Chinmayee Barik

Romance Inspirational

4.5  

Chinmayee Barik

Romance Inspirational

ସିଗନେଚର୍

ସିଗନେଚର୍

14 mins
308


ମୁଁ ସବୁବେଳେ ତାଙ୍କୁ ପ୍ରେମରେ ଉପହାର ମାଗେ ,ହେଲେ ସେ କେବେ କିଛି ମୋତେ ଦିଅନ୍ତିନି । ଖାସ୍ ସେଥିଲାଗି ମୁଁ ତାଙ୍କୁ କଞ୍ଜୁସ୍ ଡାକୁଥିଲି ।

ଆମେ ଦୁହେଁ ପରସ୍ପରକୁ ଖୁବ୍ ଭଲ ପାଉଥିଲୁ ଯଦିଓ ଆମେ କେବେ ପରସ୍ପରକୁ" ଆଇ ଲଭ୍ ୟୁ "ବୋଲି କହି ନ ଥିଲୁ । ସୌଭାଗ୍ୟ ଥିଲେ କଳାର ଛାତ୍ର ଆଉ ମୁଁ ଥିଲି ବିଜ୍ଞାନର । ମୋ ବିଜ୍ଞାନର ତଥ୍ୟ ଯେଉଁଠି ସରି ଯାଉଥିଲା ,ତାଙ୍କ କଳାର ପରିକଳ୍ପନା ସେଇଠୁ ଆରମ୍ଭ ହେଉଥିଲା । ଆମେ ଦୁହେଁ ଖୁବ୍ ତର୍କ ପ୍ରିୟ ଥିଲୁ । ବେଳେ ବେଳେ କଫି ହାଉସରେ ତର୍କ କରୁ କରୁ ଅନେକ ସମୟ ହୋଇ ଯାଉଥିଲା । କଫି ହାଉସ୍ ର ମାଲିକ ଆସି ଆମକୁ ଜବରଦସ୍ତ ତା ଦୋକାନରୁ କାଢି ଦେଉଥିଲା ।

କଲେଜ୍ ସରିଲା ପରେ ଆମେ ଦୁହେଁ ଏକାଠି ହେଉ ଥିଲୁ । ଦୁହେଁ ନିଜ ନିଜ ପର୍ସ ଅଣ୍ଡାଳୁ ଥିଲୁ ,ଯେତିକି ପଇସା ଥାଏ ତାକୁ ଏକାଠି କରି ଗୋଟିଏ ରିକ୍ସା ବାଲାକୁ ଦେଇ କହୁ ଯେ "ଏତିକି ପଇସାରେ ଯେତିକି ଯାଏଁ ଯାଇ ହେବ ସେତେ ଯାଏଁ ଆମକୁ ବୁଲା "। ରିକ୍ସାବାଲା ଆଶ୍ଚର୍ଯ୍ୟ ହୋଇ ପଚାରେ "କୁଆଡେ ଯିବେ କି ଆପଣ?"।

:ଯୁଆଡେ ତୋ ଇଛା ...ଏତକ କହି ଆମେ ରିକ୍ସାରେ ବସୁ ।

ରିକ୍ସାବାଲା ଆମ ମନ କଥା ଠଉରେଇ ନିଏ ବୋଧେ । କାଠଯୋଡି ନଦୀ ପାଖାପାଖି ବୁଲାଏ ଘିରି ଘିରି କରି । ଆମେ ରିକ୍ସାରେ ବସି ଦୁନିଆ ଯାକର କଥା ହେଉ । ନିଜ ବିଷୟରେ କଥା ହେବାକୁ ଭୂଲି ଯାଇଥାଉ। ଆଉ ନିଜ ବିଷୟରେ କଥା ଆରମ୍ଭ କଲା ବେଳକୁ ରିକ୍ସାବାଲାର ପଇସା ସରି ଯାଇଥାଏ । ସେ ଆମକୁ ସେଇଠି ଓହ୍ଲାଇ ଦିଏ । ସେଇଠୁ ଆମେ ଚାଲିଚାଲି ଘରକୁ ଫେରୁ । ଘରର ଦୂରତା ଆମକୁ ଆଦୌ ଜଣା ପଡେନି । କେବଳ ରିକ୍ସା କାହିଁକି ,ବସ୍ ରେ ବି ଏଭଳି କାଣ୍ଡ କରିଛୁ । କଟକରୁ ବସ୍ ରେ ବସି ଭୂବନେଶ୍ୱର ଯାଇଛୁ । ସେଇଠୁ ସେଇ ବସ୍ ରେ ବସି ପୁଣି କଟକ ଫେରିଛୁ । କଟକକୁ ଆସି ଆଉ ଗୋଟିଏ ଭୂବନେଶ୍ୱର ବସ୍ ଦେଖି ପୁଣି ଉଠିଯାଉ ।

କୌଣସି ପାର୍କ କି ଆଉ କେଉଁଠି ବସି ଗପିବାକୁ ଆମେ ଭଲ ପାଉନା । ବସୁ ଯଦି ସେଇ କଫି ହାଉସ୍ ରେ ନ ହେଲେ ଚଳନ୍ତା ଗାଡିରେ । ଗପ ସରେନି ଆମର । ଚଟି ସିଲେଇଠୁ ଚଣ୍ଡିପାଠ ଯାଏଁ ସବୁ କଥା ହେଉ । ସଂଧ୍ୟାରେ ଘରକୁ ଫେରିଲା ବେଳକୁ ଚାରୋଟି ଆଖି ମୋତେ ଡବ ଡବ ହୋଇ ଅନେଇ ଥାଆନ୍ତି । ଦୁଇଟି ଆତଙ୍କର ଆଖି ବୋଉର ଥାଏ ,ଆଉ ଦୁଇଟି ଗହୀରା ଆଖି ବାପାଙ୍କର ଥାଏ । ମୁଁ କିଛି କୁହେନି । ଚୁପଚାପ୍ ସିଧା ନିଜ ପଢା ଘରକୁ ଚାଲିଯାଏ ।

ରୋଷେଇ ଘର ଭିତରୁ ବୋଉର ପାଟି ଶୁଭୁଥାଏ । ବାପାଙ୍କୁ ଆକ୍ଷେପ କରି କହୁଥାଏ "ଝିଅର ମୁହଁ ବଢେଇଛ ..ଦେଖିବ ଦିନେ ସେଇ ତୁମର ନାକ କାନ କାଟି ଦେଇ ଚାଲିଯିବ "।

ବୋଉ ମୋତେ ସିଧା କିଛି ପଚାରେନି ବରଂ ମୁଁ ବାଥରୁମ୍ ଯାଇଥିଲା ବେଳେ ସେ ମୋ ଖାତା ପତ୍ର ଅଣ୍ଡାଳେ ,ମୋବାଇଲ୍ ଘାଣ୍ଟେ । ମୁଁ ଜାଣିପାରେ ସବୁ । ଦିନେ କିନ୍ତୁ ମୁଁ କହିଦେଲି ଯେ ମୁଁ ସୌଭାଗ୍ୟକୁ ଭଲ ପାଏ ବୋଲି । ତା ପରେ ଚାଲିଲା ତାଣ୍ଡବ ଲୀଳା । କନ୍ଦାକଟା ଆଉ ତା ପରେ ଅନଶନ । ହେଲେ ମୋ ଦୃଢତା ଆଗରେ ବୋଉର ଏସବୁ କିଛି କାମ ଦେଲାନି । ବାପା କିନ୍ତୁ ସବୁ ଶୁଣନ୍ତି ,ଜାଣନ୍ତି ହେଲେ କିଛି କୁହନ୍ତିନି । ମନେ ମନେ ସନ୍ତୁଳି ହୁଅନ୍ତି ବୋଧେ । ମୋତେ ଖୁବ୍ କଷ୍ଟ ହୁଏ ବାପା ବୋଉଙ୍କୁ ଦେଖି, ହେଲେ ଶତ ଚେଷ୍ଟା କରି ମଧ୍ୟ ମୁଁ ସୌଭାଗ୍ୟକୁ ଅଣଦେଖା କରିପାରେନି କି ଭୂଲି ପାରେନି ।

*    *    *   *   *

ଦିନେ କଲେଜ ସରିଲା ପରେ ଆମେ ଦୁହେଁ ବାହାରିଲୁ କଫିହାଉସ୍ କୁ । ସେଠାରେ ପହଞ୍ଚି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ । ଏ କଣ ?ତା ଦୋକାନରେ ପୋଲିସ୍ ଠିଆ ହୋଇଛନ୍ତି । ଗରାଖ ମାନେ ବି ମୁଣ୍ଡଟେକି କିଛି ଜାଣିବାକୁ ଚାହୁଁଛନ୍ତି । ମୁଁ ସୌଭାଗ୍ୟର ହାତକୁ ଛାଡି ଦେଇ ଲୋକଙ୍କୁ ଆଡେଇ ଦେଇ ଆଗକୁ ଚାଲିଗଲି । ଦେଖିଲି କଫିହାଉସ୍ ର ମାଲିକ ଗୋଟିଏ ଚେୟାର୍ ଉପରେ ମୁଣ୍ଡ ପୋତି ବସିଛି । ତା ପାଖରେ ଦୁଇଟି ପୋଲିସ୍ । ସେ କାନ୍ଦି କାନ୍ଦି କହୁଛି "ମୁଁ କିଛି ଜାଣେନି ସାର୍ ,କେମିତି କଣ ହୋଇଗଲା । ମୁଁ ତାକୁ ଖୁବ୍ ଭଲ ପାଏ । ଖାଲି ଯାହା କାଲି ରାତିରେ ମଦ ନିଶାରେ କଣ ପାଟି ତୁଣ୍ଡ କରିଛି ମୁଁ ନିଜେ ବି ଜାଣେନି । ସକାଳୁ ତ ସବୁ ଠିକ୍ ଠାକ୍ ଥିଲା । ମୁଁ କଫିହାଉସ୍ ଆସିଲା ପରେ ଏସବୁ ହୋଇଛି । " ତା କଥାରୁ ମୁଁ କିଛି ବୁଝିପାରୁ ନ ଥିଲି । ପାଖରେ ଜଣେ ଗରାଖକୁ ପଚାରିଲି ଘଟଣା କଣ ବୋଲି। ସେ କହିଲା , କଫିହାଉସ୍ ର ମାଲିକର ସ୍ତ୍ରୀ କାଳେ ଏଇ ଏବେ ଏବେ ବେକରେ ଲୁଗାଦେଇ ମରିଯାଇଛି । ପଡିଶାଘର ଲୋକ ଜାଣି ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ୍ ଆସିଛି ଲୋକଟିକୁ ଥାନାକୁ ନେଇଯିବ ବୋଲି ।

ଏତକ ଶୁଣିଲା ପରେ ମୋ ମଥା ଭାରି ହୋଇଗଲା । ମୁଁ ଦେଖିଛି ଲୋକଟିର ସ୍ତ୍ରୀଟିକୁ । ସେମାନେ କାଳେ ପ୍ରେମ ବିବାହ କରିଥିଲେ । ଖୁବ୍ ଖୁସିରେ ଥିଲେ ବି । ତା ସ୍ତ୍ରୀ ଆମସହ ଅନେକ ଥର କଥା ହୋଇଛି । ତା ପ୍ରେମ ବିଷୟରେ ବି କହିଛି । ବେଳେ ବେଳେ ସେ ନିଜେ ଗରାଖ ମାନଙ୍କ କଥା ବି ବୁଝେ । ଭାରି ଚଳଚଞ୍ଚଳ ଓ ହସକୁରି ମଣିଷଟିଏ ଥିଲା । ତାର ଗୋଟିଏ ସ୍ୱପ୍ନ ଥିଲା ଯେ ସେ ଏ କଫିହାଉସ୍ କୁ ବଡ କରିବ । ଯେମିତିକି ଏ ସହରର ସବୁଠୁ ବଡ କଫିହାଉସ୍ ତାର ହେବ । ସେମାନଙ୍କୁ ଦେଖିଲେ ଲାଗେ ଯେମିତି ସେ ଦୁହେଁ ଦୁନିଆର ସବୁଠୁ ସୁଖୀ ମଣିଷ । ହେଲେ ସବୁକିଛି ଯେମିତି ହଠାତ୍ ଚୁରମାର୍ ହୋଇଗଲା ।

ମୁଁ ଆଉ ଅଧିକ କିଛି ଭାବି ପାରୁ ନ ଥିଲି । ମୋ ମୁଣ୍ଡ ବୁଲେଇ ଦେଉଥିଲା । ସୌଭାଗ୍ୟ ସେ ଜାଗାରୁ ମୋତେ ତୁରନ୍ତ ନେଇ ଆସିଲେ । ସେଦିନ ଆମେ ଆଉ କୁଆଡେ ଯାଇ ନ ଥିଲୁ । ସିଧା ଘରକୁ ଫେରିଲୁ । ରାତି ସାରା ମୁଁ ଅନେକ କଥା ଭାବୁଥିଲି । ସୌଭାଗ୍ୟ ମୋତେ ଫୋନ୍ କରି କହିଲେ" ବେଶୀ କିଛି ଭାବନି । ପ୍ରେମର ଅନେକ ପରିଣାମ ଥାଏ । ତା'ଭିତରୁ ଏ ବି ଗୋଟିଏ । "

ତାଙ୍କ କଥା ଶୁଣି ମୁଁ ପଚାରିଲି ,"ପ୍ରେମର ବି କଣ ମୃତ୍ୟୁ ଥାଏ ?"

ସେ ଟିକେ ହସି କହିଲେ "ଜଣା ନାହିଁ,ହେଲେ ଗୋଟିଏ କଥା ମନେ ରଖିବୁ ଯେ ପ୍ରେମରେ ସେତିକି ମିଠାପଣ ରହିବା ଦରକାର ଯେତିକି ସହି ହେବ । ନ ହେଲେ ତାହା ଦେହ ଓ ମନକୁ ଉଇ ଭଳି ନଷ୍ଟ କରିଦିଏ । ଆଉ ଗୋଟିଏ କଥା ବି ଅଛି ଏଇଠି । ପ୍ରେମର ପ୍ରଥମ ଲକ୍ଷଣ ହେଉଛି ନିଜ ଜୀବନକୁ ଭଲପାଇବା। ପ୍ରେମ ଜୀବନ ମାଗେ ,ମୃତ୍ୟୁ ନୁହେଁ । "

ତାଙ୍କର ଏ ଦର୍ଶନବାଦ ମୋ ଲାଗି ବୁଝିବା ଖୁବ୍ କଷ୍ଟ ଥିଲା । ମୋ ଆଖି ଆଗରେ ଖାଲି କଫି ହାଉସ୍ ର ଦମ୍ପତ୍ତି ଦେଖା ଯାଉଥିଲେ ।

ତା ପରେ ସେ କଫିହାଉସ୍ ବନ୍ଦ ହୋଇ ଯାଇଥିଲା । ଆମର ପ୍ରିୟ ସ୍ଥାନଟି ଆମେ ହରାଇଥିଲୁ । ତା ଛଡା ଆମେ ଦୁହେଁ ବି ଆଉ କେବେ କଫି ପିଇବାକୁ ମନ କରିନୁ । ଦିନେ କିନ୍ତୁ ସୌଭାଗ୍ୟ କହିଥିଲେ ଯେ ,ଯଦି କେବେ ଏ କଫି ହାଉସ୍ ପୁଣି କେବେ ଖୋଲେ ତେବେ ଆମେ ଦୁହେଁ ପୁଣି ଏଇଠିକୁ ଆସିବା । ହେଲେ ସେମିତି ସୁଯୋଗ ଆଉ ମିଳିଲାନି । ଆମର ପାଠ ପଢା ବି ସରି ଆସିଲା । ପରୀକ୍ଷା ପରେ ମୁଁ ଘରେ ରହିଗଲି ଆଉ ସେ ଜବ୍ ପାଇଁ କୋଚିଂ ନେଇ ପଢାରେ ବ୍ୟସ୍ତ ରହିଲେ। ଯାହା ଯେତକ କଥା ଥିଲା କେବଳ ମୋବାଇଲ୍ ରେ ।

*   *    *    *    *

କିଛିଦିନ ହେଲା ମୋ ମୋବାଇଲ୍ ଖରାପ ଥିଲା । ସେଦିନ ସୌଭାଗ୍ୟଙ୍କ ସାଙ୍ଗ ଅଜୁ ଆସିଥିଲା ମୋ ପାଖକୁ। ଅନେକ କଥାବାର୍ତ୍ତା ହେଲା ଆଉ ଗଲାବେଳକୁ ମୋ ହାତରେ କାଗଜଟିଏ ଗୁଞ୍ଜି ଦେଲା । ପ୍ରଥମେ ତ ମୁଁ ଟିକେ ଚକିତ ହେଲି, ହେଲେ ତା ପରେ ଚୁପ୍ କରି ଉଠିଗଲି ବାଥରୁମ୍ କୁ । କାଗଜଟି ଖୋଲିଲି । ସୌଭାଗ୍ୟ ଚିଠି ଦେଇଥିଲେ । ଲେଖିଥିଲେ

"ଶ୍ୱେତା,

ତୋ ଫୋନ୍ ତ ଲାଗୁନି। ବାଧ୍ୟ ହୋଇ ଅଜୁ ହାତରେ ଚିଠି ଦେଲି। ମୋର ଜବ୍ ହୋଇ ଯାଇଛି । ଫାର୍ଷ୍ଟ ପୋଷ୍ଟିଂ ଦିଲ୍ଲୀରେ । ଦୁଇଟି ଟିକେଟ୍ କାଟିଛି । କାଲି ରାତି ନଅଟାରେ ଟ୍ରେନ୍ । ନିଶ୍ଚେ ଆସିବୁ । ରହିଲି।

       ଇତି ତୋର ସୁବୁ ।

ଚିଠିଟି ପଢିଲା ପରେ ମୋ ଦେହ ଥରିଲା । କଣ କରିବି କଣ ନାଇଁ ଭାବୁଥିଲି । ଥରେ ତ ବାପା ,ବୋଉଙ୍କୁ କହିଲି ଯେ ଘରେ ପ୍ରଳୟ ହୋଇଗଲା । ବୋଉ ମୁହେଁ ମୁହେଁ ଶୁଣାଇ ଦେଲା ଯେ ଏମିତି କଲେ ସେ ଆତ୍ମହତ୍ୟା କରିଦେବ । ବାପା ନୀରବରେ ପ୍ରତିବାଦ କଲେ । ଏବେ ଭାବିବାକୁ ଆଉ ସମୟ କାହିଁ । ଘରେ କହିଲେ ତ କେହି ବୁଝିବେନି । ତେଣୁ ନିଜ ମନକୁ ବୁଝାଇଲି । ମୋ କଲେଜ୍ ବ୍ୟାଗ୍ ରେ ଦୁଇ ଖଣ୍ଡ ଡ୍ରେସ୍ ,ଛୋଟ ମୋଟ ଜିନିଷ ସବୁ ପୁରାଇଲି ବୋଉର ଅଜଣାତରେ । ଅପେକ୍ଷା ଥିଲା କାଲିକୁ । ହେଲେ ରାତିରେ ହିଁ ବାପାଙ୍କ ଦେହ ଖରାପ ହୋଇଗଲା । ହାଇ ବ୍ଲଡପ୍ରେସର୍ । ଦୁଇ ଚାରିଟା ବାନ୍ତି ବି ହୋଇସାରିଥିଲା । ରାତି ସାରା ଅନେକ ଭାବିଲି । ତା ପରଦିନ ବି ସେଇମିତି ଗଲା । ଡାକ୍ତର କହିଗଲେ ବାପାଙ୍କୁ ଏବେ ବିଶ୍ରାମ ଦରକାର ।

ରାତି ହୋଇ ଆସିଥିଲା । ବୋଉ ଦିନସାରା କାମ କରି ଥକିଯାଇ ଶୋଇଯାଇ ଥିଲା ବାପାଙ୍କ ଗୋଡ ପାଖରେ । ବାପା ଶୋଇଥିଲେ ଛାତକୁ ମୁହଁକରି । ପାଟିବାଟେ ନିଃଶ୍ୱାସ ନେଉଥିଲେ । ଛାତି ଜୋରରେ ଧଡପଡ ହେଉଥିଲା । ମୋତେ ନଜର ରଖିବାକୁ କି ଆକଟ କରିବାକୁ କେହି ନ ଥିଲେ । ମୁଁ ଏବେ ଦୁଇ ନାଆରେ । ତଥାପି ସାହାସ ସଞ୍ଚୟ କରି ବାହାରିଲି ଘରୁ । ଦାଣ୍ଡ କବାଟ ଆଉଜେଇ ଦେଇ କିଛି ବାଟ ଯାଇଛି କି ନାହିଁ ମୋତେ ଲାଗିଲା ଯେମିତି ଗୋଟିଏ ଛାଇ ମୋତେ ପିଛା କରୁଛି । ମୁଁ କିଛି କ୍ଷଣ ଅଟକି ଗଲି । ପୁଣି ଚାଲିଲି। ମୋତେ ପୁଣି ଲାଗିଲା ମୋ ପଛରେ କେହି ଜଣେ ଅଛି ନିଶ୍ଚୟ । ମୁଁ ପଛକୁ ଫେରି ଚାହିଁଲି ,କେହି ନ ଥିଲେ । ଆଗକୁ ପୁଣି ବଢିଲି। ଏଥର ମୋତେ ଲାଗିଲା ମୋ ଭୂଇଁ ତଳୁ ଅକ୍ଟୋପସ୍ ଭଳି କିଛି ଗୋଟିଏ ମୋ ଗୋଡକୁ ଜାବୁଡି ଧରିଛି କି ଆଉ!ଦୌଡିବାକୁ ଯାଇ ମଧ୍ୟ ଯାଇ ପାରିଲିନି । ଆଗରେ ମେଞ୍ଚାଏ କୁକୁର ମୋତେ ଅନାଇ ରହିଥିଲେ । ବୋଧେ ସେମାନେ ମୋତେ ଦେଖି ଭୁକିବାକୁ ଆୟୋଜନ କରୁଥିଲେ । ଏଥର ମୁଁ ଡରିଗଲି । ମୋତେ ଲାଗିଲା ମୋ ପଛପଟୁ କାହାର ଦୁଇହାତ ଆସି ମୋତେ ଜାବୁଡି ଧରିଲା । ସେ ହାତର ଗନ୍ଧରୁ ଜାଣିଲି ଏଇଟା ମୋ ବାପାଙ୍କର ବୋଲି । ମୁଁ "ବାପା" ବୋଲି ଅସ୍ପଷ୍ଟ ସ୍ୱରଟେ କାଢି ପଛକୁ ଅନେଇଲି । ଏଥର ବି କେହି ନୁହେଁ ମୋ ପଛରେ । ମୋତେ ବ୍ୟତିବ୍ୟସ୍ତ ଲାଗିଲା । ଆଉ ଆଗକୁ ଯାଇ ପାରିଲିନି ,ଏଥର ଦୌଡିଲି ପଛକୁ ..ଘର ମୁହାଁ ହୋଇ । ଘରେ ପହଞ୍ଚି ଦେଖିଲି ,ବୋଉ ସେଇମିତି ଶୋଇଛି । ବାପା ବି ଆଖି ବୁଜି ଘନ ଘନ ନିଃଶ୍ୱାସ ନେଉଛନ୍ତି । ତାଙ୍କ ଆଖିରୁ ଦୁଇ ଠୋପା ଲୁହ ଝରିଆସି ଶୁଖି ଯାଇଛି । ତାଙ୍କୁ ଦେଖି ମୁଁ ଆଉ କିଛି କହି ପାରିଲିନି । ତାଙ୍କ ପାଦ ଯୋଡିକ ଧରି ନୀରବରେ କାନ୍ଦି ଉଠିଲି । ବାପା ଥରେ ଆଖି ଖୋଲିଲେ ଆଉ ପୁଣି ଆଖି ବୁଜିଦେଲେ । ସେଦିନ ରାତି ସାରା ବୋଉ ପାଖରେ ମୁଁ ବସି ରହିଲି ।

ସକାଳୁ ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା । ବାପାଙ୍କର ଡାହାଣ ପାଖ ହାତ ଗୋଡ୍ ପାରାଲେସିସ୍ ହୋଇ ଯାଇଥିଲା । ବୋଉ ଦୁଃଖରେ ଭାଙ୍ଗି ପଡିଥିଲା । ସୌଭାଗ୍ୟଙ୍କ ଖବର ମୋତେ ଜଣା ନ ଥିଲା । ବାପାଙ୍କର ଏ ଅବସ୍ଥା ଦେଖି ମୁଁ ସବୁ ଭୂଲି ଯାଇଥିଲି । ମୋର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତକୁ ବି । ହେଲେ ବାପା ଆଉ ଭଲ ହେଲେନି । ସେଇ ବିଛଣାରେ ରହି ସେ ମୋ ବାହାଘର କରିଦେଲେ ତାଙ୍କ ସାଙ୍ଗଙ୍କ ପୁଅ ଅତୁଲଙ୍କ ସହ । ବାହାଘରର ମାସେ ପରେ ବାପାଙ୍କର ଦେହାନ୍ତ ହୋଇଗଲା ।

ତା ପରେ ସବୁ ବଦଳିଗଲା ମୋ ଜୀବନ । ମୋ ଜୀବନରେ ଏବେ କେବଳ ଅତୁଲ୍ ଓ ଝିଅ ସ୍ୱପ୍ନା । ବୋଉ କେବେ କେବେ ଆସେ ମୋ ପାଖକୁ । ପୁଣି ଚାଲିଯାଏ କଟକକୁ । ବୋଉ ଆସିଲେ ସାଥୀରେ କଟକର ବାସ୍ନା ଆଣିଥାଏ । ସେଇ ବାସ୍ନା ଭିତରେ ବେଳେ ବେଳେ ସୌଭାଗ୍ୟ ମନେ ପଡନ୍ତି । ଏବେ ସେ କେଉଁଠି,କଣ କରୁଛନ୍ତି, କିଛି ଜାଣିନି ହେଲେ ବେଳେ ବେଳେ ଇଛା ହୁଏ କେବେଥରେ ତାଙ୍କ ଆଗରେ ଆଣ୍ଠୁ ମାଡି କ୍ଷମା ମାଗି ନିଅନ୍ତି । ସେମିତି ସୁଯୋଗଟିଏ କଣ ମିଳିବ?କେଜାଣି?ସବୁ ଭାବନା ରାଇଜରେ ରହିଯାଏ ।

*    *     *    *    *

ଅନେକ ଦିନ ପରେ କଟକ ଆସିଥିଲି ଝିଅ ସ୍ୱପ୍ନାକୁ ନେଇ ବୋଉ ପାଖକୁ । ଧୂମ୍ ବୁଲିଲି ସାଙ୍ଗ ସାଥୀଙ୍କ ଘରକୁ ଯାଇ । ଦିନେ ହଠାତ୍ ମାର୍କେଟ୍ ରେ କଫିହାଉସ୍ ର ମାଲିକ ଦେଖା ହେଲା । ସେ ମୋତେ ଚିହ୍ନି ପାରି ଆସି ପରିଚୟ ଦେଲା । ତାକୁ ଦେଖି ମୁଁ ଖୁସି ହୋଇଗଲି । ପଚାରିଲି "ଭାଇନା,କେମିତି ଅଛ?" ସେ ଟିକେ ହସି କହିଲା "ହଁ,ଭଲ ଅଛି । ଏବେ ପୁଣି କଫି ହାଉସ୍ ଖୋଲିଛି । ମୋ କଥା ତ ଜାଣିଥିବ । ଅନେକ କେସ୍ ବାସ୍ ହେଲା ଆଉ ତା ପରେ ସବୁ ସମାଧାନ ହେଲା । ଭାଙ୍ଗି ପଡିଥିଲି ହେଲେ କିଛି ପୁରୁଣା ଗରାଖ ମୋତେ ସାହାସ ଦେଲେ । କିଛି ଧାର ଉଧାର ବି ଦେଲେ । ସେଇଥିରେ ଏବେ କରିଛି ପୁଣି କଫି ହାଉସ୍ । ଭଲ ଚାଲିଛି । ତୁମେ ଆସିବ ନା ମୋ କଫି ହାଉସ୍ କୁ?" ତା କଥାରେ ଏତେ ଆତ୍ମିୟତା ଥିଲା ଯେ ତା କଥାକୁ ମୁଁ ଆଉ କାଟି ପାରିଲିନି । ହଁ ,କହିଲି । ମୋ ଫୋନ୍ ନମ୍ବର ରଖିଲା ଓ ତା ନମ୍ବର ଦେଲା। କେବେ କଫି ହାଉସ୍ କୁ ଗଲେ ଫୋନ୍ କରି ଯିବି ବୋଲି କହି

ସେ ଚାଲିଯାଉଥିଲା । ହଠାତ୍ ମୁଁ ପଚାରି ଦେଲି "ଭାଇନା ,ତୁମର ପୁରୁଣା ଗରାଖ ସବୁ ଆସୁଛନ୍ତି ଏବେ ବି ?"

:ହଁ, କିଛି କିଛି ଆସୁଛନ୍ତି ଏବେ ବି ।

:ଆଉ ସିଏ?

:ସିଏ ମାନେ? ଓଃ...ତୁମ ବାବୁଙ୍କ କଥା କହୁଛ?

ତାଙ୍କ କଥା ଶୁଣି ମୁଁ ସମ୍ମତି ଜଣାଇବା ଢଙ୍ଗରେ ତଳକୁ ମୁହଁପୋତି ଠିଆ ହେଲି । ମୋତେ ଦେଖି ସେ ଟିକେ ହସି କହିଲା "ହଁ,ସୌଭାଗ୍ୟ ବାବୁ କେତେଥର ଆସିଲେଣି ମୋ କଫିହାଉସ୍ କୁ । ଥରେ ତାଙ୍କ ସ୍ତ୍ରୀ ଙ୍କୁ ନେଇ ମଧ୍ୟ ଆସିଥିଲେ । ଖୁବ୍ ସୁନ୍ଦର ଝିଅଟେ ସେ । ତୁମେ କଣ ଜାଣିନ କି ସେ ଏବେ ଏଇଠି ପରା ଚାକିରି କରୁଛନ୍ତି ! "

ତାଙ୍କ କଥା ଶୁଣିଲା ପରେ ମୁଁ ଯେମିତି ଚିହିଁକି ଉଠିଲି । ଥଙ୍ଗ ଥଙ୍ଗ ହୋଇ କହିଲି ",ଭାଇନା ବାହାଘର ପରେ ଜଞ୍ଜାଳରେ ରହି କାହା ସହ ଆଉ ଯୋଗାଯୋଗ ହୋଇ ପାରିନି । ତେଣୁ ପଚାରିଦେଲି । ଖରାପ ଭାବିବନି । "

କଫି ହାଉସ୍ ର ମାଲିକ ଚାଲିଯାଇଥିଲା ହେଲେ ମୁଁ ସେଇଠି ଅନେକ ସମୟ ଠିଆ ହୋଇ ରହିଥିଲି । ଘରକୁ ଆସିଲା ପରେ ମୋତେ ଅନ୍ୟମନସ୍କତା ଘାରି ରହିଲା । ବୋଉ ମୋତେ ପଚାରିଲା କଣ ହୋଇଛି ବୋଲି । ମୁଁ ବୋଉ ପାଖରେ ସବୁ କଥା କହିଦେଲି । ବୋଉ ଆଗଭଳି ଆଉ ନାହିଁ । ମୋତେ ଧମକାଏ ନାହିଁ କିମ୍ବା ଗାଳି ଦିଏ ନାହିଁ । ମୋ କଥା ଶୁଣି କହିଲା "ଯାହା ଠିକ୍ ଭାବୁଛୁ କର "।

ସୌଭାଗ୍ୟଙ୍କ କଥା ଭାବି ଭାବି ମୋତେ ଅସ୍ଥିର ଲାଗୁଥାଏ । ଲାଗୁଥାଏ ଯେମିତି ମୁଁ ଗୋଟେ ବଡ ଅପରାଧ କରି ଦେଇଛି । କ୍ଷମା ମାଗିବାଟା ଜରୁରୀ ଯେମିତି । ହେଲେ କେମିତି କଣ କହିବି ଭାବି ପାରୁ ନ ଥାଏ । ସେ ଯଦି ପଚାରି ଦିଅନ୍ତି "ତୁମେ କିଏ ବୋଲି ? ତେବେ?"କଣ ଉତ୍ତର ଦେବି ମୁଁ କିଏ ବୋଲି ? ଅନେକ ଥର ଦେଖା କରିବାକୁ ଇଛା କରି ମଧ୍ୟ ନିଜକୁ ରୋକି ଦେଇଛି । ମୋ ନିଜ ସହରକୁ ଫେରି ଯିବାକୁ ଆଉ ଦୁଇଦିନ ବାକିଥିଲା । ଭାବିଲି ଯାଇଁ କଫି ହାଉସ୍ ରେ ବୁଲି ଆସିବି । ଗଲି ମଧ୍ୟ । କଫିହାଉସ୍ ଟି ଆଗ ଅପେକ୍ଷା ବଡ ହୋଇଛି ,ଭଲ ଡେକୋରେଟ୍ ବି ହୋଇଛି । ମୋତେ ଦେଖି କଫି ହାଉସ୍ ମାଲିକ ଖୁସିରେ ପୋଛୋଟି ନେଲା । ଦେଖିଲି କଫିହାଉସ୍ ର ମାଲିକ ଓ ତା ସ୍ତ୍ରୀ ର ଗୋଟିଏ ବଡ ଫଟୋ ଟଙ୍ଗା ହୋଇଛି । ତା ଉପରେ ଫୁଲମାଳ । ଆଶ୍ଚର୍ଯ୍ୟ ହୋଇ ପଚାରିଲି "ଏ କଣ ଭାଇନା ?ନିଜ ଦେହରେ ବି ଫୁଲ ମାଳ ଦେଇଛନ୍ତି?" ସେ ମୋ କଥା ଶୁଣି କହିଲା ",ହଁ ...ଆମେ ଦୁହେଁ ଏବେ ସାଙ୍ଗରେ ମରିଛୁ ଅବା ଜିଇଁଛୁ,କଣ ଅଧିକ ଫରକ ପଡେ? । " ତାଙ୍କ କଥା ଶୁଣି ମୋତେ ଦୁଃଖ ଲାଗିଲା । ସେ କିଛି ଅର୍ଡର୍ କରିବାକୁ ଚାଲିଗଲେ । ମୁଁ ଅନ୍ୟମନସ୍କ ହୋଇ ବସି ରହିଲି । ଧୀରେ ଧୀରେ ମୋର ମନେ ପଡି ଯାଉଥିଲା ଅନେକ କିଛି କଥା । ହଠାତ୍ ମୋତେ ମନେ ହେଲା ମୋ ପଛରେ ଯେମିତି ସୋଭାଗ୍ୟ ହିଁ ଠିଆ ହୋଇଛନ୍ତି । ବୁଲିପଡିଲି ,ହଁ ମୋ ଆଗରେ ସେ ହିଁ ଥିଲେ । ହାଏ,ହ୍ୟାଲୋ କିଛିନ କହି ଚେୟାର ଟେ ଟାଣି ବସି ଗଲେ । ମୋ ଦେହ ଥରୁଥିଲା ,ଝାଳେଇ ଯାଇଥିଲି ତାଙ୍କୁ ଦେଖି । ସେ କହିଲେ "କଫି ହାଉସ୍ ର ମାଲିକ କାଳେ ତାଙ୍କୁ ଏବେ ଫୋନରେ ଜଣାଇଲା ମୁଁ ଏଇଠି ଅଛି ବୋଲି । ତେଣୁ ସେ ମୋତେ ଦେଖା କରିବାକୁ ଆସିଛନ୍ତି । "

ସେ ମୋ ଆଗରେ ବସିଥିଲେ । ଅସ୍ଥିର ଲାଗୁଥିଲେ । ପକେଟ୍ ରୁ କଲମ କାଢି ଟେବୁଲ ଉପରେ ଖଟ ଖଟ କରୁଥିଲେ । ତାଙ୍କ ମୁହଁ ଶକ୍ତ ଲାଗୁଥିଲା । କପାଳରେ ରେଖା ପଡିଯାଇଥିଲା । ମୋତେ ଲାଗୁଥିଲା ଯେମିତି ସେ ଏଇନା ଏଇନା ସବୁ ରାଗ ଶୁଝାଇ ଦେବେ ମୋ ଉପରେ ।

"ଏକ୍ସକ୍ୟୁଜ୍ ମି" କହି ମୁଁ ଟଏଲେଟ୍ କୁ ଗଲି । ମୁହଁରେ ପାଣି ଛାଟିଲି । ଦୁଇଥର ବଡ ନିଃଶ୍ୱାସ ନେଲି । ନିଜକୁଦୃଢ କଲି ସବୁକିଛି ସାମ୍ନା କରିବାକୁ । ଫେରିଲି ପୁଣି ସୌଭାଗ୍ୟଙ୍କ ପାଖକୁ । ଦେଖିଲି ଦୁଇ ଜଣ ପିଲା ତାଙ୍କ ପାଖରୁ ଅଟୋ ଗ୍ରାଫ୍ ନେଉଛନ୍ତି । ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲି । ମୋ ଆଶ୍ଚର୍ଯ୍ୟ ପଣିଆକୁ ଦେଖି ସୌଭାଗ୍ୟ କହିଲେ "ଏବେ ମୁଁ ବହିଟିଏ କରିଛି । କିଛି ଲୋକ ଚିହ୍ନିଲେଣି । ସେଥିଲାଗି ଅଟୋଗ୍ରାଫ୍ ମାଗୁଥିଲେ । " ପିଲା ଦୁଇଟି ତାଙ୍କ ସହ କିଛି ସମୟ କଥା ହୋଇ ଚାଲିଗଲେ ।

:ତୁମେ କଣ ଲେଖାଲେଖି ଆରମ୍ଭ କଲଣି କି? ପଚାରିଲି ।

:ହଁ,ଅଳ୍ପ ଅଳ୍ପ । ଏତକ କହି ମୋତେ ବହିଟିଏ ଧରାଇ ଦେଇ କହିଲେ "ଏଇଟା ତୋ ଲାଗି । ମୋ ବହିର ପ୍ରଥମ କପି । "

ବହିଟିକୁ ଟିକେ ଆଉଁସିଲି ଆଉ ଭେନିଟିରେ ପୁରାଉ ପୁରାଉ ପଚାରିଲି "ପିଲା ପିଲି କଣ ?"

:ନା,କିଛି ହୋଇନି ଏ ଯାଏଁ ।

ଛୋଟ ମୋଟ ଏମିତି କିଛି ଆଳାପ ଚାଲିଲା । ସେ କଥା ଭିତରେ ସେ ନିଜ ସ୍ତ୍ରୀର ଭୁରି ଭୁରି ପ୍ରଶଂସା କରୁଥିଲେ ହେଲେ ଅସଲ କଥା ସାମ୍ନାକୁ ଆସୁ ନଥିଲା । ମୋ ପ୍ରତି ତାଙ୍କ ଅଭିମାନକୁ ସେ ଜାହିର କରି ପାରୁ ନ ଥିଲେ ।

ଏଥର ଭାବିଲି ,ସିଧା କଥା ଉପରକୁ ଆସିବି ଆଉ କ୍ଷମା ମାଗିନେବି । ଏତକ ଭାବି କହିବା ଆରମ୍ଭ କଲା ବେଳକୁ ହିଁ କଫି ହାଉସ୍ ର ମାଲିକ ପହଞ୍ଚି ଯାଇଥିଲା । ଆମ ସହପୁରୁଣା କଥା ହୋଇ ଅନେକ ଦୁଃଖ ସୁଖ ହେଲା । ରାତି ଖାଦ୍ୟ ବି ସେଇଠି କଲୁ । ମୁଁ ନିରୋଳା ସୁଯୋଗଟିଏ ଖୋଜିଲେ ବି ପାଇଲିନି । ଘରକୁ ଫେରିବାର ସମୟ ହୋଇଯାଇଥିଲା । ବାହାରିଲା ବେଳକୁ ହିଁ ବାହାରେ ପାଟି ତୁଣ୍ଡ ଶୁଭିଲା । ଜାଣିଲା ବେଳକୁ କଥା ଏଇଆ ଯେ ଅଟୋବାଲାଙ୍କ ଭିତରେ ମାଡଗୋଳ ହୋଇଛି । ମୁସ୍କିଲ୍ ରେ ପଡିଲି । ଏବେ ଯିବି କେମିତି? ମୋ ବ୍ୟସ୍ତତା ଦେଖି ସୌଭାଗ୍ୟ ଗୋଟିଏ ରିକ୍ସା କରିଦେଲେ । ହେଲେ ଏତେ ରାତିରେ ଏକୁଟିଆ ଯିବାକୁ ବି ଡର ଥିଲା ମୋର । ସେ ଭଲକରି ଜାଣନ୍ତି ଯେ ମୁଁ କେତେ ଡରକୁଳା ବୋଲି । ସେ କହିଲେ ,ଚାଲ୍, ମୁଁ ସାଙ୍ଗରେ ଯିବି ଛାଡି ଦେବାକୁ ।

ଗୋଟିଏ ରିକ୍ସାରେ ଆମେ ଦୁହେଁ ବସିଥିଲୁ ଏଥର, ସବୁଥର ଭଳି । ରିକ୍ସା ଚାଲିଥିଲା ।

ସେଇ ଏକା ରାସ୍ତାଥିଲା ,କାଠଯୋଡି ନଦୀକୂଳ। ହେଲେ ଆମେ ଦୁଇଜଣ ଅଜଣା ପଥିକ ପରି ବସିଥିଲୁ । ତାଙ୍କ ଦେହରେ ମୋ ଦେହ ବେଳେ ବେଳେ ବାଜି ଯାଉଥିଲା । ମୁଁ ଟିକେ ଘୁଞ୍ଚି ବସୁଥିଲି ପୁଣି । ସେ ପକେଟ୍ ରୁ ସିଗାରେଟ୍ କାଢି ଲଗେଇଲେ ଯଦିଓ ସେ ଜାଣନ୍ତି ଯେ ମୋତେ ଧୂଆଁ ଆଲର୍ଜୀ ଅଛି ବୋଲି । ମୁଁ ଦୁଇ ତିନିଥର କାଶି ଉଠିଲି । ସେ ମୋତେ ଟିକେ ଗାଢରେଇ ଅନେଇ ଫୋଫାଡି ଦେଲେ ସେ ଅଧାଜଳା ସିଗାରେଟ୍ ଟିକୁ ।

କହିଲି "କିଛି ପଚାରିବନି ?"

:କଣ ପଚାରିବି ଆଉ ? ଦୃଢ କଣ୍ଠରେ କହିଲେ ସେ ।

:ସେ ଦିନ ବାପାଙ୍କ ଦେହ ଭୀଷଣ ଖରାପ ଥିଲା ।

:ଜାଣେ ...!

:ଏକଥା କଣ ଜାଣ ଯେ ବାପାଙ୍କର ପାରାଲେସିସ୍ ହୋଇଯାଇଥିଲା ବୋଲି?

:ହଁ, ମୁଁ ଜାଣିଲା ବେଳକୁ ତୋର ବାହାଘର ବି ତ ହୋଇ ଯାଇଥିଲା ।

ଏତିକି ବେଳରେ ଗୁଡାଏ କୁକୁର କେଉଁଠି ଥିଲେ କେଜାଣେ ହାଉ ହାଉ କରି ଉଠିଲେ । ମୁଁ ଭୟରେ ତାଙ୍କ ହାତ ଧରି ପକାଇଲି । ତାଙ୍କ ହାତରେ ଏବେ ବି ଥିଲା ସେଇ ଉଷ୍ମତା ପୂର୍ବ ଦିନ ପରି । ତାଙ୍କ ଶକ୍ତ ମୁଠା ଭିତରେ ମୋ ନରମ ହାତ ନିଃଶ୍ୱାସ ନେଉଥିଲା । ମୁଁ ସେଇ ପରିଚିତ ସ୍ପର୍ଶରେ ବିଭୋର ହୋଇଗଲା ବେଳକୁ ହିଁ ସେ ମୋ ହାତ ଛାଟି ଦେଲେ । ହଁ,ସେଇଟା ବି ଠିକ୍ ଥିଲା ବୋଧେ ତାଙ୍କର । ମୁଁ ବି ତ ଠିକ୍ ସମୟରେ ତାଙ୍କ ହାତ ଛାଡି ଦେଇଥିଲି । ନିଜକୁ ସାଙ୍କୁଡିନେଇ ପୁଣି ବସିଲି । ସେ ଘନ ଘନ ନିଃଶ୍ୱାସ ନେଉ ନେଉ ହଠାତ୍ ଚିତ୍କାର କରି ଉଠିଲେ "ତୁ ଏମିତି କାହିଁକି କଲୁ ଶ୍ୱେତା ? ମୋତେ ଟିଈଏ ଅପେକ୍ଷା କରି ପାରିଲୁନି?"

 ତାଙ୍କ ପାଟି ଶୁଣି ମୁଁ ଡରିଗଲି । ତାଙ୍କୁ କଣ କହିବି ନିଜେ ବି ଜାଣି ପାରୁ ନ ଥିଲି । ରିକ୍ସା ବାଲାଟି ବି କଣ ଭାବି ପଛକୁ ଅନାଇଲା ଆଉ ବିରକ୍ତ ହୋଇ କହିଲା ,ବାବୁ ଏଇ ଆରପାଖ ଗଳିରେ ଆମ ଘର । ଆପଣ ଏଇଠି ଓହ୍ଲାଇ ଯାଆନ୍ତୁ । ରିକ୍ସାବାଲାର କଥା ଶୁଣି ତା ପଇସା ଚୁକ୍ତା କରି ଚାଲିଲୁ ରାସ୍ତାରେ ଦୁହେଁ । ମୋ ପାଖରେ କିଛି ଉତ୍ତର ନ ଥିଲା । ବାପାଙ୍କ କଥା ଖୁବ୍ ମନେ ପଡୁଥିଲା । ମୁଁ କଇଁ କଇଁ ହୋଇ କାନ୍ଦି ଉଠିଲି । ମୋ କାନ୍ଦ ଦେଖି ସେ କହିଲେ "ମୁଁ କଣ ଆଉ ତୋତେ କୋଳେଇ ନେଇ ସାନ୍ତ୍ୱନା ଦେଇ ପାରିବି ଶ୍ୱେତା ? ବରଂ ଏମିତି କାନ୍ଦି ନିଜକୁ ହାଲୁକା କରିନେ ,ଯେମିତି ମୁଁ ତୋ ଉପରେ ଚିତ୍କାର କରି ନିଜକୁ ହାଲୁକା କରୁଛି । "

:ମୋତେ କ୍ଷମା କରିଦିଅ ସୌଭାଗ୍ୟ ।

:କ୍ଷମା? ଏତକ କହି ସେ ଏଥର ହସିଲେ । ତାଙ୍କ ହସ ସହ ମୁଁ ବି ହସିଲି । ହେଲେ ଦୁହିଁଙ୍କ ଆଖିରେ ଲୁହ ଝଲସୁ ଥିଲା ।

ଘର ପାଖେଇ ଆସିଥିଲା । ଆକାଶରେ ଜହ୍ନ ହସୁଥିଲା । ତଳେ ଛାଇ ଛାଇକା ଅନ୍ଧାର ଭିତରେ ଆମେ ଚାଲୁଥିଲୁ । ମୋର ଖୁବ୍ ଇଛା ହେଉଥିଲା ,ହେଉ ପଛେ ପାପ ହେଲେ ତାଙ୍କ ଛାତିରେ ନିଜକୁ ଜଡାଇ ନେଇ ଖୁ'କାନ୍ଦନ୍ତି । ସାହାସ କରି ତାଙ୍କ ହାତକୁ ମୁଁ ପୁଣି ମୁଠାଇ ଧରିଲି । ଭାବୁଥିଲି ସେ ମୋ ଦୁଃଖକୁ ବୁଝିପାରିବେ ଅନ୍ତତଃ । ହେଲେ ସେ ମୋତେ ତାଙ୍କ ପାଖକୁ ଖୁବ୍ ଜୋରରେ ଭିଡି ନେଲେ ,ଆଉ ଆଖିରେ ଆଖି ରଖି ଖୁବ୍ କଠୋର ହୋଇ କହିଲେ

"ତୁ ମୋତେ ଆଉ ଏମିତି ଜଳାଇ ମାରୁଛୁ କାହିଁକି ଶ୍ୱେତା? ମୁଁ ତୋତେ ଘୃଣା କରେ । "

ତାଙ୍କର ଏତିକ କଥା ମୋ ସମଗ୍ର ସତ୍ତାକୁ ଦୋହଲାଇ ଦେଲା । ମୁଁ ଲଜ୍ଜ୍ୟାରେ ତିନ୍ତିଗଲି ଯେମିତି । ଲାଗିଲା ମୋ ଗାଲରେ କିଏ ଯେମିତି "ଠୋ " କିନା ଚାପୁଡେ ପକାଇଲା।

ସେଇଠି ତାଙ୍କୁ ଛାଡି ଦୌଡି ପଳାଇ ଆସିଲି ଘରକୁ । ବୋଉ ମୋ ମୁହଁ ଦେଖି ଆଉ କିଛି ପଚାରିଲାନି । ଲୁଗା ବଦଳେଇ ଶୋଇବାକୁ ଗଲି । ମନକୁ ବୁଝାଇନେଲି ଯେ ନା, ଆଉ ଭାବିବିନି ଏକଥା ସବୁ । ବାସ୍ ,ଥରେ ତ କ୍ଷମା ମାଗିନେଇଛି । ଏଇ କଥା ଏଇଠି ହିଁ ରହୁ । ଭାବିଲି,ଭଲ ହେଲା ସେ ମୋତେ ଘୃଣା କରିବା ଶିଖି ଯାଇଛନ୍ତି । ମୁଁ ବି ଏଥର ତାଙ୍କୁ ଭୂଲିବାକୁ ଚେଷ୍ଟା କରିବି ।

*    *     *     *     *

ମୋ ସହରକୁ ମୁଁ ଫେରି ଆସିଥିଲି।

ମୋ ଜୀବନରେ ମୁଁ ପୁଣି ବ୍ୟସ୍ତ ରହିଗଲି । ସୌଭାଗ୍ୟଙ୍କର ବହି କଥା ମନେ ନ ଥିଲା । ଥାକର କେଉଁ ଗୋଟିଏ କୋଣରେ ପଡି ପରସ୍ତେ ଧୂଳି ଲାଗି ଯାଇଥିଲା । ଦିନେ ହଠାତ୍ ଥାକ ସଜାଡୁ ସଜାଡୁ ପାଇଲି ବହିଟିକୁ । ଇଛା ହେଲା ପଢିବାକୁ ।

ପ୍ରଥମ ପୃଷ୍ଠାରେ ତାଙ୍କ ହାତ ଲେଖା ଦୁଇଧାଡି ଏମିତି ଥିଲା " ଦୁର୍ଭାଗ୍ୟରୁ ମୁଁ ତୋତେ ଆପଣାର କରିପାରିଲିନି ସିନା ହେଲେ ମୋ ସବୁ ପରିଚୟ ଭିତରେ ତୁ ହିଁ ଅଛୁ । ମୋ" ସିଗ୍ନେଚର୍" ହିଁ ମୋ ପରିଚୟ । "

ତା ପରେ ତାଙ୍କ ସିଗ୍ନେଚର୍ ରହିଥିଲା । ଟିକେ ନିରିଖେଇ ଦେଖିଲି ସେଇ ସିଗ୍ନେଚର୍ । ହେଲେ ଏ କଣ ? ତାଙ୍କ ନାଁ ସହ ମୋ ନାଁ ବି ଯୋଡି ହୋଇ ରହିଥିଲା ସେଇଥିରେ ।

"ତାଙ୍କ ପରିଚୟ ଭିତରେ ମୁଁ" ଏମିତି ଏକ ଉପହାରଟେ ମୋତେ ଦେବେ ବୋଲି ମୁଁ କେବେ ବି ଭାବି ପାରି ନଥିଲି । ଏତକ କଥା ମୋତେ ସେଦିନ କନ୍ଦାଇବାକୁ ଖୁବ୍ ଖୋରାକ ଯୋଗାଇଥିଲା ।

ପ୍ରେମର ମାନେ ବୋଧେ ବାରବାର ପଛକୁ ଫେରି ଚାହିଁବା ।

ମୁଁ ବି ବାରବାର ପଛକୁ ଚାହୁଁଥିଲି, ମୋର ବିଗତ ସ୍ମୃତି ମାନଙ୍କୁ ।


Rate this content
Log in

Similar oriya story from Romance