ସମଝଦାର ଲିସା ଦେବୀ
ସମଝଦାର ଲିସା ଦେବୀ
ଆଜିକାଲି ଜଣେ ଲୋକର ଗୋଟିଏ ନୁହେଁ ବରଂ ସ୍ଥଳ ବିଶେଷରେ ଚାରି କି ପାଞ୍ଚଟା ଜନ୍ମଦିନ. ମାଆ ବାପାଙ୍କ ଆଖିର ସାକ୍ଷୀ ହୋଇ ଜନ୍ମଦିନ ସିନା ତିଥି,ବାର,ମାସ, ବର୍ଷ ଓ ଦିନ ଅନୁଯାଇ ଗୋଟିଏ ହେଲେ, ସାର୍ଟିଫିକେଟରେ ଆଉ ଗୋଟେ ଜନ୍ମ ଦିନ ତ ସୋସିଆଲ ଆକାଉଣ୍ଟ ମାନଙ୍କରେ ଭିର୍ନ୍ନ ମାସ,ବର୍ଷ, ବାର ଓ ମସିହା ନେଇ ଭିର୍ନ୍ନ ଜନ୍ମଦିନ. ସେଥିରେ ପୁଣି କିଏ କୋଉ ପରିସ୍ଥିତିରେ ଗୋଟାଏ ଜାଗାରେ ଦୁଇ ତିନିଟା ଜାତକ କରୁଛନ୍ତି. କିଏ ହୁଏତ ମଙ୍ଗଳ ଦୋଷ ଘୋଡେଇ, କିଏ ହୁଏତ ବୟସ ବଢ଼େଇ କି କମେଇ.କୃଷ୍ଣଙ୍କର ଆଜି ଜନ୍ମ ଦିନ.ତାଙ୍କର ନିର୍ଦିଷ୍ଟ ଜନ୍ମଦିନ. ଦେବକୀ ମାଆଙ୍କ ଆଖି ଯଶୋଦା ମାଆଙ୍କ ସାକ୍ଷୀ ସେହି କୃଷ୍ଣ ଭଗବାନଙ୍କ ଜନ୍ମଦିନ କିନ୍ତୁ, ସ୍ଥାନ କାଳ ପାତ୍ର ନିର୍ବିଶେଷରେ ଏକଦମ ଗୋଟିଏ.ଆଜିର ଦିନରେ ହିଁ ଛୁଟି ଥିବାରୁ,ଛୁଟିରେ ଝିଅ ଦେଖିବାକୁ ଆସୁଛନ୍ତି ବିଭୁଦତ୍ତଙ୍କ ପରିବାର. ଏଯାଏଁ ବାସନ୍ତିର ଦେଖା ନାହିଁ.ଝିଅ ଦେଖା ହେବାର ଅଛି କିନ୍ତୁ ଝିଅ ଲିସାର ଯାଏ ଆସେ ନାହିଁ. ମୋବାଇଲ ଆଡ଼େଇବାରେ ଲାଗିଛି ସେଇ ସକାଳୁଟାରୁ. ବ୍ୟସ୍ତ ହୋଇ ମାଆ ଗୋଟାକ ପରେ ଗୋଟେ କାମ ତୁଟାଉଛନ୍ତି. କୁଣିଆ ପହଁଚି ଗଲେ. ଜଳଯୋଗ, ଚା ପାନ ପରେ ଝିଅ ଦେଖା ପର୍ବ. ଝିଅ ଆସିବା ପରେ ଚମକି ପଡି ବିଭୁଦତ୍ତ ଉଠିପଡ଼ି କହୁଥିଲେ ନୀଳିମା ମ୍ୟାଡାମ, ଆପଣ?? ତା ପରେ ପରେ ପୁଅଘର ଫେରିଗଲେ. କଥା ଆଗକୁ ବଢିଲାନାହିଁ.ଭଲ ପ୍ରସ୍ତାବ ଥିଲା. ଝିଅ ସୁନ୍ଦର, ଶିକ୍ଷିତା ହୋଇ ମଧ୍ୟ ବାହାଘରଟା ଏମିତି ଠପ ହେଇଯିବ ଭାବିନଥିଲେ ବାପା ମାଆ. କିଏ କହୁଥିଲା ବୋଧେ ଯୌତୁକ ପାଇଁ, କିଏ କହୁଥିଲା ମଧୁସୂଦନବାବୁଙ୍କ କଞ୍ଜୁସୀ ଓ ବଦରାଗୀ ଗୁଣ ପାଇଁ ତ କିଏ କେତେ ଗୁଜବ ଭିତରେ ଥିଲେ. ଲିସା କିନ୍ତୁ ଖୁବ ଖୁସି ଥିଲା ଯା ହେଉ ସେ ଅଧିକା ପାଠ ପଢିବା ଲକ୍ଷ ପୂରଣ କରିପାରିବ ।
ସେଦିନ ଟୁନା ଦଉଡି ଆସି କହୁଥିଲା ଲିସାକୁ ଅପା ଜାଣିଛୁ ଆଜି ସାନମାମୁଁଙ୍କର ଜନ୍ମଦିନ
.ହସିଲା ଲିସା କହିଲା ତାଙ୍କର ସେଇଟା ମିଛ ଜନ୍ମ ଦିନ. ଟୁନା କହିଲା ମାନେ? ଲିସା କହିଲା ସାନଭାଇକୁ ତୁ ଆଗ ତାଙ୍କ ଜନ୍ମଦିନ ଆଜି ବୋଲି କେମିତି ଜାଣିଲୁ କହ? ମୋ ମୋବାଇଲ ଦେଖିଛୁ ନିଶ୍ଚୟ. ସସଜଜ଼, ଆଜି ବାପାଙ୍କ ଆଗେ କହିବି ରହ. ଟୁନା କହିଲା ତୋ ପାଇଁ ମୋବାଇଲ କିଣା ଯାଇଛି ମୋ ପାଇଁ କାହିଁକି ନାହିଁ?? ଭାଇ ଭଉଣୀଙ୍କ ପାଟି ଶୁଣି ଦଉଡି ଆସିଲେ ମାଆ. ଟୁନା କହୁଥିଲା ଦେଖିଲ ମାଆ, ସାନମାମୁଁଙ୍କର ଆଜି ଜନ୍ମ ଦିନ ବୋଲି ଢେର ସାରା ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇଲା ବେଳେ ଆମେ ଜଣେଇବା କଥା ନା ନାହିଁ? ସେହିକଥା ଅପାକୁ କହିବାରୁ ସେ ରାଗୁଛି ମୋ ଉପରେ, କହୁଛି ତୁ ମୋ ମୋବାଇଲ କାହିଁକି ଦେଖିଲୁ? ଆଛା ମାଆ ଅପା ପାଇଁ ମୋବାଇଲ କିଣା ହେଉଛି ମୋ ପାଇଁ କାହିଁକି ନୁହେଁ. ମୋ ପାଖରେ ଥିଲେ ହୁଏତ ମୁଁ ଆଜି ସାନମାମୁଁଙ୍କୁ ଶୁଭେଚ୍ଛା ଜଣାଇ ପାରିଥାନ୍ତି.ମାଆ ଟିକେ ସମୟ ଚୁପ ରହି କହିଲେ, ପ୍ରଥମତଃ ସାନମାମୁଁର ଆଜି ଜନ୍ମଦିନ ନୁହେଁ. ମୋ ଆଖିର ସାକ୍ଷୀ ହୋଇ ମୋ ଆଗରେ ସେ ଜନ୍ମ. ମୁଁ ଠିକ ଜାଣେ ତାର ଖଳିଲାଗି ଏକାଦଶୀ ଦିନ ହିଁ ଶୁଭ ଜନ୍ମଦିନ. ଦ୍ୱିତୀୟରେ ମୋବାଇଲ କିଣିବା କଥା. ତୁ ଏବେ ଛୋଟ ପିଲା, ମୋବାଇଲ ଧରିଲେ ଏମିତି ମିଛ ଗୁଜବ ସବୁ ବିଶ୍ୱାସ କରି ପାଠ ପଢ଼ିବୁ ନା ନାନୀ ସଙ୍ଗେ କଜିଆ କରିବୁ. ଟୁନା କହୁଥାଏ ମୋ ସାଙ୍ଗମାନେ ନେଟ ବ୍ୟବହାର କରି ମୋବାଇଲରୁ କେତେ ସତ ସତ କଥା ଜାଣି ପଢି ଶିଖି ପାରୁଛନ୍ତି ମୋ ବେଳକୁ ଗୁଜବ.ଲିସା ହସୁଥିଲା ଚୁପି ଚୁପି.ମାଆ ଟୁନାକୁ ତାଗିଦ କରୁଥିଲେ ପାଠ ପଢା ସାରିବାକୁ.କିନ୍ତୁ ହଠାତ ନିଜର ଶେଷ କେଇପଦ ନିଜକୁ ଚମକାଇ ଦେଲା ତ ଅଟକି ଗଲେ ମାଆ, ପଚାରିଲେ ଲିସାକୁ ଆଛା ମୋବାଇଲରେ ଏମିତି ମିଛ ଜନ୍ମଦିନ ସବୁ ବାହାରିବା ସତ? ଲିସା କହୁଥିଲା ହଁ ମାଆ ଦୁଇଟା ଯାକ କଥା ସତ. ବ୍ୟକ୍ତିଗତ କଥା ସବୁ ଯଥା ଜନ୍ମଦିନ, ବୟସ, ବୃତ୍ତି ଇତ୍ୟାଦି କଥା ମିଛ ଲେଖାଯାଇ ଥାଏ. ମାଆ ପଚାରୁଥିଲେ କାହିଁକି ତ ଲିସା କହୁଥିଲା କାରଣ ଜଣେ ବ୍ୟକ୍ତିର ସବୁ ବ୍ୟକ୍ତିଗତ ତଥ୍ୟ ଚୋରୀ ବା କେହି ହାକ କରି ତାକୁ ଅସୁବିଧାରେ ପକାଇ ପାରେ ଯେମିତିକି ବ୍ୟାଙ୍କ ଆକାଉଣ୍ଟରୁ ପଇସା ଗାଏବ ବା କୌଣସି ଆସାମାଜିକ ବ୍ୟକ୍ତି ଅନ୍ୟ ଜଣଙ୍କ ନାମରେ କିଛି ଅନ୍ୟାୟ ଅନୀତି ଦୁର୍ନୀତି କରି ତାକୁ ଫସେଇବାକୁ ଚେଷ୍ଟା କଲେ ପ୍ରମାଣ ବେଳେ ସେ ବ୍ୟକ୍ତି ନିର୍ଦୋଷ ହୋଇପାରିବ. ଏସବୁ ବ୍ୟତିରେକେ ଟୁନା ଯାହା ସବୁ କହୁଥିଲା ଯେ ନେଟ ମାଧ୍ୟମରେ ବହୁ ଜ୍ଞାନ ଆହରଣ କରିହେବ, ତା ମଧ୍ୟ ସବୁ ସତ ମାଆ. ଆଜିକାଲି, ଇଣ୍ଟନେଟ ଯୁଗରେ ମୋବାଇଲ, ଲାପଟପ, କମ୍ପ୍ୟୁଟର ଭଳି ଇଣ୍ଟରନେଟ ମାଧ୍ୟମ ଯୋଗୁଁ ପୃଥିବୀ ଆଜି ଗୋଟିଏ ଗ୍ରାମ ବା ଗ୍ଲୋବାଲ ଭିଲେଜରେ ପରିଣତ ହୋଇଛି. ପ୍ରତ୍ୟକ ଗ୍ରାମ,ଜିଲ୍ଲା, ସହର, ନଗର, ରାଜ୍ୟ, ଦେଶ ଓ ବିଦେଶମାନଙ୍
କର ଖବର ଯଥା ପାଣିପାଗ ଯୋଗାଯୋଗ ଇତ୍ୟାଦି ସମ୍ଭବ ହେବା ସହ ବର୍ତ୍ତମାନ ମହାକାଶକୁ ଯିବା ଓ ମହାକାଶ ଗବେଷଣାରେ, ଆମ ଦେଶ ଭାରତ ବର୍ଷ ଇସ୍ରୋ ଵିଜ୍ଞାନୀ ମାନେ ଏହି ଇଣ୍ଟରନେଟ ଯୋଗୁଁ ଏଠି ବସି ମହାକାଶରେ, ରୋଭର ପ୍ରଜ୍ଞାନକୁ ମଧ୍ୟ ନିୟନ୍ତ୍ରିତ କରିପାରୁଛନ୍ତି. ଲିସାର ଏତେ ବୁଝେଇବା ଭିତରେ ମାଆଙ୍କର କିନ୍ତୁ ଠିକ ମନେପଡୁଥିଲା ସେଦିନ, ତାଙ୍କ ଝିଅକୁ ଦେଖିବାକୁ ଆସିଥିବା ପୁଅ ବିଭୁଦତ୍ତ ନୀଳିମା ମ୍ୟାଡମ ସମ୍ବୋଧନ କରିବା କଥା.ଆଉ ବୁଝିସାରିଥିଲେ ନିଜ ବେକରେ ନିଜେ କୁରାଢ଼ି ମାରି ଝିଅ ତାଙ୍କର ହାକ ହେଇଯାଇଛି.
ବାସନ୍ତୀ ଡାକରେ ଉଠିଯାଉ ଯାଉ ମାଆ କହୁଥିଲେ ଟୁନା ହାତକୁ ଯେପରି ମୋବାଇଲ ନଯାଏ ସେ ବ୍ୟବସ୍ଥା ବାପାଙ୍କୁ କହି କରିବାକୁ ପଡିବ. ଲିସା କିନ୍ତୁ ହସୁଥିଲା ସେମିତି ଚୁପି ଚୁପି.ବାସନ୍ତୀ କହୁଥିଲା ଜାଣିଛ ମାଆ. ସେଦିନ ଆମ ଲିସା ଦେଇଙ୍କୁ ଯିଏ ଦେଖିବାକୁ ଆସିନଥିଲେ, ତାଙ୍କର ଆଜି ଆର ପଡା ରଘୁନନ୍ଦନ ବାବୁଙ୍କ ଝିଅ ସାରାଙ୍କୁ ଦେଖିବାକୁ ଆସିଛନ୍ତି. ସେମାନେ ତ ଚଖା କୁଆଡେ ରାଜି ହେବେ ଲିସା ଦେଇ ଭଳି ତାଙ୍କ ଝିଅ ଏତେ ସୁନ୍ଦର ନୁହଁ କି ତୋଫା ନୁହଁ. ଚିଡି ଉଠିଲେ ମାଆ ସରସ୍ବତୀ କହିଲେ ବାହାଘର ମର୍ତ୍ତ୍ୟରେ ନୁହେଁ ଲୋ ବାସନ୍ତୀ. ସ୍ବର୍ଗରୁ ବରପତ୍ରକୁ ଓସ୍ତପତ୍ର ସଙ୍ଗେ ଖଞ୍ଜି ଠାକୁର ଛାଡିଛନ୍ତି. ବାସନ୍ତୀ କହୁଥିଲା ହଁ ସେୟା ନୁହେଁ ଆଉ କଣ ଯାହା ହାଣ୍ଡିରେ ଯିଏ ଚାଉଳ ପକେଇଥିବ ସେ ହିଁ ତା ଘରକୁ ଯିବ. ଦେଖୁନ ମୋ ପୁଅ କାହାକୁ ଗୋଟେ ଭଲପାଇ ନେଇଆସିଲା ଯେ ଦଶଟା ଯାଏଁ ଶୋଇ ରହୁଛି. ବାସି ପାଇଟି କରି ତା ବାପାକୁ ଚା ଜଳଖିଆ ଦେଇ ଆସିଲା ବେଳକୁ ତୁମ ଘରକୁ ସବୁଦିନ ଉଛୁର. ଯେତେ ଯାହା କହିଲେ କଣ ହେବ ମାଆ ସେ ହିଁ ତ ମୋ ଘରେ ଚାଉଳ ପକେଇଛି. ହସୁଥିଲେ ସରସ୍ବତୀ. ପୁଣି କିଛି ଦିନ ପରେ ଶୁଣିଥିଲେ ସାରାର ବାହାଘର ସେହି ପୁଅ ସହ ଠିକ ହୋଇଗଲା. ବାସନ୍ତୀ କହୁଥିଲା ଲୋଭୀ ଲୋକ ଗୁଡା ମାଆ, ସାରା ଦିଦିର ଚାକିରୀ ଦେଖି ରଙ୍ଗ ଊଣାକୁ ଖାତିର କଲାନି ଭଲ ହୋଇଛି ଲିସା ଦିଦି ଆମର ସେ ଲୋଭୀ ପରିବାରରେ ଚଳି ପାରିନଥାନ୍ତା. ହଉ ତୁ ଆଉ ବଡ଼ ପାଟି କରନା ବାବୁ ଚିଡ଼ିବେ କହି ଠାକୁର ଘରକୁ ସରସ୍ବତୀ ପଶୁଥିଲେ ସିନା କିନ୍ତୁ ଛାତି ଭିତରଟା ଚିରି ହେଇଯାଉଥିଲା।
ସାରା ବାହାଘରକୁ ପରିସ୍ଥିତି ବଦଳି ଯାଇଥିଲା.ଲିସା ସେତେବେଳକୁ ଓ. ଏସ. ଏ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସାରିଥିଲା. ନିଶଃକୋଞ୍ଚରେ ଲିସା ଘରର ପରିବାର ଲୋକ ସାରାର ବାହାଘର ନିମନ୍ତ୍ରଣ ରଖିଥିଲେ ବି ଲିସା ଟ୍ରେନିଂରେ ଥିଲା. ଟ୍ରେନିଂ ରୁ ଫେରି ଲିସା ଯୋଉଦିନ ଅଫିସରେ ଜଏନ କଲା ତା ସୌନ୍ଦର୍ଯ୍ୟ, ଜ୍ଞାନ, ଗୁଣର ଭୁରି ଭୁରି ପ୍ରଶଂସା ଭିତରେ, ସେହି ଅଫିସର ତଳିଆ କର୍ମଚାରୀ ବିଭୁଦତ୍ତ ପାଦ ତଳୁ ମାଟି ଖସି ଯାଇଥିଲା.ଲିସା ମିଶ୍ରକୁ ନୀଳିମା ମିଶ୍ର ବୋଲି ଜାଣି ଓ ମୋବାଇଲର ଫେସବୁକ ଆକାଉଣ୍ଟରୁ ବୟସ ଅଧିକ ଭାବି ସେ ଯେଉଁ ଭୁଲ କରିଥିଲେ ଆଜି ପସ୍ତେଇହେଉଥିଲେ ମଧ୍ୟ ନେଡି ଗୁଡ଼ କହୁଣୀକୁ ବୋହି ଗଲା ପରେ ଆଉ ଚାଟି ହୁଏନି ବୋଲି ସେ ବୁଝି ସାରିଥିଲେ.
କଥାଟା ସେଇଠି ସରିନଥିଲା. ବିଭୁଦତ୍ତ ଗୋଟେ ଶିକ୍ଷା ପରେ ମଧ୍ୟ ଚେତି ନଥିଲେ. ତାଙ୍କ ନାମରେ ଫେକ ଆକାଉଣ୍ଟ ଖୋଲି ଜଣେ କେହି ଅସାଧୁ ବ୍ୟକ୍ତି ବ୍ୟାଙ୍କ ଠକେଇର ଖୋଳତାଳରେ ବିଭୁଦତ୍ତ ହିଁ ଆରେଷ୍ଟ ହୋଇଥିଲେ. ବିଭୁଦତ୍ତଙ୍କୁ ଲିସା ସାହାଯ୍ୟ ସହଯୋଗର ହାତ ବଢ଼ାଇ ନିଜ ଅଫିସର ଷ୍ଟାଫଙ୍କ ପ୍ରକୃତ ବୟସ ପ୍ରମାଣପତ୍ର ସହ କୋର୍ଟରେ ଲଢ଼ି ସେହି ଠକ ବ୍ୟକ୍ତିକୁ ଧରାଇ ଦେବା ପରେ ବିଭୁଦତ୍ତ ଓ ସାରା ଲିସା ଘରକୁ ଆସି, ଲିସାଙ୍କୁ ବଧାଇ ଜଣାଇବା ସହ ସାମାଜିକ ଗଣମାଧ୍ୟମରେ, ବ୍ୟକ୍ତି ନିଜର ବ୍ୟକ୍ତିଗତ କଥା ସବୁ ଠିକ ଠିକ ଦେବା ବେଳେ ଟିକେ ଆଗପଛ ଚିନ୍ତା କରିବା ଉଚିତ ବୋଲି ହୃଦୟଙ୍ଗମ କରିଥିଲେ. ମାଆ ସରସ୍ବତୀ ଏଣିକି ତାଙ୍କ ଝିଅର ବୁଦ୍ଧିକୁ ତାରିଫ କରୁଥିଲେ. ବିଭୁଦତ୍ତଙ୍କ ଉଦ୍ୟମ ଫଳରେ ଜଣେ ଆଈ. ଏସ ଅଫିସରଙ୍କ ସହିତ ଲିସାର ବାହାଘର ଧୁମଧାମରେ ପାଳିତ ହୋଇଥିଲା. ବାସନ୍ତୀ ସମ୍ବଲପୁରୀ ପାଟ ପିନ୍ଧିଥିଲା ଓ ଟୁନା ଏବେ ଅଳ୍ପ ବଡ଼ ହୋଇ ଭଲ ମନ୍ଦ ବିଚାର ଶକ୍ତି ବଢ଼ାଇ, ନାନୀ ଠାରୁ ମୋବାଇଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା ସତ ହେଲେ, ମାଆ ସରସ୍ବତୀ ହାକ ହେଇଯିବାର ଡର ଦେଖାଉଥିଲେ ତ ନାନୀ କହୁଥିଲା ମୋ ଭାଇ ଏବେ ସମଝଦାର ହେଇଗଲାଣି. ମୋବାଇଲର ଉପକାରିତା ଓ ଅପକାଅରିତା ବିଷୟରେ ରଚନା ଲେଖି ରାଜ୍ୟସ୍ତରୀୟ ପୁରସ୍କାର ପାଇଥିବା ଟୁନା ଆଉ ମୋବାଇଲ ବ୍ୟବହାର କରିବାରେ ଠପ ଲାଗିବା ଜରୁରୀ ନଥିଲା ବୋଲି ସମସ୍ତେ ବୁଝି ସାରିଥିଲେ.ଲିସା ବାହାଘରରେ ସଜାଇ ହୋଇ ଦେବୀଟିଏ ପରି ପ୍ରତୀୟମାନ ହେଉଥିଲା.ନାନୀ କାନରେ ଟୁନା କିନ୍ତୁ କହୁଥିଲା ବୋବାଲ ।