STORYMIRROR

Gayatri Singh

Drama Tragedy Inspirational

4  

Gayatri Singh

Drama Tragedy Inspirational

ଅସ୍ତମିତ ଅଶ୍ରୁ

ଅସ୍ତମିତ ଅଶ୍ରୁ

3 mins
228


ଡିସେମ୍ବର ମାସର ଶୀତ ସକାଳ । ସାରା ପ୍ରକୃତି କୁହୁଡିର ଚାଦର ଘୋଡେଇ ହୋଇରହିଛି । ପ୍ରବଳ ଥଣ୍ଡା ସହିତ ଘନ କୁହୁଡିରେ ଆବୃତ୍ତ ରାସ୍ତାଗୁଡିକ ଶୁନ୍ ଶାନ୍ ଲାଗୁଛି । କାଁ ଭାଁ ଲୋକ ଯିବାଆସିବା କରୁଛନ୍ତି । ରାସ୍ତାର ଉଭୟ ପାଶ୍ୱର୍ରେ ମା କୋଳରେ ଜାକିଜୁକି ହୋଇ କୁଁ କୁଁ ହେଉଛନ୍ତି କୁକୁରଛୁଆ ମାନେ। ଆଗ ଛକରାସ୍ତାରେ ଦାନା ଖାଇବା ପାଇଁ ପାରାଙ୍କ ଗୁମୁରୁ ଗୁମୁରୁ ସ୍ୱର । ପାଖ ଚା' ଜଳଖିଆ ଦୋକାନ ପାଖରେ ପଡିଥିବା ଅଇଁଠା ପତ୍ରଗଦାରେ କାଉ କୁକୁରଙ୍କ ଭିଡ ଜମିଛି । ଟ୍ୟାକ୍ସି ଷ୍ଟାଣ୍ଡ୍ ଓ ଅଟୋ ଷ୍ଟାଣ୍ଡ୍ ଖାଲି ଖାଲି ଲାଗୁଛି । ଗୋଟେ ଦୁଇଟି ଦୂରଗାମୀ ବସ୍ ପାହାନ୍ତା ପହରୁ ଚାଲିଯିବା ପରେ ପାସେଞ୍ଜର୍ ବସ୍ ଠିଆ ହୋଇଛି । ବସ୍ କେତେବେଳେ ଛାଡିବ ବୋଲି ଜଣେ ଦୁଇଜଣ ପାସେଞ୍ଜର୍ ପଚାରି ପଚାରି ଗଲେଣି ।କାରଣ ଚା' ପିଇବା ଭିତରେ ବସ୍ କାଳେ ଛାଡିଦେବ । ପ୍ରତୀକ ସେଇ ବାଟଦେଇ ଯାଉଥିବାବେଳେ ଜଣେ ଯାତ୍ରୀ ଏ ବସ୍ କେତେବେଳେ ଛାଡିବ ବୋଲି ପଚାରିବାରେ ପ୍ରତୀକ ପ୍ରକୁତିସ୍ଥ ହୋଇ ଥରେ ସେ ଲୋକକୁ ଏବଂ ଥରେ ବସ୍ କୁ ଅନାଇ ସେ ଚା' ବାଲାକୁ ପଚାର କହିଦେଇ ଆଗକୁ ପାଦ ବଢ଼ାଇଥିଲେ । ସବୁଦିନ ପ୍ରତୀକ ଭୋର୍ ପାଞ୍ଚଟାରୁ ୱାକରେ ବାହାରିପଡନ୍ତି । ମୁଖ୍ୟରାସ୍ତା ଦେଇ ଗଳି ସାହି ହୋଇ ଘରକୁ ଫେରନ୍ତି । ସେ ଖରା,ବର୍ଷା,ଶୀତ ଯେଉଁ ଋତୁ ହେଉନା କାହିଁକି । ୱାକ୍ ସମୟରେ ସେ ବହୁତ ଲୋକଙ୍କୁ ଭେଟନ୍ତି । କେତେ ଅସହାୟ ଲୋକଙ୍କର ସେ ସହାୟ ହୁଅନ୍ତି । ଅନେକ ଅସଜଡା ପରିବାରକୁ ସେ ସଜାଡି ଦେଇଥାନ୍ତି । ତାଙ୍କର ସ୍ନେହପୂର୍ଣ୍ଣ କଥା,ସମ୍ବେଦନଶୀଳ ବ୍ୟବହାର,ସମ୍ବୋଧନମୂଳକ ବାର୍ତ୍ତାଳାପରେ ଯେମିତି ଯାଦୁ ରହିଛି । ଯେ କେହିବି ସହଜରେ ବଶ ହୋଇଯିବ ଆଉ ତାଙ୍କ ପ୍ରତି ଭକ୍ତି,ଶ୍ରଦ୍ଧା ଆସିଯିବ । ସେ ଜଣେ ସମାଜସେବୀ । ନିଜର ଗୋଟିଏ ସଙ୍ଗଠନ ରହିଛି । ସେଥିରେ ସେ ସାଂସ୍କୃତିକ, ସାମାଜିକ ଚେତନାଧର୍ମୀ କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଅନ୍ତି । ସମଗ୍ର ସଂସାରକୁ ନିଜର ପରିବାର ମନେ କରୁଥିବା ମଣିଷ ନିଜପାଇଁ ପରିବାର ଗଢି ନାହାଁନ୍ତି । କୁହୁଡି ଭିତରେ ସ୍ପଷ୍ଟ ଦେଖାଯାଉନଥିଲେ ମଧ୍ୟ ପାଖରେ ଥିବା ଗଛମୂଳରୁ କାହାରି ସ୍ୱର ସ୍ପଷ୍ଟ ଭାବେ ଶୁଣାଯାଉଥିଲା । ସେ ସେଇଆଡକୁ ଆଗେଇଲେ । ଦୁଇଜଣ ବୃଦ୍ଧବୃଦ୍ଧା ବସି କଥା ହେଉଛନ୍ତି । ବୃଦ୍ଧା ଜଣଙ୍କର ଆଖିରୁ ଲୁହ ଝରି ଆସୁଛି । ବୃଦ୍ଧଜଣଙ୍କ ତାଙ୍କୁ ବୁଝାଇବାର ପ୍ରୟାସ କରୁଛନ୍ତି । ପାଖକୁ ପ୍ରତୀକ ଯାଇ ତାଙ୍କ ସମସ୍ୟା ବୁଝିଲେ । ଶାଶୁ ବୋହୂ କଳି ହେବାରୁ ବୃଦ୍ଧାଜଣଙ୍କ ରାଗି କାଲି ରାତିରୁ ଘରୁ ବାହାରି ଆସିଛନ୍ତି । କିଛି ସମୟ ଅପେକ୍ଷା କରିବା ପରେ ସ୍ତ୍ରୀ ନଫେରିବାରୁ ବୃଦ୍ଧସ୍ୱାମୀଜଣଙ୍କ ବାଧ୍ୟ ହୋଇ ଶୀତ ରାତିରେ ଥରି ଥରି ଖୋଜିଖୋଜି ସ୍ତ୍ରୀ ପାଖରେ ପହଞ୍ଚିଛନ୍ତି । ପ୍ରତୀକ ବୃଦ୍ଧାଙ୍କୁ ବହୁତ ବୁଝାଇଲେ । ଏଇ ବୟସରେ ଛୋଟ ଛୋଟ କଥାରେ ଅଭିମାନ ସ୍ୱାଭିମାନ ରହିବ । ଯଦି ସେ ବୋହୂ ନହୋଇ ଆପଣଙ୍କ ଝିଅ ହୋଇଥାନ୍ତା କ'ଣ ଏମିତି ଦାଣ୍ଡରେ ଆସି ଝିଅ ନାଁରେ କହିଥାନ୍ତେ । ତାକୁ ବୋହୂ ନଭାବି ଝିଅ ବୋଲି ଥରେ ଚିନ୍ତା କରି ଦେଖନ୍ତୁ ? ଏହି ସମୟରେ ବୃଦ୍ଧାଙ୍କ ବୋହୂ ଆସି ସେଠାରେ ପହଞ୍ଚିଲେ ସେ ଶାଶୁ ଶ୍ୱଶୁରଙ୍କୁ ଘରକୁ ନେବା ପାଇଁ ଆସିଥିଲେ । ତାଙ୍କର କହିବା କଥା ଥିଲା ମା' ଟିକେ ଟିକେ କଥାରେ ରାଗି ଯାଉଛନ୍ତି । କାଲି ଶୀତରାତିଟାରେ ପଦେ କଥାରେ ଘରୁ ଚାଲି ଆସିଲେ । ପ୍ରତୀକ ବୋହୂ କୁ ବୁଝାଇଲେ ଇଏ ଶାଶୁ ନହୋଇ ତୁମ ମାଆ ହୋଇଥିଲେ ତାଙ୍କୁ ଶୀତ ରାତିରେ ଏମିତି ବାହାରେ ଛାଡି ନିଶ୍ଚିତରେ ଶୋଇପାରିଥାନ୍ତ କି? ଶାଶୁ ଙ୍କୁ ନିଜର ମାଆ ରୂପରେ ଥରେ ଦେଖିବା ଆରମ୍ଭ କରନ୍ତୁ ସବୁ ସମାଧାନ ହୋଇଯିବ । ରାଗ କଳି ଝଗଡା ସବୁ ଉଭେଇ ଯିବ । ସେମାନେ ଅସ୍ତବେଳାରେ ପହଞ୍ଚିଲେଣି, ତାଙ୍କ ସହିତ ଆମକୁ ଖାପ ଖୁଆଇ ଚଳିବାକୁ ପଡିବ । ସେମାନେ ତାଙ୍କ ପ୍ରକୃତି ଛାଡି ପାରିବେନି କି ତାଙ୍କର ଚିନ୍ତାଧାରାରେ ଅଙ୍କୁଶ ଲଗାଇ ପାରିବେନି ଆମକୁ ତାଙ୍କ ମାନସିକତାକୁ ବୁଝିବାକୁ ପଡିବ । ଶାଶୁ ବୋହୂ ଉଭୟଙ୍କ ଆଖିରେ ଲୁହ । ସତେ ଯେମିତି ସେମାନେ ବୁଝି ପାରିଛନ୍ତି ସମ୍ପର୍କର ନିବିଡ଼ତାକୁ ।ବୋହୂଟି ଶାଶୁ ଶ୍ୱଶୁରଙ୍କୁ ବୁଝାଇ ସୁଝାଇ ନେବା ବେଳକୁ ଆକାଶରେ ସିନ୍ଦୁରା ଫାଟି ସୂର୍ଯ୍ୟକିରଣରେ କୁହୁଡି ଅପସରି ଯାଇଛି । ସୁନେଲି କିରଣରେ ଆଖିର ଲୁହ ଟୋପା ଆଉ ଲୁହ ହୋଇ ରହିନାହିଁ ସୂର୍ଯ୍ୟକିରଣରେ ମୁକ୍ତାବିନ୍ଦୁ ହୋଇଯାଇଛି। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama