କେବେ ଇଛା ପ୍ରକାଶ କରିନାହିଁ । ମନର କଥା ମନରେ ରଖି ନିଜ ଭାଗ୍ୟକୁ ଆଦରି ନେଇଥିଲି । ଶେଷରେ ବିବାହର ତିଥି ସ୍ଥିର ହେଲା । ଏକ ବଡ ମନ୍ଦିରରେ ବିବାହ ସ୍ଥିର ହେଲା । ବିବାହ ଦିନ ମୁଁ ବର ବେଶରେ ମନ୍ଦିରରେ ପହଞ୍ଚି ସାରିଥାଏ । କିଛି ସାଙ୍ଗମାନେ ମୋର ଶୁଖିଲା ମୁହଁକୁ ଦେଖି ବାରମ୍ବାର ପ୍ରଶ୍ନ ପଚାରୁଥାନ୍ତି । ତୋର ପ୍ରେମିକା କୁଆଡେ ଗଲା। ମୁଁ ବି ବାପାଙ୍କ ମନରେ ଦୁଃଖ ନ ଦେବା ପାଇଁ କିଛି ନ କହି ଚୁପ୍ ଚାପ୍ ରହି ଯାଇଥିଲି । ଯଦି କହିଥାନ୍ତି କଣ ବା କରି ପାରିଥାଆନ୍ତି ? ଯେତେବେଳେ ମୁଁ ନିଜେ ଜାଣିନାହିଁ ତାହାର ବିବାହ ସରିଛି କି ନାହିଁ ? ସେ ମୋତେ ଏବେ ଭଲପାଏ କି ନାହିଁ ? ଏହି ସମୟରେ କଣ ବା କରି ପାରିଥାନ୍ତି । ଚୁପଚାପ୍ ନୀରବ ଦ୍ରଷ୍ଟା ସାଜି ରହିଲି ମୁଁ । ବିବାହର ଶୁଭ ସମୟ ଆସି ସାରିଥିଲା । ମନ୍ଦିରରେ ମାଳ ମାଳ ହୋଇ ଘୁରି ବୁଲୁଥିବା ବରକନ୍ୟାଙ୍କ ସ୍ରୋତ । ସେ ସ୍ରୋତରେ ମୁଁ ବି ଥିଲି ଏକ ଧାର । ସେମାନଙ୍କ ଭିତରେ ଖୋଜି ବୁଲୁଥାଏ ମୁଁ ସ୍ମୃତିର ସେହି ଖିଲିଖିଲି ହସର ମୁହଁ । ବିବାହ ଆରମ୍ଭ ହୋଇ ସାରିଥିଲା । ସମସ୍ତ ଝିଅଘର ଓ ଆମ ତରଫରୁ ବନ୍ଧୁ ପ୍ରିୟଜନ ମାନେ ମନ୍ଦିର ବେଢାର ବେଦୀ ଚାରିପାଖେ ବସିଥାନ୍ତି । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନୀ ସହିତ ଶୁଭ ଶଂଙ୍ଖ ହୁଳାହୁଳି ଦ୍ବାରା ଚର୍ତୁଦ୍ଦିଗ କମ୍ପୁଥିଲା । ମୋର ଆଖିରେ ଝଲସି ଯାଉଥିଲା, ମୋ କାନ୍ଧରେ ମୁଣ୍ଡ ରଖି ଶୋଇଥିବା ସେହି ନୀରିହ ମୁହଁଟି । ହଠାତ୍ ବ୍ରାହ୍ମଣଙ୍କ ଡାକରେ ମୋର ତନ୍ଦ୍ରା ଭାଙ୍ଗିଗଲା ଓ ବ୍ରାହ୍ମଣ କହୁଥିଲେ କନ୍ୟାର ମଥାରେ ସିନ୍ଦୁର ଲଗାଅ । ମୁଁହ ତଳକୁ କରି ସିନ୍ଦୂର କନ୍ୟାର ମଥାରେ ନ ଲଗାଇ, ତାର ନାକରେ ଲଗାଇ ଦେଲି । ସମସ୍ତେ ହସିଥିଲେ ଓ ବ୍ରାହ୍ମଣ କହିଲେ କନ୍ୟାକୁ ଚାହିଁ ତାର ମଥାରେ ସିନ୍ଦୂର ଲଗାଅ । କନ୍ୟାର ମଥାରୁ ସାମାନ୍ୟ ଓଢଣା ହଟି ଯାଇଥିଲା ଓ ସିନ୍ଦୁର ନେଇ ମଥାରେ ଲଗାଇବା ସମୟରେ ମୁଁ ଆବାକ୍ ହୋଇ ଯାଇଥିଲି । କନ୍ୟାର ମଥାରେ ସିନ୍ଦୁର ଦେବା ପରିବର୍ତ୍ତେ ମୁଁ ଅନେକ ପ୍ରଶ୍ନରେ ଛନ୍ଦି ହୋଇ ଯାଇଥିଲି । ଦୀର୍ଘ ସମୟ ଧରି ଅପଲକ ନୟନରେ ଚାହିଁ ରହିଥିଲି ସେ ଝିଅକୁ । ସମସ୍ତେ ମୋତେ ଅନେଇ ହସିବା ଆରମ୍ଭ କଲେଣି, ସେଥିପ୍ରତି ମୋର ନିଘା ନାହିଁ । ହଠାତ୍ ଭଉଣୀର ଚିମୁଟାରେ ମୋ ଆଖି ଫେରି ଯାଇଥିଲା, ସେ ଝିଅର ସୁନ୍ଦର ମୁଖମଣ୍ଡଳରୁ । ସେ ଝିଅ ଆଉ କେହି ନଥିଲା, ସେ ଥିଲା ମୋ ହୃଦୟର ମନର ମାନସୀ ସ୍ମୃତି । ଯାହାକୁୁ ମୁଁ ସେତେବେଳେ ମାମୁଁ ଘରେ ଦେଖିଥିଲି । ଯେଉଁ ପୁନେଇ ଚାନ୍ଦକୁ ପ୍ରେମିକା ରୁପେ ପାଇବା ପାଇଁ ବାରମ୍ବାର ସ୍ବପ୍ନ ଦେଖୁଥିଲି, ସେ ଆଜି ମୋ ସଙ୍ଗିନୀ । ଏମିତି ଲାଗୁଥିଲା ସତେ'କି ବର ବେଶରେ ଟିକିଏ ନାଚି ପକାନ୍ତି କି ? ମୁହଁରେ ଗଡ ଜିତିବାର ଏକ ଖୁୁସିର ଲହର । ଚତୁର୍ଥି ରାତିରେ ମୁଁ ତାର ଆଖିରେ ଦେଖି ପାରିଥିଲି ଅଭିମାନ ଓ ରାଗ । ସେ ବି ମୋତେ ମନେ ମନେ ଭଲ ପାଉଥିଲା । ମୋ ମାମୁଁଘର ଠାରୁ ମୋ ନମ୍ବର ନେଇ କଥା ହେବାକୁ ଇଛା କରିଛି, ସାହାସ ଯୋଗାଡ କରି ପାରି ନାହିଁ । ସେ ଭାବେ କାଳେ ମୁଁ ତାକୁ ଚିହ୍ନି ପାରିବି ନାହିଁ । ତାର ଭଲପାଇବାକୁ ଅସ୍ବୀକାର କରିବି । ଏହି ଭୟର ଆଶଙ୍କାରେ ସେ ପ୍ରେମ ପକ୍ଷୀର ଡେଣାଟିକୁ କାଟି ଦେଇଛି । ଯାହା ହେଉନା କାହିଁକି ଆଜି ମୋ ଝୁରିଲା ଫଗୁଣକୁ ଫେରି ପାଇଛି । ସେ ଫଗୁଣ ଆଜି ମୋ ସମ୍ମୁଖରେ ମଥାରେ ଓଢଣୀ ଦେଇ ଫୁଲେଇ ଫୁଲେଇ ଦାନ୍ତ ଚିପି ଚିପି ହସୁଛି । ମୁଁ ମୋର ଚାନ୍ଦକୁ ହାତ ମୁଠାରେ ପାଇ ଭାବୁଛି ସତରେ ନିଚ୍ଛକ ପ୍ରେମ କେବେ ମରେନା । ତାହା ଆସେ ଜୀବନ ସାଗରରେ ଶତ ତରାଙ୍ଗାୟିତ ଖୁସୀର ଲହରୀ ନେଇ । ଯେଉଁ ଖୁସିରେ ଉଲ୍ଲସିତ ହୋଇ ଉଠେ ଦେହ, ମନ ଓ ପ୍ରାଣ । ଆଉ ସେ ସ୍ମୃତି ଚିରଦିନ ପାଇଁ ସ୍ମୃତି ନ ହୋଇ ସ୍ବାକ୍ଷର ହୋଇଯାଏ ।


Rate this content
Log in

Similar oriya story from Drama