ଲ୍ୟାମ୍ପ୍ ପୋଷ୍ଟ
ଲ୍ୟାମ୍ପ୍ ପୋଷ୍ଟ
ତ୍ରିଭଙ୍ଗୀ ଠାଣିରେ ସେ ଠିଆ ହୋଇ ଥାଏ ଲ୍ୟାମ୍ପ ପୋଷ୍ଟ ତଳେ, ସତେକି ଯେମିତି ସେ ଏକ ନଟନାଗର । ଲୋଚାକୋଚା ପୋଷାକକୁ ହାତରେ ସିଧା କରି ପିନ୍ଧିଲା ପରି ବେଶ ପୋଷାକ । ମୁହଁରେ ଖୁଣ୍ଟା ଖୁଣ୍ଟା ଅନାବନା ଦାଢି । ନିଶ ବି ଓହଳି ଆସିଥାଏ ଓଠ ଉପରୁ । ଓଠରେ ଅଧା ଖଣ୍ଡିଆ ସିଗାରେଟ୍ ର ଧୂଆଁକୁ ଯେପରି ସେ ଗୋଟେ ସୁଡୁକାରେ ଗର୍ଭସ୍ଥ କରିନିଏ ଜୁବିକୁ ଦେଖିଲେ । ବଡ ଆଖିକୁ କୁଞ୍ଚେଇ ଛୋଟ କରି ଅନାଏ" ଜୁବି"କୁ ।
ଘରୁ କଲେଜ୍ ଘଣ୍ଟାଏକର ବାଟ । ଚାଲିକରି ଗଲେ ବି ସମୟ ଜଣାପଡେନି ହେଲେ ସମୟ ସବୁବେଳେ ଅଟକିଲା ଭଳି ଲାଗେ ସେଇ ଲ୍ୟାମ୍ପ ପୋଷ୍ଟ ପାଖରେ । ମନେ ମନେ ଜୁବି ଭାବେ ସେ ଘୋଡା ମୁହାଁ ଟା ନ ଥାଆନ୍ତା କି ସେଇଠି । ହେଲେ ସେମିତି କିଛି ହୁଏନି । ସେ ଦାଢିଆ ପିଲାଟି ଠିଆ ହୋଇଥାଏ ସେଇଠି ସବୁବେଳେ ।
ଦାଢିଆ ପିଲାଟା କେବଳ ତାକୁ ଅନାଏ ନା ଅନ୍ୟ ଝିଅଙ୍କୁ ବି ସେମିତି ଅନାଏ ,ଏକଥା ମନରେ ଅନେକ ଥର ଆସିଛି । ହେଲେ ପଚାରି ପାରିନି କେବେ କାହାକୁ ଜୁବି। ଲ୍ୟାମ୍ପ ପୋଷ୍ଟ୍ ପାଖରୁ ସବୁ ବଦଳି ଯାଏ ଯେମିତି । ଜୁବି କୁ ଦେଖିଲେ ପିଲାଟି ଅଧାଜଳା ସିଗାରେଟ୍ କୁ ଗୋଡରେ ଦଳିଦିଏ । ନିଜ ଟୋପି ଟାକୁ ସଜାଡି ନିଏ ଆଉ ତାର ସେକେଣ୍ଡ ହ୍ୟାଣ୍ଡ ବୁଲେଟ୍ କୁ ଫଟ ଫଟ କରି ଜୁବି ପଛେ ପଛେ ଧୀରେ ଧୀରେ ଚଲାଏ କଲେଜ୍ ଯାଏ। ଜୁବିକୁ ସବୁ ଅଡୁଆ ଲାଗେ । ସିଧା ପଡୁଥିବା ପାଦ କେବେ ବଙ୍କେଇ ପଡେ ତ କେତେବେଳେ ହାତରୁ ବହି ଖାତା ଖସି ପଡେ । ମନେ ମନେ ଗୁରୁ ଗରୁ ହୋଇ ଭାବେ ,କଣ ଭାବୁଛି ସେ ନିଜକୁ ?ପୁରୁଣା ହୀରୋ ରାଜକାପୁର ଭଳି ନିଜକୁ ସଜାଇ କଣ ସତରେ ସେ ହୀରୋ ହୋଇଯିବ?
ସବୁ ଭାବୁଥିବା କଥା କଣ କହି ହୁଏ ?ସେମିତି ଜୁବିର ସବୁ ଭାବିବା କଥା ତଣ୍ଟି ପାଖରେ ବଳୀ ପଡିଯାଏ । ଜୁବି ଭାବେ ଆଜି ଯାଇ ତା ପୋଲିସ୍ ବାପାଙ୍କୁ ସବୁ କଥା କହିଦେବ । ହେଲେ କେବେ କହିପାରିନି ।
କାହିଁକି କହି ପାରେନି ତାର କାରଣ ସେ ନିଜେ ବି ଜାଣେନି । କିନ୍ତୁ ଜୁବିକୁ ସହିବାକୁ ପଡେ ସେ ଖୁଣ୍ଟାଦାଢି ରଖିଥିବା ସେ ମଣିଷଟିକୁ । କିଛି ଦିନ ପରେ ଜୁବି ଜାଣିବାକୁ ପାଇଲା ପିଲାଟାର ନାମ"ଆୱାରା" । ତା ନାଁ ଶୁଣି ଜୁବି ମନେ ମନେ ବହେ ହସିଲା । କି ଅଦ୍ଭୁଦ ନାଁ? ନାଁ ସହ ସହ ପିଲାଟା ଠିକ୍ ମ୍ୟାଚ୍ କରୁଥିଲା । ଜୁବି ଏଥର ଜୋରରେ ହସିଲା ।
ଆୱାରା କୁ ନେଇ ଜୁବି ଛଟପଟ ହୁଏ । ଭଗବାନଙ୍କୁ ଡାକେ ତା ଫଟଫଟିଆ ବୁଲେଟ୍ ଉପରେ ଟ୍ରକ୍ ଟେ ଚଢି ଯାଆନ୍ତା ଯେମିତି କି ତା ଅନ୍ତ ବୁଜୁଳା ବାହାରି ଆସନ୍ତା । ଯଦି ସେତକ ନ ହେଲା ତେବେ ତାକୁ ଅତିକମ୍ ରେ ରକ୍ତ ବାନ୍ତି ଟେ ହେବା ଦରକାର । ଦୁନିଆର ସବୁ ଗାଳି ଆୱାରା ଉପରେ ଦେଇ ଜୁବି ମନେ ମନେ ରାଗ ଶୁଝାଇ ଦିଏ । ସବୁଦିନ ଖବର କାଗଜରେ "ଅଶ୍ରୁଳ ଶ୍ରଦ୍ଧାଞ୍ଜଳି"ରେ ଆୱାରାର ଫଟୋ ବି ଖୋଜୁଥାଏ ଜୁବି ।
ପିଲାଟା କେବେ ମରେନି । ଲ୍ୟାମ୍ପ ପୋଷ୍ଟ ତଳେ ସେ ଠିଆ ହେବାଟା ଥୟ ,ଫଟଫଟିଆ ବୁଲେଟ୍ ଶବ୍ଦଟା ଶୁଣିବା ବି ଥୟ ।
ଜୁବି ଜଳୁଥାଏ ,କୁହୁଳୁଥାଏ । ସବୁ ଜଳିବାର ଅବଶେଷ ବୋଧେ ପାଉଁଶ ହୋଇ ନ ଥାଏ । ସେମିତି ଜୁବି ତା ଉପସ୍ଥିତିକୁ ବି ପାଉଁଶ କରି ପାରେନି । ରହି ରହି ଧୂଆଁ ଉଠେ ମନରୁ । ଜୁବି ଅନ୍ୟମନସ୍କ ହୁଏ । ମନେ ମନେ ଭାବେ ନିଜେ ନିଖୋଜ୍ ହୋଇ ଯାଆନ୍ତା କି?ପୁଣି ନିଖୋଜ୍ ହେବାକୁ ବି ଜୁବି ଡରେ । ହଠାତ୍ ତାର ମନେ ପଡିଯାଏ ଆଦିତ୍ୟଙ୍କ କଥା । ଆଦିତ୍ୟ କୁ ଛାଡି ସେ କେମିତି ନିଖୋଜ୍ ହେବ?
ଦିନେ କିନ୍ତୁ ଜୁବି ନିଖୋଜ୍ ହୋଇଗଲା ।
ସମସ୍ତଙ୍କ ଅଗୋଚରରେ ଜୁବି ହଜିଗଲା । ସମସ୍ତେ ଖୋଜୁଥିଲେ ଜୁବିକୁ । ଜୁବି ନିଜେ ନିଜକୁ ବି ଖୋଜି ହେଉଥିଲା । କେଉଁ ଇଲାକାରେ ସେ ନିଜକୁ ହଜାଇଛି ସେ କଥା ଜାଣି ପାରୁ ନ ଥିଲା । ଅନେକ ଖୋଜିଲା ପରେ ଜୁବି ନିଜକୁ ପାଇଲା ସେଇ ଲ୍ୟାମ୍ପ୍ ପୋଷ୍ଟ ତଳେ ,ସେଇ ମଳିଛିଆ ଆୱାରାର ବାହୁ ବନ୍ଧନରେ । ଇସ୍ ,ଜୁବି ନିଜକୁ ନିଜେ ଘୃଣା କରିବାକୁ ଲାଗିଲା ।
ଥରେ ନିଜକୁ ହଜାଇ ଦେଲା ପରେ ଜୁବି ମନେ ମନେ ଭୟ କଲା ନିଜକୁ । ଆଦିତ୍ୟଙ୍କ କଥା ଭାବି ବ୍ୟସ୍ତ ହେଲା । କିଛି ଗୋଟିଏ ଅଘଟଣ ଘଟିବା ଆଗରୁ ଜୁବି ନିଜ ଲାଗି ଗୋଟିଏ ନିଷ୍ପତ୍ତି ନେଇଗଲା ଆଉ ହଠାତ୍ ଦିନେ ଆଦିତ୍ୟ ଙ୍କୁ ବିବାହ ପ୍ରସ୍ତାବ ଦେଲା । ଆଦିତ୍ୟଙ୍କର ଅରାଜି ହେବାର କୌଣସି କାରଣ ନ ଥିଲା । ଆଦିତ୍ୟ ଜଣେ ୱେଲ୍ ଏଷ୍ଟାବ୍ଲିସଡ୍ ବିଜନେସ୍ ମ୍ୟାନ୍ । ଜୁବିର ବାପା ବି ଏ ପ୍ରସ୍ତାବରେ ଖୁସି ଥିଲେ ।
ଜୁବିର ଚାରିପଟେ ହରେକ ରଙ୍ଗର ପ୍ରଜାପତି ଉଡୁଥିଲେ । ସ୍ୱପ୍ନ ସବୁ ଜୁବିକୁ ଛୁଇଁ ଚାଲି ଯାଉଥିଲେ । ଜୁବି ସେଇ ସ୍ୱପ୍ନରେ ଆତ୍ମହରା ହୋଇ କଲେଜ ଯିବା ବନ୍ଦ କରିଦେଇଥିଲା । ତା ଦେହ ମନରେ ଏକ ନୂତନ ଶିହରଣ । ଆଦିତ୍ୟ ତାର ସପନ ବଣିକ।
ବାହାଘର ଆଉ ପନ୍ଦର ଦିନ ଥାଏ । ଘରେ ସବୁ ମାର୍କେଟିଂ ପାଇଁ ଚାଲି ଯାଇ ଥାଆନ୍ତି କେବଳ ଜୁବିକୁ ଛା
ଡି । ଜୁବି ନିଜକୁ ଅଇନା ଆଗରେ ବାରବାର ସଜେଇ ଆହ୍ଲାଦିତ ହେଉଥାଏ । ହେଲେ ଏ କଣ ?ଆଇନାରେ ସେ ଖୁଣ୍ଟା ଖୁଣ୍ଟା ଦାଢି ମଣିଷଟି ଠିଆ ହୋଇଥିଲା । ଜୁବିର ନିଃଶ୍ୱାସ ବନ୍ଦ ହୋଇ ଆସୁଥିଲା ଯେମିତି । ବୁଲି ପଡି ଅନେଇଲା ଜୁବି,ସାମ୍ନାରେ ସେ ପିଲାଟା ଠିଆ ହୋଇଥିଲା ଖୁବ୍ ଚୁପ୍ ଚାପ୍ ହୋଇ । ଜୁବି ଜାଣି ସାରିଥିଲା ,ଏଥର ତା କଥାକଥିତ ସତୀତ୍ୱ ଟା ହରଣ ହେବା ଟା ଥୟ । ଜୁବିକୁ ଲାଗିଲା ତା ଦେହରେ ସରସର ହୋଇ ସଁବାଳୁଆ ଟେ ଯେମିତି ଚାଲିଗଲା । ସେ ଶିହିରି ଉଠିଲା ।
ଅଦ୍ଭୁଦ । ଆୱାରା ସାମ୍ନାରେ ଥିଲା ଅଥଚ କିଛି କରୁ ନ ଥିଲା ,କେବଳ ଜୁବି କୁ ଦେଖୁଥିଲା ଯାହା । ଜୁବି ବି ସ୍ଥିର ହୋଇଯାଇଥିଲା ଯେମିତି । ସମୟ ଟିକ୍ ଟକ୍ ହୋଇ ଘୁରୁଥିଲା । ଆୱାରା କିଛି ଗୋଟାଏ ମାଗୁଥିଲା ବୋଧେ ହେଲେ ଜୁବି ନିର୍ବାକ୍ ହୋଇ ଯାଇଥିଲା । ଧଡାସ୍ କରି କବାଟ ଖୋଲି ପଶିଆସିଲେ ଜୁବିର ବାପା ଆଉ ଜୁବି କିଛି କହିବା ଆଗରୁ ହିଁ ଘୋଷାରୀ ନେଇଗଲେ ଦାଢିବାଲା ପିଲାଟିକୁ । ବାପାଙ୍କ ପଛେ ପଛେ ଆଦିତ୍ୟ ବି ଥିଲେ ।
ଅନେକ ସମୟ ଯାଏଁ ଜୁବି ଭୟରେ ଥରୁଥିଲା । ଆଦିତ୍ୟ ଆସି ଜୁବିକୁ ସମ୍ଭାଳି ନେଇଥିଲେ । ତା ପରେ ଆୱାରା କୁ ଆଉ କେବେ ଦେଖିନି ଜୁବି । କିନ୍ତୁ ବାହାଘର ଆଗଦିନ ରାତିରେ ଜୁବି ବାଲକୋନୀରେ ଅନୁଭବ କରିଥିଲା କାହାର ଉପସ୍ଥିତି କିନ୍ତୁ ସେ ଯେ ଆୱାରା ସେକଥା କେବେ କୁହାଯାଇ ପାରେନା ।
ସୁରୁଖୁର ରେ ବାହାଘର ସରିଗଲା । ଜୀବନ ବି ବିତିଲା । ୟା ଭିତରେ ଅନେକ ବର୍ଷ କଟିଯାଇଛି । ବେଳେ ବେଳେ ଜୁବି ଅତୀତ କଥା ମନେ ପକେଇ ବହୁତ ହସିଛି । ଇଛା ବି ହୋଇଛି ଆୱାରା ବିଷୟରେ କିଛି ଜାଣିବାକୁ । କେମିତି ସେ ଥିବ,କଣ କରୁଥିବ, ହେଲେ ଜାଣିବାର ଆଗ୍ରହ କୁ ଜାଣିଶୁଣି ମନରେ ଦାବି ଦିଏ ଜୁବି । ସୁଖର ଜୀବନ ଟେ ଲାଗି ଅନେକ କିଛି ଅନାବଶ୍ୟକ ଜିନିଷ ଜୀବନରୁ କାଢି ଦେବାକୁ ହୁଏ । ପିଲା ମାନେ ବଡ ହୋଇ ଗଲେଣି । ବାହାରେ ରହୁଛନ୍ତି ସବୁ । ଜୁବି ଏବେ ଘରେ ଏକଲା । ଏହି ଏକଲାପଣ ତାକୁ ମାଡିବସେ ଅନେକ ସମୟରେ । ତେଣୁ ଜୁବି ବାହାରି ଯାଏ ବେଳେ ବେଳେ ମାର୍କେଟ୍ କୁ ,କେବେ କ୍ଲବ୍ କୁ ତ କେତେବେଳେ ଫିଲ୍ମ ଦେଖିବାକୁ ।
ସେଦିନ ଏକ ଅଳସ ଅପରାହ୍ନରେ ବାଲକୋନୀରେ ବସି ପବନ ଖାଉ ଖାଉ ହଠାତ୍ ଗୋଟିଏ ଜଣାଶୁଣା ଫଟଫଟ ଶବ୍ଦ ଶୁଭିଲା । ଜୁବି ଟିକେ ବାଲକୋନୀରୁ ମୁଣ୍ଡ ତଳକୁ ଝୁଲାଇ ଦେଖିଲା ଯେ ଗୋଟିଏ ଲୋକ ବୁଲେଟ୍ ଟି ଗଛ ମୂଳେ ଥୋଇ ମୁଣ୍ଡରୁ ହେଲମେଟ୍ କାଢିଲା । ଏଥର ଜୁବି ଥରିବାକୁ ଲାଗିଲା । ଇଏ ତ ସେଇ ଆୱାରା ଯାହାକୁ ସେ ଅନେକ ବର୍ଷ ତଳେ ଛାଡି ଦେଇ ଆସିଥିଲା । ହେଲେ ଏବେ ଆୱାରା ତା ଘର ନିକଟରେ କାହିଁକି?ଆୱାରା ଗାଡିରେ ଷ୍ଟାଣ୍ଡ୍ ଲଗାଇ ସିଧା ଜୁବିର ଘର ଆଡକୁ ଆସିଲା । ପୁଣି କଣ ଭାବି ଫେରିଗଲା ।
ଜୁବି ର ନିଃଶ୍ୱାସ ବନ୍ଦ ହୋଇ ଯାଉଥିଲା ଯେମିତି । ସେ ପାଗଳ ପିଲାଟା ତା ଜୀବନ କୁ କାହିଁକି ଫେରୁଛି ସେକଥା ସେ ଖୋଜି ପାଉ ନ ଥିଲା । ଆଦିତ୍ୟ ଙ୍କୁ ଏ ବିଷୟରେ ଜଣାଇବାରୁ ଆଦିତ୍ୟ ହସିଲେ । କହିଲେ ଏହା ତୁମର ଭ୍ରମ । କିନ୍ତୁ ଏ ଭ୍ରମ ଏଥର ସବୁଦିନ ହେବାକୁ ଲାଗିଲା । ଆଦିତ୍ୟ ନ ଥିଲା ବେଳେ ସେ ଅନେକ ଥର ଦେଖିଲେ ଆୱାରା କୁ ତାଙ୍କ ଘର ପାଖରେ । ସେଇ ଏକା ଚେହେରା,ଖୁଣ୍ଟା ଖୁଣ୍ଟା ଦାଢି ଭର୍ତ୍ତି ମୁହଁ । ଏଥର ଜୁବି ନିଜକୁ ଅସୁରକ୍ଷିତ ମନେ କରୁଥିଲା । ମନ ଭିତରେ ଡର ବସା ବାନ୍ଧି ରହୁଥିଲା । ଆଦିତ୍ୟ ଙ୍କୁ କହିଲା ଗୋଟିଏ ପୋଲିସ୍ କମ୍ପ୍ଲେନ୍ ଦେବାକୁ ।
ସେମିତି ହିଁ ହେଲା । ପୋଲିସ୍ କମ୍ପ୍ଲେନ୍ କଲା ପରେ ପିଲାଟି ଧରା ପଡିଲା । ପୋଲିସ୍ ପାଖରୁ ବହେ ଛେଚା ବି ଖାଇଲା । ଆଦିତ୍ୟ ଆସି ବର୍ଣ୍ଣନା କରୁଥିଲେ କେମିତି ସେ ପାଗଳ ପିଲାଟା ଭୂଲ୍ ହୋଇଛି କହି ତାଙ୍କ ଗୋଡ ତଳେ ପଡିଗଲା । ଆଉ କେବେ ଆସିବନି ବୋଲି ଗୋଟିଏ ଲମ୍ବା ଚୁକ୍ତି ପତ୍ର ବି କରିଥିଲା ପିଲାଟି ।
ଆଦିତ୍ୟଙ୍କ ଠାରୁ ଏତକ ଶୁଣିଲା ପରେ ଖୁବ୍ ଆଶ୍ୱସ୍ତ ମନେକଲା ଜୁବି । ଅନେକ ଦିନ ପରେ ଶାନ୍ତିରେ ଟିକେ ଶୋଇ ପାରିଲା । ରାତି ଅଧରେ କିନ୍ତୁ କାହାର ଚୁପି ଚୁପି କଥାରେ ତାର ନିଦ ଭାଙ୍ଗିଗଲା । ଜୁବି ଦେଖିଲା ପାଖରେ ଆଦିତ୍ୟ ନାହାଁନ୍ତି । ବାଲକୋନୀରେ କାହାସହ କଥା ହେଉଛନ୍ତି । ଜୁବି ଶୁଣିବାକୁ ପାଇଲା ଆଦିତ୍ୟ ଜୁବିର ବାପାଙ୍କ ସହ ହିଁ କଥା ହେଉଥିଲେ । ଆଦିତ୍ୟ ଜୁବିର ବାପା ଙ୍କୁ କହୁଥିଲେ "ଜୁବିର ମାନସିକ ଦୁର୍ବଳତା ଦେଖା ଦେଉଛି । ଶୀଘ୍ର ଚିକିତ୍ସା କରିବାକୁ ପଡିବ । ଯେଉଁ ଆୱାରା କୁ ଆମେ ବାହାଘର ଦିନ ଜୀବନରୁ ମାରି ଦେଇଥିଲେ, ସେଇ ଆୱାରା କୁ ଏବେ ଜୁବି ସବୁବେଳେ ପାଖରେ ଦେଖୁଛି ବୋଲି କହୁଛି । ଅତି ଶୀଘ୍ର କିଛି ଗୋଟିଏ ବନ୍ଦୋବସ୍ତ କରିବାକୁ ହେବ । "
ଜୁବିକୁ ଲାଗିଲା ସେ ଯେମିତି ଛାତ ଉପରୁ ପଡି ଯାଉଛି । ସବୁ ଅନ୍ଧାର ଦିଶୁଛି ତାକୁ । ମୁହଁ ବୁଲେଇ ଆଇନା କୁ ଅନେଇଲା ଜୁବି । ଏଥର ଆଇନା ଭିତରେ ଦେଖିଲା ଆୱାରା ର କରୁଣ ମୁହଁ । ଜୁବି ଚିତ୍କାର କରି ଉଠିଲା ...
ଜୁବି ଏବେ ସବୁ ବେଳେ ଗୋଟିଏ ଲ୍ୟାମ୍ପ ପୋଷ୍ଟ ତଳେ ବସି କାଟେ ଅନେକ ଜହ୍ନ ରାତି । ତାର ମନେ ପଡିଯାଏ" ଆୱାରା ସେଦିନ ତା ଘରେ ଆସି ତାକୁ ମାଗିଥଲା ମାତ୍ର ଗୋଟିଏ ଜହ୍ନ ରାତି" ।