Gayatri Singh

Action Classics Inspirational

4.1  

Gayatri Singh

Action Classics Inspirational

ଶୁଭ ଦୀପାଳି

ଶୁଭ ଦୀପାଳି

3 mins
251



ସାରା ସହର ଆଲୋକର ପର୍ବ ଦୀପାବଳି ପାଳୁଛି । ସବୁଠି ଦୀପର ସମାହାର । ଅମା ଅନ୍ଧକାର ମଧ୍ୟରେ ଦୀପ ଆଲୋକରେ ଉଜ୍ୱଳ ଦିଶୁଛି ସହରର ଗଳି କନ୍ଦି । ବିଭିନ୍ନ ରଙ୍ଗ ବେରଙ୍ଗ ର ଲାଇଟ ରେ ସମଗ୍ର ସହର ଚକମକ ଦିଶୁଛି । ସହରର ଉପାନ୍ତରେ ସେମିତି ଏକ ଗଳିରେ ଗୌତମ ର ଘର । ଘରେ ବାପା ମାଆ ଦୁଇ ଭାଇ । ସେ ସାନ ପୁଅ । ସ୍ଥାନୀୟ କଲେଜ ରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର । ବାପା ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ସୁଖରେ ନୁହେଁ କି ଦୁଃଖରେ ନୁହେଁ ଭଲରେ ଭଲରେ ସଂସାର ଟା ଚଳିଯାଏ । ବଡଭାଇ ପାଠ ପଢା ସାରି ଚାକିରୀ ପାଇଁ ପ୍ରସ୍ତୁତି କରୁଛି । ଆଗକୁ ଦୀପାବଳି ଆସୁଛି ବୋଲି ଗୌତମ ବାପାଙ୍କ ଠାରୁ ସବୁଦିନ ଖର୍ଚ୍ଚ ନାଁ ରେ କିଛି ଟଙ୍କା ମାଗି ସଂଚିଛି । ଗତ ଦୁଇ ବର୍ଷ ହେଲା କରୋନା ପାଇଁ ସବୁ ପର୍ବ ପର୍ବାଣୀ ଫିକା ପଡି ଯାଇଥିଲା ।ବାଣଫୁଟା ରେ ମଧ୍ୟ କଟକଣା ଲାଗିଥିଲା । ସାଙ୍ଗ ମାନଙ୍କ ସହିତ ଲୁଚା ଛପାରେ କିଛି ବାଣ ଫୁଟାଇଥିଲା । ହେଲେ ସେ ସବୁରେ ମଜା ନଥିଲା । ରାସ୍ତା ଉପରେ ଲୋକ ଯିବା ଆସିବା କରୁଥିବା ସମୟରେ ବାଣ ରେ ନିଆଁ ଲଗେଇ ଦେଇ ଘର ର ପିଲର ପଛ ପଟେ, ଘର ଭିତରେ, ରାସ୍ତା କଡ ଡଷ୍ଟବିନ ପଛରେ ଲୁଚିଯିବାରେ ଯେଉଁ ମଜା ଥିଲା ସେସବୁ ଆଉ ହେଇ ପାରୁନଥିଲା । କିନ୍ତୁ ଏବର୍ଷ କଟକଣା କୋହଳ ହୋଇଛି । ସବୁ ପର୍ବ ପର୍ବାଣୀ ପାଳନ ର ବିଧି ନିର୍ଦ୍ଦେଶ ସରକାର ଙ୍କ ତରଫରୁ ଆସିଯାଇଛି । । ତେଣୁ ଏବର୍ଷ ଦୀପାବଳି ସାଙ୍ଗସାଥି ଗହଣରେ ପାଳିବ ବୋଲି ଭାବିଛି । ବାପା ଙ୍କ ଠାରୁ ଆଉ କିଛି ଟଙ୍କା ମାଗିନେବ । ଆଉ ମାଆ ଙ୍କ ଆଗରେ ପଛରେ ଟିକେ ହୋଇଗଲେ ସେ ସବୁ ବୁଝିଯାଏ କିଛି କହିବାକୁ ପଡେନି । ଆଲମିରା ଖୋଲି ହାତକୁ ଟଙ୍କା ବଢାଇଦିଏ । ତେଣୁ ଏବର୍ଷ ଦୀପାଳି ଜମିବ । ସାଙ୍ଗ ମାନଙ୍କ ସହିତ ମିଶି ବାଣ କିଣିବାକୁ ବାହାରି ପଡିଲା । କିଛି ବାଟ ଯିବା ପରେ ମାର୍କେଟ ଭିତରେ ଭିଡ ଦେଖି ଅଟକିଗଲା । ଲୋକ ଟିଏ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ହୋଇ ପଡିଛି । ବାର ଚଉଦ ବର୍ଷର ଝିଅ ଟିଏ ପାଖରେ ବସି ସାହାର୍ଯ୍ୟ ପାଇଁ କାନ୍ଦୁଛି । ଦୀପାବଳି ପାଇଁ ରାସ୍ତା ଭିଡ଼ । କିଛି ଲୋକ ଭିଡ଼ ପାଖରେ ଅଟକି ଦେଖି ଚାଲି ଯାଉଛନ୍ତି । ଆଉ କେତେ ଜଣ ଆହା କହି କିଛି ସାହାଯ୍ୟ କରି ନପାରିବାର ଦୁଃଖ ପ୍ରକାଶ କରୁଛନ୍ତି । ଗୌତମ ସାଙ୍ଗ ମାନଙ୍କ ସହ ମିଶି ସେ ଲୋକ କୁ ମେଡିକାଲ ନେଇଗଲା । ଚିକିତ୍ସା କରାଇ ଔଷଧପତ୍ର ସହ ତାଙ୍କୁ ନେଇ ତାଙ୍କ ଘରେ ଛାଡି ଆସିଲେ । ବାଣ ପାଇଁ ସଞ୍ଚି ରଖିଥିବା ପଇସା ସବୁ ଖର୍ଚ୍ଚ ହୋଇଗଲା ।ତା ପରେ ବି ତା ମନ ରେ ଦୁଃଖ ନଥିଲା ।ମନ ଟା ଭାରି ହାଲୁକା ଲାଗୁଥିଲା । ମନ ଭିତରେ ଶାନ୍ତି ସହିତ କିଛି ଭଲ କାମ କରିଥିବାର ଅନୁଭୁତି ଅନୁଭବ ହୋଇଥିଲା ଗୌତମକୁ । ସନ୍ଧ୍ୟା ରେ ଘରକୁ ଫେରି ମାଆ ସହିତ ଦୀପ ଜଳାଇବାରେ ଲାଗିପଡିଲା । ଆରେ ବାବୁ ତୁ ପରା ସାଙ୍ଗ ମାନଙ୍କ ସହିତ ବାଣ ଫୁଟାଇବା ପାଇଁ ବାହାରିଥିଲୁ, ଏ’ଠି ପୁଣି କଣ କରୁଛୁ? ହଁ ଯିବି ମାଆ ଯିବି ମାଆ କହି କହି ସନ୍ଧ୍ୟା ଗଡିଗଲାଣି ହେଲେ ବାବୁଙ୍କର ବାହାରକୁ ଯିବାର ନାଁ ନାହିଁ । କଣ ହେଇଚି କିରେ, ତୋ ବାଣ କାଇଁ? ମାଆ ଗୋଟେ କଥା କହିବି, ସେ ଟଙ୍କା ମୁଁ ଖର୍ଚ୍ଚ କରିଦେଇଛି । ବଜାର ରେ ଘଟିଥିବା ସମସ୍ତ ବୃତାନ୍ତ ମା ଆଗରେ କହିଚାଲିଲା । ମାଆ ଲୁହ ଛଳ ଛଳ ହୋଇ ଗୌତମ କୁ କୋଳକୁ ଟାଣି ନେଇ କହିଲେ ଭଗବାନ ତୋତେ କୋଟି ପରମାୟୁ ଦେଇଥାନ୍ତୁ ରେ ବାବୁ । ଏମିତି ପରୋପକାରୀ ମନୋଭାବ ତୋ ମନରେ ସବୁ ବେଳେ ରହିଥାଉ । ଭଗବାନ ତୋତେ ସତ୍‌ପଥ ଦେଖାନ୍ତୁ ସଦ୍‌ଗତି ଦିଅନ୍ତୁ । ଭାଇ ପାଖ ଟେବୁଲ ପାଖରେ ଥାଇ ସବୁ କଥା ଶୁଣୁଥିଲା କହିଲା ହଉ ବ୍ୟସ୍ତ ହଅନା ମୁଁ ତୋ ପାଇଁ ବାଣ ଆଣିଦେଉଛି । ପାଖ ରୁମ ରୁ ବାପା ବାହାରି ଆସି କହିଲେ ଏଇ ଟଙ୍କା ନେ ବାଣ ଆଣିବୁ ଯା । ସେ ଥରେ ବାପାଙ୍କ ମୁହଁ କୁ ତ ଥରେ ଭାଇ ମୁହଁ କୁ ଚାହୁଁଥିଲା । ନାଇଁ ବାପା ଆଜି ଆଉ ବାଣ କିଣିବିନି । ବାଣ କିଣିବାକୁ ପଇସା ମାଗିଲେ ଯୋଉ ମାନେ ବିଗିଡି ଯାଉଥିଲେ ଆଜି ତାକୁ ଟଙ୍କା ଯାଚୁଛନ୍ତି । ସତରେ ଭଲ କାମର କେତେ ଆଦର ସେ ବୁଝି ପାରୁଥିଲା । ବାପା ତା ହାତରେ ଆଣି ଟଙ୍କା ରଖିଦେଲେ ତଥାପି ତାର ବଜାର ଯାଇ ବାଣ କିଣି ଆଣିବାକୁ ଆଉ ମନ ହେଉନଥିଲା । ମା କହିଲେ ଆରେ ଯା ବାଣ ଆଣିବୁ ପରା । ନା ମାଆ ଏ ଟଙ୍କା ଥାଉ ପୁଣି କେତେବେଳେ କାହା ଭଲ କାମରେ ଆସିପାରେ । ଏଥର ସବୁ ବର୍ଷ ମୁଁ ଦୀପାବଳି ତୁମ ସହିତ ଦୀପ ଜାଳି ପାଳିବି । ବଡ଼ ବଡୁଆ ହୋ......ଶବ୍ଦ ରେ ଗୁଞ୍ଜରିତ ହେଉଥିଲା ସାହି ଗଳି ।


Rate this content
Log in

Similar oriya story from Action