STORYMIRROR

Chinmayee Barik

Inspirational Others

2  

Chinmayee Barik

Inspirational Others

ମୁଁ ଶ୍ରମିକ ଝିଅ

ମୁଁ ଶ୍ରମିକ ଝିଅ

2 mins
14.9K


ଜଣେ ଶ୍ରମିକର ଝିଅ ମୁଁ ।ବାପା ପରିବା ବିକ୍ରି କରେ ଆଉ ମୁଁ ଫୁଲ ।ବାପା ଆଖିରେ ଗାଡିଏ ସ୍ୱପ୍ନ ଆଉ ମୋ ଆଖିରେ ବି କୋମଳ ସ୍ୱପ୍ନ ।ଶୁଣୁଛି ସମାଜରେ ନର ଖାଦକ ମାନେ ବୁଲୁଛନ୍ତି ।ହେଲେ ପେଟ ଲାଗି ଆମେ ସେ ନର ଖାଦକ ବିଷୟରେ କେବେ ଭାବିନୁ ।ଫୁଲଟିଏ ବିକ୍ରି କଲାବେଳେ ମୋତେ ତୁମ ଆଖିରେ ଈଶ୍ଵର ଦିଶେ ।ତୁମର ପଇସା ଦେଉଥିବା ହାତ ମୋତେ ଦାତା ଭଳି ଲାଗେ ।ମୁଁ କେବେ ଭାବିପାରେନି ଏ ଈଶ୍ୱର ପରି ଦିଶୁଥିବା ଆଖି କେବେ ସଇତାନ ପାଲଟି ଯାଆନ୍ତି ।ମୋତେ ଫୁଲ ବିକିବା ଲାଗି ଛାଡି ଦେଇଗଲା ବେଳେ ବାପା କୁହେ..ପେଟରେ ଭୋକଥିଲେ ସହି ହୁଏନିରେ ...ଆମେ ରାସ୍ତା କଡର ଲୋକ ...ଆମକୁ ରାସ୍ତାରେ ଜିଇବାକୁ ପଡିବ ।

ବାପା କୁହେ...ମୁଁ ଫେରିବି ସନ୍ଧ୍ୟାରେ ...ତୁ ଯେମିତି ହେଲେ ବି ଜିଇଥିବୁ ମୋ ଲାଗି ।ମା'ର ମୁହଁ ମୋର ମନେ ନାହିଁ ।ବାପା ଆଖିରେ ଲୁହ ଦେଖେ ରୋଜ୍ ମୁଁ।

ରାସ୍ତାରେ ଗାଡି ପାଖକୁ ଦଉଡି ଯାଇ ଫୁଲଟିଏ ଯାଚେ ।ତା ବଦଳରେ ପଇସା ଆଶା କରେ ।ବେଳେ ବେଳେ ଡହ ଡହ ରାସ୍ତାର ତାତିରେ ମୋ ପାଦ ଶିଝିଯାଏ ।ପାଦ ଜଳୁଥାଏ ...ଓଠରେ ହସ ରଖି ଫୁଲ ବିକେ ।ଏଇ ଜ୍ଵଳନ ଆଉ ହସ ଭିତରେ ଆମ ଖଟିଖିଆଙ୍କର ପେଟ ପୁରେ ।ବଡ ବଡ ଗାଡିରେ ହାତ ମାରେ....ବଡ ବଡ ମିଠା ଜିଲାବି ଦେଖେ....ହେଲେ ମୋ ପାଦ କେବଳ ଚଲାରାସ୍ତା ଲାଗି ଆଉ ମୋ ଥାଳିରେ ଖାଲି ମୁଠେ ଭାତ ଓ ଡାଲି ।

ମଣିଷ ସଇତାନ ପାଲଟିଛି ।ରକ୍ତ ପିଉଛି ବୋଲି ଶୁଣେ ହେଲେ ମୋତେ ତୁମ ଆଖିରୁ ଖାଲି ଈଶ୍ୱର ପଣର କୋମଳତା ଦେଖାଯାଏ ...ବୋଧ ହୁଏ ମୋ ହାତରେ ଗୋଲାପର କୋମଳତା ଥାଏ ବୋଲି ।ମୁଁ ଭାବି ପାରେନି ଏତେ ଧୋବଫରଫର ଲୋକ ମିଠା ଜିଲାବି ବଦଳରେ ରକ୍ତ ପିଉଥିବେ ବୋଲି ?

ଶ୍ରମିକର ଝିଅଟେ ମୁଁ ...ତଥାପି ଦେଖ ମୋ ଆଖିକୁ ଥରେ ।ଏ ଆଖିରେ ବି ଗୋଟିଏ ସ୍ୱପ୍ନ ଅଛି...ଜିଇଁବାର ଇଛା ଅଛି ।କାଖରେ ସ୍କୁଲ ବେଗ୍ ଧରିବାର ମନ ବି ଅଛି ।କିନ୍ତୁ??ମୁଁ ଯେ ଗୋଟିଏ ଗରିବ ଖଟିଖିଆର ଝିଅ ।ଫୁଲ ସହ ମୋର ସ୍ୱପ୍ନ ସବୁ ବିକି ହୋଇଯାଏ ।ବେଳେ ବେଳେ ସ୍ୱପ୍ନ ମାନେ ତ ଗରମ ପିଚୁ ରାସ୍ତାରେ ତରଳି ମଧ୍ୟ ଯାଏ ।ଆଇସକ୍ରିମ ଖାଇବାର ଇଛାରେ ଅନେଇଥିବା ମୋ ଆଖି କେତେଥର ବି ଦେଖିଛି ପ୍ରେମିକା କୁ ମନେଇବାକୁ ରାସ୍ତାରେ କେତେ ଆଇସ୍କ୍ରିମ୍ ଫୋଫଡା ହୁଏ ...ମୋ ଆଖି ଆଗରେ ତରଳିଯାଏ ପିଚୁ ଉପରେ ।

ମୋ ଦେହ ଉପରେ ତୁମର ଆଖି ବୁଲିଯାଏ ବେଳେ ବେଳେ ।ମୁଁ ଭାବେ ତୁମେ ଫୁଲ ନେବାକୁ ଆସିଛ ହେଲେ ତୁମେ ମୋତେ ପଚାର କେତେ ପଇସା ନେବୁ ...ଚାଲ୍ ମୋ ସାଙ୍ଗରେ ।ମୁଁ ପୁଣି ତୁମ ଆଖିରେ ଈଶ୍ୱର ଦେଖେ ।ବାପା କଥା ମନେ ପଡେ ।ବାପା ମୋତେ ଅପେକ୍ଷା କରିଥିବ ମୋ ଜିଇଥିବା ମୁହଁକୁ ଦେଖିବାକୁ ।ମୁଁ ତୁମ ହାତରେ ଫୁଲଟିଏ ଦେଇ ଦୌଡି ପଳାଇ ଆସେ ....

ଶ୍ରମିକ ଝିଅ ମୁଁ ।କିଛି ବୁଝି ନ ପାରିଲେ ବି ଏତିକି ବୁଝେ ମୋତେ ବଞ୍ଚିବାକୁ ହେବ ...ମୋ ଦେହରେ ଜାମାଟିକୁ ଜାବୁଡି ମୁଁ ଦୌଡିବାର କଳା ଶିଖି ଯାଇଛି ।ଯେତେ ଜୋରରେ ଦଉଡିଲେ ବି ମୋ ହାତରୁ ଫୁଲ ଖସେନା କାରଣ ସକାଳ ହେଲେ ମୁଁ ପୁଣି ଫୁଲ ରଖିବି ତୁମ ମାନଙ୍କ ଲାଗି ....

ତୁମ ମାନଙ୍କ ଲାଗି ମୋ ପାଖରେ ସବୁବେଳେ ଫୁଲଟିଏ ରହିଛି ଯଦିଓ ମୁଁ ଗୋଟିଏ ରାସ୍ତା କଡର ଝିଅ ...

ଶ୍ରମିକ ଦିବସରେ ତୁମ ସମସ୍ତଙ୍କ ଲାଗି ଫୁଲଟିଏ......

......Lucy. ........


Rate this content
Log in

Similar oriya story from Inspirational