Chinmayee Barik

Crime

3  

Chinmayee Barik

Crime

ଇଣ୍ଟରଭ୍ୟୁ

ଇଣ୍ଟରଭ୍ୟୁ

4 mins
7.5K


ମୀରା ଅଗସ୍ତି ରିପୋର୍ଟର୍ ବସିଛନ୍ତି ରୋହିତ ସାମନ୍ତରାୟ ସାମ୍ନାରେ ।ଆଗରୁ ରୋହିତକୁ ଜଣାଇ ଦିଆ ସାରିଛି ରିପୋର୍ଟର ମୀରା ଅଗସ୍ତି ଆସିବେ ତାର ଗୋଟିଏ ଇଣ୍ଟରଭ୍ୟୁ ଲାଗି ।ରୋହିତ ପଚିଶ୍ ବର୍ଷର ଯୁବକଟିଏ ।ଖୁବ୍ ଟେଲେଣ୍ଟ ଷ୍ଟୁଡେଣ୍ଟ ।ହେଲେ ସେ ଏବେ ଏକ ବଳତ୍କାରୀ ଭାବରେ ଜୀବନ କାଟୁଛି ଜେଲ୍ ରେ ।

ମୀରା ଆରମ୍ଭ କଲେ....ଦେଖ ରୋହିତ ..ଆମେ ଆମର କଥା ବାର୍ତ୍ତା ଗୋଟିଏ ବନ୍ଧୁ ଭଳି କରିବା ।ମନରେ ସଂକୋଚ ନ ରଖି ଖୁବ୍ ସହଜରେ ସବୁ କଥା କହିପାରିବ।

-ନା,ମାମ୍ ଆପଣ ମୋ ସାମ୍ନାରେ ଖାଲି ଜଣେ ଯାହା ରିପୋର୍ଟର୍ ।ଆପଣ ଆପଣଙ୍କ କାମ କରିବାକୁ ଆସିଛନ୍ତି ।ବନ୍ଧୁ ତ ଭଲ ମନ୍ଦ ଖବର ବୁଝିବାକୁ ଆସେ ।ତେଣୁ ଆପଣ ଆପଣଙ୍କ କାମ କରନ୍ତୁ ।ହଁ..ତା ଆଗରୁ ମୁଁ ଆପଣଙ୍କ ଆଇ କାର୍ଡଟା ଦେଖିବାକୁ ଚାହିଁବି ।

-ଇଟସ୍ ଓକେ ।ଏଇ ଦେଖ ମୋ କାର୍ଡ ।କିଛିଟା ଖାଲି ପ୍ରଶ୍ନ କରିବି ।ଟିକେ ସ୍ପଷ୍ଟ ଭାବେ ଆଉ ଧର୍ଯ୍ୟର ସହ ଦେବ ।

-ଯେତିକି ଜାଣିଛି ସେତିକି କହିବି ।

ମୀରା ନିଜକୁ ଟିକେ ସଜାଡି ନେଲେ ।ରୋହିତକୁ ବି ଟିକେ ନିରିକ୍ଷଣ କଲେ ।ଶାନ୍ତ ସୁଧାର ଭଳି ଦିଶୁଛି ।ଆଖି ଦୁଇଟି ଯେମିତି ଚମକୁଛି ।ଏକଦା ରୋହିତ ୟୁନିଭରସିଟି ଟପ୍ପର ଥିଲା ।ହେଲେ ଆଜି...

ମୀରା ପ୍ରଶ୍ନ କଲେ...

-ତୁମର ପୁରା ନାଁଟା ରୋହିତ ସାମନ୍ତରାୟ ବୋଧେ?

-ବଳତ୍କାରୀର କୌଣସି ନାଁ ନଥାଏ ।ସେ ଖାଲି ଜଣେ ବଳତ୍କାରୀ ନାଁ ରେ ହିଁ ଚିହ୍ନା ହୁଏ ।ହଁ ..ବଳତ୍କାରୀ ହେବା ଆଗରୁ ମୋର ଗୋଟେ ନାଁ ଥିଲା..ସେଇଟା ରୋହିତ ସାମନ୍ତରାୟ ।

-ତା ହେଲେ ତୁମେ ଜଣେ ବଳତ୍କାରୀ ବୋଲି ସ୍ୱୀକାର କରୁଛ?

-ସ୍ୱୀକାର ନ କରିବାର ଉପାୟ ନାହିଁ ।ସରକାର ଥରେ ମୋହର ମାରିଦେଲା ପରେ ସବୁ ମାନିବାକୁ ପଡେ ।ହଁ,ମୁଁ ଜଣେ ଦେହ ବଳତ୍କାରୀ ।

-ଦେହ ବଳତ୍କାରୀ....ବୁଝିହେଲାନି !

-ବଳତ୍କାରୀ ଅନେକ ପ୍ରକାର ।ଯିଏ ଦେଶକୁ ଲୁଟେ ସେ ଦେଶ ବଳତ୍କାରୀ...ଯିଏ ହୃଦୟକୁ ଲୁଟେ ସେ ହୃଦୟ ବଳତ୍କାରୀ....ଯିଏ ଧର୍ମକୁ ଲୁଟେ ସେ ଧର୍ମ ବଳତ୍କାରୀ....ଯିଏ ନିଜ ବିବେକକୁ ଲୁଟେ ସେ ସ୍ୱ ବଳତ୍କାରୀ...... ଯିଏ ଦେହକୁ ଲୁଟେ ସେ ଦେହ ବଳତ୍କାରୀ ।ମୁଁ ଜଣେ ଦେହ ବଳତ୍କାରୀ ।

-ବଳତ୍କାରୀ ହେବା ପଛର ଉଦ୍ଧେଶ୍ୟ?ଆଇ ମିନ୍ କିଛି ରିଭେଞ୍?

-ବଳତ୍କାର କରିବା ପଛରେ ଅନେକ ଉଦ୍ଦେଶ୍ୟ ଥାଇ ପାରେ ଆଉ ନଥାଇ ବି ପାରେ ।ସାମାନ୍ୟ ମାନସିକ ଅସନ୍ତୁଳନତା ହରାଇ ବସିଲେ ବି ଜଣେ ବଳତ୍କାରୀ ପାଲଟିଯାଏ ।କିନ୍ତୁ ମୋର ସେମିତି କିଛି ଉଦ୍ଦେଶ୍ୟ ନ ଥିଲା ।ଥିଲା କିଛି ପ୍ରେମରେ କିଛି ଜବରଦସ୍ତ ପଣିଆ ।

-ଏହା ମାନେ କଣ ଜୋର୍ ଜବରଦସ୍ତ ସେକ୍ସ କରିବା?

-ହଁ...ଏଭଳି ସେକ୍ସ ତ ସେ ମୋ ସହ ବି ଅନେକ ଥର କରିଛି ।ମୁଁ ତାକୁ ପ୍ରେମ ଭାବିଛି ।ମୁଁ ବି କରିଛି ।ହେଲେ ଶେଷଥରଟାକୁ ବଳତ୍କାର ନାମ ଦେଇ ଦିଆଗଲା ।

-ହେଲେ କାହିଁକି?ଝିଅଟି ଏମିତି କହିଲା କାହିଁକି?

-ସବୁ ରାଜନୀତି ।ତା ବାପାଙ୍କ ବିରୋଧରେ ମୁଁ ଇଲେକ୍ସନରେ ଠିଆ ହୋଇଥାଆନ୍ତି ।ସମସ୍ତେ ଜାଣିଥିଲେ ମୁଁ ଜିତିବି ବୋଲି ।

-କଣ ରାଜନୀତି ଲାଗି ଗୋଟିଏ ଝିଅ ନିଜର ଇଜ୍ଜତ ତଳେ ପକେଇବ?ନା...ଏକଥା ମୁଁ ମାନୁ ନାହିଁ ।

-ସେ ଝିଅ ଇଜ୍ଜତ ପକେଇନି ତଳେ...ପକେଇଛି ତା ସାବତ ବାପା ।ସେ ଝିଅ ତ ନିଜେ ହିଁ ଜାଣେନି ଯେ ସେ ଫଶିଯାଇଛି ଜାଲରେ । ସ୍ପଟ ଉପରେ ଆମକୁ ଧରିଲେ । ସେ ଝିଅକୁ ଅନେକ ଭୟ ଦେଖାଇଥିବେ ।ସେ ବି ମୋ ବିରୁଦ୍ଧରେ କହିଲା ....ହେଲେ ମୁଁ ଦେଖିଛି ତା ନୀରିହ ଆଖି.....ଆଉ ତା ପରେ ମୁଁ ବଳତ୍କାରୀ...ଆଉ ତା ସାବତ ବାପା ଏବେ ରାଜନେତା ।

-ସବୁ ଇନଭେସଟିଗେସନ ଆଉ ରିପୋର୍ଟ ବି ତ ତୁମ ବିରୁଦ୍ଧରେ..

-କ୍ଷମତା ରାତାରାତି ସବୁ ବଦଳାଇ ଦିଏ ମାମ୍ ।

-ମଣିଷ ବଳତ୍କକାରୀ କାହିଁକି ହୁଏ??

-ଟଙ୍କାର ବାସ୍ନା ଆଉ ଦେହର ବାସ୍ନାକୁ ରୋକିବା ଭାରି ମୁସ୍କିଲ୍ ।କେତେବେଳେ କାହାକୁ କଣ କରେଇବ କେହି ଜାଣନ୍ତିନି ।

-ତା ମାନେ ତୁମ କହିବାର ମାନେ ଦୁନିଆରେ କେହି ସଚ୍ଚୋଟ ନାହାଁନ୍ତି?ସବୁ ବିକ୍ରି ହୋଇଯିବେ?

-ଅନେଶତ ଭାଗ ଲୋକ ବିକ୍ରି ହେବାର ସ୍ୱାଭାବ ରଖନ୍ତି ।ଏକା ସାଙ୍ଗରେ ମନକୁ ଆଉ ପରିସ୍ଥିତିକୁ ନିଜ ଆୟତ୍ତରେ ରଖିବା କଷ୍ଟକର ହୋଇ ପଡେ ।ସଚ୍ଚୋଟ ପଣିଆ ଗୋଟିଏ ସୀମା ଭିତରେ ସବୁ ବେଳେ ଥାଏ ।ସୀମା ଅତିକ୍ରମ କଲେ ସବୁ ବିଭ୍ରାଟ ।ମୋ ପାଖରେ କିଛି ନାହିଁ ମୁଁ ଭୋକିଲା ରହିବି ।ହେଲେ ଯଦି ପେଟରେ ଭୋକ ଅଛି ....ଆଉ ଆଗରେ ଖାଦ୍ୟ ....ହାତ ଖୋଲା....ଆଉ ପରିସ୍ଥିତି ବି ଅନୁକୂଳ....ତେବେ ନିଜକୁ ଭୋକିଲା କେତେଜଣ ରଖି ପାରିବେ?ଅନେକ ସମୟରେ ପେଟର ଭୋକ ଆଉ ମନର ଭୋକ ସବୁ ସଚ୍ଚୋଟପଣିଆ ଭୂଲେଇ ଦିଏ ।

-ନା...ରୋହିତ ମୁଁ ତୁମ କଥାରେ ଏବେ ବି ଏକମତ ନୁହେଁ ।

-କଥାରେ ଏକ ମତ ନ ହେବା ଆଉ ପରସ୍ଥିତିର ଚାପରେ ମତ ବଦଳେଇବା ଏହା ଦୁଇଟି ଅଲଗା କଥା ।

-ଏଭଳି ପରିସ୍ଥିତିରେ ନିଜକୁ ସଂଯତ ରଖିବା ଲାଗି କିଛି ନୈତିକ ଶିକ୍ଷା ଆବଶ୍ୟକ କି?ଯେମିତି ଆମ ନୀତି ,ପୁରାଣ,ସଂସ୍କାର,ଗୀତା ଭାଗବତ ଜାଣିବା ଇତ୍ୟାଦି....

-ଗୀତାର ସାତଶହ ଶ୍ଲୋକରୁ ଦୁଇଶହ ଶ୍ଲୋକ ମୋର ମୁଖସ୍ତ ।ପୁରାଣ ଭାଗବତ ତ ମୁଁ ବି ପଢିଛି । ଜ୍ଞାନ ଆହରଣ କରିବା ଆଉ ପରିସ୍ଥିତିକୁ ଆୟତ୍ତରେ ରଖିବା ଦୁଇଟା ଅଲଗା କଥା ।ନ ହେଲେ ଏତେ ଜ୍ଞାନୀ ଲୋକ ସବୁ ରେପ୍ କେଶ୍ ରେ ଜେଲ୍ ରେ କାହିଁକି ସଢୁଛନ୍ତି?ପରିସ୍ଥିତିକୁ ଆୟତ୍ତ କରିବା ମଣିଷର ନିଜ ସ୍ୱାଭାବଗତ ଗୁଣ ଓ ଅନୁଭବର କଥା ଅଟେ ।ଏଠି ଜ୍ଞାନ ,ବୁଦ୍ଧି,ଗାରିମା କିଛି କାମରେ ଲାଗେନି ।ନିଜକୁ କେମିତି ସଂଯତରେ ରଖାଯାଏ...ଏହା କେହି କାହାକୁ ଶିଖାନ୍ତିନି ।କିଛି ସୁତ୍ର ବି ନାହିଁ ଶିଖେଇବାର ।ଏହା ନିଜ ଦୃଢ ମନୋବଳ ଉପରେ ନିର୍ଭର କରେ ।ହଁ...କେବଳ ଗୋଟିଏ କଥା ହିଁ ମନେରଖିବା ଉଚିତ୍ ଯେ ...ନିଜେ ଅନ୍ୟଲାଗି ଯାହା କରିବ ଭବିଷ୍ୟତରେ ତାହା ନିଜ ସହ ଘଟିବ ।ଜୀବନ ଜିଇଁବାରେ ଏହାଠାରୁ ବଡ ମନ୍ତ୍ର ଆଉ କିଛି ନାହିଁ ।

-ଆଛା,ଜଣେ ବଳତ୍କାରୀ ସମାଜକୁ କେଉଁ ଦୃଷ୍ଟିରେ ଦେଖେ?

-ସମାଜ ଗୋଟିଏ ବଳତ୍କାରୀକୁ ଯେଉଁ ଦୃଷ୍ଟିରେ ଦେଖେ ...ଜଣେ ବଳତ୍କାରୀ ସମାଜକୁ ସେହି ଦୃଷ୍ଟିରେ ଦେଖେ ।

-ତୁମେ ବଳତ୍କାରୀ ପ୍ରମାଣ ହେଲା ପରେ ତୁମ ମା ବାପାଙ୍କର ପ୍ରତିକ୍ରିୟା କଣ ହେଉଥିବ?

-ସଠିକ୍ ଭାବରେ ଜାଣେନା ।ହେଲେ ଭାବୁଛି ..ଗୋଟିଏ ପୁଅ ଜନ୍ମ କରିବା ଲାଗି ଦୁଇଟି କନ୍ୟା ଭୃଣ ହତ୍ୟା କରିଥିବାର ଅନୁଶୋଚନାରେ ସେମାନେ ଭାଙ୍ଗି ପଡିଥିବେ ।ତଥାପି ସେମାନେ ଏକ ଦୃଢ ମନୋଶକ୍ତି ନେଇ ମୋ ପାଖକୁ ଆସୁଛନ୍ତି ନିଜର କର୍ତ୍ତବ୍ୟ ପୂରଣ ଲାଗି ।

-ତୁମେ ଅନୁତପ୍ତ କି?

-ନାଁ...ମୋଟେ ନୁହେଁ ।ସରକାର ଆଉ ସମାଜ ମୋ ଦେହରେ ବଳତ୍କାରୀ ର ମୋହର ମାରି ଦେଇଛନ୍ତି ହେଲେ ମୁଁ ଯେ ଅପରାଧୀ ନୁହେଁ ,ଏହା କେବଳ ମୁଁ ଜାଣିଛି ।ମୁଁ ଖାଲି ଗୋଟେ ପ୍ରେମିକ ଥିଲି ।

-ଜେଲ୍ ରୁ ବାହାରିଲା ପରେ କଣ କରିବ ଭାବିଛ?

-ପ୍ରଥମେ ମୋ ପ୍ରେମିକା ପାଖକୁ ଯିବି ।ଯଦି ସେ ସହମତି ଦିଏ ତାକୁ ହିଁ ବିବାହ କରିବି ଆଉ ତା ଅସହମତିରେ ମୁଁ ତାକୁ ବାଦ୍ ଦେଇ ବଞ୍ଚିବା ଶିଖିବି ।

-ସମାଜ କଣ ତୁମକୁ ସମ୍ମାନର ସହ ବଞ୍ଚିବାକୁ ଦେବ?

-ଅସମ୍ମାନକୁ ପୁଞି କରି ବାହାରିବି...ତେଣିକି ସମ୍ମାନ ମିଳିଲେ ଭଲ ନ ମିଳିଲେ ବି କିଛି ଦୁଃଖ ନାହିଁ ।ସମାଜ ଯେତେ ବେଳେ ଯାହା ଦେଖିଛି ସବୁବେଳେ ସେଇଟା ଠିକ୍ ନ ଥାଏ ।

-ଶେଷ ପ୍ରଶ୍ନ...ଜଣେ ବଳତ୍କାରୀର ଗୋପନ ଇତିହାସ କଣ?

-ଜଣେ ବଳତ୍କାରୀ ସାବ୍ୟସ୍ତ ହୋଇଗଲା ପରେ ସେ ନିଜେ ମାନସିକ ସ୍ତରରେ ବାରବାର ବଳାତ୍କାର ହୁଏ...ସମାଜ ଆଖିରେ ସାରାଜୀବନ ବଳତ୍କୃତ ହୁଏ ଆଉ ଜେଲ୍ ଭିତରେ କେବେ କେବେ ଶାରୀରିକ ସ୍ତରରେ ବି ବଳତ୍କୃତ ହୁଏ...

-ହ୍ୱାଟ୍?ତୁମେ କଣ କହୁଛ ରୋହିତ....???

-ବାସ୍...ଆଗକୁ ଆଉ କିଛି ପଚାରନ୍ତୁନି ମାମ୍ ।

....ଧଡାସ୍ କରି ଉଠି ଚାଲିଗଲା ରୋହିତ୍ ।ମୀରା ଅଗସ୍ତି ତାକୁ ସେଇମିତି ଚାହିଁ ରହିଥିଲେ ....ମନେ ପଡିଗଲା ତାଙ୍କର ସେ କରତାଳି ଯେଉଁଦିନ ରୋହିତ ସାମନ୍ତରାୟ ୟୁନିଭରସିଟି ଟପ୍ପର ହୋଇ ଗୋଲ୍ଡ ମେଡାଲ ନେଲା ବେଳେ ସେ ହିଁ ତାର ଫଟୋ ଉଠାଉଥିଲେ ।ଆଖିରୁ ତାଙ୍କର ଦୁଇଧାର ଲୁହ ଖସି ଆସିଲା ଅଜଣାତରେ ।


Rate this content
Log in

Similar oriya story from Crime