ଶୁଶି
ଶୁଶି
ମୁଁ ଗୋଟେ ଜଙ୍ଗଲ ରେ ବୁଲୁଥିଲି । ଘୋର ଜଙ୍ଗଲ । ପୁରା ପୁରୁଣାକାଳିଆ ଗପରେ ପଢିଲା ପରି ଅଗନାଅଗନି ଆଉ ଘଞ୍ଚ ।ଗହଳିଆ ଗହଳିଆ ଡାଳ ପତ୍ର ରେ ଭରା ।ହେଲେ ଏ ଜଙ୍ଗଲ ଆମେ ଜାଣିଥିବା ସେ ସବୁଜ ଜଙ୍ଗଲ ପରି ଜଙ୍ଗଲ ନଥିଲା । ଇଏ ଥିଲା ଗୋଟେ ଗୋଲକ ଧନ୍ଦାର ଜଙ୍ଗଲ । ଏଠିକା ଗଛ ସବୁର ପତ୍ର ମାନେ ନୀଳ, ଗାଢ ନୀଳ । ଗହୀର ଗାଢା ଗାଢା ରଙ୍ଗ ।ଖାଲି କଣ ନୀଳ! ଆହୁରି ଆହୁରି କେତେ କେତେ ରଙ୍ଗ ର ପତ୍ର ଫୁଲ ବି ଥିଲେ ଯେ ହେଲେ ଆମ ଗଛ ମାନଙ୍କ ପରି କେହି ସବୁଜ ନଥିଲେ ।
ମୁଁ ଚାଲୁଥିଲି । ଆଗକୁ, ଆହୁରି ଆଗକୁ । ହେଲେ ହାଲିଆ ହେଉ ନ ଥିଲି । ମୋ ପାଦ ତଳେ ଶ୍ବେତ ପଦ୍ମ ସବୁ ଖୋଲିଯାଉଥିଲେ । ଆଭାମୟ । ଆଲୋକମୟ ।ତଥାପି ଗୁଡେ ଗୋବର ପୋକ ଏଣେ ତେଣେ ଲୁଚିଯାଉଥିବା ଦିଶୁଥିଲେ । ଏ ମାୟାବୀ ଜଙ୍ଗଲରେ ପୁଣି ଗୋବୋର କୋଉଠୁ ଆସିଲା ଯେ ଏମାନେ ବି ଅଛନ୍ତି । ହଁ ଥିବେ ।ଗୋବର ଟା କଣ ଖରାପ କି !
ମୁଁ ଆଗକୁ ଚାଲୁଥିଲି ଏବେ ପୁରା ଜଙ୍ଗଲ ପଦ୍ମ କୋଷିଆ ରଙ୍ଗ ଦିଶିଲେ ଆଉ ପାଦ ତଳ ଫୁଲ ମାନେ ବାଇଗିଣିଆ ।ଏମିତି ଏମିତି ପ୍ରତି ଘେରାରେ ରଙ୍ଗ ବଦଳି ଚାଲିଥିଲା ।ମୁଁ ହଜିସାରିଥିଲି ସେ ଜଙ୍ଗଲ ର ବର୍ଣ୍ଣାଳୀ ରେ ।ଦୂରରୁ ଏକ ଅଦ୍ଭୁତ କିଛି ଥିଲା ପରି ପ୍ରତୀୟମାନ ହେଲା ।ଆଗ୍ରହ ଓ କୌତୁହଳ ର ପ୍ରେରଣା ମତେ ପେଲି ନେଉଥିଲେ ।ମୁଁ ଚାଲୁଥିଲି ....ସେଇଦିଗକୁ ଯୋଉଠି ସେ ଅଦ୍ବିତୀୟ କିଛି ର ଆଭାସ ମତେ ଆକର୍ଷିତ କରୁଥିଲେ ।ଝାପ୍ସା ଏକ ନାରୀ ମୂର୍ତ୍ତି ପରି ଦୃଶ୍ୟମାନ ହେବାକୁ ଲାଗିଲା ।ମୁଁ ଯେତେ ଯେତେ ପାଖକୁ ଗଲି ସେତେ ସେତେ ସ୍ପଷ୍ଟ ଦିଶୁଥିଲେ ସେ । କିନ୍ତୁ ପଛରୁ ହି ଦେଖୁଥିଲି ମୁଁ ତାଙ୍କୁ ।କଳ୍ପନା ଚକ୍ଷୁ ମୋର ତାଙ୍କ ପ୍ରକୃତ ସ୍ବରୂପ କଣ ହୋଇଥିବ ମତେ କହୁନଥିଲା।
ତା ନାଆଁ ଶୁଶି । ଘରେ ସମସ୍ତେ ତାକୁ ଶୁଶି, ଶୁଶି ହି ଡାକୁଥିଲେ । ବଡନାନୀର ବାହାଘର ହେଇଗଲା ।ବଡ ଭିଣୋଇ ଆସିଲେ । ସିଏ ତାକୁ ଶିଶୁ, ଶିଶୁ ଡାକିଲେ ।ବାସ୍ ସିଏ ତ ନିଜକୁ ଶଶି ମଣିଲା ଆଉ । ସରଗ ଶଶି ଏକାଥରେ । ଆଉ କି ଧରା ଦେଲା ନା ମାଟିରେ ପାଦ ଥାପିଲା ! ଖାଲି ତ ଉଡେଇଲା । ଡେଣା ଫଡ ଫଡ ଫଡ ।ଯେତେ ଯିଏ କହିଲେ, " ଆଲୋ ଶୁଶି ସମ୍ଭାଳେ ସମ୍ଭାଳେ ।" ସିଏ ତ ଶୁଣିଆର ନାହିଁ କା' କଥା ।
ମୁଁ ବହୁତ ଆସ୍ତେ ଜଗି ଜଗି ସେଇଦିଗକୁ ପାଦ ବଢଉଥିଲି । ମତେ ମୋ ଇଚ୍ଛା ଓ ଆଗ୍ରହ ଟାଣିନେଉଥିଲେ ହେଲେ ଡର ବି ଲାଗୁଥିଲା । ଆବଶ୍ୟ ଅଳ୍ପ । ଆଃ ଗୋଟେ ବାସ୍ନା କେଜାଣି କୋଉ ଫୁଲର ମହକେଇଦେଇ ଗଲା ମୋ ଚାରିପଟ । ଚୁନା ଚୁନା ଖଦ୍ଯୋତ ମାନେ ମତେ ବାଟ କଢଉଥିଲେ । ଗୁଣ୍ଡ ଗୁଣ୍ଡ ଆଲୋକ ଚୁନା ଝରି ଝରି ପଡୁଥିଲେ କୁଣ୍ଡାଝଡା ମେଘଗୁଣ୍ଡ ପରି ମତେ ଛୁଇଁ ଛୁଇଁ ସବୁ ରଙ୍ଗର । ମୁଁ ଆଗଉଥିଲି । ସିଏ ଘୁଞ୍ଚି ଯାଉଥିଲେ ଆଉ ଟିକେ ଆଗକୁ ଆଗକୁ । ନୀଳ ସମୁଦ୍ର ରୁ ଧାରେ କୁ ଶାଢୀ କରି ପିନ୍ଧିଥିଲେ ସେ ଯାହାର ଧାର ବହିଆସି ଲଟେଇ ଯାଇ ସାରା ଆକାଶକୁ ନୀଳ ରଙ୍ଗେ ରଙ୍ଗେଇଥିଲେ ।ତାଙ୍କ ପାଖରେ ଏଇ ଅଦ୍ଭୁତ ଘୋଡା ପରି ଜନ୍ତୁଟିଏର ହାଲକା ଆଭାସ ବି ହେଉଥିଲା ଆଉ ଲାଗୁଥିଲା ସିଏ ସିଏ ଯେମିତି ଶୂନ୍ୟ ରୁ ଅଣୁ ସବୁକୁ ଟାଣି ଆଣି ଗଢି ହେଇଛି ।ଉଜ୍ବଳ ଦିଶୁଥିଲା ତାର ଅବୟବ ।ସିଏ ଗଛ ସେପାଖରୁ ମତେ ଚାହୁଁ ଥିଲା ଆଉ ଯେମିତି ହସୁଥିବା ପରି ଅନୁଭବ ହେଉଥିଲା ।ଜନ୍ତୁ କଣ ହସେ? ହଁ ମ ହସିବନି କାହିଁକି .... ଆମେ ଦେଖିନୁ ବୋଲି କଣ ଅସ୍ବୀକାର କରିହେବ ଯେ ଯାହା ଦିଶେନି ତାହା ଥାଏନି!
ସିଏ ଦିନକୁ ଦିନ ସତରେ ଆକାଶ ଶଶି ପରି ଦିଶୁଥିଲା ।ଛନଛନ, କନକନ । ତାର ତରଙ୍ଗ ତରଙ୍ଗ ଚାହାଣୀରେ ନଦୀ ର ପାଣି ବି ତରଙ୍ଗ କାଟିବା ଭୁଲିଯିବ ।ତାକୁ ଜେଜୀ କହିଲା, " ଶୁଶି ଲୋ ପାଦ ସମ୍ଭାଳେ । ଭାରି ଶିଉଳି ।" ସିଏ ଫୁତ୍ ମାରିଦେଇ କହିଲା ," ହେଁ ମୋର ପାଦ ଅଛି କଣ ! ମୁଁ ପରା ଡେଣା ହଲାଏ ଆଉ ଆକାଶ ଛୁଏଁ ।"
ମୁଁ ପହଞ୍ଚି ସାରିଥିଲି ପ୍ରାୟ ତା ସାମ୍ନା । ମୋ ଇପ୍ସିତା ମୋ ଆଗରେ ଆଉ ଅଳ୍ପ ସମୟେ । କାଳେ ସିଏ ଉଭାନ ହେଇଯିବ ଭାବି ମୁଁ ତରକା ତରକା ତା ଆଗକୁ ଝୁଙ୍କି ପଡିଲି ଆଉ ଆଖି ଟେକି ମନ ପୁରେଇ ଚାହିଁଲି ଯେ, ଆଃ ମୋର ଆଗରେ ତ ନାରୀ ଆକାରର ଆରିସି ଟେ ମାତ୍ର , ଯୋଉଥିରେ ଦିଶୁଛି ମୋରି ମୁହଁ । ସଳଖ, ସିଧା ମୁଁ ହିତ । ଶିଶୁ ଶଶି ହେଇ ସାରିଥିଲା । ଆଉ ଆକାଶ କୁ ଡେଣା ମେଲେଇ ଉଡିଗଲା ଫୁର୍ କି ଜେଜୀ ପଛରୁ ହାଁ ହାଁ କହୁ କହୁ । ଭିଜାମାଟିରେ ହସୁଥିଲା ତା ପାଦଚିହ୍ନ କଢିଟିଏ ହେଇ ।
