Gayatri Singh

Classics Inspirational Others

3.4  

Gayatri Singh

Classics Inspirational Others

ମାଆ ଆସୁଛନ୍ତି

ମାଆ ଆସୁଛନ୍ତି

3 mins
212



ଶରତର ସ୍ପର୍ଶରେ ଖିଲିଖିଲି ହସୁଛି ଶୁଭ୍ର କାଶତଣ୍ଡୀ । କାଶତଣ୍ଡି ହସିଲେ ମାଆ ଙ୍କ ଆଗମନ ହୁଏ ନା ମାଆ ଙ୍କ ଆସିବାର ବେଳା ଆସିଲେ ଧରଣୀ ରେ କାଶତଣ୍ଡି ର ମେଳା ଲାଗେ । ନିର୍ମଳ ଆକାଶରେ ଠାଏ ଠାଏ ଭସା ବାଦଲର ପଟୁଆର । ନା ଅବାରିତ ବାରିଧାରା ନା ଶୀତର ପ୍ରକୋପ । ସ୍ୱଚ୍ଛ ସରୋବର ରେ କମଳ ର ଅପରୂପ । ସତେ ଯେପରି ପ୍ରକୃତି ସଜ୍ଜିତ କରିଛି ସାରା ସୃଷ୍ଟି କୁ । ଚତୁର୍ଦ୍ଦିଗ ଶାରଦୀୟ ଉପଭୋଗ୍ୟ । ଶରତ ର ଛାତି ଖୁସିରେ ଫାଟି ପଡୁଛି ।ଏ ତ ପାର୍ବଣ ର ବେଳା ଜଗତ ଜନନୀ ମା' ଙ୍କ ଆଗମନ ର ସଂକେତ। ସୃଷ୍ଟି ରୁ ସଂହାର ସବୁଠି ମା ଦୁର୍ଗା ହିଁ ଆଧାର । ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ପାଇଁ ସମସ୍ତେ ତତ୍ପର । ମା ଦୁର୍ଗାଙ୍କ ମଣ୍ଡପରେ ଲହଡି ମାରୁଛି ଭକ୍ତି ର ଜୁଆର । ମନ୍ତ୍ରଚାରଣ ରେ ପ୍ରକମ୍ପିତ ଧରଣୀ । ଏଇ ଶୁଭ ବେଳା ରେ ମା ଙ୍କ ର ଅମୃତ ର ମନ୍ଦାକିନି ଝରିପଡ଼େ ତାର ସନ୍ତାନ ପାଇଁ । ଓଡ଼ିଶାରେ ଶକ୍ତି ଉପାସନା ଅତି ପ୍ରାଚୀନ । ଓଡିଶାର ଧର୍ମ, ସଂସ୍କୃତି ଓ ପରମ୍ପରାରେ ଦୁର୍ଗା ପୂଜାର ସ୍ୱତନ୍ତ୍ର ସ୍ଥାନ ରହିଆସିଛି ଉପନିଷଦ ଓ ପୁରାଣ ଯୁଗରେ ଦେବୀ ସର୍ବଶକ୍ତିମୟୀ,ସୃଷ୍ଟି ସ୍ଥିତି ଓ ସଂହାରକାରିଣୀ ରୂପେ ପୂଜିତା । ସେଥିପାଇଁ ଉତ୍କଳୀୟ ତଥା ଭାରତୀୟଙ୍କର ହୃଦୟ ଭିତରେ ସ୍ୱତନ୍ତ୍ର ସ୍ଥାନ ରହିଆସିଛି ଶକ୍ତି ପୂଜା ପାଇଁ । ତ୍ରେତୟା ଯୁଗରୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଠାରୁ ଆରମ୍ଭକରି ଏଯାବତ୍ ଶକ୍ତି ଉପାସନାର ପରମ୍ପରା ନିଜର ମର୍ଯ୍ୟାଦା ରକ୍ଷା କରି ଆସିଛି । ଭାରତୀୟଙ୍କ ଏହି ଦୈବୀ ଉପାସନା,ଆରାଧନା ଓ ପୂଜାର ଇତିହାସ ପର୍ଯ୍ୟାଲୋଚନା କଲେ ଏହା ବହୁ ପ୍ରାଚୀନ ବୋଲି ଜଣାଯାଏ । ଓଡିଶାରେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ବା ତୃତୀୟ ଶତାବ୍ଦୀରେ ଶକ୍ତି ପୂଜାର ଆରମ୍ଭ ହୋଇଥିବାର ଯଥେଷ୍ଟ ପ୍ରମାଣ ମିଳେ । ଶାକ୍ତ ପରମ୍ପରାର ପ୍ରାଚୀନ କ୍ଷେତ୍ର ଉତ୍କଳରେ ସେ ନାନା ରୂପରେ ପୂଜିତା । ପାପ କଳୁଷ ନାଶ ପାଇଁ ଶକ୍ତି ହିଁ ଯୁଗେ ଯୁଗେ ଆର୍ବିଭୁତା,ତେଣୁ ମାନବଜାତି ମାତୃଶକ୍ତିର ଜୟଗାନ କରି ତା’ର ଉପାସନାକରି ଶକ୍ତିପୀଠ ନିକଟରେ ନତମସ୍ତକ ହୋଇ କରିଛି ଆରାଧନା ମାଗିଛି ଶକ୍ତି । ବିଶ୍ୱର ସୃଷ୍ଟି ପ୍ରକ୍ରିୟାରେ ଶକ୍ତି ବିଭିନ୍ନ ରୂପରେ ପ୍ରକାଶିତ । କେଉଁଠି ସେ ପ୍ରତ୍ୟକ୍ଷଭୁତା ମହାମାୟୀ ତ କେଉଁଠି ମୌନ । ସେ ଯେଉଁଠି ଯେପରି ରୂପରେ ଥା’ନ୍ତୁ ନା କାହିଁକି ମା’ଙ୍କ କରୁଣା ପାଇଁ କାଳ କାଳ ବ୍ୟାକୁଳ ହୋଇଉଠିଛି ସନ୍ତାନର ମନ । ମା ଏକ କିନ୍ତୁ ରୂପ ଅନେକ,ପୀଠ ଅନେକ ।

ପ୍ରତିଟି ପବିତ୍ର ମୂର୍ତି ପଛରେ ଲୁଚି ରହିଥାଏ ସେ ପୀଠର ମାହାତ୍ମ୍ୟ,କାହାଣୀ ଓ କିମ୍ବଦନ୍ତୀ । ସେମିତି ବହୁ କାହାଣୀ ଓ କିମ୍ବଦନ୍ତୀ ବହନ କରିଥିବା ଠାକୁରାଣୀ ହେଉଛନ୍ତି ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ଏକାଦଶ ଭୁଜା ମା’ମାହେଶ୍ୱରୀ । ସିଦ୍ଧି ମୁକ୍ତି ପ୍ରଦାୟିନୀ ତାମ୍ରଗିରିବାସିନୀ ଇଂକାରୀ ମାତା ମା’ମାହେଶ୍ୱରୀଙ୍କର ପ୍ରଥମ ଅବସ୍ଥାନ ସ୍ଥଳ ହେଉଛି ଆଠମଲ୍ଲିକର ପ୍ରସିଦ୍ଧ ଉଷ୍ମପ୍ରତ୍ସବଣ ଶୈବପୀଠ ଦେଉଳଝରୀ । ଓଡିଶାର ଗଜପତି ରାଜା ସୁବର୍ଣ୍ଣ କେଶରୀ ଯାଜପୁର ବିରଜାଧାମରୁ ଦେବୀଙ୍କୁ ଆରାଧନା କରି ଆଣି ଏଠାରେ ସ୍ଥାପନା କରିଥିବା କିମ୍ବଦନ୍ତୀ କହେ । କ୍ରମେ ଆଠମଲ୍ଲିକ କଦମ୍ବ ବଂଶର ରାଜା ସ୍ୱପ୍ନାଦେଶ ପାଇ ଦେଉଳଝରୀରୁ ଆଠମଲ୍ଲିକର ତତ୍କାଳୀନ ରାଜଧାନୀ

ହଣ୍ଡପା ରେ ମା’ ମାହେଶ୍ୱରୀଙ୍କୁ ନେଇ ସ୍ଥାପନ କରିଥିଲେ । ପୁନଃ ହଣ୍ଡପାରୁ ଦେବୀଙ୍କୁ ଅଣାଯାଇ ଆଠମଲ୍ଲିକରେ ସ୍ଥାପନା କରାଯାଇଥିବା ଜଣାଯାଏ । ମନ୍ଦିରରେ ମା ମାହେଶ୍ୱରୀଙ୍କ ସହ ଶ୍ରୀ ଦୋଳଗୋବିନ୍ଦଙ୍କ ପ୍ରତିମା ମଧ୍ୟ ପୂଜା ପାଇଥାନ୍ତି । ଦେବୀଙ୍କ ଆସ୍ଥାନରେ ଏକାଧିକ ଦେବାଦେବୀ ମଧ୍ୟ ପୂଜା ପାଇଥାନ୍ତି । ୧୯୨୨ ମସିହାରେ ମା’ମାହେଶ୍ୱରୀଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା । କୁଶଳୀ କାରିଗର ମନ୍ଦିରକୁ ଏପରି କୌଶଳରେ ତୋଳିଥିଲେ

ଯେ ସୂର୍ଯ୍ୟଙ୍କ ପ୍ରଥମ ସୁନେଲି କିରଣ ମନ୍ଦିରର ଦଧିନଉତି କୁ ସ୍ପର୍ଶ କରିଥାଏ । ମା’ଙ୍କଠାରେ ବର୍ଷସାରା ବିଭିନ୍ନ ପର୍ବ ପର୍ବାଣୀ ପାଳିତ ହୋଇଥାଏ । ଦଶହରା ସମୟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଷୋଳ ପୂଜାର

ବ୍ୟାପକ ଆୟୋଜନ କରାଯାଇ ମା’ଙ୍କ ଠାରେ ଜାଙ୍ଗଳିକ ବିଧିରେ ପୂଜା ହୋଇଥାଏ । ଦ୍ୱିତୀୟା ଓଷା ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଷୋହଳ ଦିନ ଧରି ଷୋଡଶ ପୂଜା ବିଧି ଉପଚାର କରାଯାଇଥାଏ । ବିଶେଷକରି ସପ୍ତମୀ ଓ ଅଷ୍ଟମୀ ଦିନ ମା’ଙ୍କ ଠାରେ ଚଣ୍ଡୀପାଠ,ହୋମଯଜ୍ଞ ସାଙ୍ଗକୁ ଅଖଣ୍ଡ ଦୀପ ଜଳାଯାଇ ପୂଜା କରିବା ସହିତ ବଳି ବେଦିରେ ବଳି ପଡିଥାଏ । ବଳି ବିନା ପୂଜାରେ ପୂର୍ଣ୍ଣତା ଆସେ ନାହିଁ ବୋଲି ବିଶ୍ୱାସ କରାଯାଏ । ବଳି ଦେବାର ଉଦ୍ଦେଶ୍ୟ ହେଲା ମାନବ ନିଜର ସମସ୍ତ ତାମସିକ ମନୋବୃତିକୁ ବଳିଦେଇ ଦେବୀଙ୍କୁ କାୟ ମନୋବାକ୍ୟରେ ଆରାଧନା କରିବା । କଥିତ ଅଛି ଏହି ଆଶ୍ୱିନ ମାସରେ ମା ଭୀଷଣ ରୂପ ଧାରଣ କରିଥାନ୍ତି । ଦଶହରା ଦିନ ମା ମାହେଶ୍ୱରୀ ପାରମ୍ପାରିକ

ବାଦ୍ୟ,ଢୋଲ,ତୂରୀ,ଘଂଟ,ଶଙ୍ଖ,ବାଡିଖେଳ,ଖଣ୍ଡାଖେଳ ଲୋକନୃତ୍ୟ ସହିତ ବିଶାଳ ଶୋଭାଯାତ୍ରାରେ ଭକ୍ତ ମାନଙ୍କ ଗହଣରେ ପାଲିଙ୍କିରେ ନଗର ପରିକ୍ରମା କରି ଦଶହରା ପଡିଆରେ ବିଜେ ହୋଇଥାନ୍ତି । ଭକ୍ତ ନିଜର ମଙ୍ଗଳ କାମନା ପାଇଁ ବିଭିନ୍ନ ପୂଜାର ସାମଗ୍ରୀ ପ୍ରସ୍ତୁତ କରି ନିଷ୍ଠାର ସହିତ ମା’ଙ୍କ ଠାରେ ଭକ୍ତିପୂତ ପ୍ରଣତି ଜଣାଇଥାଏ । ସେ ସମସ୍ତଙ୍କର ଇଷ୍ଟଦେବୀ, ସିଦ୍ଧି ଓ ବିଶ୍ୱାସର ପ୍ରଚଣ୍ଡ ଉତ୍ସ । ମା’ଙ୍କ କରୁଣାସ୍ନାନ ବାସ୍ନାଯୁକ୍ତ, ଅମୃତମୟ ପରିବେଶ

ଆଠମଲ୍ଲିକବାସୀଙ୍କୁ ବଂଚିବାର ପ୍ରେରଣା ଯୋଗାଇଥାଏ । ଆଠମଲ୍ଲିକବାସୀଙ୍କ ପ୍ରତ୍ୟେକ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ ମା ମାହେଶ୍ୱରୀଙ୍କ ସ୍ମରଣରେ ।

ମା’ଙ୍କ ପୂଜା ପାର୍ବଣ ଓ ଉତ୍ସବ ମନୁଷ୍ୟ ଜୀବନରେ ସୁଖ ଶାନ୍ତି ଦେବା ସହ ପରସ୍ପର ମଧ୍ୟରେ ସୁସମ୍ପର୍କ ରହିବା ସହ ବଂଚିବାର ପ୍ରେରଣା ପ୍ରଦାନ କରିଥାଏ ।



Rate this content
Log in

Similar oriya story from Classics