ସକାଳର ଅପେକ୍ଷା ରେ
ସକାଳର ଅପେକ୍ଷା ରେ
ନିର୍ଜନ ସକାଳ ଚୁପ୍ ଚାପ୍ ........ ସପ୍ତଲୋକ, ସପ୍ତପାତାଳ, ସପ୍ତବୈକୁଣ୍ଠ ପାରି କରି ଓହ୍ଲାଇ ଆସିଲେ ସିଏ । ନିଜ ସନ୍ଧାନରେ । ମାଟି ସୌଭାଗ୍ଯବତୀହେଲା ।
ନୀଳ ଦରିଆ ବାଲିବନ୍ତ ପାରି କରି ଯାଉ ଯାଉ ବାଟରେ ଭେଟିଲେ ନୀଳ ଆକାଶର ଅନନ୍ତ ପଥକୁ ଦୃଷ୍ଟି ତୋଳି କାହିଁ ରେ ନିମଗ୍ନେ ହଜିଯାଇଥିବା ଆଉ ଜଣଙ୍କୁ, ଯାହାଙ୍କର ଲକ୍ଷ୍ୟ ନଥିଲା ଚତୁଃପାର୍ଶ୍ବକୁ ।ଶୁଷ୍କ ଶୁଶ୍ରୁ ଭରା ଚିନ୍ତିତ ମୁଦ୍ରା । ଧୂମ୍ରାଭ ..... ମହାକାଳ ସଞ୍ଚାର ପଥରେ ଏକୁଟିଆ ଚିହ୍ନ ।
ଅଟକି ଯାଇ ପଚାରିଲେ ସିଏ ,
_" କାହା ଅପେକ୍ଷା ରେ କି ?ଖ ରେ ଖଗଗଣ ଯେ ପୂର୍ବମୁଖା ।ଆଗକୁ ବଢିବାର ମୂହୁର୍ତ୍ତ ।"
ପ୍ରତ୍ଯୁତ୍ତରରେ ଫେରୁଛି ପ୍ରଶ୍ନ,
_" କିଏ ତୁମେ ଆଗନ୍ତୁକ ? ମୁଁ ଯେ ସକାଳର ଅପେକ୍ଷା ରେ କେବେଠୁ ,ଏଇଠି,ଏମିତି । ଦେଖିପାରୁଛ କି ଓହ୍ଲାଇ ଆସୁଥିବା ସୂର୍ଯ୍ୟୋଦୟ କୁ କେଉଁ ପବିତ୍ର ଦିଶାରୁ ?କୁହ ବନ୍ଧୁ କୁହ ।ଆତୁର ମନ ମୋର ବ୍ଯାକୁଳ ସେଇ ସକାଳର ଅପେକ୍ଷା ରେ ।"
_ମୁଁ ? ମୁଁ ତ ସାଧାରଣ କାଚରା ଟିଏ ମାତ୍ର ।ସବୁରି ହାତ ମାପରେ କାଚ ତିଆରେ, କାଚ ପିନ୍ଧାଏ ।ଏଇ ମୋ କାମ ।ହେଲେ ତୁମେ ......ପ୍ରତ୍ଯୁଷକୁ କାଇଁ ଖୋଜୁଛ?କଣ ....... "ଧରାପଡି ଯାଉଥିବା ପରି ଥଥମମ ସ୍ବର ରେ ଅଳ୍ପ କୌତୁକ ମିଶାଇ କହିଲେ ସିଏ ।
_ ଅଟକିଗଲ କାହିଁକି ?ମୁଁ ସମୟ ର ଆବର୍ତ୍ତମାନ ସହ ହରେଇଛି ଦୃଷ୍ଟିଶକ୍ତି ଯାହା, ହେଲେ ଶୁଣିବୁଝି ପାରେ ସବୁ । କେବେଠୁ ଖୋଜୁଥିଲି କହିବି ବୋଲି ମନକଥା କାହାକୁ ।ହେଲେ ଅନ୍ଧ ଟିଏକୁ କିଏ ପଚାରେ ଭଲା ।ତୁମେ ଲାଗୁଛ ଆପଣାର..... ବନ୍ଧୁ ।ଶୁଣିବ କିଛି କଥା ? ବସିବ କି ଘଡିଏ ମୋର ହୋଇ ! ବାଣ୍ଟି ପାରିବି କି କିଛି ଶବ୍ଦ ତୁମ ସହ ..... ହଁ ଯଦି ତୁମେ କ୍ଲାନ୍ତ ନ ହୁଅ ତେବେ ହି । ଦେଇପାରିବ ତୁମ ଅମୂଲ୍ଯ ସମୟ ରୁ କିଛି କ୍ଷଣ !"
_ ହଁ ତେବେ ସର୍ତ୍ତ ହେଲା ଆଗେ ମୁଁ ମୋ କଥା କହିବି ।ମୁଁ ବି ଖୋଜୁଛି ନିରୁତା ହୃଦୟ ଟେ କେବେଠୁ .... କାଚ ସିଲଟ ପରି .... ସ୍ପଟିକ ।
ସାଗରମୁହାଁ ଦିହେଁ ....... ଦିଗବଳୟ ସେପାରି ଯାଏ ଭାବନାର ଖିଅ ।ଜଣଙ୍କ ଦୃଷ୍ଟି ଅଜଣା ଦିଗରେ, ଆଉ ଜଣେ ଦ୍ବିତୀୟ ଜଣଙ୍କୁ ଚାହିଁଥାଏ ନିର୍ମିମେଶ ନୟନରେ ।
_ "କୁହ ମିତ୍ର, ଢାଳିହେଇ ମନ ଥୁଅ ।"ବୃଦ୍ଧ କହିଲେ ।
_ ଜାଣ ! ତୁମେ ଯଦି ଖୁସି ଅଛ ତେବେ ତେବେ ତୁମେ ନଜରରୁ ଆଡେଇଦେଇଛ ଅନେକ କଷ୍ଟ,ମାୟା,ମିଛ,ଛଳନା,ପ୍ରହେଳିକା କୁ ।ଆଉ ଯଦି ସମସ୍ତେ ତୁମ ସହ ଖୁବ୍ ଖୁସି ତେବେ ତୁମ ଭିତରେ ତୁମେ ପିଇନେଇ ପାରିଛ ଅନେକ ଜ୍ବାଳା ।ମୁଁ ପାଣିକାଚ ବିକେ ।ପସରା ଧରି ଅନେକ ଘର ଦେଖେ ।ସମୟ ର ନିଶ୍ବାସ, ବୟସ ର ଅନୁଭୂତି ନିଜସ୍ୱ ନିବିଡ ।
ଯେବେ ମୁଁ କାଚରା ନଥିଲି, ସବୁଜନ୍ମରେ ବଣରେ ବୁଲୁଥିଲି ।ଜ୍ଯୋସ୍ନାଭିଜା ସ୍ନିଗ୍ଧ କୋମଳ ବନାନୀ ମୋର ଖୁବ୍ ପ୍ରିୟ ଥିଲେ ।ବଣମୁଲକର ରଜା ଥିଲି।ବର୍ତ୍ତମାନ ର ପୃଥିବୀ ରୁ ଖୁବ୍ ଭିନ୍ନ ।ସେବେ ମୁଁ ଗାଈ ଚରାଳି ତ କେବେ ଧନୁଧରାଳି ସାଜୁଥିଲି......
ମଝିରୁ ଧସେଇହେଇ ଆର ଜଣଙ୍କ କହିଲା,
_ " ହଁ ହଁ ଚାରିପଟେ ହଳଦିଆ ଶୋରିଷଫୁଲର ବଣ ,ଅଗନାଅଗନୀ ବନସ୍ତ, ନୀଳପଥରର ପର୍ବତ ,ସେଇ ଝରଣା ଯୋଉଠି କାକଟିଏ ଖସିପଡି ଚତୁର୍ଭୁଜ ହୋଇଥିଲା ତାରି କୂଳରେ ଥିଲେ ସିଏ ।ମୋର ଆରାଧ୍ଯ, ମୋର ସବୁକିଛି ।ଗୁମ୍ପା କୋଳରେ ଆବିର୍ଭୂତ ହୋଇଥିଲେ ।ତାଙ୍କରି କରୁଣାରେ ଚାଳୁଥିଲା ମୋର ଛୋଟ ଶବର ଗାଁ ।ପରିପୂର୍ଣ୍ଣ, ସୁନ୍ଦର ।ଦିନେ ମାୟା ଭିଏଇଲା ତୁଛ୍ଛ ଅସାର ସମୟ ।ମୋରି ଗର୍ଭଜା କନ୍ୟା ସାଜିଲା ପଶାପାଲିର ଗୋଟିମୋହର ।ନୀଳମାଣିକ ମୋର ଉଭେଇଗଲେ ।ଅଭୟହାତ ଉଠିଗଲା ମୋ ବସତିର ମଥାରୁ ।ସେଦିନୁ ଶ୍ରୀହୀନ ହେଇ ଖୋଜୁଛି ମୁଁ ସକାଳକୁ ।ସିଏ ହି ବଂଶୀ ର ତାନରେ ମଧୁ ଭରନ୍ତି ଫୁଲେ ଫୁଲେ ।ପକ୍ଷୀର ଡେଣାରେ ସ୍ବପ୍ନ ଭରନ୍ତି ତ ଚଞ୍ଚଳତା ନଦୀର କମରରେ ..... ଏଇ ସୂକ୍ଷ୍ମ ପ୍ରାତଃ କିରଣ ସହ ।ଶିଶୁ ହୋଇ ମାତାର କୋଳରେ ବସି ଜୁମ୍ବଣେ ମୁଖ ବିସ୍ତାରି ବ୍ରହ୍ମାଣ୍ଡ ଦର୍ଶନ କରେଇଥିବା ମୋର ପ୍ରଭୁ ବାଳୁତଖେଳ ପରି ମଣନ୍ତି ଏ ସଂସାର କୁ ।ଦାରୁଦିଅଁ ହେଇ ଏଇ ଅର୍ଣ୍ଣବରେ ଭାସି ଆସି କୂଳେ ଲାଗିଥିଲେ, ବୁଢାବଢେଇ ହାତେ ଅଧାଗଢା ........ଏବେ କାଳେ ସେଇ ପ୍ରଭୁର ଦାଣ୍ଡ ରେ ରକ୍ତ ର ହୋଲି, ଭାଙ୍ଗିଯାଉଛି ତା' ଲକ୍ଷ୍ମୀ ଚୁଲି ।"
ଅନ୍ଯମନସ୍କ ଦିଶିଲା ଉଦାସପଣ । ଭାବାବେଗରେ ବାଷ୍ପିୟ ଦିଶିଲା ତା' ଚକ୍ଷୁ ଯୁଗଳ ।ମୁହଁ ପୋତି ବସିଥିଲେ ଦିହେଁ ।ନେସି ବୋଳି ହେଉଥିଲା ଚିକ୍କଣ କଳା ।
ପୁଣି ଆରମ୍ଭ କଲେ ବୃଦ୍ଧ ....
_ ନା ନା ପଥିକ ତୁମେ ନିରାଶ ହୁଅନି ।ସିଏ ଫେରିବେ ।ନୂତନ ପ୍ରଭାତ ସହ ଫେରିବେ । ବିଶ୍ବାସ ରଖ ।ବିଶ୍ବାସ ମୂଳେ ପରା ସିଏ ଥାନ୍ତି ।ମତେ ଦେଖୁନ କେତେ ଶହ ବର୍ଷ ରୁ ମୁଁ କେମିତି ଝୁରୁଛି, ଚାହିଁ ରହିଛି ତାଙ୍କ ବାଟ ।ସିଏ ଆସନ୍ତି । ହୃଦୟ ଢାଳି ଯିଏ ଡାକେ ସେ ଶୁଣନ୍ତି ।ମୋ ପାହାଡ ଛାତିର ଗୁମ୍ପା ତାଙ୍କ ଅପେକ୍ଷା ରେ ।ସେ ଫେରିବେ ..... ସେଇ ନୀଳକାନ୍ତବୈଦୁର୍ଯ୍ଯମଣିମୟ ଆଭା ନେଇ ଗୋଟେ ଅରୁଣୋଦୟ ସହ ନିଶ୍ଚେ ଫେରିବେ! ହଁ ହଁ ନିଶ୍ଚେ ଫେରିବେ । ଶୋରିଷ ରଙ୍ଗର ଆଳରେ ଲୁଚିବେନି ଆଉ, ଏଥର ଉଜ୍ବଳ ଦିଶିବେ । ମହିମାମଣ୍ଡିତ କରିବେ । ଏବେ ସିନା ସବୁଠି ତା ଘର ହେଲେ ମୁରବୀ ସଂସାର ହେଲେ ସମୟ ଆସିବ, ନିଶ୍ଚେ ଆସିବ ।
ଉତ୍କଣ୍ଠା, ଆଗ୍ରହ, ଆତ୍ମବିଶ୍ବାସେ ଥରୁଥିଲେ ବୁଢା ଶୂନ୍ୟ ଦେହି ପରି ।
_ " ତୁମ ତୁଣ୍ଡ ସୁତୁଣ୍ଡ ହେଉ ବତ୍ସ ବିଶ୍ବାବସୁ । ତଥାସ୍ତୁ ।" ଶୁଣଉଥିଲା ତାଙ୍କୁ କର୍ଣ୍ଣ ପରଦାରେ ପ୍ରକମ୍ପମାନ ପବନ ଲହର । ଚେତନାଚକ୍ଷୁରେ ପ୍ରତିଫଳିତ ହେଉଥିଲେ ହସୁଥିବା ଚକା ଆଖି ହଳେ ......ସତୃପ୍ତ ।
ପଚାରିବାକୁ ଯେବେ ଚାହିଁଲେ,"ତୁମ ନାଁ କଣ ଆହେ! କାଚରା? ତଥାସ୍ତୁ କହିଲ ଯେ ? କିଏ ତୁମେ ?"
ପ୍ରତିଧ୍ବନିତ ହେଲା ଅନ୍ତରେ " ବଂଶୀ ବାଲା "
ଆଖିର ଜ୍ଯୋତି ସହ ସିଏ ଦେଖୁଥିଲେ ନୀଳ ପାରାବାର କୋଳରୁ ଉଇଁ ଆସୁଥିବା ଉଷାର ଅପରୂପ ଛଟକ ......ବାଲୁକା ସାରା ଭରା ଭରା ଫୁଟିଥିବା ପଦ୍ମ ଆସର ଆଉ ଭୁରୁଭୁରୁ ମହକର ନିର୍ଝରିଣୀ ....... ସିଏ ବି ଅମ୍ବୁଧି କୂଳେ ।
